ମୃତ୍ୟୁ ନାହିଁ ପ୍ରଜାପତିମାନଙ୍କର
ମୃତ୍ୟୁ ନାହିଁ ପ୍ରଜାପତିମାନଙ୍କର
2 mins
2
ପ୍ରଜାପତି ର ଅତୀତ ଦୁଃଖଦ ଥିଲା କାରଣ ସଂବାଳୁଆ ଜୀବନଟା ବଡ଼ ଦୁର୍ବିସହ ଥିଲା ତା ପାଇଁ. ସମସ୍ତେ ଘୃଣା କରୁଥିଲେ ପୁଣି ଗଛ ସବୁକୁ ଏତେ ଭଲ ପାଉଥିଲେ ମଧ୍ୟ ଗଛମୂଳରେ ସଂବାଳୁଆ ହେଲେ ନିଆଁ ଲଗେଇ ପୋଡ଼ିବାକୁ ମଧ୍ୟ ପଛଘୁଞ୍ଚା ଦେଉନଥିଲେ. ସଜନା ଶାଗ ଉପକାରୀ ହେଲେ ବି ସଂବାଳୁଆର ଘୃଣାରେ ଲୋକେ ଶାଗ ଖାଇବାକୁ ଡରୁଥିଲେ. ଏମିତିକି ସଜନା ଛୁଇଁ ଲୋଭରେ ସଂବାଳୁଆ ସଫା କରିବାକୁ ଯାଇ ଗଛ ମୂଳେ ଯାବତୀୟ କୀଟନାଶକ ଔଷଧ ପକାଇବାକୁ ଭୁଲୁ ନଥିଲେ. କିନ୍ତୁ କୌଣସିମତେ ସଂବାଳୁଆଟି ରକ୍ଷା ପାଇ ଖସି ଯାଇ ଖୋଷା ଦେଇ ପ୍ରଜାପତି ହେଲା ପରେ କି ଆନନ୍ଦ ସଭିଙ୍କର ଦେଖିବାର କଥା.
ସୁନ୍ଦର ତୃପ୍ତିର ଅବସାଦ ନାହିଁ... ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ନ୍ୟାୟରେ ସରୋଜର ଜେଜେମାଆ ପ୍ରଜାପତି ଦେଖି ଶିଶୁ ଉପଯୋଗୀ କବିତା ଓ ଗୀତ ଲେଖନ୍ତି. ପିଲାବେଳୁ ଖୋଜି ଖୋଜି ପ୍ରଜାପତି ଦେଖାଇ ସରୋଜ କୁ ଖୁଆଇ ଶୁଆଇ ଦେବାରେ ତାର ମାଆକୁ ସାହାଯ୍ୟ କରନ୍ତି. ପିଲାବେଳୁ ଜେଜେମାଆଙ୍କ ଦ୍ୱାରା ପ୍ରଜାପତିର ଆକର୍ଷଣରେ ସରୋଜ ପ୍ରଜାପତି ପ୍ରତି ଆକର୍ଷିତ ହୋଇ ତା ପଛେ ପଛେ ଦୌଡେ ହେଲେ ଧରିପାରେନା ପ୍ରଜାପତିକୁ. ଏଥର ଗୋଟେ ହଳଦିଆ ପ୍ରଜାପତିକୁ ଧରି ବର୍ଷାରାଣୀ ସାଧବବୋହୁକୁ ସିନ୍ଦୁର ଭରା ଡବାରେ ରଖି ସରୋଜ ଶାନ୍ତି ପାଉଥିଲା ବେଳେ ତହିଁ ପରଦିନ ପ୍ରଜାପତି ମରିଯିବା ଦୃଶ୍ୟ ଜେଜେମାଆଙ୍କୁ ଶ୍ୱାସରୁଦ୍ଧ କରିପକାଇ ଥିଲା. ସରୋଜ ବୁଝାଉଥିଲା ପ୍ରଜାପତି ମାରେନାହିଁ ଜେଜେମାଆ ସେ କେବଳ ପାରିବର୍ତ୍ତିତ ହୁଏ ସଂବାଳୁଆକୁ ଓ ପୁଣି ପ୍ରଜାପତି ହୋଇଯାଏ. ଜେଜେମାଆ ତୁମେ ବ୍ୟସ୍ତ ହୁଅନା ଏହି ହଳଦିଆ ପ୍ରଜାପତି କୋଉଠି ନା କୋଉଠି ସଂବାଳୁଆ ହୋଇ ସାରିଥିବ. ତୁମେ ଆଉ ସଜନା ଗଛ ବା ଅନ୍ୟାନ୍ୟ ଗଛମୂଳେ କିରୋସିନି କି ପେଟ୍ରୋଲ ଆଦି ପକେଇ ସେମାନଙ୍କୁ ଜାଳିବ ନାହିଁ. ଦେଖିବ ପୁଣି କିଛି ଦିନ ପରେ ଜାତି ଜାତି ତଥା ନାନା ରଙ୍ଗର ପ୍ରଜାପତି ଉଡିଆସି ଆମ ବଗିଚାରେ ଫୁଲ ଉପରେ ବସି ମହୁ ପିଇ ତୁମକୁ ଆନନ୍ଦ ଦେଉଥିବେ. ସରୋଜ କଥା ଶୁଣି ଜେଜେମାଆ ହସିବେ କି କାନ୍ଦିବେ ଜାଣିପାରୁନଥିଲା ବେଳେ ସରୋଜ ପୁଣି ପ୍ରଜାପତି ଧରିବାକୁ ଦୌଡୁଥିଲା ତ ଜେଜେମାଆ ତାକୁ ସେଥିରୁ ନିବୃତ୍ତ କରିବାକୁ ତା ପଛେ ପଛେ ଜଗି ରହି ଭାବୁଥିଲେ ସମୟ ନଆସିଲା ଯାଏଁ ସରୋଜକୁ ସେ କେମିତି ବୁଝେଇବେ ଜୀବନ ଓ ମୃତ୍ୟୁ ଭିତରେ ତଫାତ!
