କାନ୍ଦୁରୀ ଝିଅ
କାନ୍ଦୁରୀ ଝିଅ
ବାପା ଯେବେ ସୁରଭି କୁ ମାମୁଁଘର ଆଣିଥିଲେ ବୁଲିବାକୁ କହି ଖୁସିରେ ପାଗଳ ହୋଇଯାଇଥିଲା ସେ. ବାପା କିନ୍ତୁ ଆଉ କେବେ ଆସୁନଥିଲେ ତାକୁ ଫେରେଇନେବାକୁ ତ ମାମୁଁଘର ସବୁ ମଜା ଭିତରେ ବି ସୁରଭି ଏଣିକି କାନ୍ଦୁଥିଲା.ସେଇ କାନ୍ଦିଲା ଯେ ତା ଆଖିରୁ ଆଉ ଲୁହ ଶୁଖିଲାନି. ଆଗରୁ ମାମୁଁଘରକୁ ଆସିଲେ ଯୋଉ ମଜା ସବୁ ଥିଲା ସେ ମଜା ସବୁ ପଦ୍ମ ଘୁଞ୍ଚିଲା ପରି ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା ସୁରଭି ର ମନ ଓ ହୃଦୟ ତନ୍ତ୍ରୀରୁ. ବାପା ଆସୁନଥିଲେ. ମାଆ ମନେପଡ଼ୁଥିଲା ବେଳେ ମାଆ ଚାଲିଯିବାର ଖବର ତା ଆଖିର ଲୁହକୁ ଅଧିକ ଗାଢ଼ କରିଥିଲା. ଭାଇ ଜନ୍ମ ନେଲା ପରେ ମାଆ ମରିଯିବା ଓ ବାପା ଦ୍ୱିତୀୟ ବିବାହ କରିବା ଇତ୍ୟାଦି ଖବର ଗୁଡିକ ତାକୁ କାନ୍ଦୁରୀ ଝିଅର ସଂଜ୍ଞା ଦେଇ ସବୁଦିନ ପାଇଁ ମାମୁଁଘରେ ରହିବାକୁ ବାଧ୍ୟ କଲା. ମାମୁଁଙ୍କ ବାହାଘର ଖୁସି ଟିକକ ମଧ୍ୟ ବେଶି ଦିନ ରହିଲା ନାହିଁ ଯେବେ ମାମୁଁଙ୍କର ପ୍ରଥମ ସନ୍ତାନ ଝିଅ ହେଲା ଓ ଦୋଷ ସୁରଭିର ହେଲା. ସବୁବେଳେ ସୁରଭି ମୁଁହଁ ଚାହିଁ ଚାହିଁ ମାଇଁ କୁଆଡେ ଝିଅ ଜନ୍ମ କଲେ ବୋଲି ଦୋଷ ତାର ଥିଲା.ଆଈ ନଥିଲେ କୋଳକରି ସୁନାନାକି ନାତୁଣୀ ବୋଲି କହି ଲୁହ ପୋଛିଦେବାକୁ କି ଅଜା ନଥିଲେ ବଜାର ନେଇ ମିଠେଇ କି ଲଡ଼ୁ କିଣିଦେବାକୁ.ଲୁହ ନଦୀ ରେ ସୁରଭିର ଦୁଇ ଆଖି ଭିଜିଲା ବେଳେ ମାଇଁ ସାନ ଭଉଣୀର ଦାଇତ୍ୱ ତାକୁ ହସ୍ତାନ୍ତର କରିସାରିଥିଲେ ଓ ସେଥିପାଇଁ ସୁରଭିର ପାଠ ପଢ଼ାରେ ଡୋର ବନ୍ଧା ହୋଇଗଲା. ସେ କାନ୍ଦୁଥିଲା ଭିତରୁ, ଯାହା ଆଉ କାହାକୁ ଦେଖାଯାଇ କାନ୍ଦୁରୀ ଝିଅର ଲୁହ ବାହାରକୁ ଦିଶୁ ନଥିଲେ ମଧ୍ୟ ସୁରଭି କାନ୍ଦୁଥିଲା ଅନ୍ତରରୁ. ସେଦିନ ବାପାଙ୍କ ବାଇକ ପଛପଟେ ବସି ମାମୁଁଘରକୁ ଆସିବାର ମଜା ସବୁଦିନ ପାଇଁ ଲୁହ ନଦୀ ହୋଇ ବହିବ ଏକଥା ଜଣାନଥିଲା. ସାନ ଭଉଣୀ ର ଯାବତୀୟ କାମ କରୁ କରୁ ସେ ବଢୁଥିଲା ଅୟସରେ ଓ ସମୟକ୍ରମେ ଅପାର ପ୍ରତିଦ୍ବନ୍ଦୀ ସାଜିବାକୁ ଟିକେ ବି କୁଣ୍ଠାବୋଧ କରିନଥିଲା.ବଡ଼ ଭଉଣୀ ଥାଉ ଥାଉ ସାନ ଭଉଣୀ ବାହା ହୋଇ ଘର ସଂସାର କରୁଥିଲା ଆଉ ସୁରଭି ପିଲାଦିନ ମନେପକେଇ ଶ୍ରାବଣୀ ସାଜିଥିଲା.
ସେପଟେ ଭାଇ ବାହାଘର ସରିଥିଲା ଆଉ ସାବତ ମାଆ ମଧ୍ୟ ଆରପୁରକୁ ଚାଲିଯାଇଥିଲା. ତାଙ୍କ ଗାଁର ପଦନା ମଉସା ଦିନେ ମାମୁଁଘର ଗାଁରେ ଦେଖା ହୋଇଗଲେ ସୁରଭିର ତ ତାଙ୍କୁ ବାପାଙ୍କ କଥା ନପଚାରି ରହିପାରିଲେ ନାହିଁ ପଦନା ମଉସା କହିଲେ ତୋ ବାପା ଦୀନବନ୍ଧୁ ବାବୁଙ୍କ ଅବସ୍ଥା ଜମା ଭଲ ନାହିଁ. କଳିହୁଡି ବୋହୁ ତାଙ୍କ ସେବା ଯତ୍ନ ବଦଳରେ ସବୁବେଳେ ତୁମ ପେନସନ ପଇସା କୋଉ ଖରଚ ରେ ଲାଗୁଛି କି କହି ହିସାବ ମାଗୁଛି. ତୋର ମନେ ଥିବ କି ନାହିଁ ଝିଅ,ଦୀନବନ୍ଧୁ ବାବୁଙ୍କର କୌଣସି ନିଶାପାଣି ସିନା ନାହିଁ କିନ୍ତୁ ବାହାରେ ହଉ ଘରେ ହେଉ ଭଲ ଖାଇବେ ଓ ସାଙ୍ଗ ସାଥି ଙ୍କୁ ଖୁଆଇବେ ତା ଛଡା ଘରକୁ ମଧ୍ୟ ଆଣିବେ. ବୋହୁ ସେହି କଥାକୁ ନେଇ ପାଟିତୁଣ୍ଡ କରୁ କରୁ ଏବେ ଭାଗ୍ୟ ଯୋଗ ଓ ସମୟର କ୍ରୁର ହସକୁ ଦଇବ ଦୀନବନ୍ଧୁ ବାବୁଙ୍କୁ ଆକର୍ମଣ୍ୟ କରିଦେଇଛି ଯେମିତି. ବାପାଙ୍କର ତୋର ଲୋ ଝିଅ ଆଣ୍ଠୁ ଗଣ୍ଠି ଆଉ ଚଳୁନି. ବଡ଼ କଲବଲ ହେଉଛନ୍ତି ବିଚରା. ତତେ କିନ୍ତୁ ମନେପକାଅଇ ଖୁବ କାନ୍ଦୁଛନ୍ତି ଓ କହୁଛନ୍ତି ଝିଅ ମୁଁହଁ କୁ ଚାହିଁ ଦ୍ୱିତୀୟ ବିବାହ ନକରିଥିଲେ ଆଜି କେତେ ସୁଖରେ ଥାଆନ୍ତି. ଏସବୁ ଶୁଣି ସୁରଭି ଆଖିରେ ଧାରା ଶ୍ରାବଣ କିନ୍ତୁ ବାପାଙ୍କୁ ଦେଖି ଯିବାକୁ କହିବାରୁ ମାଇଁ ନାହିଁ ନଥିବା ପୁରୁଣା କ୍ଷତ ଉଖୁରେଇ ଏମିତି କହିଲେ ଯେମିତି ସେ ବାପାଙ୍କ ସାବତ ଝିଅ ବା ତା ବାପା ତାର ସାବତ ବାପା. ପିଲାଦିନେ ବାଟ ଘାଟ ଜାଣିନଥିଲା ବୋଲି ଘର ମନେପଡିଲେ ଯାଇ ପାରିନଥିଲା. ପୁଣି ବଡହେବା ପରେ ଅଭିମାନ ରେ ଗୋଡ଼ ପଡ଼ିନଥିଲା ଗାଁ ଆଡ଼େ. ଆଉ ଏବେ ସେ କାନ୍ଦିବା ଛଡା ତାର ଆଉ କିଛି ଉପାୟ ନଥିଲା.
ଭାଇ ଯୋଉଦିନ ତାକୁ ବାପା ଖୋଜୁଛନ୍ତି କହି ନେବାକୁ ଆସିଥିଲା ମାଇଁ ଆଉ ଅଟକେଇ ପାରିନଥିଲେ ସୁରଭିକୁ. ସୁରଭି ଏବେ ତାଙ୍କ ଘରକୁ ଚାଲିଗଲେ ମାମୁଁ ଙ୍କ ବିନା ଏତେବଡ ଘରର ଦାଇତ୍ୱ ଏକା ମାଇଁ ବୁଝିବା ସହଜ କଥା ନଥିଲେ ମଧ୍ୟ ସୁରଭିର କାନ୍ଦ ଓ ସାହି ପଡୋଶୀଙ୍କ ମନ୍ତବ୍ୟ ଆଉ ମାଇଁ ଙ୍କୁ ରୋକି ପାରିନଥିଲା ତ ସୁରଭି ଭାଇ ଯିବାର କିଛି ଦିନ ପରେ ଘରେ ଯାଇ ପହଁଞ୍ଚି ଥିଲା. ସେ ପହଁଚିଲା ବେଳକୁ କିନ୍ତୁ ବାପାଙ୍କ କୋକେଇ ପ୍ରସ୍ତୁତ ହେଉଥିଲା. ଭାଇ ହାତରେ ମୁଖାଗ୍ନି ଦେବା ଜିନିଷ ପତ୍ର ଧରି ଆଗେଇଯାଉଥିଲା. ଭାଉଜ ଗୋବର ପାଣି ପକେଇବାକୁ ଉଦ୍ୟତ ହେଉଥିଲା ବେଳେ ସୁରଭିର ବହୁନା ଶବ୍ଦ ସୁଦୂର ମଶାଣୀ ଥରେଇଦେଉଥିଲା ବେଳେ ଆଖି ଲୁହ ନଈ ହୋଇ ସତେ ବନ୍ୟା ପ୍ଳାବିତ ହେଉଥିଲା ଗାଁ ଗୋଟାକ ସାରା.
