କାର୍ଟୁନ
କାର୍ଟୁନ
ଏକୁଟିଆ ନଡ଼ିଆ ଗଛଟି ତଳେ ଡେଙ୍ଗା ଲୋକଟି ନଡ଼ିଆ ପାଞ୍ଚୋଟି ଧରି ବିକିବାକୁ ଗରାଖ ଖୋଜୁଥିଲା. ଅଦୂରରେ କୁଟୀରଟିଏ. କୁଟୀର କହିଲେ ଚାଳିଆ ଘର ଖଣ୍ଡେ ଯାହାର ମାଟି କାନ୍ଥ ମଧ୍ୟ ଆଶ୍ରୟ ଖୋଜୁଥିଲା. ଘର ଆଗରେ ଜମି ବୋଲି ଗୁଣ୍ଠେ. ତା ଭିତରେ ଧାନ ନାହିଁ ବରଂ କୋଉ କାଳୁ ହିଡ଼ର ସ୍ମୃତି ବହନ କରି ଖଣ୍ଡେ ଉଚ୍ଚା ଖଣ୍ଡେ ନୀଚା ମାଟିକୁଦ ତଳେ ନାଇଁପଡ଼ି କିଛି କିଛି ଶାଗ ତୋଳୁଥିଲେ ମାଆ ଓ ଛୋଟ ଝିଅ. ଝିଅଟି ଗୀତ ଗାଉଥିଲା. ସେ ଗୀତର ସ୍ୱର, ଲୟ ଓ ତାଳ ନଥିଲେ ମଧ୍ୟ ଶ୍ରୁତିମଧୁର ଥିଲା. ଟିକେ ଦୂରରେ ଗାଁରୁ ସହର ଆଡକୁ ଯାଇଥିବା ରାସ୍ତାରେ ଆଉ ଗୋଟେ ଗଛପାଖେ ଠିଆ ହୋଇ ମୁଁ ମୋ ସାଇକେଲ ର ଖସିଯାଇଥିବା ଚେନ ସଜାଡୁଥିଲା ବେଳେ ସାନ ଝିଅଟିର ଗୀତର ସ୍ୱର ଭାରି ମିଠା ମିଠା ଶୁଭୁଥିଲା. ମନେପଡୁଥିଲା ପଢିଥିବା ଓ ପଢ଼େଇଥିବା ବିଗତ ଦିନର ସେହି ସଲିଟାରୀ ରିପର କବିତା ଟି କଥା, ଯାହାକୁ ଇଂରାଜୀ ଭାଷାରେ ପ୍ରକୃତି କବି ୱାର୍ଡସ ୱର୍ଥ ଲେଖିଥିଲେ. ସେଥିରେ ସେ ଯେଉଁ ଯାତ୍ରୀଟି କଥା ଲେଖିଥିଲେ ସେହି ଯାତ୍ରୀ ଆଜି ମତେ ନିଜେ ନିଜକୁ ମନେହେଉଥିଲା କାରଣ ମତେ ଯେମିତି ସେହି ଝିଅଟିର ଗୀତ କେବେ ଯୁଦ୍ଧର ଭୟ ବା କେବେ କୌଣସି ଘଟିଯାଇଥିବା ଦୁଃଖ ବା କୌଣସି ସୈନିକ ର ଆତ୍ମଜୀବନୀ ଉପରେ ପର୍ଯ୍ୟବେଷିତ ପରି ଲାଗୁଥିଲା. ମୋ ସାଇକେଲ ଚେନ ଲାଗିଯିବା ସହ ମୁଁ ଗାଁ ଅଭିମୁଖୀ ହେବା ଯାଏଁ ଝିଅଟିର ସେହି ଗୀତ ମୋ ହୃଦୟରେ ସାଇତି ରହିଯାଇଥିଲା. ମନରେ ସେହି ପରିବାର ଓ ତାଙ୍କ ଜୀବନ ଜୀବିକା କଷଣ ସହିତ ବାପାଟି ନଡ଼ିଆ ଗଛ ତଳେ ପାଞ୍ଚଗୋଟି ନଡ଼ିଆ ରଖି ଯାତ୍ରୀଙ୍କୁ କିଣିନେବା ପାଇଁ କରୁଥିବା ଚେଷ୍ଟା ଚରିତ୍ର ସହିତ ଆକର୍ଷଣ କରିବାର ଘଟଣା ପ୍ରବାହ ସବୁ.
ଘରେ ମତେ ଅନେକ କାମ କରିବାର ଅଛି. ମାଆ କହିଦେଇଛନ୍ତି ନୂଆ ଭଡାଟିଆ ଆସିବେ.ନିଜ ବହିପତ୍ର ଓ ଫାଇଲ ସବୁକୁ କାର୍ଟୁନ ରେ ରଖି ଘର ସଫା କରିନେବାକୁ ତ ମୁଁ ସେହି ପୁରୁଣା ବହି, ଖାତା, ଡାଇରୀ ରୁ ସ୍ମୃତି ସାଉଣ୍ଟୁ ସାଉଣ୍ଟୁ ଶୁଣିଥିବା ସେ ଝିଅର ଗୀତଟିର ସ୍ୱର ମନେପକାଅଇବାକୁ ଯାଇ ପାରୁନଥିଲି.ହାରିଯାଉଥିଲି ମାଆଙ୍କ କଥାରେ!ତତେ ଆଉ କେତେ ବର୍ଷ ଲାଗିବ କେଜାଣି ଏ ବହି ଖାତା ଦିଟା କାର୍ଟୁନରେ ଭରି ରଖିବାକୁ!ଏ ଭିତରେ ପୁରୁଣା ଯାଇ ନୂଆ ଭଡାଟିଆ ଆସିଲେଣି ହେଲେ ତୋ କାର୍ଟୁନ ସେମିତି ପଡ଼ିରହିଛି କୋଣରେ!ସେପଟେ ପୁଣି ମାଆ ମୋ ବାହାଘର ପାଇଁ ମୁଁ କିପରି ଶୀଘ୍ର ରାଜି ହୁଏ ବୋଲି ଯେତେ ସବୁ ବିଡ଼ବିଡ ହେଉଥିଲେ ସେସବୁ ଭିତରୁ ସେହି ଶାଗ ତୋଳୁଥିବା ଝିଅଟିର ସେଦିନର ସେହି ଦୁଃଖପୂର୍ଣ୍ଣ କିନ୍ତୁ ପ୍ରାଣସ୍ପର୍ଶୀ ଗୀତଟିକୁ ଖୋଜିବାକୁ ଚେଷ୍ଟା କରି ପାଉନଥିବା ବେଳେ ରେଭେନ୍ସା ରେ ପଢ଼ୁଥିବା ବେଳେ ଦର୍ଶନ ଶାସ୍ତ୍ର ର ମେଟାଫିଜିକ୍ସ ବହିର ପୃଷ୍ଠାରୁ ମଉଳି ଯାଇଥିବା ଗୋଲାପ ଫୁଲର ଶୁଖିଲା ପାଖୁଡା ସହ ଶୁଖିଲା ପତ୍ରଟିଏ ଖସି ପଡି ସ୍ମୃତି ଉଜ୍ଜୀବିତ କରୁଥିଲା ସ୍ମୃତି . ସ୍ନିଗ୍ଧା ର ଭଲପାଇବା, ତାକୁ ଦେଇଥିବା କଥା ଏସବୁ ମୁଁ କେମିତି ଭୁଲିଯାଇଥିଲି କେଜାଣି!ଏବେ ମତେ ସ୍ନିଗ୍ଧା ଗାଁକୁ ଯିବାକୁ ପଡିବ. ଆମ ଗାଁ ରାସ୍ତାରୁ ବସାଷ୍ଟାଣ୍ଡ କୁ ଯିବାକୁ ଘାଣ୍ଟଏ ଲାଗିବ. ସେହି ରାସ୍ତାରେ ଆଉ ସେ ଝିଅ, କି ତା ମାଆ କିମ୍ବା ବାପା କହାକୁ ଦେଖୁନଥିଲି ମୁଁ. ଅନେକ ଖୋଜି ମଧ୍ୟ ପାଇନି. ହାତ ପାଆନ୍ତାରେ ମିଳିଯାଇପାରିଥାଆନ୍ତା ବସ୍ତୁ, କି ମଣିଷକୁ ଯେତେ ବେଳେ ଖୋଜି ମଧ୍ୟ ପାଇନି ସେତେବେଳେ ସ୍ନିଗ୍ଧା ଯେ ମିଳିବ, କେଜାଣି! ମନେପଡୁଥିଲା ତା ସହିତ ବିତେଇଥିବା ସେଦିନ ସବୁର ସ୍ମୃତି. ତୁମ ବିନା ମୁଁ ରହିପାରିବିନି, ବଞ୍ଚିବା ତ କେତେ ବାଟରେ ବୋଲି କହୁଥିବା ସ୍ନିଗ୍ଧାକୁ ଆଜି ଯେମିତି ହେଲେ ଠାଵ କରିବି ଭାବି ବସଷ୍ଟାଣ୍ଡ ରେ ପହଁଞ୍ଚି ନିର୍ଦ୍ଦିଷ୍ଟ ବସକୁ ଅପେକ୍ଷା କରିଥାଏ ମୁଁ .କେତେ କେତେ ଅପେକ୍ଷାରତ ଯାତ୍ରୀଙ୍କ ଭିତରେ ଶୁଭେନ୍ଦୁ ଦେଖାହୋଇଗଲା. ସେ ସ୍ନିଗ୍ଧା କୁ ଜାଣେ. ତାଙ୍କରି ଗାଁର. କିଛି କାମ ପାଇଁ ସହରକୁ ଯାଉଛି. ଦୁଇଟା ବସ ଧରିବାକୁ ହେବ ବୋଲି ଗାଁରୁ ଗୋଟିଏ ବସ ରେ ଆସି ଏଇଠି ଓଲ୍ହେଇ ପରବର୍ତ୍ତୀ ବସକୁ ଅପେକ୍ଷା କରିଛି. ସମ୍ଭାଳି ନପାରି ପଚାରି ଦେଲି ସ୍ନିଗ୍ଧା ଏବେ କୋଉଠି!କୋଉଠି ମାନେ!ତୁମେ କଣ ଜାଣିନ ଆଲୋକ ଭାଇ! ସ୍ନିଗ୍ଧା ଆପା ମରିବାର ଦୁଇ ବର୍ଷ ହେଲାଣି ଏ ଭିତରେ. ନିଜକୁ ବହୁତ କଷ୍ଟରେ ସମ୍ଭାଳୁ ସମ୍ଭାଳୁ ଶୁଭେନ୍ଦୁର ବସ ଆସିଯାଇଥିଲା. ସେ ଚାଲିଗଲା ପରେ ମୁଣ୍ଡ କୁ ଆଜୁଜି ନେଇ ପାଚେରୀ ଦାଢ଼ରେ ଯୋଉ ଦୁହିଁଙ୍କୁ ଭେଟିଲି ସେ ଥିଲେ ସେଇ ମାଆ ଓ ଝିଅ. ମାଆ ହାତ ଫୁଙ୍ଗୁଳା ଥିଲା. କଳା ମଚମଚ ଡଉଲ ଡାଉଲ ରୂପ ସହ ମଥାରେ ବଡ଼ ସିନ୍ଦୁର ଟୋପାଟି ଆଉ ନଥିଲା. ଆଉ ଗୀତ ଗାଉଥିବା ସେଇ ଛୋଟ ଝିଅଟାର ମୁଁହଁ ଥିଲା ଶୁଷ୍କ ଓ ମଳିନ. ଚକୋଲେଟ ଖାଇବୁ ନେ କହି ଛୋଟ ଝିଅଟିକୁ ଶହେ ଟଙ୍କିଆ ନୋଟଟିଏ ବଢ଼େଇ ଦେଇ ଏକାମୁଁହା ଗାଁକୁ ଫେରିଆସିଥିଲି. ମୋ ଠାରୁ ସବୁ ଶୁଣି ମାଆ କହିଲେ ସେଇ ମାଆ ଝିଅଙ୍କୁ ନେଇଆସିଲୁନି ଘରକୁ. ମତେ ଓ ପରବର୍ତ୍ତୀ ସମୟରେ ନୂଆ ବୋହୁକୁ ସାହାଯ୍ୟ ସହଯୋଗ କରିଥାନ୍ତେ. ସେଇଦିନୁ ସେଇ ମାଆ ଓ ଝିଅଙ୍କୁ ଖୋଜୁଛି ମୁଁ. ପାଉନି ସତ କିନ୍ତୁ କାନରେ ପ୍ରତିଧ୍ୱନିତ ହେଉଛି ସେଇ ଗୀତର ଧୁନ. ଏଥର ଜାଣିଲି ସେଇ ଗୀତଟିକୁ ଜାଣିଥିଲା ସ୍ନିଗ୍ଧା. ଅନେକ ଥର ଗୁଣୁଗୁଣାଉ ଥିଲା ବୋଲି ଏତେ ଭଲ ଲାଗୁଥିଲା ସେ ସ୍ୱର. ନିର୍ଦ୍ଦିଷ୍ଟ ବହିଟିକୁ ଏଥର ଛାତିରେ ଜାବୁଡି ସେହି ପୃଷ୍ଠା ପତ୍ରଟିକୁ କୁଣ୍ଢେଇ ଜାକି ଧରି ବିକଳ ରେ କାନ୍ଦିବା ପରିବର୍ତ୍ତେ କାର୍ଟୁନ ଵନିଯାଇଥିଲି ମୁଁ ତ ମାଆ ବୋକୀ ପାଲଟି ଚାହିଁଥିଲେ ମତେ.
