Debadatta Jena

Inspirational

4.0  

Debadatta Jena

Inspirational

ଭିକ୍ଷାମଂ ଦେହିଃ..

ଭିକ୍ଷାମଂ ଦେହିଃ..

6 mins
255


   ଭିକ୍ଷାମଂ ଦେହିଃ ମମ...! ଭିକ୍ଷାମଂ ଦେହିଃ..!


ପଟାଳୀପୁତ୍ର ନଗରର ରାଜ ରାସ୍ତାରେ ବୌଦ୍ଧ ଭିକ୍ଷୁ ନିଗ୍ରୋଧଙ୍କର ଭିକ୍ଷାବୃତ୍ତି ଆବୃତ୍ତିର ଅନୁରଣିତ ଶବ୍ଦ ସତେ ଯେମିତି ପରିବେଶକୁ ଶାନ୍ତ କମନୀୟ ଅତୀବ ମନୋରମ କରି ଦେଉଥିଲା | ପ୍ରଶାନ୍ତ ଚିତ୍ତ, ସହାସ୍ୟ ବଦନ, ମୂଖ ମଣ୍ଡଳରେ ଅପୂର୍ବ ଜ୍ୟୋତି ଉଦ୍ଭାସିତ ହେଉଥିଲା ଏଇ ସ୍ୱଳ୍ପ ବୟସ୍କ ବୌଦ୍ଧ ସନ୍ୟାସୀଙ୍କ ମଧୁର ବାଣୀର ମୃଦୁ ଝଙ୍କାରରେ..! ପ୍ରତିଧ୍ୱନିତ ହେଉଥଲା - ଭିକ୍ଷାମଂ ଦେହି ପରି ମଧୁର ଶବ୍ଦର ଏଇ ଅପୂର୍ବ ପରିବେଷ୍ଟନୀରେ |


    ଅଚାନକ ମଗଧ ସାମ୍ରାଜ୍ୟର ମହା ମହିମ ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କର କଳିଙ୍ଗ ବିଜୟର ମହା ପଟୁଆର ଏଇ ଶାନ୍ତ ସୁନ୍ଦର ପରିବେଶକୁ ଅଶାନ୍ତ ମୟ ପରିବେଶରେ ପରିବର୍ତ୍ତନ କରି ଦେଲା | ଆଉ ଚାରିଆଡେ କେବଳ ଜୟ ଜୟକାର ଧ୍ୱନୀରେ ଏ ଗଗନ ପବନକୁ ପ୍ରକମ୍ପିତ କଲା | ସୈନ୍ୟ ସାମନ୍ତ, ଆଲଟ ଚାମର, ରଥି, ମହାରଥୀ, ଅଶ୍ଵାରୋହୀ, ଗଜାରୋହୀ, ରଥ ବାହିନୀ, ପଦାତିକ ବାହିନୀ ଯେତେ ପାତ୍ର ମନ୍ତ୍ରୀ ଭେରୀ ତୁରୀ କାହାଳୀ ସ୍ୱରରେ ଗଗନ ପାବନ ମୁଖରିତ ହୋଇ ଉଠିଲା ସଗର୍ବରେ | ସ୍ୱାଭାବିକ ପରିବେଶ ଧୀରେ ଧୀରେ ଅଶାନ୍ତମୟ ହେବାକୁ ଲାଗିଲା | ପଥଚାରୀ ଭୀତତ୍ରସ୍ତ ହୋଇ ପଟୁଆରକୁ ରାସ୍ତା ଛାଡି ଦେଲେ, ଜୟ ଜୟକାର ଧ୍ୱନୀରେ ଦିଗ୍ବଦିଗ ପ୍ରକମ୍ପିତ ହେବାକୁ ଲାଗିଲା ସାରା ସାମ୍ରାଜ୍ୟ ପଥ,ଜନପଥ ନୂତନ ଉଦ୍ଘୋଷଣରେ |


   ବୌଦ୍ଧ ଶ୍ରମଣ ନିଗ୍ରୋଧ ସେମିତି ସ୍ଥିତପ୍ରଜ୍ଞ, ସ୍ମିତହାସ୍ୟ ମୂଖ ମଣ୍ଡଳରେ ସ୍ଥିରଚିତ୍ତ ସ୍ୱଭାବରେ ସେମିତି ଲକ୍ଷ୍ୟ ପଥରେ ଅତିକ୍ରାନ୍ତ କରୁ ଥାନ୍ତି | ମଗଧ ସାମ୍ରାଜ୍ୟର ଏ ରାଜ ପରିପାଟୀ ହର୍ଷ ଉଲ୍ଲାସ ପ୍ରତି ତିଳେ ହେଲେ ଭୃକ୍ଷେପ ନାହିଁ ତାଙ୍କର | ସେ ସେମିତି ନିଜ ସ୍ଵକୀୟ ପ୍ରବୃତ୍ତି ପ୍ରତି ଗଭୀର ନିଷ୍ଠାରେ ସ୍ଵକୀୟ ସୁନିୟନ୍ତ୍ରିତ, ବିନମ୍ର କଣ୍ଠରେ ଘୋଷଣା କରି ଚାଲିଛନ୍ତି - ଭିକ୍ଷାମଂ ଦେହିଃ ମମ..,ଭିକ୍ଷାମଂ ଦେହିଃ ନିଜ ଗନ୍ତବ୍ୟ ପଥରେ ଅଵିଚଳଚିତ ଭାବରେ |


-ଦେବାନଂ ପ୍ରିୟ ପ୍ରିୟଦର୍ଶୀ ରାଜା ସମ୍ରାଟ ଅଶୋକଙ୍କ ଏ ବିଷୟ ଉପରେ ଦୃଷ୍ଟି ପଡିଲା | କିଏ ଏଇ ଉଦ୍ଭ୍ରାନ୍ତ ବାଳକ ବୌଦ୍ଧ ଭିକ୍ଷୁ..? ଶ୍ରମଣ ବେଶରେ ଏ ରାଜ ମାର୍ଗରେ ଉପନୀତ | ଦିବ୍ୟ ସୁନ୍ଦର ଅବୟବ, ପୁଣି ଏ ଯୁବାବସ୍ଥାରେ ଜଣେ ବୌଦ୍ଧ ଭିକ୍ଷୁକ ଶ୍ରମଣ ବେଶରେ, ଭିକ୍ଷା ବୃତ୍ତିକୁ ଆଦରି ନେଇ ପାରିଛି | ଆଶ୍ଚର୍ଯ୍ୟ.. ! 


-କିଏ ତୁମେ ଯୁବକ..? 


ଏ ପ୍ରଶ୍ନର ଅପେକ୍ଷାରେ, ଧୀର, ନମ୍ର, ଅବିଚଳିତ ଭାବରେ ଉତ୍ତର ଦେବାକୁ ପ୍ରସ୍ତୁତ ହେଲେ - ବୌଦ୍ଧ ଭିକ୍ଷୁ ନିଗ୍ରୋଧ.. |


ମୁଁ ଆପଣଙ୍କ ଭାଇ ସୁସିନଙ୍କ ପୁତ୍ର, ବୌଦ୍ଧ ଶ୍ରମଣ ନିଗ୍ରୋଧ ସମ୍ରାଟ.. | ଜନପଦ ଆପମଦରେ ମୋର ଆଶ୍ରୟ ସ୍ଥଳ | ସହାସ୍ୟ ବଦନ, ପ୍ରଶାନ୍ତ ଚିତ୍ତ, ସ୍ଥିତ ପ୍ରଜ୍ଞ ସ୍ୱରରେ ସମ୍ରାଟ ଅଶୋକଙ୍କୁ ନିଜର ପରିଚୟ ପ୍ରଦାନ କଲେ ଭିକ୍ଷୁ ନିଗ୍ରୋଧ ନିର୍ବିକାର ଚିତ୍ତରେ |


ସମ୍ରାଟ ଅଶୋକ କିଛି କ୍ଷଣ ପାଇଁ ବାକରୁଦ୍ଧ ହୋଇଗଲେ | ତାଙ୍କ ହୃଦୟ ଭିତରେ କିଛି କ୍ଷଣ ପାଇଁ ନୀରବତା ଖେଳିଗଲା | ଦର୍ପିତ ମୂଖ ମଣ୍ଡଳରେ ଏକ ଦୁର୍ବାର ବିସ୍ମିତ ଅଦୃଶ୍ୟ ମୋହାଗ୍ରସ୍ତ ଭାବର ବାତାବରଣ ଖେଳିଗଲା |ମାନସ ପଟରେ କିଛି ହୃଦୟ ବିଦାରକ ସ୍ମୃତି ଉଦ୍ଭାସିତ ହୋଇ ଉଠିଲା |


 ଏକ ଅନିର୍ବଚନୀୟ ଦ୍ଵନ୍ଦ୍ୱ ମଧ୍ୟରେ ସ୍ମୃତି ଚାରଣ କରିବାକୁ ଲାଗିଲେ ସମ୍ରାଟ ଅଶୋକ, -ଏଇ ତାହେଲେ ଏ ମଗଧ ସାମ୍ରାଜ୍ୟର ପ୍ରକୃତ ଉତ୍ତରାଧିକାରୀ ଭ୍ରାତା ସୁସିନଙ୍କ ସନ୍ତାନ ଯୁବରାଜ ନିଗ୍ରୋଧ | ଜନ୍ମରୁ ପିତାଙ୍କୁ ଦେଖିବାର ସୌଭାଗ୍ୟ ଯିଏ ପାଇନି, ସେ ସେଇ ବଂଶର ଦାୟାଦ ଏଇ ବୌଦ୍ଧ ଭିକ୍ଷୁ | ନିଜକୁ ଭାବନା ରାଜ୍ୟର ଅନ୍ଧାରି ଇଲାକା ଭିତରେ ସ୍ମୃତି ଚରଣ ପୂର୍ବକ ଭାବିବାକୁ ଲାଗିଲେ ସମ୍ରାଟ ଅଶୋକ ଏକ ଅନିର୍ବଚନୀୟ ଅବବୋଧ ନେଇ | ମହାମନ୍ତ୍ରୀ ରାଧାଗୁପ୍ତଙ୍କ ପ୍ରରୋଚନାରେ ମୁଁ ତାଙ୍କ ପିତାଙ୍କୁ କପଟରେ ହତ୍ୟା କରି ହୋଇଛି ମଗଧ ସାମ୍ରାଜ୍ୟର ଶ୍ରେଷ୍ଠ ସମ୍ରାଟ ଅଶୋକ | କିନ୍ତୁ ଏ କଣ..? ପିତୃ ହତ୍ୟାକାରୀ ଜାଣି ମଧ୍ୟ ସେ ନିର୍ବିକାର ଭାବରେ ସେ ନିଜର ପରିଚୟ ପ୍ରଦାନରେ ତିଳେ ହେଲେ ସଙ୍କୋଚ କରୁନାହିଁ |ନିଜର କୌଳିକ ଶତ୍ରୁଙ୍କୁ ନିଜର ପରିଚୟ ପ୍ରଦାନରେ ସାମାନ୍ୟ ତମ ଦ୍ୱେଷର ସଂକେତ ମଧ୍ୟ ଅବଲୋକିତ ହେଉ ନାହିଁ | ପିତୃ ହତ୍ୟାକାରୀ ପ୍ରତି ଟିକିଏ ହେଲେ ଅସୂୟା,କିମ୍ବା ପ୍ରତିଶୋଧର ଚି଼ହ୍ନ ବର୍ଣ୍ଣ ମଧ୍ୟ ନାହିଁ | ଆଶ୍ଚମ୍ବିତ ମନରେ ନିଜକୁ ଜଣେ ହତ୍ୟାକାରୀ ବୋଲି ଜାଣି ଅନୁଶୋଚନାରେ ମ୍ରିୟମାଣ ହେବାକୁ ଲାଗିଲେ ଦେଵାନାଂ ପ୍ରିୟ ପ୍ରିୟଦର୍ଶୀ ସମ୍ରାଟ ଅଶୋକ ଏଇ ଲଣ୍ଡିତ ମସ୍ତକଧାରୀ ବୌଦ୍ଧ ଶ୍ରମଣ ନିଗ୍ରୋଧଙ୍କ ଦିବ୍ୟ ଦର୍ଶନ ସନ୍ଦର୍ଶନରେ | ଆଉ ନିଜକୁ ନିଜେ, ନିଜ ଅହଂକାର ଅନୁସନ୍ଧିତ୍ସାରେ ହତବାକ ହୋଇ ଉଠିଲେ କାୟମନୋବାକ୍ୟରେ | 


   X    X    X    X    X   X   X   X


    ନିଜର କ୍ଷମତା ଲିପ୍ସାର ମୋହକୁ ଚରିତାର୍ଥ କରିବାକୁ ଯାଇ ସେ ମାତା ସୁଭଦ୍ରାଙ୍ଗୀଙ୍କ ଆଶୀର୍ବାଦରେ ରଚିଥିଲେ ଗୋଟିଏ ପରେ ଗୋଟିଏ ବିହ୍ୱ ରଚନା | ସମ୍ରାଟ ବିନ୍ଦୁସାରଙ୍କ ଘୃଣାର ପାତ୍ର ହୋଇ ମଧ୍ୟ ଏକଶତ ଏକ ଭ୍ରାତାମାନଙ୍କ ରକ୍ତ ତୀର୍ଥରେ ତର୍ପଣ କରି ସେ ଗଢି ଥିଲେ ମଗଧ ସାମ୍ରାଜ୍ୟର ନୂତନ ଇତିହାସ | ଚକ୍ରବର୍ତ୍ତୀ ସମ୍ରାଟ ହେବାର ଦୁର୍ବାର ଆକାଂକ୍ଷାକୁ ଚରିତାର୍ଥ କରିବାକୁ ଯାଇ ଅଚିରେ ସେ ଅସମ୍ଭବକୁ କରିଥିଲେ ସମ୍ଭବ କରି, ସାଜିଥିଲେ ଦୁର୍ଦ୍ଦଶ ବୀର ଚଣ୍ଡାଶୋକର ପ୍ରଚଣ୍ଡ ଇତିବୃତ୍ତ |ଗୋଟି ଗୋଟି କରି ଅନେଶ୍ୱତ ଭାଇଙ୍କ ହତ୍ୟା କଲା ପରେ ସେ ବନିଥିଲେ ମହାଧିରାଜ,ମୋର୍ଯ୍ୟ ସାମ୍ରାଜ୍ୟର ତୃତୀୟ ଶ୍ରେଷ୍ଠ ସମ୍ରାଟ ଅଶୋକ | 


   ଜୀବନର ଆଦ୍ୟ ସୋପାନରେ ସେ ଥିଲେ ସମସ୍ତ କାମନା ବାସନାର ମୂର୍ତ୍ତିମନ୍ତ ପ୍ରତୀକ | ବିଷୟ ବାସନାର ମୋହ ତାଙ୍କର ପ୍ରତିଟି ଶିରା ପ୍ରଶିରାରେ ହେଉଥିଲା ପ୍ରବାହିତ | କାମ କ୍ରୋଧ ଲୋଭ ମୋହର ଜ୍ୱଳନ୍ତ ନିଦର୍ଶନରେ ମହାରାଣୀ ତକ୍ଷୀଳା ଥାଉ ଥାଉ ସେ କାରୁବାକୀଙ୍କ ପ୍ରେମ ମାୟାଜାଲରେ ଆବଦ୍ଧ ହୋଇ ନିଜ ନାମର ସାର୍ଥକତା ପ୍ରତିପାଦନ କରିଥିଲେ କାମାଶୋକ ରୂପେ ନାମିତ ହୋଇ ମହାତ୍ମା ପରମ ଆଜୀବକ ତଥା ରାଜଗୁରୁ ସନ୍ଥ ପିଙ୍ଗଳବତ୍ସଙ୍କ ପୂର୍ବାନୁମାନ ଶେଷରେ ଅକ୍ଷରେ ଅକ୍ଷରେ ସତ୍ୟରେ ପ୍ରତିପାଦିତ ହୋଇ ପାରିଥିଲା, ଏଇ କାମାଶୋକଙ୍କ ଦୁର୍ବାର ଆକାଂକ୍ଷାର ଚରିତାର୍ଥରେ | ଆଉ ସେ ବନିଥିଲେ ଅ- ଶୋକରୁ କାମାଶୋକ| ବିଷୟ ବାସନାର କୂଛ୍ର ସାଧନାରେ ବଶବର୍ତ୍ତୀ ହୋଇ ସାଜିଥିଲେ ରକ୍ତ ପିପାସୁ ପ୍ରବଳ ପ୍ରତାପୀ ପରମ ହିଂସ୍ର ପ୍ରଚଣ୍ଡଶୋକ | 


   X      X      X     X     X     X     X


    


  ଦୀର୍ଘଦିନର ଘମାସନ ଲଢେଇ ପରେ ଆଜି କଳିଙ୍ଗ ହୋଇ ପାରିଛି ସମ୍ରାଟ ଅଶୋକଙ୍କ ଅଧୀନ | ଆଜି ବି ସେ ଭୀଷଣ ଯୁଦ୍ଧ ବିଭୀଷିକାର ଚିତ୍ର ସମ୍ରାଟ ଅଶୋକଙ୍କ ମନ ମଧ୍ୟରେ ଗଭୀର କ୍ଷତ ଚି଼ହ୍ନ ସୃଷ୍ଟି କରି କରୁଛି | ସେ ଯୁଦ୍ଧର ବିଭୀଷିକାକୁ ଅତି ନିକଟରୁ ଅବଲୋକନ କରୁଛନ୍ତି ସ୍ୱୟଂ ନିଜେ ସମ୍ରାଟ ଅଶୋକ, ଆଉ ଅବଲୋକନ କରି ଚାଲିଛନ୍ତି ସେଇ କାଳିମାମୟ ବିଭୀଷିକାରୁ ଉତ୍ପନ୍ନ ଅଜସ୍ର ରକ୍ତର ନଦୀକୁ | ଏତେ ବିଭତ୍ସ, ଏତେ ବିକଟାଳ, ଏତେ ହୃଦୟ ବିଦାରକ ଏଇ ଯୁଦ୍ଧର ପରିଣତିକୁ ଦେଖି ସେ ହତବାକ, ଆଶ୍ଚମ୍ବିତ ହେଇ ଉଠୁଛନ୍ତି ଗଭୀର ଉଦବେଗରେ | ଅତ୍ୟନ୍ତ ଦୁର୍ବିସହ ଆର୍ତ୍ତ ଚିତ୍କାର ତାଙ୍କ ମନ ଓ ପ୍ରାଣରେ ଗଭୀର ରେଖାପାତ କରିଛି | ଏକ ଲକ୍ଷ ସୈନ୍ୟଙ୍କ ମୃତ ଶରୀର, ଦେଢ଼ ଲକ୍ଷରୁ ଉର୍ଦ୍ଧ ସୈନ୍ୟ ସାମନ୍ତ, ହତାହତ, କେତେ ଜନପଦ, ପଶୁ ଓ ମୃତ ଅବା ଆହତଙ୍କ ହିସାବ କରିବା ନିହାତି ଅସମ୍ଭବ ମନେ ହୋଇଛି, ଏଇ ନିର୍ବାକ ରଣ ଭୁଇଁର ସଦ୍ୟ ପ୍ରାଙ୍ଗଣରେ | ଏ ଯୁଦ୍ଧର କରୁଣ ପରିଣତି ସମ୍ରାଟ ଅଶୋକଙ୍କ ମନରେ ଆଣିଛି ଗଭୀର ଭାବାବେଗ | ଏତେ ଯୁଦ୍ଧ ସେ କରିଛନ୍ତି, ଏତେ ରାଜ୍ୟ ସେ ଜୟ କରିଛନ୍ତି | ମଗଧ ସାମ୍ରାଜ୍ୟ ବିଶାଳ କଳେବର ବୃଦ୍ଧିର ସ୍ବପ୍ନକୁ ସେ ଚରିତାର୍ଥ କରି ସେ ଯେମିତି ଗର୍ବରେ ଉତ୍ଫୁଲ୍ଲିତ| କିଂତୁ କାହିଁକି ? ଏଇ ସ୍ପର୍ଦ୍ଧିତ ଅହମିକାର ଭୟାଭୟ ପରିଣତି ଓ ତାର କ୍ରୁର ଅଟ୍ଟହାସ୍ୟ ସତେ ଯେମିତି ତାଙ୍କ ମନକୁ ଆନ୍ଦୋଳିତ କରି ଦେଉଛି | ଆଉ ସେଇ ଯୁଦ୍ଧ ବିଭୀଷିକାର ରଣ ଭୂମି ଉପରେ କ୍ରନ୍ଦନରତ ମହିୟସୀ ବୃଦ୍ଧା ମହିଳାଙ୍କର କରୁଣ ଆର୍ତ୍ତ ଚିତ୍କାର ଯେମିତି ତାଙ୍କୁ ଉପହାସ କରି କହୁଛି -


    -କିଏ...? କିଏ ତୁମେ..? 


    - ମୁଁ ସମ୍ରାଟ ଅଶୋକ..! 


    - ସମ୍ରାଟ ଅଶୋକ..! ତୁମେ ଆସିଛ ଏ ରଣ ଭୂଇଁକୁ.. !


ବେଶ.., ତୁମେ ଆସିଛ ଯେତେବେଳେ, ଆସ ମତେ ଟିକେ ଶାନ୍ତି ଦିଅ.., ମତେ ଟିକେ ମୁକ୍ତି ଦିଅ..!


    - କଣ ମାଗୁଛ ମାତ..? ଅବିଳମ୍ବେ ପ୍ରକାଶ କର.., ମୁଁ ତୁମ ଆଶା ନିଶ୍ଚୟ ପୂର୍ଣ୍ଣ କରିବି !


   -ହେ ରାଜାଧିରାଜ ସମ୍ରାଟ ଅଶୋକ ! ତୁମେ ଦେଇ ପାରିବ ମୁଁ ଯାହା ମାଗିବି..? 


  -ନିଶ୍ଚୟ ମାତଃ.. !


   -ମୁଁ ଯାହା ମାଗିବି, ତୁମେ ଦେଇ ପାରିବ ସମ୍ରାଟ..? 


    -ମାଗି ଦେଖ ମାତ.., ମୁଁ ନିଶ୍ଚୟ ଦେଇ ପାରିବି |


    -ଠିକ ଅଛି ରାଜା, ତେବେ ତୁମେ ମତେ ମୃତ୍ୟୁ ଦିଅ...!


    ଅବିଚଳିତ ହୋଇ ପଡିଲେ ସମ୍ରାଟ ଅଶୋକ | ସେ ଭାବିଥିଲେ, ଏ ବୃଦ୍ଧା ମହିୟସୀ ମହିଳା ତାଙ୍କୁ ଧନ ଧାନ୍ୟ,ପରି କିଛି ଉପହାର ମାଗିବ | କିନ୍ତୁ ଏ କଣ..? ସେ ନିଜର ମୃତ୍ୟୁ କାମନା କରୁଛି ! ହତବାକ ହୋଇ ଗଲେ ଆଜି ମହା ମହିମ ସମ୍ରାଟ ଅଶୋକ | 


ତୁମେ ଧନ, ଧାନ୍ୟ, ରାଜ୍ୟ, ଐସୂର୍ଯ୍ୟ ଯାହା ମାଗିବ, ମୁଁ ଅବିଳମ୍ବେ ପୂରଣ କରିବି ମାତଃ, ତୁମେ ମୃତ୍ୟୁ ମାଗୁଛ? 


   -ଯାହାର ସବୁ କିଛି ଶେଷ ହୋଇ ଯାଇଛି, ସେ ତୁମ ଠାରୁ ଆଉ ଅଧିକ କଣ ମାଗି ପାରିବ ? ଯାହାର ପୁତ୍ର, ସ୍ୱାମୀ, ଆତ୍ମୀୟ ସ୍ୱଜନ, ପରିଜନ, ସମସ୍ତଙ୍କୁ ହରାଇ ସାରିଛି, ତା ପାଇଁ ଧନ ଧାନ୍ୟ, ରାଜ୍ୟ, ଐଶ୍ୱର୍ଯ୍ୟର ଆବଶ୍ୟକତା କଣ ରାଜନ..? 


   -ତୁମେ କଣ ଜୀବନ ବଦଳରେ ଜୀବନ ଦେଇ ପାରିବ ରାଜନ..? ଯଦି ଜୀବନ ଫେରାଇ ନ ପାରିବ, ତେବେ ଜୀବନ ନେବାର ଅଧିକାର ତୁମକୁ ଦେଲା କିଏ..? 


  -ପାରୁଛ ଯଦି ଏ ଦୁଃଖ ଯନ୍ତ୍ରଣାର ଅନ୍ତ ଘଟାଇ ମତେ ଶାନ୍ତି ଦିଅ ! 


  - ନିରୁତ୍ତର..! ଚଣ୍ଡାଶୋକ ଚକ୍ରବର୍ତ୍ତୀ ସମ୍ରାଟ ଅଶୋକ ଏ ପ୍ରଶ୍ନରେ ନିରୁତ୍ତର ! ତାଙ୍କ ଅହଂକାରର ଏ ବିଶାଳ ସାମ୍ରାଜ୍ୟରେ ସୃଷ୍ଟି ହୋଇଛି ଅସଂଖ୍ୟ ଝଡ଼ | ସେ ଝଡ଼ ଯେମିତି ସମଗ୍ର ଆତ୍ମ ସତ୍ତାକୁ ଗ୍ରାସ କରି ତାଙ୍କର ସାମ୍ରାଜ୍ୟ ଲିପ୍ଶାର କାମନା ବାସନାକୁ କଠୋର ପଦାଘାତ କରୁଛି | ନୀରବତାର ଅନ୍ତ ଘଟାଇ ବୃଦ୍ଧାଙ୍କ ପୁନର୍ବାର ପ୍ରଶ୍ନରେ ମ୍ରିୟମାଣ ହୋଇ ଉଠିଲେ ଚଣ୍ଡାଶୋକ |


- ହେ ଚଣ୍ଡାଶୋକ, କଣ ପାଇଲ ଏଇ ଯୁଦ୍ଧରୁ | ଲକ୍ଷ ଲକ୍ଷ ଜୀବନ ପ୍ରତି ବଦଳରେ ତୁମେ କେବଳ ନିଜର ଆତ୍ମ ଗର୍ବରେ ଲିପ୍ତ ଦୁର୍ବାର ଆକାଂକ୍ଷାକୁ ଚରିତାର୍ଥ କରିପାରିଲ| କିନ୍ତୁ ଭାବି ଦେଖ ରାଜା ତୁମେ ଏଇ ଶହ ଶହ ନିରୀହ ଜୀବନକୁ ହତ୍ୟା କରି ଯେଉଁ ଆତ୍ମ ଗର୍ବରେ ବିଜୟର ବାନା ଉଡାଉଛ, ସେ କଣ କେବେ ଶାନ୍ତି ତୁମକୁ ଦେଇ ପାରିବ..?  


     X      X     X     X     X     X


   ନିଗ୍ରୋଧଙ୍କ ଏଇ ଶାନ୍ତ କୋମଳ ଉଦାର ପୂର୍ଣ୍ଣ ହୃଦୟ ଆଗରେ ଚଣ୍ଡାଶୋକଙ୍କ ଅନ୍ତରାତ୍ମା ଆଜି ହାର ମାନିଛି | ହିଂସା ତରବାରୀର ଜୟ, ଜୟ ନୁହେଁ, ଅହିଂସାର ମନ୍ତ୍ର ହିଁ ସତ୍ୟର ଜୟ, ଏହା ନିଃସନ୍ଦେହ | ଆଜି ସେହି ଅହିଂସା ଆଗରେ ଚଣ୍ଡାଶୋକଙ୍କ ଦର୍ପିତ ଶିର ନତ ମସ୍ତକ ହେବାକୁ ବାଧ୍ୟ କରିଛି | ଗୈରିକ ବସନ, ଲଣ୍ଡିତ ମସ୍ତକ,ପ୍ରଶାନ୍ତ ଚିତ୍ତ ପରିପାଟୀ ହିଁ ପ୍ରକୃତ ସତ୍ୟ ସନ୍ଧାନର ବଳିଷ୍ଠ ମାଧ୍ୟମ,ସେ ଚିରନ୍ତନ ସତ୍ୟ ଶତ ତରବାରୀର ଉଦଘୋଷଣ ଆଗରେ ନିଷ୍ପ୍ରଭ ହୋଇ ଉଠିଛି | କାମାଶୋକ, ଚଣ୍ଡାଶୋକ ଶେଷରେ ଧର୍ମାଶୋକ ହେବାର ପଥ ଶ୍ରେୟସ୍କର ବୋଲି ପ୍ରମାଣିତ କରିଛି |


    ଆମ୍ରପଦର ଶ୍ରମଣରୁ ଉଠିଥିବା ଏଇ ଭେରୀ ଘୋଷ ଯାଇ କୁକୁଟରାମା ବୌଦ୍ଧ ଆଶ୍ରମରେ ଧମ୍ମ ଘୋଷର ଉଦଘୋଷିତ ହୋଇଛି, ପାଟଳୀପୁତ୍ରର ମୋଗଲି ପୁତ୍ତଙ୍କ ସାନ୍ନିଧ୍ୟ ପାଇ, ବୌଦ୍ଧ ଭିକ୍ଷୁ ସମୁଦ୍ରଙ୍କ ଶିଷ୍ୟତ୍ୱ ଗ୍ରହଣରେ ନିଷ୍କାମ ପ୍ରାପ୍ତି ହୋଇ ଉଠିଛି ସେଇ ଭିକ୍ଷାମ୍ ଦେହିଃ ବାକ୍ୟରେ..| ଆଉ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟି ଥିବା ଏଇ ନୂତନ ଅଗନ୍ତୁକଙ୍କ ମୁଖରୁ ନିଃସୃତ ହୋଇଛି ସେ ଅମୃତ ବାଣୀ - ବୁଦ୍ଧମ ସରଣମ ଗଚ୍ଛାମି.. ! ସଂଘମ ସରଣମ ଗଚ୍ଛାମି.. ! ଧମ୍ମମଂ ସରଣମ ଗଚ୍ଛାମି..ପରି ଅବିନେଶ୍ଵର ଶବ୍ଦ ଅଫୁରନ୍ତ ଉଦ୍ଦୀପନାରେ..|


       

   


Rate this content
Log in

Similar oriya story from Inspirational