Arati Sahoo

Children Stories Children

3  

Arati Sahoo

Children Stories Children

ସ୍ମୁତି ସେ ଯେ ରାଉରକେଲା

ସ୍ମୁତି ସେ ଯେ ରାଉରକେଲା

4 mins
180



 ରାଉରକେଲା ସେକ୍ଟର ସତର ଏଚ୍ ଏସ ଏଲ ସ୍କୁଲ। ଯୋଉମାନେ ରାଉରକେଲାରେ କେବେ ରହିଛନ୍ତି ବା ବର୍ତ୍ତମାନ ରହୁଛନ୍ତି ସେମାନେ ଜାଣିଥିବେ ସେତେବେଳେ ଏଚ୍ ଏସ୍ ଏଲ୍ ବା ହିନ୍ଦୁସ୍ତାନ ଷ୍ଟିଲ ଲିମିଟେଡ କୁହା ଯାଉଥିଲା ସେଲ୍ ( ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ବଦଳରେ। ତେଣୁ ପ୍ରତି ସେକ୍ଟରରେ ଥିବା ପ୍ରାଥମିକ ସ୍କୁଲ୍ ମାନେ ଏଇ ନାମରେ ନାମିତ ଥିଲେ। 


  ସବୁ ସ୍କୁଲର ଗଢ଼ଣ ସମାନ ପ୍ରକାରର। ବଡ଼ ବଡ଼ ଖେଳ ପଡ଼ିଆ। ପ୍ରଶସ୍ତ ବାରଣ୍ଡା। ବଗିଚାର ପ୍ରଚଳନ ହେଇ ନଥିଲା । କିନ୍ତୁ ଆମେ ଆମର ସ୍କୁଲକୁ ଭଲ ପାଉଥିଲୁ।


  ସେକ୍ଟର ସତର ବିଶାଳ ପଡ଼ିଆ ସମ୍ମୁଖସ୍ଥ କୋଣକିଆ କ୍ଵାର୍ଟର ଏ- ୧୦ ମଝିଆଁ ଭାଇଙ୍କୁ ମିଳିଥିଲା । ଆର୍ ଇ ସି ରୁ ମେକାନିକାଲ ଇଂଜିନିୟରିଂ ପାସ୍ କରି ମଝିଆଁ ଭାଇ ପୂର୍ବରୁ ବମ୍ବେ ଓ କିଛି ମାସ ଦୂର୍ଗାପୁରରେ କାମ କରିଥିଲେ । ବାପା କିନ୍ତୁ ମନା କଲେ ଏତେ ଦୂରରେ ରହିବା ପାଇଁ। ସେ ଯୁଗରେ ବାପା ମାନଙ୍କର ଇଚ୍ଛା ଓ ପୁଅ ମାନଙ୍କର ଆଜ୍ଞାକାରିତା ନିଶ୍ଚିତ ଏକ ଏକ ଉଦାହରଣ ଥିଲା । ସୁତରାଂ ମଝିଆଁ ଭାଇ ନୂଆ ନୂଆ ସ୍ଥାପିତ ହୋଇଥିବା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଆସି ଯୋଗ ଦେଲେ। ସେତେବେଳେ ବଡ଼ଭାଇ ସେକ୍ଟର ଅଠର ଡି - ୧୧ ରେ ରହୁଥିଲେ। ଖୁବ୍ ସାନଟିଏ ଥିଲି ମୁଁ। କିନ୍ତୁ କେମିତି ଏତେ ସବୁ କଥା ମନେ ଅଛି ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୁଏ। ହେଇଥିବ, ମୁଁ ଦୁନିଆଁ, ପ୍ରକୃତି ଓ ସମ୍ପର୍କ ମାନଙ୍କୁ ମୂଳରୁ ଭଲ ପାଉଥିଲି ବୋଲି ସବୁକଥା ମୋର ଲୋମ ମୂଳ ମାନଙ୍କରେ ଛାପି ହେଇ ରହି ଯାଇଛି। 


  ଡି - ୧୧ । ସ୍ମୁତିର କ୍ଵାର୍ଟର। ଲୁହାର ଗେଟ୍। ଚାରିପାଖରେ ହେଜର ବାଡ଼। ବାରଣ୍ଡା , ବାରଣ୍ଡାରେ ସିମେଣ୍ଟ ବେଞ୍ଚ। ଦାଣ୍ଡଘର, ପଙ୍ଖାଘର, ବଡ଼ ପାଣି ଟାଙ୍କି ଥିବା ଗାଧୁଆ ଘର ଓ ବାହାରେ ବଡ଼ ଅଗଣାରେ ପାଇଖାନା। ବାପାଙ୍କର କହିବାନୁଯାୟୀ ବଡ଼ଭାଇ ବାହାରେ ପାଇଖାନା ଥିବା ଘର ନେଇଥିଲେ। ଅବଶ୍ୟ ସେତେବେଳେ ଆଟାଚ ଟଏଲେଟ୍ ଦେଶୀ ମଣିଷର ଅଙ୍ଗୀକାର ବାହାରେ ଥିଲା । ତେଣୁ ଅଧିକାଂଶ କ୍ଵାର୍ଟର ସେଇ ଷ୍ଟାଇଲରେ ତିଆରି ହେଉଥିଲା। ଅଗଣାରେ ପିଜୁଳି, ଆମ୍ବ ଓ ପଣସ ଗଛ। ସଞ୍ଜବେଳେ ସମସ୍ତଙ୍କ ଘରୁ ଝୋଟ ଓ କୋଇଲା ପୋଡ଼ାର ବାସ୍ନା ପହଁରି ଆସୁଥିଲା। ହଁ ବାସ୍ନା ହିଁ ତ । ଅତୀତର ଗନ୍ଧ ଭି ବାସ୍ନା ପାଲଟିଯାଏ ସ୍ମୃତିର ଫରୁଆରେ ଚାପି ହେଇ । ଠିକ୍ ଯେମିତି କୋଇଲା ପାଲଟିଯାଏ ବହୁମୂଲ୍ୟ ହୀରା ସମୟର ଚାପରେ ।


  କଳା ପିଚୁଦିଆ ସଫା ଫିନ୍ ଫିନ୍ ରାସ୍ତା। ରାସ୍ତାକଡ଼ରେ ଠାଆକୁ ଠାଆ ବିଜୁଳି ଆଲୁଅ ବିଞ୍ଚୁଥିବା ସିମେଣ୍ଟ ହଂସଥିବା ବିଜୁଳି ଖମ୍ବ। ସକାଳ ନଅଟା ବାଜୁ ବାଜୁ କାରଖାନାର ପୁଙ୍ଗା ବାଜି ଉଠୁଥିଲା । ଶ୍ରମିକ ମାନେ ସାଇକଲ ନେଇ ରିଙ୍ଗରୋଡ଼ରେ ଧାଡ଼ି ଲମ୍ବାଉଥିଲେ। 

 ରାଉରକେଲାରେ ଦିନରାତି

ଢଳାହୁଏ ଲୁହା କେତେ ଜାତି 


ଆଉ ରାତି ଏଗାରରରେ ଫିରଫିରିବାଲା ବା ବାହାଦୂରର ଭୟ। 

ରାଉରକେଲାରେ ଯିଏ ରହିଛି ସେ ଆଉ କୋୖଣସି ସହରକୁ ସହଜରେ ସ୍ଵୀକାର କରି ପାରିବ ନାହିଁ। 


  ମଝିଆଁ ଭାଇ ଆସିବାପରେ ତାଙ୍କୁ ବଡ଼ କ୍ଵାର୍ଟର ମିଳିଥିଲା । ତେଣୁ ଦୁଇ ପରିବାର ମିଶି ରହିବାର ନିଷ୍ପତ୍ତି ନେଲେ ବାପାଙ୍କର ପରାମର୍ଶକ୍ରମେ।


  ଖୁବ୍ ସୁନ୍ଦର ସମୟ ଥିଲା ସେସବୁ। ବଡ଼ ଘର , ସର୍ଭେଣ୍ଟ କ୍ଵାର୍ଟର। କୋଣକିଆ ହେଇଥିବାରୁ ବିରାଟ ବଗିଚା। କ୍ଵାର୍ଟର ସାମ୍ନା ବଗିଚାରେ ମଲ୍ଲୀଫୁଲ ବୁଦା ଘେରେଇ ହେଇ ଘାସ ଗାଲିଚା। ବଗିଚାରେ ଚମ୍ପା , ପିଜୁଳି, କାଗଜଫୁଲ, ଲେଙ୍ଗଡ଼ା ଆମ୍ବ, ଲିଚୁ ଡାଳିମ୍ବ ଇତ୍ୟାଦି ଗଛ। ଦୁଇଭାଇ ମିଶି ବିଭିନ୍ନ ଫସଲ କରି ପକେଇଥିଲେ। ଏପରିକି ଗୋଟିଏ କଣ ଓସାରିଆ ଗାତ ଖୋଳି ସେଥିରେ କଳମ ଶାଗ ମଧ୍ୟ ଲାଗିଥିଲା । ମକା, ଚିନାବାଦାମ, କନ୍ଦମୂଳ, ଆଳୁ ପିଆଜ ଛାଡ଼ି ବିଭିନ୍ନ ଋତୁ ଅନୁଯାୟୀ ପରିବା ଓ ଫୁଲ। 


  ଟିକେ ଟିକେ ବର୍ଷା ପଡ଼ୁଥିବ। ଦେହରେ ବର୍ଷା ବିନ୍ଦୁ ପଡ଼ିଲେ ଦେହ ଶୀତେଇ ଯାଉଥିବ। ଆମେ ଛତା ନେଇ ସଦ୍ୟ କ୍ଷୀର ଭରିଥିବା ମକା ଭାଙ୍ଗି ନେଇ ଆସୁଥିବୁ। କୋଇଲା ଚୁଲିରେ ଟକ୍ ଟାକ୍ ଫୁଟୁଥିବ ମକା । ଆଉ ଲଙ୍କା ଲୁଣ ସୋରିଷତେଲର ପାଗ। ଖରାଦିନ । ଅଧରାତି ପର୍ଯ୍ୟନ୍ତ ଘାସ ଗାଲିଚାରେ ଗଡ଼ି ଥଣ୍ଡା ନେଉ ନେଉ ତାରା ଜହ୍ନଙ୍କ ଗତି ପରଖିବା । ଶୀତ ସକାଳର କୁହୁଡ଼ି ଭରା ଧୂଆଁ ଆଉ କୋଇଲା ଚୁଲିରେ ଟକ୍ ଟକ୍ ଫୁଟି ବାମ୍ଫ ବାହାରୁଥିବା ଚାହା । କୁଆଡ଼େ ହଜିଗଲେ ସେ ଦିନ ସବୁ।


ଷଢ଼େଇକଳା ରାଉରକେଲା ପାଖ ହେଇଥିବାରୁ ମାଆ ବାପା , ନାନୀ ଓ ଅନ୍ୟ ଭାଇମାନେ ମଧ୍ୟ ବର୍ଷସାରା ମଝିରେ ମଝିରେ ଆସି ରହୁଥିଲେ। ତାଛଡ଼ା ଷଢ଼େଇକଳାର ଅର୍ଦ୍ଧେକ ପିଲାଙ୍କର ପ୍ଲାଣ୍ଟରେ ଚାକିରୀ। ତେଣୁ ସେଇଟା ଅଧା ଷଢ଼େଇକଳା। ସବୁବେଳେ ଘର ବନ୍ଧୁବାନ୍ଧବରେ ଭରପୁର।


 ସେହିଠାରେ ହିଁ ମୋର ପାଠପଢ଼ା ଆରମ୍ଭ ହେଲା । ମୁଁ ତୃତୀୟ ଝିଆରୀ ଦ୍ଵିତୀୟ। ଦୁହେଁ ମିଶି ସ୍କୁଲ ଯାଉଥିଲୁ ସକାଳ ଛଅଟାରୁ। ଘରେ ଘରେ ନାନୀ ଭାଇଙ୍କର ସାହିତ୍ୟ ବହି ପଢ଼ୁପଢ଼ୁ ମୋର ଅନେକ ଜ୍ଞାନ ହେଇ ଯାଇଥିଲା। ସେତେବେଳେ ଓଡ଼ିଆ ସାହିତ୍ୟରେ ନାହିଁ ନଥିବା ପାଠ। ଆଉ ବିଷୟ ସହାୟକ ମାତ୍ର। ତେଣୁ ମୁଁ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ରଖି ଆଣ୍ଟି ଓ ସାର୍ ମାନଙ୍କର ପ୍ରିୟଭାଜନ ହେଇ ପାରିଥିଲି। ସେତେବେଳେ ସେହି ସ୍କୁଲରେ ଥିଲେ ସତ୍ୟବତୀ ସାହୁ ସାର୍ , ଲକ୍ଷ୍ମୀଧର ସାହୁ ସାର୍, ଶଙ୍ଖୁଆ ସାର୍ ଓ ଜଣେ ସୁନ୍ଦରୀ ଅଳ୍ପବୟସୀ ଆଣ୍ଟି। ସେ ସମୟରେ ସେ କାନ୍ଧ ପର୍ଯ୍ୟନ୍ତ ଚୁଟି କାଟି ରଖୁଥିଲେ। ଆମେ ପିଲାମାନେ ତାଙ୍କଦ୍ୱାରା ହିପ୍ନୋଟାଇଜ୍ ହେଇ ଯାଉଥିଲୁ। ଏମାନେ ସବୁ ମୋର୍ ପ୍ରିୟ ଥିଲେ ଓ ମୁଁ ଏମାନଙ୍କର। କେହି ଯଦି ଏମାନଙ୍କୁ ଜାଣିଥିବେ ତାଙ୍କୁ ଜଣାଇଦେବେ ଯେ ତାଙ୍କର ଛାତ୍ରୀ ଜଣେ ତାଙ୍କୁ ଏବେ ମଧ୍ୟ ଝୁରେ।


  ମୋର ଚତୁର୍ଥ ଶ୍ରେଣୀ ବେଳେ ଘରେ କିଛି ପାରିବାରିକ ଝଡ଼ ଝଞ୍ଜାର ପୂର୍ବାଭାସ ବାରି ଦୁଇଭାଇ ପୁଣି ଅଲଗା ରହିବାର ନିଷ୍ପତ୍ତି ନେଲେ। ବଡ଼ଭାଇଙ୍କର ଚାରି ପୁଅଝିଅ ମଝିଆଁ ଭାଇଙ୍କର ଦୁଇ । ପରିବାର ବଢ଼ୁଥିଲା ତେଣୁ ଯାହା ହେଲା ତାହା ସ୍ଵାଭାବିକ। ସେସବୁ ଆମ ପରିବାରର ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିସ୍ଥିତିକୁ କବଳିତ କରି ପାରି ନାହିଁ। ଦୁଇ ଭାଇଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସେହି ଭଲ ପାଇବା ତିଷ୍ଠି ରହିଛି। ଯେଉଁଥିପାଇଁ ମଝିଆଁ ଭାଇ ତାଙ୍କର ସୁଯୋଗ୍ୟ ସନ୍ତାନ ମାନଙ୍କର ଜିଦିକୁ ନମାନି ଏପର୍ଯ୍ୟନ୍ତ ରାଉରକେଲା ଛାଡ଼ି ପାରୁ ନାହାନ୍ତି କେବଳ ଭାଇ ଭାଉଜ ମୋହ ପାଇଁ। 


  ବଡ଼ ଭାଉଜଙ୍କ ଆସିବା ପରେ ଯେହେତୁ ମୋର ଜନ୍ମ ତେଣୁ ସେ ମୋର ଭାଉଜ କମ୍ ଓ ମାଆ ବେଶି। ମଝିଆଁ ଭାଉଜ ଆସିଲାବେଳେ ମୁଁ ଅଜ୍ଞାନ ଶିଶୁ। ତେଣୁ ସେ ମଧ୍ୟ ମୋର ମାଆ ପରି। ମୁଁ ଏଥିପାଇଁ ଗର୍ବିତା ଯେ ଏପର୍ଯ୍ୟନ୍ତ ଆମର ସମ୍ପର୍କ ସେହି ପରି ହେଇ ରହିଛି। ଆଉ ରହିଥିବ ମଧ୍ୟ।


  ଚତୁର୍ଥ ଶ୍ରେଣୀ। ବଡ଼ଭାଇ ଓ ତାଙ୍କର ପରିବାର ଚାଲିଗଲା ସେକ୍ଟର ଅଠର ଏ- ୧୨୪ କୁ। ମୋର ଆଉ ମୋ ଝିଆରୀର ସମ୍ପର୍କ ଛିନ୍ନ ହେଲା । ସ୍କୁଲରେ ମଧ୍ୟ ସାକ୍ଷାତ ହେବାର ସମ୍ଭାବନା ନଥିଲା । ତାର ସକାଳୁଆ ସ୍କୁଲ ଓ ମୁଁ ଚତୁର୍ଥ ଶ୍ରେଣୀ ହେତୁ ଦିନବେଳା ସ୍କୁଲ। ମୋର ମନ ଲାଗିଲା ନାହିଁ। ପରୀକ୍ଷାରେ ମଧ୍ୟ ସେତେ ଭଲ ହେଲା ନାହିଁ। ପ୍ରଥମ ଦ୍ଵିତୀୟରୁ ଆସି ପଞ୍ଚମ ଷଷ୍ଠ ସ୍ଥାନ ରହିଲା । 




Rate this content
Log in