ନିର୍ଦଳୀୟ ସାଙ୍ଗ
ନିର୍ଦଳୀୟ ସାଙ୍ଗ
ଉଚ୍ଚ ବାଳିକା ବିଦ୍ୟାଳୟ ରେ ଇତି ନବମ ଶ୍ରେଣୀରେ ନାମ ଲେଖେଇଲା ବେଳକୁ କିଛି କିଛି ପାଠ ପଢ଼ା ଆରମ୍ଭ ହୋଇସାରିଥିଲା କିନ୍ତୁ ସେ ସବୁ ବିଗତ ଓ ଆଗତ ପାଠ ବୁଝି ସାର ଓ ଗୁରୁମାମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରୁଥିଲା. ତଥାପି ତାର କେହି ସାଙ୍ଗ ହେଉନଥିଲେ. କିଏ ନିଜ ଜାତି କୁ ନେଇ ଗର୍ବ କରୁଥିଲେ ତ କିଏ ନିଜ ଶରୀରର ରଙ୍ଗ ଓ ରୂପ କୁ ନେଇ ତ କିଏ ଭଲ ପଢୁଛନ୍ତି ବୋଲି ନିଜକୁ ଶ୍ରେଷ୍ଠ ବୋଲି ବିବେଚନା କରୁଥିଲେ. ପୁଣି କୋଉମାନେ ଭଲ ଚିତ୍ର ଆଙ୍କନ୍ତି ତ କେଉଁମାନେ ଭଲ ଗୀତ ଗାଆନ୍ତି ପୁଣି କୋଉମାନେ ଭଲ ନାଚନ୍ତି ତ କୋଉମାନେ ଭଲ ଭାଷଣ ଦିଅନ୍ତି. ସେହି ସବୁ ଏକା ପ୍ରତିଭା ଥିବା ଝିଅମାନେ ଯେମିତି ଗୋଟେ ଗୋଟେ ଦଳ ଗଢି କ୍ଲାସ ରେ ପାଖାପାଖି ବସନ୍ତି ତେଣୁ ନୂଆ ହୋଇ ଆସିଥିବା ଇତିକୁ କେହି ପାଖରେ ବସାନ୍ତି ନାହିଁ. ଇତି ତେଣୁ ସବୁଠୁ ଲାଷ୍ଟ ବେଞ୍ଚ ରେ ଏକୁଟିଆ ଗୋଟେ କଣକୁ ଦଳଛଡା ହୋଇ ବସେ. ଦେଖାଗଲା ସବୁ ଝିଅ ମଧ୍ୟାର୍ଣ୍ଣ ଭୋଜନ ଖାଉନାଁହାନ୍ତି ବରଂ ଘରୁ ଆଣିଥିବା ଖାଦ୍ୟ ଖାଉଛନ୍ତି. ଇତି ମଧ୍ୟ ଘରୁ ଟିଫିନ ଆଣିଥାଏ କିନ୍ତୁ ସମସ୍ତଙ୍କ ସଙ୍ଗେ ମିଶି ମଧ୍ୟାର୍ଣ୍ଣ ଭୋଜନ କରେ ଓ ନିଜ ଟିଫିନ ରେ ଆଣିଥିବା କୋରା ଓ ଲଡ଼ୁକୁ ସମସ୍ତଙ୍କୁ ବାଣ୍ଟି ଦିଏ. ତଥାପି ତାକୁ କେହି ପାଖରେ ବସାନ୍ତି ନାହିଁ.
ସ୍କୁଲର ସୁରଭି କାର୍ଯ୍ୟକ୍ରମ ପାଇଁ ଇତି ସବୁଥିରେ ଭାଗ ନେବାକୁ ନିଜ ନାମ ଦେଇଥିଲା ତ ଅନ୍ୟ କ୍ଲାସମେଟ ଝିଅମାନେ ତାକୁ ଉପହାସ କରୁଥାନ୍ତି. ସେ କିନ୍ତୁ ନିଜେ ଲେଖି ନିଜ ଦେଶାତ୍ମକ ଗୀତ ଗାଇ ଫାଷ୍ଟ ହେବା ଭଳି ଡ୍ରଇଂ, ଡ୍ରାମା, ତର୍କ, ଚିତ୍ର ପେଣ୍ଟିଙ୍ଗ ଇତ୍ୟାଦି ଯୋଉ ଯୋଉ ଇଭେଣ୍ଟ ରେ ନାମ ଦେଇଥିଲା ସେଥିରେ କୃତକାର୍ଯ୍ୟ ହୋଇ ଫାଷ୍ଟ ହେବା ସଙ୍ଗେ ଭଲ ନମ୍ବର ରଖି ଏଥର କ୍ଲାସ ର ଫାଷ୍ଟ ପିଲାକୁ ଟପି ନିଜ ପରିଶ୍ରମ ବଳରେ ଅଧିକା ନମ୍ବର ରଖି ଶୀର୍ଷ ରେ ଅର୍ଥାତ ଫାଷ୍ଟ ହୋଇଥିଲା. ଏସବୁ ପ୍ରତିଭା ଥିବା ଇତି ବର୍ତ୍ତମାନ ସ୍କୁଲର ବାର୍ଷିକ ଉତ୍ସବ ରେ ପୁରସ୍କୃତ ହେବା ସହ ତା ବକ୍ତବ୍ୟ ରଖିବାକୁ କୁହାଯିବାରୁ କହିଥିଲା କି ତାର ଏସବୁ କୃତିତ୍ୱ ପାଇଁ ତା ନିଜ କ୍ଲାସ ର ଝିଅମାନେ ତାକୁ ପରୋକ୍ଷ ଓ ପ୍ରତ୍ୟେକ୍ଷ ପ୍ରେରଣା ଯୋଗେଇଛନ୍ତି. ତାକୁ ଏକୁଟିଆ ବସେଇ ତା ଭିତରେ ଥିବା ପ୍ରତିଭାକୁ ବିକଶିତ କରିବାକୁ ଖୋରାକ ଦେବା ସହ ଦଳଛଡା ହେବା ଦ୍ୱାରା ତା ଭିତରେ କିଛି ସକାରାତ୍ମକ ଭାବନାର ବିକଶିତ ହୁଏ ଯେମିତିକି ଅବସର ସମୟରେ ପ୍ରକୃତି ଦର୍ଶନ କରି ଗୀତ ଲେଖିବାର ସୁଯୋଗ ପାଏ, ସହଯୋଗୀ ବହି ଓ ଯୁଗପୁରୁଷମାନଙ୍କ ଆତ୍ମଜୀବନୀ ପଢି କହିବା, ଲେଖିବା ସହ ଚିତ୍ର ଆଙ୍କିବା ର ପ୍ରେରଣା ମିଳେ. ଇତି ପୁଣି ଥରେ ତା ଶ୍ରେୟ ପାଇଁ ତା କ୍ଲାସର ସବୁଝିଅଙ୍କୁ ଧନ୍ୟବାଦ ଦେଇ ତଳକୁ ଓଲ୍ହାଇବା ପରେ ଦେଖିଥିଲା ତା କ୍ଲାସ ର ସବୁଝିଅ ହାତରେ ଫୁଲତୋଡ଼ା ସହ ଭିର୍ନ୍ନ ଭିର୍ନ୍ନ ଉପହାର ନେଇ ଉପସ୍ଥିତ ଥିଲେ .ସେମାନେ ଏଣିକି ନିଜ ଭୁଲ ବୁଝି ଇତିକୁ ବେଷ୍ଟ ଫ୍ରେଣ୍ଡ କରିନେଇଥିଲେ.
ସେଦିନ ଇଂରାଜୀ ଶିକ୍ଷୟିତ୍ରୀ ପିଲାଙ୍କୁ ପଚାରିଲେ କି ତୁମ ଭିତରୁ କିଏ ସବୁ ଚିଠି ଲେଖି ଜାଣିଛ ଓ କାହା ପାଖକୁ ଲେଖିଛ କହିପାରିବ ଝିଅମାନେ? ଏକଥା ପଚାରିବାରୁ କ୍ଲାସରେ ସବୁ ଝିଅ ନିରୁତ୍ତର ରହିଥିଲା ବେଳେ ଇତି କହିଥିଲା ଏବେ ଟେଲିଫୋନ ଅଧିକ ବ୍ୟବହାର ଯୋଗୁଁ ଚିଠି ଦେବା ନେବା କମିଯାଇଛି ସତ କିନ୍ତୁ ଆମେ ଇଂରାଜୀ, ଓଡ଼ିଆ, ହିନ୍ଦୀ ଓ ସଂକୃତ ଭଳି ଭାଷା ମାନ୍ୟତା ପାଇଥିବା ଓ ସ୍କୁଲରେ ପଢା ଯାଉଥିବା ଭାଷାରେ ସାଙ୍ଗ ନିକଟକୁ ପତ୍ର, ବାପାଙ୍କ ନିକଟକୁ ପତ୍ର, ମାଆ ଙ୍କ ନିକଟକୁ ପତ୍ର ଲେଖି ଚିଠି କେମିତି ଲେଖାଯାଏ ଜାଣିଛୁ ଗୁରୁମା . ଇତିର ଉତ୍ତର ଶୁଣି ଖୁସି ହୋଇ ଗୁରୁମା କହିଲେ ଖୁବ ଭଲ କଥା କହିଛୁ ଝିଅ ତେବେ ଆମେ ଖାଲି ସାଙ୍ଗ, ମାଆ ଓ ବାପାଙ୍କ ଛଡା ଆଉ କାହାକୁ ଲେଖି ପାରିବା? ଗୁରୁମା ଆମେ କେବଳ ଚିହ୍ନା ଜଣା ଵ୍ୟକ୍ତି ବିଶେଷଙ୍କ ପାଖକୁ ଲେଖୁଥିଲେ ମଧ୍ୟ ପିଲାମନରେ ବେଳେ ବେଳେ ଇଶ୍ୱରଙ୍କ ପାଖକୁ ଓ ଆମଠାରୁ ବିଦାୟ ନେଇ ପିତୃପୁରୁଷଙ୍କ ପାଖକୁ ଚିଠି ଲେଖିବାକୁ ଇଛା କରିଥାଉ. ଇତିର ଏହି ଉତ୍ତର ଗୁରୁମା "ଏ ଲେଟର ଟୁ ଗଡ଼ "ବିଷୟ ପାଇଁ ଉପକ୍ରମଣିକା ପାଇ ସାରିଥିଲେ ମଧ୍ୟ କିଏ କେବେ କେତେବେଳେ ନିଜ ପିତୃପୁରୁଷ ଙ୍କ ପାଖକୁ ଚିଠି ଲେଖିଥିଲା କହିପାରିବୁ ବୋଲି ପଚାରି ଥିଲେ ଇତିକୁ ତ ସେ କହିଥିଲା ହଁ ଗୁରୁମା ମୋ ଛୋଟ ଭାଇ ଗୁଡ଼ୁ ଏମିତି ଏକ ଚିଠି ମୋ ଜେଜେଙ୍କ ପାଖକୁ ଲେଖିଥିଲା. ଗୁରୁମା କହିବାକୁ କହିବାରୁ ଓ ସହ ସାଥି ଶୁଣିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ଇତି ଗଳ୍ପ ଆକାରରେ ପ୍ରକାଶ କରି କହିଥିଲା ତା ସାନ ଭାଇ ଗୁଡ଼ୁ ବିଷୟରେ ଚିଠି ଲେଖିବା କଥା.
ଅନେକ ସମୟରେ ଅନେକ ପ୍ରଶ୍ନ ପଚାରୁଥିବା ଗୁଡ଼ୁ ସେଦିନ ଆକାଶକୁ ଚାହିଁ ଠିଆ ହୋଇଥାଏ. ମୁଁହଁ କାହିଁ ସୁଖେଇଛୁ ପୁଅ ବୋଲି ତା ମାଆ ପଚାରିବାରୁ ଗୁଡ଼ୁ କହିଥିଲା ଜେଜେ ଆଉ କାହିଁକି ଫେରୁନାଁହାନ୍ତି ମାଆ? ସେ ଗଲା ପରଠୁ ଜେଜେମାଆ ଆଉ ଗପ କହୁନିକି ଗୀତ ବୋଲି ଶୁଆଇ ଦେଉନି . ମୁଣ୍ଡ କୁଣ୍ଡେଇ ସିନ୍ଦୁର କି ଅଳତା ପିନ୍ଧୁନି. ମତେ ମଧ୍ୟ ଆଉ କେହି ନାଉ କରିବାକୁ ନାଁହାଁନ୍ତି. ତୁମେ ଜାଣ ମାଆ!ଜେଜେ ମତେ ପ୍ରତିଦିନ କିଛି ଖୁଚୁରା ପଇସା ଦିଅନ୍ତି ଓ ସେହି ପଇସାରେ କିଛି ଭଲ କାମ କରିବାକୁ କହନ୍ତି. ସେ ଜାଣିଥିଲେ ତୁମେ ମତେ ଖୁବ ଭଲ ଭଲ ଟିଫିନ କରି ଦିଅ. ବାପା ମଧ୍ୟ ମୋ ପାଇଁ ବହି, ଖାତା, ଭଳି ଭଳି କଲମ, ପେନସିଲ ରବର ସବୁ ଆଣିଦେଇଥାନ୍ତି. ମତେ ଜେଜେ ଖୁଚୁରା ପଇସା ଦେଲେ ମୁଁ ନେବାକୁ ମନା କରେ ତ ସେ କହନ୍ତି ରଖିଥା ସେ ପଇସାରେ କିଛି ଗୋଟେ ଭଲ କାମ କରିବୁ. ମାଆ କହିଲେ ଦୋଳ ପୂର୍ଣ୍ଣମୀରେ ହର୍ବାଲ ରଙ୍ଗ କିଣି ସବୁ ସାଙ୍ଗ ମାନଙ୍କ ସଙ୍ଗେ ଖେଳିବୁ. କେମିକାଲ ମିଶା ରଙ୍ଗ ନଖେଳି ହର୍ବାଲ ରଙ୍ଗ କିଣି ଭାଇଚାରାର ପ୍ରତୀକ ରଙ୍ଗ ଖେଳ ହୋଲି ଖେଳିଲେ ତାହା ନିଶ୍ଚୟ ଜେଜେଙ୍କୁ ଖୁସି ଦେବ. ଗୁଡ଼ୁ ପୁଣି ପଚାରୁଥିଲା ଜେଜେ ତ ଆସୁନାଁହାନ୍ତି ଜାଣିବେ କେମିତି ମାଆ? ମାଆ କହିଲେ ଜେଜେ ଏବେ ଆମର ପିତୃପୁରୁଷ ହୋଇ ସ୍ବର୍ଗକୁ ଗଲେ ତ ଆପେ ଆପେ ସବୁ କଥା ଜାଣିପାରିବେ.
ମାଆ ତ କହିଦେଲେ. ଗୁଡ଼ୁ ର ମନ କିନ୍ତୁ ବୁଝିଲାନି. ହର୍ବାଲ ରଙ୍ଗ କିଣି ଖେଳିବା ଉଚିତ. ସେଇଟା କିନ୍ତୁ ଏମିତି ଗୋଟେ ଖୁବ ଭଲ କାମ ବୋଲି ଜେଜେ ସ୍ଵର୍ଗରେ ଥାଇ ଜାଣିବେ କହୁଥିବା ମାଆ ଙ୍କ କଥା ମଧ୍ୟ ଗୁଡ଼ୁ ମନକୁ ପାଉଥିଲେ ମଧ୍ୟ ସନ୍ତୁଷ୍ଟ ହେଉନଥିଲା ମନ. ଗୁଡ଼ୁ ତେଣୁ ଭାବି ଚିନ୍ତି ହେଉଥିଲା କଣ ଭଲ କାମ କରିବ ଓ ତାହା ଜେଜେ କିପରି ଜାଣିବେ!ଗୁଡ଼ୁ ଦେଖିଲା ତା ସାଙ୍ଗ ନରି, ଯିଏ ଖୁବ ଭଲ ପଢେ ସେ ବହି ଓ ଖାତା ନଥିବାରୁ ସବୁଦିନ ମାଡ଼ ଖାଏ. ମାଡ଼ ଯଦିଓ ସେମିତି କିଛି ନୁଁହଁ କିନ୍ତୁ ଗାଳି ଖାଇବାଟା ମଧ୍ୟ ଗୁଡ଼ୁକୁ ବାଧେ. ସେଦିନ ଗୁଡ଼ୁ ଠିଆ ହୋଇ ଯେବେ ନରିକୁ ଗାଳି ନ କରିବାକୁ ଗୁରୁଜୀ ଙ୍କୁ ଅନୁରୋଧ କରି ଅନୁନୟ କଲା ଓ କହିଲା କି ନରି ର ବାପା ମଦନ ମଉସା ଜଣେ ଦିନ ମଜୁରିଆ ଲୋକ . ଘରେ ନରି ର ଜେଜେବାପା ଙ୍କର ଖୁବ କାଶ. ସେଥିରେ ଛଅ ପ୍ରାଣୀ କୁଟୁମ୍ବ ତାଙ୍କର.ତ ମଉସା ଅସୁବିଧାରେ ଥାଇ ନରି ପାଇଁ ବହି, ଖାତା, ପେନ, ପେନସିଲ, କମ୍ପାସ ଆଦି କିଣିପାରିନାହାଁନ୍ତି . ଆଜି ନହେଲେ କାଲି କିଣିଦେବେ. ତାକୁ ଗାଳି ଦିଅନ୍ତୁ ନାହିଁ. ଗୁରୁଜୀ ଏଥର ଗୁଡ଼ୁ କୁ କହିଲେ ଏତେ ସବୁ କଥା ଯେବେ ବୁଝିପାରୁଛୁ ତେବେ ତୁ ଟିକେ ତାକୁ ସାହାଯ୍ୟ ସହଯୋଗ କଲେ ହୁଅନ୍ତାନି!ଶିକ୍ଷକ ଙ୍କ କଥା ରେ ଗୁଡ଼ୁ ସେଦିନ ତା ଜେଜେ ଦେଇଥିବା ଖୁଚୁରା ପଇସା ଭର୍ତ୍ତି ସରାଗାତ ଭାଙ୍ଗି ସତକୁ ସତ ସାଙ୍ଗ ନରି ପାଇଁ ଖାତା, ବହି, ପେନ, ପେନସିଲ ଓ ରବର ତଥା କମ୍ପାସ କିଣିଥିଲା. ସାର ଏସବୁ ଦେଖି ଗୁଡ଼ୁକୁ ତୁ ଖୁବ ଭଲ କାମ କରିଛୁ କହି ପ୍ରଶଂସା କରିଥିଲେ.ଜେଜେ ଦେଇଥିବା ପକେଟ ମନି ସରାଗାତ ରେ ସଞ୍ଚୟ କରି ତାକୁ ଭଲ କାମରେ ଲଗାଇ ତୁ ଏକ ଉଦାହରଣ ସାଜିଛୁ କହି ଖୁବ ସୁନାପିଲା ବୋଲି ମଧ୍ୟ କହି ଗୁଡ଼ୁକୁ ସାବାସୀ ଦେଇଥିଲେ ଓ ନରି ମଧ୍ୟ ଆଉ ଗାଳି କି ମାଡ଼ ଖାଉନଥିଲା.
ଏବେ ଗୁଡ଼ୁ ମନରେ ଆସିଥିଲା କି ସେ ନିଶ୍ଚୟ ଗୋଟେ ଭଲ କାମ କରିଛି.ତାର ଏସବୁ ଭଲ କାମ ବିଷୟରେ ଜେଜେ ଜାଣିବା ନିହାତି ଜରୁରୀ. ପଇସା ତ ସେ ସବୁଦିନ ଗୁଡ଼ୁ କୁ ଦେଇ ତୋର ଯଦି ଆବଶ୍ୟକ ନାହିଁ ତେବେ କିଛି ଗୋଟେ ଭଲ କାମରେ ଲଗେଇବାକୁ ଜେଜେ ହିଁ ତାକୁ କହିଥିଲେ ନା!ଗୁଡ଼ୁ ବଳକା ପଇସାରେ ପୋଷ୍ଟ ଅଫିସରୁ ପୋଷ୍ଟ କାର୍ଡ କିଣି ଜେଜେ ଙ୍କ ପାଖକୁ ସବୁକଥା ଲେଖି ଠିକଣାରେ ଜେଜେଙ୍କ ନାମ, ପିତୃପୁରୁଷ, ସ୍ୱର୍ଗପୁର ଭାୟା ସ୍ୱର୍ଗଦ୍ୱାର ଲେଖି ପୋଷ୍ଟ ଅଫିସ ରେ ଟଙ୍ଗା ହୋଇଥିବା ଲେଟର ବକ୍ସ ରେ ପକାଇ ଦେଲା. ସେତେବେଳକୁ ପରୀକ୍ଷା ସରିଯାଇଥାଏ. ଡୁଗୁ ର ବାପା ସେହି ଚିଠିଟି ସହ ତା ପ୍ରୋଗ୍ରେସ ରିପୋର୍ଟ ସହ ସେଦିନ ଘରେ ପହଁଞ୍ଚି ଗୁଡ଼ୁକୁ ଖୁବ ଆଦର କଲେ ଓ ସେ ନରି ପ୍ରତି କରିଥିବା କାମ ଜାଣିପାରି ଜେଜେ ତାହାର ସ୍ଵର୍ଗରେ ଥାଇ ତାକୁ ଆଶୀର୍ବାଦ କରିଥିବାରୁ ସେ ଏଥର ପରୀକ୍ଷାରେ ନରି ସହ ସମାନ ନମ୍ବର ରଖି ଉଭୟ କ୍ଲାସ ରେ ଫାଷ୍ଟ ହୋଇଥିବା କହି ପ୍ରୋଗ୍ରେସ ରିପୋର୍ଟ ଦେଇଥିଲେ. ବାପା ପୁଣି କହିଥିଲେ ପୋଷ୍ଟ ମାଷ୍ଟର ବାବୁ ଏ ଚିଠି ଫେରାଇ ଦେଲେ. ସେ କହିଲେ ସେ ନିଜେ ସବୁକଥା ଜେଜେଙ୍କୁ ଜଣେଇ ଦେଇଛନ୍ତି. ଡୁଗୁ କ୍ଲାସ ରେ ନରି ସହ ସମାନ ନମ୍ବର ରଖି ଫାଷ୍ଟ ହୋଇଥିବାରୁ ଯେତିକି ଖୁସି ଥିଲା ପୋଷ୍ଟ ମାଷ୍ଟର ତା ଚିଠିଟିକୁ ଜେଜେଙ୍କ ପାଖକୁ ନପଠାଇ ଫେରେଇ ଦେଇଥିବାରୁ ସେତିକି ଦୁଃଖ କଲା. ସେତିକିବେଳେ ଜେଜେମାଆ କହିଥିଲେ ମତେ ଚିଠିଟି ଦେ ଧନ, ମୁଁ ପୋଷ୍ଟ କରିଦେବି. ଜେଜେମାଆ ସେଦିନ ଅପେକ୍ଷାକୃତ ଭଲ ଦେଖାଯାଉଥିଲେ. ତା ମାଆ ତେଲ ଲଗେଇ ଜେଜେମାଆ ଙ୍କ ଜୁଡ଼ା ବାନ୍ଧି ଦେଇଥିଲେ ତ ଗୁଡ଼ୁ ଚିଠିଟିକୁ ଜେଜେମାଆ ଙ୍କ ହାତରେ ଦେଇ ଖୁବ ଖୁସି ଥିଲା କାରଣ ସେ ଜାଣେ ଜେଜେମାଆ ନିଶ୍ଚୟ ତା ଚିଠି ପୁଣି ପୋଷ୍ଟ କରିଦେବେ ଜେଜେଙ୍କ ପାଖକୁ. ଏଣିକି ଜେଜେମାଆ କୋଳରେ ଶୋଇ ସେ କହୁଥିଲା ସେଇ ଗୀତ ଟି ଗାଅ ନା ଜେଜେମାଆ, ଚିଠି ମୋର ଟିକି ଚଢ଼େଇ.... ଜେଜେମାଆ ସେ ଗୀତଟି ଗାଉ ଗାଉ କାନ୍ଦୁଥିଲେ କାହିଁକି ବୁଝିବା ଆଗରୁ ଗୁଡ଼ୁ ଆଖିକୁ ନିଦ ଆସିଯାଇଥିଲା.ପାଖରେ ଥିଲା ତା ବଡ଼ ଭଉଣୀ ଇତି.
ଏସବୁ ଶୁଣିବା ପରେ ସାଙ୍ଗ ସବୁ ତାକୁ କୁଣ୍ଢେଇ ପକେଇ ନିଜ ପାଖେ ବସେଇବାକୁ ତାକୁ ଅନୁରୋଧ କରୁଥିଲେ ଗୁରୁମା ଇତିକୁ ଖୁବ ଆଦର କରି ଧନ୍ୟବାଦ ଦେବା ସହ ଆରମ୍ଭ କରିଥିଲେ ବିଷୟ ବସ୍ତୁ, "ଏ ଲେଟର ଟୁ ଗଡ଼ ".ଇତି ଏବେ ଆଉ ଦଳଛଡା ନଥିଲା ବରଂ ସମସ୍ତେ ତାକୁ ଭଲପାଉଥିଲେ.
