ତୋ ପାଇଁ ମୁଁ...
ତୋ ପାଇଁ ମୁଁ...
କିଛି ନିଆଁ ଜଳେ, ଜଳିବାକୁ ପଡେ, ଦେହରେ, ମନରେ | କିଛି ନିଆଁ ଜଳେ ହୃଦୟରେ, ଅନ୍ତରରେ ;ଆଉ କିଛି ନିଆଁ ଜଳେ ବିଶ୍ୱାସରେ, ନିଶ୍ୱାସରେ, ହୃଦୟର ଗଭୀର ତମ ପ୍ରଦେଶରେ, ଅନ୍ତରର ନିଭୃତ ଆତ୍ମ କନ୍ଦରରେ.. | କିଛି ଜଳେ, କିଛି ଜଳାଏ.. | କିଛି ଜଳି ଆଲୋକ ଦିଏ, କିଛି ଜଳି ଆଲୋକ ଦେଉ ନ ଥିଲେ ବି କୁହୁଳି କୁହୁଳି ଜଳିବାରେ ସାହାଯ୍ୟ କରେ, ଅତି ସନ୍ତର୍ପଣରେ,ଅତି ଗହନରେ, ଆତ୍ମ ଦହନରେ..|
ହୃଦୟର କେଉଁ ଏକ ନିଭୃତ କୋଣରେ ସାଇତା କିଛି ଗୋପନୀୟ ଅଭିପ୍ସାର ଚରିତାର୍ଥ କରିବାକୁ ଯାଇ ହାର ମାନିଥିବା କିଛି ଅତୃପ୍ତ ଆତ୍ମାର ଆତ୍ମ ତଲ୍ଲୀନ ଭାବ ବେଳେ ବେଳେ ଅନିୟନ୍ତ୍ରିତ ଭାବରେ ସର୍ବଗ୍ରାସୀ ନିଆଁର ଆଶ୍ରୟ ନେବାକୁ ପଶ୍ଚାଦସ୍ପଦ ହେବାକୁ ପଛାଇ ନଥାନ୍ତି | ସେଇ ଆତ୍ମ ଅଭିମାନୀ ସ୍ୱେଚ୍ଛାଚାରୀ ଖଳନାୟକ ମାନଙ୍କ ଭିତରେ ଚନ୍ଦନ ଜଣେ ବଳିଷ୍ଠ ଉଦାହରଣ | ନିଜର ସ୍ୱାର୍ଥ ସାଧନ ପାଇଁ ଆଜି ସେ ତାର ହୃଦୟ କନ୍ଦରରେ ଚିର ଇପ୍ସିତ ଅଭିଳଷିତ ଭୂମି ଓ ତାର ସମସ୍ତ ପାରିବାର ପାଇଁ ତିଆରିଛି ସର୍ବଗ୍ରାସୀ ନିଆଁର ଖେଳ | ଆଉ ସେଇ ଅତୃପ୍ତ କାମନା ବାସନାର ନିଆଁରେ ନିଜେ ସିନା ଜଳି ପୋଡି ଛାରଖାର ହୋଇ ଯାଇଛି, ସେ ନିଆଁ ସତ୍ୟ ଧର୍ମର ପଥିକ ସାଜିଥିବା ପାତ୍ର ପାତ୍ରୀ ଜୟ ଓ ଭୂମିଙ୍କର କୌଣସି ଅନିଷ୍ଟ କରି ପାରି ନାହିଁ ;ଏହା ହିଁ ଏଇ ଅଧର୍ମ ଉପରେ ଧର୍ମର ବିଜୟ ତିଳକ, ଏହା ନିଃସନ୍ଦେହ |
ଅତିଶୟ ଆସକ୍ତିର ଦହନରୁ ମୁକ୍ତି ପାଇଁ ଯେଉଁ ନିଆଁ ଜାଳି ଜୟ ପଟ୍ଟନାୟକ ଓ ତାର ପାରିବାରକୁ ସେ ନିଆଁରେ ପୋଡି ତାର ସମଗ୍ର ସତ୍ତାକୁ ଜାଳି ପୋଡି ନଷ୍ଟ କରିବାର ଚକ୍ରାନ୍ତ ଯେ ଶେଷରେ ନୂତନ ସୃଷ୍ଟିର ଅୟମାରମ୍ଭ ହେବ, ଏ କଥା ଚନ୍ଦନ ପରି ପାଜୀ, କୁଚକ୍ରୀ ପରଶ୍ରୀକାତର ଚରିତ୍ର ମାନଙ୍କର କଳ୍ପନାର ବାହାରେ | ଆଉ ସେଇ ନିଆଁ ଯେ ଜୟ ଓ ଭୂମି ଜୀବନରେ ଆଣି ଦେଇଛି ନୂଆ ଏକ ମୋଡ଼, ନୂତନ ଅଧ୍ୟ।ୟର ଅୟମାରମ୍ଭ ହୋଇଛି, ଏହି ହିଁ ଏ କାହାଣୀର ବିଶେଷତ୍ୱ | ଭୂମି ଓ ଜୟ ପଟ୍ଟନାୟକଙ୍କ ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଁ ପୁଣି ସେ ଫେରି ପାଇବ, ତା ପ୍ରେମ, ତା ଭଲ ପାଇବା, ତା ହସ ଖୁସିର ପାରିବାର ତାର ଆପଣାପଣ, ତାର ସବୁ କିଛି ସେଇ ଜ୍ୱଳନ୍ତ ଅଗ୍ନି କୁଣ୍ଡରୁ, ନୂଆ ସମ୍ଭାବନା ନେଇ, ଏଇ ହିଁ କାହାଣୀର ଜୀବନଦର୍ଶନ | ଆଜି ଯେଉଁ ଅଗ୍ନିରେ ସେ ଜଳି ପୋଡି ଛଟପଟ ହେଉଛି, ସେ ଅଗ୍ନି ଯେ ଦିନେ ତା ପ୍ରଥମ ପ୍ରେମର ପ୍ରଥମ ହୋମ ହୋଇ ସାତ ଫେର, ଆଠ କଳସ, ବେଦୀ ଉପରେ ହୋମ କୁଣ୍ଡକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେବାର ସଂକଳ୍ପ ଜୟ ଭୂମି ନେଇଥିଲେ, ଆଉ ଜୟ ଅତି ଆଦରର ଭୂମିକୁ ପାଇଥିଲା, ସେଇ ଅଗ୍ନି କୁଣ୍ଡ, ସେଇ ଅଗ୍ନି ଦେବ ପୁଣି କିପରି ତାର ସେଇ ଦୁନିଆକୁ ତା ପାଖରୁ ଛଡେଇ ନେବେ, ଏହା ହିଁ ଏ ପ୍ରେମ କାହାଣୀର ଅସଲି ଉତ୍କଣ୍ଠା, ଏହା ନିଃସନ୍ଦେହ | ଆଉ ଏହାହିଁ ଏ କାହାଣୀର ନୂତନ
ସ୍ପର୍ଶ ଓ ନୂତନ ପରିକଳ୍ପନାର ବଳିଷ୍ଠ ଝଲକ,ଏହା କହିବା ବାହୁଲ୍ୟ |
ଦୁଷ୍ଟାତ୍ମା ଚନ୍ଦନ, ଯିଏ ଦିନେ ଭୂମି ଜୀବନରେ ଆସିଥିଲା କେଉଁ ଏକ ଅଦିନିଆ ଝଡ଼ ହୋଇ, ସେ ଆଜି ସାଜୁଛି ଝଡର ଇଗଲ | ଆଉ ସେ ସେଇ ଝଡର ସାହାରା ନେଇ ସେ କେତେ ଯେ ରଚନା କରୁଛି ତା ମନ ବୈଶାଖର ନିଦାଘ ବ୍ୟୁହ,ଏହା କିପରି ସମ୍ଭବ ? ଭୂମି, ହୁଏତ ସରଳା, ଅବଳା, ନୀରିହା ଗରିବ ଘରର ଲଳନାଟିଏ ହୋଇ ପାରେ | ଯିଏ କେବେ ଦୁଃଖ, ଦୈନ୍ୟ,ଯନ୍ତ୍ରଣା ଅସହାୟତାକୁ ଦେଖି କାତର ପଣରେ ପଛ ଘୁଞ୍ଚା ଦେଇନି ଏଇ ଦୁନିଆ ହାଟରେ | ସେ କଣ କେବେ କେଉଁ ସ୍ୱାର୍ଥ ପାଇଁ ତାର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ପାରିବ, କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ..? ଦାରିଦ୍ୟର ତାଡ଼ନାରେ ହୁଏ ତ ସେ ଦୟନୀୟ ହୋଇ ଯାଇଛି, ପରିସ୍ଥିତିର କ୍ରୁର ତାଡ଼ନାରେ ସେ ହୁଏତ ଦୁର୍ବିସହ, ଅବ୍ୟକ୍ତ ଯନ୍ତ୍ରଣାରେ ଜଳି ପୋଡି ଆଉଟୁ ପାଉଟୁ ହୋଇ ଯାଇଛି, ହେଲେ ସେ ନିଜର କର୍ମ ପଥରୁ କେବେବି ବିଚ୍ୟୁତ ହୋଇନି | ଯିଏ ନିଜ ଜୀବନ ଆକାଶରେ ପହିଲି ଆଷାଢ଼ର ପହିଲି ସ୍ପର୍ଶକୁ ଜୟ ପାଖରେ ଅନୁଭବ କରିଛି, ସେ କଣ ଆଉ କେଉଁ ଶ୍ରାବଣର ପ୍ରବଳ ପରାକାଷ୍ଠାରେ ତା କୋମଳ ହୃଦୟକୁ ଜଳାଞ୍ଜଳି ଦେଇ ପାରିବ, କ୍ଷଣିକ ଉତ୍ତେଜନାରେ, ସେ କଣ କେବେ ଆଉ କେଉଁ ମଳୟର ପୁଲକରେ ନିଜ ଆତ୍ମ ସତ୍ତାକୁ ହରେଇ ଦେଇ ପାରେ, ଦାହିକ ତୃପ୍ତିର ଆସ୍ୱାଦନରେ..? ଏହା ବିଶ୍ୱାସ ବାହାରେ | ତା ମନର ପ୍ରଥମ ଶ୍ରାବଣତ ଝର ଝର ହୋଇ ଝରି ସରିଛି, କେତେ ରାତି, କେତେ ଦିନ, କେତେ ବର୍ଷା, କେତେ ଶୀତ, କେତେ ଯେ ବସଂତ ବିଳମ୍ବିତ ପ୍ରହରରେ, ନିଜ ବିଶ୍ୱାସ ଓ ନିଶ୍ୱାସର ନିଘଞ୍ଚ ଇଲାକାରେ, ତାର ମନର ମଣିଷଙ୍କ ସାନ୍ନିଧ୍ୟରେ, ଜୟ ପଟ୍ଟନାୟକଙ୍କ ଆଂଗନରେ | ସେ ହିଁ ତା ପ୍ରଥମ ଓ ସେ ହିଁ ତା ପାଇଁ ପ୍ରଥମ ଶ୍ରାବଣ, ସେ ହିଁ ତା ଦେହ ଦେହଳୀର ଶେଷ ବସଂତ, ଏହା ପ୍ରମାଣିତ ହେଇଛି ସେଇଦିନ, ଯେଉଁଦିନ ପଟ୍ଟନାୟକ ବଂଶର ଏରୁଣ୍ଡି ବନ୍ଧ ଡେଇଁ ଆସିଥିଲା ପ୍ରଥମ ଥର ସାତ ଜନ୍ମ ଆଠ କଳସକୁ ସାକ୍ଷୀ କରି | ଆଉ ସେଇ ଅଭୂଲା ସ୍ମୃତି ସନ୍ତକ ସାଇତି ରଖିଛି ହୃଦୟର ସେ ନିଭୃତ କୋଣରେ ଜନ୍ମ ଜନ୍ମାନ୍ତର ପାଇଁ | ସବୁ ଥର ପରି ପ୍ରତ୍ୟେକ ବର୍ଷ ସେ ପିନ୍ଧି ଥାଏ ସେଇ ସ୍ନତକକୁ ଅତି ଆଦରରେ ନିଜର ବିବାହ ବାର୍ଷିକ ଦିନ, ନିଜର ବାହାଘରର ସେ ଅମୁଲ୍ୟ ରତ୍ନ, ସେଇ ନାଲି ଜାରି ଦିଆ ମଖମଲି ପାଟ ଓଢଣୀକୁ ଅତି ଶ୍ରଦ୍ଧା ଓ ଆବେଗରେ |
ଆଜି ଏ ଯେଉଁ ଚକ୍ରାନ୍ତର ନିଆଁ ଜଳୁଛି, ସେଥିରୁ ମୁକ୍ତି ପାଇଁ ସମସ୍ତେ ଭୀତତ୍ରସ୍ତ | ଏ ଦୁଃସମୟରେ କେମିତି ସମସ୍ତଙ୍କର ଉଦ୍ଧାର ହେବ, ଏ ଭୟଙ୍କର ନିଆଁର ଗ୍ରାସରୁ ମୁକ୍ତି ମିଳିବ, ସମସ୍ତେ ଆତଙ୍କିତ | ଲଳିତ ପଟ୍ଟନାୟକ, ରାମୁ କାକା, ଚୁଲବୁଲି, ସିଦ୍ଧି, ରୁଷି, ଭୂମି ଏବଂ ସର୍ବୋପରି ଜୟ ପଟ୍ଟନାୟକଙ୍କ ପାଇଁ ଏ ହେଉଛି ବିରାଟ ଧର୍ମ ସଙ୍କଟର ଘଡି | ତା ପାଇଁ ଆଗ କିଏ, ତା ପ୍ରେମ, ନାଁ ତା ପ୍ରେମର ସନ୍ତକ ସିଦ୍ଧି ଓ ରୁଷି ! ନାଁ ତା ପାଇଁ ତାର ପିତା, ନାଁ ପିତାଙ୍କ ଠାରୁ ଅଧିକ ଆଦରର ରାମୁ କାକା, ତା ର ନିଜ ଭଉଣୀ ଠାରୁ ଅଧିକ ଭଲ ପାଉଥିବା ଗେଲ୍ଲୀ ଚୁଲବୁଲି, କହାର ଜୀବନ ତା ପାଇ ଅଧିକ ମୂଲ୍ୟବାନ | କାହାର ଜୀବନ ରକ୍ଷା କରିବା ତା ପାଇଁ ପ୍ରଥମ କର୍ତ୍ତବ୍ୟ ? କାହାକୁ ସେ ଏଇ ଅନଳର କରାଳ କବଳରୁ ରକ୍ଷା କରିବ ସର୍ବ ପ୍ରଥମେ, ପ୍ରାଥମିକତାରେ..?
ସବୁର ସମାଧାନ ସେଇ ଭୂମି ହିଁ କରେ, ଆଉ ଆଜି ବି ସେ ତାର ବିଚାରବନ୍ତ ବିବେକ ନେଇ ତାର ଦେବତାଙ୍କୁ ପରାମର୍ଶ ଦେଇଛି ଅକୁଣ୍ଠ ଚିତ୍ତରେ | ନିଜର ମାନବିକ ପଣିଆର କଷଟି ପଥରରେ ନିଜକୁ ତଉଲି ସେ ଉଚିତ ପରାମର୍ଶ ଦେଇଛି ଜୟଙ୍କୁ | ପ୍ରଥମେ, ଶଶୁର ଲଳିତ ପଟ୍ଟନାୟକ, ଦେବ ତୁଲ୍ୟ ରାମୁ କାକା, ଦ୍ଵିତୀୟରେ ସିଦ୍ଧି ଓ ଚୁଲବୁଲି, ଶେଷରେ ରୁଷିଙ୍କୁ | ଏ ଉପଯୁକ୍ତ ହିସାବ ଯେ ଜଣେ ବିବେକୀ ହିଁ କରିପାରେ, ଏହା ପ୍ରମାଣିତ କରି ଏ ଦୁନିଆ ଆଗରେ, ସେ ନିଜକୁ ଜଣେ ଦରଦୀ ପ୍ରାଣର ପରିଚୟ ସୃଷ୍ଟି କରିପାରିଛନ୍ତି | ସେଥିପାଇଁ ନିଜକୁ ବଳି ଦେବା ପାଇଁ ତିଳେ ହେଲେ କାତର ହୋଇ ନାହିଁ, ଏଇ ମାନଵୀ ରୂପୀ ଦେବୀ ଭୂମି ସ୍ୱୟଂ ନିଜେ |
ଜୟ ପଟ୍ଟନାୟକ, ସ୍ନେହ କାଙ୍ଗାଳ, ପିଲାଟି ଦିନରୁ ନିଜ ଜନ୍ମ କଲା ମା ର ସ୍ନେହ ମମତାରୁ ବଂଚିତ ଜଣେ ନିର୍ମଳ ହୃଦୟର ବ୍ୟକ୍ତିତ୍ୱ | ରୁକ୍ଷ, ବୃଥା ଅଭିଜାତ୍ୟର ଖୋଳପା ଭିତରେ ଥାଇ, ଆତ୍ମ ଅଭିମାନ ସର୍ବସ୍ବ ଜଣେ ଉଚ୍ଚା ଆକାଂକ୍ଷିତ ଵିମତା ତାରା ପଟ୍ଟନାୟକଙ୍କ ଉଚ୍ଚ ଅଭିଲାଷାରୁ ମୁକ୍ତି ପାଇଁ ତାଙ୍କ ପ୍ରାଣ ସଦା ବ୍ୟଗ୍ର | ସେଇ ଅଜବ କାଇଦାର ନିଷ୍ପେସିତ ପ୍ରଖର ସ୍ରୋତରୁ ଉଦ୍ଧାର ପାଇଁ ସମସ୍ତେ ଆଜି ଏ ସମୟ ଓ ସମସ୍ୟାର ଦାସତ୍ବରେ ମ୍ରିୟମାଣ | ସେ ସଙ୍କଟ ଓ ସଂତାପର ସଂଶୋଧନ ଆଜିର ବିତର୍କିତ ବିଷୟ ବିଶେଷତ୍ୱ | ଆଉ ଖୋଜି ଚାଲିଛନ୍ତି କିଏ, କାହାପାଇଁ..|
ସମସ୍ତେ ଏଠି ଏକାକାର, କିଏ ହେବେ ଆପଣାର, ତାରା ଲଲିତଙ୍କୁ, ଭୂମି ଜୟଙ୍କୁ...| କିଏ ହେବ ଏଇ ନୀତି ଆଦର୍ଶ, ଜୀବନ ଯନ୍ତ୍ରଣାର ସ୍ରୋତରୁ ଉଦ୍ଧାରି ଆଣି ସୁନ୍ଦର ଭବିଷ୍ୟତର ବଳିଷ୍ଠ ଉଦାହରଣ |ସେ ଖୋଜିବା ଓ ପାଇବା, ସେ ହାରିବା ଓ ହରେଇବା, ସେ ଦ୍ଵନ୍ଦ ଓ ଦୟନୀୟତା, ସେ ଆଦର୍ଶ ଓ ଆଦରଣୀୟତାର ନିଦର୍ଶନ ଏ କାହାଣୀର ସମସ୍ତ ଚରିତ୍ର | ସେ ତ ଏଠି କେବଳ ନିମିତ୍ତ ମାତ୍ର, କିନ୍ତୁ ସବୁ କିଛି ବୋଧେ ଵିଧି ନିର୍ଦ୍ଧିଷ୍ଟ, ବହୁ ପ୍ରତିକ୍ଷୀତ, ଅନେକ ଆବେଗମୟ ପରିବେଶ ପରିସ୍ଥିତି ଓ ପୁଣ୍ୟ ପ୍ରତିଭୂର ଜ୍ୱଳନ୍ତ ନିଦର୍ଶନ ଏଇ ଧାରାବାହିକ - ତୋ ପାଇଁ ମୁଁ...| ଆଉ ସେ ଯେଉଁ ନିଆଁ ଜଳୁ ଥିବାର ଦୃଶ୍ୟ, ସେ ତ କିଛି ହୀନ ଚକ୍ରାନ୍ତକାରୀଙ୍କ ହୀନ ଚକ୍ରାନ୍ତ ଆଉ କିଛି ନୁହେଁ | ଯେଉଁ ନିଆଁ ଜାଳୁଥିଲେ ଏଇ ସରଳ ପ୍ରେମୀଙ୍କୁ ସବୁଦିନ ପାଇଁ ଅଲଗା କରିବା ପାଇଁ ; ସେଇ ନିଆଁ ଆଜି ହୋମ ନିଆଁ ହୋଇ ପୁଣି ସେମାନଙ୍କୁ ବାନ୍ଧି ପାରିଛି ଯୁଗ ଯୁଗ ପାଇଁ, ନୂଆ ରୂପରେ, ନୂଆ ସୃଷ୍ଟିରେ !