ପାଣି ମାଠିଆ
ପାଣି ମାଠିଆ


** ପାଣି ମାଠିଆ **
- ବାପାଙ୍କ କୋଠରୀରୁ ସବୁ ଜିନିଷ କାଢ଼ି ଦାନ ଦେଇଦିଅ ଭାଉଜ,
କହି କହି ଶ୍ଵଶୁରଙ୍କର ବିଛଣା, ଚଦର, ଧୋତି, ଫତୁଆ, ଗାମୁଛା ଇତ୍ୟାଦି ବାହାର କରୁଥିଲେ ନଣନ୍ଦ ଓ ଦିଅର। ତାପରେ ଯେତେବେଳେ ସେହି ଖଟତଳେ ଥିବା ମାଠିଆକୁ ଧରିଲେ ବିନିତା ଧାଇଁ ଯାଇ ଛଡ଼େଇ ଆଣିଲା।
- ନା, ଏଇଟା ଥାଉ।
-ଭାଉଜ, ବାପାଙ୍କର ମାଟି ମାଠିଆଟା ରଖିଲେ ଅଶୁଭ ହେବ।
- ନା, ଏଇଟା ତାଙ୍କର ଆଶୀର୍ବାଦ।
ନଣନ୍ଦ ହାରି ଯାଇଥିଲେ।
ଏକାଦଶାହ ଓ ବାରଭାତ ପରେ ପରେ ସବୁ କୁଣିଆ ମାଣିଆ ବିଦା ହେଇଗଲେ। ନଣନ୍ଦ ଦିଅର ଆଉ ଯୋଉ ବାଖୁଳିର କିଛି ଗତ ସୋଦର ଥିଲେ ସେମାନେ ବି ଚାଲିଗଲେ ଚଉଦ ଦିନ। ପିଲାଏ ସ୍କୁଲ କଲେଜ ଆଉ ସଞ୍ଜୟ ଅଫିସ୍ ଗଲାପରେ ଘରଟା ଖାଁ ଖାଁ ଲାଗୁଥିଲା । ମନ କଷାଳିଆ ହେଇ ଯାଉଥିଲା। ବିନିତା ଭାବିଲା କୋଉ ସାଙ୍ଗ ସାଥିଙ୍କ ପାଖକୁ ଚାଲିଯିବ, ଖାଲି ଘରଟାରେ ଛନକା ଲାଗୁଛି।
ଶାଢ଼ୀ ପିନ୍ଧି ହାଲକା ସଜବାଜ ହେଇ ବାହାରିଲା, ଦାଣ୍ଡ ଦୁଆରେ ହେଇଛି କି ନାହିଁ ଶ୍ଵଶୁରଙ୍କ ପାଟି ଶୁଭିଲା,
- ମାଆ ରେ , ମାଠିଆଟାରେ ପାଣି ପୂରେଇ ଦେଇ ଯା "
ଚମକି ପଡ଼ି ଶ୍ଵଶୁରଙ୍କ କୋଠରୀକୁ ଗଲା ସିଏ। ଖାଲି କୋଠରୀଟାରେ , ରିକ୍ତ ଖଟ ତଳେ ଶୂନ୍ୟ ମାଠିଆଟା ଥୁଆ ହେଇଥିଲା।
କୁଆଡ଼ୁ କଣ ଭାଙ୍ଗିଗଲା ପରି ଲାଗିଲା ବିନିତାକୁ। ଦୀର୍ଘ ପାଞ୍ଚବର୍ଷ ଏଇ କୋଠରୀରେ ଶୋଇ ରହିଥିଲେ ଶ୍ଵଶୁର। ଶାଶୁ ତ ନଥିଲେ, ଶ୍ଵଶୁରଙ୍କ ପକ୍ଷାଘାତ ପରେ ତାଙ୍କୁ ପାଖକୁ ନେବାକୁ ନଣନ୍ଦ ଦିଅର କେହି ଆଗ୍ରହୀ ହେଇ ନଥିଲେ। ବିନିତା ନେଇ ଆସିଥିଲା ତାଙ୍କୁ। ଯଦିଓ ତାର ଦୈନନ୍ଦିନ ଜୀବନ ଓ ସ୍ଵାଧିନତାରେ ଅନେକ ବାଧା ଆସିଥିଲା, ଶ୍ଵଶୁର କିନ୍ତୁ ତା ଜୀବନର ଅବିଚ୍ଛିନ୍ନ ଅଙ୍ଗ ହେଇଗଲେ , ଅଭ୍ୟାସ ପାଲଟିଗଲେ।
ଆଜି ତାଙ୍କର ଅନସ୍ତିତ୍ଵ ଖାଇ ଗୋଡ଼ଉଛି ତାକୁ। ସେ କୁଆଡ଼େ ଯିବା ଆଗରୁ ଶ୍ଵଶୁର ଡାକିବେ,
-ମାଆ ରେ, ମାଠିଆଟା ଭରି ଦେଇଯିବୁ ମାଆ।
ସେ ଯାଇ ଦେଖେ, କେବେ ଅଳ୍ପ ଖାଲିଥାଏ ମାଠିଆ ତ କେବେ ପୂରିକି ରହିଥାଏ। ଦିନେ ଭିତରେ ଭିତରେ ବିରକ୍ତି ରଖି ଉପରେ କଅଁଳେଇ ପଚାରିଲା,
- ବାପା, ମାଠିଆରେ ତ ଭର୍ତ୍ତି ପାଣି ଥାଏ, ତଥାପି ଆପଣ ପଛରୁ ଡାକନ୍ତି କାହିଁକି?
- ଆରେ ମାଆ, ତୁ ବାହାରକୁ ଯିବା ପୂର୍ବରୁ ତୋର ଝଲଝଲିଆ ମୁହଁ ଦେଖି ଆଶୀର୍ବାଦ ଢାଳିବାକୁ ଡାକେ। କାଳେ ତୁ ଯିବା ଭିତରେ ମୋତେ ଯମ ନେଇଯିବ।
ଆରତୀ ସାହୁ
ନୂଆଦିଲ୍ଲୀ