STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମଶା

ମଶା

4 mins
2

ଶଶୁର ବାପାଙ୍କ ରୁମ ଲାଇଟ ଲିଭିନି ଏଯାଏଁ . ବୋଧେ ଏଯାଏଁ ଶୋଇନାଁହାନ୍ତି ବାପା. କାମ ଦେଇଛି ତେବେ ତାଙ୍କ ପ୍ଲାନ . ବୋଉଙ୍କ ସହ ବିତେଇଥିବା ଚାଳିଶ ବର୍ଷର ଦାମ୍ପତ୍ୟ କୁ କିଏ କଣ ଏମିତି ଭୁଲିଯାଇପାରେ!ସତ ଯେତେ ସତ ହେଲେ ମଧ୍ୟ ବୋଉଙ୍କୁ କଥାଟା ବାଧିଛି ବୋଲିତ ସେ ସ୍ବର୍ଗପୁରରେ ଥାଇ ମଧ୍ୟ ତାଙ୍କ ସ୍ୱପ୍ନରେ ଆସିଛନ୍ତି!ପ୍ରତ୍ୟେକ୍ଷ ରେ ଯେତେ ଆଶୀର୍ବାଦ ଦେଲେ ମଧ୍ୟ ପରୋକ୍ଷରେ ଅଭିମାନ ହିଁ କରିଛନ୍ତି. ତୋ ଶଶୁର ତୋ ପରି ସୁନାବୋହୁ ପାଇ ମତେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି ବୋଲି ସ୍ୱପ୍ନରେ କହି କାନ୍ଦିଲେ ବୋଲି ତ ସେ ବୋଉଙ୍କ ପୂଜା ଫୋଟୋଟିକୁ ନେଇ ବାପାଙ୍କ ରୁମ ରେ ଏମିତି ଟାଙ୍ଗିଥିଲେ ଯେମିତି ବାପା ଖାଇପିଇ ସାରିବା ପରେ ସୁନାବୋହୁ ଅର୍ଥାତ ସେ ନିଜେ ଅଞ୍ଜୁ ଖଟରେ ମଶାରୀ ଟାଣି ଚାରିପଟକୁ ଏମିତି ଶେଜ ତଳେ ଖୋସିଦିଅନ୍ତି ଯେମିତି ଗୋଟେ ହେଲେ ମଶା ପଶିପାରିବନି ମଶାରୀ ଟପି ଶଶୁର ବାପା ଙ୍କ ରକ୍ତ ଶୋଷିବାକୁ ଭିତରକୁ. ସେତକ ଜଗିଦେଲେ ତୋ ଶଶୁରଙ୍କ ଆଖି କୁ ଠିକ ନିଦ ଆସିଯିବ ବୋଲି ବଞ୍ଚି ଥାଉ ଥାଉ କହିଥିବା ଶାଶୁ ଏବେ ସ୍ୱପ୍ନରେ ଆସି ଅଭିମାନ କରୁଛନ୍ତି ନିଜ ସ୍ୱାଭିମାନ ପ୍ରକଟ କରି ଯେ ମତେ ଭୁଲିଗଲେ ତୋ ଶଶୁର . ହେଲେ ବାପା ବୋଉଙ୍କ ଫୋଟୋ ଦେଖି ମଧ୍ୟ ନଦେଖିଲା ପରି ଘୁଙ୍ଗୁଡ଼ି ମାରି ଶୋଇଯାଉଥିବାରୁ ନିଜ ପ୍ରଥମ ଚାଲ ଫେଲ ମାରିବା ପରେ ଦ୍ୱିତୀୟ ଚାଲ ଚଲେଇଛନ୍ତି ବୋହୁ ଅଞ୍ଜୁ. ବାପା ଓ ବୋଉଙ୍କର ପୁରୁଣା ଆଲବମ ନେଇ ଖଟ ଭିତରେ ରଖି ମଶାରୀ ଖୋସି ଆସିଛନ୍ତି. ଏଡ଼େ ବହପ ବାପାଙ୍କର!ଅଭିମାନ ଆସିବନାହିଁ ବୋଉଙ୍କର!ତିନିଟା ବର୍ଷ ଭିତରେ ତିନିଟା ଦିନ ପାଇଁ ମଧ୍ୟ ମନେପକାଇବନି ହାତ ଧରି ବାହା ହୋଇ ଯାହାକୁ ଏଘରକୁ ଆଣି ନିଜର ଓ ନିଜ ପୁଅ ଝିଅ ତଥା ସମସ୍ତଙ୍କର ସମସ୍ତ ଜଞ୍ଜାଳ ଲଦି ଦେଲ!ଚାଳିଶ ବର୍ଷ ଧରି ଯୋଉ ସ୍ତ୍ରୀ ଲୋକଟିକୁ ଚାରିକାନ୍ଥ ଭିତରେ ବନ୍ଦିନୀ କରି ରଖି ନିଜର ସ୍ୱାର୍ଥ ଓ ସର୍ତ୍ତ ତା ସହ ନିଭେଇଲ!ଏଇ ତିନିଟା ବର୍ଷ ଭିତରେ ଭୁଲିଗଲ!ଖୁବ ହେଇଛି. ଆଜି ପୁରୁଣା ଆଲବମ ଦେଖୁ ଦେଖୁ ବୋଉଙ୍କୁ ଖୁବ ଝୁରିବେ ଶଶୁର ବାପା ଓ ବୋଉଙ୍କ ଆତ୍ମା ଶାନ୍ତି ପାଇବ ଭାବି ଶୋଇବାକୁ ଚେଷ୍ଟା କଲେ ଅଞ୍ଜୁ. ଶୋଉ ଶୋଉ ଆଖିପତା ଲାଗିଗଲା ବେଳେ ଭାବୁଥିଲେ ଯେମିତି ବାପା ସେମିତି ପୁଅ. ଏପଟେ ବଞ୍ଚିଥିଲା ସ୍ତ୍ରୀ ଅଞ୍ଜୁପାଇଁ ଯିଏ ଘଡିଏ ଆଖିପତା ମେଲାଇ ରଖିପାରୁନି ସେପଟେ ବାପା ମୃତା ସ୍ତ୍ରୀ କଥା କେମିତି ମନେ ପକାଇବେ! ଭଲ ହୋଇଛି. ଆଲବମ ରେ ଥିବା ସେଇ ମହଳଣ ପଡିଆସୁଥିବା ଛବି ସବୁ କଥା କହୁଥିବ. ଦେଖିବା କେମିତି ଆଜି ବୋଉଙ୍କୁ ମନେ ନପକେଇ ଶୋଇବେ ବାପା!ଏହି କଥା ଭାବି କୁରୁଳେଇ କଡ଼ ଲେଉଟିଲେ ଅଞ୍ଜୁ.
     ସତକୁ ସତ ସେପଟେ ବାପା ମାଧବାନନ୍ଦ ସେଇ ପୁରୁଣା ହୋଲି ଫୋଟୋ ଦେଖି ସେଦିନର କଥା ସବୁ ଚିତ୍ରହାର ପରି ଚିତ୍ରଗୀତି ରୂପେ ଆଖି ଆଗରେ ଦେଖି ଭାବୁଥିଲେ ଅତୀତ ଓ ତାର ସ୍ମୃତି . ଗାଁରେ ଖୁବ ଧୁମଧାମରେ ସେ ବର୍ଷ ହୋଲି ଖେଳ ସାଙ୍ଗକୁ ଭୋଜିଭାତ ତଥା ନାଚଗୀତର ଆୟୋଜନ ହୋଇଥାଏ. ପ୍ରଥମ ପ୍ରଥମ କଲେଜରେ ନାମ ଲେଖାଇଥିବା ମାଧବାନନ୍ଦ ଗାଁ କୁ ଆସିଥାଆନ୍ତି. ହୋଲି ଖେଳୁ ଖେଳୁ ସମୟ, ସୁବିଧା ଓ ସୁଯୋଗ ପାଇ ମାଧବାନନ୍ଦ ମାଳତୀଙ୍କୁ ଭିଡି ଧରିଥିଲେ ରଙ୍ଗ ଲଗେଇବାକୁ. ଖୁବ ଆଗରୁ ଏକତରଫା ପ୍ରେମ କରୁଥିବା ମାଳତୀଙ୍କୁ ରଙ୍ଗ ଲଗେଇଲା ବେଳେ ସେ କହିଥିଲେ ରଙ୍ଗ ଯଦି ଲେଗେଇବାର ଅଛି ଚୋର ପରି ଅସମ୍ମାନ ରେ ନୁଁହଁ ବରଂ ବୀର ପରି ସମ୍ମୁଖ ଭାବେ ଲେଗେଇବାକୁ ପ୍ରସ୍ତୁତ ହୁଅ. ବୁଝିଯାଇଥିଲେ ମାଧବାନନ୍ଦ. ସେ ଯେଉଁ ଭାବୁଥିଲେ ତାଙ୍କ ପ୍ରେମ ଏକତରଫା ବୋଲି ଆଜି ମନରୁ ସଂଶୟ ଦୂରେଇ ଗଲା ତ ବୋଉ ଚାଲିଯିବା ପରେ ବୋହୁ ଖୋଜି ଖୋଜି ବାପା ନାକେଦମ ହେଉଥିଲା ବେଳେ ମାଧବାନନ୍ଦ ଇସାରାରେ ଜଣେଇ ଦେଇଥିଲେ କସ୍ତୁରୀ ମୃଗର ନାଭିରେ କସ୍ତୁରୀ ଥାଇ ମଧ୍ୟ ମୃଗ ଖୋଜିହୁଏ ବାସ କୋଉଠୁ ଆସୁଛି!ଆମ ଗାଁରେ କଣ ଝିଅ ନାଁହାଁନ୍ତି ଯେ ତୁମେ ସାତଖଣ୍ଡ ଗାଁ ତଲାସୀ ନେଉଛ?ବୁଝିଗଲେ ବାପା. ଉପରକୁ କହିଲେ ମୋ ପୁଅ ପାଇଁ ଆମ ଗାଁରେ କୋଉ ଝିଅ ସରି ମତେ ତ ଦେଖାଯାଉନି. ମାଧବାନନ୍ଦ ଙ୍କ ସାଙ୍ଗ ଠାରୁ ସବୁ ଜାଣି ମାଳତୀଙ୍କୁ ବୋହୁ କରି ଆଣିବା ପରେ ସେ ସେହି ସମୟରୁ ଘର, ସ୍ୱାମୀ, ଶଶୁର, ଜମିବାଡ଼ି ସହିତ ପୁଅ ଝିଅ ଙ୍କୁ ଉପଯୁକ୍ତ ଯତ୍ନ କରୁ କରୁ ମାଧବାନନ୍ଦ ଜାଣିସାରିଥିଲେ ସେ ରତ୍ନ ପାଇଛନ୍ତି. ବାପା ଗଲାପରେ ସ୍ୱାମୀଙ୍କୁ ଭାଙ୍ଗି ପଡ଼ିବାକୁ ଦେଇ ନାଁହାଁନ୍ତି ମାଳତୀ. ଯଥା ସମୟରେ ଝିଅ ବାହା ଦେଇ ଘରକୁ ବୋହୁ ଆଣି କାଚ ସିନ୍ଦୁର ଓ ଅଳତା ଲୋଭି ମାଳତୀ ସେସବୁ ନେଇ ଚାଲିଯାଇଛନ୍ତି ଆଗୁଆ. ଆଉ ସ୍ୱପ୍ନରେ ଥରେ ନୁଁହଁ ଅନେକ ଥର ଦେଖାଦେଇ ପଚାରିସାରିଲେଣି କିଛି ଭୁଲ କରିଛି ଯଦି କ୍ଷମା କରିଦିଅ କିନ୍ତୁ ଭୁଲି ଯାଆନା!ସେକଥା ଅଞ୍ଜୁ ବୋଧେ ଜାଣିପାରିଛି. ନହେଲେ ଏ ଆଲବମ ଓ ଏ ସବୁ ଫୋଟୋ!ଧଡ଼ପଡ଼ ହୋଇ ଲାଇଟ ଲିଭେଇ ଶୋଇପଡିବାକୁ ଦେଖିଲା ବେଳକୁ ସକାଳ ପାହିବ. କାନ୍ଥରେ ଘଣ୍ଟା ଜାଗାରେ ଟଙ୍ଗା ମାଳତୀଙ୍କ ବଡ଼ ବନ୍ଧେଇ ଫଟୋ ଭିତରୁ ମାଳତୀ ଆଜି ହସୁଥିଲେ ଖୁବ.ଆଉ ସତେକି କହୁଥିଲେ ଆଜି ଅନ୍ତତଃ ବାସି ଫୁଲ ହାର କାଢି ନିଜ ହାତରେ ସଜ ଫୁଲ ହାର ଅବା ଝୁରା ଫୁଲ ଦିଟା ଦିଅନ୍ତ ନାହିଁ ମୋ ଫୋଟୋରେ!ହଁ ହଁ ନିଶ୍ଚୟ ନିଶ୍ଚୟ କହି କବାଟ ଖୋଲୁ ଖୋଲୁ ବୋହୁ ଅଞ୍ଜୁ କହୁଥିଲା ରାତି ସାରା ରୁମରେ ଲାଇଟ ଜଳୁଛି. ଦେହ ଭଲ ନାହିଁ ଭାବି ଚା କରି ଏବେ ଆପଣଙ୍କୁ ଡାକିବାକୁ ଆସୁ ଆସୁ ଉଠିପଡିଲେଣି. ନିଦ ହେଲାନି କି ବାପା? ଉତ୍ତର ଦେବାକୁ ଯାଇ ହଡ଼ବଡେଇ ମାଧବାନନ୍ଦ କହୁଥିଲେ ହଁ..ହଁ.. ନାହିଁ.. ନାହିଁ କହୁ କହୁ ପୁଣି ଶଶୁର ବାପା କୈଫତ ଦେଲାପରି କହୁଥିଲେ ନାହିଁ ମଶା ଗୋଟେ ଦିଟା ରହିଯାଇଥିଲେ କେମିତି ମଶାରୀ ଭିତରେ ତ ତାଙ୍କୁ ମାରିବାକୁ ଲାଇଟ ଜଳାଇ ରଖିଥିଲି. ହଉ ହଉ ବାପା ଚା ଟା ପିଇ ଗାଧେଇ ପଡି ଏ ସଜ ଫୁଲ ହାର ବୋଉଙ୍କ ବେକରେ ପକେଇଦେଇ ଏଇ ଭୋର ଭୋର ଆଉ ଟିକେ ଶୋଇପଡନ୍ତୁ. ମୁଁ ମଶା ମାରିଦଉଛି ମଶାରୀ ଭିତରୁ. ବାପା ମାଧବାନନ୍ଦ ବୋହୁ କଥା ମାନି ସବୁ କରିଯାଉଥିଲେ ଯନ୍ତ୍ରବତ.


Rate this content
Log in

Similar oriya story from Abstract