STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଗୋଟେ ଯାତ୍ରାର କାହାଣୀ

ଗୋଟେ ଯାତ୍ରାର କାହାଣୀ

5 mins
1

ଜନ୍ମ ରୁ ମୃତ୍ୟୁ ମଧ୍ୟରେ ଯୋଉ ଜୀବନ ଯାତ୍ରା ତା ମଧ୍ୟରେ ମଧ୍ୟ ଅନେକ ଛୋଟ ଛୋଟ ଯାତ୍ରା ହୋଇଥାଏ ଜୀବନ କାଳ ଭିତରେ . ଏମିତିରେ ଝିଅକୁ କୋରାପୁଟ ରେ ବାହା ଦେଲାପରେ ଓ ନାତୁଣୀଟିଏ ଆସିଗଲା ପରେ ତା କୋଳକୁ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ବସ ବା ଟ୍ରେନ ରେ ଗୋଟେ ରାତି ଯାତ୍ରା କରିବାକୁ ପଡେ. ବ୍ରହ୍ମପୁର ଡେଇଁଲେ ପଡେ ଅନେକ ଛୋଟ ମୋଟ ଘାଟି ପ୍ରାୟେ ଦିଗପହଣ୍ଡି ଟପି ଗଲା ପରେ ପରେ. ବାନ୍ତି ଲାଗେ, ମୁଣ୍ଡ ଘୁରାଏ ପୁଣି କେବେ କେବେ ବାନ୍ତି ହୋଇ ମଧ୍ୟ ଯାଏ ହେଲେ ପହଁଚିଲା ପରେ ଝିଅକୁ ଦେଖିବା ସହ ନାତୁଣୀକୁ ଦେଖିଦେଲା ପରେ ରାତି ଅନିଦ୍ରା ସହ ଯାତ୍ରା ଜନିତ କ୍ଳେଶ ଉଭେଇ ଯାଏ. ପୁଣି ସମୁଦୀ ସମୁଦୁଣୀ ଙ୍କ ତତ୍ପରତା ସାଙ୍ଗକୁ ଜୋଇଁଙ୍କର ନେଟ ଦେଖି କୋଉଦିନ କୋଉ ସ୍ଥାନ ବା ଡ୍ୟାମ କି କୋଉ ପ୍ରପାତ ନେବାର ଯୋଜନା ଭିତରେ ମନ ଉଲ୍ଲସିତ ହୁଏ ଯେତିକି ନାତୁଣୀ ଟାକୁ ଟିକିଏ କାଖେଇ ଦେବାକୁ ଇଛା ହୁଏ ସେତିକି. ଯେମିତି ହେଲେ ତ ବାଟ ଚାଲିବାକୁ କିଛି ପଡିବ ନା ତ ଛୋଟ ଗୁଲୁଗୁଲିଆ ନାତୁଣୀ ଟା ଭୋକ ଶୋଷ ଭୁଲି ଯାତ୍ରା କାଳୀନ ମଜ୍ଜା ସାଉଣ୍ଟିବା ବେଳେ ଭୋକ କଲେ କୁହେ କେହି ଡାଲି ଭାତ ଖାଇବନିକି!ଅର୍ଥାତ ତାକୁ ଭୋକ ହେଉଥାଏ. ଭାତ ଖିଆ ଭୋକ. ଏ ଟୁକୁରା ମୁକୁରା ବିସ୍କୁଟ, ଚିପ୍ସ କି କୁରୁକୁରେ ନୁଁହଁ. ହେଲେ କାଇଁ କୋଉଠି? କୋଉଠି ମିଳେ ତ କୋଉଠି ମିଳେନା. ଆଈ ଯଦି ନାତୁଣୀକୁ ଟିକେ କାଖେଇ ପକାନ୍ତି ତ ଦୁଇପଟୁ ଦୌଡ଼ି ଆସନ୍ତି ଝିଅ ଓ ଜୋଇଁ. ଆପଣଙ୍କ ହାତ କଣ ହେଇଯିବ କହୁଥାନ୍ତି ଜୋଇଁ ତ ଝିଅ କହୁଥିବ ଯେତେ ଛୋଟ ପିଲା ହେଲେ ମଧ୍ୟ ପିଲା କାଖେଇ ଚାଲି ପାରିବୁନି ମାଆ ରହ ମୁଁ ତା ପାଇଁ ଖେଚେଡ଼ି ଆଣିଛି ଖୁଆଇଦେଲେ ଅଳ୍ପ ସେ ବାଟ ଚଳିବ. ଦେଢ଼ କି ଦି ବର୍ଷର ନାତୁଣୀ କଣ ଖାଏ ନଖାଏ କିନ୍ତୁ ସ୍ପଷ୍ଟ କଥା କହୁଥାଏ ତ ଆଈ ତାକୁ ବୋକ ଦେଇ କହୁଥାନ୍ତି ଏ ଘାଟିରେ ମୋ ମାଆ କେମିତି ଆୟୁଷ ଆଶିଷ ଓ ନିରୋଗ ରହି ବଢିବ, ପଢିବ ପୁଣି କୋଉଠି ବାହା ଚୋରା ହେବ କେଜାଣି. ଅଜା ମଧ୍ୟ ତାକୁ କୋଳକୁ ନେଇ କହୁଥାନ୍ତି ମାଆ ଏ ଫର କଣ କହିଲୁ ତ ନାତୁଣୀ କହେ ଆପୁଲ.... ଇତ୍ୟାଦି ଇତ୍ୟାଦି ତ ପିଲାଟାକୁ ଛାଡ଼ି ଆସିବା ଦିନ ଅନ୍ତର ଫାଟି ପଡେ. ସେ ମଧ୍ୟ କାନ୍ଦୁଥାଏ. ଭାରି ବୁଝେ କିନ୍ତୁ ସବୁ କଥା.ତାକୁ ଲୁଚି ଘରୁ ବାହାରିବା ଅସମ୍ଭବ ବରଂ ସେ ନିଜେ ଆସି ବାପା ଓ ମାଆ ଙ୍କ ସହ ବସେଇ ଦେଇ ଯାଏ ଅଜା ଆଈ ଙ୍କୁ ବସ ରେ. ବସ ଛାଡ଼ିବା ଯାଏଁ ନିଜେ କାନ୍ଦି ଅଜା ଆଈଙ୍କ ମନ ଦୁଃଖ ହେବ କହି ମାଆ ଆଖି ଲୁହ ପୋଛୁଥାଏ. ପ୍ରଭୁହେ ଆମ ନାତୁଣୀକୁ ଭଲରେ ରଖିଥାଅ ତା ବାପା ଓ ମାଆ ସହ ବୋଲି ମୁଣ୍ଡିଆ ମାରି କାନ୍ଦି କାନ୍ଦି ବସରେ ଉଠନ୍ତି ଅଜା ଓ ଆଈ ଦୁହେଁ. ଫେରିବାକୁ ହେବ ତ ନିଶ୍ଚୟ.
     ନାଇଟକୋଚ ବସଟା ଖାଲି ଖାଲି ଆସୁଥିଲା ସେଦିନ. ଏତେବଡ଼ ବସ ପୁଣି ଦୂର ଘାଟି ବାଟ ଯିବାର ଅଛି. ସେଥିରେ ବସଟା ଏକଦମ ଖାଲି ତ ବାଟ ପାସେଞ୍ଜର ସବୁ ଉଠୁଥିଲେ ଓ଼ ଏକ୍ସପ୍ରେସ ବଦଳରେ ଲୋକାଲ ଲାଗୁଥିଲା ବସଟା. କିଏ ବାନ୍ତି କରି କରି ବୁଡେଇ ଚାଲିଲା ବେଳେ କହୁଥିଲା ଆଜି ଆସିବାର ନଥିଲା ତ କିଏ ବାନ୍ତି ରୋକି ଅସ୍ତବ୍ୟସ୍ତ ଅନୁଭବରେ କଣ୍ଡକ୍ଟରକୁ ଦିପଦ ଶୁଣେଇ ଚାଲିଥିଲା. ଅନ୍ୟାୟ ଅନୀତି ସହୁନଥିବା  ଵ୍ୟକ୍ତି ଜଣକ ଅବସରପ୍ରାପ୍ତ ଶିକ୍ଷକ ଅଜା ହିଁ ଥିଲେ. ନାଇଟକୋଚ ବସର ଚାରି ନମ୍ବର ସିଟରେ ବସି ତିନି ନମ୍ବର ସିଟରେ ବସି ବସ ଛାଡୁ ଛାଡୁ ଘୁମେଇ ପଡି ସିଟକୁ ପଛକୁ କରି ଲେପଟେଇ ପଡ଼ିଥିବା ଯୁବକକୁ ତାଗିଦା କରୁଥିଲେ ଯେ ଅନ୍ତତଃ ସାଢେ ନଅଟା ବାଜୁ ସିଟକୁ ବଙ୍କେଇ ଶୋଇବ ନହେଲେ ପଛରେ ବସିଥିବା ଲୋକର ଅବସ୍ଥା କଣ ହେବ!ଯୁବକ ପଛକୁ ମୁହଁ ବୁଲେଇ ଟିକେ ଦେଖିନେଲା ବୟସ୍କ ଵ୍ୟକ୍ତି ଜଣଙ୍କୁ ଓ଼ ତାତ୍ସଲ୍ୟ ଭାବରେ ଉତ୍ତର ଫୋପାଡ଼ିଲା ନିଜ ନିଜ ସିଟ ଯିଏ ଯାହାର ପଛକୁ ଅଣେଇ ଦେଲେ କ୍ଷତି କଣ ଯେ!ବସଟା ତ ପୁରା ଖାଲି. ଯଦି ସମସ୍ତେ ଥାଆନ୍ତେ ତେବେ?କହିବାକୁ ଯାଇ ଅଟକି ଗଲେ ଅଜା ସାର. ସ୍ତ୍ରୀ ଆଖିର ଇସାରାରେ ମନା କରୁଥିଲେ ଯୁକ୍ତି ନକରି ବରଂ ପଛକୁ ପଛ ଖାଲି ପଡ଼ିଥିବା କୌଣସି ସିଟରେ ନିଜକୁ ସାମିଲ କରିନେବାକୁ. ବାଟ ସାରା କିନ୍ତୁ ଘାଟି ରାସ୍ତାରୁ ଲୋକ ଚଢ଼ୁଥିଲେ ଓ଼ ଓଲ୍ହାଉଥିଲେ. ଚଢା ଦରରେ ଟିକେଟ କାଟି ମଧ୍ୟ ସିଟ ପାଇ ଭାରି ଖୁସିରେ ଥିଲେ ବାଟ ପାସେଞ୍ଜର ଆଉ କଣ୍ଡକ୍ଟର ବି ଖୁସି. ସମସ୍ତେ ଅନଲାଇନ ବୁକିଂ କରି ଟିକେଟ କାଟି ଆସୁଥିଲା ବେଳେ ଏଇ ବାଟ ପାସେଞ୍ଜରମାନଙ୍କର ଟିକେଟ ପଇସା ତ ତାଙ୍କ ପକେଟ ମନି ନା!ଏଇ ସମୟରେ ଝଟକା ଦେଇ ପୁଣି ବସ ରହିଲା ତ ଛଅଟା ବେଳୁ ସିଟ ଚେୟାର ପଛକୁ କରି ଲୋଟି ପଡ଼ିଥିବା ଯୁବକ ଜଣକ ବାନ୍ତି କରିପକେଇଲା ବେଳକୁ ଦୁଇଜଣ କିଶୋର ଉଠିଲେ ଘାଟି ରାସ୍ତା କଡ଼ରୁ. କିଶୋର ଯଦିଓ ନଥିଲେ ଯୁବକ ବି ନଥିଲେ. କିଶୋର ବୟସ ପାର ହୋଇ ଯୁବକ ବୟସରେ ପ୍ରବେଶର ପ୍ରଥମ ପାହାଚ ଚଢ଼ୁଥିବା ଦୁଇ ବଣୁଆ ବା ସାନ୍ତାଳ  ବା କୋଟିଆ ଯୁବକ ହେବେ କି କଣ, ସେ ଦୁହେଁ ଉଠୁ ଉଠୁ ଗନ୍ଧରେ ନାକ ଫାଟି ପଡୁଥିଲା ତ ନିଜକୁ ଆରାମରେ ଲୋଟେଇ ଦେଇ ସନ୍ଧ୍ୟାରୁ ଶୋଇରହିଥିବା ଓ ଭୁବନେଶ୍ୱର ଯାଉଥିବା ଯୁବକ କଣ୍ଡକ୍ଟରକୁ ମନଭରି ଶୋଧି ପଛକୁ ବୁଲି ଚାହୁଁଥିଲା ସାରଙ୍କ ପ୍ରତିକ୍ରିୟା ଦେଖିବାକୁ ହେଲେ ବୟସ୍କ ସାର ଏଇ ବାଟ ପାସେଞ୍ଜରମାନଙ୍କ ଯୋଗୁଁ ଠାକୁ ଠା ଓଲ୍ହେଇ କ୍ରିୟା କର୍ମ କରୁଥିଲେ ତ ଡରିଯାଉଥିଲେ ପତ୍ନୀ. ରାତି ବେଳ ପୁଣି ଜଙ୍ଗଲିଆ ଘାଟି ରାସ୍ତା.କିଏ କହିବ ବାଘ ଭାଲୁ ହାତୀ ଗଡୁନଥିବେ!
      କିଛି ବାଟ ଗଡ଼ିଗଲା ପରେ ସୁଙ୍କି ସାଲୁରି ଘାଟି ପାର ହେଲା ପରେ ଦୁଇ ଗୋଡ଼କୁ ଆଉ ଗୋଟେ ସିଟ ଉପରେ ଲମ୍ବେଇ ଆରାମରେ ଘୁଙ୍ଗୁଡ଼ି ମାରୁଥିବା କଣ୍ଡକ୍ଟର ଉଠିଲା, ଅସ୍ତବ୍ୟସ୍ତ ହେଲା ଓ଼ ସେହି ଜନଜାତି ଯୁବକ ଦୁହିଁଙ୍କୁ ଡାକି ଆଣି ପାଖରେ ବସର ଦ୍ୱାର ଆଡକୁ ବସେଇ କହିଲା କେତେ ଡାକିଲି ତୁମେ ଦୁହେଁ ଆସିଲ ନାହିଁ ତୁମ ଷ୍ଟପେଜ ଚାଲିଗଲା ତ ଏଇଠି ବସ. ଆଗ ଷ୍ଟପେଜରେ ଓଲ୍ହେଇ ଯିବ. ଦୁହିଁଙ୍କ ଭିତରୁ ଜଣେ କହିଲା ରାତି ଏବେ ସାଢେ ଦୁଇ. ଆଗ ଷ୍ଟପେଜରେ ବିଶ୍ରାମଗାର ନାହିଁ. ହାତୀ ବାଘ ଭାଲୁ ଗଡ଼ନ୍ତି ରାତିରେ ତ ଆମକୁ ବରଂ ବ୍ରହ୍ମପୁର ପୂର୍ବରୁ ଦିଗପହଣ୍ଡିରେ ଓଲ୍ହେଇ ଦେବ. ଆମର ଚାଲିବାର ଅଭ୍ୟାସ ଅଛି. ହେଲେ ସେଠୁ ତୁମ ଛକ ତ ପ୍ରାୟେ ଶହେ କିଲୋମିଟର ପାଖାପାଖି ହେବ. ଏତେ ବାଟ ଚାଲିବ କେମିତି?କଣ କରିବୁ ଆଉ ମେଳାରେ ଛି ଛି ଛିରେ ନନି ଗୀତରେ ନାଚି ନାଚି ଭୋକରେ ମହୁଲି ପିଇ ଦେଇଥିଲୁ ତ ନିଦ ଭାଙ୍ଗିଲା ନାହିଁ. ପଇସା ପରେ ଦେବ ବୋଲି କହି ମାଲିକ ଯିଏ ଆମକୁ ନାଚିବାକୁ ନେଇଥିଲା ଦେଇନି. ପେଟରେ ମଧ୍ୟ ଖୁବ ଭୋକ ଅଛି ଆଉ ଆଖିରେ ନିଦ.ତାଙ୍କ କଥା ଭିତରେ ପର ଷ୍ଟପେଜ ଆସିଯାଇଥିଲା. କଣ୍ଡକ୍ଟର ସଫେଇ ପରେ ସଫେଇ ଦେଇ କହୁଥିଲା କେତେ ତ ଡାକିଲି ଉଠିଲ ନାହିଁ. ଏଇଠି ଓଲ୍ହେଇ ଯାଅ ପାଖ ପଡିବ ତୁମ ଗାଁ.
    ସବୁ ଶୁଣୁଥିବା ସାର କହିଲେ ତାଙ୍କୁ ଦିଗପହଣ୍ଡି ଯାଏଁ ନିଅ. ଏଇ ନିଅ ପିଲାଏ କହି ପାଞ୍ଚଶହ ନୋଟଟିଏ ବଢ଼େଇ ସାର କହିଲେ କିଛି ଜଳଖିଆ ଖାଇ ଫେରନ୍ତା ବସରେ ଗାଁ ମୁଣ୍ଡେ ଓଲ୍ହେଇବ. ସକାଳ ହୋଇସାରିଥିବ ଓ଼ ବିପଦ ଟଳି ଯାଇଥିବ. ଏଥର କଣ୍ଡକ୍ଟର କହୁଥିଲା କିନ୍ତୁ ଦିଗପହଣ୍ଡି ଯାଏଁ ତୁମ ଦୁହିଁଙ୍କୁ ଟିକେଟ ପଇସା ଦେବାକୁ ପଡିବ ନା!ଏଥର ସିଟ ଉଠାଇ ପ୍ରକୃସ୍ଥିତ ହୋଇ ବସିଲା ଭୁବନେଶ୍ୱର ଯାଉଥିବା ଯୁବକ ଓ଼ ସକ୍ରିୟ ନାଗରିକର କର୍ତ୍ତବ୍ୟରେ ପାଟି ଖୋଲିଲା ଆରେ ମୁଁ କଣ ଶୋଇଥିଲି ବୋଲି ଭାବୁଛ ନା କଣ ସବୁ ଜାଣେ କଣ୍ଡକ୍ଟର ଭାଇ.ତୁମେ ଆରାମରେ ଶୋଇ ନିଜ କର୍ତ୍ତବ୍ୟ ଭୁଲି ସେ ପିଲା ଦୁହିଁଙ୍କୁ ଡାକିନାହଁ ତାଙ୍କ ଷ୍ଟପେଜରେ ତ ତୁମର ଭୁଲ ତାଙ୍କୁ ପଇସା କଣ ମାଗୁଛ!କଣ୍ଡକ୍ଟରର ଆଉ କିଛି କହିବାର ଉପାୟ ନଥିଲା. ଜଳ ଜଳ କରି ଚାହୁଁଥିବା ଦୁଇ ଆଦିବାସୀ କିଶୋରଙ୍କୁ ଦୁଇଶତ ବଢ଼େଇ ଯୁବକ ଜଣଙ୍କ ପୁଣି ଚେୟାରକୁ ପଛ କରି ଶୋଇବାକୁ ଚେଷ୍ଟା କଲାବେଳେ ବସ ଦିଗପହଣ୍ଡି ଷ୍ଟପେଜର ବହୁ ଦୂରରେ ବ୍ରହ୍ମପୁର ରାସ୍ତାରେ ଥିଲା. ସକାଳର ସୁନେଲି ଖରା ପଡିଆସିଥିଲା ତ ଏଥର ସାର ନୁହଁନ୍ତି ବରଂ ତାଙ୍କ ସ୍ତ୍ରୀ କହୁଥିଲେ ଦିନ ହେଲାଣି ଆସି ଛଅଟା ଏଥର ତ ସିଧା ବସନ୍ତୁ. ସାରଙ୍କୁ ପଛ ସିଟରେ ଅଣନିଶ୍ଵାସୀ ଲାଗି ଅଶ୍ବସ୍ତି ଲାଗୁଛି. ସାର କହିଲେ ହଉ ହଉ ଶୁଅନ୍ତୁ ମୋର ଚଳିବ. ଯୁବକ ଜଣକ କିନ୍ତୁ ଉଠିବସି ସିଟ ଉଠେଇ ସଜାଡି ହୋଇ ବସି ସାରିଥିଲେ ଏ ଭିତରେ.ନାତୁଣୀ ମନେପଡୁଥିଲା ଖୁବ ଅଜା ଓ ଆଈଙ୍କର . ମାଆ ଘାଟି ଦେବୀ ଓ ଦେବତା ସମୂହ,ସହାୟ ହୁଅ ଆମ ନାତୁଣୀକୁ ଓ ତାର ଆସୁଥିବା ଭାଇ ଭଉଣୀସବୁଙ୍କୁ ହେ ଦେବୀ ଓ ଦେବତା କହିଲା ବେଳେ ନାତୁଣୀ ବଦଳରେ ସେଇ ଦୁଇ ଆଦିବାସୀ କିଶୋରଙ୍କ ମୁଁହଁ ନାଚି ଉଠୁଥିଲା ଆଖିରେ ଏଥର ଡୁଗୁ ଅଜା ଓ ଆଈ ଦୁହିଁଙ୍କର.



Rate this content
Log in