STORYMIRROR

Arati Sahoo

Classics Inspirational

4  

Arati Sahoo

Classics Inspirational

ବୁଢ଼ା ବିହୀନ ଦେଶ

ବୁଢ଼ା ବିହୀନ ଦେଶ

2 mins
27


 ଗୋଟିଏ ଦେଶର ଯୁଆଣ ରଜାଙ୍କୁ ଲାଗିଲା ଯେ ଏଇ ଅପାରଗ ବୁଢ଼ା ମାନଙ୍କୁ ମାରିଦେବା ଉଚିତ୍। ଏଗୁଡ଼ା କୋଉ କାମକୁ ନୁହେଁ ,କେବଳ ଅନ୍ନ ଧଂସ କରିବା ଛଡ଼ା। ଏମାନଙ୍କୁ ମାରିଦେଲେ ଦେଶର ଉନ୍ନତି ହେବ। ତେଣୁ ଆଦେଶ ଦେଲେ ସବୁ ବୁଢ଼ାବୁଢ଼ୀ ମାନଙ୍କୁ ମାରିଦେବା ପାଇଁ। ଆଦେଶ ଅଚିରେ କାର୍ଯ୍ୟକାରୀ ହେଲା। 


 ଜଣେ ଯୁବକ ତା ବୃଦ୍ଧ ବାପାଙ୍କୁ ହରେଇବା ପାଇଁ ଜମା ଚାହିଁଲା ନାହିଁ। ତେଣୁ ସେ ତା ବାପାଙ୍କୁ ଭୂଇଁଘରା ଭିତରେ ନୁଚେଇ , ଖାଦ୍ୟପେୟ ଦେଇ ରଖିଲା। 


 ଦିନ ଗଡ଼ି ଚାଲିଲା। ବର୍ଷେ କଣ ହେଲା ନା , ଟୋପେ ହେଲେ ବର୍ଷା ହେଲାନାହିଁ। ମରୁଡିଗ୍ରସ୍ତ ଦେଶରେ ହାହାକାର ପଡ଼ିଗଲା। ଫସଲ ଶୁଖିଗଲା। ଲୋକେ ତ୍ରାହି ତ୍ରାହି ଡାକ ଦେଲେ। ରାଜକୋଷ ଖାଲି ହେବା ଉପରେ। ତା ପଛକୁ ପୁଣି ହେଲା ତୁଷାରପାତ। ଯାହା ଖଣ୍ଡେ ଅଧେ ଗଛମାଛ ଥିଲା ସବୁ ନଷ୍ଟ ହେଇଗଲା। ଭୋକ ଉପାସରେ ଲୋକମାନେ ଠକ୍ ଠକ୍ ମରିଗଲେ। ଖାଦ୍ୟ ଶସ୍ୟ ସବୁ ଶୂନ୍ ହେଇଗଲା। 


 ତୁଷାରପାତ ପରେ ପାଗ ଯଦି ଅନୁକୂଳ ହେଲା କୋଉଠି ମଞ୍ଜି, ବିହନ ପାଇଁ ଖଣ୍ଡେ ଶସ୍ୟ ଦାନା ମିଳିଲା ନାହିଁ। ସମସ୍ତଙ୍କର ଭାଳେଣୀ ପଡ଼ିଗଲା। ଏବେ କରିବେ କଣ। ଅଖିଆ ଅପିଆ ମରିବେ ସିନା। ରଜା ମୁଣ୍ଡରେ ହାତ ଦେଇ ବସିଲେ।


 ଦିନେ ବୁଢ଼ାର ପୁଅ ଖଣ୍ଡେ ରୁଟି ବୁଢ଼ାକୁ ଖାଇବାକୁ ଦେଇ ବିଷର୍ଣ୍ଣ ମନରେ କହିଲା।

- ବାପା , ଆଉ ଚାରା ନାହିଁ। ଆଜି ଖଣ୍ଡେ ରୁଟି କାଲିକୁ ଏ ଖଣ୍ଡକ ମଧ୍ୟ ମିଳି ନପାରେ।


ବୁଢ଼ା ପଚାରିଲାରୁ ବିହନ ଅଭାବ ବିଷୟ କହିଲା ପୁଅ।


- ଓଃ, ଏଇ ସାମାନ୍ୟ କଥା। 

ବୁଢ଼ା ତାକୁ କହିଲା

 - ପୁଅରେ , ତୁ ଗୋଟେ କାମ କଲୁ। ଆମର ସବୁ ରାସ୍ତାକଡ଼ ଗୁଡ଼ାକ ହଳ କରିପକା ତ।


 ପୁଅ ସେଇଆ କଲା। ଆଶ୍ଚର୍ଯ୍ୟ! କିଛିଦିନ ପରେ ରାସ୍ତାକଡ଼ରେ ବିଭିନ୍ନ ପ୍ରକାର ଶସ୍ୟସବୁ ଅଙ୍କୁରିତ ହେବାକୁ ଲାଗିଲେ। ଏହା ଦେଖି ଲୋକେ କାବା ହେଲେ। ରଜା କାନକୁ ଖବର ଗଲା। 


 ରଜା ସେ ଟୋକାକୁ ଡାକି କହିଲେ 

- ହଇରେ ଏ ସୂକ୍ଷ୍ମ ବୁଦ୍ଧି କୋଉଠୁ ଆଣିଲୁ। ତୋର ତ ବାପ ଏତେ ବୁଦ୍ଧି ଥିଲାପରି ଲାଗୁନି। ସତ କହ, ନଚେତ୍ ମୁଣ୍ଡକାଟ୍ । 


ଟୋକା ଡରିମରି ତା ବାପକଥା କହିଦେଲା। ରଜା ଡକେଇଲେ ବୁଢ଼ାକୁ। ପଚାରିଲେ,


- ହଇହେ ମଉସା, ତୁମେ ବଞ୍ଚି ରହିଛ କେମିତି ସେଟା ତ ପଛରେ ବିଚାର ହେବ। ପହିଲେ କୁହ , ରାସ୍ତାକଡ଼ରେ ବିହନ ମଞ୍ଜି ଆଇଲା କାହୁଁ?


ବୁଢ଼ା ବିଦ୍ରୁପରେ ଠୋ ଠୋ ହସି କହିଲା,

-ହଇରେ , ତୁ ଏମିତିକା ରଜା ହେଇଛୁ ଯେ ଏତକ ଜଣାନାହିଁ , ଆଉ ବୁଢ଼ାଙ୍କୁ ମାରିଲାବେଳେ ତ ବେଶ୍ ବୁଦ୍ଧିଆ ହେଉଥିଲୁ। ଆରେ ନିର୍ବୁଦ୍ଧିଆ , ଫସଲ ଅମଳ ପରେ ଗାଡ଼ିରେ ବୋଝେଇ ହେଇ ଗଲାବେଳେ ଅନେକ ମଞ୍ଜି ରାସ୍ତାକଡ଼ ମାଟି ଉପରେ ବୁଣି ହେଇଯାଏ। ତାକୁ ଭଲକରି ହଳ କରିଦେଲେ ପାଣି ପବନ ପାଇ ସେଗୁଡ଼ାକ ଗଜୁରେ। ବୁଝିଲୁ ତ।


 ରଜା ମୁଣ୍ଡ କୁଣ୍ଡାଇ କହିଲେ, ଭୁଲ୍ ହେଇଗଲା। ବୁଢ଼ା ମାନଙ୍କର ବୁଦ୍ଧି ପ୍ରକୃତରେ ପାକଳ। ଅନୁଭବୀ ବୁଢ଼ାଙ୍କୁ ଯତ୍ନରେ ରଖିବା ଉଚିତ୍। ସମୟ ପଡ଼ିଲେ ତାଙ୍କର ଅନୁଭବ ଓ ପାକଳ ବୁଦ୍ଧିର ଉପଯୋଗ କରିହେବ ।


 ସେଇ ଦିନଠାରୁ ସେ ଦେଶରେ ବୁଢ଼ା ମାନଙ୍କୁ ସବୁଠାରୁ ବେଶି ସମ୍ମାନର ସହିତ ଯତ୍ନରେ ରଖାଗଲା। ବୁଢ଼ାର ପୁଅକୁ ପୁରସ୍କୃତ କରାଗଲା ତା ବାପାଙ୍କୁ ବଞ୍ଚେଇ ଜିଏଇ ରଖିଥିଲା ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics