ଦଳଛଡା
ଦଳଛଡା
ଷ୍ଟେସନ ରେ ଅପେକ୍ଷା କରିବା ପାଇଁ ଯାତ୍ରୀ ବିଶ୍ରାମଗାର ଅପେକ୍ଷା ବାହାରେ ଥିବା ଗଛ ଚାରିପଟେ ହୋଇଥିବା ଉଚ୍ଚା ଉଚ୍ଚା ସିମେଣ୍ଟ ଢ଼ଳେଇ ଗୋଲେଇ ବେଞ୍ଚ ଖୁବ ଆରାମ ଦିଏ ସନ୍ତୋଷଙ୍କୁ. ସବୁଦିନ ସେ ସେଇଠି ବସି ବାପାଙ୍କୁ ଅପେକ୍ଷା କରନ୍ତି. ସଟଲ ଟ୍ରେନ ରେ ବାପା ଫେରିବେ ଓ ସେ ବାଇକ ରେ ନେଇ ବାପାଙ୍କୁ ଘରେ ଛାଡିବ. ସକାଳେ ବାପାଙ୍କୁ ଆଣି ଛାଡିଲା ବେଳେ ଯୋଉ ଚଉତରା ରେ ବସିବାକୁ ସମୟ ନଥାଏ ସେହି ଚଉତରା କିନ୍ତୁ ବାପାଙ୍କ ଅପେକ୍ଷାରେ ଖୁବ ଶାନ୍ତି ଦିଏ. ଏବେ ତ ତା ବାହାଘରକୁ ନେଇ ଘରେ ଖୁବ ଆଶାନ୍ତି. ଏମିତି ରେ ସନ୍ତୋଷ ର କୌଣସି ସରକାରୀ ଚାକିରୀ ନାହିଁ. କମ୍ପ୍ୟୁଟର ଦୋକାନ ତାର. କେବେ ଡିଜିଟାଲ କାମ କରି ବେଶ ଦୁଇ ପଇସା ହୁଏ ତ କେବେ ନାହିଁ. ଏଥିରେ ତା ବାହାଘର ହେଲେ କେମିତି ହେବ ବୋଲି ଯେତେ ବୁଝେଇଲେ ମଧ୍ୟ ବୋଉ ବୁଝେନାହିଁ.ଗୋଠ ଖଣ୍ଡିଆ ଓ ଦଳଛଡା ତଥା ସାମାଜିକତା ବିହୀନ ବିଧର୍ମୀ କହି ବହୁନା ପକାଏ ତ ପୁଣି ବହୁନା ଛାଡ଼ି ବାପାଙ୍କୁ କହୁଥାଏ ବରଗଛ ସଙ୍ଗେ ଓସ୍ତ ଗଛ ବାହା ଦିଅ ମୋ ପୁଅର ରିଷ୍ଟ କଟୁ. ସେ ବାହା ହୋଇ ସୁଖୀ ହେଉ. ବାପା କହନ୍ତି ହଉ ବୁଝିବା . ଆଜି ଏ ଷ୍ଟେସନ ର ପିଣ୍ଡି ରେ ଲଗାଯାଇଥିବା ବରଗଛ ଓ ଓସ୍ତଗଛ କୁ ଚାହିଁ କେତେକଥା ଭାବୁଥିଲା ସନ୍ତୋଷ. ସଟଲ ଆଜି ଲେଟ ଅଛି. ଭାବନାରୁ ଫେରି ସନ୍ତୋଷ ଦେଖିଲା କେହି ଜଣେ ଅପରୂପା ସୁନ୍ଦରୀ ନାରୀ ତା ପିଠିରେ ହାତ ମାରି ତା ଦୃଷ୍ଟି ଆକର୍ଷଣ କରୁଛି.
ନାରୀ ନୁଁହଁ ବରଂ ସମାଜରେ ଉପହାସିତ ହେଉଥିବା ଜଣେ ଛକା ଥିଲା ସେ. ଆଜି ଦୋକାନରୁ ଭଲ ରୋଜଗାର ହୋଇଥିଲା ସନ୍ତୋଷର ତ ଖୁସିରେ ଶହେ ଟଙ୍କା ଦେବା ପରେ ସେହି ନାରୀ ବେଶ ଧାରୀ ଛକା ବସିପଡ଼ି ପାଖରେ କେତେ ଆଶୀର୍ବାଦ ଢାଳି ଚାଲିଥିଲା ତା ମୁଣ୍ଡ ଉପରେ. କାହିଁକି କେଜାଣି ସନ୍ତୋଷ ତାକୁ ବାରମ୍ବାର ବୁଲି ଚାଁହୁଥିଲା କାରଣ ସେ ଗୋଟେ ନବବଧୂ ଠୁ କମ ସୁନ୍ଦର ନଥିଲା!ସାହାସ ପାଇ ସନ୍ତୋଷ ପଚାରିଥିଲା ଘର କୋଉଠି? ଘର!କହି ସେ କାନ୍ଦ କାନ୍ଦ ହୋଇଗଲା ଓ କହିଲା ଘର ଥିଲା. ଏବେ ସେ ଘରର ସଦସ୍ୟମାନଙ୍କ ପାଇଁ ସବୁକିଛି କରୁଥିଲେ ମଧ୍ୟ ମୋର ସେ ଘରକୁ ମୋ ଘର ବୋଲି କହିବାର ଅଧିକାର ନାହିଁ ବାବୁ. ମୁଁ ଗୋଠଛଡା, ଦଳଛଡା ଜାଜାବର. ଯାହାର ସମାଜରେ ସ୍ୱୀକୃତି ନାହିଁ ବରଂ ଆଦର ବଦଳରେ ଘୃଣା ଅଛି. ପୁଣି ଗପି ଚାଲିଥିଲା ସେ ତା ନିଜ କଥା. ସ୍କୁଲ ଯିବା ବେଳ କଥା. ବଢନ୍ତା ବୟସରେ ପୁଅ ପିଲା ହୋଇ ଝିଅ ପିଲାଙ୍କ ପରି ମୋ ଶରୀର ର ଅବୟବ ସବୁ ବଦଳୁଥିଲା. ସ୍ୱର ଶୁଣି ସାର ଓ ସାଙ୍ଗମାନେ ସବୁ ମାଇଚିଆ ଡାକୁ ଡାକୁ ପୁଅ ପିଲା କି ଝିଅ ପିଲା କେହି ପାଖରେ ବସାଉନଥିଲେ. ସେଥିପାଇଁ ପୋଥିରେ ଡୋର ବନ୍ଧା ହେଲା ଓ ମୁଁ ଦଳ ଛଡା ହେଲି. ଘରେ,ବାହାରେ, ସମାଜରେ ଜଣେ ଦଳଛଡା ଛକା.ଘରେ ବାପା କେବେ କେବେ ରାଗିଗଲେ କହୁଥିଲେ ପୁଅ ପାଇଥିଲି କଳଙ୍କ ବୋଳିହେବାକୁ. କେବଳ ଭଲ ପାଉଥିଲା ବୋଉ. ହାତ ଧରି ବୁଝାଉଥିଲା, ଖୁଆଉଥିଲା, ଆଲୋକ ଦେଖାଉଥିଲା. କାନ୍ଦୁ କାନ୍ଦୁ ଦିନ ସରୁନଥିଲା ତାର କି ମୋର . ଯୋଉଦିନ ଅନ୍ଧାରର ସୁଯୋଗ ନେଇ କାକା ମୋ ଉପରକୁ ଝାମ୍ପି ପଡିଲେ ବହୁତ କଷ୍ଟ ହେଲେ ବି ଚିତ୍କାର କରିନଥିଲି. ଥରେ ନୁଁହଁ ଅନେକ ଥର କାକା ଙ୍କ କାମନା ବାସନା ର ଶୀକାର ହୋଇ କାହାକୁ କହିପାରୁନଥିବା ବେଳେ ବୋଉ ଦିନେ କାକାଙ୍କୁ ଦେଖିନେଲା ଓ ମୋ ଆଖିରୁ ଲୁହ ପୋଛି, ପିଠି ଆଉଁସି କିଛି ଟଙ୍କା ଦେଇ ପଳା ବୋଲି କହିଥିଲା. ଏବେ ମୁଁ ରବି ରୁ ରୁବି.ଆଉ ମୋ ଭଳି କେଇଜଣ ମୋ ସାଙ୍ଗ. ବାବୁ ଯଦି ପାରିବ ମୋ କାହାଣୀ ଲେଖିନେବ ଓ ଛପେଇ ନେବ ତୁମ ଦୋକାନରେ.
ବାପା ଆସିସାରିଥିଲେ. ଚାଲ ଏଥର କହୁଥିଲେ ତ ଏଥର ସନ୍ତୋଷ କହୁଥିଲା ଆଙ୍କୁ ସଙ୍ଗରେ ନେଇକି ଯିବି ବାପା. ସେ କିଏ ବୋଲି କହୁ କହୁ ଉକ୍ତ ଯୁବତୀ ବେଶଧାରୀ ଛକା ବାପାଙ୍କ ଚାରିପଟେ ତାଳି ମାରି ବୁଲି ବୁଲି ହାତ ପତେଇ ପଇସା ମାଗୁଥିଲା ତ ବାପାଙ୍କୁ ବୁଝିବାକୁ ବାକି ନଥିଲା ତାର ପରିଚୟ. ମୋ ସହ ତାକୁ ଘରକୁ ନେଇକି ଯିବି କହୁଥିବା ପୁଅକୁ ଘଡିଏ ଚାହିଁ ବାପା କହିଲେ କାହିଁକି!ସନ୍ତୋଷ କହୁଥିଲା ସାମାଜିକ ସ୍ୱୀକୃତି ଦେବାକୁ ତାଙ୍କୁ ମୁଁ ବିବାହ କରିବାକୁ ଚାହେଁ ବାପା. ଆକାଶ ଛିଡି ପଡିଥିଲା ବାପାଙ୍କ ମୁଣ୍ଡରେ. ଯୁବତୀ ବେଶଧାରୀ କିନ୍ନର କହୁଥିଲେ ମୁଁ ମୋ ଦଳ ଛାଡ଼ି ଯାଇପାରିବିନି. ଆମର ନିୟମ ଅଛି. ହାତ ଧରି ସନ୍ତୋଷ ଦେଖେଇ ଦେଇଥିଲା ଚଉତରା ମଝିରେ ବଢି ଉଠିଥିବା ସେଇ ବର ଓ ଓସ୍ତ ଗଛ ଦ୍ବୟକୁ ଆଉ କହୁଥିଲା ସବୁ ଏ ମଣିଷ କରିଛି ଓ ଗଢ଼ିଛି. ମୁଁ ମଧ୍ୟ ଗଢିବାକୁ ଚାହେଁ କିଛି ନୂତନ ସୌଧ. ଲଗେଇବାକୁ ଚାହେଁ ମୋ ସଂସାରରେ ରୁବି ପରି ଓସ୍ତ ଗଛ ମୋ ପରି ବରଗଛ ଛାଇରେ.ନାହିଁ ବାବୁ ନାହିଁ.ସେମିତି କଲେ ତୁମେ ଦଳଛଡା ହୋଇ ସାମାଜିକ ବାସନ୍ଦ ର ଶୀକାର ହେବ. ବାପା ଉଠିପଡ଼ି କହୁଥିଲେ ଯାହା ହେବ ହେଉ ତୁମେ କିନ୍ତୁ ଆଜିଠୁ ଆମ ଘରର ବୋହୁ.
