ଗୋଟେ ମ୍ୟାଜକ ବୋତଲ କଥା
ଗୋଟେ ମ୍ୟାଜକ ବୋତଲ କଥା
ଆଦିକନ୍ଦ ବାବୁଙ୍କ ଟିକି ବାବା ର ପ୍ଲେ ସ୍କୁଲରେ ପୃଥିବୀ ଦିବସ ରେ କିଏ କେତେ ସୁନ୍ଦର ସୁନ୍ଦର ଲୋଗୋ କରୁଥିଲା ବେଳେ ବାବାର ମାମା ଅର୍ଥାତ ଆଦିକନ୍ଦ ଓ ସୁଭଦ୍ରାଙ୍କ ବୋହୁ ରୋଜା ତାଙ୍କ ଛୋଟ ପୁଅ ବାବା ପାଇଁ ମଧ୍ୟ ଗୋଟେ ସୁନ୍ଦର ଲୋଗୋ କରି ସ୍କୁଲ କୁ ବାହାରୁଥିବା ବେଳେ ଜେଜେ ଆଦିକନ୍ଦ ବାବୁ କହିଲେ ଆଜି ତେଇଶି ତାରିଖ. ଆମ ଏଇ ପଟେ ଇଲେକ୍ସନ ତ ବାବା ସ୍କୁଲ ଛୁଟି ଅଛି ବୋଲି ମୁଁ ବୁଝିକି ଆସିଛି.ତ ବାବାର ଆଉ ସ୍କୁଲ ଯିବା ହୋଇପାରିଲା ନାହିଁ. ସେତିକି ବେଳକୁ ଜେଜେମାଆ ସୁଭଦ୍ରା ବୋହୁ ରୋଜା କୁ କହୁଥିଲେ କି ଏଇ ଦୁଇଦିନ ତଳେ ଅକ୍ଷିତୃତୀୟା ରେ ତ କେକ ଇତ୍ୟାଦି କାଟି, ମହମବତୀ ଜାଳି ବାବାର ତିଥି ଅନୁଯାୟୀ ଜନ୍ମଦିନ ଏଇ କଲିକତା ରେ ଥିବା ନିକୋ ପାର୍କ ରେସ୍ତୁରାଣ୍ଟ ରେ ଖାଇ ପିଇ ମଜ୍ଜା କରିଛେ.ଆଜି ଟିକେ ଆମ ଓଡିଶାର ପାରମ୍ପାରିକ ଵିଧି ବିଧାନ ଅନୁସାରେ ପିଠା କ୍ଷୀରି କରି ଇଷ୍ଟ ତଥା ଷଷ୍ଠୀ ଦେବୀ ଙ୍କୁ ବନ୍ଦାପନା କରନ୍ତୁ ନାହିଁ!କଥା ମାନି ରୋଜା ପିଠା ଓ କ୍ଷୀରି ଇତ୍ୟାଦି ଫଳମୂଳ ସହ ଷଷ୍ଠୀ ଦେବୀଙ୍କୁ ବାଢିବାକୁ ପ୍ରସ୍ତୁତି ପର୍ବ ଚଳେଇ ଥିବା ବେଳେ ଆଗ ସୁଭଦ୍ରା ଓ ଆଦିକନ୍ଦ ବାବୁ ଙ୍କୁ ବଢିଆ ସର ପକା ଦୁଇ କପ ଚା ବଢ଼େଇ ହାପି ଚା ଡେ କହିଲା ବେଳେ ବାବା ନାଚୁଥିଲା ତାଳି ର ତାଳେ ତାଳେ. ସେପଟେ ଓଡିଶାରେ ଆଜି ଭୁବନେଶ୍ୱର ରେ ସୁଭଦ୍ରାଙ୍କ ସାନଭାଇ ର ବିଜେବି କଲେଜ ପାଖ ଗୋଟେ ଆପାର୍ଟମେଣ୍ଟ ର ତ୍ରିତଳ ଫ୍ଲାଟ ଘରେ ଗୃହ ପ୍ରବେଶ ହେବାର ଥାଏ. ସମସ୍ତ ଭାଇଭଉଣୀ, ଝିଆରୀ, ପୁତୁରା, ଭଣଜା,ଭାଣିଜୀ ଓ ନାତି ନାତୁଣୀ ମାନଙ୍କର ଆଜି ମିଳନ ବା ଗେଟେ ଟୁ ଗେଦର ହେବା କଥା. ସୁଭଦ୍ରା ଓ ଆଦିକନ୍ଦ ବାବୁ ତଥା ପୁଅ ସରୋଜ ଓ ବୋହୁ ରୋଜା ସହ ଟିକି ନାତି ବାବା କୁ ନେଇ ସେଠାକୁ ଯିବା କଥା ଆଜି ସୁଭଦ୍ରାଙ୍କର କିନ୍ତୁ ଓଡିଶା ଫେରିବାକୁ ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ଟ୍ରେନ ରେ ନିର୍ଦ୍ଦିଷ୍ଟ ସମୟକୁ ଟିକେଟ କଟା ସରିଥିବାରୁ ଆଉ ଆଗୁଆ ଯାଇହେଲାନି. ଗଲାବେଳେ କିନ୍ତୁ କଣ ଗୋଟେ ଗିଫ୍ଟ ନେଇ ଦେବାକୁ ସାନ ଭାଇର ଘର ସଜ୍ଜାକୁ ଇଛା କରି ସୁଭଦ୍ରା ଘରେ ଆଲୋଚନା କରିବା ପ୍ରସଙ୍ଗ ବାବା ଶୁଣିଥିଲା. ରୋଜା ପୃଥିବୀ ଦିବସ ପାଇଁ କରିଥିବା ଗ୍ଲୋଭ ଓ ବାବାର ଦୁଇପଟ ହାତର ଚିତ୍ର ସହ ଆର୍ଥ ଡେ ଲୋଗୋ ଟିକୁ ଖୁବ ସୁନ୍ଦର ଭାବେ କରିଥିବା କଥା ବାବା ଜେଜେ ଓ ଜେଜେମାଆ ଙ୍କ ଠାରୁ ଶୁଣିଥାଏ ତ ସେହି ସବୁ ଜିନିଷ କୁ ଟ୍ରାଙ୍ଗେଲ, ସ୍କୋୟାର ଓ ସର୍କଲ କହି ବାବା ତା ଟିକି ହାତରେ ଅଠା ସହ ଯାହା ଯୋଡି ଜାଡ଼ି ଦେଲା ଗୋଟେ କଣ ଗଢି ଓ ସେଇଟିକୁ କହୁଥିଲା ଗିଫ୍ଟ.ତାହା ଦେଖି ବୋହୁ କହୁଥିଲା କି ଗିଫ୍ଟ ଗଢ଼ିଛୁ ଏଇଟା ତ ଗୋଟେ ବୋତଲ ପରି ଦିଶୁଛି.ତ ଜେଜେମାଆ ସୁଭଦ୍ରା ତାଳି ଦେଇ କହୁଥିଲେ ବାଃ ମ୍ୟାଜିକ ବୋତଲ ବନେଇଛି ଆମ ନାତି. ତ ଜେଜେ ଆଦିକନ୍ଦ ବାବୁ କହୁଥିଲେ ବାବା ଆମର ବଡ଼ ହେଇଗଲା ତେବେ. ଜେଜେ ମାଆ କହିଲେ ଆହୁରି ବଡ଼ ହୋଇ ମୋ ନାତି ଡକ୍ଟର ହେବା ସହ ଚିତ୍ରଶିଳ୍ପୀ ମଧ୍ୟ ହେବ. ରୋଜା ହସି ହସି ପିଠା, କ୍ଷୀରି, ଖେଚେଡ଼ି ଓ ପୁରି ଇତ୍ୟାଦି କରି ଭୋଗ ଲଗାଉଥିଲା ଠାକୁର ଘରେ ଓ ସେତିକି ବେଳେ, ବାବା ହାତରେ ଥିବା ବୋତଲ ଆକୃତିର କାର୍ଡବୋର୍ଡ ଦେଖି ସରୋଜ ମଧ୍ୟ ଚମତ୍କୃତ ହେଉଥିଲା ପୁଅର କୃତିତ୍ୱ ନହେଉ ପଛେ ଆଇଡିଆ ଦେଖି ଓ ଭାରି ଖୁସି ହୋଇଥିଲା.
ସରୋଜ କହୁଥିଲା ତା ପିଲାଦିନେ ତାଙ୍କ ସ୍କୁଲ କୁ ଗୋଟେ ମ୍ୟାଜିକ ବାଲା ମ୍ୟାଜିକ ଶୋ ଦେଖାଇବାକୁ ଆସିଥିଲା ତ ରିସେସ ରେ ଖିଆପିଆ ସାରି ସମସ୍ତେ ରୁଣ୍ଡ ହୋଇଗଲେ ପଡିଆରେ ମ୍ୟାଜିକ ଶୋ ଦେଖିବାକୁ. ପେଣ୍ଡାଲ ଉପରୁ ମ୍ୟାଜିସିଆନ ଭାଇ ସରୋଜକୁ ଡକାଇଲେ ଷ୍ଟେଜ ଉପରକୁ ଓ ଗୋଟେ ବୋତଲ ରେ ଛେପ ପକାଇ କହିଥିଲେ ହେଡ଼ସାର ଙ୍କ ମୁଣ୍ଡରେ ଢାଳି ଦେବାକୁ ତ ସରୋଜ ମୋଟେ ରାଜି ହୋଇନଥିଲେ. ବୋତଲରେ ସେ ନିଜେ ଛେପ ପକାଇ ସାରିବା ପରେ ସେଇ ଛେପ ମିଶା ପାଣି ସହ ବୋତଲ କୁ ନେଇ କେମିତି ବଡ଼ ସାର ଙ୍କ ମୁଣ୍ଡରେ ଢାଳିବ ବୋଲି ସେହି ଦିନର ଅଷ୍ଟମ ଶ୍ରେଣୀର ଛାତ୍ର ସରୋଜ ଜମା ରାଜିନାହେବାରୁ ମ୍ୟାଜିସିଆନ ଭାଇ ବୁଝେଇଥିଲେ କି ଏଇଟା ଗୋଟେ ମ୍ୟାଜିକ ବୋତଲ ପୁଅ.ତୁମେ ତୁମ ସାର ଙ୍କ ମୁଣ୍ଡରେ ଢାଳିକି ଦେଖ ତ ଥରେ!ସରୋଜ କିନ୍ତୁ ଜମା ରାଜି ହୋଇନଥିଲା ତ ଶେଷକୁ ବାଧ୍ୟ ହୋଇ ନିଜେ ବଡ଼ ସାର ଆଦେଶ ଦେଇଥିଲେ ସରୋଜ କୁ ଯେ ତୁ ତ ଗୁଡ଼ ବୟ, ବଡ଼ଙ୍କ କଥା ମାନିବା ତୋ ପକ୍ଷେ ଉଚିତ ଅଟେ. ଏଥର ଡରି ଡରି ଓ ଥରି ଥରି ସରୋଜ ମ୍ୟାଜିସିଆନ ବାବୁ ଙ୍କ ନିର୍ଦେଶ ଓ ସାର ଙ୍କ ଆଦେଶ ଯୋଗୁଁ ସେହି ଛେପ ପକା ପାଣି ଥିବା ମ୍ୟାଜିକ ବୋତଲଟିକୁ ନେଇ ବଡ଼ସାରଙ୍କ ମୁଣ୍ଡରେ ଢାଳିଦେଲା ତ ନିଜେ ବଡ଼ ସାର ଟିକେ ଅଜଣାତ ରେ ଦ୍ଵନ୍ଦ ରେ ପଡୁଥିବା ବେଳେ ଛେପ ପାଣି ବଦଳରେ ଗୋଟେ ସୁନ୍ଦର ସତେଜ ସଜ ଫୁଲର ମାଳ ଝୁଲୁଥିଲା ବଡ଼ ସାର ଙ୍କ ବେକରେ ଓ ତାଳିରେ ପ୍ରକମ୍ପିତ ହେଉଥିଲା ସେଦିନ ସ୍କୁଲ ପ୍ରାଙ୍ଗଣ. ଆଜି ତୋ ପୁଅ ମଧ୍ୟ କେମିତି ସେହି ମ୍ୟାଜିକ ବୋତଲ ପ୍ରସ୍ତୁତ କରିଛି ଦେଖ କହି ସୁଭଦ୍ରା ନାତି କୁ ପ୍ରଗତିଶୀଳ କରେଇବାରେ ସାହାଯ୍ୟ କରିବା ସହ ଅନ୍ୟ ସମସ୍ତ ସଦସ୍ୟ ଙ୍କୁ ବାବାର ସୃଜନୀଶୀଳତା ବିଷୟରେ ଦର୍ଶାଇ ନିଜେ ଖୁବ ଆନନ୍ଦ ପାଇବା ସହ ପୁଅ ସରୋଜ କୁ ତା ସ୍କୁଲ ଜୀବନ ର ସ୍ମୃତି ମନେପକେଇ ଦେଇଥିଲେ. ଓଡିଶା ଫେରିବା ବେଳେ ସରୋଜ କିନ୍ତୁ ସତକୁ ସତ ଗୋଟେ ବଡ଼ ସୁନ୍ଦର ମ୍ୟାଜିକ ବୋତଲ କିଣିଦେଇଥିଲା ସୁଭଦ୍ରାଙ୍କୁ, ଯୋଉଟା ଭିତରେ ଉପରକୁ ଦୁଇ ନୀଳପକ୍ଷୀ ଉଡିଯାଉଥିଲେ ମଧ୍ୟ ବୋତଲ ଟିକୁ ଓଲଟାଇ ଦେଲେ ସେହି ପକ୍ଷୀ ଦୁଇଟି ହଳଦୀ ରଙ୍ଗ ସହିତ ରାବ କରୁଥିଲେ ଠିକ ହଳଦୀ ବସନ୍ତ ପରି ତ କି ଖୁସି ମାଆ ସୁଭଦ୍ରାଙ୍କର ଦେଖିବାର କଥା ଥିଲା . ସେଇଟିକୁ ଉପହାର ରୂପେ ସାନଭାଇ ନୂଆ ଫ୍ଲାଟ ଘରେ ସଜେଇବାକୁ ନେଇ ସମସ୍ତେ ଫେରିବା ବେଳେ ଭୁବନେଶ୍ୱର ରେ ଓଲ୍ହେଇଥିଲେ ସତ କିନ୍ତୁ ଗିଫ୍ଟଟିକୁ ଦେବାକୁ ବାବା ମୋଟେ ପ୍ରସ୍ତୁତ ନଥିଲା. ଠୋ ଠୋ ହସୁଥିଲେ ସମସ୍ତେ ତ ସରୋଜ ପୁଣି ହଜିଯାଉଥିଲା ତା ପଢିବା ବେଳର ମ୍ୟାଜିକ ବୋତଲ ସ୍ମୃତିରେ.
