STORYMIRROR

Arati Sahoo

Abstract Others

3  

Arati Sahoo

Abstract Others

ଇତିହାସର ଜୀବନ୍ତ ସାକ୍ଷୀ ଲାଲକିଲା

ଇତିହାସର ଜୀବନ୍ତ ସାକ୍ଷୀ ଲାଲକିଲା

8 mins
212



 ଲାଲକିଲା ଲାଲ୍ ପଥରରେ ତିଆରି କେବଳ ଏକ କିଲା ମାତ୍ର ନୁହେଁ , ଏହା ବିଶ୍ଵ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା , ଏକ ମହାନ୍ ଦେଶର ପରମ୍ପରା , ଏକ ମହାନ୍ ଜାତିର ଦାୟ । ଜନ୍ମରୁ ନେଇ ଆଜି ପର୍ଯ୍ୟନ୍ତ କେତେ ଯେ ଘଟଣା , ଦୁର୍ଘଟଣା, ଜନ୍ମ , ମୃତ୍ୟୁ , ସମୃଦ୍ଧି , ବିନାଶ ଆଦି ସେ ଦେଖିଛି , ଯୁଦ୍ଧ ଜୟ ଅବସରରେ ଆନନ୍ଦୋଲ୍ଲାସରେ ମାତି ହସିଛି ଆଉ ପୁଣି ବନ୍ୟା ବିଭୀଷିକାରେ , ଦେଶର ଶତ୍ରୁ ମାନଙ୍କର ଅତ୍ୟାଚାର ଅନାଚାର ଦେଖି ନୀରବ ଲୁହ ଗଡ଼େଇଛି । ଅନେକ ଅଙ୍ଗେନିଭା ଘଟଣାବଳୀ ପୁଣି ବିଶ୍ଵ ଇତିହାସର ସୁଅକୁ ହିଁ ବଦଳେଇ ଦେଇଛନ୍ତି। ଆଜିକାଲି ଯାହାକୁ ଆମେ ପୁରୁଣା ଦିଲ୍ଲୀ କହୁଛୁ, ଠିକ୍ ସେଇଠି ସଗର୍ବେ ଦଣ୍ଡାୟମାନ ଆମର ଅତି ପ୍ରାଚୀନ ଅତି ପ୍ରିୟ ଲାଲ୍ ବାଲିଆ ପଥରରେ ତିଆରି ଲାଲ୍ କିଲା । ଶାନ୍ତ,ଗମ୍ଭୀର କିନ୍ତୁ କଦାପି ମଉନ ନୁହେଁ। ନିଜର ଲାଲ୍ ରଙ୍ଗକୁ ଝଟକେଇ, ବହୁମୂଲ୍ୟ ପଥର ମାନଙ୍କରେ ଖୋଦିତ ଶବ୍ଦରାଜି ଦ୍ଵାରା ଆଜି ବି ସେ ବଖାଣିପାରେ ଯେତେସବୁ ଅଙ୍ଗେନିଭା କାହାଣୀ ଓ କିମ୍ବଦନ୍ତୀ । 


  ରାଜଧାନୀ ଦିଲ୍ଲୀର ଅତି ବ୍ୟସ୍ତବହୁଳ ଜୀବନରୁ କିଛି କ୍ଷଣ କାଢ଼ିନେଇ ମୁଁ ଅବଶ୍ୟ ବେଶ୍ କିଛି ସମୟ ଦିଏ ଭ୍ରମଣ ପାଇଁ ମୋର ଯାଯାବର ଭସାମେଘ ପରି ମନଟିକୁ। ଛୁଆଟି ବେଳୁ ମୁଁ ଭ୍ରମଣ ପ୍ରିୟ । ମୋର ପାଠପଢ଼ା ମଧ୍ୟ ଏକାଧିକ ସ୍ଥାନରେ ହୋଇଥିଲା। କେତେବେଳେ ଝାରଖଣ୍ଡର ( ସେତେବେଳେ ବିହାର) ଷଢ଼େଇକଳାରେ, ତ କେତେବେଳେ ରାଉରକେଲାରେ ଓ ଶେଷ ଭାଗ ସମ୍ବଲପୁର ଜ୍ୟୋତିବିହାରରେ। ଭାଇ ମାନଙ୍କ ସହିତ ଓ ବିବାହୋପରାନ୍ତେ ବିଜୟ ବାବୁଙ୍କ ସହିତ ପ୍ରାୟ ପ୍ରାୟ ସାରାଟା ଭାରତ ମୁଁ ଦେଖି ସାରିଛି । କିନ୍ତୁ ଏଇ ଆମ ଘରପାଖ ଲାଲକିଲା ମୁଁ ବାଧ୍ୟ ନହେଲେ କେବେ ହେଲେ ଦେଖିବାକୁ ମନ କରେ ନାହିଁ । ଏହାର କାରଣ ଆଉ କିଛି ନୁହେଁ, ବାରମ୍ବାର ଆଗ୍ରାର ଲାଲକିଲା ଦେଖିଥିବାରୁ ଏହାକୁ ଦେଖିବାର ସେତେଟା ଆଗ୍ରହ ହୁଏନାହିଁ । ତେବେ ସମ୍ପ୍ରତି ଗତ ଏପ୍ରିଲ ମାସରେ ମୋ ଝିଆରୀ ଓ ତାର ବନ୍ଧୁବାନ୍ଧବ ଆସିଥିଲେ ଦିଲ୍ଲୀ। ମୋ ଝିଆରୀର କୁନି ଝିଅଟି ଅତ୍ୟନ୍ତ ଜ୍ଞାନଲିପ୍ସୁ। ଇତିହାସ ଭିତରେ ସେ ନିଜକୁ ହଜାଇଦିଏ। ପ୍ରାଚୀନ ରାଜଉଆସ , ମନ୍ଦିର କିମ୍ବା ଦୁର୍ଗ ଭିତରେ ପଶିଲେ ନିଜକୁ ଭୁଲିଯାଏ । ତାରି ଜିଦିରେ ପୁଣିଥରେ କରିଥିଲି ଆମ ଭାରତର ବିସ୍ମୟ ଗୌରବ , ବିରାଟ ବପୁବନ୍ତ , କଳାକୌଶଳର ଜୀବନ୍ତ ଉଦାହରଣ ଲାଲକିଲାର ଦିବ୍ୟ ଦର୍ଶନ। ଯାହାର ଭବ୍ୟ ପ୍ରାଚୀରରୁ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ପ୍ରଥମ ସ୍ଵାଧୀନତା ଦିବସରେ ଦେଶବାସୀଙ୍କୁ ଦେଇଥିଲେ ଐତିହାସିକ ଅଭିଭାଷଣ ଏବଂ ଏଯାବତ୍ ବର୍ଷ ବର୍ଷ ଧରି ଯାହା ହେଇ ଆସିଛି ଆମର ଅଲିଭା , ଅକ୍ଷୁଣ୍ଣ ପରମ୍ପରା। 


  ଲାଲକିଲା ସପ୍ତାହରେ ଛଅଦିନ ଖୋଲା ରୁହେ ସୋମବାର ବ୍ୟତୀତ। ସକାଳ ସାଢ଼େ ନଅରୁ ବେଳବୁଡ଼ ସାଢେ଼ ଚାରିଟା ପର୍ଯ୍ୟନ୍ତ ପ୍ରବେଶ ସମୟ। ଦିଲ୍ଲୀରେ ସାଧାରଣତଃ ସବୁ ପର୍ଯ୍ୟଟନ ସ୍ଥଳୀ ରବିବାର ଦିନ ବନ୍ଦ ରୁହେ ସଫେଇ , କ୍ଷୟ କ୍ଷତି , ତ୍ରୁଟି ନିବାରଣ ଓ ମରାମତି ଇତ୍ୟାଦି କାମ ନିମନ୍ତେ। ଶନିବାର ସପ୍ତାହାନ୍ତ ହେଇ ଥିବାରୁ ଅତ୍ୟଧିକ ଭିଡ଼। ତେଣୁ ଆମେ ମଙ୍ଗଳବାର ଦିନ ବାହାରିଲୁ ଲାଲକିଲା । ବସନ୍ତ ବିହାରରେ ଆମ କଲୋନୀ ଭିତରେ ମେଜେଣ୍ଟା ଲାଇନ୍ ମେଟ୍ରୋ ଷ୍ଟେସନ। ସେଠୁ ଯାଇ କାଲକାଜୀରେ ପୁଣି ପିଙ୍କ୍ ଲାଇନ୍ ମେଟ୍ରୋରେ ଚଢ଼ି ପ୍ରାୟ ଦେଢ଼ ଘଣ୍ଟା ପରେ ଆମେ ସେଠାରେ ପହଞ୍ଚିଲୁ । ଟିକେଟ ନେଇ ଭିତରକୁ ଗଲାପରେ ଆମ କୁନି ଝିଅ ଖୁସିରେ ନାଚି ଉଠିଲା। ସତେ ଯେମିତି ମୋଗଲ କାଳର ସେହି ଲାଲକିଲା ଭିତରର ବାସିନ୍ଦାଟିଏ ପାଲଟିଗଲା ସେ।


  ବିସ୍ମୟାଭିଭୂତ ହେଇ ଦେଖୁଥାଉ ଆମେ ତାର ବିରାଟ କଳେବରକୁ, ନିପୁଣ ଭାସ୍କର୍ଯ୍ୟରେ ଝଲ୍ ମଲ୍ ତାର ଅଳିନ୍ଦ ମାନଙ୍କୁ , ସୂକ୍ଷ୍ମ କମକୁଟ କରା ବିରାଟକାୟ ଦରଜା ଓ ଗବାକ୍ଷ ମାନଙ୍କୁ । ଆହା ! କେଡ଼େ ସୌନ୍ଦର୍ଯ୍ୟ ପିପାସୁ , କଳା ପିପାସୁ ହେଇ ନଥିବେ ସେଇ ଶାସକମାନେ , କେତେ କୁଶଳୀ କେତେ ସ୍ଥିତପ୍ରଜ୍ଞ ହେଇ ନଥିବେ ସେ କାରିଗର ଓ ଶିଳ୍ପୀ ମାନେ । କେତେ ଧୈର୍ଯ୍ୟ, କେତେ ନିଷ୍ଠାରେ ସେ ଚଳେଇ ନଥିବେ ତାଙ୍କର ନିହାଣ , ମୁଗୁର। ଯୋଉଥିପାଇଁ ମୋଗଲ୍ ଯୁଗରେ ନିର୍ମିତ ଏହି ଐତିହାସିକ ସ୍ମାରକ ଲାଲକିଲା ଆଜି ସ୍ଥାପତ୍ୟର ଏକ ଉତ୍କୁଷ୍ଟତମ ନମୂନା ଆଉ ଆଜି ୟୁନେସ୍କୋ ଦ୍ଵାରା ନିର୍ବାଚିତ ଏକ ବୈଶ୍ଵିକ ଧରୋହର ସ୍ଥଳ ( world heritage ) ।


 ଇତିହାସ ଯାହା କୁହେ : -  ୧୬୨୭ ଖ୍ରୀଷ୍ଟାବ୍ଦରେ ଯେତେବେଳେ ମୋଗଲ ବାଦଶାହ ଶାହାଜାହାନ ରାଜଗାଦିରେ ଅଭିଷିକ୍ତ ହେଲେ , ସେତେବେଳେ ଭାରତରେ ଶାନ୍ତି ସମୃଦ୍ଧିର ବାତାବରଣ। କଳାପ୍ରେମୀ ଶାହାଜାହାନଙ୍କର ସ୍ଥାପତ୍ୟ ପ୍ରତି ବିଶେଷ ରୁଚି ଥିଲା । ସୁରୁଚିପୂର୍ଣ୍ଣ , କଳା ଓ ଭାସ୍କର୍ଯ୍ୟରେ ଭରପୁର ଭବନ ନିର୍ମାଣ କରାଇବା ତାଙ୍କର ଏକପ୍ରକାର ନିଶା ଥିଲା। ଆଗ୍ରା ଭାରତର ରାଜଧାନୀ ଥିଲା ବେଳେ ସେଠାକାର ପ୍ରଚଣ୍ଡ ଗରମରେ ସେ ଅତିଷ୍ଠ ହୋଇ ଦିଲ୍ଲୀରେ ନିଜ ରାଜଧାନୀ ସ୍ଥାପନ କରେଇବାକୁ ମନ ବଳାଇଥିଲେ । ଦୁର୍ଗ ନିର୍ମାଣ ନିମନ୍ତେ କଳକଳ ଛଳଛଳ ସେ ସମୟର ଜମୁନା ନଦୀ ନିକଟବର୍ତ୍ତୀ ତାଲକଟୋରା ବଗିଚା ( ବର୍ତ୍ତମାନର ତାଲକଟୋରା ଷ୍ଟାଡିୟମ) ଓ ରାୟସୀନା ପାହାଡ଼ ( ବର୍ତ୍ତମାନ ରାଷ୍ଟ୍ରପତି ଭବନ ) ମଧ୍ୟବର୍ତ୍ତୀ ଭୂମିକୁ ଚୟନ କରାଗଲା। ୧୬୩୮ ଖ୍ରୀଷ୍ଟାବ୍ଦରେ ତଦାରଖ କାମ ଆରମ୍ଭ ହେଇ ୧୬୩୯ ଖ୍ରୀଷ୍ଟାବ୍ଦରେ ଏହାର ମୂଳଦୁଆ ପଡ଼ିଥିଲା । ଅନ୍ୟୁନ ଗୋଟିଏ ଦଶନ୍ଧି ଧରି ସ୍ଥପତି, ଶିଳ୍ପୀ, କାରିଗର ଓ ମୂଲିଆ ମାନଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ୧୬୪୮ ଖ୍ରୀଷ୍ଟାବ୍ଦରେ ପୁର୍ଣ୍ଣତା ପ୍ରାପ୍ତ କରିଥିଲା ବିଶ୍ଵର ସର୍ବଶ୍ରେଷ୍ଠ ଏଇ ଆମର ଲାଲକିଲା। ମୋଗଲ୍ କାଳର ପ୍ରସିଦ୍ଧ ବାସ୍ତୁଶାସ୍ତ୍ରୀ ଓସ୍ତାଦ୍ ଅହମଦ୍ ଲାହୋରୀ , ବିଶ୍ଵର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ଆଗ୍ରାର ତାଜମହଲର ଭବ୍ୟ ରୂପ ଯିଏ ଦେଇଥିଲେ ତାଙ୍କୁ ହିଁ ଶାହାଜାହାନ ନିଯୁକ୍ତି ଦେଇଥିଲେ ଲାଲକିଲାର ରୂପରେଖ ନିର୍ଦ୍ଧାରଣ କରିବା ପାଇଁ। ସିଏ ନିଜର ସମସ୍ତ ବିବେକଶୀଳତା ଓ କଳ୍ପନାଶୀଳତା ବିନିଯୋଗ କରି ଏହାକୁ ଆକର୍ଷକ ଓ ଭବ୍ୟ ରୂପ ପ୍ରଦାନ କରିଥିଲେ। ଶାହାଜାହାନ ଏହି ନଗରୀକୁ ସ୍ଥାପନା କରି ନାମକରଣ କରିଥିଲେ ଶାହଜହାନାବାଦ୍। 


 ବିବାଦ ଘେରରେ ପଶିବା ଜମା ଗ୍ରହଣୀୟ ନୁହେଁ । ମିଛସତ ଜଣାନାହିଁ , ତଥାପି ଟିକେ ମୁହଁ ମାରିଦେଲେ କ୍ଷତି କଣ ? କୁହାଯାଏ , ଏଗାରଶହ ଶତାବ୍ଦୀରେ ତୋମର ରାଜା ଅନଙ୍ଗପାଳ ଦ୍ଵିତୀୟ ଦିଲ୍ଲୀ ନଗରୀ ସ୍ଥାପନା କରିଥିଲେ । କେହି କେହି କୁହନ୍ତି, ଅନଙ୍ଗପାଳ ଦ୍ଵିତୀୟ ଅଭିମନ୍ୟୁଙ୍କର ବଂଶଧର ଥିଲେ ଯିଏକି ମହାନ୍ ପୃଥିବୀରାଜ୍ ଚୌହାନଙ୍କର ଜେଜେବାପା ମଧ୍ୟ ଥିଲେ। "ଆକବରିନାମା" ଓ "ଅଗ୍ନିପୁରାଣ" ଅନୁସାରେ ମହାରାଜ ଅନଙ୍ଗପାଳ ଲାଲ କୋଟ୍ ବା ଲାଲ ହବେଲି ତିଆରି କରିଥିଲେ । 1398ରେ ତୈମୁରଲଙ୍ଗ୍ ମଧ୍ୟ ଲାଲ ହାବେଲି କଥା ଲେଖିଛନ୍ତି । କବି ଚନ୍ଦ୍ ବରଦାଇଙ୍କ "ପୃଥ୍ୱୀରାଜ ରାସୋ" ଗ୍ରନ୍ଥରେ ମଧ୍ୟ ଲାଲ କୋଟର ବର୍ଣନା ରହିଛି । ଏହିସବୁ ତଥ୍ୟ ଅନୁଯାୟୀ ଶାହାଜାହାନ ଲାଲ୍ କୋଟ୍ କୁ ହିଁ ପରିମାର୍ଜିତ କରି ତାକୁ ପାରସୀ ରୂପ ଦେଇଥିଲେ। ଲାଲ୍ କୋଟ୍ କୁ ସମ୍ମାନ ଦେଇ ତାର ନାମ ସମ୍ପୂର୍ଣ୍ଣ ନ ବଦଳେଇ ଲାଲକିଲା ରଖିଥିଲେ । ଯଦି ସେ ସମ୍ପୂର୍ଣ୍ଣ ଲାଲକିଲା ନିଜେ ତିଆରି କରିଥାନ୍ତେ ହୁଏତ ଅନ୍ୟ କୌଣସି ପାରସୀ ନାମ ଦେଇଥାନ୍ତେ। ଏସବୁ ତ ଅନୁମାନ ମାତ୍ର। କିନ୍ତୁ ଯାହା ବି ହେଉ ଆମେ ଭାରତବାସୀ ସତେ କେତେ ଭାଗ୍ୟବାନ ! ଏପରି ଆଶ୍ଚର୍ଯ୍ୟ ଜନକ କଳାକୃତି ଓ ବିସ୍ମୟକର ଐତିହାସିକ ସ୍ମାରକ ସମୁହକୁ ଆମର ବୋଲି କହି ପାରୁଛୁ।


 ଶାହାଜାହାନଙ୍କ ପରେ ତାଙ୍କର ପୁତ୍ର ଔରଙ୍ଗଜେବ୍ ଦିଲ୍ଲୀ ସିଂହାସନରେ ବସିଥିଲେ ଓ ଲାଲକିଲା ଭିତର ପରିସରରେ ମୋତି ମସଜିଦ ତିଆରି କରାଇଥିଲେ। ସତରଶହ ଶତାବ୍ଦୀରରେ ଜହନ୍ଦର ଶାହଙ୍କ ପରେ ତିରିଶି ବର୍ଷ ଧରି ଦିଲ୍ଲୀ ସିଂହାସନ ରିକ୍ତ ପଡ଼ିଥିଲା । ପରେ ନାଦିର ଶାହଙ୍କ ଶାସନ ଅନ୍ତେ ଅଠର ଶହ ଶତାବ୍ଦୀର ସେଇ କଳଙ୍କିତ ସମୟ ଆସିଥିଲା ଓ ଲାଲକିଲାକୁ ଇଂରେଜମାନେ ଅଧିକାର କରିନେଲେ । ଧ୍ବସ୍ତ କଲେ ତାର କିୟଦଂଶ। ତାକୁ ନଷ୍ଟଭ୍ରଷ୍ଟ କଲେ , ଆମ ଭାରତ ଭୂମିକୁ ନଷ୍ଟଭ୍ରଷ୍ଟ କଲେ । ଦେଶ ସ୍ବାଧୀନ ହେବାପରେ ୧୯୪୭ ମସିହା ଅଗଷ୍ଟ ପନ୍ଦର ଦିନ ନିଶାର୍ଦ୍ଧରେ ସ୍ଵର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଲାଲକିଲାର ପ୍ରାଚୀର ଉପରୁ ତ୍ରିରଙ୍ଗା ଲହରେଇ ପ୍ରଥମ ଉଦବୋଧନ ଦେଇଥିଲେ। ତାପରେ ସୈନ୍ୟ ପ୍ରଶିକ୍ଷଣ ନିମନ୍ତେ ଏହାକୁ ବ୍ୟବହାର କରାଗଲା । ଏହାର ଆକର୍ଷଣୀୟ ରୂପ ପାଇଁ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ରୂପେ ପରିଗଣିତ ହେଲା ଓ ୨୦୦୭ ମସିହାରେ ବିଶ୍ଵ ଧରୋହର ସୂଚିରେ ଏହାର ନାମାଙ୍କନ ହେଲା । 


ନିର୍ମାଣ ଓ ରୂପରେଖ : - ଦିଲ୍ଲୀ ଲାଲକିଲାର ଆକାର ଆକବରଙ୍କ ନିର୍ମିତ ଆଗ୍ରା ଲାଲକିଲାର ଆକାର ଠାରୁ ଅନ୍ତତଃ ଦୁଇଗୁଣ ବଡ଼। ପୂର୍ବରୁ ଥିବା ଶେରଶାହ ସୁରିଙ୍କ ପୁତ୍ର ସଲିମଶାହ ସୁରି ନିର୍ମାଣ କରିଥିବା ସଲିମଗଡ଼ କିଲାର ପୂର୍ବ ସୀମାକୁ ଲାଗି ଏହା ନିର୍ମିତ। ଏହାକୁ ଚାରିପଟୁ ଘେରି ରହିଛି ଲାଲ୍ ବାଲିଆ ପଥରରେ ତିଆରି ଅଢ଼େଇ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ବିଶାଳ ପ୍ରାଚୀର। ତିନି ପଟକୁ ଗଡ଼ଖାଇ ମାନଙ୍କରେ ଭରପୁର ଜମୁନାର ପାଣି । ସେଥିରେ ରଙ୍ଗବେରଙ୍ଗ ମାଛ ପହଁରୁଥିଲେ। ଜମୁନା ନଈ ପଟକୁ ଏହି ପ୍ରାଚୀରର ଉଚ୍ଚତା ପ୍ରାୟ ଷାଠିଏ ଫୁଟ ଓ ନଗର ପଟକୁ ଏହାର ଉଚ୍ଚତା ପ୍ରାୟ ୧୧୦ ଫୁଟ । 


 ୧୮୫୭ ସିପାହୀ ବିଦ୍ରୋହ ପରେ ବର୍ବର ବ୍ରିଟିଶ ସୈନିକ ମାନେ ଏହାକୁ ମୁଖ୍ୟ ଶିବିର ରୂପେ ବ୍ୟବହାର କଲେ । ଏହାର ସୁରୁଚିପୂର୍ଣ୍ଣ ମଣ୍ଡପ , ମନୋରମ ଉଦ୍ୟାନ ଓ ଜଳାଶୟ ସବୁକୁ ଧ୍ଵଂସ କରିଦେଲେ । 1903 ମସିହାରେ ସାମାନ୍ୟ କିଛି ବଗିଚା ଓ ନଷ୍ଟ ଅଂଶ ମାନଙ୍କର ପୁନରୁଦ୍ଧାର କରାଯାଇଥିଲା।


ବାସ୍ତୁକଳା : - ପାରସ୍ୟର ପ୍ରଣାଳୀ , ଭାରତୀୟ ସୂକ୍ଷ୍ମ କାରୁକାର୍ଯ୍ୟ ଓ ୟୁରୋପୀୟ କଳାର ସମ୍ମିଶ୍ରଣରେ ଏହି ଭବ୍ୟ ଅନୁପମ ସ୍ମାରକର ନିର୍ମାଣ , ଯାହା ଶାହାଜାହାନୀ ଶୈଳୀ ରୂପେ ବିଶ୍ଵବିଖ୍ୟାତ। ଏହି ଶୈଳୀକୁ ରଙ୍ଗ , ଚିତ୍ରଣ ଓ ଉତ୍କୃଷ୍ଟ ସଜ୍ଜାକୁ ଦେଖି ଶାହାଜାହାନୀ ଶୈଳୀ ବୋଲି କେହି କେହି କହିଥାନ୍ତି। ଔରଙ୍ଗଜେବଙ୍କ ଦ୍ଵାରା ନିର୍ମିତ ସୁଚିକ୍କଣ କମକୁଟ କରା ଏହି ଘୁଁଘଟବାଲି ଦିଓ୍ଵାର ନାମକ ପ୍ରାଚୀରରେ ଦୁଇଟି ମୁଖ୍ୟ ପ୍ରବେଶଦ୍ଵାର ଅଛି । ଲାହୋରୀ ଗେଟ୍ ଓ ଦିଲ୍ଲୀ ଗେଟ୍। ଦକ୍ଷିଣ ପାର୍ଶ୍ୱରେ ଥିବା ଦିଲ୍ଲୀ ଗେଟ୍ ଜାମା ମସଜିଦ ଆଡ଼କୁ ଖୋଲିଥାଏ। ବାଦଶାହ ଏହି ବାଟେ ନମାଜ ପଢ଼ିବାକୁ ଯାଉଥିଲେ ମସଜିଦକୁ । ବର୍ତ୍ତମାନ ତାର ଦୁଇ ପାର୍ଶ୍ଵରେ ଲର୍ଡ କର୍ଜନଙ୍କ ଦ୍ଵାରା ସ୍ଥାପିତ ଦୁଇଟି ପ୍ରସ୍ତରର ହାତୀ ଅଛନ୍ତି। ଚାନ୍ଦିନୀଚୌକ ସମ୍ମୁଖସ୍ଥ ଲାହୋରୀ ଗେଟ୍ ଭିତରେ ଛତ୍ତା ବଜାର। ସେ ସମୟରେ କିଣାବିକା ହେଉଥିଲା ସେଇଠି । ବର୍ତ୍ତମାନ ମଧ୍ୟ ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ସଉକିନିଆଁ ଜିନିଷ ମିଳେ ।


 ଛତ୍ତା ବଜାରରୁ ବାହାରିଲେ ମନମୋହକ ଚାରି ଗମ୍ବୁଜ ବିଶିଷ୍ଟ ନକ୍କାରଖାନା। ସେଠାରେ ସେ ସମୟରେ ସଙ୍ଗୀତ, ବାଦ୍ୟ ଇତ୍ୟାଦିର ଆସର ଚାଲୁଥିଲା । ତା ସାମ୍ନାରେ ସୁନ୍ଦର ପୁଷ୍କରିଣୀ ଓ ଜଳାଶୟ ମାନ ଥିଲା , ଯାହାର ଏବେ ଚିହ୍ନ ବର୍ଣ୍ଣ ନାହିଁ।


 ନକ୍କାରଖାନା ସିଧାରେ ଦିଓ୍ଵାନେ ଆମ୍ । ସାମାନ୍ୟ ପ୍ରଜାଜନଙ୍କ ଆପତ୍ତି ଅଭିଯୋଗ ଏହିଠାରେ ହିଁ ଶୁଣୁଥିଲେ ବାଦଶାହ। ଅନେକ ଲାଲ୍ ଖମ୍ବ ବିଶିଷ୍ଟ ଅଶି ଫୁଟ ଲମ୍ବା ଓ ଚାଳିଶି ଫୁଟ ଚଉଡ଼ା ବିଶାଳ ଦିଓ୍ଵାନେ ଆମ୍ ର ଠିକ୍ ମଝାମଝି ବହୁମୂଲ୍ୟ ରତ୍ନ ଖଚିତ ଏକୋଇଶି ଫୁଟର ଖୁବ୍ ସୂକ୍ଷ୍ମ ସୂଚିକାମ ଯୁକ୍ତ ଏକ ବିଶାଳ ମାର୍ବଲର ବେଦିକା ରହିଛି। ତା ଉପର ଛତା ପରି ଛାତରେ ଫୁଲଡାଳ ସବୁ ଖୋଦେଇ ହୋଇଛି । ପୂର୍ବରୁ ସେଥିରେ ସୁନା , ରୂପା , ମୋତି, ମାଣିକ୍ୟ, ହୀରା ଇତ୍ୟାଦି ଖୋଦେଇ ହେଇଥିଲା କିନ୍ତୁ ସେସବୁ ଲୁଣ୍ଠିତ ହୋଇ କେବଳ ଚିହ୍ନ ରହି ଯାଇଛି। ସମୟ ଥିଲା , ସେଇ ମାର୍ବଲ ବେଦିକା ଉପରେ ବହୁ ଚର୍ଚ୍ଚିତ ମୟୂର ସିଂହାସନ ବା ତଖ୍ତ -ଏ-ତାଉସ୍ ଉପରେ ବିରାଜମାନ ହୋଇ ଶାସନ କରୁଥିଲେ ବାଦଶାହ। ତା ତଳେ ଯୋଉଠି ଠିଆ ହେଇ ମନ୍ତ୍ରୀ ମାନେ ଅଭିଯୋଗ ପତ୍ର ଦାଖଲ କରୁଥିଲେ ସେଇ ମାର୍ବଲର ସୁନ୍ଦର ତକ୍ତପୋଶ୍ ଏପର୍ଯ୍ୟନ୍ତ ରହିଛି , ଶୁଣେଇବାକୁ ସେ ସମୟର ଗୌରବଗାଥା ।


 ନବେ ଫୁଟରେ ସତଷଠି ଫୁଟର ଦିଓ୍ଵାନେ ଖାସ୍ ସମ୍ପୂର୍ଣ୍ଣ ଭାବେ ଦୁଗ୍ଧ ଧବଳ ମାର୍ବଲରେ ତିଆରି। ତାର କାରୁକାର୍ଯ୍ୟ ଦେଖିଲେ ଜଣେ ସ୍ଵପ୍ନ ଜଗତକୁ ଚାଲିଯିବା ବିଚିତ୍ର ନୁହେଁ। କୁହାଯାଏ ରୌପ୍ୟ ନିର୍ମିତ ତାର ଛାତ ସମୟକ୍ରମେ ପ୍ରଥମେ ତମ୍ବା ଓ ତାପରେ କାଠରେ ପରିବର୍ତ୍ତିତ କରି ଦିଆଯାଇଛି। ଦିଓ୍ଵାନେ ଖାସ୍ ମଝାମଝି ପାଣିର ସ୍ରୋତ ପାଇଁ ଏକ ସୁନ୍ଦର ଅଣ ଓସାରିଆ କେନାଲ ଯାଇଛି ଯାହାକୁ "ନହର-ଏ-ବହିସ୍ତ" ବା ସ୍ଵର୍ଗର ସ୍ରୋତ କୁହା ଯାଉଥିଲା। ସେଥିରେ ସ୍ଥାନେ ସ୍ଥାନେ ପାଣିର ଫୁଆରା ରହିଛି। ଏହିଠାରେ ହିଁ ଇରାନର ଅତ୍ୟାଚାରୀ ରାଜା ନାଦିରଶାହ ଛଳନା କରି କୋହିନୂର ହୀରା ଚୋରି କରି ନେଇ ଯାଇଥିଲା । ଏହିଠାରେ ହିଁ ଇଂରେଜ ମାନେ ଶେଷ ମୋଗଲ୍ ବାଦଶାହ ବାହାଦୁର ଶାହ ଜଫରଙ୍କ ଉପରେ ମିଛ ମୋକଦ୍ଦମା ଚଳାଇଥିଲେ। ଏହି ଦିଓ୍ଵାନେ ଖାସରେ ହିଁ କାଶ୍ମୀର ବାବଦରେ ବାବରଙ୍କର ପ୍ରସିଦ୍ଧ ପଦଟି ଖୋଦିତ ହୋଇଛି। 

"अगर फ़िरदौस बर रु-ये ज़मीं अस्त 

हमीं अस्त-ओ हमीं अस्त-ओ हमीं अस्त"


 ଏଠାରେ ଥିବା ଦୁର୍ମୂଲ୍ୟ ହୀରା ନୀଳା ଜଡ଼ିତ ଶାହୀ ହମାମ୍ ବା ସ୍ନାନାଗାର ବେଶ୍ ଉପଭୋଗ୍ୟ। ଏଥିରେ ଥଣ୍ଡା ଓ ଗରମ ପାଣିର ଉତ୍ତମ ବ୍ୟବସ୍ଥା ଥିଲା । କୋଉ ଟେକ୍ନୋଲୋଜି ବ୍ୟବହାର କରି ସେମାନେ ଜମୁନାରୁ ଏତେ ଉପରକୁ ପାଣିର ବ୍ୟବସ୍ଥା କରିଥିବେ ଓ ସବୁ ସ୍ଥାନକୁ ଜଳଯୋଗାଣ କରିଥିବେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।


 ଆମୋଦପ୍ରମୋଦ ପାଇଁ ଥିଲା ଅତ୍ୟନ୍ତ ରମଣୀୟ ରଙ୍ଗମହଲ। ଯାହାକୁ ଥଣ୍ଡା ରଖିବା ସକାଶେ ବିଭିନ୍ନ ସ୍ରୋତ ଓ ଫୁଆରା ଲଗେଇ ଏତେ ପ୍ରକାର ବ୍ୟବସ୍ଥା ହୋଇଥିଲା ଅଥଚ ତାକୁ ଇଂରେଜ ମାନେ ରୋଷେଇ ଶାଳ କରି ନିଆଁ ଧୂଆଁ ଲଗେଇଦେଲେ । ତା ସମ୍ମୁଖସ୍ଥ ଅତ୍ୟନ୍ତ ସୌନ୍ଦର୍ଯ୍ୟଯୁକ୍ତ ଫୁଲ ବଗିଚା "ହୟାତ୍ -ଏ-ବାଗ୍" ଥିଲା , ଯାହା ନଷ୍ଟ ହେଇ ଯାଇଛି।


 ଏହା ବ୍ୟତୀତ ଏଠାରେ ଅଛି ହଥିଆପୁଲ , ହୀରାମହଲ, ମୁମତାଜ ମହଲ ,ଅସଦ୍ ବୁର୍ଜ, ଶାହ ବୁର୍ଜ, ଯାଆଁଳା ଭଉଣୀ ସଦୃଶ ଗୋଟିଏ ଗଢ଼ଣର ସାଓ୍ଵନ ମଣ୍ଡପ ଓ ଭାଦୋ ମଣ୍ଡପ , ଖ୍ଵାବଗାହ ଇତ୍ୟାଦି ଇତ୍ୟାଦି। ସୀମିତ ଶବ୍ଦାବଳୀରେ ସବୁ ବର୍ଣ୍ଣନା କରିବା ସହଜସାଧ୍ୟ ମୋଟେ ନୁହେଁ।


 ଏଠାରେ ଅଛି 'ମିଜ଼ାନେ ଅଦଲ୍' ଅର୍ଥାତ୍ ନ୍ୟାୟ ନିକିତି ଖୋଦେଇ ହେଇଥିବା ତଶବିଶଖାନା। ଜମୁନା ନଦୀ ପଟର ମୁସମ୍ମନ୍ ବୁର୍ଜର ତଳେ ଥିବା ଗୁପ୍ତ ଦ୍ଵାରରୁ ଶାହାଜାହାନ ପ୍ରଥମେ ଜମୁନା ନଦୀ ଦେଇ ଆଗ୍ରାରୁ ଆସି ଲାଲକିଲାରେ ବଡ଼ ଧୁମଧାମରେ ପ୍ରବେଶ କରିଥିଲେ। ଏହି ବୁର୍ଜରୁ ସେ ସାଧାରଣ ଜନତାଙ୍କୁ ଦର୍ଶନ ଦେଉଥିଲେ । ଏହିଠାରେ ହିଁ ୧୮୫୭ ରେ ବାହାଦୁର ଶାହ ଜଫର ଶେଷଥର ପାଇଁ କ୍ରାନ୍ତିକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ। କିନ୍ତୁ ଆଜିର ମୁସମ୍ମନ୍ ବୁର୍ଜ ପୁରୁଣା ବୁର୍ଜର ନକଲ ମାତ୍ର। 


  ଲାଲକିଲା, ନିଜର ବିରାଟ କଳେବର ଭିତରେ କେତେ ସ୍ମୃତି କେତେ ଅନୁଭୂତି ସାଇତି ନ ରଖିଛି। ସିପାହୀ ବିଦ୍ରୋହ ଇଏ ଦେଖିଛି, ସୁବାଷ ଚନ୍ଦ୍ର ବୋଷଙ୍କ ଦିଲ୍ଲୀ ଚଲୋ ଆହ୍ଵାନର ସାକ୍ଷ ଇଏ ଦେଇଛି , ଇଂରେଜ ମାନଙ୍କର କ୍ରୁର ଓ ପାଶବିକ ଅତ୍ୟାଚାରର ଲୁହକୁ ଇଏ ପିଇଛି, ଆଜାଦ୍ ହିନ୍ଦ୍ ଫୌଜ ଉପରେ ମୋକଦ୍ଦମା ଚାଲିଥିଲା ବେଳେ ତାଙ୍କ ସପକ୍ଷରେ ଲଢ଼ିଥିଲେ ପଣ୍ଡିତ ନେହେରୁ, ଭୁଲାଭାଇ ଦେସାଇ ଓ କୈଳାସ ନାଥ କାଟଜୁ । କିଏ କିଏ ହୁଏତ ଭୁଲି ଯାଇଥିବେ, କିନ୍ତୁ ଏପର୍ଯ୍ୟନ୍ତ ଲାଲକିଲାର ଲାଲ ପ୍ରାଚୀରରେ ପ୍ରତିଧ୍ଵନିତ ହୁଏ ସେ ସମୟର ସ୍ଲୋଗାନ, ଆଉ ହେଉଥିବ ମଧ୍ୟ ,


"लाल किले से आई आवाज-

सहगल, ढिल्लन, शाहनवाज़"


  ସମୟ କାହାକୁ ଅପେକ୍ଷା କରେ ନାହିଁ। କିନ୍ତୁ ଲାଲକିଲା ଅପେକ୍ଷା କରିଛି ଆପଣ ମାନଙ୍କୁ। ଆସି ନ ଦେଖିଲେ ଏହାର ବୈଶିଷ୍ଟ୍ୟ, ଏହାର ମହତ୍ତ୍ଵ, ଏହାର ସୌନ୍ଦର୍ଯ୍ୟ କଳନା କରି ହେବ ନାହିଁ। ବିଶେଷ କରି ସ୍ଵାଧୀନତା ଦିବସରେ ଯେବେ ଆମର ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଲହରେଇବେ ସେହି ଅଦ୍ଭୁତ କ୍ଷଣ ମାନ ଅକଳ୍ପନୀୟ। ସେହି ସମାରୋହରେ ଶାମିଲ ହେଲେ ସମସ୍ତେ ମନଃଶ୍ରୁତିରେ ଅବଶ୍ୟ ଶୁଣି ପାରିବେ ଲାଲକିଲାର ଭାବ ବିହ୍ଵଳିତ ସଙ୍ଗୀତ ମୂର୍ଚ୍ଛନା ,


ସାରେ ଜହାଁ ସେ ଅଚ୍ଛା , ହିନ୍ଦୁସ୍ତାନ ହମାରା .......


 


Rate this content
Log in

Similar oriya story from Abstract