Arati Sahoo

Inspirational Children

4.4  

Arati Sahoo

Inspirational Children

ସରଗି ପତ୍ର

ସରଗି ପତ୍ର

7 mins
329


ବେଲମତୀ ଖାଞ୍ଚିରେ ଖାଞ୍ଚିଏ ସରଗି ପତ୍ର ବିଡ଼ା ମୁଣ୍ଡେଇ ଆସିଲା ହାଟକୁ । ଶୁକ୍ରବାରିଆ ହାଟ ପାଳି । ଦେଖିଲା ବେଳକୁ ତା ପିଣ୍ଡାକୁ ବୁଧିଆ ଅକ୍ତିଆର କରିଛି । 

 - ଉଠ୍ ଏଠୁ , ଏଠେ ତୋତେ କିଏ ବସତେ କହିଲା , ହେଁ । ଉଠବୁ ନା ଦେଖବୁ ଏନାଗି ।

- ଏଟା କି ତୋର୍ ବାପର୍ ଜାଗା । ଯାଆ ନା , ଅଲଗା କଅଁଠେ ବସ୍ । 

- ଏଇ , ବାପର୍ ନାମ ନାଇଁ ଉଠା କହି ଦେଉଛେଇଁ । ତୋର ବାଇସ ଥୁଇ ଦେବି । ଏଇ ସରଗି ସିଟକାରେ ସିଟକେଇ ଦେବି ଯେ ।

କହି ବେଲମତୀ ସରଗି କାଠି ବିଡ଼ାରୁ କାଠି ବାହାର କରି ଗୋଡେଇଲା ବୁଧିଆକୁ । ଭେଣ୍ଡିଆ ଟୋକା ବୁଧିଆ ଧାଇଁଲା ସେ ଜାଗା ଛାଡ଼ି ।

ମୁଣ୍ଡରେ ବିଣ୍ଡାକରି ଲଗେଇଥିବା ଡୁରିଆ ଗାମୁଛା ଚାରିଚଉତା କରି ପାରି ଦେଇ ବସି ପଡି଼ଲା ବେଲମତୀ । ସରଗି ପତ୍ର ବିଡ଼ା ସବୁକୁ ଯତ୍ନରେ ସଜେଇ ରଖିଲା । କାଠି ବିଡ଼ା ମାନଙ୍କୁ ମଧ୍ୟ ଗୋଟାଏ ଆଡ଼କୁ ରଖିଲା ।

 ବାପା ସିଆଡେ ବାଇଗଣ ମୁଲଉ ଥିଲେ । 

- କି ଲୋ , ଏଇ ଟୁରୀ ବାଇଗଣ କୁ ବାରଣା କିଲୋ କହୁଛୁ , ଦଉନୁ ଆଠଣାରେ । ମୁଁ ସିଆଡେ ନିଘା ନଦେଇ , ବେଲମତୀ ଆଉ ବୁଧିଆର ' ' ମୋତେ ଛୁଁ , ମୋତେ ଛୁଁ' ଖେଳରେ ଡୁବି ଯାଇଥିଲି । ବାପାଙ୍କ ସାଙ୍ଗରେ ଫି ପାଳି ମୁଁ ହାଟକୁ ଯାଏ । ତାଙ୍କ ସାଇକଲ ସାମନା ରଡ଼ ଉପରେ ବସି । ବାପା ଭଲକରି ଗାମୁଛା ଗୁଡେ଼ଇ ଦେଇଥାନ୍ତି ତଥାପି କାଟେ । ସେଇ କାଟିବାଟା ଓଟ କଣ୍ଟା ଖାଇବା ପରି , ରକ୍ତ ବାହାରୁଥିବ ପାଟିରୁ ତଥାପି ସେ କଣ୍ଟା ଖାଉଥିବ , ଆଉ ଦାନ୍ତ ଥଣ୍ଡା ଲାଗିଲା ଭଳିଆ , ବିନ୍ଧୁଥିବ ତଥାପି ସେଫ୍ଟିପିନ୍ ବା କଞ୍ଚି ଖେଞ୍ଚା ହେଉଥିବ । କାଟିଲେ ବି ଉସୁପୁସୁ ହେଇ ବସିଥିବି । ବାପା ପଚାରିବେ ,

- କାଟୁଛି କି ମାଆ ? 

ମୁଁ ମୁଣ୍ଡ ହଲେଇ ମନା କରୁଥିବି । ହଁ କହିଲେ କାଳେ ଆଉ ଆଣିବେ ନାହିଁ । ତଥାପି ବାପା ମନ । ମଝିରେ ମଝିରେ ଓହ୍ଲେଇ ମୋତେ ନିଜ ସିଟରେ ବସେଇ ସାଇକଲ ଟାଣି ଟାଣି ନିଅନ୍ତି । ସେତେବେଳେ ଟିଭି ନଥିଲା , ଆଉ ସାପ୍ତାହିକ ଆଉଟିଂ ବି ନଥିଲା । ଏଇ ହାଟ ବଜାର ବୁଲି ବଢ଼ିଆ ମନୋରଞ୍ଜନ ହେଉଥିଲା । କୁସୁମ କୋଳି , ଭୁରୁଡୁ କୋଳି , ଚାର କୋଳି , ଭାଲିଆ କୋଳି , କେନ୍ଦୁ , କେଶରୀ କନ୍ଦା , ପଦ୍ମ ମଞ୍ଜି , ଇତ୍ୟାଦି ଦେଖିବା , କିଣିବା ଆଉ ଖାଇବା । ଭାଲିଆ କୋଳିର ଭାଲିଆକୁ ତତେଇ ପାଦତଳେ ଲଗେଇଲେ 

କଣ୍ଟାଫୁଟା ଘାଆର ବଥାକୁ ସଟ୍ କିନା ଖାଇଦେବ । ମାଛଆଖିଆ ହେବାକୁ ଦେବ ନାହିଁ । ବେଲମତୀ , ମୋରି ବୟସର ହେବ ନହେଲେ ବର୍ଷେ ଛଅମାସ ବଡ଼ ହେବ । ସାନ୍ତାଳ ଝିଅଟିଏ । ଚିକ୍କଣ କଳା ନିମତେଲ ବୋଳା ଦେହ । ମୁଣ୍ଡର ନିମତେଲ ଲଗା ଚୁଟିରେ ଗୋଛାଏ ଝିଟି କୁଡ଼ଚି  ନହେଲେ ମାଳତୀ ଫୁଲ । ଚେପା ନାକ । ଦେହସାରା ଚିତାକୁଟା ନେଳିଆ ନେଳିଆ । ନାକର ଦୁଇ ପାଖରେ ଦୁଇଟା ସୁନା ନାକଫୁଲି । କାନରେ ମୀନାକରା ସୁନା କାନଫୁଲ । ବେକରେ କଣ୍ଠିମାଳ । ନାଲିଆ ଚେକ୍ ଚେକ୍ ଛୁଆ ଶାଢ଼ୀଟାଏ । ଅବଢ଼ା ଦେହରେ ବ୍ଲାଉଜ ଦରକାର ନାହିଁ । ଏଡ଼େ ଟିକିଏ ହେଲେ ସୁଦ୍ଧା ଅନୁଭବ ଆଉ ବୁଦ୍ଧିରେ ମୋଠାରୁ ଢେର୍ ବଡ଼ । ମୁଁ ଦେଖୁଥାଏ କେମିତି ସେ ତାଠାରୁ ଡବଲ ସାଇଜ ଆଉ ବୟସର ବୁଧିଆକୁ ଭଗେଇ ଦେଲା । ନିଜର ଅଧିକାର ଠିକ୍ ନେଇ ଜାଣିଛି ।  ମୁଁ ଚବିଶକ ପଣକିଆରେ ପଚିଶ ଥର ଝୁଣ୍ଟୁଥିଲା ବେଳେ ସେ ଅନାୟାସରେ ଲୋକେ ନେଉଥିବା ପତ୍ର କାଠିର ହିସାବ ମୁହେଁ ମୁହେଁ କରି ଦେଉଥିଲା । କାହାକୁ ଗୋଟିଏ ପଇସା ଛାଡ଼ିବାର ନୁହେଁ ।  ମୁଁ ତାକୁ ଚାହିଁ ଥିବାର ଦେଖି ସେ କହିଲା , - କି ନେବ ଗୋ କୁନି ? ପତ୍ର ନିଅ , ଏକଦମ ଏଇନା ଗଛରୁ ତୁଳି ଆଣିଛେଇଁ । ପୁଡ଼।ପିଠା କରଲେ ନା ମହକି ଯିବ । ନେହିଲେ ପୁସ୍ତପୁଡ଼। , ମାଛପୁଡ଼। କରବ । ଦେବି କି ?  ବାପା ନିଅନ୍ତି ପତର , ଦାନ୍ତକାଠି ତାଠାରୁ । କେବେ କେବେ ସେ ଏହି କୋଳି ସବୁ ମେଞ୍ଚେ ମେଞ୍ଚେ ଆଣି ବିକେ । ମୋତେ ସେମିତି ଦେଇଦିଏ । ଯୋରକରି ମୋ ଫ୍ରକ୍ ସାଇଡ ପକେଟରେ ପୁରେଇ ଦିଏ । ସେ ମୋର ଫ୍ରକର ରଙ୍ଗୀନ ଛିଟ ମାନଙ୍କ ଭିତରେ ହଜିଯାଏ ଭଳି ମୋତେ ଲାଗେ । ମୁଁ କିନ୍ତୁ ନିମତେଲର ଗନ୍ଧରେ ପଶି ପାରେନା । ନିଶ୍ଵାସ ଅଟକେଇ ଦିଏ । ଏମିତି ସପ୍ତାହକୁ ସପ୍ତାହ ଦେଖାଦେଖିରେ ଆମ ଭିତରେ ଗୋଟେ ମାୟା ଲାଗି ଯାଇଥିଲା । ବାପାଙ୍କର ମଧ୍ୟ । ମୋତେ ତାର କଥା ତାର ରୂପ ସବୁ ଭଲ ଲାଗେ କେବଳ ସେହି ନିମତେଲ ବାସନା ଛାଡ଼ି ।

ଦିନେ ସେ ମୋତେ କହିଲା , - ମୋର୍ ସାଙ୍ଗରେ ମକର୍ ବସବ କିଗୋ କୁନି ।  ବାପା ଦେଖିଲେ ମୋର ମଧ୍ୟ ମନ ଅଛି । ସେତେବେଳେ ଆମଆଡେ ସବର୍ଣ୍ଣ ଓ ଅସବର୍ଣ୍ଣ ମାନଙ୍କ ମଧ୍ୟରେ ଏମିତି ପବିତ୍ର ରିସ୍ତାଟିଏ ଚଳଣିରେ ଥିଲା । ଏଥିରେ ଉଭୟେ ଲାଭାନ୍ଵିତ ହେଉଥିଲେ । ସବର୍ଣ୍ଣ ମାନଙ୍କୁ ଶସ୍ତା ମୁଲିଆ ଆଉ ଜଙ୍ଗଲୀ ଦ୍ରବ୍ଯ ମିଳୁଥିବା ବେଳେ ଅସବର୍ଣ୍ଣ ମାନଙ୍କୁ କୋର୍ଟ , କଚେରୀ ,  ଡାକ୍ତରି କାମ ସୁବିଧା ହେଉଥିଲା । ମକର ସଂକ୍ରାନ୍ତିର ନୂଆ ନୂଆ ଲୁଗା , ସିଝାମଣ୍ଡା , କଥୁପିଠା , ଆଉ ତିଳନଡୁର ସୁଗନ୍ଧ ଚହଟୁଥିବା ଦିନରେ ବାପା ଓ ମୁଁ ଗଲୁ ସରଗି ଡିହି । ଆମେ ମକର ବସିଲୁ ତାଙ୍କ ଚଉରା ମୂଳେ । ମକର ଚାଉଳ ଖୁଆଖୁଇ ହେଲୁ । ସିନ୍ଦୁର ଚନ୍ଦନଟିକା ଲଗାଲଗି ହେଲୁ । ସେ ମୋ ମୁଣ୍ଡରେ ମାଳେ କୁଡ଼ଚି ଫୁଲ ପିନ୍ଧେଇ ଦେଲା । ଆମେ ତା ପାଇଁ ଗୋଟାଏ ଫ୍ରକ୍ , ପ୍ୟାଣ୍ଟ ( Bloomer ), ଗୋଟିଏ କିଓ କାର୍ପିନ୍ ତେଲ ବୋତଲ ଓ ଗୋଟାଏ କ୍ୟୁଟିକୁରା ପାଉଡର ନେଇ ଯାଇଥିଲୁ । ତା ମାଆ ମୋ ପାଇଁ ଗୋଟାଏ ବିଚିକିଟିଆ ଗୋଲାପି ରଙ୍ଗର ଛୁଆ ଶାଢ଼ୀ ଆଣିଥିଲା ତା ରୁଚି ଅନୁସାରେ । ମୁଁ ବଡ଼ ଆନମନା ହେଇ ତାକୁ ପିନ୍ଧିଲି କଣ ତ , ଗୁଡେ଼ଇ ହେଲି ପ୍ରଥମ ଆଉ ଶେଷ ଥର ପାଇଁ । ମୁଁ ଲୁଗା ଖୋଲିବା ଭୁଲିଗଲି ତାକୁ ନୂଆ ଅବତାରରେ ଦେଖି । ସୁନ୍ଦର ଝାଲରଲଗା ନାଇଲନ ଫ୍ରକ୍ , ମୁଣ୍ଡରେ ମୋ ପରି ପୋନିଟେଲ୍ , କିଓ କାରପିନ ଆଉ କ୍ୟୁଟିକୁରାର ଫେଣ୍ଟାଫେଣ୍ଟି ବାସ୍ନା ।  ସେ ଚରଖି ପରି ବୁଲି ବୁଲି ଫ୍ରକର ଘେରରେ ମଜ୍ଜି ଯାଉଥାଏ ।  ତାଙ୍କ ଘର ବିଷୟରେ ନକହିଲେ ଅଧୁରା ଲାଗିବ । ଘରେ ତାର ମାଆ ଆଉ ସରୁ ସରୁ ଦୁଇଗୋଡ଼ ପୋଲିଓ ଆକ୍ରାନ୍ତ ଗୋଟିଏ ଭାଇ ସତର ଅଠର ବର୍ଷର , ଟିକିଏ ମନ୍ଦବୁଦ୍ଧି ମଧ୍ୟ । ସବୁ କାମରେ ମାଆ ଉପରେ ନିର୍ଭର । ତେଣୁ ଏହା ସହଜରେ ଅନୁମେୟ ଯେ ଘର ଚଳେଇବା ଦାୟିତ୍ୱ ବେଲମତୀର । କିନ୍ତୁ ତାର କାଳିଆ ଚିକ୍କଣିଆ ମୁହଁରେ ନିମ୍ବକାଠି ଘଷା ହସଟା ସବୁବେଳେ ଲାଗି ରହି ଅତି ଆକର୍ଷଣୀୟା କରେ ତାକୁ । ମାଟିତିଆରି ଘରର କାନ୍ଥରେ ନାଲିଆ ମାଟି ଓ କାଳିଆ ଅଙ୍ଗାର ରଙ୍ଗ ଲିପାଯାଇ ଅତି ସଫା ସୁତୁରା ଦେଖା ଯାଉଥାଏ । ଅଗଣାର ଚାରି ପାଖରେ ସିଜୁ ବାଡ଼ । ବାଡ଼ ସେପାଖକୁ , ଆମ୍ବ ପଣସ , ସପେଟା ଆମ୍ବଡ଼। ଆଉ ପିଜୁଳି ଗଛ । ତରାଟ ଟଗର ଫୁଲରେ ଫାଟି ପଡୁଥାନ୍ତି । ଖପରା ଚାଳ ଉପରକୁ ମାଳତୀ ଲତା , କଖାରୁ ଆଉ ପାଣି କଖାରୁ ମାଡ଼ି ଥାଏ । ପନ୍ଦର କୋଡ଼ିଏଟା ପାଉଁଶିଆ ପାଣି କଖାରୁ ଗଡ଼ଗଡ଼ଉ ଥାନ୍ତି ଚାଳରେ । ଯାହାହେଉ ଆମେ ମକର ବସିଲୁ । ଆଉ କିଛି ସମ୍ପର୍କ ଥାଉ କି ନଥାଉ ଆମଘରେ ଜଙ୍ଗଲୀ ଫଳ , ଆଉ ବଡି଼ର ଅଭାବ ରହିଲା ନାହିଁ । ବାପା ମଧ୍ୟ ତା ଭାଇର ଡାକ୍ତରୀ ଚିକିତ୍ସା ଓ ଔଷଧ ପତର କାମ ତୁଲାଉଥିଲେ ଯାହାକି ତୁଳନୀୟ ନୁହେଁ ତାଙ୍କ ସ୍ନେହ ଶ୍ରଦ୍ଧା ସହିତ।   ଏ ଭିତରେ ବଡ଼ ହୋଇ ଯିବାରୁ ମୋର ହାଟକୁ ଯିବା ବନ୍ଦ ହେଲା । ସେ ବଡ଼ ହୋଇ ବି ବଡ଼ ହୋଇ ଘରେ ରହି ପାରିଲାନାହିଁ । ପେଟପିଠି କଥା କିଏ ବୁଝିବ ?  କିନ୍ତୁ ସବୁ ମକର ସଂକ୍ରାନ୍ତି ଦିନ ଆମେ ଆମଘରେ ମିଶୁଥିଲୁ । ମୁଁ ବଡ଼ ହେଲାରୁ ଅସବର୍ଣ୍ଣ ଘରକୁ କେମିତି ଯାଇଥାନ୍ତି । ମକରଶିପ୍ ର କେବଳ ଏତିକି କାମ । ଆଉ ବଡ଼ ହେଇ ମୁଁ ହୋଷ୍ଟେଲ ପଳେଇଲି , ତାପରେ ଚାକିରୀ , ତାପରେ ବିବାହ । ସେ ମକରଶିପ୍ ମୋ ମାଆ ବାପା ଆଉ ବେଲମତୀର ଦାୟରା ଭିତରେ ରହିଗଲା । ଏବେବି ରହିଛି । ମୋ ପାଖକୁ ବଡି଼ ଆସୁଛି ତାଙ୍କ କଖାରୁରେ ତିଆରି । ଏପଟେ କର୍ମକ୍ଷେତ୍ର , ପରିବାର କ୍ଷେତ୍ର ଆଦିରେ ଘଣା ପେଲା  ଆଉ ବାପା ମାଆଙ୍କ ଠାରୁ ମଧ୍ୟ ଦୂରେଇ ରହିବାକୁ ସମୟର ଅଜବ ଚାହିଦା । ଅଜୟଙ୍କର ଓ ମୋର ଇଚ୍ଛା ଥିଲେ ବି ଯାଇହୁଏ ନାହିଁ । ଭିଡିଓ କଲ୍ ଏକମାତ୍ର ସମ୍ପର୍କ ସେତୁ ।  ଲକ୍ ଡାଉନ୍ ପରେ ଆମେ ସପରିବାର ଘରକୁ ଯିବାକୁ ବାହାରିଲୁ । work from home , study from home ତ ଚାଲିଛି । ନେଟ୍ ତ ବର୍ତ୍ତମାନ ଚାରିଆଡ଼େ । ଡୋଙ୍ଗଲ ଦୁଇ ତିନିଟା ଧରି ଆମେ ପ୍ରଥମେ ଆମ ଘରକୁ ଯାଇ ପନ୍ଦରଦିନ ଶାଶୁ ଶ୍ଵଶୁରଙ୍କୁ ଦେଢ଼ଶୂର ଜାଆଙ୍କୁ ଦେଲୁ ।ତାପରେ ଗଲୁ ଆମ ଗାଁ କୁ ।

ଗାଁରେ ମୁଁ ପୁଣି ଯେମିତି କୁନିଝିଅ ହେଇଯାଏ । ବାପାଙ୍କ ସାଇକଲ ସେମିତି ଥୁଆ ହୋଇଥାଏ । ଆଉ ତ ଚଲେଇ ପାରୁ ନାହାନ୍ତି । ମୋ ଆଖିରେ ନାଚିଲା ହାଟ ଯିବାର ଦୃଶ୍ୟ । ବାପାଙ୍କ ଆଖିରେ ଆଖି ମିଶିଗଲା , ଦୁହେଁ ଦୁହିଁଙ୍କୁ ଲୁହ ଲୁଚାଉଥିଲୁ । ଭାଇର ତ ବାଇକ୍ , ଗାଡ଼ି ଅଛି । ସାଇକଲ କଣ ହେବ ? ମାଆ କହିଲା , ବେଲମତୀ ପାଖକୁ ଟିକେ ଯିବାକୁ । ଭାଇ ସହିତ ଆମେ ଓ ପୁଅ ବାହାରିଲୁ । 

ସରଗିଡିହି ଗାଁ ଆଉ ଆଗଭଳି ନଥିଲା । ଜଙ୍ଗଲିଆ ଜାଗାଟାକୁ ବିକାଶର ବାଘ ନିଜର ଶିକାର କରି ସାରିଥିଲା । ସିଜୁବାଡ଼ ନାହିଁ , କଳା ନାଲି ମାଟି ଲିପା ନୁଆଁଣିଆ ଚାଳ ନାହିଁ । ଛାତର ଖରାରେ ପାଣି କଖାରୁ ମାନେ ଶୁଖୁଥାନ୍ତି ସଂକୁଚିତ ହୋଇ । 

ବେଲମତୀକୁ ଦେଖିଲେ ଲାଗିଲା ତା ମାଆ ପରିକା । ଅସ୍ତବ୍ୟସ୍ତ ବେଶ । କାଖରେ ଗୋଟିଏ ସେଁ ସେଇଁଆ ଛୁଆ । ସେହି ଭେଣ୍ଡିଆ ବୁଧିଆ ତାର ସ୍ଵାମୀ । ଟୁସୁ ପରବରେ ଟାଣି ଆଣି ତାର କନିଆଁ କରିଥିଲା ସାନ୍ତାଳ ରୀତି ଅନୁଯାୟୀ । କିନ୍ତୁ ତିନିଟା ପୁଅ ଉପହାର ନା ବୋଝ କେଜାଣି , ଦେଇ ମଦଭାଟିରୁ ଫେରିବା ବେଳେ ଅଣ୍ଟେ ପାଣି ଥିବା ନାଳରେ ପଡ଼ି ମଲା । ତାର ମାଆ ବି ମରି ସାରିଥିଲା । ପୋଲିଓ ଗ୍ରସ୍ତ ଭାଇ ବାଡ଼ି ପିଣ୍ଡାରେ ବସିଥିଲା ତାର ନିର୍ଜୀବ ଗୋଡ଼ ଲମ୍ବେଇ । ଆଉ ଦୁଇଟା ଆଠ ଦଶ ବର୍ଷର ଝିଅ ଆମ ଚର୍ଚ୍ଚାରେ ଲାଗି ପଡ଼ିଲେ । ବେଲମତୀ ଖୁସି ହେଇ ତାର କୋଳ ଛୁଆକୁ କାନ୍ଦିଲା ଅବସ୍ଥାରେ ତଳେ ବସେଇ ଦେଇ ମୋର ନଅ ବର୍ଷର ପୁଅକୁ କାଖେଇ ପକେଇଲା । ନିମ୍ବତେଲର ଗନ୍ଧ ନଥିଲା ତା ଦେହରେ । ଆମେ କିଓ କାର୍ପିନ୍ ବ୍ୟବହାର ଶିଖେଇ ଦେଇଥିଲୁ । ସୁଖର ହେଉ କି ଦୁଃଖର ହେଉ ବେଲମତୀ ତା ସଂସାରରେ ମଶଗୁଲ ଥିଲା । ନିମ୍ବକାଠିଆ ହସଟା ସେହିପରି ଲାଖିଥିଲା ତା ମୁହଁରେ । ତାକୁ କିଛି ସାହାଯ୍ୟ କରିବାର ଆବଶ୍ୟକତା ନଥିଲା ବୋଧେ । କରିଥିଲେ ହୁଏତ ତାର ସ୍ଵାଭିମାନରେ ଆଞ୍ଚ ଆସିଥାନ୍ତା । ତା ପିଲାଙ୍କ ହାତରେ ଦି ହଜାରିଆ ନୋଟ ଦୁଇଟା ଧରେଇ ବିଦା ନେବା ବେଳକୁ କେତେ ଜିନିଷ ସେ ବାନ୍ଧିଦେଲା । ବଡି , ଆମ୍ବୁଲ , ଆମ୍ବସଢ଼। , ଚାରମଞ୍ଜି , ଆହୁରି କଣ ଥିଲା କେଜାଣି । ଗାଡ଼ିରେ ବସି ତାକୁ ହାତ ହଲାଉଥିଲି , ଠିକ୍ ଏତିକିବେଳେ ତାର ଧଡ଼।ଦେଇ ବାର ତେର ବର୍ଷର ଝିଅଟିଏ ମୁଣ୍ଡରେ ଖାଞ୍ଚି ବୋହି ପଶିଲା । ମୁଁ ଚମକି ପଡ଼ିଲି । ଅବିକଳ ବେଲମତୀ , ଡୁରିଆ ଶାଢ଼ୀ ବଦଳରେ ପିନ୍ଧିଛି ସେହି ମକରବସା ନାଇଲନ୍ ଫ୍ରକ୍ । 

ବେଲମତୀ ଚିହ୍ନେଇ ଦେଲା ,

- ଇଏ ମୋର ବଡ଼ଝିଅ ସର , ହାଟରେ ଏବେ ଏଇ ବସୁଛି । 

ସର ମୁଣ୍ଡରେ ଖାଞ୍ଚିଭର୍ତ୍ତି ସରଗି ପତ୍ର , ହାତରେ ସରଗି କାଠି ଆଉ ମୁହଁରେ ସେହି ସରଗିକାଠି ଘଷା ହସ । କ୍ଲୋଜପ୍ ହସକୁ ବି ମାତ୍ ଦେଲା ଭଳିଆ ।

ଏଇ ବେଲମତୀ ମାନେ କେବେ ଦୁଃଖୀ ହୁଅନ୍ତି ନାହିଁ । 

ଜାବତୀୟ ଦୁଃଖ ସବୁରେ ତ କେବଳ ଆମର ଏକଚାଟିଆ ଅଧିକାର ନୁହେଁ କି ।


Rate this content
Log in

Similar oriya story from Inspirational