ସଜ ଫୁଲ ଗୋଲାପ
ସଜ ଫୁଲ ଗୋଲାପ
ସଜ ଫୁଲ ଗୋଲାପ
,,,,,,,,,,,,,,,,,,,,,,,,,,,,,,,
ଅନେକ ସମ୍ଭାବନା ଭିତରୁ ବାରିପଟେ ବାକି ଆଧାକ ଜାଗାରେ ଆଧାତୋଳା ଥିବା ଘରକୁ ପୁରା କରିବା ସମ୍ଭାବନାକୁ ସମ୍ଭବ କରିବାକୁ ଜନବଳ, ଧନବଳ, ମନୋବଳ ସାଙ୍ଗକୁ ଆମ୍ବ ଗଛଟା ହଣା ହେବା ଯେ ସୁନିଶ୍ଚିନ୍ତ ଏହା ଜାଣିବା ପରେ ସମ୍ଭାବନାର ସମ୍ଭବ ସ୍ବପ୍ନଟା ଠପ ହୋଇଯାଇଥିଲା ବୃନ୍ଦାବନବାବୁଙ୍କର . ପୁଅ ଆକାଶ କହୁଥିଲା ମୋ ପିଲା ହେଲେ ଆଉ ହଳଦିବସନ୍ତଟିଏ ଉଡିବାର ଦେଖିବାକୁ ପାଇବନି କି ଏଣ୍ଡୁଅ, ଝିଟିପିଟି, ଚମ୍ପେଇନେଉଳି, ଗୁଣ୍ଡୁଚିମୂଷା ସହିତ ପ୍ରଜାପତି, କଙ୍କି ଜାତୀୟ କୀଟ ପତଙ୍ଗ ଚିହ୍ନିବାକୁ ପାଇବନି, ଯାହାସବୁ ଚିତ୍ରରେ ବହିଭିତରେ ଦେଖିବ.ମାଆ ହସନ୍ତି କୁରୁଳେଇ. ମନ ଭାଙ୍ଗିଯାଏ ବୃନ୍ଦାବନବାବୁଙ୍କର ଯେ ଆଧାତୋଳା ଘରଟାକୁ ତାଙ୍କ ଜୀଵନକାଳରେ ବୋଧେ ଉଠେଇ ହେବ ନାହିଁ. ପୁଅ ତାର ପିଲାଳିଆମିରେ କଣ କହୁଛି ତ ମାଆର ମୁଚୁକୁନ୍ଦିଆ ହସ ବାହାରୁଛି.ସେଇ ଆମ୍ବଗଛ ଦେଇ ମୂଷା, ମାଙ୍କଡ଼ ଓ ଶେଷକୁ ସାପ ପଶିଲା ତ ପୁଅ କହୁଥିଲା ବାପା ଠିକ କହୁଥିଲେ. ଗଛ କାଟିବା ଉଚିତ ନୁହେଁ ସତ କିନ୍ତୁ ଗଛ ଲଗାଇବାର ସ୍ଥିତି ଓ ସ୍ଥାନ ନିରୂପଣ ଠିକ ରହିବା ଦରକାର. ଏମିତିରେ ଗୋଟେ ଆମ୍ବ କଷି ମଧ୍ୟ ମିଳେନା. ବଉଳ ହେବାଠୁ କଷି ହୋଇ ପାଚିଲା ପର୍ଯ୍ୟନ୍ତ ମାଙ୍କଡ଼ ଦାଉ ସାଧୁଥାଆନ୍ତି ଗଛ ଉପରେ. ବୃନ୍ଦାବନବାବୁ ଓ ପୁଅ ଆକାଶ ଏଭିତରେ ବୁଝିଗଲେଣି ଗଛଟିକୁ କାଟିବା ନିହାତି ଆବଶ୍ୟକ. ନକାଟିଲେ ଏକରେ ଘର ହୋଇପାରିବ ନାହିଁ ଦୁଇରେ ପଡୋଶୀ କଳିକୁ ଏଡାଇ ହେବନାହିଁ. ପଡୋଶୀଙ୍କ ଛାତ ଉପରେ ପତ୍ର ପଡିଲେ କିମ୍ବା ଡ଼ାଳ ବଢ଼ି ଲମ୍ବିଗଲେ ପ୍ରତିବାଦ ପ୍ରତିବେଶୀଙ୍କର . ମାଙ୍କଡ଼ ଓ ସାପ ପଶୁଛନ୍ତିର ଅଭିଯୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ. ଏସବୁ ସ୍ଥିତି ଓ ପରିସ୍ଥିତି କବଳିତ ବୃନ୍ଦାବନବାବୁଙ୍କ ବହୁଦିନର ସ୍ବପ୍ନ ବାଡିପଟ ଆଧାତୋଳା ଘରଟିକୁ ପୁରା କରିବା ସମ୍ଭାବନା ପାଖେଇ ଆସୁଥାଏ ତ ସେଦିନ ଗଛ କଟାଳି ପହଞ୍ଚିଗଲେ. ଚୂଡ଼ା କଦଳୀ ନଡ଼ିଆ ଗୋଳେଇ ଖାଇ ଗଛ ଉପରକୁ ଚଢିଗଲେ ଖପ ଖାପ .
ଘରଣୀ ଅନସୂୟାଙ୍କ ଛାତିର ହୃତସ୍ପନ୍ଦନ ବହୁଥାଏ. ଏ ଗଛଟା ତାଙ୍କ ବାପାଙ୍କ ସ୍ମୃତି.ପୁରୀରୁ ସାବିତ୍ରୀ ଅମାବାସ୍ୟାରେ ତାଙ୍କ ଝିଅ ଅନସୂୟାଙ୍କ ପାଇଁ ଅଭଡ଼ା ସହିତ ଆମ୍ବ, ପଣସ ଇତ୍ୟାଦି ଫଳମୂଳ ଆଣି ଆସନ୍ତି. ସେସବୁ ଫଳ ଭିତରୁ ସେବର୍ଷ ଆଣିଥିବା ଦେଶୀ ଆମ୍ବ ଏତେ ମିଠା ଥିଲା ଯେ ଝିଅ ଅନସୂୟାଙ୍କ କଥାରେ ବାପା ଆମ୍ବ ଖାଇବା ପରେ ଟାକୁଆ ପୋତି ଦେଇଯାଇଥିଲେ ଯେ ତାହା ଆଜିଏଇ ଆମ୍ବ ଗଛ ଦ୍ରୁମ.ପୁଣି ସେଥିରେ ପ୍ରତିବର୍ଷ ସେହି ଅଧାତୋଳା ଘର କାନ୍ଥିରେ ଭଦଭଦଳିଆ ଚଢେଇ ଦମ୍ପତ୍ତି ଛୁଆ ଫୁଟେଇ ଏଇ ଆମ୍ବ ଗଛ ଡ଼ାଳରେ ଛୁଆକୁ ଖଣ୍ଡି ଉଡ଼ା ଶିଖାଉ ଶିଖାଉ ସେମାନେ ଉଡିଯାଆନ୍ତି କୋଉ ଦିଗବଳୟ ଆରପାରେ . ବାପା ତ ଆଉ ନାହାଁନ୍ତି କିନ୍ତୁ ବାପଘର ଗୋତ୍ର ଭରଦ୍ୱାଜ ହୋଇଥିବାରୁ ଏଇ ଭଦଭଦଳିଆ ଚଢେଇଙ୍କୁ ଅନସୂୟାଙ୍କ ବାପା ନିଜ ଗୋତ୍ର ଚିହ୍ନ ସ୍ୱରୂପ ରୂପେ ଭାରି ମାନିଥାଆନ୍ତି ତ ପିଲାବେଳୁ ସେ ପକ୍ଷୀ ପ୍ରତି ଅହେତୁକ ଆକର୍ଷଣ ଅନସୂୟାଙ୍କର. ବାପାଙ୍କ ପଛେ ପଛେ ତାଙ୍କ ବୋଉ ଚାଲିଯିବାର ଏ ଭିତରେ ବର୍ଷେ ଊପରେ ହେଲାଣି ତ ସେହି ପକ୍ଷୀ ଦୁହିଁଙ୍କୁ ଦେଖିଲେ ଅନସୂୟାଙ୍କୁ ଲାଗେ ସତେ ଯେମିତି ତାଙ୍କ ପିତା ମାତା ପକ୍ଷୀ ଭଦଭଦଳିଆ ରୂପରେ ଉଡି ଆସିଛନ୍ତି. ପ୍ରତିଦିନ ଲୁଚେଇ ଲୁଚେଇ ସେ ଦେଖିଯାଆନ୍ତି ପକ୍ଷୀ ଦୁହିଁଙ୍କୁ. ଅନୁସନ୍ଧାନ କରି ଆମ୍ବଗଛରେ ଠାଵ କରୁଥାନ୍ତି ପକ୍ଷୀ ଦୁହିଁଙ୍କୁ ତ ଏବେ ଆମ୍ବଗଛ ହଣା ହୋଇଗଲା ପରେ ଏସବୁ ଏକାନ୍ତ ବ୍ୟକ୍ତିଗତ କଥା ମଧ୍ୟ ସବୁଦିନ ତାଙ୍କ ଭିତରେ ଲୁପ୍ତ ହୋଇଯିବ. ଏମିତି ଭାବୁ ଭାବୁ ଖଣ୍ଡ ଖଣ୍ଡ ଆମ୍ବଡ଼ାଳ ତଳେ ପଡୁଥାଏ ହଣା ହୋଇ ତ ହଠାତ ପାଟି କରିଉଠିଲେ ବୃନ୍ଦାବନବାବୁ. ରୁହ ରୁହ ତ ହଣାଳୀଙ୍କ କାତି ସ୍ଥିର ହୋଇଗଲା. ଦଉଡିଗଲେ ମାଆ ଅନସୂୟା ଓ ପୁଅ ଆକାଶ. ଦେଖିଲେ ପକ୍ଷୀବସାଟିଏ ଖସିପଡ଼ିଛି ଆମ୍ବଡ଼ାଳ ଭିତରୁ ଓ ତା ଭିତରେ ଏକମାତ୍ର ଅଣ୍ଡାଟିଏ. ରଙ୍ଗଟି ଖୁବ ସୁନ୍ଦର.ଆକାଶ ପରି କିନ୍ତୁ ଗାଢ଼ ଆକାଶିଆ. ଠିକ ଭଦଭଦଳିଆ ପକ୍ଷୀର ପର ରଙ୍ଗ ପରି. କେତେ ସମ୍ଭାବନାର ସେ ପକ୍ଷୀ ଘର.ଦିନରାତି ଏକାକାର କରି ପକ୍ଷୀବସା କରିବା ଭଳି କଷ୍ଟ କାମ ଭିତରେ ଅଣ୍ଡା ଫୁଟି ପକ୍ଷୀ ଶାବକର ସମ୍ଭାବନା ସ୍ବପ୍ନ ଉଜାଡି ଦେଇ ଗଛକାଟିବାରୁ ବିରତି ନେଇ ଫେରିଗଲେ କଟାଳି. ଯିବା ପୂର୍ବରୁ ପକ୍ଷୀବସାଟିକୁ ଠିକ ଠାକରେ ଗଛ ଉପରେ ରଖିଦେଇ ଯାଅ ବୋଲି କହିଥିଲେ ବୃନ୍ଦାବନ ବାବୁ . ପକ୍ଷୀଙ୍କ ଛୁଆ ଫୁଟି ବାହାରିସାରିବା ପରେ ଗଛହାଣିବା କହିଥିଲେ ବୃନ୍ଦାବନବାବୁ. ସନ୍ଧ୍ୟାରେ ଗଛ ଉପରେ ଉଡି ଉଡି ଦୁଇ ଭଦଭଦଳିଆ ପକ୍ଷୀ ସନ୍ଧାନ କରୁଥିଲେ ତାଙ୍କ ସମ୍ଭାବନା ସ୍ବପ୍ନ କୁ ତ ଅନସୂୟା ଡାକି ଦେଖାଉଥିଲେ ସ୍ୱାମୀ ବୃନ୍ଦାବନ ଓ ପୁଅ ଆକାଶକୁ.କହୁଥିଲେ ଦେଖ ଦେଖ ପୁଅ ତୋ ପୁଅ ଝିଅ ହେଲେ ଭଦଭଦଳିଆ ପକ୍ଷୀ ଦେଖିବେ. ବୃନ୍ଦାବନବାବୁ ତାଙ୍କ ଘରତୋଳା ସମ୍ଭାବନାକୁ ଆମ୍ବଗଛ ପରି ଅନେକ ସମ୍ଭାବନାର ଗଛଟାକୁ ଆଉ କାଟିବେନି ବୋଲି ସ୍ଥିର କରିସାରିଥିଲେ ମନେ ମନେ ଏଭିତରେ .ପତ୍ନୀ ଅନସୂୟା କିନ୍ତୁ ସେଇ ଆମ୍ବ ଗଛ ପାଖେ କରିଥିଲେ ବିରାଟ ଗୋଲାପ ବଗିଚା ଆଉ ଫୁଟି ଲୋଟି ଝଡି ଯାଉଥିଲା ଅନେକ ସଜ ଗୋଲାପ ଫୁଲ. ମହକିତ କରୁଥିଲା ଘର ବାହାର ଓ ପରିବେଶ.
ଆମ୍ବଗଛ କଟା ହୋଇନଥିଲା. ପକ୍ଷୀ ବସାକରୁଥିଲେ ସବୁ ବର୍ଷ ଆମ୍ବଗଛ ଡ଼ାଳରେ . ପୁଅ ଆକାଶ ବାହା ହୋଇ ତାର ପୁଅଟିଏ ହେଲା ବେଳକୁ ବାପା ମାଆ ଯଥା ବୃନ୍ଦାବନ ବାବୁ ଓ ଅନସୂୟା ଦେବୀ ଆଗପଛ ହୋଇ ଚାଲିଗଲେ ଆରପୁରକୁ .ବୋହୁ କିନ୍ତୁ ଗୋଲାପ ବଗିଚାର ଖୁବ ଯତ୍ନ ନେଇ ସଜ ଗୋଲାପ ଦିଟା ଠାକୁରଙ୍କୁ ଦେବାକୁ ଭୁଲୁନଥିଲା.ଆମ୍ବଗଛ ପାଇଁ ପ୍ରତିବେଶୀଙ୍କର ଯେପରି କିଛି ଅସୁବିଧା ନହୁଏ ଅର୍ଥାତ ତାଙ୍କ ଛାତରେ ପତ୍ର ଜମା ହେବା,ଗଛଦେଇ ମାଙ୍କଡ଼ ବା ସାପ ସେପଟକୁ ନଯିବା ଇତ୍ୟାଦି କଥା ସବୁକୁ ନଜରରେ ରଖି ଡ଼ାଳ ହାଣୁ ହାଣୁ ଗଛ କୋରଡ଼ରେ ଗୁଣ୍ଡୁଚିମୂଷା ଦେଖି ଆକାଶର ପୁଅ ବାବା ବହୁତ ଖୁସି ହେଉଥିଲା ତ ଆକାଶ ଗୁଣ୍ଡୁଚିମୂଷା ବିଷୟରେ ସୁନ୍ଦର କାହାଣୀଟିଏ କହିଥିଲା ପୁଅ ବାବାକୁ. ତ୍ରେତୟା ଯୁଗରେ ରାମଙ୍କ ବନବାସ ସମୟରେ ମାତା ସୀତାଙ୍କୁ ରାବଣ ନେଇ ଅଶୋକ ବଣରେ ରଖିଥାଏ. ରାମଙ୍କ ଭକ୍ତ ହନୁମାନ ଉଡି ଉଡି ଯାଇ ସୀତାଙ୍କୁ ଠାଵ କରି ଆସିଥାଏ. ସୀତାଙ୍କୁ ଅସୁର ରାବଣ କବଳରୁ ରକ୍ଷା କରିବାକୁ ହେଲେ ଲଙ୍କାକୁ ଯିବାକୁ ସମୁଦ୍ର ପଥରେ ରାସ୍ତା ନିର୍ମାଣ ଜରୁରୀ ଓ ଅତ୍ୟାବଶ୍ୟକ ଥିବାରୁ ହନୁମାନ, ସୁଗ୍ରୀବ ଓ ବାନର ସେନା ମିଶି ଲଙ୍କାରେ ପହଞ୍ଚିବା ପାଇଁ ସମୁଦ୍ରରେ ସେତୁବନ୍ଧ ବାନ୍ଧୁଥାଆନ୍ତି. ଏହି ସମୟରେ ଛୋଟ ଗୁଣ୍ଡୁଚି ମୂଷାଟିଏ ସମୁଦ୍ରରେ ଦେହ ଧୋଇ ବାଲିରେ ଗଡି ଯାଇ ନିଜ ଦେହର ଧୂଳିକୁ ରାସ୍ତା ସେତୁବନ୍ଧରେ ଦେଉଥାଏ ଝାଡ଼ି. ଏ ଦୃଶ୍ୟ ଦେଖି ପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ନେହରେ ଗୁଣ୍ଡୁଚି ମୂଷା ପିଠିକୁ ତାଙ୍କ ହାତରେ ସାଉଁଳି ଦେବାରୁ ଗୁଣ୍ଡୁଚିମୂଷା ପିଠିରେ ପ୍ରଭୁଙ୍କ ସେହି ତିନି ଆଙ୍ଗୁଳିର ଚି଼ହ୍ନ ରହିଯାଇଛି ତିନିଗାର ହୋଇ. ଗପଟି ଶୁଣିବା ପରଠୁ ପୁଅ ବାବା ଭିତରେ ଅନେକ ଭାବନା.ସେ ପଚାରୁଥିଲା ଜେଜେ ଓ ଜେଜେମାଙ୍କ ଫଟୋ ଦେଖୁଛି ହେଲେ ସେ କଣ କଣ ଆଉ ସବୁ ଚିହ୍ନ ବା ପ୍ରତୀକ ରଖିଛନ୍ତି କୁହ ବାପା? ଆମ୍ବଗଛଟିକୁ ଜାବୁଡି ବାପା ଆକାଶ କହୁଥିଲେ ଏଇ ଆମ୍ବଗଛକୁ ବଞ୍ଚାଇ ରଖିବାର ଚି଼ହ୍ନ ତଥା ପ୍ରତୀକ ପୁଅ. ସେଇଦିନଠାରୁ ପୁଅ ବାବା ଗାନ୍ଧି ଜୟନ୍ତୀରେ ଗାନ୍ଧୀଙ୍କ ଗଛ କହି ବଉଳ ଗଛ, ଗୋପବନ୍ଧୁଙ୍କ ଜନ୍ମ ଦିନରେ ଶାଳ ଗଛ, ପୁଣି ସମସ୍ତ ବରପୁତ୍ର ଓ ଠାକୁର କୃଷ୍ଣଜନ୍ମ ରାମଜନ୍ମ, ସାଇବାବାଙ୍କ ଜନ୍ମ ଦିନରେ ମଧ୍ୟ ବର, ଓସ୍ତ, ଲିମ୍ବ, ଜାମୁ, ପିଆଶାଳ, ଅଁଳା ଆଦି ଗଛ ଚାରାସବୁକୁ ନିଜ ପକେଟ ଖର୍ଚ୍ଚରୁ କିଣି ପୋତି ଚାଲିଥିଲା.ବାପା ଆକାଶ ପଚାରିଲେ କହୁଥିଲା ଏସବୁ ଗଛର ଆୟୁଷ ଶହ ଶହ ବର୍ଷ ବାପା. ପ୍ରତିବର୍ଷ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧରେ ଯେମିତି ଆମେ ସେମାନଙ୍କୁ ମନେପକାଉ ସେମିତି ସ୍କୁଲ କଲେଜରେ ଜାତୀୟ ସ୍ତରର ବଡ଼ମଣିଷ ମାନଙ୍କ ଜନ୍ମଦିନ ପାଳନ କରାଯାଇ ଆମେ ତାଙ୍କୁ ମନେପକାଅଇ ପାରୁଛୁ. ସେମିତି ଏ ଗଛ ତଳେ ବସି ପ୍ରତ୍ୟେକ ବାଟୋଇ ଗଛ ଦେଖି ଓ ଗଛରେ ବଡ଼ ମନୀଷୀମାନଙ୍କର ନାମ ଫଳକ ଦେଖି ସେମାନଙ୍କ କାମର ସ୍ମୃତି ଚାରଣ କରିବେ. ଯେମିତି ଆଜି ଗୁଣ୍ଡୁଚିମୂଷା କାହାଣୀ ଶୁଣି ମନ ଭିତରେ ସେବା ପାଇଁ କିଛି ଦେବାକୁ ହୁଏ ବୋଲି ମନରେ ଆସୁଛି.ବାପା ଆକାଶ ଚୁପ ହୋଇଯାଇଥିଲେ ପୁଅ ବାବା କଥାରେ.
ଏ ଭିତରେ ବାବା ତାଙ୍କ ଘର ଆଗରେ ଲଗାଇଥିବା ବରଗଛଟି ଖୁବ ବଡ଼ ହୋଇଯାଇଥାଏ. ତା ମାଆ ପ୍ରତିଦିନ ସେହି ବରଗଛକୁ ପୂଜା କରନ୍ତି. ବାପା ମଧ୍ୟ ଛାତ ଉପରେ ବସି ଅନେକ ପକ୍ଷୀ ଦେଖୁ ଦେଖୁ ବାର୍ଡ ଚଢେଇ କଥା କହୁଥାନ୍ତି ବାବାକୁ.ବାବା ମନରେ ମଧ୍ୟ ଅନେକ ପ୍ରଶ୍ନ. ପକ୍ଷୀ ବା ଚଢେଇକୁ ଇଂରାଜିରେ ବାର୍ଡ କୁହାଯାଏ. ତେବେ ବାର୍ଡ ଚଢେଇ ବୋଲି କହୁଥିବା ବାପା ଅକାଶ ପୁଅ ବାବାକୁ ତାଙ୍କ ପିଲାଦିନ କଥା କହୁଥିଲେ. ପିଲାଦିନେ ଖାଇବା ପିଇବାକୁ ଅଝଟ ହେଲେ ତୋ ଜେଜେମା ମତେ ଏଇ ଚଢେଇକୁ ଦେଖେଇ କହେ ବାର୍ଡ ତୁ ଖାଇବୁ? ଆସ ଆସ ଖାଇବୁ କହିଲେ ମୁଁ କାଳେ ଖାଇନିଏ. ତା ପରଠୁ ସେହି ପକ୍ଷୀର ଏପରି ନାମକାରଣ ରହିଯାଇଛି ପୁଅ. ବାବା କହୁଥିଲା ମଣିଷ ଜନ୍ମ ହେଲେ ଦିନେ ମରିବ. ପ୍ରଭୁ ରାମଚନ୍ଦ୍ର ଓ ଶ୍ରୀକୃଷ୍ଣ ମଧ୍ୟ ମାନବ ଦେହ ଧରି ଦିନେ ଜନ୍ମ ହୋଇ ଦିନେ ମୃତ୍ୟୁ ବରଣ କରିଥିଲେ କିନ୍ତୁ ତାଙ୍କ ବିଷୟରେ ବହି ରାମାୟଣ ଓ ମହାଭାରତ ପଢି, ପିଢ଼ି ପରେ ପିଢ଼ି ଯେମିତି ସବୁକଥା ଜାଣୁଛନ୍ତି ଘରେ ଘରେ ମଧ୍ୟ ଅନେକ କଥା କାହାଣୀ. ସେସବୁକୁ ଶବ୍ଦ ରୂପ ଦେଇ ଗଳ୍ପ କବିତା, କାହାଣୀ ଲେଖିବାର କେତେ ଆବଶ୍ୟକତା ରହିଛି ନା ବାପା. ଡିଜିଟାଲ ଯୁଗରେ ଆଉ ବହି କେହି କିଏ ପଢ଼ୁନାହାଁନ୍ତି କହିବା ଭାରି ସହଜ କିନ୍ତୁ ବହି ଲେଖି, ଛାପି, ଲାଇବ୍ରେରୀ କରି ରଖିଲେ ସମସ୍ତେ ପଢିବେ. ପୁଅର କଥା ଶୁଣି ବାପା ଆକାଶ ଭାବୁଥିଲେ ପୁଅ ବାବା ତାଙ୍କର ଖୁବ ବଡ଼ ହୋଇଯାଇଛି. ଆକାଶ ଏବେ ଅବସର ପରେ ନିଜ ପିଲାଦିନ,ନିଜ ଚତୁଃପାଶ୍ୱରେ ଥିବା ପରିବେଶ ଓ ଅନୁଭୂତିକୁ ସବୁ ନେଇ ଶିଶୁଗଳ୍ପ, କବିତା ଲେଖୁଥିଲା ବେଳେ ବରଗଛଟିରେ ଥିବା ପକ୍ଷୀବସା ତାଙ୍କୁ ଲେଖିବା ପାଇଁ ନୂଆ ସମ୍ଭାବନା ଦେଇଚାଲିଥିଲା ନିଜ ପୁଅ ବାବାର କଥା ଭଳି. ଆଉ ସେ ଲେଖିଚାଲିଥିଲେ ଦୃଷ୍ଟାନ୍ତ ସହ ଅନେକ ବାର୍ତ୍ତା କୁ ନେଇ କାହାଣୀ ସବୁର ରୁପାନ୍ତର.ତା ଭିତରୁ ଗୋଟିଏ ଥିଲା ସାଙ୍ଗ ଦାମୋଦର ଭାଇନାଙ୍କ କଥା.
ସେଦିନ ଇଲେକ୍ସନ ଡିଉଟି ରେ ଯାଇଥିଲେ ଦାମୋଦର ଭାଇନା. ଭାରି ଗଣ୍ଡଗୋଳିଆ ବୁଥ ଥିଲା ସେଇଟା . ଦାମୋଦରଙ୍କର ରାଜନୀତି ରେ ଯାଏ ଆସେ ନାହିଁ କିନ୍ତୁ ପ୍ରଚଳିତ ବର୍ତ୍ତମାନ ର ପାର୍ଟି ପଲଟିକ୍ସ କୁ ଖୁବ ଘୃଣା କରି ରାଜନୀତି ରୁ ଦୂରେଇ ରହିଲେ ତାଙ୍କ ନିଜ ସାନଭାଇ, ପୁଅ ଓ ସ୍ତ୍ରୀ ତଥା ଝିଅ କହନ୍ତି ଜୀବନର ପ୍ରକୃତ ସମ୍ଭାବନା ହିଁ ରାଜନୀତି. ଘରେ, ବାହାରେ, ସ୍କୁଲ କଲେଜ ଏମିତିକି ଚାକିରୀ ସ୍ଥଳ ରେ ମଧ୍ୟ ରାଜନୀତି କରିବାକୁ ପଡେ ତ ଦାମୋଦର ଭାଇନା ସହକର୍ମୀ କୁମ କୁ ଢେର ପ୍ରବର୍ତ୍ତେଇ ଥିଲେ ଯେ ତୋର ତ ଇଲେକ୍ସନ ଡିଉଟି ପଡିନି. ତୁ ବରଂ ଡିଉଟି କର ମୋ ସ୍ଥାନରେ.ତୁ ବରଂ ମୋ ସ୍ଥାନ ରେ ସବଷ୍ଟିଚୁଟ ହୋଇ ଇଲେକ୍ସନ ଡିଉଟି ରେ ଚାଲିଯା ଯେ ଭଲ ପଇସା ପାଇବୁ.କୁମ କିନ୍ତୁ କହିଥିଲା ଝିଅଟାକୁ ଏଇ ବର୍ଷ କଲେଜ ରେ ଦାଖିଲା କରିଛି ଭାଇନା. କେତେ ସମ୍ଭାବନା ସ୍ବପ୍ନ ଦେଖିଛି ସେଇ ଏକମାତ୍ର ଝିଅ ପାଇଁ ହେଲେ ସବୁ ସମ୍ଭାବନା ମୋର ଫସର ଫାଟି ଯାଉଛି ଭାଇନା. କାଇଁ କଣ ହେଲା କି? ଝିଅ ତ ହଷ୍ଟେଲ ପାଇଲା ଭଲ କଲେଜ ରେ ମଧ୍ୟ ସିଟ ପାଇଗଲା ତେବେ ଅସୁବିଧା କୋଉଠି!କାହା ଆଗେ କହିବି ଭାଇନା! ହଷ୍ଟେଲ ପାଇବା ଦିନ କି ଖୁସି ହୋଇଥିଲା ମୋ ଝିଅ ସ୍ନିଗ୍ଧା ହେଲେ ତା ସାଙ୍ଗ ମାମି ଏତେ ଡରିବ ବୋଲି ଜଣା ନଥିଲା ପରା ଭାଇନା. ଆରେ କଥାଟା ଖୋଲିକି ନକହିଲେ କେମିତି ଜାଣିବି!କେମିତି ଆଉ କଣ ଭାଇନା ସେ ରୁମ ରେ ଆଗରୁ ଗୋଟେ ଝିଅ କୁଆଡେ କାହାକୁ ପ୍ରେମ କରି ଧୋକା ଖାଇବା ପରେ ସେହି ରୁମ ରେ ଥିବା ଫ୍ୟାନ ରେ ଦୌଡ଼ି ଦେଇ ଜୀବନ ହାରି ଦେଇଥିଲା. ସେ କଥା ଶୁଣି ମଧ୍ୟ ମୋ ଝିଅ ସ୍ନିଗ୍ଧା ଡ଼ରୁନଥିବା ବେଳେ ତା ସାଙ୍ଗ ମାମି ଡ଼ରିକି ଶୋଉ ନଥିଲା. ସେଦିନ ସକାଳୁ ଢେର ବେଳ ଯାଏଁ ମାମି ନିଦରୁ ଉଠିବା ଡେରି କରିବା ଫଳରେ ସ୍ନିଗ୍ଧା ତାକୁ ଉଠେଇବାକୁ ଯାଇ ଯେମିତି ଡାକିଛି ସେ ଉଠିବ କଣ ସ୍ନିଗ୍ଧା ଯୋଉ ହାତରେ ତାକୁ ଉଠାଉଥିଲା ସେହି ହାତ ଦେଖି ହାତ... ଏହା ତୁମ ହାତ ନୁଁହଁ ସ୍ନିଗ୍ଧା.. ଏ ହାତ ଭୁତର ହାତ କହି ଦୌଡ଼ି ପଳେଇଗଲା ସୁପରିଟେଣ୍ଡାଣ୍ଟ ଶାନ୍ତି ଦିଦି ଙ୍କ ପାଖକୁ. ସେ ସବୁ ଶୁଣି ଯେମିତି କହିଛନ୍ତି ସ୍ନିଗ୍ଧାର ଏଇ ହାତ ଦେଖି ଡ଼ରିଲ ମାମି! ସ୍ନିଗ୍ଧା ପରା ତୁମ ସାଙ୍ଗ. ମାମି ଦେଖିଥିଲା ଶାନ୍ତି ମ୍ୟାଡାମ ଙ୍କ ହାତ କୁଆଡେ ଥିଲା ଠିକ ସେମିତି ଯେମିତି ସ୍ନିଗ୍ଧା ହାତ ପରି.ସେହି ଲୋମଶ ପୂର୍ଣ୍ଣ ଓ ବଡ଼ ବଡ ନଖ ଥିବା ହାତ ପରି. ଡରରେ ସେଠୁ ମାମି ସିଧା ରିକ୍ସାରେ ବସି ବସ ଷ୍ଟାଣ୍ଡ ଗଲା ଓ ରିକ୍ସାବାଲା କୁ ପଇସା ଦେବାକୁ ଯାଇ ଦେଖିଲା ରିକ୍ସାଵାଲା ର ଲମ୍ବି ଆସିଥିବା ହାତ ଟି ମଧ୍ୟ ଠିକ ପୂର୍ବ ପରି ଥିଲା . ଏମିତିକି ଡରି ଡରି କଣ୍ଡକ୍ଟର ହାତକୁ ପଇସା ଦେଲାବେଳେ ଦେଖିଥିଲା କଣ୍ଡକ୍ଟର ହାତ ଠିକ ସେମିତି ଓ ଘରକୁ ଏବେ ଅବେଳରେ କାହିଁକି ଆସିଲୁ ମାମି,ପଢ଼ା ପଢି ଛାଡ଼ି,ଆଗକୁ ପରୀକ୍ଷା ଅଛି ଇତ୍ୟାଦି କହି ମାଆ ଯେବେ ପଚାରିଲେ ତ ମାମି ସେଦିନ ସକାଳୁ ତା ସହ ଘଟିଥିବା ସମସ୍ତ ଘଟଣା କହି ନିଜ ମାଆ ଙ୍କ ଉପରକୁ ଅନେକ ସମ୍ଭାବନା ରେ ଆଉଜି ପଡିଲା ବେଳକୁ ମାଆ କୋଳେଇ ନେଇ ଯୋଉ ହାତ ରେ ଝିଅ ମାମିର ମୁଣ୍ଡକୁ ଆଉଁସି ଦେଉଥିଲେ ସେ ହାତ ଥିଲା ସକାଳୁ ଉଠୁ ଉଠୁ ସାଙ୍ଗ ସ୍ନିଗ୍ଧା ପରି ତଥା ସୁପରିଟେଣ୍ଡାଣ୍ଟ ଶାନ୍ତି ଦିଦି ଙ୍କ ପରି ପୁଣି ରିକ୍ସାଵାଲା ଓ ବସ କଣ୍ଡକ୍ଟର ପଇସା ନେବାକୁ ବଢ଼େଇ ଥିବା ହାତ ପରି ତ ସେଇଠି ମାମି ବେହୋସ ହେଲା. ହସ୍ପିଟାଲ ରେ ଡାକ୍ତର ମୃତ ଘୋଷଣା କଲେ ମାମିକୁ ଆଉ ହଷ୍ଟେଲ ରୁମ ସିଜ ହେବା ସହ ସ୍ନିଗ୍ଧା ରହିବା ପାଇଁ ଘରଭଡା ଖୋଜୁଛି ମୁଁ. ଭଡା ଘର ପୁଣି ମିଳିଗଲେ ଝିଅ ପାଖରେ ରହିବାକୁ ପଡିବ ମତେ କହି କୁମ ଏକରକମ ଭାଙ୍ଗି ପଡ଼ିଥିବା ଦେଖି ଅଗତ୍ୟା ଆଉ ରାଜନୀତି ନକରି କୁମ ଓ କୁମ ଝିଅର ସମ୍ଭାବନା ସ୍ବପ୍ନ ସାର୍ଥକ ହେଉ ଭାବି ଇଲେକ୍ସନ ଡିଉଟି କରିବାକୁ ବାହାରିପଡିଥିଲେ ସେହି ଭୟପୂର୍ଣ୍ଣ ବୁଥ କୁ!
ଆଉ ଦୁଇ ଟା ବର୍ଷ ପରେ ଭାଇନାଙ୍କ ସରକାରୀ ଚାକିରୀରୁ ଅବସର. ସେଥିରେ ଇଲେକ୍ସନ ଡିଉଟି କୁ ନଯାଇ ରକ୍ଷା ନାହିଁ. ସ୍ତ୍ରୀ କହୁଥିଲେ ହୁସିଆର ଥିବ. ପୁଅ କହୁଥିଲା ବ୍ୟାଲେଟ ବକ୍ସ କିଏ ଛଡେଇ ନେଲେ ସଙ୍ଗେ ସଙ୍ଗେ ପୋଲିସ କୁ ଫୋନ କରିବ. ଝିଅ କହୁଥିଲା ଏ ଖରା ଗରମ ଦିନରେ ପାଖରେ ପାଣି ବୋତଲ, ଛତା ଓ ଓଦା ଗାମୁଛା ରଖିଥିବ ନନା. ପୁଣି ସ୍ତ୍ରୀ କହୁଥିଲେ ପାଣି ପିଇବାକୁ ଭୁଲିବନି. ପେଟରେ ପାଣି ମୁନ୍ଦେ ଥିଲେ ଖାଦ୍ୟ ଖାଇବା ବେଳ ଯେତେବେଳ ହେଉଛି ହେଉ. ଜଳ ହିଁ ଜୀବନ. ହଁ ହଁ ପାଖେ ପାଖେ ପାଣି ରଖିବି କହି ବ୍ୟକ୍ତିଗତ ବ୍ୟାଗ ସଜାଡୁ ସଜାଡୁ ପାଣି ଟପ ଟପ ଆବାଜ ଶୁଣି ଦାମୋଦର ଙ୍କ ସ୍ତ୍ରୀ ଝିଅକୁ କହୁଥିଲେ ଦେଖିଲୁ ମାଆ କାଳେ ପାଇପ ଭଲ ସେ ବନ୍ଦ ହୋଇନି କି? ଟ୍ୟାପ ଭଲରେ ଟାଇଟ କରିଦେବୁ. ଜଳ କଷ୍ଟରେ ଲୋକ, ପଶୁ ଓ ପକ୍ଷୀ ସମସ୍ତେ କଷ୍ଟ ପାଇ ହଇରାଣ ହରକତ ତଥା ଅଂଶୁଘାତ ରେ ପୀଡିତ ହୋଇ କେହି କେହି ମୃତ୍ୟୁ ବରଣ କରୁଥିଲା ବେଳେ ଆମେ ନିଜ ଅସବାଧାନତା ଯୋଗୁଁ ଜଳ କୁ ଅବମାନନା କରିବା ଉଚିତ ନୁଁହଁ. ଜଳ କେତେ ଭୋକିଲା ଓ ତୁଷାର୍ତ୍ତ ପେଟ ର ସମ୍ଭାବନା ର ସ୍ବପ୍ନ. ଝିଅ ଦୌଡ଼ି ଯାଇ ଟ୍ୟାପ ବନ୍ଦ କରିବା ସହ ବାପା ଦାମୋଦର ଭାଇନା ଙ୍କ ବ୍ୟାଗ ରେ ଜଳ ଭର୍ତ୍ତି ବୋତଲ ରଖୁ ରଖୁ ମନେକରି ପିଇବ ବାପା କହୁଥିଲା ତ ଦାମୋଦର ବାବୁ ହଁ ହଁ କହି ଘରୁ ବାହାରିବା ସମୟରେ ଝିଅ ମୁଁହଁ କୁ ଦେଖି କହୁଥିଲେ ଖରାରେ କୁଆଡେ ଯିବୁନି ଝିଅ ତ ପୁଅ କହୁଥିଲା ମୁଁ ତାର ଛାତ ହେଇ ବାଇକ ରେ ଛାଡ଼ି ଦେବି ବାପା ତୁମେ ବ୍ୟସ୍ତ ହୁଅ ନାହିଁ. ପୁଅ ଏକଥା କହୁଥିଲା ବେଳେ ଦାମୋଦର ଭାଇନାଙ୍କର ସହକର୍ମୀ କୁମର ଝିଅ ସ୍ନିଗ୍ଧା କଥା ମନେପଡୁଥିଲା. ବିଚାରୀ ସାଙ୍ଗ କୁ ହରେଇ ପୁଣି ଆଜି ଥାନା କାଲି ସାଇକାରିଆଷ୍ଟି ତ କାଲି ଘରଭଡା ବୁଝିବୁଝି ଥକିପଡ଼ିଥିବା ବାପା କୁମ କୁ କେତେ ସମ୍ଭାବନା ର ସ୍ବପ୍ନ ଦେଖେଇବ ବିଚାରୀ ଝିଅଟା ଭାବୁ ଭାବୁ ଘରୁ ବାହାରି ଗଲେ ଦାମୋଦର ଭାଇନା. ପୁଣି ତେଣେ ପ୍ରିଜାଇଡିଙ୍ଗ ଅଫିସର ଓ ଫାଷ୍ଟ ପୋଲିଙ୍ଗ ଅଫିସର ଙ୍କ ସଙ୍ଗେ ଦ୍ୱିତୀୟ ପୋଲିଙ୍ଗ ଅଫିସର ରୂପେ କେତେ ଦାଇତ୍ୱ ବହନ କରିବାକୁ ପଡିବ.ସବୁ ସାର୍ଥକ ସମ୍ଭାବନା କୁ ସାଉଁଟି ଭଲରେ ଭଲରେ ଇଲେକ୍ସନ ଡିଉଟି ସାରି ଫେରିଆସିବାକୁ ମାଆ ମଙ୍ଗଳା ଓ ବୀରହନୁମାନ ଙ୍କୁ ମୁଣ୍ଡିଆ ମାରି ବାହାରି ପଡିଲେ ବୁଥକୁ.
ସ୍କୁଲ ଘରେ ବୁଥ ପ୍ରସ୍ତୁତ ହୋଇଥିଲା . ଗାଁ ଲୋକ ସବୁ ଭାରି ଭଲ ଓ ଆପଣାର ତଥା ଗାଁ ମୁଖିଆ ଇଲେକ୍ସନ ପାର୍ଟି ର ସମସ୍ତ ଭଲ ମନ୍ଦ ତଥା ସୁବିଧା ଓ ଅସୁବିଧା ବୁଝୁ ଥାଆନ୍ତି. ପୂର୍ବଦିନର ଆତିଥ୍ୟୟତା ପରଦିନ ଅର୍ଥାତ ଭୋଟ ଦିନ ଭଲରେ ଭଲରେ ଭୋଟ କାମହୋଇଯିବ ଭାବି ସମସ୍ତେ ପ୍ରସ୍ତୁତ ହୋଇଗଲେ . ଆରମ୍ଭରୁ ସବୁ ଠିକ ଠାକ ଥିଲା ବେଳେ ହଠାତ ଖଣ୍ଡା ତଲୁଆର, ଚୋପଡା ଇତ୍ୟାଦି ମାରଣାସ୍ତ୍ର ଧରି ଦଳେ ଯୁବକ ଭିତରକୁ ପଶି ଆସିଲେ. ବିକଳ ରେ ଦାମୋଦର ଭାଇନା ଗଲା ସବୁ ସମ୍ଭାବନା ସ୍ବପ୍ନ ଗଲା କହି ଭୋଟ ବାକ୍ସ ଜାବୁଡି ଧରି ପୈତୃକ ପ୍ରାଣ ଯାଉ ପଛେ ସରକାରୀ କାର୍ଯ୍ୟ ର ଅବହେଳା ନହେଉ ଭାବିଲା ବେଳକୁ ସେମାନେ ଦାମୋଦର ଭାଇନା ବା ତାଙ୍କ ଗ୍ରୁପ ରେ ଥିବା କାହାର କିଛି କ୍ଷତି ନକରି ଅନ୍ୟ ଏକ ଯୁବକକୁ ଖଣ୍ଡା ଓ ଭୁଜାଲି ରେ ହାଣି ଦେଇ ବୀର ଦର୍ପରେ ଫେରିଗଲେ. ଦାମୋଦର ଭାଇନା ପାଣି ବୋତଲ କାଢି ପିଉ ପିଉ କ୍ଷତାକ୍ତ ଲୋକଟି ବିକଳରେ ମୁନ୍ଦେ ପାଣି, ମୁନ୍ଦେ ପାଣି ବୋଲି ଚିତ୍କାର କରୁଥିଲା. ଦାମୋଦର ଭାଇନା ନିଜ ବୋତଲ ଧରି ଲୋକଟି ପାଖକୁ ଆଗେଇ ଗଲା ବେଳକୁ କେହି ତାଙ୍କୁ ଧରି ନେଇଥିଲା. ସେ ହାତ ସେତେବେଳେ ଦାମୋଦର ଭାଇନା ଙ୍କୁ ଲାଗୁଥିଲା ଭାରି ଲୋମଷ ଓ ବଡ଼ ବଡ଼ ନଖ ଥିବା ଭୂତ ପରି ଯେମିତି ସ୍ନିଗ୍ଧା,କୁମ ଝିଅ ର ହାତ ଦେଖିଥିଲା ମାମି. ସେ ହାତ ରୁ ନିଜକୁ ରକ୍ଷାକରି ଲୋକଟି ପାଖକୁ ପହଞ୍ଚିବା ପୂର୍ବରୁ ତା ପ୍ରାଣବାୟୁ ଉଡି ସାରିଥିଲା. ତା ପରେ ଭୋଟ ଠିକ ଠାକ କରି ସେ ବର୍ଷ ଇଲେକ୍ସନ ର ସମସ୍ତ ସମ୍ଭାବନା ସ୍ୱପ୍ନକୁ ଚରିତାର୍ଥ କରିଥିଲେ ମଧ୍ୟ ତା ପରଠୁ ଆଉ କେବେ ଦାମୋଦର ଭାଇନା ଙ୍କୁ ବୋତଲରେ ପାଣି ପିଇବା କେହି ଦେଖିନଥିଲେ. ଝିଅ ପୁଅ ଓ ସ୍ତ୍ରୀ କେବେ ବାହାରକୁ ଖରା ଗରମ ରେ ବାହାରୁଥିବା ଦାମୋଦର ବାବୁଙ୍କୁ ପାଣି ବୋତଲ ଧରେଇଲେ ସେ କହନ୍ତି ବୋଲାଲ ରୁ ସବୁ ପାଣି ତ ପିଇହେବନି ବରଂ ଜଳ ନଷ୍ଟ ବଡ଼ କଷ୍ଟ ଦେବ. ପରିବାର ସଦସ୍ୟ ସବୁ ଦାମୋଦର ବାବୁଙ୍କ କଥା କିଛି ବୁଝିନପାରି ଆଁ କରି ଚାହିଁରହନ୍ତି. ଦାମୋଦର ବାବୁ କାହାକୁ କେବେ ବୁଝେଇ ପାରନ୍ତିନି ଜଳ ଦାନ ମହା ପୁଣ୍ୟ ଭିତରେ ସେ କେତେ ପାପ କରିଛନ୍ତି.କୁମ ଝିଅ ବାପା କୁମଙ୍କର ସମସ୍ତ ସମ୍ଭାବନା ସ୍ବପ୍ନ ପୁରଣ କରି ଯୋଉଦିନ ସରକାରୀ ଚାକିରୀ ପାଇ ଦାମୋଦର ମଉସାଙ୍କ ଘରକୁ ମିଠା ନେଇ ଆସିଥିଲା ତା ହାତରେ ଟଙ୍କା ପାଞ୍ଚ ହଜାର ଗୁଞ୍ଜିଦେଇ ଦାମୋଦର ବାବୁ କହିଥିଲେ ତୃଷାର୍ତ୍ତ ଙ୍କୁ ପାଣି ବୋତଲ କିଣି କି ଦେବୁ ଝିଅ ଓ ତା ସହ ସଜ ଗୋଲାପ ଗଛ ଚାରା ବାଣ୍ଟି ସଜ ଗୋଲାପ ସବୁଦିନ ଶହୀଦମାନଙ୍କ ସମାଧି ପୀଠ ରେ ଦେବୁ ଝିଅ.ତୋ ସଫଳତା ଓ ତୋ ବାପା କୁମଙ୍କର ସମ୍ଭାବନା ସ୍ବପ୍ନ ସାର୍ଥକ କରି ଆଜି ମୋ ଜାଚଜ୍ଞା ପୁରଣ କର ମାଆ. ସ୍ନିଗ୍ଧା ଫେରିପଡ଼ୁ ପଡ଼ୁ କହୁଥିଲା ନିଶ୍ଚୟ ମଉସା ଜଳ ହିଁ ଜୀବନ ଓ ଜଳ ଦାନ ମହାପୂଣ୍ୟ.ପୁଣି ସଜ ଗୋଲାପ ର ମହକିତ ବାସ୍ନା ରେ ସମାଧି ପୀଠ ରେ ଶୋଇଯାଇଥିବା ଜାଗ୍ରତ ପ୍ରହରୀମାନଙ୍କୁ ନିଶ୍ଚୟ ସୁଗନ୍ଧ ଅର୍ପଣ କରି ଦେଶ ହିତେ ଜାତ ବରପୁତ୍ରମାନଙ୍କୁ ବି ସୁଷୁପ୍ତ କରାଇବି . ଆପଣ ସୁଵିଚାର ଜାଚଜ୍ଞା କରିଛନ୍ତି.ପରେ ପରେ ସ୍ନିଗ୍ଧା ହିଁ ବାବାର ହାତ ଧରି ଘରକୁ ବୋହୁ ହୋଇ ଆସିବା ବଡ଼ ଚମତ୍କାର ଘଟଣା ଥିଲା ଆକାଶଙ୍କ ପାଇଁ .ଝିଅଟା ବୋହୁ ହେଲା ପରେ ଶଶୁର ଆକାଶଙ୍କ ପରି ପକ୍ଷୀ ଉପରେ ଖୁବ ଗବେଷଣା କରିଚାଲିଥିଲା ଓ ଶାଶୁଙ୍କ ସହ ଗୋଲାପ ଚାରା ଲଗେଇ ସଜ ଗୋଲାପ ମହକରେ ମହକିତ କରୁଥିଲା ଘର ବାହାର ଓ ସମାଧି ପୀଠଗୁଡିକୁ.
,,,,,,,,,,,,,,,,,,,,
