STORYMIRROR

Sunanda Mohanty

Children Stories Classics Inspirational

4  

Sunanda Mohanty

Children Stories Classics Inspirational

ସୁନା ପୁଅ ରିଙ୍କୁ

ସୁନା ପୁଅ ରିଙ୍କୁ

6 mins
0

ମାଆ ମେଘା ତରବରରେ ସ୍କୁଲ ବାହାରୁଥିବା ବେଳେ ଠାକୁରଙ୍କ ଭୋଗ ପୂଜା ପାଇଁ ସେଓ କାଟିବାକୁ ଛୁରୀ ଖୋଜି ଖୋଜି ବେଦମ ଓ ନାକେଦମ ହେଲା ପରେ ସେଇ ପିତ୍ତଳ ଥାଳିରେ ସେଓ କାଟି,ଥାଳିମାନଙ୍କରେ ଭୋଗ ବାଢି, ଆଉ ଖଣ୍ଡେ ଟୁକୁରା ଧରି ତୁଳସୀ ପୂଜା ତଥା ଚଉରା ପୂଜା କରିବାକୁ ଛାତ ଉପରକୁ ଚଢିଲେ ମେଘା. ପୂଜା ସାରି ଧଡ଼ପଡ଼ ହୋଇ ତଳକୁ ଆସି ପୁଣି ଯାବତୀୟ କାମ ସାରୁ ସାରୁ ଦେଖିଲେ ପୂଜା ଥାଳିରେ ଭୋଗ ସେଓ ଗାଏବ. ଏତେ ଚଞ୍ଚଳ ଭୋଗ ଥାଳିରୁ କିଏ ନେଲା ଭୋଗ ଭାବି ଡାକ ଛାଡିଲେ ପୁଅକୁ, ଆ ଶୀଘ୍ର ଖାଇଲେ ସ୍କୁଲ ଯିବା. ତତେ ବାଟରେ ଛାଡ଼ି ମୁଁ ପୁଣି ମୋ ସ୍କୁଲରେ ପ୍ରାର୍ଥନା କ୍ଲାସରେ ଯୋଗ ଦେବି ଯେ.
     ପୁଅ ରିଙ୍କୁ ଏତେବେଳେ ଛାତ ଉପରୁ ଓଲ୍ହେଇବା ଦେଖି ଆଶ୍ଚର୍ଯ୍ୟ ହୋଇ ମେଘା ପଚାରିଲେ, ଛାତ ଉପରେ ଏତେବେଳେ କଣ କରୁଥିଲୁ ରିଙ୍କୁ?? ମୁଁ ତୋ ଡ୍ରେସ ୱାସିଂ ମେସିନରେ ପକାଇ ଧୋଇ ଧାଇ ଶୁଖାଇ ଦେଇଛି. ନାଇଁ ମାଆ ଗାଧେଇ ସାରି ତୁମେ କହିବା ଅନୁଯାୟୀ ସୂର୍ଯ୍ୟଙ୍କୁ ନମସ୍କାର କରି ଖରା ଖାଉଥିଲି ତ ସେଇଥିପାଇଁ ଯାଇଥିଲି . ହଉ ହଉ ଆସେ, ଡେରି ହେଲାଣି କହି ବାହାରିଗଲେ ମାଆ ପୁଅ ସ୍କୁଲ.ଫେରିଲା ବେଳେ ମେଘା ସ୍ୱାମୀଙ୍କୁ ଫୋନ କରି କହିଲେ ଛୁରୀଟିଏ ଆଣିବ ଆଜି ଘରକୁ ଫେରିଲା ବେଳେ ? ଏତେ ଛୁରୀ ଥାଉ ଥାଉ ନିଅଣ୍ଟ ପଡିଲା ଛୁରୀ? ଆରେ ସେଗୁଡା ସବୁ ବ୍ୟବହୃତ. ପିଆଜ, ପରିବା, ଶାଗ ସହ ତେଲ, ଲୁଣ, ଜୀରା ହଳଦୀ ପ୍ୟାକେଟ ସବୁ ଖୋଲାଯାଏ ସେଥିରେ. ସେଇ ଗୋଟେ ଅଲଗା ଛୁରୀ ଠାକୁର ଘରେ ଥାଏ ଯେ କାହିଁ ମିଳୁନି ତ, ସେଇଥିପାଇଁ. ଏଁ ମିଳୁନି ମାନେ?? ଛୁରୀ ଭଳି ଜିନିଷ ନମିଳିବା ଜମା ଭଲ କଥା ନୁହେଁ. ରିଙ୍କୁ ଛୋଟ ପିଲା. ତା ହାତରେ ପଡିଲେ କଣ ଅବସ୍ଥା ହେବ. ସ୍ୱାମୀଙ୍କ ତାଗିଦା ରେ ମାଆ ମେଘା ଯେବେ ପୁଅକୁ ପଚାରିଲେ ଛୁରୀ କଥା ସେ ଏକଦମ ଜାଣେନି ବୋଲି କହିଦେଲା. ଆଛା ଭୋଗ ଥାଳି ଭିତରୁ ଆପୁଲ ନେଇଥିଲୁ କି ଆଜି ତୁ?? ଛୁରୀ ଲଗାଇ କାଟି କୋଉଠି ରଖିଥିବୁ ଯଦି ଛୁରୀ?? ନା ନା ମାଆ, ଛୋଟ ଛୋଟ ଖଣ୍ଡ ଖଣ୍ଡ ସେଓ ଭୋଗ ଖାଇଲା ବେଳେ ଛୁରୀ କଣ ହେବ?? ସେଦିନର କଥା ଭୁଲିଗଲେ ମେଘା. ନୂଆ ଛୁରୀ ମଧ୍ୟ ଆସିଯାଇଥିଲା.
   ଦୁର୍ଗା ପୂଜା ଛୁଟି ଆସିଯାଆଇଥାଏ. ଦଶହରାରେ ସଜ ପ୍ରସ୍ତୁତ କଲାବେଳେ ବହି,ଖାତା,ପେନ,ପେନସିଲ, ତାଳପତ୍ର, ଲେଖନୀ କଟୁରୀ ଇତ୍ୟାଦି ସହ ଛୁରୀ ଥୋଇଲା ବେଳେ ମନେପଡୁଥିଲା ହଜି ଯାଇଥିବା ଛୁରୀ କଥା. ପୂଜା ସାରିବା ପରେ ନିୟମିତ ପୂଜା ପାଇଁ ଛାତକୁ ଯାଇ ତୁଳସୀ ଦେବୀ ଓ ସୂର୍ଯ୍ୟଦେବଙ୍କୁ ପୂଜା କରିବା ସମୟରେ ଦେଖିଲେ ମେଘା ସେଇ ଛୁରୀଟିକୁ. ଡାକିଲେ ରିଙ୍କୁକୁ. ଦେଖେତ ବାବା, ଛୁରୀଟା ଏଇଠି ପଡିଛି କେମିତି? କାହିଁକି କେଜାଣି ମେଘାଙ୍କର ହୃଦବୋଧ ହେଲା ରିଙ୍କୁ ନିଶ୍ଚୟ ଛୁରୀଟିକୁ ଏଇଠି ପକାଇଛି. ସେଦିନ ସନ୍ଧ୍ୟାରେ ସଜ ଉଠେଇବା ବେଳେ ପୁଅକୁ କୋଳରେ ବସାଇ ଗଣେଷ ଦେବତାଙ୍କ ଜନ୍ମ ବେଳ କଥା କହି ଚାଲିଥାନ୍ତି ମେଘା. ମାତୃ ଭକ୍ତିର ପରାକାଷ୍ଠା ଦେଖାଇବାକୁ ଯାଇ ଗଣେଷ ତାଙ୍କ ନିଜ ମୁଣ୍ଡ ପିତା ଶିବଙ୍କ କ୍ରୋଧ ଦ୍ୱାରା ହରାଇ ଥିବା କଥା ଓ ପରେ ମାତାଙ୍କ କାକୁତି ମିନତି ଫଳରେ, ହାତୀର କଟାମୁଣ୍ଡ ଲାଗିବା କଥା ଇତ୍ୟାଦି ଶୁଣି ରିଙ୍କୁ ଆଖିରେ ଲୁହ ଆସିଯାଇଥିଲା.ତା ମନୋଭାବ ଜାଣି ରାତିରେ ମାଆ ମେଘା ରିଙ୍କୁକୁ, ଗାନ୍ଧୀଙ୍କ ପିଲାଦିନ କଥା କହିଥିଲେ. ପିଲାଦିନେ ସେ ଥରେ ବାପାଙ୍କ ପକେଟରୁ ପଇସା ଚୋରୀ କରି ସାରିବା ପରେ ମିଛ କହି ପରେ ଅନୁତାପ କରିଥିଲେ. ଆଉ ଜୀବନରେ କେବେ ମିଛ କହିବେ ନାହିଁ ବୋଲି କହିଥିଲେ. ସେଦିନ ରିଙ୍କୁ ଶୋଇ ପଡିଲା ସତ କିନ୍ତୁ ତା ଆରଦିନ ମା ପୂଜା ସାରିବା ପରେ ଭୋଗ ସେଓ ଖଣ୍ଡେ ଧରି ଉପରକୁ ଯିବା ଦେଖି ମାଆ ତା ପଛେ ପଛେ ଯାଇ ଦେଖିଥିଲେ ପୁଅ ରିଙ୍କୁ ସେହି ଛୁରୀ ସାହାଯ୍ୟରେ ଭୋଗ ସେଓ ଖଣ୍ଡକୁ ଛୋଟ ଛୋଟ କରି କାଟି, ପକ୍ଷୀମାନଙ୍କୁ ଖାଇବାକୁ ଦେଉଛି. ସେ ସୁନ୍ଦର ଦୃଶ୍ୟରେ ବିମୋହିତ ହୋଇ ମେଘା କାନ୍ଦି ପକେଇଥିଲେ. ପୁଅ ମଧ୍ୟ ମାଆଙ୍କୁ କୁଣ୍ଢେଇ ପକେଇ କହୁଥିଲା ଆଉ କେବେ ମିଛ କହିବିନାହିଁ ମାଆ.
    ଛାତ ଉପରେ ବସି ମେଘା ଭାବୁଥାଆନ୍ତି ପୁଅ ରିଙ୍କୁ କଥା. ଛୋଟ ପିଲାଟା.ଭଲ କାମ କରୁଥିଲେ ବି ଡରି ଯାଇ ମିଛ କହିଥିଲା. ସବୁଦିନ ଭୋଗ ଥାଳିରୁ କଟା ସେଓ ଖଣ୍ଡ ଆଣି ଛୁରୀରେ କାଟି ଟିକି ଟିକି କରି ପକ୍ଷୀମାନଙ୍କୁ ଖୁଆଉଥିଲେ ମଧ୍ୟ, ଛୁରୀ ନେଇଥିବା ଯୋଗୁଁ ବୋଧହୁଏ ମିଛ କହିଥିଲା ରିଙ୍କୁ ବୋଲି ଭାବୁଥାଆନ୍ତି ମାଆ ମେଘା. ଏଇ ସମୟରେ ଆଖିରେ ପଡିଲେ କିଚିରି ମିଚିରି ହୋଇ ସବୁଦିନ ଭୋଗ ଖାଉଥିବା ପକ୍ଷୀମାନେ ଖୋଜୁଛନ୍ତି ରିଙ୍କୁକୁ ଯେମିତି. ମାଆ ଡାକିଲେ ପୁଅକୁ, ଆଉ କହିଥିଲେ ପୂର୍ବ ଭଳି ଭୋଗ ଥାଳିରୁ କଟା ସେଓ ଖଣ୍ଡ ଆଣି ସେହି ଛୁରୀରେ କାଟି ପକ୍ଷୀମାନଙ୍କୁ ଦେବାକୁ. ରିଙ୍କୁ ଖୁସି ହୋଇ ସେମିତି କରୁ କରୁ, ହାତଟି କାଟିଦେଲା ଛୁରୀରେ. ଫାଷ୍ଟଏଡ଼ ବକ୍ସ ଆଣି ରିଙ୍କୁ ହାତକୁ ଡେଟଲରେ ଧୋଇ ବେଟାଡାଇନ ଔଷଧ ଲଗେଇ ବ୍ୟାଣ୍ଡେଜ କରିବା ବେଳେ ପୁଅ ମୁଣ୍ଡ ସାଉଁଳେଇ ମେଘା କହୁଥିଲେ ଏଇଥିପାଇଁ ତତେ ଛୁରୀ ଦେବାକୁ ଡରୁ ଆମେ ବାପା ମାଆ ଦିଇଟା. ତୁ କିନ୍ତୁ ଲୁଚି ଲୁଚି ଭୋଗ ସେଓକୁ ଛୁରୀରେ ଟିକି ଟିକି କରି କାଟି ଆଜିଯାଏଁ ନିର୍ଭୟରେ ଦେଇ ଆସୁଥିଲୁ ପକ୍ଷୀମାନଙ୍କୁ . ଆଜି ମୋ ଉପସ୍ଥିତିରେ ଡରି ଯିବା ଫଳରେ ତୋ ହାତ କଟିଗଲା ପୁଅ. ତେଣୁ କୌଣସି କାମ କରିବାରେ କେବେ ଡରି ଯିବୁ ନାହିଁ ଧନ. ଭଲ କାମ କରିବାକୁ ପିତା ମାତାଙ୍କୁ ଲୁଚେଇବୁ ନାହିଁ ବରଂ ଆଶୀର୍ବାଦ ନେବୁ. ଡର ଛାଡ଼ି ନିର୍ଭିକ ଭାବରେ, ଗଣେଷ ଭଗବାନ ଓ ଗୁରୁଙ୍କ ଆଶୀର୍ବାଦ ନେଇ ଭଲ କାମ କଲେ, କାର୍ଯ୍ୟ ସଫଳ ହେବା ସହ ପ୍ରଶଂସା, ସୁନାମ ଆଣି ନିଜ ପରିବାର ନାମ ରଖୁ ରଖୁ, ନିଜ ଅଞ୍ଚଳ,ରାଜ୍ୟ ତଥା ଦେଶର ନାମ ରଖିପାରିବୁ.ସେହିଦିନୁ ରିଙ୍କୁ ସକାଳୁ ଉଠି ପିତା ମାତାଙ୍କୁ ପ୍ରଣାମ କରୁଥିଲା. କହୁଥିଲା ପିତା ମାତା ହିଁ ତାର ପ୍ରଥମ ଗୁରୁ. ତା ପରେ ସ୍କୁଲକୁ ଗଲା ପରେ କ୍ଲାସ ହେବା ପୂର୍ବରୁ କମନ ରୁମକୁ ଯାଇ ପ୍ରତ୍ୟେକ ଗୁରୁଙ୍କୁ ମୁଣ୍ଡିଆ ମାରିବା ସହ ବଡ଼ ବଡ଼ ଗୁରୁଜନମାନଙ୍କୁ ମଧ୍ୟ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରୁଥିଲା.ରିଙ୍କୁର ଏସବୁ ଭଲ ଗୁଣ ଓ କାମ ଦେଖି ଖୁସି ହୋଇଥିଲେ ମାଆ ମେଘା.
     ମାଆ ଏଣିକି ଲକ୍ଷ କଲେ ପୁଅ, ସେଇ ହଜିଯାଇଥିବା ଛୁରୀରେ ଫଳ ଖଣ୍ଡ ଗୁଡିକୁ ଛୋଟ ଛୋଟ କରି ପକ୍ଷୀମାନଙ୍କୁ ଖୁଆଇବା ଭିତରେ, ଜାତି ଜାତି ପକ୍ଷୀଙ୍କ ମଧ୍ୟରେ ଗୋଟେ ଚିକ୍କଣ କାଉ ମଧ୍ୟ ଆସୁଥିଲା. ପୁଅ କାଉକୁ ଘଉଡ଼େଇ ଦେବା ଫଳରେ କାଉଟି ଟିକେ ଦୂରରେ ମନମାରି ବସିରହି ଉଡି ଯାଉଥିଲା. ପୁଅ ମନରୁ କାଉ ପ୍ରତି ଥିବା ଘୃଣା ଭାବ ତ୍ୟାଗ କରିବାକୁ ଯାଇ ମାଆ ଗାନ୍ଧୀଙ୍କ ସେଵା, ଆଦର୍ଶ ନୀତି ସହିତ ସେ କିପରି ଦରିଦ୍ର, ଦୁଃଖୀ, ଅସହାୟ ଓ ରୋଗୀମାନଙ୍କ ସେଵା କରୁଥିଲେ, ସେକଥା କହିଥିଲେ. ତା ପରେ ଆମେ ଭାରତୀୟ ମାନେ କଳା ହୋଇଥିବାରୁ ଇଂରେଜମାନେ କିପରି ଆମରି ଦେଶରେ ରହି ଆମକୁ ଶାସନ କରି, ଆମରି ଦେଶରୁ ବସ୍ତ୍ର ଶିଳ୍ପ ପାଇଁ କଞ୍ଚାମାଲ ତାଙ୍କ ଦେଶକୁ ବୋହି ନେଇ ପୁଣି ଆମରି ଦେଶରେ ସେସବୁ ବିକ୍ରିକରି, ଆମକୁ ଶୋଷଣ କରୁଥିଲେ ସେକଥା ସବୁ କହିବା ସହ ଇଂରେଜମାନେ,କଳା ଲୋକ କହି ଆମ ଭାରତୀୟ ମାନଙ୍କୁ ଘୃଣା କରିବା ସହ ଅପମାନିତ ଓ ଅସମ୍ମାନିତ କରୁଥିଲେ, ସେକଥା ମଧ୍ୟ କହିଥିଲେ . ଗାନ୍ଧିଜୀ ଏହାର ଦୃଢ଼ ପ୍ରତିବାଦ କରି ଅହିଂସା ଆନ୍ଦୋଳନ ଚଳାଇ କଳା ଗୋରା ଭେଦଭାବ ଦୂର କରିବା ସହ ଆମ ଦେଶକୁ ସ୍ବାଧୀନତା ଆଣି ଦେଇଥିଲେ. ଭଗବାନ ସୃଷ୍ଟି ଆରମ୍ଭ କଲା ବେଳେ ସମସ୍ତଙ୍କୁ କିଛି ଭିର୍ନ୍ନ ଭିର୍ନ୍ନ ରଙ୍ଗ ଦେବା ସହ ଭିର୍ନ୍ନ ଭିର୍ନ୍ନ ପ୍ରତିଭା ମଧ୍ୟ ଦେଇଛନ୍ତି. କାଉ କଳା ହେଲେ ମଧ୍ୟ ପରିବେଶ ପରିସ୍କାର କରିଥାଏ. ସକାଳୁ ସକାଳୁ ଶଯ୍ୟାତ୍ୟାଗ କରି ମର୍ଣ୍ଣିଙ୍ଗ ୱାକ ଓ ଯୋଗ ପ୍ରାଣାୟମ ପାଇଁ ଉଠେଇ ଦେଇଥାଏ. କେବଳ ସେତିକି ନୁହେଁ ପୁଅ, କାଉ ଗୋଟେ ଭଲ ମାଆ. ନିଜ ସନ୍ତାନ ସହ କୋଇଲିର ସନ୍ତାନମାନଙ୍କୁ ବଡ଼ କରିବାରେ ସାହାଯ୍ୟ କରିଥାଏ କାଉ. ଏଥର ରିଙ୍କୁ କାଉକୁ ଘୃଣା ନକରି ତାକୁ ଆଗ ଖାଇବାକୁ ଦିଏ. ମାଆ ପୁଅ ମନରୁ କାଉର ରଙ୍ଗ ଓ ସ୍ୱର ଯୋଗୁଁ ତା ପ୍ରତି ଥିବା ଘୃଣା ଭାବ ଦୂରେଇ ସମସ୍ତଙ୍କୁ ସମାନ ଦେଖି ସମସ୍ତଙ୍କ ଭିତରେ ଥିବା ଭିର୍ନ୍ନ ଭିର୍ନ୍ନ ପ୍ରତିଭା ଚିହ୍ନି ସେମାନଙ୍କ ପ୍ରତି ସଦୟ ହେବାକୁ, ଗାନ୍ଧିଜୀଙ୍କ ଜୀବନୀ କହି, ଶିକ୍ଷା ଦେଇ ପାରିଥିଲେ.
   ଏଣିକି ମେଘା ରଖିଥିବା ପାଣି ଢାଳରୁ କାଉଟି ପ୍ରତିଦିନ ପାଣି ପିଉଥିଲା ତ ପୁଅ ରିଙ୍କୁ ମଧ୍ୟ ମାଆଙ୍କ ଅନୁପସ୍ଥିତିରେ ସେ କାମଟି କରି ଦେଉଥିଲା. ଅନେକ ଚଢେଇ ଉଡି ଆସି ଗରମରୁ ରକ୍ଷା ପାଇବାକୁ, ପାଣି ପିଇ ନିଜର ତୃଷା ମେଣ୍ଟେଇବା ସହ ଜଳ ଦାନ ମହା ପୁଣ୍ୟ ବୋଲି ରିଙ୍କୁ ବୁଝିସାରିଥିଲା. ଦେବୀ ମାଆ ଦୁର୍ଗାଙ୍କ କରୁଣାରୁ ରିଙ୍କୁ କ୍ଲାସରେ ଫାଷ୍ଟ ହେବା ସହ ଖେଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା. ଦେବୀ ଦୁର୍ଗା ମାଆ ପ୍ରାୟ ଦଶ ପନ୍ଦର ଦିନ ଗାଁରେ ପୂଜା ପାଇ ରହିବା ପରେ ତାଙ୍କର ଭସାଣୀ ଉତ୍ସବ ପାଳନ କରାଯାଇଥିଲା. ହଜି ଯାଇଥିବା ଛୁରୀ ଆଣି ରିଙ୍କୁ ଫଳ କାଟି ଭୋଗ ପ୍ରସ୍ତୁତ କଲାବେଳେ ମାଆ ମନେପକାଉଥିଲେ ଠାକୁର ଘର ଛୁରୀ ନେଇ ପୁଅ ତାଙ୍କର ଭୋଗ ସେଓ ପକ୍ଷୀଙ୍କୁ ଏଯାଏଁ ଦେବା କଥା.ଠିକ ସେତିକି ବେଳେ ରିଙ୍କୁ କହୁଥିଲା ଗାନ୍ଧୀ ଯେମିତି ଯୋଉ କାମ ଆରମ୍ଭ କରୁଥିଲେ ପ୍ରଥମେ ତାହାର ସୁଫଳ ସାଧାରଣ ଗରୀବ ଲୋକଟିଏ ପାଇ ଉପକୃତ ହେଉ ବୋଲି ଚାଁହୁଥିଲେ ଆମେ ସେମିତି ପ୍ରସାଦ ବାଣ୍ଟି ଖାଇବା ପୂର୍ବରୁ ସବୁ ଗରୀବ ଭିକାରୀ ମାନଙ୍କୁ ଆଗ ଦେବା. ସମସ୍ତେ ରିଙ୍କୁ କଥାରେ ସହମତି ପ୍ରକାଶ କରିବା ସହ ତା ଭିତରେ ଇଶ୍ୱରୀୟ ସତ୍ତା ଅନୁଭବ କରୁଥିଲେ. ଏଥିପାଇଁ ମାଆ ଦୁର୍ଗାଙ୍କ ଆଶୀର୍ବାଦ ରିଙ୍କୁ ପାଇଁ ମ୍ୟାଜିକ ବୋତଲ ପରି କାମ ଦେଉଥିଲା ବୋଲି ମେଘାଙ୍କର ମନେ ହେଉଥିଲା.



Rate this content
Log in