ମୃତା ପୃଥିବୀ
ମୃତା ପୃଥିବୀ


ନହେଲେ ଅଲଗା ଗ୍ରହର ଲୋକେ ପିଲାଙ୍କୁ ଦେଖାଇ କହୁଥିବେ, ହେଇ ଦେଖ , ସେଇଟା ହେଉଛି ମୃତ ପୃଥିବୀ ।
ବାଡ଼ିରେ ଲଗାଅ ବରଗଛଟିଏ ପାଞ୍ଚଟି ଅଶ୍ଵତ୍ଥ ଗଛ
ପୁରୁଖା ଲୋକଙ୍କ ଉପଦେଶ ମାନି ରୋଇଦିଅ ନିମ୍ବଗଛ।
ଅନାଦି କାଳରୁ ଏସବୁ ଗଛକୁ ପୂଜୁଥିଲେ କିସପାଇଁ।
ରାଜାମାନେ ଆମ୍ବ, ନିମ୍ବ ଗଛ ପଥଧାରେ ଦେଉଥିଲେ ରୋଇ ।
ପରିବେଶ ସନ୍ତୁଳନ ପାଇଁ ପରା ବଡ଼ ବଡ଼ ଦ୍ରୁମ ଲୋଡ଼ା।
ଧରାର ତ୍ରିଦେବ ଅଟନ୍ତି ଅଶ୍ଵତ୍ଥ, ବର , ନିମ୍ବ ଗଛ ପରା।
କଣ ପାଇଁ କେଜାଣି ବର , ଅଶ୍ଵତ୍ଥ , ନିମ୍ବ, ଆମ୍ବ, ଜାମୁ , କରଞ୍ଜ ଇତ୍ୟାଦି ଆଉ ଲଗା ଯାଉନି ସରକାରଙ୍କ ତରଫରୁ।
ତା ପରିବର୍ତ୍ତେ ପାମ୍ , ଗୁଆ , କାଗଜଫୁଲ ଇତ୍ୟାଦି ଅର୍ଣ୍ଣାମେଣ୍ଟଲ ଗଛ ସବୁ ଲଗା ଯାଉଛି ରାସ୍ତାକଡ଼ରେ।
ଜଣା ଥାଉ, ଏହି ସବୁ ବଡ଼ ବଡ଼ ଗଛ ବହୁ ମାତ୍ରାରେ ଅଙ୍ଗାରକାମ୍ଳ ଶୋଷି ନିଅନ୍ତି ଓ ଅମ୍ଳଜାନ ଦେଇଥାନ୍ତି। ଏମାନେ ହେଉଛନ୍ତି ପୃଥିବୀ ନିମନ୍ତେ ପ୍ରାକୃତିକ ଏୟର୍ କଣ୍ଡିସନର୍ ଓ ଏୟର୍ ପ୍ୟୁରିଫାୟର୍ । ଏସବୁର ସଂଖ୍ୟା ହ୍ରାସ ପାଇଲେ ତ ବାୟୁମଣ୍ଡଳ ଗରମ୍ ହେବ ହିଁ ହେବ। ବାୟୁ ଦୂଷିତ ହେବ ହିଁ ହେବ। ଅଧିକ ଗରମ୍ ହେଲେ ପାଣି ସବୁ ବାଷ୍ପ ହେଇ ଉପରକୁ ଚାଲିଯିବ। ପାଣି ସଙ୍କଟ ଦେଖାଦେବ ।
ଆମକୁ ଅଧିକରୁ ଅଧିକ ସଂଖ୍ୟାରେ ଅଶ୍ଵତ୍ଥ ଓ ଏହିପରି ବଡ଼ ବଡ଼ ଆମ୍ବ ନିମ୍ବ ଇତ୍ୟାଦି ଗଛ ଲଗେଇବା ଉଚିତ୍। ସରକାରୀ ମଧ୍ୟ ଏଥିପାଇଁ ଧ୍ୟାନ ଦେବା ନିହାତି ଦରକାର୍ । ବିକାଶ ବାହାନାରେ ଏସବୁ ଗଛକୁ କାଟି ପଦା କରିବାରୁ କ୍ଷାନ୍ତ ହେବା ଦରକାର। ଜାଣିଥିବେ , ପବନ ନଥିଲେ ମଧ୍ୟ ଅଶ୍ଵତ୍ଥ ପତ୍ର ହଲୁଥାଏ।
ଅନାଦି କାଳରୁ ଯେତେବେଳେ ରାମ, କୃଷ୍ଣ, ଯୀଶୁ, ଆଲ୍ଲା ନଥିଲେ , ସେତେବେଳେ ଲୋକେ ଏହି ଅଶ୍ଵତ୍ଥ ଗଛକୁ ପୂଜା କଲେ। ପ୍ରକୃତି ପୂଜାର କିଛି ତ କାରଣ ସେମାନେ ଦେଖିଥିଲେ। ଆଉ ଆମେ କରୁଛୁ କ'ଣ, ପ୍ରକୃତିକୁ ଦଳି ଚକଟି ଆଗକୁ ବଢ଼ୁଛୁ । ସେଇଥିପାଇଁ ପ୍ରକୃତି ଆଜି ପ୍ରତିଶୋଧ ନେଉଛି।
ଆସନ୍ତୁ ଆମେ ସମସ୍ତେ ଅନ୍ତତଃ ଗୋଟିଏ ଗଛ ଲଗାଇବା ବର୍ଷକୁ । ଯାହାର ଖାଲି ଜାଗା ଅଛି ସେମାନେ ଅଧିକ ଲଗେଇ ପାରିବେ। ଘର ତିଆରିବାର ନିଶାକୁ ତ୍ୟାଗ କରି ଗଛ ଲଗାଇବାର ନିଶା ପାଳନ୍ତୁ ।