କହି ଜାଣିଲେ...
କହି ଜାଣିଲେ...
ମହା ଆଡମ୍ବରରେ ପାଟ ପଟୁଆର ଧରି ମହାରାଜ ଚାଲିଛନ୍ତି ଦେଶ ଭ୍ରମଣରେ | ସାଙ୍ଗରେ ମନ୍ତ୍ରୀ, ସେନାପତି, କଟୁଆଳ, ପାତ୍ର-ମନ୍ତ୍ରୀ, ଛତ୍ରୀ, ପାରିଷଦ, ତୋଷାମଦି, ସେବକ ଓ ଭୃତ୍ୟ, ସମସ୍ତ ପରିପାଟୀ ଓ ଯାକ ଯମକରେ ଆଗକୁ ଆଗକୁ ଚାଲିଛନ୍ତି, ମହା ପାଟୁଆରରେ|ଘୋଡା ସବାର, ହାତୀ ସବାର, ସୈନ୍ୟ ସାମନ୍ତ ଏକକୁ ଆରେକ |
ଆଲଟ, ଚାମର ପରିପାଟୀ ସହିତ ଦାସ ଦାସୀ, ସେବକ, ଭୃତ୍ୟ ଯେଝା ଉପଚାରରେ ଉପବେଷ୍ଟିତ ହୋଇ | ମହାରାଜ ଗଜାରୁଢ଼ ହୋଇ ଚାଲିଛନ୍ତି ଦର୍ପଦଳନ ଭଙ୍ଗୀରେ | ସମସ୍ତଙ୍କ ପରି ଯଦୁମଣି ବି ଚାଲିଛନ୍ତି ତାଙ୍କ ସହିତ ଚାଲି ଚାଲି ତାଙ୍କ ନିକଟରେ |ସହାସ୍ୟ ବଦନ, ମୁଣ୍ଡରେ କୌଳିକ ଛତା ଓ ହାତରେ ନିଜ ଆସବାବ ପତ୍ର, ମସ୍ତକରେ ଛତରୀ ବିମଣ୍ଡିତ | ମହାରାଜ ନିଜର ଦର୍ପିତ ଠାଣି ଓ ମନରେ ଗମ୍ଭୀରତା ଭେଦ କରି ଜିଜ୍ଞାସୁ ଭଙ୍ଗୀରେ ପଚାରିଲେ-
ଯଦୁମଣି, କହିଲ ଦେଖି, ଏବେ ବଡ଼ କିଏ..?
କଥାର ମର୍ମ ଜାଣି, ଯଦୁମଣି ଉତ୍ତର ଦେବାରୁ ଟିକେ କ୍ଷାନ୍ତ ରହିଲେ ଓ ଆଗକୁ ଆଗକୁ ବଢ଼ି ଚାଲିଲେ ନୀରବ ମନରେ ହେଲେ ଆବିଳତା ଶୂନ୍ୟ ଭଙ୍ଗୀରେ | ପୁନଶ୍ଚ, ମହାରାଜା ଅହମିକା ପୂର୍ଣ୍ଣ କଣ୍ଠରେ କହିଲେ - ମୋ ପ୍ରଶ୍ନର ଉତ୍ତର ଦିଅ ଯଦୁମଣି.. !
-ଏଥର ଅନ୍ୟନୋପାୟ ହୋଇ ଯଦୁମଣି କହିଲେ -
-ମହାରାଜ..!
"ନିକିତି ତୌଳ ସାନ ବଡ଼କୁ, ବଡ଼ ହୁଏ ଯେହୁ ଯାଏ ତଳକୁ"
ଏ କଥାର ମର୍ମଭେଦ ମହାରାଜଙ୍କ ମନରେ ଥିବା ଅହଂକାରର ପୂର୍ଣ୍ଣଚ୍ଛେଦ ଟାଣିବାକୁ ବାଧ୍ୟ କଲାରୁ ନୀରବରେ ଆଗକୁ ଆଗକୁ ଅତିକ୍ରମ କଲେ |
X X X X X X
ଦିନକୁ ଦିନ ଯଦୁମଣିଙ୍କ ଲୋକପ୍ରିୟତା ରାଜ୍ୟ ଦେଶ, ଖଣ୍ଡ ମଣ୍ଡଳରେ ଖୁବ ବଢିବା ଦେଖି, କିଛି ପାତ୍ର ମନ୍ତ୍ରୀ, ବିଦୂଷକ, ନିନ୍ଦୁକଙ୍କ ଛାତି ଫାଟିଗଲା ପରି ଲାଗିଲା । ସଭାସଦ ପାରିଷଦ ଗଣଙ୍କ ଦେହରେ ଯେମିତି ଛୁରୀ ଚାଲିଗଲା ପରି ଅସହ୍ୟ ବୋଧ ହେଲା । କେମିତି ଯଦୁମଣିଙ୍କୁ ମୌକା ଦେଖି ପାନେ ନ ଚଖେଇଲେ, ମନରେ ଶାନ୍ତି ନାହିଁ | ଯଦୁମଣିଙ୍କ ଛାଇ ପଡିଲେ ଯେମିତି ସେମାନଙ୍କ ନାହି ଡେଉଁଛି, ହେଲେ ଉପାୟ ନାହିଁ, ଖୋଦ ମହାରାଜଙ୍କ ଶୁଭ ଦୃଷ୍ଟି ସେମାନଙ୍କ ପାଇଁ ଶିରବିଦ୍ଧ କରୁଛି | କଣ ବା ଉପାୟ ଅଛି, ଚିନ୍ତାରେ ସମସ୍ତେ, ଏ ଯଦୁମଣି ସମସ୍ତଙ୍କୁ ଚିତା କାଟିଦେବା ଥୟ |ତାଙ୍କ ପାଇଁ ସାତ ପୁରୁଷର ଚାଟୁକାରି ବେପାର ଯେମିତି ବୁଡି ବୁଡି ଯାଉଚି, ହାତରୁ ଯିବାଟା ଥୟ |
କଥା ଯାଇ ଚ୍ୟାଉ ପଟ୍ଟନାୟକଙ୍କ କାନରେ, ଇଟାମାଟିର ସର୍ଦାର, ଯିଏ ତୋଷାମଦିଆଙ୍କ ଖାସ ଲୋକ | ଯେତେ କାନ କୁହା, ଖଣ୍ଟ, ପରଘର ଭଙ୍ଗା, ଟାଉଟର ସବୁଙ୍କ କଥାରୁ କିଛି ବୁଝ ନ ବୁଝ ସତ ବୋଲି ଭାବି ନେବାରେ ଓସ୍ତାଦ ସେ ଭୁଲ ଠିକର ହିସାବ ଚୁଲିକି ଯାଉ, ସେଇ ମାନଙ୍କ କଥାରେ ଯାଇ ତିନି ତୁଣ୍ଡରେ ଛେଳି କୁକୁର |ପାଣିରେ ସର ପକେଇବାକୁ ବି ପଛାନ୍ତି ନାହିଁ ! ସଜ ମାଛରେ ପୋକ, ତିଳକୁ ତାଳ କରିବାରେ ବେଶ ମାହିର |
କଥାଟା ତାହେଲେ ଏତେ ଗମ୍ଭୀର ! ସାମାନ୍ୟ ବଢ଼େଇ ଘର ଛାଟ, ସେ ପୁଣି ଏତେ ବଡ଼ କଥା କହି ପାରିଲା, ପୁଣି ଖୋଦ ରାଜ କୁମାରଙ୍କୁ | ରାଜା କିଏ, ଆଉ ତାଙ୍କ କୁମାର କିଏ ? କି ଯୁଗ ହେଲା, ଯେଉଁଠି ଖାଇବ, ସେଇ ପତ୍ରରେ ପୁଣି ଛେର... ! ଛିଃ, ଛି, ଛିଃ.. ! କଳି କାଳ, ଘୋର କଳି କାଳ |
ଚାଟୁକାରଙ୍କ ଏ ବଡ଼ିମାରେ ସଭାସଦ ଆଜି ଘୋର ଅନୁତପ୍ତ ଅସ୍ତ ବ୍ୟସ୍ତ, ନିହାତି ନାକରା କଥା | ଯିଏ ଶୁଣିଲା, ଛିଃ ଛାକର କଲା । ଯିଏ ଶୁଣିଲା, ସେ ନାକ ଟେକିଲା |
କଥା କ'ଣ ଚାଟୁକାରେ.. | କାହା କଥା କହୁଛ..?
ଜମିଦାର ଚ୍ୟାଉ ପଟ୍ଟନାୟକଙ୍କ ଜିଜ୍ଞାସାରେ ଚାଟୁକାର ଥତମତ ହୋଇ, ଆଗକୁ କଣ କହିବ ସେୟା ଭାବି ଭାବି ପାଟିଖନି ବାଜି ଯାଉଥାଏ | ଏ କଥାର ହିସାବ ଦେବାକୁ ସେ ନାକେଦମ ହୋଇ ଯାଉଥିଲା |
-ହେଇଟି ଆଜ୍ଞା, ମୋ କାନ ଉଠିଲା ଦିନୁ ମୁଁ ଏମିତି କଥା ଶୁଣିନି |ଆପଣଙ୍କୁ ସତ, ମତେ ମିଛ, ମୋ ଜିଭ ଲେଉଟୁ ନାହିଁ | କ'ଣ କହିବି? ସବୁ ସେଇ ମହାରାଜାଙ୍କ ଯୋଗୁଁ ପରା ସେ ଆଉ ଇନ୍ଦ୍ର, ଚନ୍ଦ୍ର ମାନୁ ନାହିଁ | ସାମାନ୍ୟ ବଢ଼େଇ ଟୋକା, ଆଜି କ'ଣ ଟିକେ, ବନେଇ ଚୁନେଇ, କଥାରେ ନଥା ଯୋଡି, କେତେ ମିଛ ସତ କହି, ଛାମୁଙ୍କ ପ୍ରିୟପାତ୍ର ହେଇଛି ବୋଲି, ସେ କ'ଣ, ସୀମା ସରହଦ ଭୁଲିଯିବ, ନିଜ ଭାଷାଜ୍ଞାନ ଭୁଲିଯିବ | କଥାରେ ବାଡ଼ ବତା ନାହିଁ | ସେଥିରେ କ'ଣ ନା, ତା ଠାରୁ, ଵିଵେକୀ ଆଉ କେହି ନାହିଁ | ବୁଦ୍ଧି ଜ୍ଞାନର ଖଣି..!
ଆରେ ପଣ୍ଡିତେ, କଥା କ'ଣ କୁହ, ମୋର ଆଉ ଧର୍ଯ୍ୟ ନାହିଁ, ଏତେ ବୁଲେଇ ବଙ୍କେଇ କଥା କୁହ ନାହିଁ | ସିଧା ସିଧା କୁହ |
ହଜୁର..! ହଜୁର.., ଆଜ୍ଞା, ରାଜକୁମାର ଆଜି ପ୍ରଭାତ ଫେରିରେ ଯାଇଥିଲେ ଯେ, ଯାଉ ଯାଉ ସେଇ ଯଦୁଆ ଘରଟା ପଡିଲା | ଯଦୁ ସେତେବେଳେ ଘର ଛପର କରିବାକୁ ପାଗ ଭିଡୁଥିଲା | ସାନ ସାଆନ୍ତେ କୌତୂହଳେ କ'ଣ କରୁଛ କି ଯଦୁମଣି ପଚାରି ଦେଲାରୁ, କଣ ଟା ଅଶୁଦ୍ଧ ହେଇ ଗଲା | ନାଇଁ ନାଇଁ, କଣ ଓଲଟି ପଡିଲା | ଆଜ୍ଞା, ପିଲା ବାଳୁତ ବୁଦ୍ଧି | ଆଉ ରାଜାଘର ପୁଅ, ଟିକେ ଜିଜ୍ଞାସା କରି କ'ଣ ଭୁଲ କରି ପକେଇଲେ |
ତା'ପରେ କ'ଣ ହେଲା କୁହ ପଣ୍ଡିତେ...?
ତା'ପରେ ଯାହା ମୁଁ ଶୁଣିଲି, କହିଲେ କୁଳ କୁଟୁମ୍ବଙ୍କୁ ଲାଜ, ନ କହିଲେ କୁଳ ଭାସି ଯାଉଚି | ଏତେ ହୀନ ତୁଣ୍ଡ.. |
କହିଲା କଣ ନାଁ.. |
X X X X X X X
ସମସ୍ତେ ଠିକ ସମୟରେ ଆସିଗଲେଣି | ଜମିଦାର, ସଭାସଦ, ପାରିଷଦ ଗଣ, ପାତ୍ର ମନ୍ତ୍ରୀ, ମହାମନ୍ତ୍ରୀ, ସେନାପତି, କଟୁଆଳ ଇତ୍ୟାଦି ଇତ୍ୟାଦି | ଯେଝା ଆସନ ଅଳଙ୍କୃତ | ଖାଲି ମହାରାଜଙ୍କୁ ଅପେକ୍ଷା |
ରାଜ ଉଆସ ଆଜି ଗମ୍ଭୀର ଜଣା ପଡୁଛି | ସବୁଦିନ ଯେଉଁ ହସ ଖୁସି, ଥଟ୍ଟା ତାମସାର ମାହୋଲ ଥାଏ, ତାହାର ବ୍ୟତିକ୍ରମ | କାହାରି ମୁହଁରେ ଆଜି ସରସତା ନାହିଁ | କେଉଁ ଏକ ଅଜଣା ଭୟ ଭିତରେ ସମସ୍ତେ ଗୁରୁ ଗମ୍ଭୀର | ରାଜଉଆସର ଭାଟ ଉଚିତ ସମୟ ଜାଣି କୁହାଟରେ ସମସ୍ତେ ସଜାଗ ହୋଇ ଉଠିଲେ | ମହାରାଜ ଆସନ ଅଳଙ୍କୃତ କଲେ | ମୁଖମଣ୍ଡଳ ଆଜି ଗମ୍ଭୀର.. |
ସାମାନ୍ୟ ଇସାରାରେ ସୁବେଦାର ଅନୁମତି ଭିକ୍ଷାପୂର୍ବକ ହାଜିର କରିବାକୁ କହିଲେ | ସବୁ ଉତ୍କଣ୍ଠାର ସମାପ୍ତି ଘଟାଇ, ରକ୍ଷୀ ଦୁଇଜଣ ଦୁଇହାତ ପଛକୁ କରି ବନ୍ଦୀ ଅବସ୍ଥାରେ ଥିବା ଅପରାଧୀଙ୍କୁ ହାଜିର କରାଇଲେ | ସମସ୍ତେ ଆଜି ନୀରବ, ମଥାନତ, କାହାରି ମୁହଁରେ ଭାଷା ନାହିଁ |
ମହାରାଜଙ୍କର ଜୟ ହେଉ | ଚିରା ଚରିତ ଢଙ୍ଗରେ ମହାରାଜାଙ୍କୁ ଯଥାମାନ୍ୟ ପୂର୍ବକ ସଭାସଦ ମାନଙ୍କୁ ଟିକିଏ ନୀରିକ୍ଷଣ କରି, ଯଦୁମଣି ଏ ନୀରବତାର କାରଣ ପଚାରଲେ |
କଣ ହେଇଛି, ସଭାସଦ..? ଆପଣମାନେ ଏତେ ନୀରବ, ଭୀତତ୍ରସ୍ତ, ଗମ୍ଭୀର କାହିଁକି ଜଣା ପଡୁଛନ୍ତି | କଣ କିଛି ଅଘଟଣ ହେଇଛି.. !
ସମସ୍ତେ ନୀରବ.. ! କାହାରି ମୁହଁରେ ଭାଷା ନାହିଁ ।ମହାରାଜଙ୍କ ଆଡକୁ ମୁହଁ କରି, ହସ ହସ ମୁହଁରେ ପୁନଶ୍ଚ ପଚାରିଲେ, ସେଇ ଚିରା ଚରିତ ଶୈଳୀ, ଆଉ ବ୍ୟଙ୍ଗାତ୍ମକ ଢଙ୍ଗରେ- କି ଉପହାର ଦେବେ ମହାରାଜ..?
-ଯେ ମୋ ହାତକୁ ପଛ ପଟୁ ବାନ୍ଧି ମତେ କି ପୁରସ୍କାର ଦେବେ?
କଟାକ୍ଷ ସ୍ୱରରେ ମହାରାଜ କହି ଉଠିଲେ - ଯଦୁମଣି..!
ତୁମେ ସମସ୍ତ ସୀମା ଲଙ୍ଘନ କରି ସାରିଛ | ସହିବାର ସୀମା ମୋର ନାହିଁ | ତୁମକୁ ଶୂଳି ଦିଆଯିବ..!
ଶୂଳି.. ! ଏଠି ଏତେ ବଡ଼ ବଡ଼, ପାତ୍ର ମନ୍ତ୍ରୀ, ଅପତ୍ୟ ଥାଉ ଥାଉ ମତେ କାହିଁକି ଶୂଳି ଦେବେ ମଣିମା..? ମୋର ଦୋଷ କଣ ମୁଁ ଜାଣି ପାରୁନି.. !
- ତୁମେ ଏତେ ବଡ଼ କଥା କିପରି କହି ପାରିଲ? ତୁମର ସାହସ ହେଲା କିପରି? ତୁମେ କଣ ସମସ୍ତ ହିତାହିତ ଜ୍ଞାନ ଭୁଲି ଗଲଣି?
- ମହାରାଜ.. ! ମହାରାଜ.., ଏ ଅକିଞ୍ଚନର ଭୁଲ କଣ ମଣିମା? ମୁଁ ତ କାହାକୁ କିଛି ଭୁଲ କଥା କହି ନାହିଁ !
- ମହାରାଜ ଆଉ ବିଳମ୍ବ ନ କରି ସମସ୍ତ କଥା ଜାଣିବାକୁ, ମହାମନ୍ତ୍ରୀଙ୍କୁ ଆଦେଶ ଦେଲେ |
ଦୀର୍ଘ ନିଶ୍ୱାସ ଛାଡି ଏବେ ଯଦୁମଣି ପ୍ରକୁତିସ୍ଥ ହୋଇ ଆରମ୍ଭକଲେ |
- କଥା ଯାଇ ଏତେ ବାଟରେ ମଣିମା.. | ତିନି ତୁଣ୍ଡରେ ଛେଳି କୁକୁର ! ମଣିମା, ଆପଣ ତ ଜାଣନ୍ତି, ଆର ବରଷ ବାତ୍ୟା ଆସି ଥିଲା, ସେ ଯେଉଁ ତାଣ୍ଡବ ରଚି ଥିଲା, ଯୋଉ ନାରଖାର କରିଥିଲା, କାହାକୁ ଅଛପା ଯେ, ଆଉ ସେଇ ବାତ୍ୟାରେ ମୋ ଘର ଚାଳ ଅଧାରୁ ଅଧିକା ଉଡ଼ି ଦିନରେ ସୂର୍ଯ୍ୟ, ରାତିରେ ତାରା ଦିଶୁଥିଲା; ଆଉ ଯୋଉ ଅଧକ ଥିଲା, ସେ ଅଧକ ପରା ଆମ ଗାଁ ହନୁ ଦଳକ ପୁରା ସାରି ଦେଇଥିଲେ | କଣ କରିବି ସେ ଗୋବରାକୁ ଡାକି ଛପର କରୁଥିଲି ମଣିମା, ଏ କଥାରେ ମୋର ଦୋଷ କଣ..!
ତୁମେ କଥାରେ ମତେ ଛନ୍ଦି ଦିଅ ନାହିଁ ଯଦୁମଣି | ତୁମେ କୁମରକୁ କହିଥିଲ, ସଫା ସଫା କୁହ- ରାଜା ଆଦେଶ ଦେଲେ |
ମଣିମା, କ'ଣ କହିବି, ସବୁ ମୋ କପାଳ..|
ତାଙ୍କ କଥା ସରିଛି କି ନାହିଁ, ଚାଟୁକାର ଆଉ ସମ୍ଭାଳି ହୋଇ ରହି ପାରିଲେ ନାହିଁ |
-ତୁମେ ଯୁବରାଜଙ୍କୁ କହି ନାହଁ ଯେ "ବାପ ଶଳା, ଆଉ ପୁଅ ବି ଶଳା..?
କୁହ ଯଦୁମଣି ତୁମେ ଏପରି ଖରାପ କଥା କହିଲ କିପରି..?
-ପଣ୍ଡିତେ ଆପଣେ, ତୁଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡୁ କେତେ, -ଯଦୁମଣି ତାଙ୍କର ଚିରା ଚରିତ ଠାଣିରେ କହିବାକୁ ଆରମ୍ବ କଲେ | ଆଜି ଯେତେବେଳେ ଯୁବରାଜ ପ୍ରଭାତ ଭ୍ରମଣରେ ଯାଇଥିଲେ, ମୁଁ କହିଲି, "ବାପ ଶଳାର ଯେଉଁ ଭିଆଣ, ପୁଅ ଶଳାର ସେଇ ଭିଆଣ", ମୁଁ ସେଇ ଭିଆଣ କରୁଛି |
- ଏ କଥାର ଅର୍ଥ ହେଲା, ବାପ ପବନ ମୋ ଛପର ନାରଖାର କରିଥିଲା, ଆଉ ପୁଅ ଏଇ ମାଙ୍କଡ଼ଦଳ ବି ଡେଇଁ କୁଦି ଯୋଉ ଅଧକ ଥିଲା ତାକୁ ବି ସଫା କରିଦେଲେ | ବାପ ଶଳାର ଯୋଉ ଭିଆଣ, ପୁଅ ଶଳାର ସେଇ ଭିଆଣ, ମୁଁ ସେଇ ଭିଆଣ କରୁଛି |
ଏ କଥାର ମର୍ମ ବୁଝି, ସଭାସଦ, ପାତ୍ର ମନ୍ତ୍ରୀ, ପାରିଷଦଗଣ ସମସ୍ତେ ଖୁସିରେ ହୋ ହୋ ହୋଇ ନାଚି ଉଠିଲେ |ଖୋଦ ରାଜା ମହା ଆନନ୍ଦରେ ଆତ୍ମ ହରା ହୋଇ ବହୁ ଯୋରରେ ହସି ବାକୁ ଲାଗିଲେ | ସବୁ ଦିନ ପରି ହସ ଖୁସିରେ ପୁଣି ଫାଟି ପଡିଲା, ଆଉ ମହାରାଜ କହିଲେ, ଯଦୁମଣି ପୁଣି ତୁମେ ଜିତି ଗଲ, ଧନ୍ୟ ଯଦୁମଣି, ଧନ୍ୟ..| ତୁମ ପୁରସ୍କାର ଯେ ତୁମ ଘରର ଛପର ଖର୍ଚ୍ଚ ସବୁ ମୁଁ ଭରଣା କରିବି | ସଭା ସଙ୍ଗ ହେଲା..|