ପଳାତକ
ପଳାତକ
ଚନ୍ଦ୍ରମୁଖୀର ପ୍ରଶ୍ନ ବାଣରେ ମର୍ମାହତ ଆଜି ଦେବଦାସ.. | ତଥାପି ନିରୁତ୍ତର, ଉତ୍ତର ଦେବାର ଆବଶ୍ୟକତା ଅନୁଭବ କରିବାକୁ ପଡୁନି ବୋଧେ, କିମ୍ବା ସବୁ ପ୍ରଶ୍ନର ଉତ୍ତର ଯେମିତି ଫେଣ୍ଟା ଫେଣ୍ଟି ହୋଇ ବିବର୍ଣ୍ଣ ହେଇଯାଇଛି, ଠିକ ଯେମିତି ସୂର୍ଯ୍ୟଙ୍କ ପ୍ରଗାଢ଼ କିରଣରେ ଇନ୍ଦ୍ରଧନୁର ରଂଗ ମୂଲ୍ୟହୀନ ହୋଇ ଯାଏ ସେଇ ଦୁରନ୍ତ ଆକାଶରେ |ସବୁ ଯେମିତି ଅବଶ ହେଇ ନିସ୍ତେଜ ଲାଗନ୍ତି, ପରଶମଣିଙ୍କ ସ୍ପର୍ଶରେ , ଏଠି ସବୁ ରଂଗର ସମ୍ମିଶ୍ରଣ ସେ ସକାଳ ଶକ୍ତିର ଆଧାର, ସୂର୍ଯ୍ୟ, ଆଉ ସବୁ ରଂଗର ସମାହାର ସେଇ କଳା ରଂଗ,ସେହି ହିଁ ଶେଷ ଅବଶେଷ, ଆଉ କଣ ହୋଇ ପାରେ.. |
ତଥାପି ପ୍ରଶ୍ନ ପରେ ପ୍ରଶ୍ନର ପାହାଡ଼ ବୋଝରେ, ସତେ ଯେପରି ଲଦି ହେଇ ପଡନ୍ତି ଦେବଦାସ,ତାଙ୍କ ଅର୍ଦ୍ଧ ଦଗ୍ଧ ଯନ୍ତ୍ରଣା ଦୀପ୍ତ ଶରୀରରେ..!ସେ ଯନ୍ତ୍ରଣାର କଷ୍ଟ ଠାରୁ ଏଇ ଚନ୍ଦ୍ରମୁଖୀଙ୍କ ପ୍ରଶ୍ନ ବାଣ ଯାତନା ଅଧିକ ବେଦନା ଦାୟକ, ସେ ପ୍ରଶ୍ନ ସେ ଯନ୍ତ୍ରଣାକୁ ଦ୍ବିଗୁଣିତ କରି ପକାଉଛି, ବାରମ୍ବାର ମନକୁ କ୍ଷତାକ୍ତ କରୁଛି.. | କି ଉତ୍ତର ଦେଇ ପ୍ରଶମିତ କରି ହେବ ଏଇ ଆଶାର କୁସୁମ ଟିକୁ |
-କୁହ ଦେବଦାସ, ତୁମେ କାହିଁକି ଏ ନିଆଁ ଜଳା ବିଷ ଗୁଡା ପିଉଛ, କେବେ ତୁମର ଏ ପିଇବା ଶେଷ ହେବ, କେତେ ଆଉ ତୁମର ଏ ଶରୀରକୁ ଯନ୍ତ୍ରଣା ଦେବ..?
-ଏ ସବୁ ବନ୍ଦ କର ପ୍ରିୟତମ, ତୁମେ କଣ ଭାବୁଚ, ଏ ସବୁ ପିଇଲେ ତୁମେ ଶାନ୍ତି ପାଇ ପାରିବ, ଆଉ ଭୁଲିଯିବ ତୁମର ସେ ଯୁଗ ଯୁଗର ଅଭିପ୍ସାକୁ?
-ତୁମ ମନ ଓ ହୃଦୟର ଯନ୍ତ୍ରଣାକୁ କଣ ତୁମେ ଏମିତି ଶେଷ କରିଦେବ? ତୁମର ଏ ଅନ୍ତହୀନ ଶୋଷ କଣ ମେଣ୍ଟାଈ ପାରିବ? -ସବୁ ଦୁଃଖକୁ ଭୂଲି ଯାଇ ପାରିବ..?
-କିଏ କହୁଚି ମୁଁ ପିଉଚି, ଯନ୍ତ୍ରଣାକୁ ଭୂଲି ଯିବା ପାଇଁ..? କିଏ କହୁଚି ମୁଁ ପିଉଚି ଦୁଃଖକୁ ଭୂଲି ଯିବାପାଇଁ..?? ମୁଁ ତ ପିଉଚି ମୋ ଦୁଃଖକୁ ଭୂଲି ଯିବା ପାଇଁ, ଚନ୍ଦ୍ରମୁଖୀ, ମୁଁ ପିଉଛି ଆଉ କିଛି ଦିନ ଜିଇଁବା ପାଇଁ..!
- ଏ ପ୍ୟାସ କେବେ ସରିବ ମୁଁ ଜାଣେନା.. !
-ତୁମେ କଣ ଏମିତି ପିଇବା ପାଇଁ ମୋର ଏଇ ଅନ୍ଧାରି ମୁଲକକୁ ବାଛିଥିଲ ପ୍ରିୟତମ..?
ଚନ୍ଦ୍ରମୁଖୀଙ୍କ ଏ ପ୍ରଶ୍ନରେ ମ୍ରିୟମାଣ ଆଜି ଦେବଦାସ, ତାଙ୍କ ମୁହଁରୁ ବାହାରି ଆସିଲା କେଇପଦ ଅସ୍ପଷ୍ଟ ଦର ଶୁଭିଲା କଥା ସବୁ, ସତେ ଯେମିତି ସେ କଥା ଭିତରେ ଲୁଚି ରହିଛି, ବର୍ଷ ବର୍ଷର ପୁଞ୍ଜିଭୂତ କ୍ରୋଧ, ଅସଂଯତ ଅବଶ ପଣିଆ, ଯେମିତି ସେଇ ଦୁଇପଦ କଥା ଯୁଗ ଯୁଗର ଅଭିଜାତ୍ୟର ଅନ୍ଧାରି ଗଡ଼ରୁ ସୃଷ୍ଟ ଅହମିକାର ନିଚ୍ଛକ ପ୍ରତିଛବିକୁ ପଦାଘାତ କରି ପ୍ରତିଧ୍ବନିତ କରଛି ଏଇ ତଥାକତୀତ, ସାମାଜିକ ନୀତି ନିଅମ ଆଦର୍ଶ ବୋଳା କିଛି ଅହଂକାରର ଲଙ୍ଗଳା ପ୍ରତିଭୂତିକୁ | ଚିନ୍ହାଇ ଦେଉଛି ଶହ ଶହ ବର୍ଷର ଅନ୍ଧ ଗଲି ଭିତରେ ବନ୍ଧାହୋଇ ଅଣନିଶ୍ୱାସୀ ସମ୍ପର୍କ କିପରି ଛାର ଖାର ହେବାର କଳଙ୍କିତ ଇତିହାସର କରୁଣ ପରିଣତିକୁ|
ଆଉ ସେ ପ୍ରଶ୍ନର ଗଣ୍ଡି ଭିତରୁ ବାହାରିବା ପାଇଁ କେତେ ଯେ ନିରୀହ ଆତ୍ମା ମାନେ ବଳି ପଡିଛନ୍ତି ତାର କରୁଣ ଚିତ୍ର କୁ କୁଠାରଘାତ କରୁଛି, ଦେବଦାସଙ୍କ ଏଇ ନୀରବ ପଣିଆ |
ଶତ ହିଂସ୍ର ହୋଇ ଉଠିଛି ନିରୀହ ପ୍ରାଣର ଉଦ୍ବେଳନରେ ଚିର ଦିନ ପାଇଁ |
ତଥାପି ସେ ନୀରବ ରହି ପାରି ନାହାନ୍ତି, କହି ଉଠିଛନ୍ତି -ତୁମେ ଜାଣ, ଚନ୍ଦ୍ରମୁଖୀ.. ଏ ମଣିଷ ଅନ୍ଧାର ଭିତରେ କେତେ ଯେ ପାପ କରନ୍ତି, କିଂତୁ, ମୁଁ ଏ ସ୍ପଷ୍ଟ ଦିବାଲୋକରେ ପିଉଛି, କିଛି ପାପ ତ କରୁନି, ମୁଁ ପିଉଛି ଟିକେ ପୁଣ୍ୟ କରିବାକୁ, ନିଜକୁ ଭଲ ପାଇବାକୁ, ସେଇ ଅନ୍ଧାରର ଉଜ୍ଜଳତା ଭିତରେ, ଚରମ ତୃପ୍ତିରେ.. |
X.......X......X......X.......X........X.........X........X........X
ମାଣିକପୁର ଷ୍ଟେସନ, ହୋ ହାଲ୍ଲା, ହକରର କୁହାଟରେ, ଦେବଦାସଙ୍କ ନିଦ ଭାଙ୍ଗିଗଲା, ପାଖରେ ଧରମ ଦାସ, କେତେବେଳୁ ଶୋଇ ଯାଇଛନ୍ତି, ଶୀତୁଆ ରାତିର ନିସ୍ତବ୍ଦ ବେଳାରେ ; ଅବଶ, ରୋଗଗ୍ରସ୍ତ ଶରୀରକୁ ଟିକେ ସଜାଡି ନେଇ ବାହାରକୁ ଚାହିଁ ଦେଲେ ଦେବଦାସ, ବାହାରେ ପ୍ଲାଟଫର୍ମ, ସାଇନବୋର୍ଡ଼ରେ ଲେଖା ହୋଇଛି, ମାନିକ ପୁର ଷ୍ଟେସନ !
-ଟିକେ ପ୍ରକୁତିସ୍ଥ ହୋଇ, ଦେବଦାସ ଚିନ୍ତା କଲେ, ଏଇଟା ହିଁ ଠିକ ସମୟ, ହତିପଟା -ଏଠାରୁ ଦୂର ହେଲେବି, ଯାଇହେବ, କେମିତି ହେଲେ ସକାଳ ସୁଦ୍ଧା ପହଂଚିବାକୁ ପଡିବ ତାଙ୍କୁ, ତାଙ୍କ ପାଖରେ ସମୟ ବହୁତ କମ | ଧରମ ଦାସ, ନିଜର ଅତି ପ୍ରିୟ, ଯାହାଙ୍କ ସହିତ ଅନେକ ସୁଖ ଦୁଃଖର ମୁହୂର୍ତ୍ତ କାଟିଛନ୍ତି ବିଗତ ପିଲା ଦିନରୁ, ପରିବାରର ନିହାତି ଅନ୍ତରଙ୍ଗ ଭୃତ୍ୟ ସେ, ସବୁ ସମ୍ପର୍କର ବନ୍ଧନରୁ ମୁକ୍ତ ହେବାର ବେଳ ଏବେ ଉପନୀତ | ତାଙ୍କୁ ପର କରିବାକୁ ପଡିବ ଏଇ ମୁହୂର୍ତ୍ତରେ, ଆପଣାରୁ ପର ହେବା କେତେ ଯେ ଦୂର, ପାଣିରେ ଗାର କାଟି ଦେଲେ ସବୁ ସମାନ, ଆଉ ଏ ଜୀବନ ତ ଗୋଟେ ଉଛୁଳା ନଈ, ଭରଷା କରିବ କାହାକୁ, ଯାହାକୁ କରିବାର ଥିଲା, ସେ ତ ଆଉ କହାର, ନିଜର ବୋଲି ଭାବି କେତେ ଦିନର |ସେ ଚାଲି ଯିବେ ନିଜର ଏକାନ୍ତ ନିଜସ୍ୱ ରାସ୍ତାରେ | ଧରମ ଦାସ ଙ୍କୁ ନିଜର ସାଲ ଘୋଡାଇ ଦେଇ, ସମସ୍ତ ଆବିଳତାକୁ ଛିନ୍ନ କରି ଧୀରେ ଧୀରେ ଓଲ୍ହେଇ ପଡିଲେ ଟ୍ରେନରୁ ଅତି ସନ୍ତର୍ପଣରେ ଗୋଟେ କୁଣ୍ଠିତ ମନ ନେଇ, ଆଜିର ଏଇ ଏକାନ୍ତ ବାସର ଦାସ- ଦେବଦାସ |
ଶୀତ ଦିନ ରାତି, ସମସ୍ତେ ଶୋଇ ପଡିଛନ୍ତି, ଏଇ ସୁନ ସାନ ନିସ୍ତବ୍ଧ, ରାତ୍ରିର ଅନ୍ଧକାର ଭିତରେ |ଗୋଟେ ଟାଙ୍ଗା ଵାଲା ସେଇ ଷ୍ଟେସନ ପାଖରେ ପାଇ ଅନାୟାସରେ ସୋଇଛି, କାଁ ଭାଁ ବୁଲା କୁକୁର ମାନଙ୍କ ରଡ଼ି, ଲୋକ ବାକ ସମସ୍ତେ ଯେଝା ବାଟରେ ଚାଲି ଗଲେଣି, ଖାଁ ଖାଁ ଲାଗୁଛି ଷ୍ଟେସନ ! କଣ କରିବେ ଦେବ ଦାସ - ଟିକେ ଦୁରକୁ ଯାଇ ଦେଖିଲେ, ଲୋକଟିକୁ, ଦେହରେ ସାହସ ମିଳିଗଲା, ଧୀରେ ଧୀରେ ତାଙ୍କ ପାଖକୁ ଯାଇ ଡାକ ଛାଡିଲେ,
ଭାଇ ମାନିକ ପୁର ଯିବ..?
-ଅପ୍ରସ୍ତୁତ ଥିବା ଟାଙ୍ଗାବାଲା ନିଦ ବୋଳା ଆଖିରେ ଚମକି ଉଠି କହିଲେ.. !
ମାନିକ ପୁର,..? ମାନିକ ପୁର ତ ଏଠୁ ଅନେକ ବାଟ, ଏତେ ରାତିରେ ଯିବା ସମ୍ଭବ ନୁହେଁ, ଏଠି ଶୋଇ ପଡ ବାବୁ, ସକାଳ ହେଲେ ଯିବ |
'-'ସମୟ ବହୁତ କମ ଭାଇ', ଯେତେ ଟଙ୍କା ନେବ, ମୁଁ ଦେବାକୁ ରାଜି ଅଛି, ମତେ ସକାଳ ସୁଦ୍ଧା ମୋ ସ୍ଥାନରେ ପହଂଚିବାକୁ ପଡିବ, ଟିକେ ଜଲଦି ଚାଲ -ଏ କଥା ଶୁଣି ଇଚ୍ଛା ନ ଥିଲେ ବି, ସହରୀ ବାବୁଙ୍କ ଏ ଅବସ୍ଥା ଦେଖି ମନରେ ଦମ୍ଭ ଆଣି ଯିବାକୁ ପ୍ରସ୍ତୁତ ହେଲା, ଟାଙ୍ଗାବାଲା |
ଅନେକ କଷ୍ଟ ଭିତରେ ଅଶାର କିରଣ ପାଇଲା ପାରି ନିଜର ଯନ୍ତ୍ରଣାକୁ ଚାପି ରଖି, ଅସ୍ତଗାମୀ ଶରୀରଟିକୁ ଟାଙ୍ଗା ଉପରେ ଲଦି ହୋଇ ପଡିଲେ ଦେବଦାସ ଆଉ ଫେରିଗଲେ ସେ ପୁରୁଣା ସ୍ମୃତିର ରାଜ୍ୟକୁ |
X X X X X X X X
-ଆଉ କେତେ ବାଟ ଅଛି ଭାଇ..?
-ଆହୁରି ଅନେକ ବାଟ ଅଛି ବାବୁ.. !
-ଲୋକଟିର କଥା ଶୁଣି, କଷ୍ଟ ହେଉଥିଲେ ବି, ଯନ୍ତ୍ରଣା କୁ ଚାପି ରଖି, ଦୀର୍ଘଶ୍ୱାସଟିଏ ଟାଣି, ଘୁମେଇ ପଡିଲେ ଦେବଦାସ ! ଅନେକ ଅଙ୍କା ବଙ୍କା ଖାଲ ଖମା, ଜଙ୍ଗଲ ରାସ୍ତା ଦେଇ ଗାଡି ଚାଲିଲା ମାନିକ ପୁର ଆଡେ..| ସେଇ ଦୂର ତଳ ବାଣ ଦେଇ ଭାସି ଆସୁଥିଲା, କିଛି ସ୍ମୃତିର ମୁହୂର୍ତ୍ତ, ଏଇ ଯନ୍ତ୍ରଣା ଲବ୍ଧ ମନ ମରୁଭୂମିରେ..!
-ସେ ଦିନ ପାରୋ ଅନେକ ଗୁହାରି ମିନତୀ ହୋଇ କହୁଥିବା ଅସ୍ପଷ୍ଟ ସ୍ୱର ଯେମିତି ଭାସି ଆସୁଥିଲା ଦେବଦାସଙ୍କ ମାନସ ପଟରେ -"ତୁମ ପାଦ ତଳେ ଟିକେ ଯାଗା ଦିଅ ଦେବଦାସ, ମୁଁ ସବୁଦିନ ପାଇଁ ତୁମ ସେ ପାଦ ତଳେ ରହିବାକୁ ଚାହେଁ !"
-ଅପ୍ରସ୍ତୁତ ହୋଇ ଯାଇଥିଲେ ମନ ମନ୍ଦିରରେ ବସି ଥିବା ଜୀବନ୍ତ ଦେବତା -ଦେବଦାସଙ୍କର | ମାଟିର ମଣିଷ ସେ ;ସମାଜ, ଦୁନିଆ, ସଂସାରର ଗଣ୍ଡି ଭିତରେ ବନ୍ଧା ତାଙ୍କର ଅଭିଜାତ୍ୟ ! ଏ ସମାଜର ବଡ଼ ପଣ୍ଡା ମାନେ ଯେଉଁ ଶଗଡ଼ ଗୁଳାରେ ଚଳୁଛନ୍ତି, ସେ ଚିରାଚରିତ ଅହମିକାର ରାସ୍ତାକୁ ପାର ହେବାର ଶକ୍ତି ବୋଧେ ଯୁଟାଇ ପାରି ନଥିଲେ ସେଦିନ | ପାରୋଙ୍କ ଏ ହୃଦୟ ବିଦାରକ କଥା ଯେମିତି ତାଙ୍କୁ ଶର ବିଦ୍ଧ କରି ପକାଇ ଥିଲା, ତାଙ୍କ ଅନ୍ତରାତ୍ମାକୁ, ଦୁର୍ବିସହ ହୋଇ ପଡ଼ିଥିଲେ ସେ, ତାଙ୍କର ଅଭିଜାତ୍ୟ ଭରା ପରିବାରର ଲୌହ ଶିକୁଳି ଭିତରେ, ଦୁର୍ବୋଧ୍ୟ ଲାଗିଥିଲା ପାରୋଙ୍କର ଏଇ ଶେଷ ପ୍ରସ୍ତାବ |କିଂକର୍ତ୍ତବ୍ୟ ବିମୁଢ଼ ହୋଇ ସେ ଏତେ ରାତିରେ କାହିଁକି ଆସିଲ ବୋଲି ପ୍ରଶ୍ନ କରିଥିଲେ | ହୃଦୟର ପ୍ରାଣପ୍ରୀୟା ପାରୋଙ୍କ ଉତ୍ତରରେ ଘାଇଲା ହୋଇ ଶେଷରେ ହାର ମାନି ଯାଇଥିଲେ ସବୁ ଦିନ ପାଇଁ, ମହା ମାନବ ବନିବାର ମୂଳଦୁଆ ସେହିଦିନ ହିଁ ପକାଇଥିଲେ ପାର୍ବତୀଙ୍କର କପାଳ ତିଲକରେ ! ପାରୋଙ୍କ ଦେବଦାସ,ସେ ଶବ୍ଦ ଥିଲା ଯୁଗ ଯୁଗର ପୁଞ୍ଜିଭୂତ ଭଲ ପାଇବାର ଅନ୍ୟ ନାମ | ଏ ସମାଜ ତାଙ୍କୁ ସଜେଇ ଦେଇଥିଲା, ଅଭିଜାତ୍ୟ ପରମ୍ପରାର ଏକ କଳଙ୍କିତ ଅଧ୍ୟୟର ଅୟମାରମ୍ଭ ଇତିବୃତି |
-ତୁମେ କଳଙ୍କ ବୋଲି କାହାକୁ କହୁଛ ପ୍ରାଣ ପ୍ରିୟ, ତୁମେ ଚାହିଁଲେ ଏ କଳଙ୍କ ତୁମେ ଧୋଇ ଦେଇ ପାରିବ, ଯଦି ନୁହେଁ, ସେ କଳଙ୍କ ଲାଗି ଯାଉ ମୋ ମଥାରେ ଯୁଗ ଯୁଗ ପାଇଁ..!
- କେଉଁ ଏକ ଅଜଣା ଶବ୍ଦରେ ଚିହିଁକି ଉଠିଲେ ଦେବଦାସ, ବୋଧ ହୁଏ ଅତ୍ୟଧିକ ଯନ୍ତ୍ରଣା ଦାଉରୁ |ଟିକେ ପ୍ରକୁତିସ୍ତ ହୋଇ ଭାବନା ରାଜ୍ୟରୁ ଫେରି ଆସିଲେ, ଯନ୍ତ୍ରଣା ସିକ୍ତ କଣ୍ଠରେ କହିଲେ,-
-ଏ ରାସ୍ତା ଆଉ ସରିବ ନି ଭାଇ..?
-ନିଶ୍ଚୟ ସରିବ ବାବୁ.., |
X X .... X X X X
-ସବୁ ରାସ୍ତା ଦିନେ ସରେ, ଖାଲି ସମୟର ଅପେକ୍ଷା, ସମୟ ହିଁ ସବୁ ରାସ୍ତାର ସମାଧାନ କରି ଥାଏ, ସବୁ କିଛି ପୂର୍ବ ନିର୍ଧାରିତ, ସମୟ କାହାକୁ ଅପେକ୍ଷା ରଖେନି, ଯିଏ ସମୟ ସହିତ ତାଳ ଦେଇ ଗତି କରି ପାରିଛି ସେ ସିନା ଭାଗ୍ୟବାନ |ଯିଏ ନ ପାରିଛି ସେ ପଳାତକ !
ଏ ସମୟ ତାକୁ କେବେ ବି କ୍ଷମା କରିନି, ଯୁଗ ଯୁଗ ପାଇଁ ପରାଜିତ ଅଧ୍ୟୟର ସୂତ୍ରଧର ପାଲଟି ଯାଇଛି | ସେ ହୋଇଛି କଳଙ୍କିତ ନାୟକ, ସମୟ ସାରଣୀର, ଭୁଲୁଣ୍ଠିତ ଇତିହାସ ! ଯିଏ ହାରି ଯାଇଛି, ଏ ଦୁନିଆ ତାକୁ କହିଛି ପଳାତକ !