STORYMIRROR

Arati Sahoo

Inspirational Children

3  

Arati Sahoo

Inspirational Children

ବିଦ୍ୟାଂ ଦେହୀ ସରସ୍ଵତୀ

ବିଦ୍ୟାଂ ଦେହୀ ସରସ୍ଵତୀ

3 mins
225

ଓଁ ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ବେତ ପଦ୍ମାସନା ।

ଯା ବୀଣା ବରଦଣ୍ଡ ମଣ୍ଡିତ କରା, ଯା ଶୁକ୍ଳ ବସ୍ତ୍ରାବୃତା ।।

ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିଃ ଦେବୈ ସଦା ବନ୍ଦିତା ।

ସା ମାଂ ପାତୁ ସରସ୍ଵତୀ ଭଗବତୀ, ନିଃଶେଷ ଜାଡ୍ୟାପହା ।।


  କାଲି ସରସ୍ଵତୀ ପୂଜା, ଶ୍ରୀ ପଞ୍ଚମୀ । ସରସ୍ଵତୀଙ୍କର ସୁନ୍ଦର ମୂର୍ତ୍ତି ଅଣାହେଇ ସ୍ଥାପନା କରା ହେଇଥିବେ, ଗୋଟିଏ କାଠ ଚେୟାରରେ ଛିଟ ଲୁଗା ପକେଇ । ନାଲି ନେଳି ଶାଗୁଆ କାଗଜ କାଟି ଫୁଲ ତିଆରି କରୁଥିବ ଶିରିଷ ଭାଇ । ତାର ବଙ୍କା ବଙ୍କା କାଳିଆ ଆଙ୍ଗୁଳି ଫାଙ୍କରେ କତୁରୀଟା ସାଇଁ ସାଇଁ ସ୍ପୀଡ ଧରିଥିବ । ଘଣ୍ଟାକ ଭିତରେ ଫୁଲ ଆଉ ଝାଲର କାଟି ଗଦା କରିଦେବ । 


 ଦ୍ଵାରମାନଙ୍କରେ ଝାଲର, ନାଲି, ପରେ ନେଳି, ତାପରେ ହଳଦିଆ, ଗୋଲାପୀ, ଶାଗୁଆ ରଙ୍ଗର ଝାଲର ଟଙ୍ଗା ହେବ । ଥୋପା ଥୋପା ଫୁଲ ସବୁ ଚିଟେଇ ଦିଆ ଯିବ । ଫୁଲଝାଡ଼ ଗେଞ୍ଜା ହେବ । ଚକଚକି ଜାମିରପାତ୍ତା କାଗଜରେ ବି ଅଳ୍ପ ଝାଲର ଫୁଲ କଟା ହେଇଥିବ । ସେହି କାଗଜ ଟିକେ ଅଧିକା ଦାମ୍ ତ। ଆମେ ଛୁଆମାନେ ଯେ ଯାହା ସାଧ୍ୟ ମତେ ସାହାଯ୍ୟ କରୁଥିବୁ । ଅଟାକୁ ଯନ୍ତା ହେଇଥିବା ଅଠା ଧରଉଥିବୁ । ଦାଣ୍ଡ ବାରଣ୍ଡା ସାରା ଚିକିଟା । ତଥାପି ମାଆ ପାଟି କରୁନଥିବ । ଝାଲରରେ ଅଠା ନଗାଉ ନଗାଉ କେତେବେଳେ ନିଦ ହେଇ ଯାଇଥିବ । ସକାଳୁ ଉଠିବୁ କିନ୍ତୁ ଠିକ୍ ନିଜ ଖଟରୁ । କିଏ ଟେକି ନେଇ ଶୁଏଇ ଦେଇଥିବ ଠିକଣା ଜାଗାରେ ।


 ସକାଳୁ ଉଠିଲା ବେଳକୁ ଦାଣ୍ଡ ବାରଣ୍ଡା ସ୍ଵର୍ଗପୁରୀର ଅମରାବତୀ ପରି ଚହଟ ଚମକ ଦେଖା ଯାଉଥିବ । ମାଆଙ୍କର ମୁହଁ କାଗଜରେ ଘୋଡ଼ା ହେଇଥିବ । ଜୀବନ୍ୟାସ ପାଇ ନାହାନ୍ତି ପରା ।


 ତାପରେ ମାଆ ସାଙ୍ଗରେ ନଦୀ । ଶ୍ରୀ ପଞ୍ଚମୀ, ଆଜି ଭଲକରି ପୁଷମଳି ଛଡ଼ା ହେବ ଦେହରୁ ଘଷିମାଜି । ଦୀପାବଳି ଦିନ କାଉ ରୂପ ନେଇ ଯାଇଥିଲା । ଆଜି ପୁଣି ଦେହରେ ଶ୍ରୀ ପଶିବ । (ତା ଅର୍ଥ, ଦୀପାବଳି ଠାରୁ ଅଧିକ ଥଣ୍ଡା ପଡ଼ିଯିବାରୁ କାକସ୍ନାନରେ କାମ ସାରିଥାନ୍ତି, ଆଉ ଶ୍ରୀ ପଞ୍ଚମୀ ଦିନଠାରୁ ଗରମ ପଡ଼ିବାରୁ ପୁଣି ଭଲକରି ଗାଧାନ୍ତି ଲୋକେ ) । ମାଆ ରଗଡୁଥିବ ମୋର ହାତ ଗୋଡ଼ ଲାଇଫବୟ ନାଲିଆ ସାବୁନ ଲଗେଇ । ମୁଁ ଚିର୍କାଳୁଥିବି । ଆଖିରେ ସାବୁନ ଫେଣ ପଶି ପୋଡ଼ି ଉଠୁଥିବ । ମାଆ କୋଲ ମାରି ଯାଉଥିବା ପାଣି ଛାଟି ଦେଉଥିବ ଆଖିରେ । ମାଘି ପବନ ମଞ୍ଜ ଥରେଇ ଦେଉଥିବ ।


 ମାଆ କହୁଥିବ,


- ଚାଲ୍ ଶୀଘ୍ର ଗାଧେଇ କରି । ବଢ଼ିଆ ଶାଢ଼ୀ ରଖିଛି ପଙ୍କଜିନୀ ନାନୀ । ତୋତେ ପିନ୍ଧେଇ ଦେବ । ତୁଇ ସରସ୍ୱତୀ ପୂଜା କରତେ ସ୍କୁଲ ଯିବୁନାଇଁ? ସମସ୍ତେ ଆଗରୁ ପହଞ୍ଚି ଯିବେ ଯେ । ସେଠେ ପୁଷ୍ପାଞ୍ଜଳି ଦେବୁ । ବୁନ୍ଦିଆ ଭୋଗ ନେଇ କରି ଆସିବୁ । ଚଲ ଚଲ୍ ଶୀଘ୍ର । ଦେଖା ମୁଣ୍ଡଟା ଦେଖା । ମୋର ମାଆ ଟା ଯେ । 


 ମୁଁ ସରସ୍ଵତୀ ପୂଜା ଆଉ ଶାଢ଼ୀ ପିନ୍ଧା ସ୍ଵପ୍ନରେ ହଜି ଯାଉଥିବି । ଆଉ ନା ତ ଆଖି ପୋଡୁଥିବ ନା ଶୀତ ମୋତେ ଡରେଇ ପାରୁଥିବ । 


 ଘରକୁ ଆସି ସିଧା ପଙ୍କଜିନୀ ନାନୀ ଘରେ ହାଜର । ଆହୁରି କେତେ କେତେ ଝିଅ ଠିଆ ହେଇଥିବେ । ନାନୀ ତାର ଟ୍ରଙ୍କ ବାକ୍ସ ଖୋଲି ଦେଇଥିବ । ସମସ୍ତେ ବାଛୁଥିବେ ଶାଢ଼ୀ । କୋଠରୀ ସାରା ଛିନ ଛତ୍ର ହେଇ ପଡ଼ି ଥିବ ଶାଢ଼ୀ ଶାୟା । ବ୍ଲାଉଜ ଦରକାର ହୁଏନାହିଁ । ଫ୍ରକ ଉପରେ ଶାୟା ବାନ୍ଧି ଶାଢ଼ୀ ପିନ୍ଧାହୁଏ । 


 ସରସ୍ଵତୀ ପୂଜା ଦିନ ସବୁ ଝିଅ ଗୋଟେ ଗୋଟେ ସରସ୍ଵତୀ । ମଥାରେ ଚନ୍ଦନପାଟି, ପଚିଶଟା ଲେଖା ସେଫ୍ଟିପିନ୍ ମାରି ଶାଢ଼ୀ ପିନ୍ଧାଏ ନାନୀ, ଗୋଟି ଗୋଟି କରି ସବୁ ଝିଅଙ୍କୁ । ଧନ୍ୟ ତାର ଧୈର୍ଯ୍ୟ ! 


 ଆଜି ସେମିତି ଧୈର୍ଯ୍ୟ ଶାଳିନୀ, ସ୍ନେହମୟୀ ନାନୀ ମାନେ କାହାନ୍ତି ? 


 ରାସ୍ତା ସାରା ଦଳ ଦଳ ମାଳ ମାଳ ଶାଢ଼ୀ ପିନ୍ଧା ଝିଅ । ପ୍ରଥମ ଶ୍ରେଣୀ ଝିଅ ଦେହରେ ବି ଶାଢ଼ୀ ଆଉ ଦଶମ ଏକାଦଶ ଶ୍ରେଣୀର ଝିଅ ଦେହରେ ବି । ଆଉ ତ ଆଉ, ଦୁଦୁଭାତି ଝିଅ ମାନେ ବି ଶାଢ଼ୀ ପିନ୍ଧି ନିଜର ବଡ଼ ଭଉଣୀମାନଙ୍କ ସାଙ୍ଗରେ ସ୍କୁଲ୍ ଯାଆନ୍ତି । କିଏ କୁଞ୍ଚକୁ ହାତରେ ଟେକିଥାଏ ତ କାହାର କୁଞ୍ଚ ମାଡ଼ି ହେଇ ଫିଟି ଯାଉଥାଏ । ବାଟରେ ଯାହାର ବି ଘର ପଡେ, ପଶିଗଲେ ସେ ଘରର ନାନୀମାନେ ପୁଣି ସଜାଡ଼ି ଦିଅନ୍ତି । ଗାଁ ହେଉ କି ସହର ହେଉ ସବୁ ପାଲଟି ଯାଏ କଣ୍ଢେଇ ଘର । ଖାଲି କୁନି କୁନି କଣ୍ଢେଇ, ଯୁଆଡେ ଦେଖିବ ।


 କଳ୍ପନା କରନ୍ତୁ ତ ଟିକେ । 


 ବର୍ତ୍ତମାନ କେବଳ ଜିନ୍ସ ପିନ୍ଧା ଝିଅଙ୍କୁ ଦେଖୁଥିବା ରାସ୍ତାରେ ଯଦି କେବଳ ଶାଢ଼ୀ ପିନ୍ଧା ରଙ୍ଗବେରଙ୍ଗ ବିଭିନ୍ନ ସାଇଜର କୁନି କଣ୍ଢେଇମାନେ ଚାଲୁଥିବେ ? 


ତୁଚ୍ଛା କଳ୍ପନାଟିଏ ନା ? 


 ବେଳେ ବେଳେ ଏମିତି ହୁଏ ଯେ, ଯାଉ ଶାଢ଼ୀ ପିନ୍ଧି । ଫେରୁ ଫ୍ରକରେ, ଶାଢ଼ୀକୁ କାଖରେ ଜାକି । ହାତରେ ଦୋନାଏ ଲେଖା ଉଛୁଳଛୁଳ ବୁନ୍ଦିଆ ଭୋଗ ଧରି । 


 କଳକଣ୍ଠ ସ୍ଵରରେ ସରସ୍ଵତୀ ବନ୍ଦନା କୁନି କଣ୍ଠମାନଙ୍କରୁ ଭାସି ଆସି ବାତାବରଣଟାକୁ କରି ଦେଉଥାଏ ପବିତ୍ର, ଉଲ୍ଲାସମୟ ।


ସରସ୍ଵତୀ ସରସ୍ୱତୀ ନିର୍ମଳ ବର୍ଣ୍ଣେ ।

ରତ୍ନ କୁଣ୍ଡଳ ଶୋଭିତ କର୍ଣ୍ଣେ ।

ଗଳାରେ ଗଜମୋତି ମୁକ୍ତାର୍ ହାର୍ ।

ଦିଅ ମାଆ ସରସ୍ୱତୀ ବିଦ୍ୟାର୍ ଭାର୍ ।


ହାଃ, ସ୍ଵପ୍ନ !!

ହାୟ, ଅତୀତ !!!


 ମାଆର ବାସନ ମଜା, ଫାଟି ଯାଇଥିବା ପାପୁଲିର ନରମ ମିଠା କୋମଳ ସ୍ପର୍ଶ !! ଲାଇଫବୟ ସାବୁନର ଭୁରୁଭୁରୁ ବାସ୍ନା !! ଉପର ମୁଣ୍ଡରୁ ନେଇ କରି ସମସ୍ତଙ୍କ ବାହାର ଭିତର ମଳି ସାଉଁଟି ଥିବା ନଦୀର ବାସ୍ନାୟିତ ପାଣି । ଆଉ ସେହି ଟେରିଲିନ୍, ନାଇଲନ୍, ସିଲିକ୍ ଶାଢ଼ୀରେ ରଚି ବସି ଯାଇଥିବା ଲୁହାଳିଆ କପୁର ବାସ୍ନା !!!!!


 କେବଳ ବାସ୍ନା ହି ତ ରହିଛି ।


ନା ଅଛି କର୍ପୂର, ନା କନା !!!!!


ବିଦ୍ୟାଂ ଦେହୀ ସରସ୍ଵତୀ

ବୁଦ୍ଧିଂ ଦେହୀ ସରସ୍ଵତୀ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational