ପୁରା ଚୁପ
ପୁରା ଚୁପ
ଇତିହାସ ବିଭାଗର ପ୍ରଫେସରଙ୍କ ବିଦାୟୀ କାଳୀନ ଦୃଶ୍ୟ ଖୁବ ଦୁଃଖଦ ଥିଲା. ପଢିବା ଓ ପଢେଇବା ପୁଣି ଇତିହାସର ତର୍ଜ୍ଜମା କରୁ କରୁ ସେ ସଂସାର ଭୁଲିଯାଇଥିଲେ. ସଂସାର ପାଇଁ କିଛି କର୍ତ୍ତବ୍ୟ ଅଛି ବୋଲି ମଧ୍ୟ ଭାବିପାରୁନଥିଲେ ବୋଲି ସ୍ତ୍ରୀ ପ୍ରିୟମ୍ବଦା କୁକୁରଟିଏ ଘରକୁ ନେଇଆସିଥିଲେ. ତାର ଜାତି, ପ୍ରଜାତି, ଜନ୍ମସ୍ଥଳୀ ଆଦିର ଠିକଣା ଭୁଲି ସେ ପ୍ରଫେସର ବିନୋଦଙ୍କ ଘରର ସଦସ୍ୟ ହୋଇଗଲା. ସ୍ତ୍ରୀଙ୍କର ସେ ଜୀବନ ଧନ ଥିଲା. ପୁଅର ଖେଳ ସାଥି ଓ ଝିଅର ବଡ଼ିଗାର୍ଡ କହିଲେ ଅତ୍ୟୁକ୍ତି ହେବନାହିଁ. ସକାଳୁ ସକାଳୁ ପ୍ରିୟମ୍ବଦା ତା ରୁଟି କ୍ଷୀର କି କ୍ଷୀର ବିସ୍କୁଟ ସଜାଡି ରଖୁଥାନ୍ତି ସିନା ଭାଲୁ ଗିନାରେ କିନ୍ତୁ ଭାଲୁ ଛକି ବସିଥାଏ ବଲ ଓ କ୍ରିକେଟ ରଖାଥିବା ସ୍ଥାନରେ. ପୁଅ ରୁଦ୍ର କେବେ ଟିଫିନ ସାରି ଆସିଲେ ପଡିଆ ଭିତରେ ତାର ମଧ୍ୟ ଟିକେ ଶାରୀରିକ ବା୍ୟାମ ହେଇଯିବ. ସେମିତି ଝିଅ ରୁଦ୍ରାଣୀ ସାଇକେଲ ନେଇ କଲେଜ ଗଲେ ତା ପଛରେ ଗୋଡ଼ାଇଥିବ କଲେଜ ଯାଏଁ ଓ ଫେରିବ ସେ କଲେଜରୁ ଆସିଲେ. ପରିବାରର ସ୍ତ୍ରୀ, ପୁଅ, ଝିଅଙ୍କ ସଙ୍ଗେ ତାର ଏତେ ଭାବ ଭିତରେ ପ୍ରଫେସର ବିନୋଦଙ୍କ ସଙ୍ଗେ କଣ କିଛି ସଦ୍ଭାବ ନଥିଲା!ଥିଲା. ଜଗିଥିବ କ୍ଵାଟରରେ ବିନୋଦଙ୍କ କାର ଲାଗିବା ଯାଏଁ.ବିନୋଦଙ୍କ କଲେଜ ଫେରନ୍ତି କାର ଲାଗିଗଲେ କି ଉନ୍ମତ୍ତ ସିଏ!ବିନୋଦ ବସି ପଢାପଢିରେ ବ୍ୟସ୍ତ ଥିବା ବେଳେ ଦୂରରୁ ନିରୀକ୍ଷଣ କରୁଥାଏ ଭାଲୁ. କେବେ କେମିତି ଗୋଟେ ଦିଟା ସିଗ୍ରେଟ ପିଇଲେ କିଛି ପ୍ରତିକ୍ରିୟା ପ୍ରକାଶ କରୁନଥିବା ଭାଲୁ କିନ୍ତୁ ତିନିଟାରେ ମ୍ୟାଚିସ ଲାଗିଲେ ଭୁକେ ଏମିତି ଯେମିତି ବିନୋଦଙ୍କୁ କରୁଥାଏ ଆକଟ. ଖାଲି କଣ ସେତିକି ରାତିରେ ହୁଇସ୍କ ବୋତଲ ଖୋଲି ଗୋଟେ ପେଗ ପିଇ ଦ୍ୱିତୀୟ ପେଗ ନେବାକୁ ଯିବାବେଳେ ଉଠିଆସେ ଭାଲୁ ପାଖକୁ ଆଉ ହାତ ରଖେ ବିନୋଦଙ୍କ ହାତରେ. ତ ତା ଉଦେଶ୍ୟ ବୁଝନ୍ତି ବିନୋଦ ଓ ରଖିଦିଅନ୍ତି ହୁଇସ୍କ ବୋତଲ. ଖାସ ସେଇଥିପାଇଁ ପ୍ରିୟମ୍ବଦାଙ୍କର ଅତି ପ୍ରିୟ ଭାଲୁ. ଖୁବ ଗେଲ କରନ୍ତି ତାକୁ. ଭାଲୁ ମଧ୍ୟ ବାହାରୁ ଗାଳି କି ଟେକା ମାଡ଼ ଖାଇ ଆସିଥିଲେ ଭିଡୁଥାଏ ପ୍ରିୟମ୍ବଦାଙ୍କ ପଣତ. ଯେମିତି ଛୋଟ ଛୁଆ ମା ପାଖରେ ଅଭିଯୋଗ କରନ୍ତି ମତେ ସିଏ ମାରିଛି କି ଠେଲିଦେଇଛି ତୁ ଆସେ ବୁଝିବୁ. ପ୍ରିୟମ୍ବଦା ଵି ଦଉଡିଯାଆନ୍ତି କ୍ଵାଟର ଆଗକୁ ଆଉ ଦି ପଦ ଶୁଣେଇ ଦିଅନ୍ତି ଭାଲୁକୁ ଆମ ଅଲକ୍ଷରେ ଯିଏ ବାଡେଇଛି କି ବକିଛି ଅବା ଟେକା ପକେଇଛି ତାର ସର୍ବନାଶ ହେଉ. ସ୍ତ୍ରୀଙ୍କୁ ଆକଟିବାକୁ ଉଠି ଯାଉ ଯାଉ ବିନୋଦ ବାବୁଙ୍କୁ ରୋକୁଥାଏ ଭାଲୁ. ବ୍ୟକ୍ତିଗତ ଜୀବନର ଏଇ ଇତିହାସ ପୁନଃ ପୁନଃ ପ୍ରକଟିତ ହେଉଥିଲା ବେଳେ ବିନୋଦ ଭାବନ୍ତି ଲିଖିତ ଇତିହାସ ମଧ୍ୟ ଏମିତି କିଛି ଘଟିଯାଇଥିବା ବିବୃତି, ଘଟଣା ପ୍ରବାହର କିମ୍ବଦନ୍ତୀ. ତାହାକୁ କିଏ ବଦଳାଇବ!
ବ୍ୟକ୍ତିଗତ ଭାବେ ପ୍ରତିଦିନର ଇତିହାସ କିନ୍ତୁ ବଦଳିଲା ବିନୋଦ ବାବୁଙ୍କ ପରିବାରରେ. ସ୍ତ୍ରୀ ଲାଗିଗଲେ ସେଇ ଅଫେରା ରାଇଜକୁ, ଯୋଉଠିକୁ ଥରେ ଗଲେ ଆଉ କେହି ଫେରେନା, ପୁଅର ଚାକିରୀ ହୋଇଗଲା ଆଉ ଝିଅର ବାହାଘର ପରେ ଝିଅ ଚାଲିଗଲା ଶାଶୁଘର . ଲୋକେ ଓ ସହକର୍ମୀମାନେ କହିଲେ ବିନୋଦ ବାବୁ କପାଳିଆ. ଚାକିରୀ ଥିବା ଭିତରେ ସ୍ତ୍ରୀ ଅହିସୁଲକ୍ଷଣି ହୋଇ ଗଲେ, ପୁଅର ଚାକିରୀ ହେଇଗଲା ଓ ଝିଅର ବିଭାଘର. ବାକି ରହିଲା ପୁଅର ବାହାଘର ଯେ, ସେଇଟା କୋଉ ବଡ଼କଥା!ପୁଅ ତା ପସନ୍ଦରେ ଝିଅ ଖୋଜି ବିବାହ କରିନେବ. ଏତେସବୁ ମନ୍ତବ୍ୟ ଶୁଣି ବିନୋଦ ବାବୁ ଏକଦମ ଚୁପ ରହୁଥିଲେ କାରଣ ଭାଲୁ ଥିଲା ତାଙ୍କର ଏକମାତ୍ର ସାହାରା. ସ୍ତ୍ରୀଙ୍କ ଭଳି ଜଗିରହୁଥିଲା କଲେଜରୁ ଫେରିବା ଯାଏଁ. ସଚେତନ ଥିଲା ପୁଅ ଭଳି ଯେ ସିଗାରେଟ ଖାଇଲେ ସ୍ୱାସ୍ଥ୍ୟ ବିଗିଡ଼ିଯାଇପାରେ ପୁଣି ହୁଇସ୍କ ଅଧିକ ପେଗ ନେଲେ ଝିଅ ଭଳି ଅଭ୍ୟାସ ବଦଳେଇ କେବେ ହାତ ଉପରେ ହାତ ରଖି ବାରଣ କରୁଥିଲା ତ କେବେ କେବେ କାଚ ଗ୍ଲାସଟିକୁ ଝଣ ଝଣ କରି ତଳେ ପକେଇ ଭାଙ୍ଗୁଥିଲା. ଏସବୁ ଭିତରେ ବିନୋଦଙ୍କର ଅବସର ଆସିଯାଇଥିଲା ତ ତାଙ୍କୁ ଫେରିବାକୁ ହେବ. କ୍ଵାଟର ଛାଡିବାକୁ ପଡିବ.ନିର୍ଦ୍ଦିଷ୍ଟ ଦିନ ଟ୍ରକ ଲାଗିଲା, ଜିନିଷ ପତ୍ର ନଦା ହେଲା. ବିନୋଦ ବାବୁ ଏଥର ଭାଲୁ ବେକରେ ଶିକୁଳି ଲଗାଇ ଟାଣି ଧରିଲେ ଓ ଆଖିରେ ଆଖି ମିଶାଇ ସେଇ ମିଠି ମିଠି ଭାଷା କହୁଥିଲେ. ଚାଲ ଭାଲୁ. ତୋର ମୋର ମିଶି ନୂଆ ଘରେ ପୁଣି ନୂଆ ସଂସାର ବସେଇ ନୂଆ ଇତିହାସ ରଚିବା. ଭାଲୁ କିନ୍ତୁ କୁଁ କୁଁ ହେଲା. ଟାଣି ଟୁଣି ଶିକୁଳି ଫିଟାଇଲା ଓ ଫିଟି ଯାଇ ଟିକେ ଦୂରରେ ଠିଆ ହୋଇ କୁଁ କୁଁ ହୋଇ ଲୁହ ଗଡେଇ ଚାଲିଥିଲା କିନ୍ତୁ ପାଖକୁ ଗଲେ ଦଉଡି ପଳାଉଥିଲା ତ ସହକର୍ମୀ ଓ ପୁରୁଣା ଛାତ୍ର ମାନେ ବ୍ୟସ୍ତ ହେଲେ. ପରେ ଆସି ଭାଲୁକୁ ନେଇଯିବେ କହିଲେ. ଟ୍ରକ ଛାଡିଦେଲା. ବିନୋଦ ବାବୁଙ୍କ ଜୀବନରୁ ଜଣଙ୍କ ପରେ ଜଣେ ଅପସରି ଯିବା ଓ ଶେଷକୁ ଭାଲୁ ତାଙ୍କ ସଙ୍ଗେ ନଆସିବା ସବୁକୁ ନେଇ ସେ ଇତିହାସରୁ ସାହିତ୍ୟିକ ହୋଇଗଲେ ସତ କିନ୍ତୁ ଭୁଲିପାରିନଥିଲେ ଭାଲୁକୁ.ଏକଦମ ଚୁପ ଥିଲେ ଏଯାବତ.
ପୂଜା ଛୁଟି ହେଲେ ମଧ୍ୟ ସବୁ ପୁରୁଣା ଛାତ୍ର, ଛାତ୍ରୀ ଓ ସହକର୍ମୀମାନେ ତାଙ୍କୁ ନିମନ୍ତ୍ରଣ କରିଥିଲେ ସେହି ପୁରୁଣା ତଥା କର୍ମସ୍ଥଳୀକୁ.ତ ଭାଲୁକୁ ଦେଖିବା ଆଶାରେ ବିନୋଦ ନିଜର ସବୁ ପ୍ରୋଗ୍ରାମ କ୍ୟାନ୍ସଲ କରି ଆସିଥିଲେ. ନୂଆ ଇତିହାସ ଅଧ୍ୟାପକ ତାଙ୍କ ପୁରୁଣା କ୍ଵାଟରରେ ନୂଆ ରହୁଥିଲେ ଵି ସେ ପ୍ରଥମେ ସେଠି ପହଁଞ୍ଚି ଭାଲୁକୁ ଖୋଜୁଥିଲେ. ଦେଖିଲେ ଗୋଟେ ଢେଙ୍ଗଡ଼ା କଳା ମାଈ କୁକୁର ଓ ଛୁଆ ଚାରିଟା ଭିତରେ ଭାଲୁର ଅବସ୍ଥା ନାହିଁ ଅର୍ଥାତ ଭୋକିଲା ଓ ଦୁର୍ବଳ . ଯିଏ ଦିନେ ତାଙ୍କୁ ଭୁକି ସିଗାରେଟ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବ ଓ ଅଧିକା ପେଗ ନେଲେ ସ୍ୱାସ୍ଥ୍ୟ ବିଗିଡି ଯିବ ବୋଲି କେବେ ଭୁକି ତ କେବେ ତାଙ୍କ ହାତ ଉପରେ ହାତ ରଖି ବାରଣ କରୁଥିଲା ଆଜି ତାର ଭଗ୍ନ ସ୍ୱାସ୍ଥ୍ୟର କାରଣ ତା ପରିବାର ଓ ସେହି ପରିବାର ପାଇଁ ସେ ତାଙ୍କ ସଙ୍ଗେ ଯାଇନଥିଲା ସେଦିନ ବୋଲି ହୃଦୟଙ୍ଗମ କରି ଫେରିଆସିଲା ବେଳେ ଭାଲୁ ଆଖିରେ ଆଖିଏ ଲୁହ ନେଇ ତାଙ୍କ ପାଦ ଚାଟିଥିଲା କେବଳ ଚୁପଚାପ . ସତେ ଯେମିତି କହୁଥିଲା ମତେ କ୍ଷମା କରିଦିଅ ପ୍ରଫେସର.
