ପ୍ରତୀକ୍ଷାର ଅନ୍ତ
ପ୍ରତୀକ୍ଷାର ଅନ୍ତ
କୋଇଲି ଲୋ କେଶବ ଯେ ମଥୁରାକୁ ଗଲା... ମଥୁରାକୁ ଗଲା ପୁତ୍ର ବାହୁଡ଼ି ନଇଲା, ବୋଲି ଗୀତଟିକୁ ଶୁଣି ସୁଭଦ୍ରା ଲୁହ ଗଡେଇ ଚାଲିଥିଲେ. ସ୍ୱାମୀ ଅରବିନ୍ଦ ପହଁଞ୍ଚି କ୍ୟାସେଟଟିକୁ ବନ୍ଦ କରିବା ପରେ ମଧ୍ୟ ସ୍ୱାମୀଙ୍କ ଆସିବାକୁ ଆଗରୁ ତତ୍ପରତା ନେଇ ଚା, ଜଳଖିଆ ଦେବା ଅବା ଭଲ ମନ୍ଦ ପଚାରି ବୁଝିବା ଭୁଲି ଯାଇଥିଲେ ସୁଭଦ୍ରା. ଏଇ ପାଞ୍ଚ ବର୍ଷ ଧରି ପୁଅ ତା ସ୍ତ୍ରୀକୁ ନେଇ ଗଲା ଯେ ଗଲା. ନା ଚିଠି, ନା ଟେଲିଫୋନ ନା ଖବର ଥିଲା. ଯେତେଥର ଫୋନ କଲେ ବିଜି ଦେଖାଉଥିଲା ତ କେବେ ମୁଁ ବ୍ୟସ୍ତ ଅଛି କହି ଫୋନ ରଖିଦେଉଥିଲା ତ କେବେ କହୁଥିଲା ମଣିଷକୁ ଟିକେ ଶାନ୍ତିରେ ରହିବାକୁ ଦିଅ.କେବଳ ସେହି କଥା ଚିନ୍ତା କରି ସୁଭଦ୍ରା ରୋଗଗ୍ରସ୍ତା ହେଉଥିଲେ ତ ଶେଷକୁ ଶେଷ ଅସ୍ତ୍ର ପ୍ରୟୋଗ କରି ବାପା କହିଥିଲେ ତୋ ମାଆ ର ଦେହ ଭଲ ରହୁନି. ଥରେ ଅନ୍ତତଃ ବୁଲିଦେଇ ଯାଆ. ପୁଅ ସଫା ସଫା କହିଥିଲା କି ମୁଁ ଗଲେ କଣ କରିବି!ତୁମେ ଭଲ ଡାକ୍ତର ଦେଖାଅ. ଔଷଧ ଠିକ ଖାଉ, ସୁସ୍ଥ ହୋଇଯିବ ମାଆ. ପୁଅର ଏହି ଉତ୍ତର ପରେ ମାଆ ସଜାଡି ହୋଇ ବସିଥିଲେ ଆଉ ସ୍ୱାମୀଙ୍କୁ ଶେଷ ଅନୁରୋଧ କରୁଛି କହି ଥରେ ପୁଅ ବୋହୁଙ୍କୁ ଯାଇ ଦେଖିଆସ କହିଥିଲେ. କିଛି ହେବନି ବରଂ ଅପମାନିତ ହୋଇ ଫେରି ଆସିବାକୁ ପଡିବ ବୋଲି ଅରବିନ୍ଦ ଯେତେ ବୁଝାଇଲେ ମଧ୍ୟ ବୁଝିନଥିଲେ ସୁଭଦ୍ରା ବରଂ କହିଥିଲେ କିଛି ଅସୁବିଧା ନଥିଲେ ପୁଅ ଏମିତି ପାଞ୍ଚ ବର୍ଷ ଧରି ଘର ଛାଡି ଓ ମାଆ ବାପାଙ୍କୁ ଛାଡି ରହିପାରିନଥାନ୍ତା. ନିଶ୍ଚୟ କିଛି ଅସୁବିଧାରେ ପଡିଛି ତେଣୁ କିଛି କହିପାରୁନି. ତୁମେ ଯାଇ ଥରେ ପହଁଞ୍ଚି ଗଲେ ସବୁ ସୁବିଧା ହୋଇଯିବ.
ବାପା ଅରବିନ୍ଦ ଭାବିଲେ ସତ କଥା. ଏଣିକି ଆଉ ଜମି ଚାଷ କରିହେଉନି କି ବାଡ଼ି ବଗିଚା ଦେଖି ହେଉନି ବରଂ ପୁଅର ଯଦି ଟଙ୍କା ପଇସା ଦରକାର ସେସବୁ ବିକ୍ରୀ କରି ଦେଵେ ପଛେ ଥରେ ତ ତାର ଭଲମନ୍ଦ ପଚାରି ବୁଝିବା ତାଙ୍କର ଉଚିତ ନା, ଏହା ଭାବି ଅରବିନ୍ଦ ପଚାରି ବୁଝି ମୁମ୍ବାଇ ସହରରେ ପୁଅର ଫ୍ଲାଟ ଘରେ ପହଞ୍ଚିଗଲେ. ବୋହୁ କବାଟ ଖୋଲୁ ଖୋଲୁ କହିଥିଲା ଆମକୁ ସେ ଗାଁ ଗଣ୍ଡାରେ ରହିବାକୁ ବା ଯିବାକୁ ଦୟା କରି ନକହି ଶାନ୍ତିରେ ରହିବାକୁ ଦିଅନ୍ତୁ କହି କବାଟ କିଳି ଦେଇଥିଲା ସତେ ଯେମିତି ଶଶୁର ଦୂର ଗ୍ରହ ବାସୀର କେହି ଅଚିହ୍ନା ଅଜଣା ଵ୍ୟକ୍ତି ଅଟନ୍ତି.
ଏତେ ସବୁ ପରେ ତଥାପି କଲିଂ ବେଲ ଚିପି ଚାଲିଥିଲେ ଅରବିନ୍ଦ. ଏଥର ନିଜେ ପୁଅ କବାଟ ଖୋଲି ବାପାଙ୍କୁ ପ୍ରଣାମ କରିବ କଣ ବରଂ କହିଚାଲିଥିଲା କଣ ରଖିଛ ନା ଆଣିଛ ଯେ ଆମପାଇଁ ଏତେ ସରାଗ ଛୁଟୁଛି ତୁମର!ଏତେଥର ଆସି ମୋ ପାଖପଡୋଶୀଙ୍କ ପାଖରେ ମତେ ବେଇଜ୍ଜତ କରିବା କଣ ଦରକାର ବୋଲି ପ୍ରଶ୍ନରେ ଅରବିନ୍ଦ ଖାଲି କହିଥିଲେ ଏଇ ପ୍ରଥମ ଥର ତୋ ଘରକୁ କେବଳ ତୋ ମାଆର ଅନୁରୋଧରେ ଆସିଛି. ତାର ଆଶଙ୍କା ହେଉଛି କି ତୁମେ ମାନେ କିଛି ଅସୁବିଧାରେ ଥିଲେ ବରଂ ପିତା ମାତା ହିସାବରେ ଗୁରୁଦାଇତ୍ୱ ବହନ କରିବା ଆମର ପ୍ରଥମ କର୍ତ୍ତବ୍ୟ ହେବ.ବାପା ଅରବିନ୍ଦଙ୍କ କଥା ସରିଛି କି ନାହିଁ ପୁଅ କହୁଥିଲା ଯୋଉ ଘରେ ମୋ ସ୍ତ୍ରୀର ସମ୍ମାନ ନାହିଁ, ସେ ଘରକୁ ମୁଁ ଯାଇପାରିବିନି. ପ୍ରଥମରୁ ପୁଅ ପାଖରୁ ଫେରିଆସି ଏସବୁ କଥା ପ୍ରଥମେ ସୁଭଦ୍ରାଙ୍କୁ କହିବାକୁ ଚାହିଁ ନଥିଲେ ଵି ସୁଭଦ୍ରାଙ୍କ ଆକୁଳ ବିକଳ ନିବେଦନ,କଥା ଖୋଲିବା ଛଡା ଉପାୟ ନଥିଲା ଅରବିନ୍ଦଙ୍କ ପାଖରେ . ତ ପୁଅର ଶେଷ ଅଭିଯୋଗରେ ସେ ମନେ ପକେଇ ଥିଲେ ବୋହୁ ଘରକୁ ଆସିବାର ପ୍ରଥମ ଦିନରେ କୁଣିଆ ମଇତ୍ରଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ତୁ ଆଗ ଖାଇଦେଇ ତୋ ରୁମକୁ ଚାଲିଯା କହିଥିଲେ ସୁଭଦ୍ରା . ବୋହୁର ଦହି ପସନ୍ଦ ବୋଲି ତାଟିଏ ଦହି ଚିନି ଗୋଳେଇ ବୋହୁକୁ ଖୁଆଇଥିଲେ ବୋହୁ କିନ୍ତୁ ଖାଇସାରି ନିଜ ଅଇଁଠା ବାସନ ପଡିଥିଲା ଓ ତା ରୁମକୁ ପଶିଯାଇଥିଲା. ଏସବୁ ଏଯାଏଁ ସୁଭଦ୍ରା କାହା ଆଗରେ କହିନଥିଲେ ମଧ୍ୟ ଆଜି ତାଙ୍କୁ ବା ତାଙ୍କ ସ୍ୱାମୀଙ୍କୁ ବୋହୁକୁ ଅମର୍ଯ୍ୟଦା କରିଥିବା ଆରୋପ ବହୁ ବାଧିଥିଲା ତ ସେ ଗୋଡ଼ ଧରି ସ୍ୱାମୀଙ୍କୁ ଅନୁନୟ ବିନୟ କରିଥିଲେ ତାଙ୍କୁ ଥରେ ମାତ୍ର ପୁଅ ବୋହୁଙ୍କ ପାଖକୁ ନେଇଯିବାକୁ
ଏଥର ମଧ୍ୟ ବୋହୁ ଦୁଆର ଖୋଲି ସେଇ ଏକା କଥା କହୁଥିଲା ବେଳେ ପଛପଟେ ପୁଅ ନୀରବ ଦର୍ଶକ ସାଜିଥିଲା ତ ସୁଭଦ୍ରା କହୁଥିଲେ ଆରେ ମୁଁ ସିନା ଦେବକୀ କି ଯଶୋଦା ନୁହେଁ ହେଲେ ତୁ କୃଷ୍ଣ ହୋଇ ମଥୁରାକୁ ଆସି ରହିଯିବା ମୁଁ ସହିନପାରି ବାପାଙ୍କୁ ପଠେଇଥିଲି କିନ୍ତୁ ଜାଣିନଥିଲି ସବୁ ପୁଅ କୃଷ୍ଣ ନୁଁହଁ. ମୁଁ କି ତୋ ବାପା ଏଠାରେ ରହିବାକୁ ଆସିନୁ କି କିଛି ମାଗି ନେଇଯିବାକୁ ଆସିନୁ. ଗାଁରେ ମଣିଷପଣିଆ ଓ ଭାଇଚାରା ଅଛି. ସଂସ୍କୃତି ଓ ସଂହତି ତଥାପି ବଞ୍ଚିଛି.କେହି କାହାକୁ ଦୂର ଗ୍ରହ ବାସୀ ପରି ବ୍ୟବହାର ନକରି ଖୁବ ଆପଣାର ମନେକରନ୍ତି. ପଶ୍ଚିମ ଓଡିଶାର ଠାକୁରାଣୀ ମାଆ ସମଲେସ୍ୱରୀଙ୍କ ଦୟାରୁ ଆମେ ଖୁବ ଭଲରେ ଅଛୁ ଗାଁରେ . ନୂଆଖାଇ ହେବ. ସମସ୍ତେ ସବୁଆଡୁ ଛୁଟି ଆସିବେ ଘରକୁ. ଭେଟଘାଟ ହୋଇ ନବାହ୍ନ ଖାଇବେ କିନ୍ତୁ ମୋ ପୁଅ ପାଞ୍ଚବର୍ଷ ଧରି ଦୂରରେ. ମୁଁ କେତେ ସହିବି ଆଉ!ଦଶ ମାସ ଦଶ ଦିନ କଷ୍ଟ ସହି ପୁଣି ପାଳି ପୋଷି ତତେ ମଣିଷ କରିବାରେ ମୁଁ ଆପଣା ଭେଣ୍ଡି ସୁନା ବୋଲି ତୁ ଜାଣିନଥିଲି ବରଂ ସେଇ ମଣିଷ ତୋ ବାପା, ତାଙ୍କୁ ନିର୍ଯ୍ୟାତିତ, ଅସମ୍ମାନିତ କରି ଆସିଛି ଏଯାଏଁ.ଆଉ ଏବେ ସେ ଭୁଲ ହେବ ନାହିଁ କହି ଅରବିନ୍ଦଙ୍କ ସଙ୍ଗେ ଗାଁକୁ ଫେରିଆସିଥିଲେ ସୁଭଦ୍ରା. ଏବେ ସେ ଆଗ ପରି ନିସ୍ତେଜ ନଥିଲେ ବରଂ ନୂଆଖାଇ ପାଇଁ ଚଳଚଞ୍ଚଳ ଥିଲା ବେଳେ ପୁଅ ବୋହୁ ପହଞ୍ଚିବା ଦେଖି ପାଞ୍ଚହାତରେ ଗୋଡ଼ ପଡୁଥିଲା ସୁଭଦ୍ରାଙ୍କର. ଦୀପ, ଧୂପ ଓ ସିନ୍ଦୁର, ଚନ୍ଦନ ସହିତ ନାଲି ମନ୍ଦାର ସାଙ୍ଗକୁ ନାଲି ପାଟ ପିନ୍ଧେଇ ମାଆ ସମଲେଇଙ୍କୁ ପୂଜାର୍ଚ୍ଚନା କରିଚାଲିଥିଲେ.
