ଗୋଟିଏ ଗ୍ରାମରେ ଜଣେ କୁମ୍ଭାର ରହୁଥିଲେ. ସେ ଦୁଇଟି ଜିନିଷ ପାଇଁ ଖୁବ ପ୍ରସିଦ୍ଧି ଲାଭ କରିଥିଲେ. ପ୍ରଥମତଃ ତାଙ୍କ ହାତ ତିଆରି ମାଟି ପାତ୍ରର ତୁଳନା ନଥିଲା. ସୁନ୍ଦର ଡିଜାଇନର ମାଟିପାତ୍ର ଗୁଡିକ ଦେଖିବାକୁ ଯେପରି ଆକର୍ଷଣୀୟ ଥିଲା ସେହିପରି ମଜଭୂତ ମଧ୍ୟ ରହିଥିଲା. ଏସବୁ ପାଇଁ କିନ୍ତୁ ମନରେ ତାଙ୍କର ଖୁବ ଗର୍ବ ଓ ଅହଙ୍କାର ଆସିଥିଲା କି ତାଙ୍କ ପରି ଆଉ କୌଣସି କୁମ୍ଭାର ଏ ସାତଖଣ୍ଡ ଗାଁରେ କଣ କୋଉଠି ବି ନଥିବେ. ଦ୍ୱିତୀୟ ଟି ଥିଲା ତାଙ୍କର ବାରିପଟେ ଗୋଟେ ସୁସ୍ୱାଦୁ ପଣସ ଗଛ. ପଣସ କୋଳ ଗୁଡିକ ଖୁବ ସ୍ୱାଦିଷ୍ଟ ଓ ମିଠା ତଥା ରାସାଳ ଥିଲା କିନ୍ତୁ ପଣସ ପାଚିଲେ ସେ କାହାକୁ ଦେବା କଥା ଦୂରେ ଥାଉ ଗଛ ଉପରେ ନାନା ଜାତିର ପଶୁ ପକ୍ଷୀ କି କୀଟ ପତଙ୍ଗ, ଏମିତିକି ପିମ୍ପୁଡି କି ଜନ୍ଦା କୁ ମଧ୍ୟ ସେଥିରୁ ଭାଗ ଦେଉନଥିଲେ. ସବୁ ଗୁଡିକ ନେଇ ଦୂର ହାଟରେ ବିକ୍ରୀ କରି ଦୁଇ ପଇସା ପାଣ୍ଠି କରୁଥିଲେ. ଏସବୁ ସତ୍ୱେ ତାଙ୍କର ଇଶ୍ୱରଙ୍କ ପ୍ରତି ଦୁର୍ବଳତା ଥିଲା ତ ଗୁରୁଜ୍ଞାନ ଲଭିବାକୁ ଟିକେ ଦୂରରେ ଥିବା ଜଣେ ସାଧୁଙ୍କ ଶରଣାପର୍ଣ୍ଣ ହୋଇ ମଧ୍ୟ ନିରାଶରେ ଫେରିଆସନ୍ତି କାରଣ ସାଧୁ ତାଙ୍କୁ ଆଉ କିଛି ଦିନ ଅପେକ୍ଷା କରନ୍ତୁ ବୋଲି କହୁଥାନ୍ତି.
ଦିନେ ବାରିପଟକୁ ଯାଇ କୁମ୍ଭାର ଦେଖିଲେ ପଣସ ଗଛ ତଳେ ଜଣେ ବୁଢା ଲୋକ ବସିଛି ଏବଂ ହାତରେ ଛତା ଧରି ରଖିଛି. କୁମ୍ଭାର ଯେବେ ପଚାରିଲେ ମଉସା ମୋ ପଣସ ଗଛ ଛାଇ ପରି ଛାଇ ନାହିଁ. ତେବେ ଛାଇ ତଳେ ଛତା ଧରି ବସିବା ତୁମର ବୋକାମୀ ନୁହେଁକି!ଏତିକି କଥା କହୁ କହୁ ପଣସ ଗଛ ଉପରୁ ପକ୍ଷୀ ମଳ ଆସି କୁମ୍ଭାରଙ୍କ ମୁଣ୍ଡ ଉପରେ ପଡିଲା ବେଳେ ବୁଢାମଉସାଙ୍କ ମୁଣ୍ଡରେ ଛତା ଥିବାରୁ ତାଙ୍କ ମୁଣ୍ଡ ଅପରିସ୍କାର ହେଲନାହିଁ.ତ ସେ କହୁଥିଲେ ସୃଷ୍ଟିରେ ସବୁ ଗଛ ଛାଇ ଦେବା ସହ ପଶୁପକ୍ଷୀଙ୍କୁ ଆଶ୍ରୟ ଦିଏ ଓ ମଣିଷକୁ ଫୁଲ, ଫଳ, ପତ୍ର, ଡ଼ାଳ ଓ ଆବଶ୍ୟକ ସ୍ଥଳେ ମୂଳ ଦିଏ. ତୁମ ଗଛ ବୋଲି ଭାବି ଗର୍ବ କରିବନି.କିଛି ଦିନ ପରେ ଏକଥା ଭୁଲିଯାଇଥିଲେ କୁମ୍ଭାର ଓ ପଣସ ଋତୁ ଆଁଶିସାରିଥିଲା. ପାଚିଲା ପଣସ ବାସ୍ନାରେ ତା ତଳେ ବସିଥିବା ଜଣେ ସାଧୁ ଓ ତାଙ୍କ ଶିଷ୍ୟମାନେ ପଣସ ଖାଇବାକୁ ଇଛା କରିବାରୁ ଗୃହସ୍ଥ ବା ଗଛର ମାଲିକ ଙ୍କୁ ନପଚାରି କେମିତି ଖାଇବା ବୋଲି ସନ୍ଥ ତଥା ସାଧୁ କହନ୍ତେ ଶିଷ୍ୟମାନେ କୁମ୍ଭାରଙ୍କୁ ପଚାରିବାକୁ ଯିବାରୁ କୁମ୍ଭାର କହିଥିଲେ ସେ ପଣସ ଭିତରେ ଖାଲି ପୋକ. ଫେରିଆସିଥିଲେ ଶିଷ୍ୟମାନେ ଓ ସାଧୁ କହିଥିଲେ ପୋକ ବୋଲି କହୁଥିବା ପଣସ ସବୁ ସେମିତି ପୋକ ଲାଗି ରହୁ. ତା ପରଠୁ କୁମ୍ଭାର ଦେଖିଲେ ସତକୁ ସତ କି କଞ୍ଚା କି ପାଚିଲା ସବୁ ପଣସରେ ପୋକ. କୁମ୍ଭାର ଏଥର ଏହାର ପ୍ରତିକାର ପାଇଁ ଧନ, ରତ୍ନ ଓ ସୁସ୍ୱାଡୁ ଖାଦ୍ୟ ପଦାର୍ଥ ଧରି ନିକଟସ୍ଥ ଗୁରୁ ରୂପୀ ସାଧୁଙ୍କ ପାଖକୁ ଧାଇଁଲେ. ଅନେକ ଥର ଜ୍ଞାନ ନେବାକୁ ଓ ଭଗବାନଙ୍କ କରୁଣା ଲଭିବାର ପଥ ଦେଖେଇଦେବାକୁ ଏଇ ସାଧୁ ତଥା ସନ୍ଥ ତଥା ସନ୍ୟାସୀ ଙ୍କ ପାଖକୁ ସେ ଖାଲି ହାତରେ ଆସୁଥିବାରୁ ତାଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଥିଲା କାରଣ ଆଜି ସାଧୁ ଜଣଙ୍କ କୁମ୍ଭାରଙ୍କ ଆଡକୁ ପାତ୍ରଟିଏ ବଢ଼େଇ ଦେଉଥିଲେ. କୁମ୍ଭାର ଚକିତ ହେଲେ. ପାତ୍ର ମଧ୍ୟରେ ପଙ୍କ କାଦୁଅ ତଥା ବହୁ ଅଳିଆ ତ ଏତେ ସୁସ୍ୱାଦୁ ଖାଦ୍ୟ ସହ ସେ ଆଣିଥିବା ବହୁମୂଲ୍ୟ ପଦାର୍ଥ ଓ ବସ୍ତୁ ସବୁକୁ ଏଭଳି ପାତ୍ରରେ ସେ ଦେବେ କିପରି!ସାଧୁ ସ୍ମିତ ହସି ବୁଝେଇ ଦେଲେ ଯେ ତୁମ ହୃଦୟରେ ଯେଉଁ ଗର୍ବ, ଅହଙ୍କାର ଓ ବୟସ୍କମାନଙ୍କ ପ୍ରତି ବେଖାତିର ତଥା କୃପଣ ପଣିଆ ଭଳି ଅପରିସ୍କାର ଅଛି ସେ ହୃଦୟରେ ଗୁରୁଜ୍ଞାନ କେମିତି ଦେଇପାରିଥାଆନ୍ତି ତୁମକୁ. ବୁଝିଗଲେ କୁମ୍ଭାର. ନିଜ ମାଟି ପାତ୍ର ଯେତେ ମଜଭୂତ ହେଲେ ମଧ୍ୟ ସେଥିପାଇଁ ତାଙ୍କର ଗର୍ବ କରିବା ଉଚିତ ନଥିଲା କି ବୟସ୍କ ବୃଦ୍ଧ ଲୋକ ଜଣକ ଗଛ ଛାଇ ତଳେ ଛତା ଧରି ବସିଥିବାରୁ ତାଙ୍କୁ ହେୟ ଜ୍ଞାନ କରିବା ଉଚିତ ନଥିଲା କିମ୍ବା ସାଧୁ ସନ୍ଥଙ୍କ ସହ ତାଙ୍କ ଶିଷ୍ୟ ମାନଙ୍କୁ ନିଜ ଗଛ ବୋଲି ଗର୍ବ କରି ସୁସ୍ୱାଦୁ ପକ୍ୱ ପଣସ ଫଳକୁ ପୋକା ବୋଲି କହି ମିଛ କହିବା ମହାପାପ ରେ ଭାଗି ହେବାର ନଥିଲା କିମ୍ବା କୃପଣ ହୋଇ ନିଜର ଧନ ବଢ଼େଇ ଲୋଭୀ ହେବା ଉଚିତ ନଥିଲା. ନିଜର ଭୁଲ ବୁଝିବା ପରଠୁ ସେହି ଗୁରୁ ରୂପୀ ସନ୍ଥ ଏଥର କୁମ୍ଭାରଙ୍କୁ ଶିଷ୍ୟ ରୂପେ ଗ୍ରହଣ କରି ଗୁରୁଜ୍ଞାନ ପ୍ରଦାନ କରିଥିଲେ. କୁମ୍ଭାର ଦେଖିଲେ ଏଣିକି ପାଚିଲା ବା କଞ୍ଚା ପଣସରେ ଆଉ ପୋକ ନଥିଲେ ତ ସେ ପଶୁ, ପକ୍ଷୀ, କୀଟ ସହ ସମସ୍ତ ମଣିଷମାନଙ୍କୁ, ଯିଏ ଯେପରି ଖାଇବ ସେପରି କଞ୍ଚା ଓ ପାଚିଲା ପଣସ ବାଣ୍ଟି ଚାଲିଥିଲେ.