Arati Sahoo

Tragedy

3  

Arati Sahoo

Tragedy

କମ୍ବଳ

କମ୍ବଳ

4 mins
165



  ଓଃ କି ଶୀତ! ପୁଣି ଦିଲ୍ଲୀର ହାଡ଼ଭଙ୍ଗା ଶୀତ!ଯେମିତି ବରଫର ବହଳ ଚାଦରରେ ଆଚ୍ଛାଦିତ ହୋଇ ଗୋଟାପଣେ ଥରୁଛି ସମଗ୍ର ବାତାବରଣ।ଅତିଶୟ ଥଣ୍ଡାରେ ରାସ୍ତା କଡ଼ର ବତୀଗୁଡ଼। ବି କମ୍ପୁଛନ୍ତି। ଧମନୀରେ ରକ୍ତ ସବୁ ଜମାଟ ବାନ୍ଧି ବରଫ ପାଲଟି ଯାଇଛି ଯେମିତି। ପଞ୍ଜରା ହାଡ଼ ଥରୁଛି।ଦାନ୍ତକୁ ଦାନ୍ତ ଠକ୍ ଠକ୍ ବାଜୁଛି। ଥରୁଥିବା କୁହୁଡ଼ିଆ ଅନ୍ଧାର ଭିତରେ ଜମିଲା ବାନୋ ଚାରିବର୍ଷ ର ପୁଅ ଅବ୍ଦୁଲ୍ କୁ ଦୁଇ ହାତରେ ଛାତିରେ ଚିମୁଟାଇ , ଚାଲିଛି ଦିଲ୍ଲୀର ନିଥର,ଅବଶ,ନିର୍ଜନ ସଡ଼କର ଧାରେ ଧାରେ। କାଁ ଭାଁ ଖଣ୍ଡେ ଖଣ୍ଡେ ଗାଡ଼ି ମଟର ମାଡ଼ି ଆସି ଦୋହଲାଇ ଦେଉଛି କୁହୁଡ଼ିଆ ପାଉଁଶିଆ ଗଛର ପତ୍ର ଗୁଡ଼ିକୁ। କାକର ଟୋପା ଝରାଇ ଗଛଗୁଡ଼। ପୁଣିଥରେ ନୀରବ ନିଷ୍ପନ୍ଦ ହୋଇ ପ୍ରକୃତି ପାଖରେ ନିଜକୁ ସମର୍ପି ଦେଉଛନ୍ତି।


 ସବୁ ରୈନ ବସେରା ମାନଙ୍କରେ ତେଲୁଣି ପୋକ ଭଳି ଲୋକ ସାଲୁବାଲୁ। କୋଉଥିରେ ତା ପାଇଁ ହାତେ ଚାଖଣ୍ଡେ ହେଲେ ଥାନ ନାହିଁ। ଆଜି ପାଜି କଣ୍ଟ୍ରାକ୍ଟର ଟା ତାକୁ ବହୁତ ଡେରି ପର୍ଯ୍ୟନ୍ତ କାମ କରାଇଲା। ସେ ତାର ପୁରୁଣା ରୈନ ବସେରା ଟିକୁ ଯାଇଥିଲା କିନ୍ତୁ ସେଥିରେ ମଧ୍ୟ ତିଳ ପକାଇବାକୁ ଜାଗା ନାହିଁ ।ଶୀତ ଦାଉରୁ ସବୁ ସଡ଼କ ମାର୍କା ମାନେ ଜାକିଜୁକି ଶୋଇ ଯାଇଛନ୍ତି । ତାର କମ୍ବଳଟାକୁ ବି କିଏ ମାରି ନେଇଛି ।


 ଜମିଲାର ଆଖିଦୁଇଟିରେ ଥଣ୍ଡା ଲୁହ ଜମିଗଲା। କେଉଁଠାରେ ଶୋଇବ ସେ ଆଜି ? କଣ ଘୋଡ଼ାଇ ହେବେ ମାଆ ପୁଅ ? ଅବ୍ଦୁଲ୍ ର ଦେହ ବରଡ଼। ପତ୍ର ପରି ଥରୁଛି ଶୀତରେ। ଚିରା ଶାଲ ଟା ଏପଟୁ ଟାଣିଲେ ସେପଟୁ ଫୁଙ୍ଗୁଳା। ଦୟା ଦେଖାଇ ତାକୁ କେହି ହେଲେ ଡାକିଲେ ବି ନାହିଁ। ଏଠାରେ ତାର କିଏ ନିଜର ଅଛି ଯେ ? ଏ ସଂସାରରେ ମଧ୍ୟ ତାର ନିଜର ବୋଲି କେହି ନାହିଁ । ଏହିଭଳି ଜମିଲା ମାନଙ୍କର କେହି ନ ଥାଆନ୍ତି।ସଡ଼କର ସନ୍ତାନ ଏମାନେ । ସଡ଼କରେ ଜନ୍ମ ନେଇ, ସଡ଼କରେ ସଂସାର ପାତି ସଡ଼କରେ ହିଁ ମରି ଯାଆନ୍ତି । ମିନିସି ପାଲିଟି ଗାଡ଼ି ତାଙ୍କର ଅନ୍ତିମ କ୍ରିୟା କରେ।


 ଆଉ ଜମିଲା, ଏଇମାତ୍ର ଦୁଇ ମାସ ହେଲା ଆସିଛି ଦିଲ୍ଲୀକୁ।ଅନ୍ଧ ଶଶୁର ସହିତ ଭିକ ମାଗି ମାଗି ,ରେଳରେ । ତାକୁ ଜଣା ନାହିଁ ତାର ଯାତ୍ରାର ଆରମ୍ଭ କେଉଁ ସ୍ଥାନରୁ । ତାର ମନେ ବି ନାହିଁ ତାର ଜୀବନର ଆରମ୍ଭ କେଉଁଠାରେ । ଏକ ଷ୍ଟେସନରେ ଓହ୍ଲାଉ ଓହ୍ଲାଉ ଗୋଡ଼ ଖସିଯିବାରୁ ତା ଶଶୁର ମଲା । ଗେରସ୍ତ ତ କେବେ ଠାରୁ ମରିଛି ବିଷାକ୍ତ ମଦ ପିଇ।


 ଦିଲ୍ଲୀରେ ପହଞ୍ଚି ଜମିଲା ଭାବିଲା, ସେ ଆଉ ଭିକ ମାଗିବ ନାହିଁ, କାମ କରିବ । ପୁଅକୁ ପାଠ ପଢ଼ାଇ ଥଇଥାନ ହୋଇ ଏହିଠାରେ ରହିବ । ଦିଲ୍ଲୀରେ କାମର ଅଭାବ ନାହିଁ । କେତେ ସଡ଼କ କେତେ କୋଠା ତିଆରି ହେଉଛି । ସେ ଓ ଟିକି ଅବ୍ଦୁଲ୍ ମିଶି ଜରି ,କାଗଜ, ପ୍ଲାଷ୍ଟିକ ଖୁଣ୍ଟି ବିକିଲେ ମଧ୍ୟ ଭଲ ଦାମ ମିଳେ । ଏଠାରେ ମାଟିଗୋଡି଼ରେ ସୁନା ଫଳେ। ଖାଲି ଫଳେଇ ଜାଣିବାର କଳାଟି ଦରକାର ।


 ଖାଦ୍ୟର ବି ଅଭାବ ନାହିଁ । ହୋଟେଲ ମାନଙ୍କର ସାମନାରେ ଠିଆ ହେଲେ ହିଁ ଖାଦ୍ୟ ମିଳିଯାଏ , ନହେଲେ ଭଣ୍ଡାରା ତ ସବୁଦିନେ କୋଉଠି ନା କୋଉଠି ଲାଗି ଥାଏ । ଲାଇନ ରେ ଲାଗିଲେ ପୁରୀ, ହାଲୁଆ ଓ ଆଳୁ ତରକାରୀ ମିଳେ ।


 ଆଉ ଏ ଦିଲ୍ଲୀରେ ଶୋଇବା ଜାଗାର ମଧ୍ୟ ଅଭାବ ନାହିଁ । ଏତେ ବସ ଷ୍ଟାଣ୍ଡ ଏତେ ପୋଲତଳ ଆଉ ଏତେ ରୈନ ବସେରା ଜାଡ଼ଦିନ ପାଇଁ। କିନ୍ତୁ ଏଠାରେ ଜାଡ଼ଦିନ ସବୁ ଯେ ଏତେ ଭୟଙ୍କର !!! 


 ପଚାରି ଖୋଜି ଖଣ୍ଡେ ରୈନ ବସେରାରେ ଜାଗା ଟିକେ ଯୋଗାଡ଼ କରିଥିଲା ସେ ପୁରୁଣା ଦିଲ୍ଲୀରେ । ସେଥିରେ ସବୁ ମୁସଲମାନ। ସେ ନିଜେ ଅବଶ୍ୟ କୋଉ ଧର୍ମର ଜଣା ନାହିଁ । ନାଁ ଟା ଯାହା ମୁସଲମାନିଆ । ତାକୁ ସେଠାରେ ଭଲ ଲାଗୁଥିଲା ।ନିଜର ଜ୍ଞାତିକୁଟୁମ୍ବଙ୍କ ସହ ଅଛି ଭଳି ଲାଗୁଥିଲା । ଖଣ୍ଡେ କମ୍ବଳ ବି ଯୋଗାଡି଼ ନେଇଥିଲା ଜମିଲା । ଆରାମରେ ରାତିଗୁଡ଼। ବିତୁଥିଲା। ସମସ୍ତଙ୍କ ଦେହରୁ ବାହାରୁଥିବା ଉଷୁମ ଗୁଡ଼।କ ଭଲ ଭାବରେ ଉଷୁମେଇ ଦେଉଥିଲା ଜାଗାଟିକୁ।


  ଆଜି ତ , ତା ଜାଗାରେ ତିନି ଚାରି ଜଣ ଲଦାଲଦି ହୋଇ ଶୋଇଛନ୍ତି।ତା ପାଇଁ ଜାଗା କାହିଁ ? ଆହୁରି ଜାକିଜୁକି ଭିଡ଼ି ଧରିଲା ସେ ଅବ୍ଦୁଲ୍ କୁ । ଏଇ ବସ ଷ୍ଟାଣ୍ଡରେ ରାତି କଟେଇବା ଛଡ଼ା ଚାରା ନାହିଁ । ଖଣ୍ଡେ ବୁଜୁଳି ପଡ଼ିଲା ନଜରରେ । ବୁଜୁଳି ଭିତରେ କମ୍ବଳଟିଏ । ପାଖରେ କେହି କୁଆଡ଼େ ନାହିଁ । କନ୍ କନ୍ ହୋଇ କମ୍ବଳଟି ନେଇ ଆସିଲା । ପୁଅକୁ ଭଲକରି ଘୋଡ଼ାଇ ଦେଇ ଆପେ ତାର କାନିଟି ଭିତରେ ତା ଦେହକୁ ଲାଗି ଶୋଇଲା। କିନ୍ତୁ ଦିଲ୍ଲୀର ଜାଡ଼ ସହିତ ନିଦର ଭୀଷଣ ଦୁଶମନି । ଏକଡ଼ ସେକଡ଼ ହେଉଥାଏ। ଆଣ୍ଠୁ ସନ୍ଧିରେ ଗେଞ୍ଜି ଦିଏ ମୁଣ୍ଡକୁ । ନିଜର ଗରମ ନିଃଶ୍ୱାସରେ ନିଜକୁ ଉଷୁମ କରିବାର ଅପଚେଷ୍ଟା କରେ । ଆସ୍ତେ କରି ପୁଅ ପାଖରୁ ଅଳ୍ପ ଟିକେ ଟାଣି ଆଣେ କମ୍ବଳଟି । ରାତି ବଢ଼ିବା ସହ କାକର କ୍ରମଶଃ ବୃଦ୍ଧି ପାଉଛି । ନିଦ ଚାଣ୍ଡାଳ ତାକୁ ନିଜ ଆଗୋଶ୍ ରେ ନେବାପାଇଁ ବ୍ୟାକୁଳ ହେଲା ବେଳକୁ ଶୀତ ତାକୁ ଛାଡ଼ିବାକୁ ନାରାଜ ।ଅଗତ୍ୟା ଜୀତାପଟ ନିଦର । ଜମିଲା ଧିରେ ଧିରେ ନିଦର ଆଲିଙ୍ଗନରେ ହଜି ଯାଉ ଯାଉ କମ୍ବଳଟା ଆଉ ଟିକେ ଟାଣି ହେଇ ଆସିଲା । ଆଉ ମନରେ ରହିଲା ନାହିଁ ଶୀତ, ମନରେ ରହିଲା ନାହିଁ ଅବ୍ଦୁଲ୍, ମନରେ ରହିଲା ନାହିଁ ମାତୃତ୍ୱ । କଇଁଛ ପରି ସବୁ ଆତ୍ମସାତ କରି ଶୋଇ ପଡ଼ିଲା । ବସ ଷ୍ଟାଣ୍ଡଟି ରହିଲା ମୂକସାକ୍ଷୀ।


 ନିଦ ଭାଙ୍ଗିଲା ବେଳକୁ କୁହୁଡ଼ିରେ ସବୁ ଅଦୃଶ୍ୟ । ହାତ ମାରିଲା ବେଳକୁ କଣଟାଏ କୁହୁଡ଼ି ଠାରୁ ଆହୁରି କାଲୁଆ ଲାଗୁଛି। ଚମକି ପଡିଲା, ଆଉଁସି ପକେଇଲା ଅବ୍ଦୁଲ୍ କୁ । ଟାଣୁଆ ଲୁହା ଛଡ଼ ଭଳି ତାର ହାତ ଗୋଡ଼ ଅକଡି଼ ଯାଇଛି ।ପାଟିରୁ ଫେଣ ବାହାରି ପଡ଼ିଛି । ବରଫ ମୁଣ୍ଡା ପରି ଅବ୍ଦୁଲ୍ ର ନିର୍ଜୀବ ଶରୀରକୁ ନିଜର ଉଷୁମ ଛାତିରେ ଚାପି ଧରି ଆର୍ତ୍ତନାଦ କରି ଉଠିଲା । ବେରହମ କୁହୁଡ଼ିଆ ସକାଳରେ ତାର ଆକୁଳ ଚିତ୍କାର ମିଳେଇ ଗଲା ଦିଲ୍ଲୀର ଆହୁରି ବେରହମ ଟ୍ରାଫିକ ଭିତରେ ।


  କିଛି ଫର୍ଲାଙ୍ଗ ଦୂରରେ ମିନିସି ପାଲିଟି ଗାଡ଼ି ଭତିରକୁ ବୁହାହୋଇ ଯାଉଥିଲା ,ପଶୁତୁଲ୍ୟ ଦଉଡ଼ିରେ ଚାରିଖୁରା ବନ୍ଧା, ଠେଙ୍ଗାରେ ଝୁଲୁଥିବା ଆଉ ଗୋଟାଏ ଲାବାରିସ୍ ଲାସ୍ ।


ବଡ଼ ବଡ଼ ସହରରେ ଏସବୁ ଛୋଟ ଛୋଟ ଘଟଣା ଘଟୁଥାଏ ।




Rate this content
Log in

Similar oriya story from Tragedy