ସୁନାବୋହୁ
ସୁନାବୋହୁ
ଆନି ଜାଣିଥିଲେ ଜନ୍ମ ମରଣ ସତ ପରି ଛାଇ ବି ସତ. ଛାଇ ବି ମିତ. ଅନିତ୍ୟ ସଂସାରରେ ସମସ୍ତେ ଦୂରେଇ ଯାଉଥିବା ବେଳେ ଛାଇଟି ନିତ୍ୟ, ସତ୍ୟ ଓ ପରମ ମିତ୍ର ରୂପେ ପାଶେ ପାଶେ ରହେ ପ୍ରତ୍ୟେକ ମଣିଷର . ଆଜିକାଲି ସେଇ ଛାଇ ଖୁବ ଡରାଏ ଆନିଙ୍କୁ. କାହିଁକିର ଉତ୍ତର ନଥାଏ ନିଜ ପାଖରେ ତ ଭାବନ୍ତି ନିଶ୍ଚୟ ପ୍ରାରବ୍ଧ କର୍ମଫଳ ଏହା. ପୂର୍ବଜନ୍ମରେ କିଛି ପାପ ନିଶ୍ଚୟ ଏ ଜନ୍ମରେ ଛାଇ ସହିତ ରହି ତାକୁ କେଵେ ବିକୃତ କରୁଛି ବିଲେଇଟିଏ ପରି ତ କେଵେ କୁକୁରଟିଏ ପରି ତ କେଵେ କୋଉ ପକ୍ଷୀଟିଏ ପରି. ହଠାତ ଆନିଙ୍କର ମନେ ହେଲା ପୂର୍ବଜନ୍ମରେ ସେ ନିଶ୍ଚୟ ବିଲେଇ କି କୁକୁର ବା ପକ୍ଷୀ ରୂପେ ଜନ୍ମ ହୋଇ କିଛି ପାପ କରିଛନ୍ତି. ହୁଏତ ବିଲେଇ ରୂପେ ଚୋରଣୀ ସାଜି ଆଖି ମୁଜି ମୁଜି ଲୁଚେଇ କ୍ଷୀର ପିଇ ମଣିଷକୁ ବିଲେଇ ଅଇଁଠା କ୍ଷୀର ପିଆଇ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି ବା କୁକୁର ଜନ୍ମରେ କୋଉ ଶିଶୁର ତଣ୍ଟି କଣା କରି ତାକୁ ଜୀବନ୍ତ ମୃତ୍ୟୁ କଷ୍ଟ ଦେବାର ପାପ ମୁଣ୍ଡେଇଛନ୍ତି ବା ଗୃଧ ପକ୍ଷୀ ରୂପେ ଜନ୍ମ ହୋଇ ବାଘ କି ସିଂହ ପରି ବଳବାନ ପଶୁର ଶିଶୁ ଶାବକ ଉଠେଇ ନେଇ ତା ରକ୍ତ ପିଇଛନ୍ତି. ଏମିତି ଭାବି ମନ ଅବସାଦ କରିବା ବେଳେ ଲଘୁ କଥାଟିଏ ମନକୁ ଆସୁଥିଲା ତାଙ୍କର.କଥାଟି ଥିଲା ଏମିତି କି ଜୈନିକ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ଯେବେ ପଚାରିଥିଲେ ସ୍ୱାମୀ ସ୍ତ୍ରୀ ଜନ୍ମ ଜନ୍ମାନ୍ତର ସାଥି ବା ସାତଜନ୍ମର ସାଥି ବୋଲି କୁହନ୍ତି. ହେଲେ କେମିତି ଜାଣିବ ଏଇଟା କେତେତମ ଜନ୍ମ ବୋଲି ତ ସେହି ସ୍ୱାମୀ ଚଟାପଟ ଉତ୍ତର ଦେଲେ ଆରେ ଏଇଟା ତ ଭାରି ସହଜ କଥା. ଯେତେବେଳେ ସ୍ତ୍ରୀ ସ୍ୱାମୀଙ୍କୁ କହୁଥିବେ ଏ ଜନ୍ମରେ ତୁମକୁ ଚିହ୍ନି ହେଲାନି ତ ଜାଣିବ ପ୍ରଥମ ନହେଲେ ଦ୍ୱିତୀୟ ଜନ୍ମର ସାଥି ହୋଇଥିବେ ଦୁହେଁ ଦୁହିଁଙ୍କର ଆଉ ଯଦି ସ୍ତ୍ରୀ କହୁଥିବେ କେତେ ଜନ୍ମ ଗଲେ ବି ତୁମକୁ ଚିହ୍ନିବା ସହଜ ନୁହେଁ ତେବେ ଜାଣିବ ଯେ ଏଇଟା ନିଶ୍ଚୟ ସାତଜନ୍ମର ବନ୍ଧନ. ଏ କଥା ଶୁଣି ସିନା ହସ ଲାଗେ କିନ୍ତୁ ପରବର୍ତ୍ତୀ ସମୟରେ କେତେକାଂଶରେ ସତ ପରି ମନେହୁଏ ଭାବି ସ୍ୱାମୀ ବିକାଶଙ୍କ ଫେରିବାକୁ ଚାହିଁ ଭାବୁଥାଆନ୍ତି ଆନି ଆଜି ପଚାରିବେ ସ୍ୱାମୀ ବିକାଶଙ୍କୁ ବୋଲି ଭାବି ଚାଲିଥାନ୍ତି.
ସତକୁ ସତ ସେଦିନ ମନର କଥାଟି ପଚାରି ବ୍ୟସ୍ତ ବିବ୍ରତ ବୋଧ କରୁଥିଲେ ଆନି ଯେ ଛାଇ ମତେ ଡରାଉଛ, ଭାରି ଭୟ ହେଉଛି ମତେ. କେଵେ ବିଲେଇ ପରି କେଵେ କୁକୁର ପରି ତ କେଵେ ପକ୍ଷୀ ପରି ଦେଖାଯାଉଛି ତ ଭାବୁଛି ପୂର୍ବ ଜନ୍ମ ମାନଙ୍କରେ ନିଶ୍ଚୟ ବିଲେଇ, କୁକୁର କି ପକ୍ଷୀ ରୂପରେ ଜନ୍ମ ଗ୍ରହଣ କରି କାହାର କିଛି ଅନିଷ୍ଟ କରି ପାପ କରିଥିବା ପରି ମନେ ହେଉଛି ତ ସ୍ୱାମୀ ହିସାବରେ ତୁମେ ତ ମୋର ପ୍ରତ୍ୟେକ ଜନ୍ମ ରେ ସାତଜନ୍ମ ର ସାଥି ବା ପରମ ମିତ୍ର ରୂପେ ଥିବ ନିଶ୍ଚୟ ପାଖେ ପାଖେ . କହିପାରିବ କି ଏହାର ଗୋଟେ ସ୍ଥୁଳ ବା ସୁକ୍ଷ୍ମ କାରଣ!ତ ବିକାଶ କହିଲେ ଦେଖ ସବୁଜନ୍ମରେ ତୁମ ସ୍ୱାମୀ ଥିଲି କି ନଥିଲି କହିପାରିବିନି କିନ୍ତୁ ଏ ଜନ୍ମରେ ନିଶ୍ଚୟ ତୁମେ ବିଲେଇ, କୁକୁର ଓ ପକ୍ଷୀ ରୂପେ ଉପରକୁ ନିରୀହ ଦେଖାଯାଉଥିଲେ ମଧ୍ୟ ଭିତରେ କାହା ପ୍ରତି ହିଂସାତ୍ମକ କାମ କରିଛ ତେଣୁ ନିଜେ ନିଜର ଛାଇକୁ ଡ଼ରୁଛ. ଏହି ଉତ୍ତର ଶୁଣିବା ପର ଠାରୁ ଆନି ଆଉ ସ୍ୱାମୀ ବିକାଶଙ୍କୁ କିଛି ପ୍ରଶ୍ନ ପଚାରିନଥିଲେ କାରଣ ଶାଶୁଙ୍କ କଥା ତାଙ୍କର ଖୁବ ମନେ ପଡୁଥିଲା. ଆନିଙ୍କର ମନେପଡୁଥିଲା ସେ ଯେବେ ବିକାଶଙ୍କ ଭଲପାଇବାକୁ ଠୋକର ଦେଇ, ବିକାଶଙ୍କର ଗୋଟେ କମ୍ପାନୀରୁ ଛଟେଇ ହେବା ଖବର ଶୁଣିବା ପରେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଅନ୍ୟକୁ ବିବାହ କରିଯାଇଥିଲେ ସେତେବେଳେ ମଧ୍ୟ ଭାଗ୍ୟ ଫଳଇ ସର୍ବତ୍ର ଅବଶ୍ୟ ନ୍ୟାୟରେ ପରେ ଯେବେ ଆନି ଚାକିରୀ କରୁଥିବା କମ୍ପାନୀରେ ହିଁ ବିକାଶ ଜଏନ କରିଥିଲେ ଏମ ଡି ହିସାବରେ ତ ଆନି ସେତେବେଳେ ବିଧବା ହୋଇସାରିଥିଲେ. ବିକାଶଙ୍କ ପ୍ରଥମ ପ୍ରେମକୁ ଫେରାଇଦେବାକୁ ଯାଇ ଶାଶୁ ସୀତାଦେବୀଙ୍କ ମଧ୍ୟସ୍ଥିରେ ସେ ପୁଣି ହାତ ଧରିଥିଲେ ବିକାଶଙ୍କର କିନ୍ତୁ ଶାଶୁ ରୋଗୀଣା ହେବା ପରେ ତାଙ୍କ ସେବା ଶୁଶ୍ରୁଷା ପାଇଁ ତାଙ୍କୁ ଚାକିରୀ ଛାଡିବାକୁ ପଡିଥିବାରୁ ସେ ଶାଶୁଙ୍କୁ ନେଇ ଅନାଥଆଶ୍ରମରେ ରଖିବା କଣ ଉଚିତ ଥିଲା. ବିକାଶ ଙ୍କ ଉତ୍ତର ପରି ସେ ଏହି ଜନ୍ମରେ ବିଲେଇ, କୁକୁର ଓ ପକ୍ଷୀଙ୍କ ଭିତରେ ଥିବା ହିଂସାତ୍ମକ ଆଚରଣ ଅନୁସରଣ କରିନାହାଁନ୍ତି କି?ସେହିଦିନ ସନ୍ଧ୍ୟାରେ ସେ ନିଜେ ଯାଇ ଶାଶୁଙ୍କୁ ଫେରେଇ ଆଣିଥିଲେ ଘରକୁ. ଆଶ୍ଚର୍ଯ୍ୟ କଥା ସେବେଠାରୁ ବିକୃତ ଛାଇ ସବୁ ପରିବର୍ତ୍ତେ ନିଜ ଛାଇ ହିଁ ତାଙ୍କର ସବୁଠୁ ନିଜର ହୋଇଯାଇଥିଲା. ଅଫିସ ଛୁଟିପରେ ଘରକୁ ଆସିଥିବା ସ୍ୱାମୀ ଯେବେ ଘରକୁ ଫେରି ଆସି ଘରେ ମାଆକୁ ଦେଖି ପଚାରିଥିଲେ ତ ଆନି କହିଥିଲେ ମାଆ ଏବେ ଆଗ ଅପେକ୍ଷା ଖୁବ ସୁସ୍ଥ ଥିବାରୁ ଆଶ୍ରମ ଅପେକ୍ଷା ଘର ତାଙ୍କର ଉପଯୁକ୍ତ ରହିବା ସ୍ଥାନ ବୋଲି ମନେହେଲା ବୋଲି ମାଆଙ୍କୁ ନେଇଆସିଛି . ବିକାଶ କିନ୍ତୁ ଆନିଙ୍କ ଛାଇ ଉପରେ ତର୍ଜ୍ଜମା କରି ଥେସିସ ଲେଖିବାରେ ଆନିଙ୍କ ସାହାଯ୍ୟ ସହଯୋଗ ମାଗୁଥିଲେ କାରଣ ଡିଜିଟାଲ ଯୁଗରେ ଏସବୁର ଆବଶ୍ୟକତା ରହିଛି କହି ବିକାଶ ବୁଝେଇଦେଇଥିଲେ ନିଜ ଛାଇ ନିଜ ଚରିତ୍ର ବିଷୟରେ କୁଆଡେ ଶହେରୁ ଶହେ ନହେଲେ ମଧ୍ୟ ଅନେକାଂଶ ରେ ସତ କହେ. ଏଣିକି ଛାଇ ଅପଲୋଡ଼ କରି କାଳେ ମଣିଷର ଚରିତ୍ର ଜାଣିହେବ କିନ୍ତୁ ସେହି ଆପ ର ନାମକରଣ ପରେ କରାଯିବ ବୋଲି ଶୁଣିବାକୁ ମିଳୁଛି. ଆନି କହୁଥିଲେ ଖୁବ ଭଲ,ଯାଏ ସେଆଡେ଼ ମାଆ ମତେ ଖୋଜୁଥିବେ ତ ବିକାଶ ହସୁଥିଲେ କାରଣ ତାଙ୍କର ମନେପଡୁଥିଲା ସେଦିନର କଥା
ଘର ଦେଖି ବର ଦେଖି କନ୍ୟା ପକ୍ଷ ଗଲେଣି ପନ୍ଦର ଦିନ ହେଲାଣି କିନ୍ତୁ କିଛି ଖବର ଆସିନି ତ ଜେଜେ ନୀଳମାଧବ କପାଳ ମନ୍ଦ କହି କର କଚାଡି ହେଉଥିଲେ ଆଉ କହୁଥିଲେ ସତେ କି ଏ ଭାଗ୍ୟ ହେବ.... ନାତୁଣୀ ବୋହୁ ଏ ନେତ୍ର ଦେଖିବ.. ହେ ରାଧାମାଧବ... କେଵେ ଜୀଵନ ନିଶ୍ଚୟ ଯିବ ହେ ରାଧାମାଧବ. ବାପାଙ୍କ କଥା ଶୁଣି ପତିତପାବନବାବୁ ଆଖିରୁ ଦୁଇଟୋପା ଲୁହ ନିଗାଡି ପକେଇଲେ. ସତେତ ବାପା ନୀଳମାଧବ ଆଉ କେତେଟା ଦିନ!ପାଚିଲା ପତର, କୋଉଦିନ କୋଉକଥା. ଖାଲି ବୋଉ ତାଙ୍କର ତାଙ୍କୁ ଜନ୍ମ କରି ବାପାଙ୍କ ହାତରେ ଦେଇ ଯାଇଛି ବୋଲି ସମସ୍ତେ କହନ୍ତି ତୁମେ କପାଳିଆ ନୀଳମାଧବ ପତିତପାବନ ପରି ପୁଅ ଧରେଇ ଆୟୁଷତକ ଦେଇ ବସେଇ ଦେଇ ଯାଇଛନ୍ତି ତୁମ ସ୍ତ୍ରୀ କମଳା. ଚାରିକୋଡ଼ି ଦଶ ହେଲାଣି ତୁମକୁ ଗୋଡ଼ ଉପରେ ଗୋଡ଼ ପକେଇ ବସିଛ.ନୀଳମାଧଵ ଙ୍କ ପୁଅ ପତିତପାବନଙ୍କର ମଧ୍ୟ ସେଇ ଦଶା କେତେବେଳେ ଯେ ଆସିଯିବ କିଏ କହିବ!ପୁଅ ବିକାଶକୁ କୋଳରେ ଧରେଇ ଦେଇ ଆଖି ମୁଜିଦେଇନାଁହାଁନ୍ତି ସିନା ସୀତା, ହେଲେ ବଡ଼ଭାଗ୍ୟ ଯେ ସେ ବି ତିନିକୋଡ଼ି ଉପରେ ଦେଖିସାରିଲେଣି ବୟସ ର ଗଛକୁ କିନ୍ତୁ ବାପା ଓ ପୁଅ ଦୁହିଁଙ୍କର ଇଛା ନାତୁଣୀ ବୋହୁ ବା ବୋହୁ ଦେଖିବେ କିନ୍ତୁ ଯୋଉ କଥାଟା ଏଯାଏଁ ତାଙ୍କ ପାଇଁ ଶୁଭଙ୍କର ହୋଇଥିଲା ସେଇ କଥାଟା ବୁମେରାଙ୍ଗ ପରି ଲୋକଙ୍କ ତୁଣ୍ଡରେ ବାଜୁଛି ପ୍ରତିକୂଳ ହୋଇ ଯେ ଏଘରକୁ କିଏ ଝିଅ ଦେବ ଲୋ ମାଆ. ନିଜେ ବଞ୍ଚିଲେ ସିନା ବାପାର ନାଆଁ. ଯୋଉ କନିଆଁ ଆସିବ ସେ କଣ ତିଷ୍ଠିବ ଏ ଘରେ!କିଏ କହିବ ବିକାଶ ପୁଣି ପ୍ରେମରେ ନପଡିବ! କଥାଟା ଝିଅ ଘର କାନରେ ପଡେ ତ ପୁଅ ପାଇଁ ଆସୁଥିବା ପ୍ରସ୍ତାବ ସବୁ ଭାଙ୍ଗିଯାଏ, ଠିକ ହେଉ ହେଉ.ରାତି ପାଇଲେ ବିକାଶକୁ ବି ଦି କୋଡ଼ି ପୁରିବ.ପୁରିଲା ପୁରିଲା ଘରେ ବୋହୁ ବ୍ୟତିରେକେ ଭଲ ଲାଗୁନି ତ ନବଗ୍ରହକୂଟ କାଟିବାକୁ କେତେ କୋଉଠି ମାନସିକ,ଜାଗ,ଯଜ୍ଞ କରି ପୁଣି ବାସ୍ତୁ୍ଦୋଷ ଠିକ କରିବାକୁ ଯାଇ ଘରର କେଵେ ଝରକା ଦିଗ ବଦଳୁଛି ତ କେଵେ କବାଟ ଦିଗ ପୁଣି କେଵେ ଆଗପଟ ରଙ୍ଗ ହେଉଛି ଜୋତିଷଙ୍କ ପରାମର୍ଶ କ୍ରମେ ତ କେଵେ ଘର ଭିତରପଟ ରଙ୍ଗ ବଦଳୁଥିଲା ବାସ୍ତୁ ଅନୁଯାୟୀ.
ଏତେ ଦିନ ପରେ ଏଥର ମଧ୍ୟସ୍ଥି ଆଣିଥିବା ପ୍ରସ୍ତବାର ସୁରାକ ଯେମିତି କେହି ନପାଆନ୍ତି ତାର ସୁବନ୍ଦୋବସ୍ତ କରିଥିଲେ ବାପା ପତିତପାବନ ଓ ଜେଜେ ନୀଳମାଧଵ. ସେଦିନ ଘରର ଚକରାଣୀ କି ଆସିବାକୁ ମନା କରିଦେଇଥିଲେ ଜେଜେ. ବାପା ମଧ୍ୟ ଡାକିନଥିଲେ କୋଉ କୁଣିଆ ମଇତ୍ର କି ବନ୍ଧୁ ବାନ୍ଧବ ନିଜ ପଟରୁ . ଏମିତିକି ଘର ରଙ୍ଗ ମିସ୍ତ୍ରୀ ପକେଟରେ ଖଡ଼ଖଡିଆ ଦୁଇଟି ପାଞ୍ଚଶହ ନୋଟ ଗୁଞ୍ଜି ଦେଇ ଜେଜେ କହିଥିଲେ କୁଣିଆ ଆସୁଛନ୍ତି ବୋଲି ଯେମିତି କେହି ନଜାଣନ୍ତି. ବାପା ମଧ୍ୟ ପୁଅ ଓ ସ୍ତ୍ରୀଙ୍କୁ ତାଗିଦ କରିଥିଲେ ସାଙ୍ଗ ସୁଖ କାହାକୁ ନକହିବାକୁ. ପୁଣି ପଇଡ଼ ତୋଳିବାକୁ ଆସିଥିବା ଲୋକକୁ ମଧ୍ୟ ଦିଅଣ୍ଡା ଅଧିକା ପଇଡ଼ ସହ ଗୋଟେ ପାଞ୍ଚଶହ ନୋଟ ଦେଇ କହିଥିଲେ ଆରେ ବାପା ଏଠି ପ୍ରାୟ କଥାଟା ଆଗେଇଛି ବୋଲି କାହାକୁ ଯେମିତି ନକହୁ. ସବୁତ ଠିକ ଥିଲା. ତେବେ ଝିଅ ଘର ପଟ ମଧ୍ୟସ୍ଥିକୁ ଚାହିଁ ବିକାଶର ବାପା ପତିତପାବନ ଦାଣ୍ଡ ଦୁଆରେ ଆରାମଚେୟାରରେ ଝୁଲୁଛନ୍ତି କିନ୍ତୁ ତାର ଦେଖାନାହିଁ. ଏତିକି ବେଳେ ଗାଁର ରମାନାନୀ କହିଲା ସେଦିନ କିଏ ସବୁ ତୁମ ଘରକୁ ଆସିଥିଲେ କି ପତିଆ ନନା?ଚମକି ପଡି ପତିତପାବନ କହିଲେ ସେଦିନ,ହଁ ହଁ ଘର ରଙ୍ଗ ହେବାକୁ ଡାକିଥିଲି ତ. ମୁହଁ ମୋଡି ରମାନାନୀ କହୁଥିଲା ମତେ କାହିଁ ଲୁଚାଉଛ ବା ପତିଆନନା, ଘର ରଙ୍ଗ କରିବାକୁ କଣ ଇଞ୍ଜିନିଅର ଦରକାର ପଡିଲେଣି ନା କଣ! ମୁଁ ଜାଣିଛି ଏଇଠି ବାହାଘର ନିଶ୍ଚୟ ହେବ. ଆହେ ବର ଛାଡିଦେଇଥିବା ଝିଅକୁ ଆଉ କେତେ ଦିନ ବାପା ମାଆ ଦିଟା ଘରେ ରଖିବେ!ତା ଛଡା ତୁମ ପୁଅ ବିକାଶ କୋଉ ଆଉ ଯୁବା ହୋଇ ରହିଛି ଯେ!କାନମୁଣ୍ଡା ଝାଏଁ ଝାଏଁ ହେଉଥିଲା ବେଳେ ଦୂରରୁ ମଧ୍ୟସ୍ଥି ଆସିବା ଦେଖି ମଧ୍ୟ ପତିତପାବନଙ୍କ ଆଉ ଆଗ୍ରହ ନଥିଲା.ରମାନାନୀ କହୁଥିଲା ହେଇଲୋ ଭଦ୍ରଲୋକ ଆସିଲେଣି. ଭଦ୍ରଲୋକ ବା ମଧ୍ୟସ୍ଥି କଣ କହିବ କହିବ ହୋଇ କହିବାକୁ ବସିଥିବା ବେଳେ ନୀଳମାଧବ କହୁଥିଲେ ଆରେ ଆମ ନାତି ପରା ସାହାଡା ଗଛକୁ ବାହା ହୋଇ ସାରିଛି. ପୁଅଠି ଯଦି ସାତଖୁଣ ମାଫ ଝିଅଠି କାହିଁ ଦେଖିବା!ରମାନାନୀ କହୁଥିଲା ହେଇ ଦେଖିଲ ନନା,ବୁଢା ମଞ୍ଜି କଥା କହିଲା. ମଧ୍ୟସ୍ଥି ସେତେବେଳକୁ ପତିତପାବନଙ୍କ ଗୋଡ଼ ଧରି ପକେଇସାରିଥିଲା.ଝିଅ ଘର ପଟୁ ପ୍ରସ୍ତାବ ଭାଙ୍ଗିଯାଇଥିଲା ସିନା ହେଲେ ସୀତାଦେବୀ ପୁଅର ପୁରୁଣା ପ୍ରେମିକା ଆନିକୁ ବୋହୁ କରି ଆଣିବା ପରେ ପରେ ଶଶୁର ନୀଳମାଧବ ଓ ପରେ ସ୍ୱାମୀ ପତିତପାବନ, ବାପା ଓ ପୁଅ ଦୁହେଁ ଆଗପଛ ହୋଇ ସେଇ ଅଫେରା ରାଇଜକୁ ଯାଇ ଆକାଶର ତାରା ହୋଇଗଲେ.ତ ସୀତା ବାୟାଣୀ ପରି ହେଉଥିଲେ. ଆନି ଚାକିରୀ ଛାଡି ମାଆଙ୍କ ସେବା ପାଇଁ ବିକାଶ ନିର୍ଦ୍ଦେଶରେ ଘରକୁ ଆସିଲା ସତ ହେଲେ ସୀତାଦେବୀ ଙ୍କୁ ଆଶ୍ରମରେ ଛାଡ଼ିବା କଥାଟା ରମାନାନୀ ଦ୍ୱାରା ତୁଣ୍ଡ ବାଇଦ ସହସ୍ର କୋଶ ପରି ବାଜୁଥିଲା ଗାଁ ଟା ସାରା.
ବେଳେ ଆନିଙ୍କୁ ଛାଇର ଛନକା ଡରେଇ ଚାଲିଥିଲା.ଆଜି ଶାଶୁ ଓ ସ୍ୱାମୀଙ୍କ ହାତକୁ ସକାଳ ଚା କପ ବଢ଼େଇ ଆନି ଅନୁଭବ କରୁଥିଲେ କି ଛାଇଟା କେବଳ ତାଙ୍କ ନିଜର. ଏତେଦିନ ଯାଏଁ ସେ ବେକାରଟାରେ ଡରୁଥିଲେ. ବିକାଶ କହୁଥିଲେ ସକାଳୁ ସକାଳୁ ଏମିତି କପେ ଗରମ ଚାରେ ଆପାୟିତ କରି ଚାଲିଥିବା ସ୍ତ୍ରୀ କେତେଜଣଙ୍କ ଭାଗ୍ୟରେ ଥାଏ. ଶାଶୁମଧ୍ୟ କହୁଥିଲେ ମୁଁ ଜାଣିଥିଲି ଆନି ସୁନାବୋହୁ ଅଟେ.
