କୌଆ ଉଡ଼୍
କୌଆ ଉଡ଼୍
କଳା ମଚମଚ ମୁହଁର ବର୍ଣ୍ଣ । ମଝି ସୁନ୍ଥାଣୀ ସହିତ କଳା ମଚମଚ ଦୁଇଟା ମୋଟା ମୋଟା ଲମ୍ବା କଦଳୀ ବେଣୀ ସାମନା କାନ୍ଧରେ ଝୁଲୁଥାଏ । କଳା ରିବନର ବଡ଼ ବଡ଼ ଫୁଲ କାନ ଉପରକୁ । ତୀଖ ଧାରୁଆ ଖଣ୍ଡାପରି ନାକ । ଚିକ୍କଣ ତେଲିଆ ଗାଲ । ଧଳା ସାଲ୍ଓ୍ଵାର , ଇସ୍କୁଲିଆ ନୀଳ ରଙ୍ଗର ଜମ୍ଫର୍ । ଆମେ ସେଇ ଆକାଶୀ ନୀଳ ରଙ୍ଗଟାକୁ ଇସ୍କୁଲିଆ ରଙ୍ଗ କହୁଥିଲୁ । ଧଳା ଜର୍ଜେଟ ଓଢ଼ଣୀ ଚିକ୍କଣ ହେଇ ଛାତି ଉପରେ ପଡ଼ିଥାଏ ପେଟ ପର୍ଯ୍ୟନ୍ତ । ଡେଙ୍ଗୀ ଓ ସୁଠାମ ଗଢ଼ଣର ପତଳୀ ଝିଅଟିଏ । ଦଶମ ଶ୍ରେଣୀର ପଢେ ।
ସିଏ କୁନ୍ତୀ ମାହାନ୍ତ । ମୋର ସର୍ବାଧିକ ପ୍ରିୟ ଛାତ୍ରୀ । ସେ ଦେଖିବାକୁ ଏତେ ସୁନ୍ଦରୀ ଥିଲା ନା ମୋରି ଆଖିକୁ ଏତେ ସୁନ୍ଦରୀ ଦେଖା ଯାଉଥିଲା ଏଇଟା ଏକ ଗହନ ପ୍ରଶ୍ନ ।
ସୌନ୍ଦର୍ଯ୍ୟ କୁଆଡ଼େ ଆଖିରେ ଥାଏ ।
ଆଉ ,
ଗୁଣ ମଣିଷକୁ ସୁନ୍ଦର ଅସୁନ୍ଦର କରିବାର ଦାୟିତ୍ୱ ନେଇ ଥାଏ , ସବୁବେଳେ ।
ମୋର ଟେବୁଲ ସାମନା ବେଞ୍ଚରେ ସିଏ ସଦାବେଳେ ବସେ ମୋତେ ନିର୍ନିମେଷ ଦୃଷ୍ଟିରେ ଅନେଇ ରହି । ସେହି ଆଖି ଆଡୁ ମୋ ଭିତରର ସବୁ ବିଦ୍ୟା ସେ ଆତ୍ମସ୍ଥ କରେ ।
ମାହାନ୍ତ ଘରର ଝିଅ ହୋଇ ଏତେ ପ୍ରତିଭାଶାଳିନୀ ଯେ , କେବଳ ମୁଁ ନୁହେଁ ବିଦ୍ୟାଳୟରେ ସବୁ ଶିକ୍ଷକ ଶିକ୍ଷୟତ୍ରୀ ତାଠାରୁ ବହୁତ ଅଧିକ ଆଶା କରୁଥିଲୁ । ଷ୍ଟାଫ କମନ ରୁମରେ ଅଧିକାଂଶ ତାହାରି ଚର୍ଚ୍ଚା ହେଉଥିଲା ।
ଚୁପଚାପ ଝିଅଟାଏ । ଖେଳ ଛୁଟିରେ ସ୍କୁଲ ପଛର ବଉଳ ମୂଳରେ ବସି କଣ ଗୋଟାଏ ପଢୁଥିବ ନହେଲେ ନୋଟ୍ ତିଆରି କରୁଥିବ । ନହେଲେ ଏକା ଏକା ଖେଳୁଥିବ ଗୋଟି , ପଥର ଆଠ ଦଶଟା ଧରି । ମୁଁ ଅନେକ ଥର କୌତୁହଳି ହେଇ ଲୁଚିଛପି ତାର ଖେଳ ଦେଖେ ।
ଗୋଟି ମାନଙ୍କୁ ଉପରକୁ ଫିଙ୍ଗି ଫିଙ୍ଗି କହୁଥିବ ,
କୁଆ ଉଡ଼୍ ,
ବଣୀ ଉଡ଼୍ ,
ପାରା ଉଡ଼୍ ,
କୁନ୍ତୀ ଉଡ଼୍ ,
ଉର୍ମିଲା ଉଡ଼୍ ,
ପ୍ରମିଲା ଉଡ଼୍ ।
ଉର୍ମିଲା ପ୍ରମିଲା ତାର ଯଥାକ୍ରମେ ବଡ଼ ନାନୀ ଓ ସାନ ଭଉଣୀ । ମୋତେ ତାର ପିଲାଳିଆମୀ ଦେଖି ହସ ମାଡେ । କିନ୍ତୁ ତାର ଏହି ଖେଳରେ ଯେ ଅନ୍ତର୍ନିହିତ ଏକ ସ୍ଵପ୍ନ ଥିଲା ଏକଥା କେବଳ ସିଏ ବୁଝୁଥିଲା ।
ବେଳେବେଳେ ଧରା ପଡ଼ିଗଲେ ସେ ବାଁରେଇ ପଚାରେ ,
- ଦିଦି , କୁକୁଡ଼ା , ହଁସ , ମୟୁର କାହିଁକି ଉଡ଼ନ୍ତି ନାହିଁ ?
ମୁଁ ହସି ଦେଇ କୁହେ ,
- ତୁ ଉଡେଇବୁ ସେମାନଙ୍କୁ । ହେଲା ?
କିନ୍ତୁ.....
ତାର ଡେଣା ହଠାତ୍ କାଟି ଦିଆଗଲା । ପର ସବୁ ବଳାତ୍ ଟାଣି ଦିଆଗଲା । ସେ ସ୍କୁଲ ଆସିଲା ନାହିଁ । ମୋତେ ଚିନ୍ତା ଘାରିଲା । ଆଉ ଅଳ୍ପଦିନ ରହିଲା ଦଶମ ବୋର୍ଡ । ମାର୍ଚ୍ଚ ପନ୍ଦରରୁ ପରୀକ୍ଷା ଆରମ୍ଭ । ମୋର ଗୋଟେ ବଡ଼ ଉଚ୍ଚ ଆଶା ଥିଲା ଯେ ଦଶମ ବୋର୍ଡରେ ସେ ଅନ୍ତତଃ ଆମର ଏହି ସବଡିଭିଜନ ଭିତରେ ସର୍ବୋଚ୍ଚ ମାର୍କ୍ସ ନେଇ ଆମ ବିଦ୍ୟାଳୟର ନାମ ରଖିବ ।
ଆଠଦିନ ଗଲା , ମାସେ ଗଲା । କୁନ୍ତୀ ଆସିଲା ନାହିଁ । ମୋର ମନ ଥୟ ଧରି ପାରିଲା ନାହିଁ । ମୋ ସାମନାର ରିକ୍ତ ବେଞ୍ଚ ମୋତେ ଧୈର୍ଯ୍ୟ ଧରିବାକୁ ଦେଲା ନାହିଁ । ମୁଁ ସ୍କୁଲର ଏଡମିସନ୍ ଫାଇଲ୍ ଅଣ୍ଡାଳିଲି । ତାର ଠିକଣା ଟିପିଲି ।
ମାର୍ଚ୍ଚ ଆଠ ତାରିଖ । ମୁଁ ଭାଇସ ପ୍ରିନ୍ସିପାଲଙ୍କ ହାତରେ ସ୍କୁଲ୍ ତଦାରଖର ଦାୟିତ୍ୱ ଦେଇ ଆମର ପିଅନ୍ ମାର୍କଣ୍ଡ କାକାଙ୍କ ସହିତ ତାର ଗାଁକୁ ବାହାରିଲି ।
ନଈ ସେପାରି ଗାଁରେ ତାର ଘର । ଆମେ ଡଙ୍ଗାରେ ଅଣ ଓସାରିଆ ପଥୁରିଆ ନଈ ପାରକରି ତାଙ୍କ ଘରେ ପହଞ୍ଚିଲୁ ।
ଟିପିକାଲ୍ ମାହାନ୍ତ ଘର । ସିଜୁବାଡ଼ ଘେରା ଚିକ୍କଣ ଗୋବରଲିପା ଦାଣ୍ଡ ଅଗଣା । ଅଗଣା ମଝାମଝି ଖୁବ୍ ଝଙ୍କାଳିଆ ଏକ ବଉଳ ଗଛ । ନାଲି ମାଟିରେ ଲିପା ମାଟି କାନ୍ଥ । ଖପରା ଚାଳରେ ବୋଇତାଳୁ , ଜହ୍ନି ଡଙ୍କର ସମ୍ଭାର । ଧଡ଼ା ଖୋଲି ପଶୁ ପଶୁ ଗୋଟାଏ ସ୍ତ୍ରୀ ଲୋକର ପାଟି ଶୁଭୁଥିଲା ,
- ହୟ ଲୋ , ହୟ , ତୁଇ ତ ମୋକେ ପୁଷବୁ ନା କି ? ନାଇଁ ଯାଇତେ ହେବ ପରିଖାକୁ । ମାହାନ୍ତ ଘରର ଝି ହେଇକିରି ଯେତକି ପଢ଼ଲୁ ସେତକି । କାନ୍ଦ୍ ନାଇଁ । ବୋଲି ଦେଉଛେଇଁ । ତୋର ବାପକେ ଆସଲେ ନା କହିବୁ । ମୁଇଁ ନାଇଁ ପାରେଇଁ ଏତେ ଦିକ୍ ଦାର୍ ହେଇ । ମାଡ଼୍ ଖାଇ ଖାଇ ପିଠିରେ ରେଢ଼ା ବସି ଗଲାନି ।
ତାପରେ ଦୁଇ ଜଣକର ମିଳିତ କାନ୍ଦଣା ଶବ୍ଦ ଲହରେଇ ଲହରେଇ ମୋ କାନରେ ବାଜେ । ତା ସହିତ ଆଉ ଗୋଟାଏ କୁନି କାନ୍ଦ ଯୋଗ ଦିଏ ।
ମୁଁ ଶିକୁଳି ଖଡ଼ଖଡ଼ କରେ । ସବୁ କାନ୍ଦୁରା ମୁହଁ ଏକାବେଳକେ ମୋ ସାମନାରେ ଆସି ଠିଆ ହେଇ ଯାଆନ୍ତି । କୁନ୍ତୀ ମାଆ , କୁନ୍ତୀ ଓ ପାଞ୍ଚ ଛଅ ବରଷର କୁନି ପ୍ରମିଳା ।
ମୋର ପରିଚୟ ଜାଣି ତରଛରରେ ବାହାରେ ଗୋଟିଏ ଦଉଡ଼ି ଖଟିଆ ପକେଇ ଦିଅନ୍ତି ।
କୁନ୍ତୀ ମାଆ କାନ୍ଦି କାନ୍ଦି ନିଜ ଦୁଃଖ ଓ ଅକ୍ଷମତା , ଝିଅର ପାଠ ପ୍ରତି ଆଗ୍ରହ ଆଉ ସ୍ଵାମୀର ସ୍ଵେଚ୍ଛାଚାର ବିଷୟରେ ବଖାଣି ବସେ । କୁନ୍ତୀର ବାହାଘର ଭଲ ଜାଗାରେ ଠିକ୍ ହୋଇଛି ଓ ତାର ବାପା ହାତଛଡା କରିବାକୁ ଚାହୁଁନି ବୋଲି କହେ ।
ସେ ଯାହାହେଉ , ଗାଁରେ ଚହଳ ପଡି ଯାଇଥିଲା ଯେ ହେଡ ମାଷ୍ଟରାଣୀ ଆସିଛନ୍ତି କୁନ୍ତୀକୁ ଡାକିବାକୁ । ଦାଣ୍ଡରେ ଲୋକେ ଆସି ଭିଡ଼ ଜମାନ୍ତି । ଲୋକମାନେ ଓ କୁନ୍ତୀର ବାପା ନିଶ୍ଚିତ ଭାବେ ପ୍ରଭାବିତ ହୋଇ ପଡ଼ନ୍ତି ।
ମୁଁ କୁନ୍ତୀର ଉଜ୍ଜ୍ୱଳ ଭବିଷ୍ୟତ କଥା କୁହେ । ଓ ତାକୁ ପରୀକ୍ଷା ଦେବାକୁ ଅନୁମତି ଦେବାପାଇଁ ଅନୁରୋଧ କରେ । କୁନ୍ତୀର ଶାଶୁଘର ମଧ୍ୟ ସେହି ଗାଁରେ । ମୋର ସେ ଗାଁରେ ପାଦ ଦେବା ତାଙ୍କୁ ମଧ୍ୟ ପ୍ରଭାବିତ କରେ ।
ସମସ୍ତେ ମାନି ଯାଆନ୍ତି । କୁନ୍ତୀ ପରୀକ୍ଷା ଦିଏ । ସେ ସମ୍ପୂର୍ଣ୍ଣ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରେ । ତାର ବିବାହ ବି ହୁଏ । କିନ୍ତୁ ତାର ବୀରବାଜ ପର ଆଉଥରେ କଅଁଳି ସାରିଥାଏ ।
ସେ ଉଡ଼େ , ଉପରକୁ , ଆହୁରି ଉପରକୁ ।
ପ୍ରମିଳାକୁ ବି ଉଡ଼ିବା ଶିଖାଇ ଦିଏ ।
ଆଉ ,
ସେ ଆଜି ହେଡ ମାଷ୍ଟ୍ରାଣୀ ସେହି ସ୍କୁଲରେ । ମୁଁ କେବେ କେବେ ତାକୁ ଭେଟିବାକୁ ଗଲେ ଯାଏ ତାଙ୍କ ଗାଁକୁ । ସେ ବର୍ତ୍ତମାନ ବି ଗୋଡ଼ି, ପଥର କେତେଟା ବଦଳରେ କିଛି କୁନି କୁନି ପିଲାଙ୍କୁ ନେଇ ବସିଥାଏ ତାଙ୍କରି ଅଗଣାର ଝଙ୍କା ବଉଳଗଛ ମୂଳେ ।
ମୋତେ ଧଡ଼ା ପାଖରୁ ସ୍ପଷ୍ଟ ଶୁଣାଯାଏ ,
କୁକୁଡ଼ା ଉଡ଼୍
ହଁସ ଉଡ଼୍
ମୟୁର ଉଡ଼୍
କମଳା ଉଡ଼୍
ତାରା ଉଡ଼୍
ରୁକ୍ମଣୀ ଉଡ଼ ।