କାଲି କହୁ କହୁ ଆଜି ସତସତିକା ସଜ କଖାରୁ ଫୁଲ ମେଞ୍ଚାଏ ତୋଳି ଆଣିଦେଇଥିଲା ବାସନ୍ତୀ ପାହାନ୍ତି ପହର ସକାଳୁ ସକାଳୁ . ବାଛୁଛ କଣ ଯେ ମାଆ ଏତେ କହୁଥିଲା ତ ପବିତ୍ରା ଦେଖେଇ ଦେଉଥିଲେ ପୋକ ସବୁକୁ କଖାରୁଫୁଲ ଭିତର ପାଖୁଡ଼ାରେ ଓ ଡେମ୍ଫ ଫୁଲ ଗଭୀରରେ. ମାଆ ପୋକ ପୁଣି ବଞ୍ଚିବେ ନା ନାହିଁ. ଆଲୋ ବାସନ୍ତୀ ଆଖି ଥିଲା ଯାଏଁ ବାଛି ବୁଛି କରୁଥିବା ବାର୍ଦ୍ଧକ୍ୟ ଆସିଗଲେ ଆଉ କୋଉ ବାଛି ହେବ ଏସବୁ!ମାଆ ଭୋଜି ଭାତ ରେ କୋବିରୁ କଣ କେହି ପୋକ ବାଛୁଥିବେ? ସେଇଥି ପାଇଁ ପରା ମୁଁ ଭୋଜିରେ କୋବି ଖାଏନି ଲୋ ବାସନ୍ତୀ. ତୁମର ଯେଉଁ କଥା ନା ମାଆ, ଏତେ ବାଛି ବାକୁ ମତେ ବେଳ କାଇଁ. ହଉ ତୋ କଥା ସେତିକି ଥାଉ ପଖାଳ ଖାଇବୁ ଆ.ତୋର ଏଇ କଥା ଭିତରେ ପିଠାଉ ଦେଇ କଖାରୁ ଫୁଲ ଭାଜି ସାରିଲିଣି ପରା ମୁଁ. ମାଆ ଆଣୁ ଆଣୁ ବାଛି ବୁଛି ସତସତିକା କଖାରୁ ଫୁଲ ବରା କରିସାରିଲଣି ଯେ ତୁମେ ହେଲେ ମୋ ଭାଗ୍ୟରେ ଆଜି ନାହିଁ ପଖାଳ ଖିଆ . ଆମର ଆଜି ଭୋଜି ଅଛି ମାଆ. ଯଦି ଦେବ ଖାଲି ଭଜା ଦିଟା ଦିଅ.ମୋ ଭାଗ ପଖାଳ କାଲି ଖାଇବି. ଲିମ୍ବ କଢ଼ ଭାଜିଦେବ ଯେ ତାକୁ ଲଗେଇ ମୋ ପଖାଳ ଖିଆ ଦିବସ ତ ସବୁଦିନ କିନ୍ତୁ ଲଗେଇ ଖିଆ ଟା ଭିର୍ନ୍ନ ଭିର୍ନ୍ନ ବୋଲି ମୋ ପଖାଳ ଖିଆ ମଧ୍ୟ ଭିର୍ନ୍ନ.ହଉ ହଉ କହି ପବିତ୍ରା କଖାରୁ ଫୁଲ ବରା ଚାରିଟା ବଢ଼େଇ ଦେଇ ବାସନ୍ତୀ କୁ. ବାସନ୍ତୀ ଖାଇସାରି କଣ ଟିକେ କାମ ସାରି ଚାଲିଗଲା ଭୋଜିକୁ. ଭୋଜିରେ ତାର ଦାଇତ୍ୱ ଅନେକ. କାଟିବ ବାଟିବ ପୁଣି ଯୋଗାଣିଆ ହେବ. ଏ କଣ କମ କଥା. ଭୋଜି ଖାଇବ ପୁଣି ବଳକା ଘରକୁ ନେବା ଖୁସିରେ ବାସନ୍ତୀ ତ ଗଲା ତା ପଖାଳ ସାଇତିବାକୁ ଲାଗିପଡ଼ିଥିଲେ ପବିତ୍ରା.
ତା ଆରଦିନ ବାସନ୍ତୀ ଆସିଲା ଢେର ଉଛୁର କରି ତ ପବିତ୍ରା କହିଲେ ଆଜି କଣ ତୋ ଭୋଜି ଖିଆ ନିଦ ଭାଙ୍ଗିଲାନି ନା କଣ ଲୋ ବାସନ୍ତୀ. ମାଆ କି ଭୋଜି!ତୁମେ କାଲି କଖାରୁ ଫୁଲ ଦିଟା କୁ କେଡେ ସୁନ୍ଦର ବାଛି ବୁଛି ବରା କରିଥିଲ ଯେ ମୁଁ ଭୋଜି ଖାଇବି ବୋଲି ପଖାଳ କୁ ନା କହି ଚାଲିଗଲି ହେଲେ ମାଆ କୋବି ଚିଲ୍ଲି ରେ କି ପୋକ ମାଆ. ତମରି କଥାରେ ସତସତିକା ମୋରି ପଟ ପତରରେ ଦୁଇ ଚାରିଟା ପୋକ ଦେଖି ଆଉ କି ଭୋଜି ଖାଇବି!କାଇଁ ତୁ ନିଜେ ପରା କୋବି କାଟିବା ଦାଇତ୍ୱ ନେଇଥିଲୁ, ବାଛି ବୁଛି କାଟିଲୁନି!ମାଆ ସେ କଣ ଅଳ୍ପ କୋବି ଯେ ମୁଁ ଏକା କାଟିବି!ଦଶ କି ବାର ସରିକି ମହିଳା ମୋ ପରି ସବୁ ପନିକି ପକେଇ କାଟୁଥିଲେ. ମୁଁ ସିନା ତୁମଠୁ ଶିଖି ଗୋଟି ଗୋଟି ଦେଖିଦାଖି କାଟୁଥିଲି ହେଲେ ଅନ୍ୟମାନେ ପରା ଭୋଜିରେ ଏତେ ବଛା ବଛି କଣ କହି ତରତର ହେଉଥିଲେ. ମୋ ଭାଗ୍ୟକୁ ପତରରେ ତିନିଟା ପୋକ ଦେଖି ଆଉ କି ଖାଏ. କାଳେ କିଏ କଣ ଭାବିବ ବୋଲି କ୍ଷୀରି ଓ ଖଟା ଖାଇ ଉଠିଲି. ଦେଲ ଦେଲ ଆଗ ମତେ ପଖାଳ ଦିଟା. ଆଜି ମୁଁ ଦହି ପଖାଳ କରିଛି. ଛୁଙ୍କ ଦିଆ ପଖାଳ . ବାଛି ବୁଛି ସଜନା ଶାଗ ଓ ନଡ଼ିଆ ବରା ତା ସାଙ୍ଗକୁ ଛୁଇଁ ଆଳୁ ଭଜା କରିଛି. ଆ ଖାଇବୁ. ଖାଉ ଖାଉ ତୃପ୍ତି ରେ ବସନ୍ତୀ କହୁଥିଲା,କି ଶାନ୍ତି ମାଆ. ତୁମ ହାତରେ ସତସତିକା ଲଷ୍ମୀ ଅଛନ୍ତି. ଆରେ ନାହିଁ ଅଳ୍ପ ଜିନିଷ ହେଲେ ସବୁ ବାଛି ବୁଛି ଧୋଇଧାଇ କରିହେବ. ଗୋଠମାଠିଆ ରୋଷେଇ ମଧ୍ୟ ଖୁବ ସ୍ୱାଦିଷ୍ଟ. ବାସନ୍ତୀ ଆଉ କିଛି ନକହି ଉଠିଥିଲା ପଖାଳ ଖିଆରୁ. ଅନେକ ପାଇଟି କରିବାକୁ ବାକି ରହିଛି ତା ପାଇଁ. ମନେ ମନେ ଭାବୁଥିଲା ସତସତିକା ଆମ ଓଡ଼ିଆଙ୍କ ପଖାଳ ମୁଠେ ରେ ଯେଉଁ ଶାନ୍ତି ଓ ତୃପ୍ତି କୋଉ ଭୋଜି ଭାତ ରେ ନାହିଁ.ପଖାଳ ଖାଇ ବାସନ୍ତୀ ତା ଘରକୁ ଯିବା ପରେ ପବିତ୍ରା ମଧ୍ୟ ସ୍ୱାମୀ ପୁଅଙ୍କୁ ପଖାଳ ବାଢି ନିଜେ ଖାଇସାରିବା ପୂର୍ବରୁ ସାଙ୍ଗ ଶତାବ୍ଦୀ କୁ ଡାକିଥିଲେ ପଖାଳ ଖାଇବାକୁ ମିଶିକି ଏକାଠି.
କାହା ଜୀବନ କେମିତି ଚାଲୁ ଚାଲୁ ଶତାବ୍ଦୀ ଜୀବନ ଵି ଚାଲୁଥିଲା. ନିସଙ୍ଗତା ରେ ପରିପୂର୍ଣ୍ଣ ଜୀବନ ରେ ସେହି ସବୁଜ ରଙ୍ଗ ର ଲଫାପା ଭିତରେ ଗୋଲାପୀ ଚିଠିଟା ତାକୁ ଜୀବନର ଫଗୁଣ ଦେଖେଇଦେଉଥିଲା. ସୂର୍ଯ୍ୟଙ୍କ ଦକ୍ଷିଣା୍ୟାନ ଓ ଉତ୍ତରାୟଣ ଗତି ପରି ପ୍ରତ୍ୟେକ ଜୀବନ ଆରମ୍ଭ ହୁଏ ସେଇ ଚାଟଶାଳୀ ପାଠ ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି. ଶତାବ୍ଦୀ କିନ୍ତୁ କାହାକୁ କହିବ ସତ ବରଂ ସତ୍ୟ ଚେତନା ଓ ଚୈତନ୍ୟ ଉଦ୍ରେକ ହେବା ପୂର୍ବରୁ ସେ ଭାବି ବସେ ସେଇ ସତ୍ୟ ଉପଲବ୍ଧି ପାଇଁ ଘର ଛାଡ଼ିଥିବା ବୁଦ୍ଧଦେବ ଙ୍କ କଥା. ରାଜପୁତ୍ର ପୁଣି ଯଶୋଧାରା ପରି ପତ୍ନୀ ଓ ଶିଶୁପୁତ୍ର ରାହୁଳ ତଥାପି ଜୀବନରେ କୋଉ ଗତି ପ୍ରାପ୍ତି କରି ଶାନ୍ତି ପାଇବାକୁ ଘର ଛାଡ଼ି ସନ୍ୟାସୀ ହୋଇଗଲେ ବୁଦ୍ଧ!ସତ୍ୟର ସନ୍ଧାନ ପାଇ ସତ୍ୟଚେତନା ଦେଇ ଲୋକେ ଯଦି ସଂସାର ରେ ନରହିବେ କି ସଂସାର ପ୍ରତି ବିମୁଖ ହେବେ ତେବେ ଜୀବନ ଏମିତି ଚାଲିବ କେମିତି!ଆଗକୁ ବଢିବ କେମିତି!ଯେମିତି ବୁଦ୍ଧ ବୌଦ୍ଧ ଧର୍ମ ର ସତ୍ୟ ଚେତନା ପାଇ ରାଜବାଟୀ କୁ ଫେରିଆସିବା ପରେ ଯଶୋଧାରା ଙ୍କର ଏକମାତ୍ର ପ୍ରଶ୍ନ ଥିଲା ସଂସାର ରେ ରହି ସାଂସାରିକ କର୍ତ୍ତବ୍ୟ ବୋହି ଵାଟ ଚାଲୁ ଚାଲୁ କଣ ସତ୍ୟ ଉପଲବ୍ଧି କରି ହେବନି!ବୁଦ୍ଧ ଙ୍କ ପାଟିରୁ ବଚନ ବାହାରିନଥିଲା କେବଳ କହିଥିଲେ ବୁଦ୍ଧ ଶରଣମ ଗଛାମି... ସଙ୍ଘମ ଶରଣମ ଗଛାମି.ଆଜି ଶତାଦ୍ଦୀ ମଧ୍ୟ ଭାବୁଥିଲା ସେ ଯଶୋଧାରା ନୁଁହଁ. ତାର କିନ୍ତୁ ମାଙ୍ଗଳିକ କର୍ମ ପୂର୍ବରୁ ଅସିତ ସନ୍ୟାସ ଗ୍ରହଣ କରିନେଲେ. କାହିଁକି ର ଉତ୍ତର ପାଇନି ସେ କି ଆଉ କାହା ହାତ ଧରି ବାଟ ଚାଲିବାକୁ ଚାହିଁନି ସେ. ଏମିତି ରେ ସେ ରୋଜଗାରକ୍ଷମ ଆଉ ତା ସାଥିରେ ସେଇ ସାତଗଣ୍ଠି ଧନ ଅସିତ ର ମଳିଚିଆ ଧରି ଆସୁଥିବା ସେଇ ଚିଠି ଖଣ୍ଡକ ତ ତାର ସର୍ବସ୍ବ. ସେଇ ଚିଠିଟିକୁ ପଢି ସେ ତା ଭିତରେ ପାଏ ଖରାର ଦହନ, ବର୍ଷା ଛିଟା ର କମ୍ପନ ଶୀତ ର ସମ୍ବେଦନ ବସନ୍ତ ର ଆଗମନ ସହିତ ଶରତ ହେମନ୍ତ ର ମିଶ୍ରଣ. ସେଇ ଚିଠି ଟି ହିଁ ତାକୁ ବଞ୍ଚିବାର ପ୍ରେରଣା, ଭାବିବାର ଯୋଜନା ପୁଣି ସୁସାହିତ୍ୟ ର ଚେତନା ଆଣିଦିଏ. ନାଲି ପାଟ କନା ଗୁଡା ସେଇ ଚିଠି ଖଣ୍ଡକ ତ ତା ଜୀବନ. ତାକୁ ନେଇ ଏମିତି ବାଟ ଚାଲୁଛି ଶତାବ୍ଦୀ ଏକୁଟିଆ. ଏଇ ସହରରେ ନିଃସଙ୍ଗ ରେ ତ ଆଜି ତା ସାଙ୍ଗ ପବିତ୍ରା ହାତରୁ ଏକାଠି ପଖାଳ ଖାଇବାକୁ ନିମନ୍ତ୍ରଣ କୁ ଏଡାଇ ନପାରି ସତସତିକା ଜୀବନ ର ପୂର୍ଣ୍ଣତା ବିଷୟରେ ସାଙ୍ଗ ପବିତ୍ରା ସହ ପଖାଳ ଖିଆ ସହ ଆଲୋଚନା କରିବାକୁ ବାହାରିଥିଲା ଶତାବ୍ଦୀ.
ତତେ ଅପେକ୍ଷା କରି କରି ରହିଛି ଲୋ ବାସନ୍ତୀ . ବିରି ଚାଉଳ ବତୁରେଇନି କି ଚିତା ପଇତା ପଡ଼ିବାକୁ ଘରଦ୍ୱାର ପରିଷ୍କାର ହୋଇନି. ମୁଁ କଣ କରିବି ମାଆ!ଆମ ସାଇ ଟା ସାରା ପଡୁଛି ଉଠୁଛି.ପଡୋଶୀ ଘର ବୁଢ଼ୀର ଜୀବନ ଛାଡ଼ୁନଥିବା ବେଳେ ଏକୋଇର ବଳା ବିଶିକେଶନ ପୁଅ ତାର କହୁଛି କେତେ ପାପ କରିଛି ସହଜେ ଜୀବନ ଯିବ କୁଆଡୁ? ପୁଅ ହୋଇ ଏମିତି କେମିତି କହୁଛି ଲୋ ବାସନ୍ତୀ . କେମିତି କହିବନି କହିଲ ମାଆ! ବୁଢ଼ୀର କରି କରି ନୟାନ୍ତ ହେଲାଣି. ଆଉ ପାଞ୍ଚଟା ପୁଅ ପରି ହୋଇଥିଲେ ଅନାଥଆଶ୍ରମ କୁ ଛାଡ଼ି ସାରନ୍ତାଣି. ଏ ପୁଅ ବୋଲି ସବୁ କରୁଛି. କେତେ କରିବ. ହଉ ମାଆ ବୁଢ଼ୀ କଥା ପଛରେ ମୋ କାମ ସାରେ ଆଗେ ମୁଁ. କାଲି ତୃତୀୟ ପାଳି ଗୁରୁବାର. ଧୁଆ ମଜା ପୋଚ୍ଛା କଲେ ତୁମେ ଝୋଟି ଚିତା ଦେବ, ବିରି ଚାଉଳ ବତୁରେଇ ପିଠା କରିବ. ତୁମ ହାତ ପୁଳି ଯିଏ ଖାଇଥିବ ଝୁରୁ ଥିବ ପରା ମାଆ କହୁ କହୁ ପାଇଟି ସାରୁଥିଲା ବାସନ୍ତୀ ହେଲେ ପବିତ୍ରା ଭାବୁଥିଲେ ଶେଷ ଜୀବନ କଥା.ବୟସ ନହୋଇ ମରିଗଲେ ଯେମିତି ଅସୁବିଧା ବୟସ ହୋଇ ମରିବା ବି ସେତିକି ଅସୁବିଧା. ଧନ୍ୟ ଭାଗ୍ୟ ବିଧାତା. କାହାକୁ କନ୍ଦାଏ କାହାକୁ ହସାଏ ସେଇ ଏକା ଜାଣିଥାଏ. ପଚାରି ବସିଲେ ପବିତ୍ରା .ଆଲୋ ବାସନ୍ତୀ ବୁଢ଼ୀର କଣ ବୋହୁ ନାହିଁ? ସେଉଠି ତ କଥାଟା ମାଆ. ବୋହୁ ଅଛି ହେଲେ ସେ ପରଝିଅ ନା ମାଆ. ଏଇଥି ପାଇଁ ପୁଅ ଯେତିକି ଦରକାର ଝିଅ ମଧ୍ୟ ସେତିକି ଦରକାର. ତା ସାଙ୍ଗକୁ ନିଜର କରମ ଓ ଧରମ. ଧରମ କଣ ସେ ବୁଢ଼ୀ କରୁନଥିଲା କି ବାସନ୍ତୀ ? କରୁଥିଲା ମାଆ. ହେଲେ ସେ କରମ ଅପେକ୍ଷା ପୁଣ୍ୟ ର କରମ ଅଲଗା କଥା ମାଆ. ତୁମ ନିଜ ପାଇଁ କାର୍ତ୍ତିକ କରିବା ବା ନିଜ ପାଇଁ ପୁଣ୍ୟ ଅର୍ଜ୍ଜନ କରିବା ଅପେକ୍ଷା ଅନ୍ୟ ପାଇଁ କେତେ କରିଛ, ଦାନ ଦେଇଛ କି ଦକ୍ଷିଣା ଦେଇଛ ସେଇଟା ପରା କୁଆଡେ ବେଶି ଧରମ ମାଆ. ତୁମ ଘରେ ତୁମ ଆବଶ୍ୟକତା ଠାରୁ ଅଧିକ ଶାଢ଼ୀ, ଧୋତି ଚାଦର ନସାଇତି କୁଆଡେ ଅନ୍ୟକୁ ଦେଲେ ହିଁ ପୁଣ୍ୟ. ବୁଢ଼ୀର ଆମ୍ବ ପଣସ ନଡ଼ିଆ ଗଛ କାଁହିରୁ କଣ ହେଲେ ଆମ୍ବ ଖାଇ ବିକି ବାକୁ ରଖିବ ସେଯାଏଁ ଯେତେବେଳ ପର୍ଯ୍ୟନ୍ତ ପଚା ହେବାଯାଏଁ ପଛେ କାହାକୁ ଦିଇଟା ହାତ ଟେକି ଦେବନି ପରା ମାଆ. ଏବେ ବୁଢ଼ୀର କଲବଲ ଦେଖି ଲୋକେ ଏମିତି ସବୁ କହିବାରୁ ମୁଁ ସବୁ ଜାଣୁଛି ମାଆ. ସେଇଥି ପାଇଁ ସକାଳେ ତୋଳୁଥିବା ଫୁଲରୁ ମୁଠେ ମୁଠେ ଦେଇ ଦେଇ ଆସୁଛି ପରା ମାଆ. ହଉ ମୁଁ ଯାଏ କହି ପୁଣି ହାତ ବଟାଉଥିଲା ବାସନ୍ତୀ ତ ପବିତ୍ରା କହୁଥିଲେ ବୁଢ଼ୀ ପାଇଁ ଚାଦର ଶାଢ଼ୀ ରଖିଥିବି ନେଇଯିବୁ କାଲି.ଆଜି ତୋ ପାଇଁ ପଖାଳ ବାଢି ଦେଇଛି ଖାଇକି ଯାଆ, କାଲି ସଅଳ ଆସିବୁ.
କାଲି ଆସିଲା ଲଷ୍ମୀ ପୂଜା ନେଇ,ହେଲେ ବାସନ୍ତୀ ଆସୁନଥିଲା ଫୁଲ ଦିଟା ନେଇ. ତାକୁ ଅପେକ୍ଷା କରି କରି ବାଳ, ମଧ୍ୟାହ୍ନ ଓ ଅପରାହ୍ନ ଧୂପ ସରିଲାଣି ପବିତ୍ରା ଙ୍କର ହେଲେ ଫୁଲର ଦେଖା ନାହିଁ.ଶେଷକୁ ବାସନ୍ତୀ ଆସିଲା. ବାକି କାମ ଧଡ଼ପଡ଼ କରି, କ୍ଷୀରି ଖେଚେଡ଼ି, ପିଠା, ମିଠା ଖାଇସାରିଲା ପରେ ପବିତ୍ରା କହିଲେ ବୁଢ଼ୀ ପାଇଁ ଏ ଚାଦର ଓ ଶାଢ଼ୀ ନେଇଯା ବାସନ୍ତୀ . ଶୀତ ରାତିକୁ ରୋଗୀଣା ବୁଢ଼ୀ ସେଥିରେ ଅଭାବୀ ସଂସାର, ନେଇଯା ଦେଇଦେବୁ. ମାଆ ଆଜି ପରା ଗୁରୁବାର. ଘରୁ ପୁରୁଣା ଜିନିଷ ଦେଇଦେଲେ ଲଷ୍ମୀ ଚାଲିଯିବେନି. ନାଇଁଲୋ ବାସନ୍ତୀ ଲଷ୍ମୀ ମାଆ ପରା ତୁମ ଭକ୍ତି ଓ ଭାବରେ ବନ୍ଧା ହୋଇ ତୁମ କରମ ଓ ଧରମ ପରୀକ୍ଷା କରନ୍ତି. ଶୁଣିନୁ କି ତୁ!ହଁ ମାଆ ଶୁଣିଛି ବଳାରାମ ଦାସ ଲେଖିଥିବା ଲଷ୍ମୀ ପୁରାଣ କଥା ତ ସେଇଥି ପାଇଁ କହିଲି. ଆଲୋ ନାହିଁ. ଆମ ଓଡ଼ିଆଣୀ ମାନଙ୍କ ଲଷ୍ମୀ ପୂଜା ଦେଖି ପଡୋଶୀ ମହିଳା ଜଣେ ତାଙ୍କ ଦାରିଦ୍ର୍ୟ କାଟିବା ପାଇଁ ଵିଧି ବିଧାନ ଓ ଶ୍ରଦ୍ଧାର ସହ ଲଷ୍ମୀ ପୂଜା କରୁଥିବା ଦେଖି ମାଆ କମଳିନୀ ଦୁଇ ପାଦ ପକେଇ ସେହି ଘରେ ଷୋଳ କୋଠି ପଦ୍ମ ଉପରେ ଉଭା ହେବା ଦେଖି ସେ ଘର ସ୍ତ୍ରୀ ଲୋକ ଖୁବ ଆନନ୍ଦ ରେ ଅଧୀର ହୋଇ କହିଲେ ସବୁଦିନ ଆମ ଘରେ ରହିଯାଆନ୍ତୁ ମାଆ. ଲଷ୍ମୀ ମାଆ ହସିଲେ ଓ କହିଲେ ତୁମ ପରି ଅନେକ ଶ୍ରଦ୍ଧାଳୁ ମତେ ଚାହିଁଥିବେ, ମୁଁ ଯିବି ହେଲେ ପାଣି ଗ୍ଲାସ ଟେ ଦିଅ ପିଇଦେଇ ଯିବି. ସ୍ତ୍ରୀ ଲୋକ ଜଣକ ଅନୁରୋଧ କଲେ ମାଆ ଏଇ ଗଲି ଆଉ ଆସିଲି. ମୁଁ ପାଣି ଆଣି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବ ମାଆ. ରାଜି ହେଲେ ମାଆ ଲଷ୍ମୀ. ସ୍ତ୍ରୀ ଲୋକ ଜଣଙ୍କ ଦଉଡ଼ିଲେ କୁଅ ମୂଳକୁ ଓ ଦଉଡି ବାନ୍ଧି କୂଅକୁ ବାଲ୍ଟି ପକେଇଲେ ମାତ୍ର ବାଲ୍ଟି ସହ ଝିଙ୍କି ହୋଇ ନିଜେ କୂଅରେ ପଡି ମୃତ୍ୟୁ ବରଣ କଲେ କିନ୍ତୁ କଥା ଦେଇଥିବାରୁ ଅପେକ୍ଷାରେ ସେ ଘରେ ସବୁଦିନ ରହିଗଲେ ମାଆ ଲଷ୍ମୀ.ପରେ ପରିବାର କୋଟିପତି ହୋଇଗଲେ. ମୋ ରୁମ ଟାଙ୍କୁରୀ ଉଠୁଛି ତୁମ କଥା ଶୁଣି ମାଆ. ଦିଅ ଦିଅ ଶାଢ଼ୀ ଚାଦର ମୁଁ ଯାଏକହୁଥିଲା ବାସନ୍ତୀ
ବାସନ୍ତୀ ଚାଲିଗଲା ପରେ ପରେ ପବିତ୍ରାଙ୍କ ଙ୍କ ପୁଅର ଫଳ ବାହାରିଲା ସେଦିନ. ଭଲ ମାର୍କ ଆଣିଥିଲା ପୁଅ.ଖାଲି ସେତିକି ନୁଁହଁ ଭାଇ ଝିଅକୁ ଦେଖି ଯାଇଥିବା ବନ୍ଧୁଘର ମଧ୍ୟ ରାଜି ଅଛନ୍ତି ବୋଲି ଖବର ଆସିଗଲା ବୋଲି ଶୁଣି ତ ଧାର ଧାର ଅଶ୍ରୁ ନିଗିଡି ପଡୁଥିଲା ପବିତ୍ରା ଙ୍କ ଆଖିରୁ. ମାଆ ଲଷ୍ମୀ ତୋ ଦୟା ମାଆ. ସକାଳୁ ସକାଳୁ ବାସନ୍ତୀ ଆସିଗଲା ଫୁଲ ଧରି. ଆଜି ତତେ ଅପେକ୍ଷା କରିବାକୁ ପଡିନି ଶୀଘ୍ର ଆସିଛୁ. ଶୀତ ଦିନ ନେ ଆଗ ଚା ଟା ପି ଦେ ବାସନ୍ତୀ କହୁ କହୁ ବାସନ୍ତୀ କହୁଥିଲା ମା ବୁଢ଼ୀ ସକାଳୁ ସକାଳୁ ଚାଲିଗଲା ପରା. ତୁମରି ଚାଦର ଶାଢୀ କୁ ଅପେକ୍ଷା କରିଥିଲା ଯେମିତି. ପବିତ୍ରା ଙ୍କ ଆଖିରୁ ଦୁଇଧାର ଶୁଖି ଯାଉଥିବା ଅଶ୍ରୁ ପୁଣି କାହିଁକି ନିଗିଡି ପଡୁଥିଲା ବେଳେ ବାସନ୍ତୀ କହିଚାଲିଥିଲା ଯା ହେଉ ବୁଢ଼ୀ ଶୁଖିଲା ଶୁଖିଲା ଗଲା ତୁମ ଶାଢ଼ୀ ଓ ଚାଦର ଭିତରେ ମାଆ. ତୁମେ ଖୁବ ପୁଣ୍ୟ ପାଇଥିବ ଯେ ମାଆ କହି ବାସନ୍ତୀ ଯିବା ପଥକୁ ଅନେଇ ଦୀର୍ଘନିଶ୍ୱାସ ଛାଡୁଥିଲେ ପବିତ୍ରା.
ବାସନ୍ତୀ ସେଦିନ କହିଥିଲା ଜାଣିଛ ମାଆ ଆମ ଏ ଛୋଟ ସହରକୁ ଜଣେ ସାଧୁ ସନ୍ଥ ଆସିଛନ୍ତି. ଡେରା ପକେଇ ରହିଛନ୍ତି. ତୁମର ସନ୍ତାନ କଷ୍ଟ ପାଇଁ ପରାମର୍ଶ କଲେ ହୁଅନ୍ତା ନାହିଁ!ବାବୁ ଓ ତୁମେ ଦୁହେଁ ମିଶିକି ଯାଇ ଥରେ ବୁଲିଆସ. ପବିତ୍ରା ଭାବୁଥିଲେ ଆମ ଦେଶ ହେଉଛି ବର୍ଷାଣାଂ ଭାରତ ଶ୍ରେଷ୍ଠ. ତା ମଧ୍ୟରେ ଉତ୍କଳ ଦେଶସମ ଦେଶ ନାସ୍ତି ମହୀତଳେ କାରଣ ଏ ଦେଶ ଓ ଆମ ରାଇଜ ପୂଜ୍ୟ ପୂଜା ର ଦେଶ. ସାଧୁ ସନ୍ଥ ଓ ମୁନି ମାନଙ୍କ ଦେଶ. ଭଗବାନ ନିଜେ ଆସି ଦେଖାଦିଅନ୍ତି ନାହିଁ.ସେ ଏହି ମୁନି, ଋଷି, ସାଧୁ, ସନ୍ଥ ମାନଙ୍କ ମାଧ୍ୟମରେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି. ସତରେ ବାସନ୍ତୀ କଥା ମାନି ଥରେ ଗଲେ କେମିତି ହୁଅନ୍ତା ଭାବି ସ୍ୱାମୀଙ୍କୁ କେତେ କଷ୍ଟରେ ମନେଇ ଦୁହେଁ ସେଠି ପହଁଚିଲା ବେଳକୁ ସେମାନଙ୍କ ଆଗରୁ ପବିତ୍ରାଙ୍କ ସାଙ୍ଗ ଶତାବ୍ଦୀ ସେଠି ପହଂଚିସାରିଥିଲା ଦେଖିଥିଲେ ପବିତ୍ରା. ପାଟି କରି ସେ କହୁଥିଲା ବ୍ୟକ୍ତିଗତ ସ୍ବପ୍ନ ଟିକକ ମାରିଦେଇ ମୋର ତୁମେ କୋଉ ସତ୍ୟ ସନ୍ଧାନ ରେ ସନ୍ଥ ପାଲଟିଛ ଅସିତ!ତୁମକୁ ନେଇ ସ୍ବପ୍ନ ଦେଖିବା କଣ ମୋର ଭୁଲ ଥିଲା? ତେବେ ତୁମର ସେ ହାତ ଲେଖା ଚିଠି କଣ ଭୁଲ ଥିଲା!କୋଉ ଦୋଷ ଦେଖି ମତେ ଦୁନିଆଁ ର ଏ ବିରାଟ ଦାଣ୍ଡ ରେ ଦଣ୍ଡ ଦେଇ ଏକେଲା କରି ସାଧୁ ପାଲଟି କାହାର କଣ ଉପକାର କରିପାରିବ ଶୁଣେ !ଜଣଙ୍କ ଆଖି ଲୁହ ପୋଛି ନପାରି ଗଣଙ୍କ ଆଖି ଲୁହ ପୋଛିବାକୁ କେମିତି ସାହାସ କଲ ଅସିତ!
ପଛରୁ ପବିତ୍ରା ସବୁ ଶୁଣି ସ୍ୱାମୀଙ୍କୁ ନେଇ ଫେରିଆସିବାକୁ ଚାହିଁଥିଲେ କାରଣ ଦୁନିଆଁ ଆଖିରେ ତାଙ୍କ ନିଜ ପୁଅ ହୋଇ ବଢୁଥିବା ମୁନା ଆଖିର ସ୍ବପ୍ନ କୁ ଭାଙ୍ଗିବା ଅପେକ୍ଷା ମୁନାର ଭବିଷ୍ୟତ ର ସ୍ବପ୍ନକୁ, ମାଆ ବାପା ହିସାବରେ ସାକାର କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ବୁଝିସାରିଥିଲେ. ଉତ୍କଳ ଗୌରବ ମଧୁସୂଦନ ହୁଅନ୍ତୁ ଅବା କର୍ମବୀର ଗୌରୀଶଙ୍କର କି ସ୍ଵଭାଵ କବି ଗଙ୍ଗାଧର ମେହେର ଅବା ଗୋପବନ୍ଧୁ ଦାସ ତଥା ପଣ୍ଡିତ ନୀଳକଣ୍ଠ ଦାଶ ସମେତ ଗଜପତି କୃଷ୍ଣ ଚନ୍ଦ୍ର ଙ୍କ ପରି ଅନେକ ବରପୁତ୍ର ତାଙ୍କ କର୍ମ ଓ ଧର୍ମ ପାଇଁ ଉତ୍କଳ ଜନନୀ ବା ଓଡିଶା ପାଇଁ ଦେଖିଥିବା ସ୍ବପ୍ନକୁ ସତସତିକା ସତ୍ୟ କରି ଉଣେଇଶ ଛତିଶ ମସିହା ଏପ୍ରିଲ ଏକ ତାରିଖରେ ମାତୁଭୂମି ଓ ମାତୃଭାଷା ର ସ୍ୱାତନ୍ତ୍ରତା ବଜାୟ ରଖି ଓଡିଶାକୁ ଯଦି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ର ମାନ୍ୟତା ଦେଇପାରିଥିଲେ ଆମେ ତାଙ୍କ ପଦାଙ୍କ ଅନୁସରଣ କରି ଦେଶ ପାଇଁ, ଜାତି ପାଇଁ କିଛି କରି ନପାରିଲେ ମଧ୍ୟ ଆମ ପୁଅ ବୋଲି ମାନିନେଇଥିବା ମୁନାର ଭବିଷ୍ୟତ ସ୍ବପ୍ନ କୁ ସତ୍ୟ କରିବା ଚାଲ କହି ଫେରିଆସିଥିଲେ ଘରକୁ ତ ବାସନ୍ତୀ କିଛି କିଛି ବୁଝିପାରି କହୁଥିଲା ପଖାଳ ବାଢ଼ିବି ମାଆ!
,,,,,,,,,,,,,,,,,