STORYMIRROR

Debadatta Jena

Horror Thriller

2  

Debadatta Jena

Horror Thriller

ବିକ୍ରମ ବେତାଳ..

ବିକ୍ରମ ବେତାଳ..

3 mins
131

   ସୁ ସୁ ନିଶା ଗର୍ଜୁଛି.. ଶୂନଶାନ ରାତି, ନିସ୍ତବ୍ଦ ପ୍ରହର..!ଅଶରିରୀ, ଚିରୁଗୁଣୀ ଭୂତ ପ୍ରେତ, ମାନଙ୍କର ଆତ ଯାତ ସମୟ, ଘନ ଘୋର ଗର୍ଜନ | ଶୃଗାଳର ଆର୍ତ୍ତ ଚିତ୍କାର, ଚିରିଂ ଚି଼ରିଂ ନିଶାଚର ଶବ୍ଦରେ ଫାଟି ପଡୁଛି ଗାଢ଼ ଅନ୍ଧାରର ଗଭୀର ନିସ୍ତବ୍ଧତା ! ଫଡ ଫଡ ଅପରଛନିଆ ଶବ୍ଦରେ ପେଚା ମାନଙ୍କର ଅତର୍ଚ୍ଛା ଉଡାଣରେ ଅଶାନ୍ତ ହୋଇ ପଡୁଛି ସେ କୃଷ୍ଣ ପକ୍ଷର ବିକଟାଳ ରାତି |ଉଜ୍ଜୟନ ରାଜ୍ୟର ଏଇ ହେଉଛି ସବୁଠାରୁ ବଡ଼ ଶ୍ମାଶନ, କାଳର କରାଳ କବଳକୁ ପ୍ରତିହତ କରି କାହିଁ କେଉଁ ଅନାଦି କାଳରୁ ଏଇ ଭୟଙ୍କର ମଶାଣି ମୂକସାକ୍ଷୀ ରୂପେ ଦଣ୍ଡାୟମାନ ହେଇ ରହିଛି କାଳ କାଳକୁ;ନଗର ଉପକଣ୍ଠସ୍ଥ ସେଇ କାଳକୂଟ ଶ୍ମାଶନ, ଉଜ୍ଜୟନ ରାଜ୍ୟର ମଶାଣି ପଦା ! 


   ଅନାୟାସରେ ଆଗକୁ ଆଗକୁ ପାଦ ବଢ଼ାଇ ଚାଲିଛନ୍ତି ରାଜା ବିକ୍ରମାଦିତ୍ୟ ଏଇ ଅମା ଅନ୍ଧକାର ଗାଢ଼ ଅନ୍ଧାରକୁ ଭେଦ କରି, ନିରବଛିନ୍ନ, ଅବିରତ ଭାବରେ ! ହାତରେ ତାଙ୍କର ସେଇ ପ୍ରିୟ ପରିଚିତ ଅସି, ସ୍ଥୁଳ ଅନ୍ଧକାରକୁ ଭେଦ କରି ଚିକମିକ ନଜସ୍ବ ଦୀପ୍ତିରେ ଦେଦିପ୍ୟମାନ !ଏ ଅନ୍ଧକାରକୁ ଚ୍ଛେଦି ସେ ରାଜାଙ୍କୁ ସତେ ଯେପରି ପଥ ପ୍ରଦର୍ଶିତ କରୁଛି, ଆହୁରି ଆଗକୁ ଯିବାପାଇଁ, ନିଜର ଚିର ଇପ୍ସିତ ଦୁର୍ବାର ଲକ୍ଷ୍ୟ ସାଧନ ରାସ୍ତାରେ.. !


  ସଦ୍ୟ ଶେଷ କୃତ୍ୟ ହୋଇ ଥିବା ଶବ ମାନଙ୍କର ପୋଡା ଗଂଧର ବାସ୍ନାରେ ଅଣନିଶ୍ୱାସୀ ଲାଗୁଛି ଏଇ ବିଷଣ୍ଣ ସମାଧି କ୍ଷେତ୍ର !କେଉଁଠି ଦରପୋଡା କାଠ ବାଉଁଶ ଇତସ୍ତତଃ ହୋଇ ବିକ୍ଷିପ୍ତତା ଦର୍ଶାଇବା ସହିତ କ୍ଷଣେ କ୍ଷଣେ ଦୁର୍ଦ୍ଦଷ ରାଜା ବିକ୍ରମଂକ ପାଦକୁ ଆଘାତ କରି କ୍ଷତାକ୍ତ କରି ଦେଉଛି, ଠାଏଁ ଠାଏଁ ଦରପୋଡା ଅସ୍ଥି, ଖପୁରି ପଞ୍ଜରା ମାନଙ୍କର ବିକ୍ଷିପ୍ତ ଅଂଶ ମାନ ଅଲକ୍ଷ୍ୟରେ ଭୀଷଣ ଆଘାତ ପ୍ରାପ୍ତ କରୁଛି, ତଥାପି ସ୍ଥିର ଚିତ୍ତ, ନିର୍ଭିକ ରାଜା ବିକ୍ରମ ତଥାପି ଭୃକ୍ଷେପ ନାହିଁ, ପ୍ରବଳ ପରାକ୍ରମୀ, ଦୁଃସାହସୀ, ଉଜ୍ଜ୍ୱୟନର ବୀର ପ୍ରତାପୀ ପୁଂଗବ ବିକ୍ରମାଦିତ୍ୟଙ୍କୁ ! ନିଜର ଅଲଂଘ୍ୟ ଲକ୍ଷ୍ୟ ପଥରେ.. !


   ଏ କଣ..!ଏ କି ବିଭତ୍ସ ଚିତ୍କାର.. !! ଏ କି ଅଟ୍ଟହାସ୍ୟ.. !ରାଜା ବିକ୍ରମାଦିତ୍ୟଙ୍କୁ ମନରେ ଅନେକ ପ୍ରଶ୍ନ, ଏ କି ଭୟାନକ ସ୍ଥିତି ! ନା ଯେତେ ପ୍ରତିବନ୍ଧକ ଆସିଲେ ବି ସେ ବିନା କୌଣସି ସଂକୋଚରେ ଆଗକୁ ଯିବାକୁ ତିଳେ ହେଲେ ପଶ୍ଚାଦପଦ ହେବେ ନାହିଁ, ଏହା ସୁ ନିଶ୍ଚିତ ! ମନରେ ତିଳେ ହେଲେ ଶଙ୍କା ନ କରି ରାଜା ପ୍ରଶ୍ନ କଲେ -


କିଏ..? କିଏ ତୁମେ ଅଶରିରୀ..? କାହିଁକି ତୁମେ ଏ ପରି ଅଟ୍ଟହାସ୍ୟ କରି ମୋ ଗନ୍ତବ୍ୟ ପଥରେ ବାଧା ସୃଷ୍ଟି କରୁଛ? ତୁମର ଉଦ୍ଦେଶ୍ୟ କଣ..? 


 -ରାଜନ.., ଫେରି ଯାଅ ରାଜନ.. ! ତୁମକୁ ଆଗକୁ ଯିବାକୁ ଆମେ କେବେବି ଦେବୁନି !ହେଃ ହେଃ.. 


- ତୁମେ..? 


ହଁ.. !ରାଜନ, ଆମେ ବାବନ ବୀର ପହରାଦାର..! ଏ ରାସ୍ତାକୁ ଆମେ ଜଗିଛୁ, ତୁମେ ଆଗକୁ ଯାଇ ପାରିବ ନାହିଁ ରାଜନ.. !ତୁମେ ତୁମ ରାସ୍ତା ବଦଳାଇ ନିଅ..! ରହି ଯାଅ ରାଜନ..,ହିଃ ହିଃ ହିଃ.. 


କିଳିକିଳା ରଢିରେ ଶୂନଶାନ ରାତ୍ରୀର ନିସ୍ତବ୍ଧତା ଭଙ୍ଗ କରିବାକୁ ଲାଗିଲା, ସମଗ୍ର ଏ ଶ୍ମାଶନ ଏଇ ରାତ୍ରୀଚର ଅଶରୀର ମାନଙ୍କ ବିକଟାଳ ଅଟ୍ଟହାସ୍ୟରେ | ମନକୁ ଦମ୍ଭ କରି ରାଜା କହିଲେ -


- ନାଁ.. ! ଏ ବିକ୍ରମ ଥରେ ଯାହା ନିଷ୍ପତ୍ତି ନିଏ, ସେଥିରୁ କେବେବି ସେ ବିଚ୍ୟୁତ ହୁଏନି ବାବବ ବୀର ଗଣ ! ମୋ ରାସ୍ତାରେ ମତେ ଯିବାକୁ ଦିଅ, ମୁଁ କେବେବି ପଛକୁ ହଟିବି ନାହିଁ !


-ରାଜନ..! ତୁମେ ଯାଅ ରାଜନ, ହେଲେ ଆଗକୁ ଆହୁରି ଘୋର ବିପଦ ଅଛି, ତୁମେ ଆଗକୁ କେବେବି ଯାଇ ପାରିବନି.. !ହିଃ ହିଃ ହିଃ..|


  ତିଳେ ମାତ୍ର ଭୃକ୍ଷେପ ନ କରି ରାଜା ଆଗକୁ ବଢି ଚାଲିଲେ, ନିର୍ବିକାର ଚିତ୍ତରେ, ସେ ଅନ୍ଧକାର ଭିତରେ !


  କିଛି ସମୟର ନୀରବତା ପରେ ପୁଣି କିଛି ଅଟ୍ଟହାସ୍ୟର ଶବ୍ଦରେ ବିକ୍ରମ ପ୍ରକୃତିସ୍ଥ ହେଲେ |


 -ହୁସିଆର ରାଜନ..! ଆମେ ଆଠ ଭୈରବୀ.. ! ତୁମେ ତୁମ ରାସ୍ତା ବଦଳାଇ ନିଅ | ଆମେ ତୁମକୁ ଆଗକୁ ଯିବାକୁ ଦେବୁନି |


  - ନାଁ, ଭୈରବୀ ଗଣ.. !ମୋତେ ମୋ ରାସ୍ତାରେ ଯିବାକୁ ଦିଅ !ମୁଁ ମୋର ଗୁରୁଦେବ, ମୋର ପ୍ରାଣଦାତାଙ୍କୁ ମୁଁ କଥା ଦେଇଛି, ମୁଁ ମୋ ଧର୍ମ ରକ୍ଷା ନିଶ୍ଚୟ କରିବି | ମୋତେ ମୋ ଲକ୍ଷ୍ୟ ପଥରୁ କେହି ବି ବିଚ୍ୟୁତ କରିବେ ନାହିଁ | 


 -ରାଜନ, ତୁମ ସାହସ ଓ କର୍ତ୍ତବ୍ୟ ପରାୟଣାତା ଦେଖି ଆମ୍ଭେ ସ୍ତମ୍ଭିଭୂତ ରାଜନ !ତେବେ ତୁମ ସାହସ ଓ ଧର୍ମ ରକ୍ଷା ପାଇଁ ଦେଇ ଥିବା ବଚନ ପାଇଁ ଆମ୍ଭେ ତୁମକୁ ନିଶ୍ଚୟ ସାହାଯ୍ୟ କରିବୁ ! ଧନ୍ୟ ତୁମେ ରାଜନ, ଧନ୍ୟ ତୁମ କର୍ତ୍ତବ୍ୟ ନିଷ୍ଠା | ବାସ୍ତବିକ ତୁମେ ଏ ଜଗତର ଜଣେ ବଳିଷ୍ଠ ବୀର, ପ୍ରବଳ ପ୍ରତାପୀ ରାଜା ବିକ୍ରମାଦିତ୍ୟ ! ତୁମର ଜୟ ହେଉ..| - ଅଶରୀର ମାନେ ଉଭାନ ହୋଇଗଲେ ସେ ଅନ୍ଧକାର ଭିତରେ ନିମିଷକ ମଧ୍ୟରେ..! 


                     (କ୍ରମଶଃ)...


ବିଶେଷ ଅନୁରୋଧ.. 


  (ସମୟ ସ୍ୱଳ୍ପତା ଦୃଷ୍ଟିରୁ କାହାଣୀଟି ପୁରା ନ କରି ପାରି ଥିବାରୁ ଦୁଃଖିତ..! ଆଶାକରେ ସମ୍ପାଦକୀୟ ମଣ୍ଡଳୀ ସହୃଦୟ ଚିତ୍ତରେ ଅନୁରୋଧ ଗ୍ରହଣ କରିବେ ! ଯଦି ଦୟା ପରବଶ ହୋଇ ମୋତେ କାହାଣୀଟିକୁ ପୁରା କରିବାର ସୁଯୋଗ ଦେବେ, ତେବେ ମୁଁ ନିଜକୁ ଧନ୍ୟ ମନେ କରିବି.. ଅନୁରୋଧ ପୁରା କରିବେ ବୋଲି ଆଶା ଓ ବିଶ୍ୱାସ.. ନମସ୍କାର



Rate this content
Log in

Similar oriya story from Horror