ନୀଳ ମଣିଷ
ନୀଳ ମଣିଷ
ହାତ ଧରି ଚାଲିଥିବା ସାଥି ନୁଁହଁ ବରଂ ସାତ ବର୍ଷର ଝିଅକୁ ନିଦୁଆ ଆଖିରେ ଭିଡି ଭିଡି ମାଆ ଆଲିଆ ଚାଲିଥିଲା ଗୀର୍ଜା ପଛପଟକୁ.ଯୁଦ୍ଧ ପୁଣି ଆରମ୍ଭ ହୋଇ ସାରିଥିଲା. ଗୁଳିଗୋଳା ଆଉ ବିସ୍ଫୋରଣର ଭୟଙ୍କର ଶବ୍ଦରେ ପାହିଥିଲା ସକାଳ. କାହାର ଗୋଟେ ଘୋଷଡା ଓଟରାରେ ନିଦ ଭାଙ୍ଗିଗଲା ଆନି ର. ଆଖି ମଳିମଳି ଚାହିଁଲା ସେ. ଆରେ ... ସେ ତ ଏବେ ତା ବେଡ଼ ରେ ନାହିଁ !! ତା ମା' ତାକୁ ଘୋଷାଡି ଘୋଷାଡି କୁଆଡେ ନେଇ ଯାଉଛି କେଜାଣି!
ମୋତେ କୁଆଡେ ନେଉଛୁ ମା' !! ମୁଁ ଶୋଇବି ଆଉ ଟିକେ .... ନିଦୁଆ ନିଦୁଆ ସ୍ୱରରେ କହିଲା ଆନି .ଚୁପ୍ , ପାଟି କରନି.ଜଲ୍ଦି ଚାଲ୍ ଏଠୁ .. ଶୀଘ୍ର ଶୀଘ୍ର .ସେ ଯାଏ ବି ଭଲରେ ନିଦ ଛାଡି ନଥିଲା ଆନିର .ଆଖି ଖୋଲୁ ନଥିଲା ଜମାରୁ. ଓଃ ... ଏ ମା' ବି ନା .... କେବେ ବି ଶାନ୍ତିରେ ଶୁଆଇ ଦେଉନି ଟିକେ.ମା' ସହ ଏକ ପ୍ରକାର ଘୋଷାଡି ହୋଇ ହୋଇ ସେ ପହଞ୍ଚିଲା ଗୀର୍ଜା ଘରର ପଛପଟେ. ଆନିର ମା' ଆଲିଆ କହିଲା ... ଚୁପଚାପ୍ ଲୁଚିକି ବସ ଏଇଠି. ଯୁଦ୍ଧ ଆରମ୍ଭ ହୋଇ ଗଲାଣି.ଆମେ ରହୁଥିବା ଘରର ପାଖାପାଖି ଅଞ୍ଚଳ ସବୁ ଧ୍ୱଂସ ହେବାରେ ଲାଗିଛି.ଘର ଭିତରେ ରହିଲେ କିଏ ଜାଣେ କେତେବେଳେ କ'ଣ ହେବ !ଏଥର ନିଦ ଛାଡି ଯାଇଥିଲା ସାତବର୍ଷର ଝିଅ ଆନି ଆଖିରୁ. ଆଖି ମଳିମଳି ଚାହିଁଲା ସେ ଚାରିଆଡେ. କାନରେ ବାଜୁଛି ଗୁଳିର ଆୱାଜ. ହୋ ହଲ୍ଲା ସହ ବିକଳ ଚିତ୍କାର. ଚାରିଆଡ଼ ଧୂଆଁ ଧୂଆଁଳିଆ.କେଉଁଠି କେଉଁଠି ଭୂମି ଉପରେ ରକ୍ତର ଛିଟା. ନାକ ରୁନ୍ଧି ହୋଇ ଯାଉଛି ତୀବ୍ର ବାରୁଦର ଗନ୍ଧରେ.ଆତଙ୍କିତ ଅବସ୍ଥାରେ ସେ ପଚାରିଲା ଝିଅ ଆନି ମୋ ବାବା ?
ସେ ସକାଳୁ ବଜାର ଯାଇଥିଲେ. ଏ ଯାଏ ଫେରି ନାହାନ୍ତି କହି କାନ୍ଦି ପକେଇଲା ଆନି ର ମା' ଆଲିଆ.ଏଥିରେ କାନ୍ଦିବାର କ'ଣ ଅଛି ମା' ? ମୋ ବାବା ଏଇ ପାଖକୁ ତ ଯାଇଛନ୍ତି ଆଉ ଏଇ ବାଟେ ହିଁ ଫେରିବେ.ଆମେ ଏଇଠି ଜଗିଥିବା ଆଉ ତାଙ୍କୁ ଏଇଠି ହିଁ ଅଟକେଇ ଦେବା.ଘର ଯାଏ ଯିବାକୁ ଦେବାନି ଆଦୌ.ହଁ ସେଇଆ କରିବା କହି ଆଲିଆ ଭିତରେ ଭିତରେ କାନ୍ଦି ପକାଇଥିଲା.ସମୟ ଗଡି ଚାଲିଥିଲା. ନିଜ ହାତକୁ ବସି ବସି ଶୁଙ୍ଘୁଥିଲା ଆନି .ତା ହାତ ପାପୁଲିରୁ ଏବେ ବି ହନିକେକ୍ ର ବାସ୍ନା ଆସୁଥିଲା.ସେ ମନେ ପକେଇଲା କାଲିର ସନ୍ଧ୍ୟା କେତେ ସୁନ୍ଦର ଥିଲା ଆଉ ଆଜିର ସକାଳ !କାଲି ଥିଲା ତା ବାବାଙ୍କର ଜନ୍ମଦିନ. ମା' ସହ ମିଶି ସେ ନିଜ ହାତରେ ବନେଇ ଥିଲା ତା ବାବାଙ୍କ ପ୍ରିୟ ହନିକେକ୍. ରାତିରେ କାଟିଥିଲେ ସମସ୍ତେ ହାପି ବାର୍ଥ ଡେ କହି କହି. ଭାରି ବଢିଆ ହୋଇଥିଲା କେକ୍ ଟି.ରାତିରେ କେକ୍ କାଟି ସମସ୍ତେ ଖାଇ ସାରିବାପରେ ସେ ନୀଳ ରଙ୍ଗର ଜୋତାଟିଏ ଗିଫ୍ଟ କରିଥିଲା ତା ବାବାଙ୍କୁ.ନିଜ ପିଗିବ୍ୟାଙ୍କ ପଇସାରେ କିଣିଥିଲା ସେ ସେଇ ଜୋତାଟିକୁ.ହଠାତ ତାର ମନେ ପଡ଼ିଲା ଫ୍ରୁଟ୍ସ କ୍ରମ୍ବଲ କଥା. ଏଥର ଚୁପିଚୁପି ସେ ତା ମା' କାନରେ କହିଲା ମା' ଫ୍ରୁଟ୍ସ କ୍ରମ୍ବଲଟା ଫ୍ରିଜରେ ରହିଗଲା ଯେ! ବାବାଙ୍କର ମୋର ମିଶିକି ଖାଇଥାନ୍ତୁ ଆଜି ସକାଳେ.କ'ଣ ହେବ ଏବେ ? ମା' ନୀରବ ରହିଲେ.ଘରକୁ ଫେରିବାର ଆଉ ବାଟ ବି ନଥିଲା.ଚାରିଆଡେ ବିଭୀଷିକା ଆଉ ହିଂସାର ତାଣ୍ଡବ ଚାଲିଥିଲା.ପାଦେ ପାଦେ ଜଗିଛି ମୃତ୍ୟୁ. ଆନି ବିକଳ ହୋଇ ଚାହିଁଥିଲା ସେମାନେ ରହିଥିବା ବିଲ୍ଡିଂ ଆଡକୁ. ଯେଉଁଠି ଫ୍ରିଜ ଭିତରେ ରହି ଯାଇଛି ତା ହାତ ତିଆରି ଫ୍ରୁଟ୍ସ କ୍ରମ୍ବଲ.ଧୂଆଁ ଧୂଆଁଳିଆ ଦିଶୁଥିବା ତାର ବିଲ୍ଡିଂଟି ହଠାତ ଏକ ଭୟଙ୍କର ବିସ୍ଫୋରଣ ସହ ଧୀରେ ଧୀରେ ମାଟିରେ ମିଶିବାକୁ ଆରମ୍ଭ କରୁଥିଲା ସେତେବେଳକୁ.ଆମ ଘର ଆମ ଘର କହି ଆଲିଆ କାନ୍ଦି ଉଠିଲା ଜୋରରେ.ଆନି ପୁଣି ବୁଝେଇଲା ମା'କୁ ବୁଝିଲା ସୁଝିଲା ଝିଅଟିଏ ପରି.ଘର ଭାଙ୍ଗିଗଲେ ଭାଙ୍ଗିଯାଉ ମା'. ଆମେ ଯେ ବଞ୍ଚିଛେ ସେଇଟା କଣ ବଡ଼ କଥା ନୁହେଁ ?ଖାଲି ବାବା ଫେରି ଆସନ୍ତୁ , ଦେଖିବ ସେ କେମିତି ନୂଆ ଘରର ବ୍ୟବସ୍ଥା କରିଦେବେ.
ସନ୍ଧ୍ୟା ହୋଇ ଆସୁଥିଲା କିନ୍ତୁ ଫେରୁ ନଥିଲେ ଆନି ର ବାବା.ଖୁବ ଜୋରରେ ଭୋକ ଲାଗୁଥିଲା ତାକୁ.ଭୋକପେଟକୁ କେମିତି ଗୋଟାଏ ଆଇଁଷିଣିଆ ଗନ୍ଧ ନାକରେ ବାଜି ପେଟଟା ତାର ମୋଡି ଚକଟି ହୋଇ ଯାଉଥିଲା କିନ୍ତୁ ସେ ତା ମା'କୁ କିଛି ବି କହୁ ନଥିଲା. କାରଣ ସେ ଜାଣିଥିଲା ତା ମା' ଏବେ ନିରୁପାୟ. ତାକୁ ଭୋକ ଲାଗୁଛି ଜାଣିଲେ ତା ମା' ଆହୁରି କଷ୍ଟ ପାଇବ ସିନା କିନ୍ତୁ କିଛି କରି ପାରିବନି. ହଠାତ୍ ତା'ର ମନେ ପଡ଼ିଲା ଯେ ତା ପକେଟରେ ଦୁଇଟା ଚକୋଲେଟ ଅଛି କାଲି ରାତିରୁ. କେକ୍ କାଟିବା ସମୟରେ ବେଲୁନ ଫାଟିବା ସହ ଛିଟିକି ପଡିଥିବା ଚକୋଲେଟ ଗୁଡିକରୁ ସେ ଦୁଇଟା ଗୋଟେଇକି ରଖିଥିଲା ତା ପକେଟ ଭିତରେ ପରେ ଖାଇବ ବୋଲି ଭାବିକି କିନ୍ତୁ ଭୁଲି ଯାଇଥିଲା. ସେ ଚକୋଲେଟ ଦୁଇଟି ବାହାର କରି ଗୋଟିଏକୁ ନିଜେ ଖାଇଲା ଏବଂ ଅନ୍ୟଟିକୁ ତା ମା' ପାଟିରେ ଗୁଞ୍ଜିଦେଲା ଜବରଦସ୍ତି. ଏତିକି ବେଳେ ଦୂରରୁ ଶୁଭିଲା ଗୁଳିଗୋଳାର ଶବ୍ଦ ସହ ମିଳିତ ବିକଳ ସ୍ୱରର ଚିତ୍କାର ଆଉ କ୍ରନ୍ଦନ.ଏପଟେ ଆଲିଆ ବି ବିକଳ ହୋଇ କାନ୍ଦିବାକୁ ଲାଗିଲା. ତାର ସ୍ୱାମୀ କଥା ଖୁବ ମନେପଡ଼ି ମନ ଆଶଙ୍କିତ ହେଉଥିଲା.ଆନି କୁ କହିଲା ଶୁଣୁ ତ ୟା ଭିତରେ ତୋ ବାବାଙ୍କ ପାଟି ଶୁଭିଲା ପରି ଲାଗୁଛି ମୋତେ.ଯେମିତି ସେ ଡାକୁଛନ୍ତି ଆମକୁ.ଓଃ ମା' , କାହିଁକି ଏମିତି ହେଉଛୁ!ମୋ ବାବା କ'ଣ ଏତେ ବୋକା , ନା ଏତେ ବେହୁସିୟାର ? ସେ ବି ନିଶ୍ଚୟ ଆମ ଭଳି କେଉଁଠି ଲୁଚିକି ରହି ଯାଇଥିବେ ନା । ନହେଲେ କେମିତି ଆସିବେ ସେ ଏ ହଣାମରା ଭିତରେ ତୁ ଭାବେ ତ ଟିକେ ? ଧୈର୍ଯ୍ୟ ଧର ମା' ଦେଖିବୁ ଆଉ ଟିକକକୁ ସବୁ ଶାନ୍ତ ହୋଇଗଲେ ବାପା ଫେରିବେ ନିଶ୍ଚୟ. ଆଉ ଏଇ ବାଟେ ହିଁ ଫେରିବେ.
ହଠାତ କୁଆଡୁ ଉଡି ଆସିଲା ନୀଳ ରଙ୍ଗର ଟୋପିଟିଏ. ଆନି ଆଗରେ କ୍ଷଣେ ରହିଯାଇ ପୁଣି ଦଲକାଏ ପବନରେ ଉଡ଼ିଗଲା ଖଣ୍ଡେ ବାଟ.ଆଲିଆର ଆଖି ମେଲା ହୋଇଗଲା , ଛାତି ଭିତରଟା ଦାଉଁ କିନା ହେଲା.ଦେଖେ ତ ଆନି , ଏମିତି ଟୋପିଟିଏ ତ ତୋ ବାବା ପିନ୍ଧି ଯାଇଥିଲେ ଆଜି ବଜାରକୁ.ତାଙ୍କୁ ନୀଳରଙ୍ଗ ଭାରି ପସନ୍ଦ. ଜନ୍ମଦିନରେ ତୁ ତାଙ୍କୁ ଗିଫ୍ଟ ଦେଇଥିବା ନୀଳରଙ୍ଗର ଜୋତା ସହ ଏମିତି ଏକ ନୀଳଟୋପି ପିନ୍ଧି ସେ ଆଜି ଯାଇଥିଲେ ସକାଳେ , କହି ପୁଣି କାନ୍ଦି ପକେଇଲା ଆଲିଆ.କୋଉଠି ନା କୋଉଠି ଆନି ର ଛାତି ବି ଦବିଗଲା ଟିକେ. ହୃଦୟ ଥରି ଉଠିଲା.ମନ ଭିତରେ ହାହାକାର ସୃଷ୍ଟି ହେଲା କିନ୍ତୁ ତାକୁ ଧୈର୍ଯ୍ୟ ଧରିବାକୁ ପଡିବ ନହେଲେ ମା'କୁ ସମ୍ଭାଳିବ କିଏ ? ଅନ୍ତତଃ ତା ବାବା ଫେରି ଆସିବା ଯାଏ ତ ତାକୁ ଧୈର୍ଯ୍ୟ ଧରି ରହିବାକୁ ପଡିବ. ତେଣିକି ତା'ର ଆଉ ଚିନ୍ତା ନାହିଁ. ଏଥର ବାବା ଫେରି ଆସିଲେ କିନ୍ତୁ ସେ ଆଉ ତାଙ୍କୁ କେବେ ବି ବାହାରକୁ ଯିବାକୁ ଦେବନି.ଦରକାର ନାହିଁ ଆମର ବଜାର କରିବା. ଆଲିଆ ଚୁପଚାପ ବସି ଲୁହ ପୋଛୁଥିଲା ତା ପଣତରେ.ମା' ତୁ ପୁଣି କାନ୍ଦିଲୁ ?ସଂସାରର ସବୁ ନୀଳରଙ୍ଗର ଟୋପି କ'ଣ ବାବାଙ୍କର ! ଆଉ କେହି କ'ଣ ନୀଳରଙ୍ଗ ପିନ୍ଧନ୍ତିନି ନା କ'ଣ ? ବାବା ଫେରିବା ଯାଏ ଟିକେ ତ ଧୈର୍ଯ୍ୟ ଧର ମା' .ଅଭିଜ୍ଞଟିଏ ପରି ନିଜ ମା' କୁ ବୁଝେଇ ଚାଲିଥିଲା ଆନି କ୍ରମାଗତ ଭାବରେ.
ସମ୍ପୂର୍ଣ୍ଣ ଭାବେ ସନ୍ଧ୍ୟା ହୋଇ ସାରିଥିଲା. ଶାନ୍ତ ପଡିଯାଇଥିଲା ଚାରିଆଡ଼ ଅନେକାଂଶରେ. ଗୁଳିଗୋଳାର ଶବ୍ଦ ବି ଏତେ ଶୁଣା ଯାଉ ନଥିଲା ଆଉ. କିଛି ଲୋକ ଠେଲାଗାଡିରେ ରାସ୍ତାକଡରୁ ଲାସ୍ ସଫା କରିକରି ଆସୁଥିଲେ. ଗାଡିରେ ବସ୍ତା ଲଦିଲା ପରି ତା ଉପରେ ଉପରେ ଶବ ଗୁଡିକ ଲଦି ଲଦି ଚାଲୁଥିଲେ ଆଗକୁ ଆଗକୁ. ଠେଲାଗାଡି ଭର୍ତ୍ତି ହୋଇଗଲେ ଲାସ୍ ସବୁକୁ ନେଇ ପକେଇ ଦେଇ ଆସୁଥିଲେ ସହରର ମୁଖ୍ୟ ଛକ ଉପରେ ଥିବା ବଡ଼ଗାଡି ଭିତରେ. ଠେଲାଗାଡିଟି ଗୀର୍ଜା ଘର ପାଖକୁ ଆସିଲା ବେଳକୁ ହଠାତ ଆନି ଆଖିରେ ପଡିଲା ଗାଡିରୁ ତଳକୁ ଝୁଲିଥିବା ହଳେ ଗୋଡ଼ ଉପରେ. ଲାସ୍ ର ଗୋଡ଼ ଦୁଇଟି ଆଣ୍ଠୁ ପାଖରୁ ଝୁଲୁଥିଲା ତଳକୁ ଆଉ ପାଦରେ ଥିଲା ହଳେ ନୀଳଜୋତା. ଚିତ୍କାର କରି ଉଠିଲା ଆନି .ମୋ ବାବା ମୋ ବାବା. ଏଇ ମା' ଦେଖେ ତ , ଇଏ ସେଇ ଜୋତା ନା , ଯାହାକୁ କାଲି ମୁଁ ବାବାଙ୍କୁ ଜନ୍ମଦିନର ଉପହାରରେ ଦେଇଥିଲି ! ଭଲରେ ଦେଖେ ମା' ସେଇ ଜୋତା ନା ଏ?ହଁ ଏ ସେଇ ଜୋତା କହି କହି ଶବଗାଡି ପଛେ ପଛେ ଧାଇଁବାର ଉପକ୍ରମ କରୁଥିଲା ଆନି . ଆଲିଆ ତାକୁ ଭିଡି ଧରିଲା ପଛରୁ.ଛାଟିପିଟି ହୋଇ ଆହୁରି ଜୋରରେ କାନ୍ଦିଲା ଆନି .ଏବେ ଏବେ ନିଜ ମା' କୁ ଧୈର୍ଯ୍ୟ ଧରିବାକୁ ବୁଝାଉଥିବା ଆନିର ଧୈର୍ଯ୍ୟ ଯେମିତି ଧୀରେ ଧୀରେ ମାଟିରେ ମିଶିବା ଆରମ୍ଭ କରିଥିଲା.ଝିଅକୁ ନିଜ ଛାତିରେ ଚାପି ଧରି ବୁଝାଉଥିଲା ଆଲିଆ. ଚୁପ୍ ହୋଇ ଯା ଝିଅ , ତୋ ବାପାଙ୍କ ଛଡା ଆଉ କ'ଣ କେହି ନୀଳଜୋତା ପିନ୍ଧନ୍ତିନି !ଦେଖିବୁ , ଆଉ ଟିକେ ପରେ ତୋ ବାପା ଫେରି ଆସିବେ ନିଶ୍ଚୟ. ଯଦିଓ ଆଲିଆ ଜାଣି ସାରିଥିଲା ଯେ ସେ ତା ଝିଅକୁ କେବଳ ମିଥ୍ୟା ଆଶ୍ୱାସନା ହିଁ ଦେଉଛି.ତା ସ୍ୱାମୀଙ୍କର ଫେରିବାର ଆଉ କିଛି ବି ସମ୍ଭାବନା ନାହିଁ.ଝିଅକୁ ବୁଝାଉ ବୁଝାଉ ନିଜେ ବଡ଼ ପାଟିରେ କାନ୍ଦି ଉଠିଲା ଆଲିଆ.ମା' ଝିଅଙ୍କର ମିଳିତ କ୍ରନ୍ଦନ ମିଳେଇ ଯାଉଥିଲା ଧୂମାଭ ଆକାଶର ଅସଂଖ୍ୟ ଧୂଳିକଣା ଭିତରେ.ଧୀରେ ଧୀରେ ଅନ୍ଧାର ଭିତରେ .ଅଦୃଶ୍ୟ ହୋଇ ଯାଉଥିଲା ଶବବୁହା ଗାଡି ସହ ନୀଳଜୋତା ହଳକ ହାତ ଧରି ଚାଲୁଥିବା ସାଥିଙ୍କର.
