ଏକାକି ଜୀବନେ
ଏକାକି ଜୀବନେ
ଲୋକେ ବୋଲିବେ କଣ?
ସେବତୀର ମାଆ ଠିଆ ହେଇଥିଲା ଖୁଣ୍ଟକୁ ଆଉଜି । ତା ମନର କୋଣ ଅନୁକୋଣକୁ ବିଦାରି ଚାଲିଥିଲା କେବଳ ଗୋଟିଏ ମାତ୍ର ପ୍ରଶ୍ନ । ତୁହାଇ ତୁହାଇ ତାକୁ ଝିଞ୍ଜାଡି଼ ପକାଉଥିଲା ।
ଲୋକେ ବୋଲିବେ କଣ ?
ଖୁଣ୍ଟ ଛାଡ଼ି ବାଡ଼ିକୁ ଗଲା, ପ୍ରଶ୍ନଟି ତାକୁ ସେଠାରେ ବି ଅଥୟ କଲା। ତାକୁ ଚାରିପଟୁ ବେଢ଼ି ଧରିଥିଲା ସେଇ ଗୋଟିଏ କଥା,
ଲୋକେ ବୋଲିବେ କଣ?
ସେବତୀ ଗୋଟିଏ କୋଣକୁ ବସିଥିଲା ପଥର ପାଷାଣ ପାଲଟି । ଆଖିର ଲୁହ ବି ଜମାଟ ବାନ୍ଧି ଶୀତଳ ବରଫ ପାଲଟି ଯାଇଥିଲା । ତା ପାଖରେ ଘଷି ନେସି ହେଉଥିଲା ପୁପୁନ୍ । ଏଡେ ଟିକିଏ ଛୁଆ ସିଏ , କି ଅବା ପରଖି ପାରିବ କି ତଉଲି ପାରିବ ସୁଖ ଦୁଃଖକୁ , ହସ କାନ୍ଦକୁ , ନିନ୍ଦା ପ୍ରଶଂସାକୁ ?
ଶ୍ରବଣ ମରି ଯାଇଛି । ତାଙ୍କର ବସ୍ତି ପାଖରେ ରେଳ ଷ୍ଟେସନ୍ । ଷ୍ଟେସନ୍ ପାରି ହେଇ ଗଲେ ବୁଦୁବୁଦିଆ ଘଞ୍ଚ ବଣ। ସେଇଠି ପଡ଼ି ଥିଲା ଶ୍ରବଣର ମୁଣ୍ଡ ଗଣ୍ଡି ଛତର୍ ଛିନ୍ ହେଇ । ଚାହୁଁଚାହୁଁ କଥାଟା ରାଷ୍ଟ୍ର ହେଇଗଲା ବସ୍ତିରେ । ସମସ୍ତେ ଚାଲିଲେ ଧାଡ଼ିବାନ୍ଧି । ସେ ଶବ କୋଉ ହତଭାଗାର ଦେଖିବାକୁ । ସେଇଟା ରେଳରେ କଟିଥିଲା, ନା ମର୍ଡର କେସ୍ ଥିଲା ଜଣା ପଡୁ ନଥିଲା ।
ସେବତୀ ଆଉ ତା ମାଆ ବି ଗଲେ । ଅସମ୍ଭବ ଭାବରେ ଫୁଲି ଯାଇଥିଲା ସେଟା । ପୋଚା ଦୁର୍ଗନ୍ଧ ଯୁକ୍ତ ଶବଟାକୁ ଚିହ୍ନଟ କରି ହେଉ ନଥିଲା ।
ଏକା ସେବତୀ ଚିହ୍ନିଲା । ତା ମୁଣ୍ଡରେ ଥିବା ଗାଢ଼ କଳା କଟା ଚିହ୍ନରୁ । ଫୁଲି ଯାଇଥିବା ସତ୍ତ୍ୱେ କ୍ଷତଟା ଉକୁଟି ଉଠି ସ୍ପଷ୍ଟ ଦେଖା ଯାଉଥିଲା । ଚିହ୍ନିବ ନାଇଁ ? ସେଇ ସେବତୀ ତ ଶାବଳର ଗୋଟାଏ ଚୋଟରେ ଶ୍ରବଣର କପାଳରେ ଦେଇଥିଲା ସେଇ କ୍ଷତଟାକୁ ।
ପ୍ରତିଦିନର ମଦ ପିଆ , କଳହ କ୍ଳେଶ ଆଉ ନିସ୍ତୁକ ମାଡ଼ ସହି ପାରି ନଥିଲା ସେବତୀ । ରକ୍ତ ମାଂସର ଶରୀର ଟାଏ ତ ? କେତେ ସହିବ ? ଓଓଓଓ, କଣ ସ୍ଵାମୀ ବୋଲି ? ସ୍ଵାମୀ ନହେଲା ହର୍ତ୍ତା କର୍ତ୍ତା ବିଧାତା ହେଇଗଲା କି ତାର?
କାହିଁ , ପୋଷିବାରେ ତ ସ୍ଵାମୀପଣ ନାହିଁ ? ଅର୍ଜନ କରି ସ୍ତ୍ରୀକୁ ସୁଖରେ ରଖିବାରେ ତ ସ୍ଵାମୀପଣ ନାହିଁ ? ଯେତେବେଳେ ତାର ଦରକାର ସେତିକିବେଳେ ହିଁ ସ୍ଵାମୀତ୍ଵ ଜାହିର କରିବ , ନାଇଁ?
ଦିନେ ତ ସୀମାପାର୍ ହେଇଗଲା । ଭୂଜାଲି ଧରି ଶ୍ରବଣ ତାକୁ ମାରିବାକୁ ଝପଟି ଆଇଲା । ସେବତୀ ଅଣ୍ଟାରେ ଗେଞ୍ଜି ରଖିଥିବା ସମସ୍ତ ଟଙ୍କାକୁ ହସ୍ତଗତ କରିବା ପରେ ମଧ୍ୟ ସେ ତାକୁ ମାରିବାକୁ ଉଦ୍ୟତ ହେଲା । ସେତେବେଳେ ସେବତୀ ପେଟରେ ଛଅମାସର ଭୃଣ ଦୁନିଆ ଦେଖିବାକୁ ଉଚ୍ଛନ୍ନ ହେଉଥିଲା । ସେବତୀକୁ ଆଉ କିଛି ଦେଖା ଗଲା ନାହିଁ । ହାତରେ ଶାବଳଟା ପଡ଼ିଲାରୁ ନିର୍ଘାତିଆ କରି ଚୋଟେ ପକାଇଲା ତା ମୁଣ୍ଡରେ । ସେଇଦିନୁ ସେ ଯାଇଛି ଯେ ଯାଇଛି । ଆଉ ଶ୍ରବଣ ତାର ଝୁମ୍ପୁଡିରେ ପଶିବାକୁ ସାହସ କରି ନାହିଁ କେବେ । ଭିକ ମାଗୁଛି , ପିଇ ପାଇକରି ନାଳ ନର୍ଦ୍ଦମାରେ ଗଡୁଛି , ଛୋଟିଆ ମୋଟିଆ ଚୋରି କରି କେତେ ଥର ଜେଲର ହାଓ୍ଵା ଖାଇଛି ।
ବର୍ତ୍ତମାନ ସେବତୀ କିନ୍ତୁ ଖୁବ୍ ସୁଖରେ । ମାଆ , ପୁଅ ପୁପୁନ୍ ଆଉ ଟୁକୁନା , ସୁଖର ସଂସାର । ଟୁକୁନାଟା ଚାରି ଦଉଡ଼ିକଟା । ମାଆ ନାହିଁ କି ବାପ ନାହିଁ । ଭଲ ପିଲାଟିଏ । ଖଟିବ ଖାଇବ । ତାଙ୍କରି ଚାଳିଆରେ ଭଡ଼ାରେ ଆଶ୍ରୟ ନେଇଥିଲା । ପ୍ରଥମେ ପୁପୁନ୍ ତାକୁ ବାଆ ବୋଲି ଡାକିଲା । ତାପରେ ସେବତୀର ମାଆର ଦିହ ଖରାପ ହେଲାରୁ ଟୁକୁନା ବହୁତ ସେବା କଲା , ଓଷଦ ପତ୍ରରେ ପଇସା ଖର୍ଚ୍ଚ କଲା , ଡାକ୍ତରଖାନା ନେଲା ।
ଏମିତି ହେଉ ହେଉ କେତେବେଳେ ଯେ ସେବତୀ ଆଉ ଟୁକୁନା ସ୍ଵାମୀ ସ୍ତ୍ରୀ ପାଲଟିଗଲେ ଜଣା ପଡ଼ିଲା ନାହିଁ । ବସ୍ତିରେ ଏସବୁ ଚିରାଚରିତ , ବାଜାଗାଜା ଦରକାର ପଡେ ନାଇଁ କି ଭୋଜିଭାତ ଆବଶ୍ୟକ ହୁଏ ନାହିଁ।
ତେବେ ଚଳଣିର କଥା , ପ୍ରଥାର କଥା ସବୁ ଯେତେବେଳେ ଆଗକୁ ଆସେ ସମସ୍ତେ ଜାଗ୍ରତ ହେଇ ଯାଆନ୍ତି । ସମସ୍ତେ ସଂସ୍କାର ପାଇଁ ଅଡ଼ି ବସନ୍ତି ।
ଠିକ୍ ଏମିତି ଦୁବିଧା ଆସିଛି ଆଜି ସେବତୀ ଜୀବନରେ । ସେ ବିଧବା ହେବ ନା ହେବ ନାହିଁ ?
କାଚ ଭାଙ୍ଗିବ ନା ଭାଙ୍ଗିବ ନାହିଁ ?
ସିନ୍ଦୁର ପୋଛିବ ନା ପୋଛିବ ନାହିଁ ?
ଟୁକୁନା ତ ତାର ସୁନ୍ଥାଣୀରେ ସିନ୍ଦୁର ଦେଇ ନାହିଁ କି ହାତରେ ଶଙ୍ଖା ପିନ୍ଧେଇ ନାହିଁ । ଏଇ ଶଙ୍ଖା ସିନ୍ଦୂର ତେବେ କାହା ନାମରେ ?
ସେବତୀର ଅତୀତ ଅତ୍ୟାଚାରୀ ଶ୍ରବଣ ନାମରେ ?
ନା ସେବତୀର ବର୍ତ୍ତମାନ ଓ ତାକୁ ମନପ୍ରାଣ ଦେଇ ଭଲ ପାଉଥିବା ଟୁକୁନା ନାମରେ?
ସେବତୀ ମାଆ ଅଡ଼ି ବସିଛି , ବସ୍ତି ବାସିନ୍ଦା ଅଡ଼ି ବସିଛନ୍ତି , ତାକୁ କାଚ ସିନ୍ଦୂର ଦେଇଥିବା ଶ୍ରବଣ ହିଁ ସେବତୀର ସ୍ଵାମୀ ,
ସେ ମରିଛି, ତେଣୁ
ସେବତୀ ବିଧବା ହେବ ,
ଭାଙ୍ଗିବ ଶଙ୍ଖା ,
ପୋଛି ଦେବ ସିନ୍ଦୁର ।
ଦୁଆରେ ତାର ଅସମ୍ଭବ ଗହଳି ।
ଟୁକୁନା ନିର୍ବିକାର , ତଟସ୍ଥ । ସିଏ କେବେ କୋଉଥିରେ ସେବତୀ ଉପରେ ଯୋର୍ ଦେଖେଇ ନାହିଁ । ତେବେ ଗୋଟାଏ ଖାଲି ଖାଲି ଭାବ ତା ଆଖିରେ ପହଁରି ଯାଉଥାଏ ରହି ରହି ।ତତଲା ଦୀର୍ଘଶ୍ଵାସଟିଏ ଛୁଇଁ ତରଳେଇ ଦେଉଥାଏ ସେବତୀକୁ ।
ବସ୍ତିର ସମସ୍ତେ ଅନେଇ ରହିଛନ୍ତି ।
ଅଚାନକ୍ ସେବତୀ ଉଠିଲା । ପାଣି କଳସୀଏ ଟେକି ନେଇ ସେଇ ଅଗଣା ମଝିରେ ପୁରା ବସ୍ତି ସାମନାରେ ହଦ ହଦ କରି ମୁଣ୍ଡରୁ ଢାଳି ହେଇ ପଡ଼ିଲା । ଭାଙ୍ଗି ପକେଇଲା କାଚ । ପୋଛି ପକେଇଲା ସିନ୍ଦୂର । ଜିତି ଯାଉଥିଲା ସ୍ଥୁଳ ପ୍ରଥା , ଜିତି ଯାଉଥିଲା ସ୍ଥୁଳ ସଂସ୍କାର , ହାରି ଯାଉଥିଲା ପ୍ରେମ ନାମକ ସୂକ୍ଷ୍ମ ଭାବନାଟିଏ।
କିନ୍ତୁ , କଥା ସେତିକିରେ ସରି ନଥିଲା । ହସୁଥିଲା ଭବିତବ୍ୟ।
ଧାଇଁଗଲା ସେବତୀ ଝୁମ୍ପୁଡି ଭିତରକୁ । ସିନ୍ଦୂର ବଟାଟିଏ ଓ କାଚ ମୁଠିଏ ଆଣି ଠିଆ ହେଇଗଲା ଟୁକୁନା ସାମନାରେ । ଖୁବ୍ ଚଢ଼ା ଗଳାରେ କହିଲା ,
ଅନେଇଛୁ କଣ ? ନେଏ , ଲଗା ସିନ୍ଦୂର , ପିନ୍ଧା କାଚ
ଟୁକୁନା ଆଜ୍ଞାଧୀନ ଛାତ୍ର ପରି ତାର ହାତରେ କଛିଦେଉଥିଲା କାଚ । ସୁନ୍ଥାଣୀରେ ଭରିଦେଉଥିଲା ଟିପେ ସିନ୍ଦୂର ।
ଗହଳି ଧୀରେଧୀରେ ପତଳା ହେଇ ଆସୁଥିଲା ।
ଆରତୀ ସାହୁ ( ଆଶା )
ବସନ୍ତବିହାର
ନୂଆଦିଲ୍ଲୀ