ଏମିତିକା ଏ ଜୀବନ ରଙ୍ଗ
ଏମିତିକା ଏ ଜୀବନ ରଙ୍ଗ
ଆଜି ଏଇ ଗଳିରେ ଗଲେ ଦେଖିବୁ ଗୋଟେ ମନ୍ଦିର. ଯା ବାପାଙ୍କ ସଙ୍ଗେ ବୁଲିଆସିବୁ କହିଲା ପୁଅ ସରୋଜ ତ ଟିକି ନାତି ବାବା ବାଟ କଢେଇବାକୁ ପ୍ରସ୍ତୁତ କାରଣ ଲିଫ୍ଟ ରେ ତଳକୁ ଯିବାକୁ ବା ଲିଫ୍ଟ ରେ ତଳୁ ଉପରକୁ ଆସିବାକୁ ସେ ହିଁ ସୁଇଚ ଟିପେ. ଆଉ କେହି ସୁଇଚ ଟିପିଲେ କାନ୍ଦି କାନ୍ଦି ଗାଡିଯାଏ ତ ବାବା ସୁଇଚ ଟିପିବାକୁ ଅପେକ୍ଷା କରନ୍ତି ଜେଜେମାଆ ସୁଭଦ୍ରା ଓ ଜେଜେ ଆଦିକନ୍ଦ. ସୁଇଚ ଟିପି ଦେଇ ହସ ଉକୁଟି ପଡେ ନାତି ମୁଁହଁରୁ. ଲିଫ୍ଟ ଗ୍ରାଉଣ୍ଡ ରେ ଲାଗିଲେ ଗେଟ ଯାଏଁ ଆଗେଇ ଯାଏ ଆଗେ ଆଗେ. ଗେଟ ଟପିଲା ପରେ କିନ୍ତୁ ଟିକେ କାଖ ହେବାକୁ ମନରେ ଥାଏ ତାର . ପିଲା କଣ ବୁଝେ ଯେ ଜେଜେମାଆ ଏଇ ଦୁଇମାସ ତଳେ ପଡିଯାଇ ବାମ ହାତ କାନ୍ଧ ଓ କଚଟି ପାଖରୁ ଭାଙ୍ଗିଛି ବୋଲି!ଟିକେ ଭଲ ଅଛି ହାତ ବୋଲିତ ସୁଭଦ୍ରା ପୁଅ ସରୋଜ ସଙ୍ଗେ କଲିକତା ବୁଲି ଆସିଛନ୍ତି ଓ ସକାଳୁ ସକାଳୁ ପକ୍ଷୀ ଖୋଜିବୁଲୁଛନ୍ତି. ପ୍ରଥମ ସକାଳୁ ଦୁଇ ଭଦଭଦଳିଆ ଙ୍କ ଡାକ ଓ ତାଙ୍କ ଖେଳ ଆଉ ଦେଖିବାକୁ ମିଳୁନି ବୋଲି ମନଦୁଃଖ ସୁଭଦ୍ରାଙ୍କର. କୁଆଡେ ଗଲେ ଯେ ପକ୍ଷୀ ଦୁଇଟା କିଛି ଜାଣିହେଲାନି ତ ସକାଳ ଟା ଭଲରେ କଟୁ ନକଟୁ ଅନ୍ତତଃ ସନ୍ଧ୍ୟାରେ ଟିକେ ମନ୍ଦିର ଆଡ଼େ ବୁଲିଆସିବା ପାଇଁ ବାହାରି ପଡିଲେ ସୁଭଦ୍ରା ଓ ସ୍ୱାମୀ ଆଦିକନ୍ଦ ତଥା ଟିକି ନାତି ବାବା ସଙ୍ଗେ. କଷ୍ଟେ ମଷ୍ଟେ ନାତି କୁ କେବେ ଚଲେଇ କେବେ ଅଳ୍ପ କାଖ କରି ଗଳି ଭିତର ଦେଇ ଚାଲି ଚାଲି ପହଂଚିଗଲେ ସେମାନେ ସେହି ବେଙ୍ଗଲି ସାହି ସବୁ ଦେଇ ନିର୍ଦ୍ଦିଷ୍ଟ ମନ୍ଦିରରେ. ମନ୍ଦିର ର ତିନି ଗୋଟି ପାର୍ଟ ଭିତରୁ ମଝିରେ କିଛି ଠାକୁରଙ୍କ ଭିତରେ ରାଧା କୃଷ୍ଣ ଙ୍କ ମୂର୍ତ୍ତି ଦେଖି ମନ ପୁରି ଉଠିଥିଲା. ଡାହାଣ ପଟେ ଦେବ ଦେବ ମହାଦେବ ଶିବଶଙ୍କର ଙ୍କୁ ମୁଣ୍ଡିଆ ମାରି ମନ ପ୍ରାଣ ସନ୍ତୁଷ୍ଟ ହୋଇ ଉଠୁଥିଲା ବେଳେ ବାମ ପାର୍ଶ୍ୱ ରେ ମାତାରାଣୀ ଙ୍କ ମୂର୍ତ୍ତି. ସେହି ତାଙ୍କ ନାମ କଣ କାହାକୁ ନପଚାରିପାରି ଦେଖିବାକୁ ଲାଗିଲେ ସୁଭଦ୍ରା ଭଲକରି ସେହି ମାଆ ଙ୍କ ମୂର୍ତ୍ତି, ଯିଏ ଉପଵେଶନ କରି ବସିଛନ୍ତି ଗାଈ ବା ଗୋମାତା ଙ୍କ ଉପରେ.ଏ କମନୀୟ ନମନୀୟ ମୂର୍ତ୍ତି ନିଶ୍ଚୟ ମାଆ ଲଷ୍ମୀ ନୁଁହଁନ୍ତି କି ବୀଣାଧାରୀ ତଥା ହଂସବାହିନୀ ସରସ୍ବତୀ ନୁଁହଁନ୍ତି କି ନୁଁହଁନ୍ତି କାଳୀ କି ଦୁର୍ଗା ଅବା ସମଲେଇ କି ତାରିଣୀ. ମନ କଥା ମନରେ ରଖି ସୁଭଦ୍ରା ଘରକୁ ଫେରି ବୋହୁ ରୋଜା କୁ ପଚାରି ବୁଝିଲେ ତାହା ଭାରତ ସେବା ସଙ୍ଘ ଦ୍ୱାରା ସ୍ଥାପିତ ମନ୍ଦିରଟିଏ . ଏତିକି ତ ବୁଝିଗଲେ ସୁଭଦ୍ରା ଯେ କଲିକତାରେ ଏହି ମନ୍ଦିର ର ନିର୍ମାଣ ଓ ପ୍ରତିଷ୍ଠା ଭାରତ ସେବା ସଙ୍ଘ ଆନୁକୂଲ୍ୟ ରେ ହୋଇଛି ମାନେ ନିଶ୍ଚୟ ଜଣେ ଭାରତୀୟ ଦେବୀ ମାତା କିନ୍ତୁ କିଏ ସେହି ଦେବୀ?ରୋଜା କି ସରୋଜ କହିପାରୁନଥିବା ବେଳେ ସୁଭଦ୍ରାଙ୍କ ମନ ଯେତେ ସନ୍ତୁଳିତ ହେଉଥିଲେ ମଧ୍ୟ ବୁଝିଯାଇଥିଲେ ଯା ହେଉ ସ୍ୱଳ୍ପ ଗହଳି ଭିତରେ ଭଲ ଦର୍ଶନ ହୋଇପାରିଛି ଆଜି. ଏହା ଭାବି କିନ୍ତୁ ମଝିରେ ମଝିରେ ମନରେ ପ୍ରଶ୍ନ ଉଠୁଥିଲା ସୁଭଦ୍ରାଙ୍କର ଯେ ଗୋମାତା ଉପରେ ବସିଥିବା ସେ ଦେବୀଙ୍କ ନାମ କଣ ହୋଇପାରେ!
ଯୋଗକୁ ତା ଆରଦିନ କଲିକତା ନବବର୍ଷ ଉପଲକ୍ଷେ ସେହି ମନ୍ଦିର ଆଗକୁ ଗଳି ଦେଇ ଆଉ କିଛି ବାଟ ଗଲେ ଆଉ ଗୋଟେ ମନ୍ଦିର ପଡିବ ଆଗକୁ ଓ ତାଙ୍କ ମନ୍ଦିର ସାମ୍ନା ପଡିଆରେ ଛୋଟକାଟିଆ ମେଳାଟିଏ ପଡିଥିବାରୁ ପରିବାର ସମସ୍ତେ ବାହାରିଥିଲେ ସ୍ଥାନୀୟ ମେଳା ଦେଖି. ଆଗେ ଆଗେ ସରୋଜ ଓ ରୋଜା ବାଟ କଢେଇ ଚାଲିଥିଲା ବେଳେ ପଛେ ପଛେ ଆଦିକନ୍ଦ ଓ ସୁଭଦ୍ରା ଦୁଇପଟେ ଟିକି ନାତି ବାବା କୁ ମଝିରେ ରଖି ଚାଲୁଥିଲେ.ତ ଆଗରେ ପଡୁଥିବା ସେହି ଦ୍ୱିତୀୟ ମନ୍ଦିର କୁ ଆଗ ଯିବେ କଣ ମେଳା ଭିତରେ ପଶିଲେ ଆଗ. ତାର କାରଣ ଲାଇଟ, ଦୋଳି, ଖେଳନା ସାଙ୍ଗକୁ ବାଜୁଥିବା ବାଜା ଥିଲା ଟିକି ନାତି ବାବା ପାଇଁ ମୁଖ୍ୟ ଆକର୍ଷଣ . ସେହି ମେଳା ଭିତରକୁ ପଶି ଆଦିକନ୍ଦ କିଣୁଥିଲେ କିଛି ପାଟିରେ ପକେଇବା ପାଇଁ ଯଥା ଚିନାବାଦାମ, ଚଣା ଓ ବୁଟ ଭଜା.ସରୋଜ, ତା ପୁଅ ବାବାକୁ ନେଇ ତା ମନଲାଖି ଖେଳନା କିଣୁଥିଲା ଯଥା ପ୍ଲାଷ୍ଟିକ ଅଟୋ, ଏରୋପ୍ଲେନଓ ରୋବର୍ଟ ତ ବୋହୁ ରୋଜା କିଣୁଥିଲା ଶଶୁର ଶାଶୁଙ୍କ ପାଇଁ ଚା କପ ଓ ଚାଇନା ଘଡି, ଲୁଣ ରଖିବାକୁ ଡାନିଂ ଟେବୁଲ ଉପରେ . ସୁଭଦ୍ରା ଦେଖୁଥିଲେ ବେଙ୍ଗଲି ଷ୍ଟାଇଲ ର ଧଳା ଓ ନାଲି ନାଲି ଶଙ୍ଖା. ସେପଟେ ମନ୍ଦିରରେ ବାଜା ବାଜୁଥିଲା ଢାଉଁ ଢାଉଁ ଢ଼ିଢ଼ାଉଁ ଢାଉଁ ତ ସମସ୍ତେ ଚାଲିଥିଲେ ମନ୍ଦିର ଆଡକୁ ଏଥର . ମନ୍ଦିର ରେ କି ସୁନ୍ଦର ସ୍ୱାଗତ ଭକ୍ତମଣ୍ଡଳୀ ସମସ୍ତ ଙ୍କୁ!ସମସ୍ତଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧେଇ ଦେଇ ନନା ମୁଗ୍ଧ ହେଲାବେଳେ ଟିକି ବାବା ହାତକୁ ପଇସା ବଢ଼େଇ ଦେଇଥିଲେ ଜେଜେ ଆଦିକନ୍ଦ. ପଇସା ପକେଇ ଟିକି ନାତି କି ସୁନ୍ଦର ପ୍ରଣାମ କରୁଥିଲା ଠାକୁର ଠାକୁରାଣୀ ସବୁଙ୍କୁ!ଏଇ ପ୍ରଭୁ ଶବ୍ଦ ହିଁ ତ ତା ପାଟି ଖୋଲିବାର ପ୍ରଥମ ଶବ୍ଦ ଥିଲା. ଏତିକି ବେଳେ ସୁଭଦ୍ରା ଚମତ୍କୃତ ହେଉଥିଲେ ରାଧା କୃଷ୍ଣ ଙ୍କ ପରି ତାଙ୍କ ପରିଚିତ ଠାକୁର ଙ୍କ ସହ ଅନ୍ୟାନ୍ୟ ଚିହ୍ନା ଅଚିହ୍ନା ଠାକୁର ଠାକୁରାଣୀ ଙ୍କୁ ସେହି ମନ୍ଦିର ଭିତରେ ଦେଖି . ସେଇଠି ବି ଥିଲେ ସେହି ପୂର୍ବ ବର୍ଣ୍ଣିତ ଠାକୁରାଣୀ ଯିଏ ଗାଈ ଉପରେ ଉପଵେଶନ କରିଥିଲେ. ସେପଟେ କାଳିସୀ ଲାଗି ଯାଇଥିଲା କିଛି ଐଶ୍ବର୍ଗୀକ ଭକ୍ତି ଭାବନା ରଖିଥିବା ଯୁବକମାନଙ୍କୁ ତ ସେମାନେ ନାଚୁଥିଲେ ଓ ଝୁମୁଥିଲେ ଭକ୍ତି ଭାବନା ରେ,ମାଦଳ ବାଜାର ତାଳେ ତାଳେ . ଆଦିକନ୍ଦ କହୁଥିଲେ ଏମିତିକା ସବୁ ଏ ଜୀବନର ରଙ୍ଗ.ସେତିକି ବେଳେ ସୁଭଦ୍ରା ପ୍ରଭୁ ଶୀକୃଷ୍ଣ ଓ ମାଆ ରାଧାରାଣୀ ଙ୍କୁ ମୁଣ୍ଡିଆ ମାରୁ ମାରୁ ତାଙ୍କ ମନରେ ଆସିଥିଲା ସେଇ ଗାଈ ଉପରେ ବସିଥିବା ଠାକୁରାଣୀ ମାଆ ନିଶ୍ଚୟ ମାଆ ରାଧାରାଣୀ. ଜୟ ମାଆ ରାଧାରାଣୀ କହି ନିଜେ ନିଜ ମନକୁ ବୁଝାଉଥିଲେ ସୁଭଦ୍ରା ଯେ ଗାଈ ଅର୍ଥାତ ଗୋମାତା ଙ୍କ ଉପରେ ଆଉ କିଏ ବସିପାରେ!ମାଆ ରାଧାରାଣୀ ଙ୍କ ବ୍ୟତୀତ!ଏତିକି ବେଳେ ସ୍ୱାମୀ ଆଦିକନ୍ଦ ଙ୍କ ଫୋନ କୁ ପୁଅର ସାଙ୍ଗ ଯାହାକୁ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଅଠୁ ଅଧିକା ଭାବନ୍ତି ସେହି ବଟୁ ଫୋନ କରିବା ଜାଣି ଟିକି ନାତି ବାବା କହୁଥିଲା ରାଧେ ରାଧେ ମାମୁଁ ରାଧେ ରାଧେ ମାମୁଁ. ଆଦିକନ୍ଦ ବାବୁ ପୁଣି ସେଇ ଏକା କଥା ଦୋହରାଇ କହୁଥିଲେ ଏମିତିକା ଏ ଜୀବନ ରଙ୍ଗଓ କଥା ହେଉଥିଲେ ବଟୁଙ୍କ ସହ ସୁଭଦ୍ରା କିନ୍ତୁ ପଛକୁ ଦୌଡୁଥିଲେ ଭୁଲିଯାଇଥିବା ସେ କାଳସୀ ଲାଗିଥିବା ଯୁବକ ମାନଙ୍କ ଉଦେଶ୍ୟ ରେ କିଛି ଟଙ୍କା କି ପଇସା ଦେବାକୁ ଯାହା ଶ୍ରଦ୍ଧା ଭକ୍ତିର ପ୍ରେମ ଫୁଲ ତୁଲ୍ୟ, ଯାହାର କିଛି ମୂଲ୍ୟ ନଥିଲା ତାଙ୍କ ନିଜ ପାଇଁ ଓ ସେ ନିଜେ ଉଚ୍ଚାରଣ କରୁଥିଲେ କେବଳ ଜୟ ଜୟ ମାଆ ରାଧେ ରାଧେ .
