ବୋଉର ଏ ଭିତରେ ଚାଲିଯିବାର ବର୍ଷେ ହୋଇସାରିଥିଲା ତ ଭାଇ ଓ ଭଉଣୀ ଆମେ ଦୁହେଁ ଘରେ ପହଁଞ୍ଚି ଯାଇଥିଲୁ. ବାପା କିନ୍ତୁ ସମ୍ପୂର୍ଣ୍ଣ ବଦଳି ଯାଇଥିଲେ ଏ ଭିତରେ. ନା କାହା ସଙ୍ଗେ କଥା ହେଉଥିଲେ ନା କାହା ଘରକୁ ଯାଉଥିଲେ ନା ଭାଗବତ ଟୁଙ୍ଗୀରେ ଥିଲେ ସନ୍ଧ୍ୟାରେ ନା ସକାଳେ ବଗିଚା କାମ କରୁଥିଲେ ନା ଗୁରୁବାର ରାତିରେ ସତ୍ୟସାଇ ଭଜନ ସମାରୋହ କରୁଥିଲେ. ବୋଉ ଚାଲିଗଲା ବୋଲି ବାପା ଯେ ଏସବୁ ନକରି ନିରବୀ ଯାଇଛନ୍ତି ବୋଲି ବି ଭାବି ପାରୁନଥିଲା ଝିଅ ମିନୁ.
ବାପା ବୋଉ ଉପରେ ଖାଲି ବିରକ୍ତ ହେବା ଛଡା ତଥା ବୋଉକୁ ତା ବାପା ଭାଇ ଓ ତା ମାଆ ମୋ ଜୀବନ ନଷ୍ଟ କରିଦେଲେ ବୋଲି ଆଘାତ ପରେ ଆଘାତ ଦେଇ ଚାଲିବା ଛଡା ବୋଉ ଯୋଗୁଁ ସେ ବିଗିଡି ଗଲେ, ପୁଅ ଓ ଝିଅ ବିଗିଡି ଗଲେ ତଥା ତାଙ୍କ ଭରା ଭରା ପରିବାର ଉଜୁଡି ଗଲା ବୋଲି କହିଥାଆନ୍ତି. ଏତେ କଥା ଶୁଣିବା ପରେ ବି ବୋଉ ବାପାଙ୍କ ପାଇଁ କଞ୍ଚାଗୁଣ୍ଡି, ବିନା ଖଇର ପକା ତଥା ଅଳ୍ପ ଚୂନ ଦିଆ ପାନ ବାରଟା ଲେଖାଏଁ ଭାଙ୍ଗୁଥାଏ ଥରକୁ ଥର.ପୁଣି ବାପାଙ୍କ ମନଜାଣି ଚା ପ୍ରତି ଦୁଇଘଣ୍ଟା ଅନ୍ତରରେ ଦେଉଥାଏ ତ ମଧ୍ୟାହ୍ନ ଭୋଜନରେ ସଜାଡୁଥାଏ ବାଇଗଣ ଓ ଜହ୍ନି ପକା ମୁଗ ଡାଲମା ସାଙ୍ଗକୁ ସୋରିଷ ଦିଆ କଲରା ଭଜା, ପିତାଶାଗ, ଦହି ବାଇଗଣ ପୁଣି କଖାରୁ ଫୁଲ ପୀଠଉଦିଆ ବରା. ଆଉ ସନ୍ଧ୍ୟାରେ ମୁଢି ସାଙ୍ଗକୁ ମିକ୍ସଚର ପଡି ଭୃସୁଙ୍ଗା ପତ୍ର, କଞ୍ଚା ଲଙ୍କା ଓ ପିଆଜ ବଘରା ପାଗ ପୁଣି ରାତିକୁ ରୁଟି କ୍ଷୀର ସାଙ୍ଗକୁ ଭଳି ଭଳି ଚାଖେଣା. ଏତେ କଥା କରୁଥାଏ ବୋଉ କେମିତି କେଜାଣି ବୋଲି ଭାବେ ମିନୁ. ଏବେ ବୋଉ ନାହିଁ ତ ତା ହାତ ଲଗା ଆମ୍ବ ଗଛ ସହ କଥା ହୁଅନ୍ତି ବାପା . ତା ଉପରେ ହଳଦିବସନ୍ତ ପକ୍ଷୀ ଦେଖିଲେ ବୋଉ ଆସିଛି କହି ଖୁସି ହୁଅନ୍ତି. ଏତେ ସବୁ ପରିବର୍ତ୍ତନ ବୋଉ ପାଇଁ ବୋଲି ଭାବିହେଉନଥିବା ବେଳେ ତା ବର୍ଷିକିଆରେ କି କାନ୍ଦ ବାପାଙ୍କର!ପୁଅ ଝିଅ ହିସାବରେ ବି ଭାଇ ଭଉଣୀ ଏତେ କାନ୍ଦିନଥିବେ.
ମିନୁ ଶାଶୁ ଘରକୁ ଫେରିଯିବା ପୂର୍ବରୁ ବୋଉର କାନଫୁଲ ଦୁଇଟା ତାକୁ ଦେଇ ବାପା କହିଥିଲେ ତୋ ବୋଉର ସନ୍ତକ ତୁ ନେଇଯା.ହେଲେ ମିନୁ ସେ ଦୁଇଟି ନନେଇ କହିଥିଲା ମତେ ଯାହା ଦେବା କଥା ଦେଇ, ବୋଉ ମତେ ଶାଶୁଘରକୁ ବାହା କରି ବିଦା କରିସାରିଲା ପରେ ବୋଉର ଜିନିଷ କେବଳ ଭାଉଜଙ୍କ ଅଧିକାର ବାପା. ମିନୁ କଥା ଶୁଣି ବାପା ଖୁଡିଙ୍କୁ କହୁଥିଲେ ଦେଖିଲ ସାନବୋହୁ ମୋ ଝିଅକୁ ତା ମାଆ କେମିତି ସଂଠଣା ଶିଖେଇଛି!ମିନୁର ଭାଉଜ ଲିପି ମଧ୍ୟ କାନଫୁଲ ଦୁଇଟି ନନେଇ ମାଆଙ୍କ ଜିନିଷ ତାଙ୍କ ଝିଅ, ମିନୁଙ୍କର ଏହା ଅଧିକାର ବୋଲି କହିବା ଶୁଣି ବାପା କହୁଥିଲେ ଖାଲି ଝିଅକୁ ସଣ୍ଠଣା ନୁହେଁ ବୋହୁକୁ ସଂସ୍କାର ବି ଶିଖେଇଛି ତ ମିନୁର ଭାଇ ବାହାରି ଆସି କହୁଥିଲା ବୋଉର ଜିନିଷ ସବୁ ଝିଅ କି ବୋହୁ ନୁହେଁ ବରଂ ବାପାଙ୍କର ଅଧିକାର ତ ବାପା ପୁଣି ଭାଇକୁ ବୋଉ କେମିତି ସଂସ୍କୃତି ଶିଖେଇଛି ବୋଲି ଖୁଡିଙ୍କୁ କହିବା ଶୁଣି ଭାଇ ଭଉଣୀ ଦୁହେଁ କଥା ହେଲାବେଳେ, ମିନୁର ଭାଉଜ ଲିପି କହୁଥିଲା ପ୍ରାଣୀର ଭଲମନ୍ଦ ବାଣୀ.. ମରଣ ପରେ ତାହା ଜାଣି ବୋଲି ବଡ଼ପୁରୁଷ କହିଛନ୍ତି ପରା. ଏଥର ବାପା ଆମ୍ବଗଛକୁ ଜାବୁଡି ଭୋ ଭୋ କାନ୍ଦୁଥିବା ଦୃଶ୍ୟ ଭିତରେ ମିନୁ ବିଦା ହୋଇଥିଲା ସିନା କିନ୍ତୁ ବୁଝିଯାଇଥିଲା ବାପା ବୋଉକୁ କେତେ ଭଲ ପାଉଥିଲେ ବୋଲି.