ସହରରେ ରହିବା ନିଶା ଘାରିଥିଲା ଅମୀୟଙ୍କୁ. ସାତପୁରୁଷି ବାପା ଜେଜେ ଅମଳର କିଛି ଜମି ବିକି ସହରରେ ଗୋଟେ ପ୍ଲଟ କିଣିବାକୁ ଚେଷ୍ଟା କରି କରି ନୟାନ୍ତ ହେଲାପରେ ଆପାର୍ଟମେଣ୍ଟ ଘର କରିବା ନିଷ୍ପତ୍ତିରେ ମନ ବୁଝୁ ନଥିଲା ସ୍ତ୍ରୀଙ୍କର. ଖୋଲା ଅଗଣା, ସୂର୍ଯ୍ୟ କିରଣ,ଖିଲିଖିଲି ପବନ ନଥିଲା ସେ ଥାକ ଥାକିଆ ଘରେ. ସକାଳ ହେଲେ ଜଣା ପଡୁନଥିଲା କି ସନ୍ଧ୍ୟା ହେଲେ ଜଣା ପଡୁନଥିଲା. ଅଧିକାଂଶ ସମୟ ଇଲେକ୍ଟ୍ରିକ ବଲବ ଜଳୁଥିଲା ତ ସ୍ତ୍ରୀ ଅମିତା କହୁଥିଲେ ବାପା ସହରରେ ଘର କରିବାକୁ ଏଇଥି ପାଇଁ ମନା କରୁଥିଲେ କି ତାଙ୍କୁ ଏ ଥାକ ଥାକ ଘର ଜମା ସୁବିଧା ହୋଇନଥାନ୍ତା. ଅମୀୟ ପଚାରନ୍ତି କାହିଁକି?ତ ବୁଝେଇଦିଅନ୍ତି ଅମିତା କହନ୍ତି ବାପା ଗାଁରେ କେତେ ଖୋଲା ଜାଗାରେ ଚଳି ଆସିଛନ୍ତି. ଗାଧୁଆ ପାଧୁଆ ନିତ୍ୟକର୍ମଠୁ ଆରମ୍ଭ କରି, ଖୋଲା ଅଗଣାରେ ବସାଉଠା ସାଙ୍ଗକୁ ଗାଁର ବୟସ୍କ ବନ୍ଧୁମାନଙ୍କ ସଙ୍ଗେ ଗପସପ, ଚାସ ଖେଳ ସାଙ୍ଗକୁ ବାଡ଼ି ବଗିଚାରେ ଲଗାଇଥିବା ଫୁଲ, ପରିବା ଓ ଶାଗ ତୋଳା ଇତ୍ୟାଦି କରିବାରେ ଯେଉଁ ଆନନ୍ଦ ପାଆନ୍ତି ତାହା ଏ ଘରେ ପାଇନପାରି ଆହୁରି କଷ୍ଟ ପାଇଥାଆନ୍ତେ. ବୋଉ ମଧ୍ୟ ଖୋଲା ଅଗଣା ନପାଇ, ତୁଳସୀ ଗଛଟିଏ କୋଉଠି ଲଗାଇବି, ସାଇପଡିଶା ନାହିଁ କାହା ସଙ୍ଗେ ଦୁଃଖ ସୁଖ ହେବି କହି ବ୍ୟସ୍ତ ବିବ୍ରତ ହୋଇପଡୁଥାଆନ୍ତେ. ରାଗିଯାଆନ୍ତି ଏସବୁ ଶୁଣି ଅମୀୟ ଓ କହନ୍ତି ତା ମାନେ ତୁମେ କହୁଛ ମୋ ବାପା ମାଆ ମୋ ଉପରେ ଅସନ୍ତୁଷ୍ଟ ହୋଇ ଗାଁରେ ରହୁଛନ୍ତି ପଛେ ମୋ ପାଖରେ ରହିବାକୁ ଆସୁନାଁହାନ୍ତି!ନା ସେମାନଙ୍କ ନାମ କହି ତୁମେ ଏ ଘରେ ଶାନ୍ତି ପାଉନ!
ଉଦାସ ଦେଖାଯାଆନ୍ତି ଅମିତା. ସତକଥା ଅମିତା ମଧ୍ୟ ପରୋକ୍ଷରେ ସେୟା ଚାହାଁନ୍ତି କିନ୍ତୁ ଥାକ ଥାକ ଘରର ଉତ୍ତର ପୂର୍ବ କୋଣର ପଞ୍ଚମ ଫ୍ଲାଟର ଘରର ବାଲକୋନୀ ଉପରୁ ଗଛ ଗୁଡିକର ଅଗ୍ର ଭାଗରୁ ପକ୍ଷୀ ଦେଖି ଖୁବ ଖୁସି ହୁଅନ୍ତି. ଏତେ ବଡ଼ ବଡ଼ ବର, ଓସ୍ତ, ନଡ଼ିଆ, ତାଳ ଇତ୍ୟାଦି ଡେଙ୍ଗା ଗଛ ସବୁ ଉପରୁ ପକ୍ଷୀ ଦେଖିବା, ତାଙ୍କ ଗତିବିଧି ଲକ୍ଷ କରିବା, ସ୍ୱର ଅନୁକରଣ କରି ତାଙ୍କ ବସା ଓ ଉଡାଣ ଠାଵ କରିବା ଖୁବ ସହଜ ମନେ କରନ୍ତି. ସେଦିନ କିନ୍ତୁ କଜ୍ଵଳପାତି ଚଢେଇଟି ସବୁଦିନ ପରି ଲଢୁଆ ମନୋବୃତ୍ତିର ନହୋଇ ସାଥି ପକ୍ଷୀଟିକୁ ଚାହିଁ ବୋବାଉ ଥାଏ, ଏତିକି ବେଳେ କୁଆଡୁ ଉଡି ଆସିଲା ଗୃଧ ପକ୍ଷୀ ଓ ଝାମ୍ପ ମାରି କଜ୍ଜଳପାତି ଚଢେଇଟିକୁ ଉଠାଇ ନେବାର ଦୃଶ୍ୟରେ ଶୀହରିତ ହେଲେ ଅମିତା. ସନ୍ଧ୍ୟା ଆସି ପୁଣି ସନ୍ଧ୍ୟା ଗଡି ରାତି ଆସିବା ଯାଏଁ ସହସାଥି କଜ୍ଜଳପାତି ପକ୍ଷୀଟି ବୋବେଇ ବୋବେଇ ଖୋଜୁଥିଲା ସାଥି ଚଢେଇଟିକୁ. ରାତ୍ରୀର ପ୍ରହର ବଢିବା ସହ ତା ବୋବାଳି ବନ୍ଦ ହୋଇଯାଇଥିଲା କିନ୍ତୁ ଅମିତାଙ୍କ ଲୁହ ଶୁଖୁନଥିଲା. ଅମୀୟ ଯେତେ ପଚାରିଲେ ମଧ୍ୟ ବାଲକୋନିର ଦ୍ୱାର ଆଉ ଖୋଲା ରହୁନଥିଲା,ଥାକ ଥାକ ଘରର ସେହି ପଞ୍ଚମ ମହଲାର ପୂର୍ବ ଉତ୍ତର କୋଣରେ ଥିବା ଅମୀୟ ଅମିତାଙ୍କ ଘରଟିରେ.ସେହି କବାଟ ସବୁଦିନ ପାଇଁ ବନ୍ଦ ହୋଇଗଲା ପରେ କେଜାଣି କାହିଁକି ଅମୀୟ କହିଥିଲେ ଚାଲ ଗାଁ କୁ ଫେରିଯିବା. ତଥାପି ବଳି ପଡ଼ିଥିବା ଆଉ କିଛି ଜାଗାରେ ଦୁଇବଖରା ଅଧିକ ରୁମ ବନେଇ ବଗିଚା କରି ବାପା ବୋଉଙ୍କ ସହ ରହିବା.ନୀରବତା ସମ୍ମତିର ଲକ୍ଷଣ ବୋଲି ଭାବିନେଇଥିଲେ ଅମୀୟ .
ସେପଟେ ବାପା ଓ ମାଆ ଚଳେଇଥିଲେ ଶ୍ରୀହରିଙ୍କ ସଂସାର ଯେମିତି.ଚା ଟିକେ ମିଳିବ କି?,ବୋଲି ବଡ଼ ପାଟିରେ ଘରଣୀଙ୍କୁ କହୁ କହୁ ପଡୋଶୀ ଘରେ ଏଇ କିଛି ଦିନ ହେବ ରହୁଥିବା ପୁଅ ଛୋଟୁ କହିଲେ ମୁଁ କଫି ନେଇ ଯାଉଛି ମଉସା. ଛୋଟୁ ଉପରକୁ ଆସି ଶ୍ରୀମାନ ଓ ଶ୍ରୀମତୀଙ୍କୁ ଦୁଇ କପ କଫି ବଢ଼େଇ ଚାଲିଯାଉଥିବା ବେଳେ ପଛରୁ ଶ୍ରୀମାନ ସତ୍ୟବାବୁ ହେଁ ହେଁ ହସି ଦାନ୍ତ ନିକୁଟେଇ କହୁଥିଲେ ଆଃ ଆମର ଏଠି ଶ୍ରୀହରିଙ୍କ ସଂସାରର ପୁନରାବୃତ୍ତି ହେଲା ପରି ଲାଗୁଛି. ରହିଯାଇ ଛୋଟୁ ଆଶ୍ଚଯ୍ୟ ଆଖିରେ ଚାହିଁଲା ବେଳେ ଶ୍ରୀମତୀ ଓରଫ ଅନୁ କହିଲେ ତୁମେ ପିଲାଲୋକ ବୁଝିପାରିବ ନାହିଁ. ସେତେବେଳେ ରେଡିଓ ଯୁଗରେ ଶ୍ରୀହରିଙ୍କ ସଂସାର ଧାରାବାହିକ ନାଟକ ଶୁଣିବାକୁ ଖୁବ ମଜ୍ଜା ଲାଗେ. ସେଥିରେ ଗୋଟେ ଏପିସୋଡ ରେ ପାଖ ପଡୋଶୀ ଘରର ଲୋକ ନିଜ ସ୍ତ୍ରୀ ଙ୍କୁ କଣ ପଚାରିଲେ ଆର ପଟ ପଡୋଶୀ ଘର ସ୍ତ୍ରୀ ଲୋକ ଜବାବ ଦେଇଥାନ୍ତି ପୁଣି ପଡୋଶୀ କେହି ସେପଟୁ କିଛି କହିଲେ ବା ସେପଟ ପଡୋଶୀ କିଛି ପଚାରିଲେ ଏପଟ ପଡୋଶୀ ଉତ୍ତର ଦେଉଥାଆନ୍ତି ତ ମଜ୍ଜାଦାର ଲାଗେ ନାଟକ. ଏବେ ତ ଦେଖିବା ଓ ଶୁଣିବା ଉଭୟ ଟିଭିରେ ହୋଇପାରୁଛି.ସେତେବେଳେ ଖାଲି ରେଡ଼ିଓ ରୁ ଶୁଣିବାରେ ବି ନିଆରା ମଜ୍ଜା ଥିଲା. ସେମିତି ଆଜି ମଉସା ମତେ ଚା ମାଗୁ ମାଗୁ ତାଙ୍କୁ କଫି ମିଳିଗଲା ତୁମ ହାତରୁ ତ ତାଙ୍କର ସେଇ ପିଛିଲା ଦିନର ରେଡ଼ିଓ କଥା ମନେ ପଡିଗଲା ବୋଲି କହୁଥାନ୍ତି ଅନୁ ଦେବୀ . ସତ୍ୟବାବୁ କହୁଥିଲେ ଓଃ କଫି ଟା କି ବଢିଆ ହୋଇଛି!ଛୋଟୁ ସନ୍ତୁଷ୍ଟ ନୟନରେ ଫେରିପଡ଼ୁ ପଡ଼ୁ କହୁଥିଲେ ମୁଁ ସକାଳୁ କଫି ପିଏ ତ ଏଣିକି ସବୁଦିନ ଆଉ ଦୁଇ କପ ଆପଣ ଦୁଇଜଣଙ୍କ ପାଇଁ କରି ଆଣି ଆସିବି .ଅନୁ ମଧ୍ୟ ଯାହା ସକାଳ ଟିଫିନ କରନ୍ତି ଛୋଟୁ ପାଇଁ ଭାଗ କାଢି ରଖନ୍ତି.ଦିଆନିଆ ଭିତରେ ସମ୍ପର୍କ ବଢିଲା. ଛୋଟୁ ଏଭିତରେ ସତ୍ୟବାବୁ ଓ ଅନୁଙ୍କର ଖୁବ ପ୍ରିୟ ହୋଇଗଲା.
ସେଦିନ ଝିଅ ଘର ଲୋକ ଛୋଟୁକୁ ଦେଖିବାକୁ ଓ କଥା ପକ୍କା କରିବାକୁ ଆସିଥାଆନ୍ତି ତ ସତ୍ୟବାବୁ କହିଥିଲେ ଆମ ଘରେ ସବୁ ସୁବିଧା ଅଛି.କୁଣିଆ ଏଇଠି ବସି କଥା ହୁଅନ୍ତୁ ତ ଛୋଟୁ ଜଳଯୋଗ ଓ କଫି ର ବ୍ୟବସ୍ଥା କାରିଥିଲେ. ସେ କଫି ପିଇ କନ୍ୟା ଘର ଲୋକ ଏତେ ଖୁସି ହୋଇଗଲେ ଯେ ବାହାଘର ଵିନା ଯୌତୁକରେ ଫାଇନାଲ ହୋଇଗଲା ସତ ହେଲେ ସତ୍ୟବାବୁଙ୍କ ପାଟିରୁ ସେ ଲୋଭନୀୟ କଫି ର ସ୍ୱାଦ ଯାଉନଥିଲା. ଛୋଟୁ ବାହାଘରରେ ସତ୍ୟବାବୁ ମୁଖ୍ୟ ଥିଲେ. କେମିତି, କୋଉଠୁ, କଣ, କିପରି ଇତ୍ୟାଦିର ସବୁ ସମାଧାନ କରୁ କରୁ ତାଙ୍କୁ କଫି ମିଳୁଥିଲା . ନୂଆ ବୋହୁ ଆସି ଛୋଟୁ ସଙ୍ଗେ ପଡୋଶୀ ହୋଇ ରହିଲା ପରେ ଛୋଟୁ ପୂର୍ବବତ କଫି ଦେଉଥିଲେ ଓ ସେଦିନ ସନ୍ଧ୍ୟାରେ ନୂଆ ବୋହୁ ହାତ ତିଆରି କପେ କଫି ପିଇ ଚମକି ପଡିଲେ ବାପା ସତ୍ୟବାବୁ,ନିଜ ପୁଅ ଅମୀୟ ଓ ଅମିତା ଏତେଦିନ ପରେ ଗାଁକୁ ଆସିବାର ଦେଖି. ଏଣିକି ଗାଁରେ ରହିବା ନିଷ୍ପତି ଶୁଣାଇଥିଲେ ପୁଅ ଅମୀୟ ଓ ବୋହୁ ଅମିତା . ସହରରେ ଏତେ ସୁନ୍ଦର ଘର ଛାଡ଼ି ପୁଣି ଗାଁରେ କାହିଁକି ରହିବ କହି ଶାଶୁ ଅନୁଦେବୀ ବୋହୁ ଅମିତାଙ୍କ ଠାରୁ ପକ୍ଷୀ କଥା ସବୁ ଶୁଣି ବାହାରିଲେ ପୁଣି ସହରକୁ ଫେରିଯିବାକୁ. ଛୋଟୁଙ୍କୁ ଗାଁ ଘର ଦାଇତ୍ୱ ଦେଇ ପୁଅ ବୋହୁଙ୍କ ସହ ଯାଇ ସତ୍ୟବାବୁ ଓ ଅନୁଦେବୀ ସହର ଘରେ ରହିଲା ପରେ ବାଲକୋନି ଦ୍ୱାର ଖୋଲି ଅନୁଦେବୀ ହଳଦୀବସନ୍ତ ପକ୍ଷୀ ଠାଵ କଲା ବେଳେ ସତ୍ୟବାବୁ ଛୋଟୁର କଫି ମନେପକାଉ ପକାଉ ବୋହୁ ଅମିତା କଫି ବଢ଼େଇ ଦେଇ ଯାଆନ୍ତି ଶଶୁରଙ୍କୁ.ସତ୍ୟବାବୁଙ୍କ ଗୀତାପାଠ ଓ ହନୁମାନଚାଳିଶା ପଠନ ସାଙ୍ଗକୁ ଅନୁଦେବୀଙ୍କ ତୁଳସୀ ପୂଜାରେ ସବୁ ବାସ୍ତୁ୍ଦୋଷ କଟିଯାଇଥିଲା ଯେମିତି. ଛୋଟୁ ଫୋନ କରି ପଚାରୁଥିଲେ କେବେ ଫେରିବେ ମଉସା ଓ ମାଉସୀ?ବୋହୁ ଅମିତା ଆମର ଛାଡିଲେ ତ ଗାଁକୁ ଯିବୁ ବୋଲି ଉତ୍ତର ଦେଲାବେଳେ ସତ୍ୟବାବୁ, ଅନୁଦେବୀ ଘରସାରା ଗଙ୍ଗା ପାଣି ସିଞ୍ଚି ଶୁଦ୍ଧ ପୁତ କରିବା ସହ ଓଁ ମନ୍ତ୍ର ଉଚ୍ଚାରଣ କରୁଥିଲେ.ଆକାଶରେ ଅନେକ ପକ୍ଷୀ ଉଡୁଥିଲେ.