STORYMIRROR

Sunanda Mohanty

Abstract Children Stories Thriller

4  

Sunanda Mohanty

Abstract Children Stories Thriller

ଝଡ଼

ଝଡ଼

3 mins
3

ଝଡ଼ର ବିଭୀଷିକା ଦେଖିବା, ସହିବା ଓ ଅଙ୍ଗେ ଲିଭେଇବା କଷ୍ଟ ଅଳ୍ପ ବହୁତ ସମସ୍ତେ ଅନୁଭବ କଲାବେଳେ ଆଜି ପାଞ୍ଚ ବର୍ଷର, ଶିଶୁ ବାଳିକା ରିୟା ମନରେ ଅନେକ ଝଡ଼.ଆଜିଯାଏଁ ସେ ଭାବିଥିଲା ତା ଜନ୍ମ ବେଳେ ତା ବୋଉ (ମାମା )ଓ ବାପା (ଡାଡି )ସହ ତାର ନିଜର ବୋଲାଉଥିବା ଅନେକ ଲୋକ ତାକୁ ସ୍ୱାଗତ କରି ଖୁସି ହୋଇଥିବେ କାରଣ ସେ ଝିଅ ହୋଇ ଜନ୍ମ ହୋଇଥିଲା . ଝିଅ ହେଲେ ଲଷ୍ମୀ ଆସନ୍ତି ଘରକୁ ବୋଲି ସେ ଶୁଣିଛି ଜେଜେମାଆ ନିଜେ ତାକୁ ଅନେକ ଗଳ୍ପ ଓ କବିତା ମାଧ୍ୟମରେ କହିଛନ୍ତି ହେଲେ ଆଜି ତା ମାଆ କୋଳକୁ ପୁଅଟିଏ ଆସିଥିବାରୁ ଘରର ସଦସ୍ୟମାନେ ଏତେ ଖୁସି କେମିତି ମନାଇପାରୁଛନ୍ତି!ରିୟା ମୁଣ୍ଡ ଗୋଳମାଳ ହୋଇଯାଉଥିଲା. ଏଇ ତିନି ଦିନ ଧରି ଝଡ଼ ତୋଫାନ ସାଙ୍ଗକୁ ବାତ୍ୟାର ଆଶଙ୍କା କରି ତାର ସ୍କୁଲ ବନ୍ଦ ଥିଲା ବୋଲି ସେ ଘରେ ଥିଲା.ତା ମାଆ କଷ୍ଟ ପାଉଥିଲେ ଓ ତାର ସବୁକଥା ଜେଜେମାଆ ବୁଝିଲା ବେଳେ ସେ ଦେଖିଲା ଦାମ ମଉସା କ୍ଷୀର ନେଇ ଆସୁଛନ୍ତି. ଜେଜେମାଆ କହିଲେ ଏତେ ଝଡ଼ ତୋଫାନର ବିଭୀଷିକା ହେବା ଆଶଙ୍କା ଭିତରେ ତୁମେ କିପରି ଆସିପାରିଲ ଦାମ!କ୍ଷୀର ନହେଲେ ଆମେ ଅମୁଲରେ ଚଲେଇ ଦେଇଥାନ୍ତୁ. ଛୋଟ ମାଆ ରିୟାଙ୍କର ଅମୂଲ ଅପେକ୍ଷା କ୍ଷୀର ଭାରି ପସନ୍ଦ ବୋଲି ମୁଁ ଜାଣେ.ତେବେ ଆସିବିନି କେମିତି? ତା ଛଡା ଆଉ ଗୋଟେ ଦୁଃଖ କଥା ମାଆ. ମୋ ଛଡା କାଳୀ ଗାଈ ର ଛୁଆ ହେଲା ଯେ କେତେ କଷ୍ଟ କରି ଏ ବର୍ଷାରେ ଦୌଡ଼ିଲି ବଜାର ଓ ଖୋଜିଲି ପଶୁ ଡାକ୍ତର ହେଲେ ମାଆ,ଦୁର୍ଭାଗ୍ୟ କାଳୀ ଗାଈ ଅଣ୍ଡିରା ବାଛୁରୀ ଜନ୍ମ କରିଛି. ଦାମ ଗଉଡ଼ ମଉସା କ୍ଷୀର ଦେଇ ଫେରିଗଲା ପରେ ରିୟା ପଚାରିଥିଲା ଅଣ୍ଡିରା ବାଛୁରୀ ମାନେ କଣ ଜେଜେମାଆ?ତ ଜେଜେମାଆ ତାକୁ ଆଲିଙ୍ଗନାବଦ୍ଧ କରି କହିଥିଲେ ମାନେ ପୁଅ ହେଇଛି. ରିୟା ମୁଣ୍ଡ ଗୋଳମାଳିଆ ହୋଇଗଲା ସେତିକି ବେଳୁ,କାରଣ ତା ମାମା ର ପୁଅଟିଏ ହେଉ ବୋଲି ଜେଜେମାଆ ତାକୁ ଶିଖାଇଆସୁଥିଲେ ଡାକିବାକୁ ଭଗବାନଙ୍କୁ ତ ଏବେ ଦାମ ମଉସାଙ୍କ କାଳୀ ଗାଈ ପୁଅ ଜନ୍ମ କରିଛି ତ ଅସୁବିଧା କୋଉଠି! ଏବେ ସେ ଚମକି ପଡିଲା ଓ ଜେଜେମାଆ କହିଥିବା କଥା ଭୁଲିଯାଇ ତା ମାମାର ଝିଅ ହେଉ ବୋଲି ଭଗବାନଙ୍କୁ ଡାକୁଥିଲା.
   ରିୟା, ଜେଜେମାଆଙ୍କ ସଙ୍ଗେ ହସ୍ପିଟାଲ ଆସିଥିଲା. ମାମା ଲେବର ରୁମରେ କଷ୍ଟ ପାଇ ଆର୍ତ୍ତ ଚିତ୍କାର କରୁଥିଲା ବେଳେ ଡାଡି ଦୌଡ଼ା ଦଉଡି କରୁଥିଲେ ଆଉ ରିୟା ଭଗବାନଙ୍କୁ ଡାକୁଥିଲା ମୋ ମାମାର, ମୋ ପରି ଝିଅ ହେଉ ପ୍ରଭୁ କିନ୍ତୁ କୁଆଁ କୁଆଁ ଡାକରେ ପୁଣି ପୁଅ ଆସିଯାଇଛି ଶୁଣି ଜେଜେମାଆ ଖୁସିରେ ଭାବ ବିହ୍ଵଳ ହୋଇ କାନ୍ଦି କାନ୍ଦି ତାକୁ ଗେଲ କରି ମୋ ପୁଅକଢେଇ ଝିଅ ବୋଲି ଜାକି କୁଣ୍ଢେଇ ପକେଇବା କଥାଟା ତାକୁ କେମିତି କେମିତି ଲାଗୁଥିଲା. ସେ ଭାବୁଥିଲା ପ୍ରଥମରୁ ଭଗବାନଙ୍କୁ ପୁଅ ମାଗି ଆସୁଥିବାରୁ ଶେଷକୁ ଝିଅ ମାଗିଲେ ସେ କଣ ଶୁଣିବେ,କିନ୍ତୁ ଘର ଲୋକଙ୍କ ଗୋଡ଼ ପାଞ୍ଚ ହାତରେ ପଡୁଥିବା ଦେଖି ମଧ୍ୟ ସେ ଖୁସି ହୋଇପାରୁନଥିଲା. ରିୟା କାନରେ ଦାମ ମଉସାଙ୍କ କଥା ଗୁଞ୍ଜରିତ ହେଉଥିଲା ଯେ ଦୁଃଖର କଥା ମାଆ ମୋ କାଳୀ ଗାଈ ର ପ୍ରଥମ ପିଲା, ଅଣ୍ଡିରା ବାଛୁରୀ ମାନେ ପୁଅ ହୋଇଛି. ଏଥର ରିୟା ନିଜକୁ ନିଜେ ବୁଝିଗଲା ଯେ ପ୍ରଥମ ଝିଅ ହୋଇ ପରେ ପୁଅ ହେବା ଉଚିତ. ସେ ଏଥର ଖୁବ ଖୁସି ଥିଲା. ଅନ୍ୟମାନଙ୍କ ସହ ଦୂରରୁ କୁନିଭାଇକୁ ଦେଖି ଖୁସିରେ ବିଭୋର ହେଉ ହେଉ ସେମାନେ ଘରକୁ ଫେରିଥିଲେ ସେଇ ବର୍ଷା, ଝଡ଼ ତୋଫାନ ଭିତରେ.
     ଝଡ଼ର ବିଭୀଷିକା ଝରକା ସେପଟୁ ଦେଖୁଥିଲା ରିୟା. ଜେଜେମାଆ କହିଥିବା ସେଇ ଗଳ୍ପ ତାର ମନେପଡୁଥିଲା ଯେ ଯେତେ ଝଡ଼ ଆସିଲେ ମଧ୍ୟ ପକ୍ଷୀର ନୀଡ଼ ଜମା ଭାଙ୍ଗେନା. ବାଇଚଢେଇ ବସା ଦୋହଲୁଥାଏ ପବନରେ. ଜେଜେମାଆ ଗାଆନ୍ତି ବାଇ ଚଢେଇର କି ଯାଏ... ବାଆ କଲେ ବସା ଦୋହଲୁ ଥାଏ. ସତ କଥା. ସମସ୍ତେ ଘର ଭିତରେ ରହିଛନ୍ତି ଝଡବର୍ଷା ଯୋଗୁଁ ପଦାକୁ ବାହାରୁ ନାଁହାଁନ୍ତି. ରାସ୍ତା ଶୂନଶାନ. ଗୋଟେ ଵି ବାଇକ ଛାଡ଼ ସାଇକେଲ ଯାଉନି କି ପାଦଚଲା ଲୋକ ଦେଖା ଯାଉନାଁହାନ୍ତି. ହଠାତ ରିୟା ଦେଖିଲା ବାଛୁରୀଟିଏ ହମା ହମା ଡାକ ଛାଡି ତାଙ୍କ ଘର ଆଗରେ ଥିବା ସ୍କୁଲ ପାଚେରୀରେ ଲାଗିଥିବା ଅଙ୍କି ଗେଟ ଖୋଲିବାକୁ ଚେଷ୍ଟା କରୁଛି ମୁଣ୍ଡରେ. ଖୋଲୁନି ଅଙ୍କି ଗେଟ, ଭଲରେ ବନ୍ଧା ଯାଇଥିବା ଅଙ୍କି ଗେଟ ଖୋଲିନପାରି ବାଛୁରୀଟି ବର୍ଷାରେ ଏଥର ହ... ମା, ହ... ମା ଡାକି ଯୋଉଠିକି ଯାଉଛି ସେଠୁ ତଡା ଖାଇ ଫେରିଆସି ପୁଣି ଏଣେ ତେଣେ ଦୌଡୁଛି. ରିୟା ଜେଜେମାଆଙ୍କୁ ପଚାରିଲା ତା ଘରକୁ ସେ ଯାଉନି କାହିଁକି!ଜେଜେମାଆ କହିଲେ ତା ଘର କାହିଁ!ତା ଘର କୁଆଡେ ଗଲା ଜେଜେମାଆ? ତା ମାଆ ଗାଈ ଓ ଦାମ ମଉସାଙ୍କ ପରି ଗୁହାଳ ମାଲିକ ତାକୁ ଖୋଜୁନାଁହାନ୍ତି କାହିଁକି? ଜେଜେମା କହୁଥିଲେ ସେ ପୁଅ ହୋଇ ଜନ୍ମ ହେଲା ପୁଣି କୁଜ ଥିଲା ପିଠିରେ ତ ଷଣ୍ଢ ବୋଲି ଜାଣି ତାକୁ ତଡିଦିଆଯାଇଛି. ଶୀହରି ଉଠିଲା ରିୟା. ମାମା ପାଖକୁ ଦଉଡି ଯାଇ ଭାଇକୁ କୁଣ୍ଢେଇ ପକେଇ କହୁଥିଲା ନା ନା ମୋ ଭାଇ ଏଇଠି ମୋ ସଙ୍ଗେ ରହିବ ସବୁଦିନ. ମାମା କିଛି ବୁଝିନପାରି ରିୟାକୁ କୋଳ କରିନେଲା ବେଳେ ଜର ତାତିରେ ରିୟା ଦେହରେ ଖଇ ଫୁଟୁଥିଲା.ବାହାରେ ଝଡ଼ ବିଭୀଷିକା ଭିତରେ ଛୁଆ ଷଣ୍ଢଟିର ହମା ହମା ଡାକ ଜେଜେମାଆଙ୍କ ଝରକା ଦେଇଦେବା ଯୋଗୁଁ କ୍ଷୀଣ ହୋଇଆସୁଥିଲା. ପ୍ରଭୁହେ ତାକୁ ରକ୍ଷା କର କହି ଜେଜେମାଆ ରିୟା ସେବାରେ ଲାଗିପଡ଼ିଥିଲା ବେଳେ ସେ କହୁଥିଲା ମୋ ଭାଇ ମୋ ପାଖରେ, ଆମ ଘରେ ରହିବ ନା ଜେଜେମାଆ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract