Nityananda Sahu

Tragedy Inspirational Thriller

5.0  

Nityananda Sahu

Tragedy Inspirational Thriller

ସ୍ୱପ୍ନର ମରୀଚିକା

ସ୍ୱପ୍ନର ମରୀଚିକା

15 mins
425



ଜୀବନରେ ଦେଖିଥିବା ପ୍ରତି ଟି ସ୍ୱପ୍ନ ପୂରଣ ହୁଏ ନାହିଁ । କିଛି ଆଶା ଆଶାରେ ରହିଯାଏ । ମାୟା ମୃଗ ଶିକାରୀ କରିବା ପରି ସ୍ୱପ୍ନର ମରୀଚିକା ଭିତରେ ଥରେ ମଣିଷ ନିଜକୁ ହଜାଇ ଦେଲେ, ସାକାର ନ ହେବା ଯାଏଁ ତାର ପିଛା ଛାଡେ ନାହିଁ । ଜନ୍ମ ଠାରୁ ମୃତ୍ୟୁ ଯାଏ ଆମେ ଅନେକ ସ୍ୱପ୍ନ ନିଜେ ଦେଖିଥାଉ ତ ଆଉ କିଛି ଅନ୍ୟ ମାନଙ୍କ ଆଖିରେ ନିଜ ପାଇଁ ଦେଖିବାକୁ ପାଇଥାଉ । ଆଜି ଏମିତି ଏକ ସ୍ୱପ୍ନ କୁ ପିଛା କରି , ଥକି ପଡିଛି ମୁଁ ବୟସର ରାଜ ରାସ୍ତାରେ । ରାତି ପ୍ରାୟ ବାର ଟା ହେବ। ଅମାବାସ୍ୟା ର କରାଳ ଅନ୍ଧାର ଆଜି ସମଗ୍ର ସଂସାର କୁ ଚିର ନିଦ୍ରାରେ ଯେମିତି ଗ୍ରାସ କରିଛି ।ହେଲେ ଆଖିରେ ମୋ ନିଦ ନାହିଁ। ମେଡ଼ିକାଲ ର ବେଡ଼ ଉପରେ ଶୋଇ ରହି ନୀରବରେ ଚିତ୍କାର କରୁଛି। ମତେ ବଞ୍ଚାଅ । ହେଲେ କେହି ମୋ ନିରବ ଚିତ୍କାର କୁ ଶୁଣି ପାରୁ ନାହାନ୍ତି । ଦେହରେ ପ୍ରବଳ ତାତି । ମଝିରେ ମଝିରେ ପ୍ରବଳ କାଶ ହୋଇ ଛାତିରେ ଯନ୍ତ୍ରଣା ଅନୁଭବ ହେଉଅଛି। ନିଶ୍ୱାସ ପ୍ରଶ୍ୱାସ ହେବାର ଅସୁବିଧା ହେଉଅଛି। କୁଆଡେ ଯିବି ,କାହାକୁ ବା ସାହାଯ୍ୟ ମାଗିବି ! କେହି ନିଜର ହୋଇ ଥିଲା ପରି ମନେ ହେଉ ନାହିଁ । ଜୀବନର ଆୟୁଷ ଦୀପରୁ ତୈଳ ଯଦି ଶୀଘ୍ର ସରି ଯାଆନ୍ତା। ତେବେ ମୋ ଆତ୍ମା କୁ ଶାନ୍ତି ମିଳି ପାରନ୍ତା । ହେଲେ କେଉଁ ଜନ୍ମରେ କି ପାପ କରିଥିଲି କେଜାଣି , ଏ ଜନ୍ମରେ ଆଜି ମୁଁ ବେସାହାରା ହୋଇ ରହିଗଲି ।

  ଭାଗ୍ୟ କୁ ବା ନିନ୍ଦା କରି କି ଲାଭ ! କର୍ମ କଲା ବେଳେ ଭଲ ମନ୍ଦ ପରଖି ପାରିଲି ନାହିଁ । ଆଜି ନିଶ୍ଚୟ କେଉଁ ପାପ ଫଳର ଭୋଗ ଅବଶ୍ୟ କରୁଛି।

    ଆଜି ଯଦି ବୋଉ ପାଖରେ ଥାନ୍ତା ,ତେବେ ମୋ ମୁଣ୍ଡ ଆଉଁସି ଦେଇ କେତେ ସେବା ଶୁଶ୍ରୁଷା କରି ନ ଥାନ୍ତା ମୋର । ହେଲେ ପରିବାର କୁ ବି ହରେଇ ଦେଲି । କେଉଁ ମୁହଁ ନେଇ ଆଜି ସେ ସମ୍ପର୍କ ର ପରିଭାଷା କଥା କହୁଛି ,ନିଜେ ବି ମୁଁ ଜାଣେ ନାହିଁ । ମମତାର ବନ୍ଧନରୁ ଯେତେବେଳେ ମୁକୁଳି ଆସିଲି , ସେତେବେଳେ ବି ଆଗପଛ ବୁଝି ପାରିଲି ନାହିଁ । 

   ଆଜି ଆଖିର ଅଶ୍ରୁରେ ମୋ ଅତୀତ ଘୃଣି ଝଡ଼ ସାଜି ବର୍ଷିବା କୁ ଲାଗିଲାଣି। 


   ସେ ଦିନ ବୋଉ ମୋର କେତେ ଖୁସି ହୋଇ ନ ଥିବ। ଯେଉଁ ଦିନ ଦଶ ମାସ ମତେ ଗର୍ଭ ରେ ଧରି ଜନମ ଦେଇଥିଲା। ତା ଆଖିର ଲୁହ ମୁଁ କୁଆଡେ ପୋଛି ଦେବି ବୋଲି କେତେ ଲୋକଙ୍କୁ ସେ କହିଥିବ। ହେଲେ ମୁଁ କୁଳାଙ୍ଗାର , ମୋ ମାଆର ଶେଷ ସମୟ ଯାଏଁ ବି ତା ପାଖରେ ରହି ପାରିଲି ନାହିଁ ।

  ନିଜ ଉପରେ ଧିକ୍କାର ଆସୁଛି। ଏମିତି ପୁଅ ଜଗତେ କେଉଁ ମାଆ କୁ ନ ଦିଅ ପ୍ରଭୁ । ମୁଁ ଜନ୍ମ ହେଲା ପରେ ବାପା ବୋଉ ଦୁହେଁ ବହୁତ ଖୁସି ହେଇ ଥିଲେ। ଗାଁ ରେ ଥିବା ଆମର ଜମିରେ ଚାଷ କାମ କରି ବାପା ହାଟରେ ପରିବାର ବିକି ଘର ଚଳାନ୍ତି। ବାପାଙ୍କୁ ଚାଷ ବାସ କାମରେ ବୋଉ ବହୁତ ସାହାଯ୍ୟ କରେ । ସମୟ ସହ ବୟସ ମୋ ବଢି ଚାଲିଥାଏ । ଭଲ ପାଠ ହେଉ ନ ଥିଲେ ବି କଷ୍ଟେ ମଷ୍ଟେ ଦଶମ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲି । ସବୁବେଳେ କଠିନ ପରିଶ୍ରମ କରିବା ଦ୍ୱାରା ବାପା ଙ୍କର ଦେହ ଖରାପ ହେବାକୁ ଲାଗିଲା। ବାପା ଥିଲେ ଆମ ଘରର ମେରୁଦଣ୍ଡ। ତାଙ୍କ ହାତ ଚଳିଲେ ଆମ ପେଟ କୁ ଦାନା ମିଳୁଥିଲା। ବାପା ଙ୍କର ପରିବା ବେପାରକୁ ଆଗକୁ ବଢିବାକୁ ସ୍ଥିର କଲି। ବୋଉ ପ୍ରଥମରୁ ରାଜି ହେଉ ନଥିଲେ ବି ଘରର ପରିସ୍ଥିତି ପାଇଁ ବାଧ୍ୟ ହୋଇ ହଁ ମାରିଲା। ବେପାର କରିବା ସହ ପାଠ ଜାରି ରଖିବା ଉଦ୍ଧେଶ୍ୟରେ ଗାଁ କଲେଜରେ ଯୁକ୍ତ ଦୁଇ କଳା ବିଭାଗରେ ନାଁ ଲେଖାଇଲି ।

   ମୁଁ ସାପ୍ତାହିକ ହାଟ ମାନଙ୍କରେ ପରିବା ବିକିବା ଦ୍ୱାରା କିଛି ଟା ଆର୍ଥିକ ପରିସ୍ଥିତି ଆମର ଭଲ ହେବାକୁ ଲାଗିଲା। ବାପା ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାରୀ ମେଡ଼ିକାଲ କୁ ନେଇ କି ଯିବାରୁ ,ସେଠାରେ ପରୀକ୍ଷା କରି ଜାଣିଲି ବାପା ଙ୍କର ଫୁସଫୁସରେ କ୍ୟାନ୍ସର ହେଇଛି । ଅଧିକ ପରିମାଣରେ ତମାକୁ ଖାଇବା ସହ ବିଡ଼ି ଟାଣୁଥିଲେ। ଆଜି ତାର ପରିଣାମ ସ୍ୱରୂପ ଏତେ ବଡ଼ ରୋଗ ତାଙ୍କ ଦେହରେ ବାହାରିଛି। ଦୁଃଖରେ ଭାଙ୍ଗି ପଡିଲି। ଅପରେସନ ପାଇଁ ଡାକ୍ତର ମନା କଲେ। କହିଲେ ଏ ରୋଗ ଏବେ ଶେଷ ଷ୍ଟେଜରେ ଅଛି। କେବଳ ଔଷଧ ହିଁ ତାଙ୍କ ଜୀବନ କିଛି ଦିନ ବଞ୍ଚାଇ ରଖି ପାରିବ । ଶେଷରେ ବାପା ଙ୍କୁ ମେଡ଼ିକାଲ ରୁ ଘରୁକୁ ଧରି ଆସିଲି। ଏବେ ପରିବାର ଚଳେଇବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉ ନ ଥିଲା, ତା ଠାରୁ ଦୁଇ ଗୁଣା ବାପା ଙ୍କର ଔଷଧ ରେ ଖର୍ଚ୍ଚ ହେଉ ଥିଲା। ସାପ୍ତାହିକ ହାଟରେ ବି ଏତେ ଟଙ୍କା କୁଆଡୁ ରୋଜଗାର ହେବ। ସେଥିପାଇଁ ମୁଁ ଚିନ୍ତାରେ ପଡ଼ିଗଲି। ବୋଉ, କାନ୍ଦି କାନ୍ଦି ଖାଲି କହୁଥାଏ ମୋ ପରିବାର ଭାସି ଗଲା ବୋଲି ।

  ଏହା ଭିତରେ ମୋର ପ୍ରେମ ସମ୍ପର୍କ ଗଢି ଉଠିଥାଏ ସବିତା ସହ। ଗାଁ ଟା ଭିତରେ ସେ ହିଁ ସୁନ୍ଦରୀ ଦେଖିବା ପାଇଁ। ତାର ହରିଣୀ ଆଖି ଆଉ ଗଜ ଗାମିନୀ ଚାଲି ଦେଖି ମୁଁ ତା ପ୍ରେମରେ ପଡି ସାରିଥାଏ। ସବିତା ଛୁଆଟି ବେଳରୁ ମାଆକୁ ତାର ହରାଇ ଥାଏ । ସାବତ ମାଆ ତା' ଉପରେ ସବୁବେଳେ ଅଯଥା କଥାରେ ଅତ୍ୟାଚାର କରେ । ଦିନେ ଦିନେ ତାର ଖାଇବା ପିଇବା ବି ବନ୍ଦ କରି ଦିଏ। ତାର ଏ ଅତ୍ୟାଚରକୁ ମୋ ହୃଦୟ ସହି ପାରେ ନାହିଁ । ସବିତା କିନ୍ତୁ ପାଠ ଭଲ ପଢେ। ଦଶମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଥିଲା। ବାପା ତାର ରାଜ ମିସ୍ତ୍ରୀ କାମ କରନ୍ତି। ଆମ ପରିବାର ଅପେକ୍ଷା ତାଙ୍କର ଆର୍ଥିକ ସ୍ଥିତି ବହୁତ ଭଲ । ସେଥିପାଇଁ ମୁଁ ପଢ଼ୁଥିବା କଲେଜରେ ସେ ଯୁକ୍ତ ଦୁଇ ବିଜ୍ଞାନ ରେ ନାଁ ଲେଖେଇଛି। ତା ବାପା ଙ୍କର ଝିଅ ଉପରେ ପ୍ରଗାଢ ବିଶ୍ୱାସ ଅଛି ଯେ ସବିତା ବଡ଼ ହୋଇ ସରକାରୀ ଚାକିରୀ ଖଣ୍ଡେ ନିଶ୍ଚୟ ପାଇବ। ସେଥିପାଇଁ ସବିତାକୁ ତାର ବାପା ବହୁତ ଭଲ ପାଆନ୍ତି। ସେଥିପାଇଁ ସବିତାର ସାବତ ମାଆ ଆଖିରେ ଏ ସବୁ ଯାଏ ନାହିଁ । 

   ଦୁହେଁ ଦୁହିଁଙ୍କୁ ଯେବେ ଠାରୁ ପସନ୍ଦ କରିବାକୁ ଲାଗିଛୁ। ସେବେଠୁ ଦୁହେଁ ଦୁହିଁଙ୍କର ଭଲ ମନ୍ଦ କଥା ହେଉ। ସବିତା ପାଇଁ ମୁଁ ବେପାରରେ ଭଲ ଲାଭ ହୋଇଥିଲେ ଘର ଖର୍ଚ୍ଚ ରଖି ଭଲ ଡ୍ରେସ କିଣି ଆଣି ଦିଏ। ଭଲ ଭଲ ଡ୍ରେସ ପିନ୍ଧିବାକୁ ତାର ଭାରି ଇଚ୍ଛା। ନିଜକୁ ଫୁଲ କଣ୍ଡେଇ ଟିଏ ପରି ସଜେଇ ହେବାକୁ ସେ ସବୁବେଳେ ଚାହେଁ । ଧୀରେ ଧୀରେ ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ବାକୁ ଲାଗିଲା। ସଞ୍ଚିତ ଯେତେ ଅର୍ଥ ଥିଲା ସବୁ ସରିଗଲା। କ୍ୟାନ୍ସର ର ଚିକିତ୍ସା ପାଇଁ ଅଧିକରୁ ଅଧିକ ଟଙ୍କା ଦରକାର ପଡିଲା। ବାଧ୍ୟ ହୋଇ ଶେଷରେ ସବିତାକୁ ମନ କଥା କହିଲି। ସପ୍ତାହରେ ଦୁଇ ଦିନ ହାଟ , ଆଉ ତା' ପରେ ଘର ଚାଷ ଜମିରେ ଚାଷ ଯାହା କରୁଛି। ସେତିକି ରେ ଯେତେ ଯାହା ରୋଜଗାର କଲେ ବି ଟଙ୍କା ପଇସା ମାସ ଶେଷ ଯାଏଁ ବି ଯାଉନି । ତୋ ବାପାଙ୍କୁ କହି ଯଦି ତାଙ୍କ ସହ କାମରେ ପଠେଇ ପାରିବୁ ବହୁତ ଖୁସି ହୁଅନ୍ତି ଲୋ । ମତେ ଭରଷା ଦେଇ ସବିତା ତା ବାପାଙ୍କୁ କହି ରାଜି କରେଇ ଦେଲା। ସବିତାର ବାପାଙ୍କ ସହ ଯାଇ ରାଜ ମିସ୍ତ୍ରୀ କାମ ଶିଖିଲି। ସେଥିରୁ ମଧ୍ୟ ଦି ପଇସା ଭଲ ଆସିଲା। ଏହା ଭିତରେ ବାପାଙ୍କୁ ଔଷଧ ଆଉ ବେଶି ଦିନ ବଞ୍ଚେଇ ରଖି ପାରିଲା ନାହିଁ । ଶେଷରେ ସେ ଆଖି ବୁଝିଦେଲେ। ମୋ ମୁଣ୍ଡ ଉପରର ଛାତ ଉଡ଼ିଗଲା । ବାପା ଥିଲେ ବୋଲି ତାଙ୍କୁ ଦେଖି ମନରେ ସାହାସ ବାନ୍ଧି ସବୁ କାମ କରି ଦିଏ। ବାପାଙ୍କର ଦେହାନ୍ତ ପରେ ବୋଉ ଭାଙ୍ଗି ପଡ଼ିଲା। ଧୀରେ ଧୀରେ ବାପାଙ୍କୁ ଭୂଲି ନ ପାରି ସିଏ ପାଗଳାମି କରିବାକୁ ଲାଗିଲା। ଗୋଟେ ପଟେ ବାପାଙ୍କର ଦେହାନ୍ତ ଆଉ ଅନ୍ୟ ପଟେ ବୋଉ ର ମାନସିକ ଭାରସାମ୍ୟ ହରାଇ ବସିବା , ଏ ସବୁ ଦେଖି ଆଉ ମୁଁ ସହି ପାରୁ ନ ଥିଲି। ଶେଷରେ ସବିତାର ବାପାଙ୍କ କଥା ଅନୁସାରେ ସହରରେ ଚିକିତ୍ସା ଦେଉଥିବା ଏକ ମେଣ୍ଟାଲ ହସ୍ପିଟାଲରେ ବୋଉକୁ ନେଇ ଦେଖାଇଲି। କିଛି ଦିନ ତାଙ୍କ ପାଖରେ ବୋଉକୁ ଛାଡି ଦେଇ ଯିବା ପାଇଁ ସେମାନେ କହିଲେ। ଆଉ ମେଡ଼ିକାଲରେ ବୋଉର ଖର୍ଚ୍ଚ ବାବଦରେ ଯାହା ଟଙ୍କା ଦରକାର ଜମା କରି ଫେରି ଆସିଲି ।

  ଘରେ ମୁଣ୍ଡ ଉପରେ ରହିବା ପାଇଁ ଚାଳ ଥିଲେ ବି ବାପା ବୋଉଙ୍କ ଅନୁପସ୍ଥିତି ମତେ ବହୁତ ଯନ୍ତ୍ରଣା ଦେଉଥାଏ। ପରିବା ବିକି ପେଟ ପୋଷିବା ଅପେକ୍ଷା ରାଜ ମିସ୍ତ୍ରୀ କାମରେ ଭଲ ଲାଭ ଦେଖି ଆଉ ହାଟ କରିଲି ନାହିଁ। ମୋ ଦେହ ଅସୁସ୍ଥ ଥିବାରୁ ସେ ଦିନ ଆଉ କାମକୁ ଯାଇ ନ ଥାଏ। ହଠାତ ଚାରିଟା ବେଳେ ସବିତା ଦୌଡ଼ି ଦୌଡ଼ି ଆସି କହିଲା, ବାପା କାମ କରୁଥିବା ବେଳେ ବାଉଁଶ ଭାଙ୍ଗି ମଞ୍ଚାରୁ ପଡି ମେରୁଦଣ୍ଡ ମାଡ଼ ହୋଇଯାଇଛି। ଏବେ ମେଡ଼ିକାଲ ରେ ଆଡ଼ମିଶନ ହୋଇ ଅଛନ୍ତି। ଆଉ ଡେରି ନ କରି ସବିତାକୁ ସାଇକେଲ ରେ ବସାଇ ମେଡ଼ିକାଲ ବାହାରି ଗଲି। ଥଣ୍ଡା ଜର ବେଶି ହୋଇଥିବାରୁ ହାଲିଆ ଲାଗୁଥାଏ। ମେଡ଼ିକାଲ ରେ ପହଞ୍ଚି ଦେଖିଲୁ , ମଉସା ଆଖି ବୁଝି ଦେଇଛନ୍ତି। ତିନି ମହଲାରୁ ଖସି ପଡ଼ିଥିବାରୁ , ମେରୁଦଣ୍ଡ ଭାଙ୍ଗି ଯାଇ ମୃତ୍ୟୁ ବରଣ କରିଛନ୍ତି। ସବିତାର ସେ ଦିନ ଆଉ ଆଖି ଲୁହ ଝରିବା ବନ୍ଦ ହେଲା ନାହିଁ। ତା' ବାପାଙ୍କର ଦେହାନ୍ତ ପାଇଁ ସବିତାକୁ ଦାୟୀ କରି ସାବତ ମାଆ ତାର ଖୁବ ଅତ୍ୟାଚାର କଲା ବିଚାରି ଉପରେ। ଏପଟରେ ବୋଉକୁ ସବୁ ଦିନ ଦେଖି ନ ପାରୁ ଥିବାରୁ , ମୁଁ ମନ ଦୁଃଖ କରୁଥାଏ। ଏହା ଭିତରେ ଦୁହିଁଙ୍କ ର ଯୁକ୍ତ ଦୁଇର ପରୀକ୍ଷା ସରି ରେଜଲ୍ଟ ବାହାରି ସାରିଥାଏ। ସବିତା ଫୁଣି ଥରେ ପ୍ରଥମ ଶ୍ରେଣୀ ରେ ପାସ କରିଥାଏ ଆଉ ମୁଁ ଫେଲ ହୋଇ ଯାଇଥାଏ। ସେ ଦିନ ପରୀକ୍ଷା ରେ ଫେଲ ହୋଇଥିବା ଦୁଃଖରେ ନଦୀ ପଠା ରେ ବସି ଥାଏ। ସବିତା ପାଣି ନେବା ବାହାନା କରି ଘରୁ ଆସିଥାଏ। ପାଖରେ ମତେ ପାଇ ବହୁତ କନ୍ଦିଲା। ସାଵତା ମାଆର ଅତ୍ୟାଚାରକୁ କହିବା ସହ ତା ଦେହ ହାତରେ ହୋଇଥିବା ଚିହ୍ନ ସବୁ ଦେଖାଇଲା। ସହି ପାରିଲି ନାହିଁ ତା' ଦେହର ଚିହ୍ନ ସବୁ ଦେଖି। ଶେଷରେ ଦୁହେଁ ମିଶି ସ୍ଥିର କଲୁ ଗାଁ ଛାଡି ଦେବୁ। ଆଉ ଦୁହେଁ ଦୁହିଁଙ୍କ ପାଇଁ ବଞ୍ଚିବୁ । 

   ତହିଁ ଆର ଦିନ ରାତି ପାହିବା ଆଗରୁ , ଦୁହେଁ ଗାଁରୁ ସହର ଯାଉଥିବା ବସ ଧରି ପଳେଇ ଆସିଲୁ। ସହରରେ ବୋଉ ରହୁଥିବା ମେଡ଼ିକାଲ ର ପାଖାପାଖି ଦେଖି ଘର ଭଡା ନେଲୁ। ବୋଉକୁ ଆଖି ସମ୍ନାରେ ଦେଖି ପାରିବା ସହ ସବିତା ପରିକା ଝିଅକୁ ଜୀବନ ସାଥି ଭାବରେ ପାଇଥିବାରୁ ମନ ଖୁସି ଥାଏ। ପାଖରେ ଅଳ୍ପ କିଛି ସଞ୍ଚିତ ଧନ ଥାଏ। ଦୁଇ ମାସର ଘର ଭଡା ଦେବା ସହ ଚଳିବା ପାଇଁ ପାଖରେ କିଛି ଟଙ୍କା ଥାଏ। ବହୁତ ବୁଝାବୁଝି କଲା ପରେ , ଗୋଟେ କଣ୍ଟ୍ରାକ୍ଟର ପାଖରେ ରାଜମିସ୍ତ୍ରୀ କାମ କରିବାର ସୁଯୋଗ ମିଳିଲା। ମାତ୍ର ଦୈନିକ ମଜୁରୀ ଗାଁ ତୁଳନାରେ ଟିକେ କମ୍ ଥିଲା। ତଥାପି ରାଜି ହୋଇଗଲି। 

  ଏହା ଭିତରେ ଗୋଟେ ମାସ ବିତିଯାଇ ଥାଏ। ବୋଉକୁ ବି ପ୍ରତି ସପ୍ତାହରେ ଯାଇ ଦେଖା କରି ଆସୁଥିବାରୁ ,ମନ ବି ତାର ଖୁସି ରହୁଥାଏ। ଡାକ୍ତର ବାବୁ କହିଲେଣି ବୋଉ ଆଉ ମାସେ କି ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ ଭଲ ହୋଇଯିବ। ଯାହା ହେଉ ବୋଉ ଆଉ ସବିତା ସହ ମୋ ଦୁଃଖର ସଂସାର ଆଉ ଥରେ ହସ ଖୁସିରେ ପୁରି ଉଠିବ। ଥରେ ସନ୍ଧ୍ୟାରେ କାମ ସାରି ଆସି ଖଟ ଉପରେ ଶୋଇ ଥାଏ , ପାଖକୁ ସବିତା ଆସି ମୋ ଛାତିରେ ମୁଣ୍ଡ ରଖି କହିଲେ ,

   ଗୋଟେ କଥା କହିବି , ତୁମେ ଖରାପ ଭାବିବ ନାହିଁ ତ?ତୁମେ କହିବ ଆଉ ମୁଁ ଖରାପ ଭାବି ପାରିବି ସବି(ସ୍ନେହରେ ସବିତାକୁ ସବି ଡାକେ) । ତୁମର ଏ ହାଡ଼ ଭଙ୍ଗା ଖଟଣୀ ଦେଖି ମୁଁ ଆଉ ସହି ପାରୁ ନାହିଁ। ତୁମେ ଯଦି ଚାହିଁବ , ତେବେ ଆମର ଦୁଃଖର ଦିନ ଆଉ ବେଶି ଦିନ ରହିବ ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କେମିତି ? ସେ କହିଲେ ,ତୁମେ ତ ଜାଣ ମୋର ଭଲ ପାଠ ହୁଏ। ଗତକାଲି ପେପରରେ ଦେଖିଲି ମେଡ଼ିକାଲ ରେ ପାଠ ପଢିବା ପାଇଁ ଆଡ଼ମିଶନ ନୋଟିସ ବାହାରିଛି। 

  ଆଲୋ ମେଡ଼ିକାଲରେ ଡାକ୍ତରୀ ପଢ଼ାଇବା ପାଇଁ ଏତେ ଟଙ୍କା କେଉଁଠୁ ଲୋ ଆଣିବି ମୁଁ ? ତୋ ମୁଣ୍ଡ କାମ କରୁଛି ତ ! ଆରେ ନାହିଁ ,ଡାକ୍ତରୀ ପାଠ ନୁହେଁ । ମୁଁ କହିଲି ତେବେ ଆଉ କେଉଁ ପାଠ କଥା କହୁଛୁ। ସେ କହିଲା ପାରାମେଡିକାଲ ପାଠ ପଢିବ। ସେ କି ପାଠ ପଚାରିବାରୁ ,ସବିତା କହିଲା। ହେଇଟି ଶୁଣ , ମୁଁ ଲ୍ୟାବ ଟେକ୍ନିସିଆନ ପାଠ ପଢିବି । ଏଥିରେ ବେଶି ଟଙ୍କା ପଢିବା ପାଇଁ ଖର୍ଚ୍ଚ ହେବ ନାହିଁ।ମାତ୍ର ଦୁଇ ବର୍ଷ ରେ ତିରିଶ ହଜାର ଟଙ୍କା ଖର୍ଚ୍ଚ ହେବ। ଆଉ ରହିବା ଖାଇବା ଆମ ନିଜର। ମୋର ମାର୍କ ଭଲ ଅଛି। ତେଣୁ ସରକାରୀ ମେଡ଼ିକାଲ କଲେଜ ରେ ଆଡ଼ମିଶନ ନିଶ୍ଚିତ ମିଳିଯିବ।ଆଉ ଯଦି ଏଇ ସହରରେ ଥିବା ସରକାରୀ ମେଡ଼ିକାଲ କଲେଜରେ ଆଡ଼ମିଶନ ମିଳିଯାଏ, ତେବେ ଘରେ ରହି ମୁଁ ପାଠ ପଢି ପାରିବି। ଏ ପାଠ ପଢି ତୁ କି ଚାକିରୀ କରିବୁ ବା ? ଆରେ ବୁଧୁ , ମେଡ଼ିକାଲ ରେ ଯେଉଁ ରକ୍ତ ଆଉ ଅନ୍ୟାନ୍ୟ ପରୀକ୍ଷା କରାଯାଉଛି ,ସେ ସବୁ ପରୀକ୍ଷା ଯିଏ ସବୁ କରୁଛନ୍ତି। ସେମାନେ ଏଇ ପାଠ ହିଁ ପଢ଼ିଛନ୍ତି। ଆଉ ଦରମା ବି ଭଲ। ମୁଁ ଚାକିରୀ ପାଇଗଲା ପରେ ତୁମକୁ ଆଉ ରାଜମିସ୍ତ୍ରୀ କାମ କରିବାକୁ ପଡିବ ନାହିଁ। 

   ସରକାରୀ ଚାକିରୀ ପାଇବାର ସ୍ୱପ୍ନ ସିନା ମୋ ଆଖିରେ ସବିତା ଭରି ଦେଲେ, ହେଲେ ସବୁ ଖର୍ଚ୍ଚ ଯାଇ ତାଙ୍କର ପାଠ ପଢା ବାବଦରେ ଅଧିକ ସଞ୍ଚୟ କରିବାର ବୋଝ ମୋ ମୁଣ୍ଡରେ ଲଦି ଦେଲେ। ଭାବିଲ ଦୁଇ ବର୍ଷ ଯଦି ସବିତା କହିଲା ପରି ଖଟି ଦିଏ ,ଆଉ ସେ ଚାକିରୀ ପାଇ ଯାଏ ତେବେ ମଲା ଯାଏ ଆଉ ମୋର ଦୁଃଖ ରହିବ ନାହିଁ। ଶେଷରେ ନିଜର ସହମତି ଜଣାଇଲି। ଆଉ ଭାଗ୍ୟ ବି ଆମ ଦୁହିଁଙ୍କର ସାଥ ଦେଲା। ଆମେ ରହୁଥିବା ସହରର ସରକାରୀ କଲେଜରେ ସବିତାର ଆଡ଼ମିଶନ ହୋଇ ଗଲା। ସକାଳୁ ସେ ଘରର ସମସ୍ତ କାମ ସାରି କଲେଜ ବାହାରି ଯାଏ। ସବିତାକୁ ପାଠ ପଢ଼ାଇବା ନିଶାରେ ମୁଁ ଆହୁରି ବେଶି କାମ କରିବାକୁ ଲାଗିଲି। ମଝିରେ ମଝିରେ ଅତ୍ୟଧିକ ପରିଶ୍ରମ ପାଇଁ ଦେହ ଖରାପ ହୁଏ । ଆଉ ମୋ ଦେହ ଖରାପ କଥା ବି ସବିତାକୁ କୁହେ ନାହିଁ। କାଳେ ସେ ଜାଣିଲେ ତାର ମନ ଦୁଃଖ ହେବା ସହ ପାଠରେ ମନ ଲାଗିବ ନାହିଁ। ସେଥିପାଇଁ ସବିତାକୁ କୁହେ ନାହିଁ। ଏହା ଭିତରେ ବୋଉ ବି ସୁସ୍ଥ ହୋଇ ଆମ ପାଖରେ ଆସି ରହୁଥାଏ। ଦିନେ ବୋଉ କହିଲା ,ତୁମେ ଦୁହେଁ ଏକାଠି କେତେ ଦିନ ଆଉ ଏମିତି ନ ବାହା ହୋଇ ରହିବ ? ଏଇ ବର୍ଷ ବାହା ହେଇ ଯାଅ ।

   ମୁଁ କହିଲି ,ଆମେ କଣ ଏ ଯାଏଁ ଦୁନିଆଁ ଚିହ୍ନିଲୁଣି । ଆଉ କିଛି ଦିନ ଯାଉ ,ସବିତା ଚାକିରୀ କରୁ ,ତା" ପରେ ଯାଇ ଆମର ବାହାଘର ହେବ।ସମୟ ବିତି ଚାଲିଲା। ସବିତା ପାସ ହୋଇ ସରକାରୀ ଚାକିରୀ ପାଇଲେ ପଢିଥିବା ମେଡ଼ିକାଲ କଲେଜରେ। ଆମ ଦୁହିଁଙ୍କର ଖୁସି କହିଲେ ନ ସରେ। ମତେ କାମକୁ ଯିବା ପାଇଁ ପ୍ରଥମେ ମନା କରିଲେ। କିନ୍ତୁ ତାଙ୍କର ଚାକିରୀ ରେଗୁଲାର ହୋଇ ନ ଥିବାରୁ ସ୍ୱଳ୍ପ ଦରମା ଦେଉଥାନ୍ତି ସରକାର। ଆଉ ଚାକିରୀ ରେଗୁଲାର ହେବାକୁ ହେଲେ ଛଅ ବର୍ଷ କଣ୍ଟ୍ରାକ୍ଟଚୁଆଲ ଖଟିବାର ନିୟମ ହୋଇଥାଏ। ସେଥିପାଇଁ ମତେ ମୋ କାମରୁ ନିସ୍ତାର ମିଳିଲା ନାହିଁ । ଭାବିଥିଲି ସବିତା ଚାକିରୀ ପାଇଲା ପରେ ,ମୋର ଏ ପରିଶ୍ରମରୁ ମୁକ୍ତି ମିଳିବ।କିନ୍ତୁ ସ୍ୱପ୍ନରେ ଭାବି ନ ଥିଲି ଯେ ସେଥିପାଇଁ ଆହୁରି ଛଅ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ! ସେମିତି ହିଁ ହେଲା ଶେଷରେ। ମୁଁ ସକାଳୁ ଉଠି କାମରେ ବାହାରି ଯାଏ ,ଆଉ ସବିତା ଦିନ ଦଶ ଟାରେ ମେଡ଼ିକାଲକୁ। ଏଇ କିଛି ଦିନ ହେଲା ସବିତାଙ୍କ ର ବ୍ୟବହାର ରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥାଏ। ମୁଁ ଗଲା ପରେ କୁଆଡେ ସବିତା ବୋଉକୁ ମନ ଇଛା କଥା କହୁଅଛି ବୋଲି ପଡୋଶୀ ମାନେ ଅନେକ ଥର ଅଭିଯୋଗ କରିଲେଣି। ହେଲେ ବୋଉ ମୁହଁରୁ ଏ ଯାଏଁ ସେମିତି କିଛି ଶୁଣି ନାହିଁ। ପଚାରିଲେ ବୋଉ କୁହେ ,ଏମାନେ ମୋ ବୋହୂକୁ ଦେଖି ସହି ପାରୁ ନାହାନ୍ତି ,ସେଥିପାଇଁ ଏମିତି କହୁଛନ୍ତି। ବୋଉର କଥାକୁ ମୁଁ ବିଶ୍ୱାସ କରି ସବିତାକୁ ଆଉ ସନ୍ଦେହ କରେ ନାହିଁ। ଦିନେ ରାତିରେ ମୁଁ ଶୋଇଥାଏ। ସବିତା କହିଲେ, ବୁଝିଲ ଆଜି ଆମର ଆର୍ଥିକ ପରିସ୍ଥିତି ରେ ସୁଧାର ଆସିଗଲାଣି। ଘର ଚିଳିବା ପାଇଁ କୌଣସି ଥିରେ ଅଭାବ ବି ନାହିଁ। ଏଣିକି ଆମ ଘରକୁ ବଡ଼ ବଡ଼ ବାବୁ ମାନେ କିଏ କେତେବେଳେ ଯିବା ଆସିବା କରିବେ। ସେଥିପାଇଁ ଆମେ ଆଉ କେଉଁଠି ଯାଇ ଭଲ ଘର ଭଡା ନେବା। ନା' କଣ କହୁଛ । ମୁଁ କହିଲି ହଁ ଘର ଭଡା ନେବାରେ କିଛି ଅସୁବିଧା ନାହିଁ କିନ୍ତୁ ବୋଉ କହୁଥିଲା ଏଇ ବର୍ଷ ଆମର ବାହାଘର କରାଇବା ପାଇଁ । ଆଉ ବାହାଘର ହେଲା ପରେ ଘର ବଦଳାଇ ଦେବା ଆଉ । ବାହାଘର.....ଏତେ ଶୀଘ୍ର କଣ ପାଇଁ ! ଆଉ କିଛି ଦିନ ଯାଉ । ତା' ଛଡା ଏଇ ଏବେ ତ ଚାକିରୀ ପାଇଲି ,କିଛି ଦିନ ଟିକେ ଜୀବନକୁ ଉପଭୋଗ କରେ ,ତା" ପରେ ଯାଇ ଦେଖିବା। ନା" କଣ କହୁଛ ! ଯାହା ତୁମର ଇଛା ସବି । ହେଇଟି ଶୁଣୁଛ ମୁଁ କଣ କହୁଥିଲି କି ,ଆମେ ଦୁହେଁ ତ କାମରେ ଚାଲି ଯାଉଛେ ଆଉ ଘର ଭିତରେ ବୋଉ ରହି ବୋର ହେଇ ଯାଉଛନ୍ତି। କାଳେ ତାଙ୍କର ମାନସିକ ରୋଗ ଆଉ ଥରେ ଫୁଣି ବାହାରିବ।ସେଥିପାଇଁ ମୁଁ କଣ କହୁଥିଲି କି ବୋଉ ଙ୍କୁ ଗାଁ ରେ ଛାଡି ଦେଲେ, ଘର ବାଡ଼ି ର ଦେଖା ରେଖା ସେ କରିବେ ଆଉ ତା ସହ ଆମେ ବି ବୋଉଙ୍କର ଚଳିବା ପାଇଁ କିଛି ଟଙ୍କା ମାସକୁ ମାସ ଦେଇ ଦେବା। ଗାଁ ଲୋକଙ୍କ ସହ ମିଶିକି ରହିଲେ ହୁଏତ ସେ ଟିକେ ଖୁସିରେ ରହିବେ। ନା' କଣ କହୁଛ ? ହେଲେ , ବୋଉକୁ ଛାଡିବା ପାଇଁ ମୋର ଆଦୌ ଇଚ୍ଛା ନାହିଁ। ଦେଖ ,ତୁମ ବୋଉ ସେ । ତାଙ୍କର ଭଲ ପାଇଁ ମୁଁ କହିଲି। ତା' ଛଡା ବୋଉଙ୍କର ସ୍ୱାସ୍ଥ୍ୟ ଅବସ୍ଥା କଥା ଆମର ଜଣେ ସାରଙ୍କୁ ପଚାରିଥିଲି ଆଉ ସେ ହିଁ ଏମିତି କହିଲେ ବୋଲି , ମୁଁ ତୁମକୁ କହିଲି । ତେଣିକି ତୁମେ ଯାହା ଭାବୁଛ ଭାଵ। ତା" ଛଡା ବୋଉଙ୍କୁ ଦେଖିବା ବାହାନାରେ ଆମେ ବି ମାସକୁ ଥରେ ଦୁଇଥର ଛୁଟି ଦିନ ଦେଖି ଗାଁକୁ ଯାଇ ବୁଲି ଆସିବା ନା । 

  ହେଉ ଦେଖିବା ସେ କଥା କହି ମୁଁ ଚୁପ ରହିଲି । ଏହା ଭିତରେ ବୋଉକୁ ବି କିଛି ଦିନ ହେଲା ଉଦାସ ବସି ରହିବାର ଦେଖୁଥାଏ। ପଚାରିଲେ କିଛି କହୁ ନ ଥାଏ। ଭାବିଲି ବୋଧ ହୁଏ ସବିତା ଠିକ କହୁଥିଲେ। ବୋଉ ଏକା ରହିବା ଦ୍ୱାରା ଫୁଣି ଥରେ ତାର ପୁରୁଣା ରୋଗ ବାହାରିଲାଣି । ଦିନେ ବୋଉ କହିଲା, ପୁଅରେ ମତେ ଗାଁରେ ଛାଡି ଦେ। ମୋର ଗାଁ କଥା ଭାରି ମନେ ପଡୁଛି। ଏଠି ଏକା ଦିନ ସାରା ରହି ମତେ ଭଲ ଲାଗୁ ନାହିଁ ଜମା। ତୁମ ମାନଙ୍କ ପାଇଁ ସହର ଭଲ ,ହେଲେ ମୁଁ ଏଠି ଚଳି ପାରିବି ନାହିଁ । ବହୁତ ଦିନ ହେଲା କହିବି କହିବି ବୋଲି ଭାବୁଥିଲି ,ଆଜି ତତେ କହି ଦେଲି। ମୋ କଥା ରଖିବୁ ନା !

   ବୋଉକୁ ଏଠି ରହିବା ପାଇଁ ଭଲ ଲାଗୁ ନାହିଁ ଜାଣି ଭାରି ମନ ଦୁଃଖ ହେଲା ମୋର । ତହିଁ ଆର ଦିନ ବୋଉକୁ ନେଇ ଗାଁରେ ଛାଡି ଦେଇ ଆସିଲି । ବୋଉ ଠାରୁ ଆଉ ଥରେ ଦୂରେ ରହିବା ପାଇଁ ମୋ ମନ କହୁ ନ ଥିଲେ ବି , ମୁଁ କିନ୍ତୁ ଥିଲି ଉପାୟ ଶୂନ୍ୟ । ବୋଉ ସିନା ଗାଁ ରେ ଖୁସିରେ ରହିବ ଭାବି ଛାଡି ଦେଲି କିନ୍ତୁ ତା ଖୁସି ଭିତରେ ମୋ ଜୀବନର ସବୁଠାରୁ ବଡ଼ ଦୁଃଖ ଲେଖା ଥିଲା ବୋଲି ଜାଣି ପାରିଲି ନାହିଁ। ବୋଉ ଗଲା ପରେ ସବିତା ଏବେ ବହୁତ ଖୁସି ଥିଲେ । ମୁଁ କାମ ସାରି ଫେରିଲା ବେଳକୁ ରାତି ହୋଇଯାଏ। ମୁଁ ଆସୁ ଆସୁ ସବିତା ଖାଇବାକୁ ଦେଇ ମତେ ଶୋଇ ଯାଆନ୍ତି। କାମ କରି ହାଲିଆ ଲାଗୁଛି କହି ବିଶ୍ରାମ ନିଅନ୍ତି। ଆଉ ତାଙ୍କ ମୋବାଇଲରେ କଣ ସବୁ ରାତି ଅଧ ଯାଏଁ କରନ୍ତି। ମୁଁ ତ ଏତେ ପାଠ ଶାଠ ପଢି ନାହିଁ। ମୋବାଇଲ ବିଷୟରେ ବି ମୋର ଜ୍ଞାନ ନାହିଁ। ଦିନେ ପଚାରିବାରୁ କହିଲେ କିଛି ଅଫିସ କାମ କରୁଛନ୍ତି ବୋଲି। ଭାବିଲି ହେଇ ଥିବ। ସାହି ପଡିଶା ଲୋକ ବି କିଛି ଦିନ ହେଲା ସବିତାର କାହା ସହ ଚକର ଚାଲିଛି ବୋଲି କଥା ହେଉଛନ୍ତି।କେହି କେହି ସାମ୍ନାରେ ନ କହିଲେ ବି ପରୋକ୍ଷରେ ଦେଖାଇ ମତେ କହୁଛନ୍ତି । କାହା କଥାରେ ଭାସି ଯାଇ ପ୍ରେମିକାକୁ ସନ୍ଦେହ କରିବା ଠିକ ନୁହେଁ। ତା' ଛଡା ଗାଁରୁ ଆସି ସହରରେ ପାଠ ପଢି ଚାକିରୀ ଖଣ୍ଡେ ପାଇବା କମ୍ କଥା ନୁହେଁ। ହୁଏତ ସେମାନେ ସବିତାକୁ ମୋର ସହି ପାରୁ ନ ଥିବେ। ହେଲେ ସେ ଦିନ କିନ୍ତୁ ମତେ ବହୁତ ବଡ଼ ଝଟକା ଲାଗିଲା। କାମ କରୁଥିବା ସମୟରେ ମୋ ଦେହ ଅସୁସ୍ଥ ହୋଇ ପଡ଼ିଲା। କିଛି ମୂଲିଆ ଭାଇ ମାନେ ମତେ ନେଇ ସବିତା ଚାକିରୀ କରୁଥିବା ମେଡ଼ିକାଲ ରେ ଆଡ଼ମିଶନ କରାଇ ଦେଲେ । ସବିତାଙ୍କୁ ଫୋନ କରିବାରୁ ସେ ମୋ ଫୋନ ଋଷିଭ କରିଲେ ନାହିଁ। ଭାବିଲି କାମ ବ୍ୟସ୍ତ ପାଇଁ ଫୋନ ହୁଏତ ସାଇଲେଣ୍ଟ ରଖି ଦେଇଥିବେ। ଡାକ୍ତର ଆସି କଣ ସବୁ ପରୀକ୍ଷା କରିଲେ , କିଛି ସମୟ ସାଲାଇନ ଲଗାଇ ଆଡ଼ମିଶନ କରି ରଖିଲା ପରେ ଔଷଧ ଦେଇ ମତେ କହିଲେ ଘରେ ଯାଇ ରେଷ୍ଟ ନେବା ପାଇଁ । ଆଉ ବାକି ରିପୋର୍ଟ ଆସିଲେ ଯାହା କହି ହେବ ବୋଲି କହି କାଗଜ ଖଣ୍ଡେ ଧରାଇ ଦେଇ ବିଧା କରି ଦେଲେ । ଦେହ ଅସୁସ୍ଥ ପାଇଁ ହାଲିଆ ଲାଗୁଥାଏ । ଧୀରେ ଧୀରେ ଚାଲିକି ଆସି ରାସ୍ତା କଡ଼ ଅଟୋ ଷ୍ଟାଣ୍ଡ ରେ ବସି ରହିଥାଏ। ଅଟୋ ଗୋଟେ ପାଇଲେ ଘରକୁ ଯିବି ଭାବି। ଠିକ ଏତିକି ବେଳେ ସବିତା ଗୋଟେ ପୁଅ ବାଇକ ପଛରେ ବସି ତାକୁ ଜାବୁଡି ଧରି ଥିବାର ଦେଖିବାକୁ ପାଇଲି। ମୋ ଦେହ ଭିତରେ ଏକ ଗଭୀର ଝଟକା ଲାଗିଲା । ଆଖିକୁ ମୋର ପ୍ରଥମେ ବିଶ୍ୱାସ କରି ପାରିଲି ନାହିଁ। ଫୋନ କରିବାରୁ ସବିତାକୁ ,ସୁଇଚ ଅଫ କହିଲା। ମନ ଆକାଶରେ ଅଦିନ କଳା ମେଘ ଘୋଟି ଗଲା। ଅଟୋ ଧରି ଆସି ଘରେ ପହଞ୍ଚି ଦେଖେ ସବି ଘରକୁ ଫେରି ନାହିଁ। ଆଖିରେ ଦେଖିଥିବା ଛବିକୁ ବି ଭୂଲି ପାରୁ ନ ଥାଏ । ରାତି ଆସି ଆଠଟା ବାଜିବ। ମୁଁ ଖଟରେ ଶୋଇଥାଏ। ଘର ସାମ୍ନାରେ ଗୋଟେ ଗାଡି ଆସି ଲାଗିଲା। କିଛି ସମୟ ପରେ ସବିତା ଘର ଭିତରକୁ ପ୍ରବେଶ କଲେ। ତାଙ୍କ ମୁହଁରେ ଫୁଟି ଉଠୁଥିବା ହସ ହଠାତ ମଉଳି ଗଲା ପରି ଦିଶିଲା। ହୁଏତ ସେ ମୋର ଆଜି ଶୀଘ୍ର ଆସିବାକୁ ବିଶ୍ୱାସ କରି ପାରୁ ନ ଥିଲେ । ମୁଁ ବି କିଛି ନ ଦେଖିଲା ପରିକା ଚୁପ ରହିଲି। ରାତି ପାହିଲା। ସବିତାଙ୍କୁ ମୁଁ କିଛି କହୁ ନ ଥାଏ କାଲି ରାତି ଠୁ। କି ମୋର କଣ ହୋଇଛି ସେ କିଛି ପଚାରି ବୁଝୁ ନ ଥାନ୍ତି। କଣ ଆଜି କାମକୁ ଯିବ ନାହିଁ କି ? ସବିତା ପଚାରିଲା । ନାଇଁ ଇଚ୍ଛା ନାହିଁ କହି ଚୁପ ରହିଲି। ସବିତା ଅଫିସ ଯିବା ପାଇଁ ପ୍ରସ୍ତୁତ ହେଉ ଥିଲେ । ମୁଁ କହିଲି ଏ କାଗଜ ଟିକେ ଦେଖି କହିଲ ,ଏଥିରେ କଣ ଲେଖା ହେଇଚି। 

  ସବିତା କାଗଜ ପଢିକି କହିଲେ , ଏଥିରେ ତୁମକୁ ବ୍ଲଡ଼ କ୍ୟାନ୍ସର ହୋଇଛି ବୋଲି ସନ୍ଦେହ କରି ଲେଖା ହୋଇଛି। ବ୍ଲଡ଼ କ୍ୟାନ୍ସର କଥା ଶୁଣି ଭାଙ୍ଗି ପଡିଲି। ବାପାଙ୍କୁ ବି ଏ ରୋଗ ହୋଇଥିଲା । ଆଖି ସାମ୍ନାରେ ଦେଖିଚି ତାଙ୍କର ଯନ୍ତ୍ରଣା କୁ। ଆଜି ମତେ ବି ହେଇଚି।ଏବେ ମୁଁ କଣ କରିବି? ନିଜକୁ ସମ୍ଭାଳି ନେଲି । ସବିତା ମୋ ରିପୋର୍ଟ କୁ ଦେଖି ଦୁଇ ଟୋପା ଲୁହ ଗଡେଇ କହିଲେ ତୁମ ବ୍ୟସ୍ତ ହୁଅ ନାହିଁ , ମୁଁ ଆଜି ଆମ ସାରଙ୍କ ସହ କଥା ହୋଇ ,ତୁମକୁ ଭଲ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବି । ମୋର ଅଫିସ ଟାଇମ ହେଲାଣି। ମୁଁ ଆସିଲେ କଥା ହେବା। 

   ଦିନ ଯାଇ ସନ୍ଧ୍ୟା ହେଲା। ସବିତାଙ୍କର ଦେଖା ନାହିଁ। କଣ ହେଲା ଏତେ ବେଳ ଯାଏଁ ସେ ଆସିଲେ ନାହିଁ ଯେ ? ଫୋନ କଲି ,ବ୍ୟସ୍ତ ଆସୁଥାଏ। କିଛି ସମୟ ପରେ ଫୋନ ଲାଗିବାରୁ ,ସବିତା କହିଲେ ମତେ ଭୁଲିଯାଅ ତୁମେ । ମାନୁଛି ତୁମେ ବହୁତ ସାହାଯ୍ୟ କରିଛ ମତେ। କିନ୍ତୁ ପିଲାଟି ଦିନରୁ ଆଜି ଯାଏ ମୁଁ ବହୁତ କଷ୍ଟ ପାଇଛି । କିନ୍ତୁ ଆଜି ଠୁ ଆଉ ନୁହେଁ। ଏବେ ମୁଁ ସ୍ୱାଧୀନତା ର ସହ ବଞ୍ଚିବାକୁ ଚାହେଁ। ମୁଁ ଆଜି ମୋର ଜଣେ ସହକର୍ମୀଙ୍କୁ ବିବାହ କରିଛି। ଏତେ ଶୀଘ୍ର ଆମ ବାହାଘର ହୋଇ ଗଲା ଯେ, ତୁମକୁ ଡାକି ପାରିଲି ନାହିଁ । ମନ ଦୁଃଖ କରିବ ନାହିଁ । ତୁମକୁ ଦେଖିଥିବା ସାରଙ୍କ ସହ ଆଜି କଥା ହୋଇଛି, ସେ ତୁମର ରୋଗ ଭଲ ହେବା ଯାଏଁ ସମସ୍ତ ସୁବିଧା କରିବେ ବୋଲି କହିଛନ୍ତି। 

  ଏତକ କହି ସବିତା ଫୋନ କାଟି ଦେଲେ । ମୋ ମନ ଆକାଶର ଧ୍ରୁବ ତାରା ଆଜି ଅନ୍ଧକାର ମଧ୍ୟରେ 

ଲୁଚି ଗଲା। ଭାଙ୍ଗିଗଲା ସବିତା ଦେଖାଇଥିବା ମତେ ସେଇ ସୁନେଲି ସ୍ୱପ୍ନ ର ଦୁନିଆଁ। କାଲି ଠାରୁ ଆଜି ଦେହରେ ଖଇ ଫୁଟିଲା ପରିକା ଜର । ନିଜକୁ ସାମ୍ଭାଳିବା ପାଇଁ ବଳ ନାହିଁ। ଆସିବ ବା କେଉଁଠୁ ,ସବିତା ଚାଲିଯାଇ ମୋ ବିଶ୍ୱାସ ର ମେରୁଦଣ୍ଡ କୁ ଏମିତି ଭାଙ୍ଗି ଦେଲେ ଯେ ,ମୁଁ ଆଜି କତରା ଜାବୁଡି ଧରି ପଡି ରହିଛି। ଜାଣିଛି ଦେହରେ ଥିବା ରୋଗ ଅପେକ୍ଷା ମନରେ ଆଜି ଯେଉଁ କ୍ଷତାକ୍ତ କରି ମୋର ସବିତା ଚାଲିଗଲେ ,ତାର କୌଣସି ଉପଶମ ହିଁ ନାହିଁ। ଦେହର ରକ୍ତ ଆଖିରେ ତରଳିବାକୁ ଲାଗିଲା। ବାପା ବୋଉଙ୍କୁ ମନେ ପକାଇ ଖୁବ କାନ୍ଦିଲି। କଣ କହି ବୋଉକୁ ମୁହଁ ଦେଖାଇବି ବୁଝି ପାରିଲି ନାହିଁ । ଧୀରେ ଧୀରେ ଆଖି କୋରଡରେ ପଶିବାକୁ ଲାଗିଲା। ଓଠ ଶୁଷ୍କ ହୋଇ ଆସିଲା। ପାଖ ପଡୋଶୀ ସନ୍ଦେହ କରି ଆସି ମତେ ଦେଖିଲା ପରେ ମେଡ଼ିକାଲରେ ନେଇ ଆଡ଼ମିଶନ କରାଇଲେ । ସେତେବେଳକୁ ମୋ ଆଖି ଆଗରେ ନାଚି ଯାଉଥାଏ ପିଲା ଦିନରୁ ଆଜି ଯାଏଁ ବିତିଥିବା ସେଇ ଅଭୁଲା ଦିନ ସବୁକୁ। ମନେ ପଡୁଥାଏ ପ୍ରତାରଣା ଦେଇ ଯାଇଥିବା ମୋର ସେଇ ଧୂଳି ବାଲିଘରର ସାଥିର କଥା । ପାଗେଳି ମାଆର ଲୁହ ଭିଜା ଆଖିର ଦୃଶ୍ୟ । ଭଲ ପାଇବାର ଅନ୍ଧ ଚକ୍ଷୁରେ ମମତାକୁ ତଉଲାଇ ପାରିଲି ନାହିଁ। ଆଜି ବୁଝି ପାରୁଛି , ବୋଉ କାହିଁକି ଚୁପ ରହୁଥିଲା । ମିଛ କହି କଣ ପାଇଁ ଗାଁକୁ ଚାଲି ଯାଇଥିଲା। ପ୍ରେମର ହାଟରେ ଆଜି ପ୍ରେମିକାକୁ ଜିତିବାକୁ ଯାଇ ମାଆର ସ୍ନେହରୁ ବଞ୍ଚିତ ହେଲି । ହେଲେ ଶେଷରେ କଣ ପାଇଲି ? ଧୀରେ ଧୀରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା। ଦେହର ଯନ୍ତ୍ରଣା ବାଢ଼ିବାକୁ ଲାଗିଲା। ମୋ ବେଡ଼ ନିକଟରେ ଡାକ୍ତର ଆଉ ଅନ୍ୟମାନଙ୍କର ଗହଳି ବଢିଗଲା। ହେଲେ ମୁଁ ଥିଲି ଆଉ ଏକ ଦୁନିଆରେ। ଯେଉଁଠି ସବୁ ମୋହରୁ ମୁକ୍ତି ହୋଇ ଜୀବନର ଆଉ ଏକ ସତ୍ତା କୁ ଅନୁସନ୍ଧାନ କରୁଥିବା ଏକ ଭ୍ରମିତ ବିହଙ୍ଗ ହୋଇ ଧାଇଁବାକୁ ପଡୁ ନ ଥିଲା ଆଉ ସେଇ ପିଲା ଦିନରୁ ବଡ଼ ହେବା ଯାଏଁ ଦେଖିଥିବା ପ୍ରତି ଟି ମାୟାବୀ ସ୍ୱପ୍ନ ର ପଛେ ପଛେ ! ଆଜି ମୁଁ ଖୁବ ଶାନ୍ତିରେ ଅଛି । 



  







  


Rate this content
Log in

Similar oriya story from Tragedy