ଫାଷ୍ଟ -ଏଡ଼ -ବକ୍ସ
ଫାଷ୍ଟ -ଏଡ଼ -ବକ୍ସ
ସକାଳୁ ଖୁବ ଥଣ୍ଡା ଲାଗୁଥିଲା. ଚଢ଼େଇ ଦେଖିବା ନିଶାରେ ଛାତ ଉପରକୁ ଗଲେ ଅର୍ପିତା. କିଛି ଚଢେଇଙ୍କ ସଙ୍ଗେ ଦେଖାତ ହେଲା କିନ୍ତୁ ପଲେ ମାଙ୍କଡ଼ଙ୍କ ଡିଆଁ ଡେଇଁ, ଦୋଳିମାଙ୍କୁଡ଼ି ଖେଳ , ବାଡ଼ିଆପିଟା, ଖିଙ୍କାରି ତଥା ଉଙ୍କୁଣୀ ବଛାବଛି ଭିତରେ ଗୋଟିଏ ମାଙ୍କଡ଼ ଛାତ ଉପର ପାଣି ଟାଙ୍କି ଉପରେ ମୁଁହଁ ତଳକୁ ପୋତି ବସିରହିଥିବାର ଦୃଶ୍ୟ କାହିଁକି ଭାରି ଅସହଜ ଲାଗିଲା ଅର୍ପିତାଙ୍କୁ. ତାର କାରଣ ମାଙ୍କଡ଼ ପରି ଜନ୍ତୁ ଏତେ ନିଶ୍ଚଳ ହୋଇ ବସିରହିବା କେବେ ସେ ଦେଖିନଥିଲେ. ଲୁହ ଛଳ ଛଳ ହୋଇଗଲା ଅର୍ପିତାଙ୍କ ଆଖି. ନିଶ୍ଚୟ ଅସୁସ୍ଥ ଅଛି ମାଙ୍କଡ଼ଟି. ବୋଧହୁଏ ଖାଇନି ସେ ବା ଦେହ ଖରାପ ଅଛି ତାର. ସେତିକି ବେଳକୁ ନାତି ବାବା ଆସି ଡାକୁଥିଲା ଜେଜେମାଆ ତଳକୁ ଆସ ଚା ପିଇବ. ଜମା ଚା ପିଇବାର ମନ ନଥିଲା ଆଜି ଅର୍ପିତାଙ୍କର ତ ସେ ନାତିକୁ ପାଖକୁ ଡାକି ନିଶ୍ଚଳ, ପ୍ରତିକ୍ରିୟାବିହୀନ ମାଙ୍କଡ଼ଟିକୁ ଦେଖେଇ କହିଲେ ଦେଖ ବାବା ସେଇ ମାଙ୍କଡ଼ଟିକୁ. ଦିନେ ପଚାରୁଥିଲୁ ଭୋକ କହିଲେ କାହାକୁ ବୁଝାଏ ତ ଦେଖେ ଏ ମାଙ୍କଡ଼କୁ ଭୋକ ହେଉଥିବାରୁ ଓ ଖାଦ୍ୟ ମିଳୁନଥିବାରୁ ସେ କେମିତି ନିସ୍ତେଜ, ରୁଗ୍ଣ ଓ ଚଳତଶକ୍ତିହୀନ ହୋଇପଡିଛି. ବାବା କହିଲା ତେବେ ସେ ଖାଇବାରେ ଅସୁବିଧା କୋଉଠି ଯେ!ସେଇଥିପାଇଁ ତ ଜେଜେ ଆମ୍ବଗଛ କାଟିଲେନି. ଖୁବ ବଉଳ ଖାଇ ଖାଇ ଯେତିକି ଆମ୍ବ ହୋଇଛି ସେସବୁ ଖାଇବାରେ ଅସୁବିଧା କଣ!ଅସୁବିଧା ଅଛି ଧନ. ଭୋକ ହୋଇ ହୋଇ ରୋଗଗ୍ରସ୍ତ ହୋଇଗଲା ପରେ ଦେହ ହାତ ଅବଶ ଲାଗେ ତ ଖାଦ୍ୟ ପାଖକୁ ପହଞ୍ଚିବା ପାଇଁ ଶକ୍ତି ସାମର୍ଥ୍ୟ ନଥାଏ. ହଁ ଜେଜେମାଆ ଏମିତି ଏକ ଉଦାହରଣ ଦେଇ ଆମ ସାର ମଧ୍ୟ ଭୋକର ବିକଳ ଚିତ୍ର ଦେଖ କହି ବୁଝାଇଦେଇଥିଲେ. ଏବେ ମୁଁ ଭୋକ ଓ ଭୋକଠାରୁ ବଡ଼ ଶତୃ ରୋଗକୁ ଚିହ୍ନି ସାରିଛି ଜେଜେମାଆ. ତେବେ ତୁମେ ଚା ପିଇବ ଆସ ଓ ମାଙ୍କଡକୁ ବିସ୍କୁଟ ଆଣି ଦିଅ. ସବୁ ସମାଧାନ ସୂତ୍ର କହି ବାବା ତ ଡିଆଁ ମାରି ଚାଲିଗଲା. ଜେଜେମାଆ କିନ୍ତୁ ଆଜି ରବିବାରରେ ନିଜକୁ ନିୟୋଜିତ କରି ରଖିଲେ ଘରର ଭଙ୍ଗାଭଙ୍ଗି ଜିନିଷକୁ ଏକାଠି କରି ଅଳିଆ ସଫା କରିବାକୁ. ପଲିଥିନ ପୂର୍ଣ୍ଣ. ସିମେଣ୍ଟ ଜରି ଅଖାରେ ଭଙ୍ଗା କଣ୍ଢେଇ ବସ୍ତା ଦୁଇଟିକୁ ପୂର୍ଣ୍ଣ କରି ରଖୁ ରଖୁ ଅନେକ ବାହାଘର, ବ୍ରତଘର, କାନଫୋଡା, ରିଙ୍ଗ ସେରିମନୀ ନିମନ୍ତ୍ରଣ ପତ୍ର ମଧ୍ୟ ଗଦାଏ ବାହାରିଲା. କିଏ କେତେ ବାଛି ବୁଛି ନିଜ ପୁଅ କିମ୍ଭା ଝିଅ ବାହାଘର କି ନାତି ବ୍ରତଘର ଅବା ନାତୁଣୀ କାନଫୋଡା ପାଇଁ କରିଥିବା ନିମନ୍ତ୍ରଣ ପତ୍ର ଗୁଡିକ ମଧ୍ୟ ଗୋଟେ କି ଦିଟା ଜରି ଅଖା ପୂର୍ଣ୍ଣ ହେଲାପରେ ହାଲିଆ ହୋଇ ବସିପଡ଼ିଥିବା ଶାଶୁ ମାଆ ଅର୍ପିତା. ତାଙ୍କୁ ସିଆସିଡ ପକା ଥଣ୍ଡା ପାଣି ମୁନ୍ଦେ ଦେଇ ବୋହୁ କହୁଥିଲା ଆଜି ସେତିକି ଥାଉ ମାଆ.ଏବେ ମାଆ ନାତି ଉଭୟ ଡୁଗୁ କୁ ଧରି ଖାଇବେ ଆସନ୍ତୁ. ତୁ ବାପାଙ୍କୁ ଓ ମୋ ପୁଅକୁ ଖାଇବାକୁ ଦେ ଆମେ ଜେଜେମାଆ ଓ ନାତି ତଥା ନାତୁଣୀ ଗାଧେଇ ପାଧେଇ ଯାଉଛୁ କହି ବାବାକୁ ଖୋଜିଲା ବେଳକୁ ସେ ନଥିଲା.
ଥରକୁ ଥର ଫାଷ୍ଟ. ଏଡ଼. ବକ୍ସ ଖୋଲି କେବେ ଡେଟଲ, କେବେ ତୁଳା ପୁଣି କେବେ ବେଟାଡାଇନ ଅଏଣ୍ଟମେଣ୍ଟ ଧରି ତଳେ ଥିବା ବଡ଼ ବରଗଛ ପାଖକୁ ଯାଉଥିଲା ବାବା ଓ ତାକୁ ସାହାଯ୍ୟ କରୁଥିଲା ଡୁଗୁ ଅପା. ଶେଷକୁ ଫାଷ୍ଟ -ଏଡ଼ -ବକ୍ସ ଉଠେଇ ନେଇ ବରଗଛ ମୂଳେ ନଇଁ ପଡ଼ିଥିବା ନାତି ନାତୁଣୀଙ୍କୁ ଅନୁସରଣ କଲେ ଜେଜେମାଆ. ଆଶ୍ଚର୍ଯ୍ୟ ହେଲେ. ବରଗଛ ମୂଳେ ପଡ଼ିଥିବା ଭଙ୍ଗା କଣ୍ଢେଇ ସବୁରୁ ଗୋଟିକ ଭିତରେ ଥଣ୍ଟ ପୁରେଇ ଆହତ ନୀଳକଣ୍ଠି ପକ୍ଷୀଟିର ଉପଚାର କରି ଚାଲିଛନ୍ତି ନାତି ବାବା ଓ ନାତୁଣୀ ଡୁଗୁ. ଭଙ୍ଗା କଣ୍ଢେଇ ଭିତରେ ଖାଦ୍ୟ ରୂପେ ଖୁଦ ଭାବି ପୋକ ଜୋକ ଅନୁସନନ୍ଧାନ କରୁ କରୁ ଫସି ରହିଥିବା ଥଣ୍ଟକୁ ଭାଇ ଭଉଣୀ ଦୁହେଁ କାଢି ସାରିଥିଲେ ବି କ୍ଷତାକ୍ତ ଥଣ୍ଟ ନେଇ ଉଡ଼ିପାରୁନଥିବା ନୀଳକଣ୍ଠି ଚଢେଇର ଉପଚାର କରୁ କରୁ ବାବା କହୁଥିଲା ଜେଜେମାଆ ଙ୍କୁ ଯେ ବୁଝିଲ ମାମା ଜେଜେ ତୁମେ ସକାଳୁ ଦେଖିଥିବା ସେଇ ମାଙ୍କଡ଼ ର ଅସୁସ୍ଥତା ମଧ୍ୟ ଏଇ ପକ୍ଷୀ ପରି ଭୋକ ରେ ନୁଁହଁ ବରଂ କୋଉ କାଚ ଟୁକୁରା ବା ଭଙ୍ଗା ପ୍ଳାଷ୍ଟିକ ଖେଳନା ବାଜି କ୍ଷତ ଯୋଗୁଁ ହୋଇଥାଇପାରେ. ଜେଜେମାଆ ଙ୍କୁ ତାଙ୍କ ପୁଅ ଜିଟୁର ପୁଅ ନାତି ବାବା ମାମା ଜେଜେ ଡାକେ ଓ ମନ ତଥା ହୃଦୟରେ ଉଠୁଥିବା ପ୍ରଶ୍ନ ପଚାରିବା ସହ କଥା ସବୁ କୁହେ. ଝିଅର ଝିଅ ନାତୁଣୀ ଡୁଗୁ ମଧ୍ୟ ଆଈଙ୍କୁ ସବୁ କହେ. ତାର ଛୋଟ ଭାଇଟିଏ, ଯାହାର ନାମ ଗୁଡ଼ୁ ଜନ୍ମ ହୋଇଥିବାରୁ ସେ ଅଜା, ଆଈ, ମାମୁଁ ମାଇଁ ତଥା ମାମୁଙ୍କ ପୁଅ ବାବା ପାଖେ ରହିଥାଏ.ସେ ମଧ୍ୟ କହୁଥିଲା ବୁଝିଲ ନା ଆଈ ଆମେ ମଣିଷମାନେ ସିନା କଥା କହିପାରୁ ବୋଲି ସବୁ ପ୍ରକାଶ କରିପାରୁ କିନ୍ତୁ ଏ ନିରୀହ ପଶୁ ପକ୍ଷୀ ମାନେ କଥା କହି ପାରୁନଥିବାରୁ ମଣିଷର ଅସାବଧାନତା ଯୋଗୁଁ ଖୁବ କ୍ଷତାକ୍ତ ହୋଇ କଷ୍ଟ ପାଆନ୍ତି. ସେତେବେଳକୁ ବାବା ନିଶୁଣି ପକେଇ ସକାଳ ପହରୁ ସେଇଠି ସେମିତି ପାଣି ଟାଙ୍କି ଉପରେ ବସିରହି ଘୁମେଇ ପଡ଼ିଥିବା ମାଙ୍କଡ଼ର କ୍ଷତ ଠାଵ କରି ଉପଚାର ଆରମ୍ଭ କରୁ କରୁ ଡୁଗୁ ଅପା ପହଁଞ୍ଚି ଯାଇ ତାକୁ ସାହାଯ୍ୟ କରୁଥିଲା. ଜେଜେମାଆ ମାଙ୍କଡ଼ ହାତକୁ କଦଳୀ ଦୁଇଟି ବଢ଼େଇ ଦେଇ ତଳେ ରଖିଥିବା ଭଙ୍ଗା କଣ୍ଢେଇ ବସ୍ତା ଦୁଇଟିକୁ ଆଉ ବାହାରେ ନଫୋପାଡି କବାଡି ବାଲାକୁ ଦେଇଦେବାକୁ ରଖିନେବେ ବୋଲି ତଳକୁ ଯାଇ ଦେଖନ୍ତି ତାହା ଉଭାନ . ହେଲେ କୁଆଡେ ଗଲା ସେ ପ୍ଲାଷ୍ଟିକ ଭଙ୍ଗା କଣ୍ଢେଇ ଖେଳନା ବସ୍ତା ଦୁଇଟି!ସ୍ୱାମୀ କହୁଥିଲେ ଯୋଉ ପଶୁ ପକ୍ଷୀ ରହିବେ ବୋଲି ବାରିପଟ ଆମ୍ବ ଗଛ ହାଣିବାକୁ ହାତ ଗଲାନି ସେଇ ପଶୁ ଓ ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ଯାଇ ଗାତ ଖୋଳି ପୋତି ଦେଇଛି ମୁଁ ନିଜେ ସେସବୁ ଭଙ୍ଗା କଣ୍ଢେଇ ସବୁକୁ . ବାବା ଓ ଡୁଗୁ ସାକ୍ଷୀ ଅଛନ୍ତି. ଅର୍ପିତାଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡି ଆସୁଥିବା ବେଳେ ଝିଅ ରିଟୁ ଫୋନ କରି କହୁଥିଲା ମାଆ ମୋ ଟିକି ପୁଅ ଗୁଡ଼ୁ ଗଲେ ଖେଳିବ ଭଙ୍ଗା କଣ୍ଢେଇ ଫିଙ୍ଗିବୁନି ଜମା.ତ ସ୍ୱାମୀ କହୁଥିଲେ ସେସବୁ ଗଛିତ ସମ୍ପତ୍ତି ଅଛି ଠିକଣା ସ୍ଥାନରେ ସାନ ନାତି ଗୁଡ଼ୁ ପାଇଁ. କିଛି ଦୁଃଖ ଭିତରେ ମଧ୍ୟ ହସ ମାଡୁଥିଲା ଅର୍ପିତାଙ୍କ ସହିତ ସମସ୍ତଙ୍କୁ.
