ଖୋଲା ଖୋଲା ଗଳି ଭିତରେ ଶୁଭେନ୍ଦୁ ବାବୁଙ୍କ ଘର. ରାସ୍ତା ଚଉଡା ଥିବାରୁ କେବେଠାରୁ ଘର ଆଗରେ ବୁଢା ବରଗଛ ଶାଖା ପ୍ରଶାଖା ମେଲାଇ ଠିଆ ହୋଇଛି କୋଉ କାଳୁ. ଅନେକ ପକ୍ଷୀ ଓ ମାଙ୍କଡ଼ ସେ ବିରାଟ ବରଗଛରେ ବାସ କରନ୍ତି. ଶୁଭେନ୍ଦୁ ବାବୁଙ୍କ ଘରଣୀ ଛାତ ଉପରୁ ବରଗଛଟିକୁ ପୂଜା କରନ୍ତି. ଗୁରୁବାର, ସଂକ୍ରାନ୍ତି, ଏକାଦଶୀ ତଥା ଶନିବାର ଓ ମଙ୍ଗଳ ବାର ଦିନ ଧୁପ ଦୀପ ବୁଲାଇଥାନ୍ତି. ଏବେ ଦିନେ ଶୁଭେନ୍ଦୁ ବାବୁ ତାଙ୍କ ଖୋଲା ଗଳିର ଶେଷ ମୁନଣ୍ଡେ ଥିବା ଏକତାଲା ଘର ର ବାଳାକୋନି ଉପରେ ବସି ଚା ପିଉ ପିଉ ଖବର କାଗଜ ପୃଷ୍ଠା ଓଲଟାଉ ଥାଆନ୍ତି ତଳେ ପାଟି ଶୁଭିଲା. ଦେଖିଲା ବେଳକୁ ଖୋଲା ଗଳିର ମଝିମଝିଆ ଘର ର ପୁଅ ଅଖିଳ ତା ଦୋକାନ ଘର ପାଇଁ ଲୁନା ଯୋଗେ ଖୋଲା ପେଟିରେ ନେଇକି ଯାଉଥିବା ଥଣ୍ଡା ବୋତଲ ଗୁଡିକୁ ମାଙ୍କଡ଼ ଦଳ ଗୋଟା ଗୋଟା ବୋତଲ ଉଠାଇ ନେଉଥିଲେ ପେଟିରୁ କିନ୍ତୁ ହହଲ୍ଲା କୁ ଖାତିର ନକରି ବୋତଲ ଠିପି ଖୋଲି ନପାରି ତଳକୁ ଫିଙ୍ଗୁଥିଲେ ଗୋଟା ଗୋଟା ପ୍ଲାଷ୍ଟିକ ବୋତଲ ତ ପ୍ରାୟ ଥଣ୍ଡା ବୋତଲ ସବୁ ଆଦାୟ ହୋଇଯାଇଥିଲା ଅଖିଳ ର ତ ସେ ଆଶ୍ବସ୍ତି ରେ ଗଳିର ମଝିଆଁ ମଝି ଘର କରିଥିବା ତା ଦୋକାନ କୁ ଫେରିଯାଇଥିଲା.
ଦୋକାନକୁ ଫେରିଯିବା ପୂର୍ବରୁ ଅଖିଳ କହୁଥିଲା ଏ ବରଗଛ ଟି ଏଠି ରହି ଖୁବ ଅସୁବିଧା ହେଉଛି. ଯାହାର ଘର ଏହି ବରଗଛ ଆଗରେ ଅଛି ସିଏ ସିନା ସଚେତନ ନାଗରିକ ହିସାବରେ ଆଗ ବାହାରି ଗଛ କେମିତି ହଣା ହେବ ଚିନ୍ତା କଲେ ହୁଅନ୍ତା. ମିଛଟାକୁ ଚିନ୍ତାଶୀଳ ଵ୍ୟକ୍ତି ଓ ସଚେତନ ତଥା ବୁଦ୍ଧିଜୀବୀ ନାଗରିକ ବୋଲାଇଲେ କଣ ହେବ!ଅଖିଳ ର କଥା କେଇପଦ ଛୁରୀ ପରି ଛାତି ଚିରି ଦେଲେ ବି କିଛି ଅଭିଯୋଗ କରିବାର ନଥିଲା ଶୁଭେନ୍ଦୁ ବାବୁଙ୍କର. ଘରଣୀ କଥାଟାର ମର୍ମ ବୁଝି କହୁଥିଲେ ବରଗଛ ଯୋଗୁଁ ଯାହାର କ୍ଷତି ହେଉଛି ସେ ବୁଝିବ. ଅକାରଣ ରେ ଗଛ ହାଣିବାକୁ କୋଉ ସଚେତନ ନାଗରିକ ର ମୁଣ୍ଡ କାହିଁ ବିନ୍ଧିବ ଯେ!ଘରଣୀ ଙ୍କ କଥାର ଝଟକା ବାମ ଓ ଡାହାଣ ପଡୋଶୀଙ୍କୁ ଉତ୍ସାହିତ କଲା ଯେମିତି. କାରଣ ଥିଲା ସେମାନେ ମଧ୍ୟ ବରଗଛ ସାମ୍ନା ରେ ଘର କରି ରହିଥିଲେ ଓ ବରଗଛ ଯୋଗୁଁ ଅନେକ ଫାଇଦା ବି ପାଉଥିଲେ ନା. ଡାହାଣ ପଡୋଶୀଙ୍କ ସିମେଣ୍ଟ ଗାଡି ଆସିଲେ ସେଇ ବରଗଛ ମୂଳେ ରହେ ସିମେଣ୍ଟ ବସ୍ତା ଖଲାସ ହେବା ଯାଏଁ. ଆଉ ବାମ ପଟ ପଡୋଶୀଙ୍କ ଧାନ ଉଡ଼ା ଯନ୍ତ୍ର ଠାରୁ ଆରମ୍ଭ କରି ଛଡ଼, ରଡ଼ ମଧ୍ୟ ରୁହେ ସେହି ବରଗଛ ତଳ ଛାଇରେ. ଖରା କି ବର୍ଷା ଯାହା ହେଉଛି ହେଉ ପାଲ ଓ ଜରି ଘୋଡେଇ ଦେଲେ ଗଲା. ସେସବୁର ଧୂସ ଶୁଭେନ୍ଦୁ ବାବୁଙ୍କ ଘରକୁ ଉଡି ଆସେ ବୋଲି ସେ ଗ୍ରିଲରେ ପ୍ଳାଏ ଦେଇ ଆବଦ୍ଧ କରିଛନ୍ତି ଘରର ଝରକା ଓ କବାଟ କିନ୍ତୁ ଗଛ ନଷ୍ଟ କରି କାଟିବାକୁ କେବେ ଚିନ୍ତା କରିନାଁହାନ୍ତି ଯଦିଓ ଆଜିକାଲି ପବନ ମିଳେନା ଆଉ ଯଦି ମିଳେ ଧୂସ ପରିପୂର୍ଣ୍ଣ ତ ଆଲୋ ସଖି ଆପଣା ମହତ ଆପେ ରଖି ବଞ୍ଚିବା କଥା. ହେଲେ ଅଖିଳର ପରୋକ୍ଷ କଟାକ୍ଷ ଥିଲା ଶୁଭେନ୍ଦୁ ବାବୁଙ୍କ ପ୍ରତି କାରଣ କାଣୀ ବିଲେଇ ର ସବୁବେଳେ କୁଜି ଅସରପା ଉପରେ ରାଗ.ବାମ ଓ ଡାହାଣ ପଡୋଶୀ ସିନା ବରଗଛ ଛାଇକୁ ବ୍ୟବହାର କରୁଥିଲେ କିନ୍ତୁ ଶୁଭେନ୍ଦୁବାବୁ ତ ବରଗଛ ଆଗରେ ଘର କରି ରହୁଥିଲେ ଏ ଖୋଲା ଗଳିରେ ନା.
ବରଗଛ ଦେଇ ଯାଇଥିବା ଇଲେକ୍ଟ୍ରି ତାର ସର୍ଟ ସର୍କିଟ ହୋଇ ମାଙ୍କଡ଼ ମଲେ କଷ୍ଟ ହୁଏ ଆଗ ଶୁଭେନ୍ଦୁ ବାବୁଙ୍କୁ. ଏବେ ଏବେ ଯେବେ ଶ୍ରୀମତୀ ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ଖରା ଗରମ ଯୋଗୁଁ ପକ୍ଷୀଙ୍କ ପାଣି ଓ ଚାଉଳ ରଖନ୍ତି ଅନେକ ପକ୍ଷୀ ଆସି ପାଣି ପିଇ ଓ ଚାଉଳ ଖାଇ ଉଡିଯାଆନ୍ତି ତ ଶ୍ରୀମତୀ ଥୋଇଥିବା ଖୁଦ କୁ ଖୁମ୍ପି ଓ ପାଣିରେ ଥଣ୍ଟ ବୁଡେଇ କାଉଟି ଉଡି ଯାଉ ଯାଉ ଶ୍ରୀମତୀ ମନେପକାଉଥାଆନ୍ତି ସେହି ଗୀତ. ପାଣି ମୁନ୍ଦେ ପିଇ... ଚାଉଳମୁଠିଏ ଖାଇ... ଉଡ଼ିଗଲୁ ଉଡ଼ିଗଲୁ କାକ ଶୁଭବାର୍ତ୍ତା ଦେଇ. ଏଇ ବରଗଛରେ ସାମୟିକ ଓ ସବୁଦିନିଆଁ ଘର କରି ରହୁଥିବା ଅନେକ ପକ୍ଷୀ ପାଣି ପିଅନ୍ତି ଓ ଖୁଦ ଖାଆନ୍ତି.କୋଉ ପକ୍ଷୀ ପିଅନ୍ତୁ ବା ନପିଅନ୍ତୁ କିନ୍ତୁ କାଉଟି ପିଉଥାଏ ମନ ଆନନ୍ଦରେ ତ ଶୁଭେନ୍ଦୁ ବାବୁଙ୍କ ପତ୍ନୀ ଙ୍କୁ ଆତ୍ମ ସନ୍ତୋଷ ସହ ମନେପଡେ କଲୁରୀ ବେଣ୍ଟ ଗୀତ କଥା ପୁଣି କାଉ ବିଷୟରେ ପଢିଥିବା ତା ଚତୁରତା କଥା. ଅଳ୍ପ ପାଣି ଥିବା ଜଳ ମାଠିଆରେ ଗୋଡି ପକେଇ ଜଳ ସ୍ତର ଉପରକୁ ଉଠେଇ ପାଣି ପିଇ ପାରୁଥିବା କାଉ ଏମିତି ଆସୁଥାଉ ଓ ପାଣି ପିଉଥାଉ ପୁଣି ନିଜ ବସାରେ କୋଇଲି ଛୁଆ ଫୁଟାଇ କାଉ ଓ କୋଇଲି ଉଭୟଙ୍କ ମାଆ ସାଜିଥାଉ ଭାବୁ ଭାବୁ ସେହି ନିର୍ଦ୍ଦିଷ୍ଟ ସେଦିନ କାଉଟି ରୁଟି ଖାଇ ଓ ପାଣି ପିଇ ତଥା ଉଡିଯାଇ ବରଗଛ ଉପରକୁ ବସିଥିଲା ଇଲେକ୍ଟ୍ରି ତାର ଯାଇଥିବା ଡ଼ାଳରେ ତ ପକ୍ଷୀଟିର ବସିବାର ଦୋଳନ ରେ ହେଉ ଅବା ପବନର ବେଗରେ ହେଉ, ସକ ଖାଇ ମରିପଡିଲା ତଳକୁ କାଉଟି ତ ସ୍ତ୍ରୀ ଙ୍କର ଆକୁଳ ବିକଳ ରେ ସ୍ୱାମୀ ଶୁଭେନ୍ଦୁ ବାବୁ ଇଲେକ୍ଟ୍ରି ଅଫିସ ଦୌଡ଼ି ଦୌଡ଼ି କେଭି ତାର ଦ୍ୱୟ କୁ ସଜାଡି ରଖିବାରେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ର ସହାୟତା ଲୋଡ଼ିଲା ବେଳେ ଜଣା ପଡିଥିଲା ଗଛଟି ଏବେ ହଣା ଯିବ କାରଣ ରାସ୍ତା ପ୍ରଶସ୍ତ ହୋଇ ସ୍ଥାନୀୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ହେବ. ରାସ୍ତା ସୌନ୍ଦର୍ଯ୍ୟକରଣ ର ଉତ୍ସ ବରଗଛ କଟା ଯିବାର ଯଥାର୍ଥତା କେତେଦୂର ପ୍ରାସଙ୍ଗିକତା ସେକଥା ଭାବିବା ର ଅବକାଶ ଉଠୁନଥିଲା କାରଣ ମନ୍ଦିର ସୌନ୍ଦର୍ଯ୍ୟକରଣ କଥାଟା ଐଶ୍ବର୍ଗୀକ ଚେତନା ଓ ଚିନ୍ତନ କୁ ବଢ଼େଇଦେଇଥିଲା ଶୁଭେନ୍ଦୁଙ୍କର. ତଥାପି ଅଖିଳ ଉପରେ ଆଖି ପଡିଲେ କୁଆଡୁ ସନ୍ଦେହ ଢେଉ ସବୁ ଆସି ହୃଦୟ ସମୁଦ୍ର ରେ ପିଟି ହୋଇଯାଉଥାଆନ୍ତି କାହିଁକି କେଜାଣି ଶୁଭେନ୍ଦୁଙ୍କର ଆଜିକାଲି ବୁଝିହୁଏନି ଜମା.
,,,,,,,,,,,,,,,