ଉପହାର
ଉପହାର
ବହିଖୋଲି ଖୋଲାବହିର ପୃଷ୍ଠା ପରି କେଇଟା ଟଙ୍କାକୁ ଥରକୁ ଥର ଗଣୁଗଣୁ ଆଜି ଏତେ ଟଙ୍କା ମିଳିଯିବ ବୋଲି ଭାବିନଥିଲା ଶ୍ୟାମ. ଆଟାଚିରେ ଭରା ଭରା ଟଙ୍କା ଦେଖି ଶ୍ୟାମ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା ତା ପରିବାର ସଦସ୍ୟମାନେ ମଧ୍ୟ ସେତିକି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ. ବାପାଙ୍କ ଅପରେସନ ହୋଇପାରିବ ବୋଲି ମାଆ କହୁଥିବା ବେଳେ ପୁଅ ଝିଅ ଦୁଇଟି ଭଲ ଛତା ଦୁଇଟି ଏଥର ଆଣିଦିଅ ବାପା ବୋଲି କହୁଥିଲେ. ସ୍ତ୍ରୀ କାମିନୀ ର ଅନେକ ଆବଶ୍ୟକତା ଥିଲେ ମଧ୍ୟ ସେ ସନ୍ଦେହ ରେ ସ୍ୱାମୀ ଶ୍ୟାମ ମୁଁହଁକୁ ଦେଖୁଥିଲା. ତା ସ୍ୱାମୀ ସଚ୍ଚୋଟ ଏଇ ଟିକକ ଭରସା ତାର ବିଶ୍ୱାସ ବଢ଼ାଏ ଶାନ୍ତିର ନିଶ୍ୱାସ ନେବାପାଇଁ. ଗୋରା ତକତକ ଚେହେରା ବିଶିଷ୍ଟ ଚଉଡା ଛାତି ତଥା ପୁରିଲା ପୁରିଲା ବାହୁ ଯୁଗଳ ଯେ ଅନେକ ଝିଅଙ୍କୁ ଆକର୍ଷିତ କରିପାରେ ଏକଥା ଶ୍ୟାମ କୁ ଦେଖୁ ଦେଖୁ ଯେ କେହି କହିବ କିନ୍ତୁ କାମିନୀ ପରି ଉପରକୁ ସୁନ୍ଦର ନଥିଲେ ମଧ୍ୟ ବାପା ବୋଉଙ୍କ ପସନ୍ଦର ଝିଅ କୁ ନେଇ ଶ୍ୟାମର ଦୁଃଖ ସୁଖ ସଂସାର ଭିତରେ କାମିନୀ ତ ଏକ ଆହୁଲା. ସଂସାର ତରୀ ତାରି ପାଇଁ ଆଗକୁ ବଢେ. ବାପାଙ୍କ ପାଇଁ ମେଥି ଦାନା ସବୁ କୁ ଖରା ଦେଇ ଶୀଳରେ ଚୁରିଲା ବେଳେ ଶ୍ୟାମ ଯେବେ ମନଦୁଃଖ କରେ ଘରକୁ ସେ ଗ୍ରାଇଣ୍ଡରଟିଏ ଆଣିପାରିନି ଭାବି କାମିନୀ କହେ କାମ କଲେ ମୋ ଦେହ ରେ ବଳ ଆସିବ. ସମସ୍ତେ କହନ୍ତି ଶ୍ୟାମର ଘରଣୀ ରାଧା. ହସିଦିଏ ଶ୍ୟାମ. କାହିଁ ରାଧା ଆଉ କାହିଁ ତା ଶ୍ୟାମଳୀ କାମିନୀ!ଆଜି ଟଙ୍କା ଆଟାଚି ଦେଖି କାମିନୀ ଆଖିରେ ସନ୍ଦେହ. ଚୋରୀ, ନାରୀ ଓ ଟଙ୍କା ପଛରେ ପଡୁଥିବା ପୁରୁଷ ମଦୁଆଙ୍କ ଠାରୁ ମଧ୍ୟ ଭୟଙ୍କର. ସେହି ଗୁଣ ସବୁ ଥିଲେ ଆପେ ମଦୁଆ ହେବାକୁ କେତେ ସମୟ ଲାଗିବ!ଏବେ ତାର ଇଛା ହେଉଥିଲା ବାହୁନି ବାହୁନି କାନ୍ଦିବାକୁ କିନ୍ତୁ ସ୍ୱାମୀ ଶ୍ୟାମ ର ବ୍ୟସ୍ତତା ଜଣେଇଦେଉଥିଲା ସେ ନିର୍ଦୋଷ. ବାର ବର୍ଷ ପୁରିଗଲାଣି ଏଭିତରେ ବାହାଘରକୁ. କାମିନୀ ଜାଣେ ତା ସ୍ୱାମୀଙ୍କୁ.ଥାନା ରେ ଜଣାଇ ମଧ୍ୟ ଶାନ୍ତି ପାଉନଥିଲା ଶ୍ୟାମ.
ଶ୍ୟାମ ଏଣେ ତେଣେ ଫୋନ ଲଗାଉଥିଲା. ଶେଷକୁ ନିଜ ଉପରେ ନିଜେ ବିରକ୍ତ ହୋଇ ବସଷ୍ଟାଣ୍ଡ ରୁ ଷ୍ଟେସନ ଦୌଡୁଥିଲା. କୋଉ ଯାତ୍ରୀ ତା ଅଟୋରେ ଏ ଆଟାଚି ଛାଡିଗଲା ସେ କେମିତି ଜାଣିବ!ଏଥର ଵୁଦ୍ଧି ଶିଖିଲା ଶ୍ୟାମ. ଏଣିକି ଯାତ୍ରୀମାନଙ୍କ ଫୋନ ନମ୍ବର ଟିପି ରଖିବା ତାର ଜରୁରୀ ଅଟେ ବୋଲି ସେ ଭାବୁଥିଲା ବେଳେ ଅଟୋ ଟିଏ ଲାଗିଲା ତା ଦାଣ୍ଡଦୁଆରେ. ଅଟୋ ରୁ ସୁନ୍ଦରୀ ଝିଅଟିଏ ଆସୁଥିବାର ଦେଖି ସ୍ତ୍ରୀ କାମିନୀ ସନ୍ଦିଗ୍ଧ ଦୃଷ୍ଟି ରେ ଚାହିଁଥିଲା. ଶ୍ୟାମ ଚିହ୍ନିଲା ଝିଅଟିକୁ. ସେ ତାରି ପରି ଗୋଟେ ଅଟୋ ଡ୍ରାଇଭର ହିଁ ଥିଲା ଓ ନିଜ ପରିଶ୍ରମ ର ଧନ ସବୁକୁ ଏକାଠି କରି ବୋଉର ହାର୍ଟ ଅପରେସନ ପାଇଁ ଜମା ଟଙ୍କାକୁ ଖୋଲା ବହି ପୃଷ୍ଠା ଭଳି ଗଣୁଗଣୁ ଏକ ଲକ୍ଷ ଟଙ୍କା ରୁ ଅଳ୍ପ କିଛି ବାକି ଥିଲେ ବି କଷ୍ଟ ଅର୍ଜିତ ଧନ ର ସୁରକ୍ଷା କରିବାକୁ ଯାଇ କରିପାରୁନଥିଲା. ସେଦିନ କିନ୍ତୁ ତାକୁ ଗୋଟେ ଝିଅ ବୋଲି ଜାଣି କେତେକ ଆସାମାଜିକ ଯୁବକ ଯେତେବେଳେ ସ୍ୱପ୍ନା ଅଟୋ ଅଟକାଇ ଥିଲେ ସେତେବେଳେ ସେ ଆଗ ତା ଟଙ୍କା ଆଟାଚି ରେ ଥିବା ଟଙ୍କା କୁ ତା ପାଖଦେଇ ସ୍ଲୋ ରେ ଗତି କରୁଥିବା ଶ୍ୟାମ ଭାଇ ଅଟୋ ରେ ରଖିଦେଇ ସିଧା ପୋଲିସ ଥାନାରେ ହାଜର ହୋଇଯାଇ ବିପଦ ଏଡେଇ ପାରିଥିଲା . ମୋ ପାଖରେ କିନ୍ତୁ କିଛି ପ୍ରମାଣ ନାହିଁ ଯେ ସେ ଆଟାଚି ମୋର ଏବଂ ଆଟାଚି ରେ ଥିବା ଟଙ୍କା ମଧ୍ୟ ମୋର ଅଟେ ବୋଲି ସ୍ୱପ୍ନା କହୁଥିଲା . ଏଥର ଶ୍ୟାମ କିଛି କହିବା ପୂର୍ବରୁ ତା ସ୍ତ୍ରୀ କାମିନୀ ଆଟାଚି ଆଣି ଧରାଇଦେଇଥିଲା ଝିଅଟି ହାତକୁ. କହିଥିଲା ଗଣିଦିଅ ଭଉଣୀ. ଝିଅଟି ଟଙ୍କା ଗଣୁଥିଲା ଓ ଲକ୍ଷେ ଟଙ୍କା ଦେଖି ଏହା ମୋର ନୁଁହଁ କହି ଉଠିଯାଉଥିବା ବେଳେ ଶ୍ୟାମ କହିଥିଲା ଏହା ହିଁ ବଡ଼ ପ୍ରମାଣ. ମୋ ବାପାଙ୍କ ଅପରେସନ ପାଇଁ ରଖିଥିବା ପନ୍ଦର ହଜାର ଟଙ୍କା କୁ ବହିର ପୃଷ୍ଠା ପରି ଗଣୁ ଗଣୁ ଏ ଆଟାଚି ରେ ଥିବା ଲକ୍ଷେ ଟଙ୍କାରୁ ପନ୍ଦର ହଜାର ଊଣା ଦେଖି ମୁଁ ସେଥିରେ ମୋ ଟଙ୍କା ମିଶାଇ ରଖିଦେଇଛି. ଯାହା ଆଜି ତୁମ ସତ୍ୟତା କୁ ପ୍ରମାଣ କଲା. ଏବେ ଏହି ଟଙ୍କାରେ ମାଉସୀ ଙ୍କ ହାର୍ଟ ଅପରେସନ କରାଇ ମତେ ଓ ମୋ ପରିବାରକୁ କତାର୍ଥ କରିବାକୁ ମୋର ନିବେଦନ. କାନ୍ଦି ପକେଇଥିଲା ଝିଅଟି ସ୍ୱପ୍ନା. କହିଥିଲା ଧନ ମାନ ସମ୍ମାନ ବଞ୍ଚେଇ ପାରିଥିଲେ ମଧ୍ୟ ବୋଉକୁ ବଞ୍ଚେଇ ପାରିନଥିଲି. ଏ ଟଙ୍କା ସବୁ ତୁମେ ରଖ ଶ୍ୟାମ ଭାଇ. ମଉସାଙ୍କୁ ହାର୍ଟ ଅପରେସନ କରାଇ ମତେ ତାଙ୍କୁ ବାପା ଡାକିବା ଅଧିକାର ସହ ତୁମକୁ ଭାଇ ଡାକିପାରିବାର ଅଧିକାର ଟିକେ ଦିଅ କହି ଝଡ଼ ବେଗରେ ଅଟୋ ନେଇ ଚାଲିଗଲା ପରେ କାମିନୀ ଶାଶୁ ଶଶୁର ଓ ସ୍ୱାମୀଙ୍କୁ କାହିଁକି ମୁଣ୍ଡିଆ ମାରୁଥିଲା କେଜାଣି ତାକୁ ଦେଖି ପିଲା ଦୁହେଁ ମଧ୍ୟ ମୁଣ୍ଡିଆ ମାରିଚାଲିଥିଲେ ଜେଜେ, ଜେଜେମାଆ ଓ ବାପାଙ୍କ ସହ ମାଆ ଙ୍କୁ.ଶ୍ରୀରାମ ଜନ୍ମ ମହୋତ୍ସବ ଦିନ ସ୍ୱପ୍ନା ଗଲାଯେ ଗଲା ଫେରିଲା ଚଉଦ ବର୍ଷ ପରେ ସ୍ୱାମୀ ପିଲାଙ୍କ ସହ ରାକ୍ଷୀପୁନେଇଁ ଦିନ.ଭାଇ ଶ୍ୟାମ ହାତରେ ରାକ୍ଷୀ ବାନ୍ଧିବାକୁ ଆଉ ଶ୍ୟାମ ଭୁଲିନଥିଲା ଭଉଣୀର ଠିକ ଠାକ ମର୍ଯ୍ୟାଦା କରିବାକୁ. ବାପା ବୋଉ ସ୍ୱପ୍ନାକୁ ଢେର ଆଶୀର୍ବାଦ ଦେଇଥିଲେ. କାମିନୀ ଦେଇଥିଲେ ଲକ୍ଷେ ଟଙ୍କା ସ୍ୱପ୍ନାଙ୍କୁ କହିକି ଯେ ଏହା ରାକ୍ଷୀ ଉପହାର.
