Debadatta Jena

Comedy Fantasy Thriller

4.0  

Debadatta Jena

Comedy Fantasy Thriller

ସୁଲକ୍ଷଣୀ ତାରା

ସୁଲକ୍ଷଣୀ ତାରା

5 mins
214


   ମାଆ ସାଆନ୍ତାଣୀଙ୍କ ମନରେ ସୁଖ ନାହିଁ । ଗାଧୋଇ ପାଧୋଇ ଆସି ଆସନ ପାରି ଅଧିଆ ବସିଲେ ଏକ ଧ୍ୟାନ, ଏକ ଲୟରେ ।ମନେ ମନେ କେତେ ଦିଅଁ ଦେବତାଙ୍କୁ ସୁମରଣା କଲେ, କେମିତି ବାବୁଙ୍କର ଦେହ ଭଲ ହେଇ ଯାଉ ।


 -ହେ ମା କଟାକଚଣ୍ଡୀ, ହେ ମା ବୁଢ଼ୀ ଠାକୁରାଣୀ, ୟାଙ୍କୁ ଟିକେ ଭଲ କରିଦିଅ ମାଆ, ସେ ଯେମିତି ଆଉ ସେ ଗଞ୍ଜ କି ନାଲି ପାଣି କବଳରେ ନଁ ପଡନ୍ତି । ତୁ ଏତିକି ସଦୟ ହୋ ଲୋ ମାଆ.. ହେ ମା କାଳୀଗଳି କାଳୀ ଠାକୁରାଣୀ, ମୁଁ ଦୁଇଖଣ୍ଡ କଳା କସ୍ତା ଶାଢ଼ୀ ତୋତେ ଦେବି ଲୋ ମାଆ ଯୋଡିଏ କଳା ବୋଦା ଦେବି । ତୁ ଟିକେ ଘଣ୍ଟ ଘୋଡେଇ ରଖଲୋ ମା ।


   କଣ କରବେ, କେତେବେଳେ ସେ କଣ୍ଟ ପାଞ୍ଚ ଘଡି ପୁରିବ ସେଇ ଚିନ୍ତାରେ ଖାଲି ଦିଅଁ ଦେବତାଙ୍କୁ ସୁମରି ଅଧିଆ ପଡିଛନ୍ତି ମା ସାଆନ୍ତାଣୀ ଏଇ ଠାକୁର ଘରଟାରେ । ଟିକେ ପରେ ଟିକେ ଯାଇ ସେ ଖରାର ଛାଇକୁ ଦେଖି ଆସୁଛନ୍ତି କେତେବେଳେ ଏଇ ସୂର୍ଯ୍ୟ ଦେବତା ବୁଡ଼ିବେ ସେ କଥା ଭାବି ଭାବି ତାଙ୍କୁ ନିସ୍ତାର ନାହିଁ । କଣ କରିବେ ସେ ପରା କହିଛନ୍ତି ତିରିଲା ଲୋକର ଛାଇ ନଁ ପଡ଼ିବାକୁ । କେମିତି ସେ ଯାଇ ପାରିବେ ସେଇ ଗମ୍ଭିରା ଭିତରକୁ ଆଉ ଦେଖି ଆସିବେ ବାବୁଙ୍କୁ । ଅନିଷ୍ଟ ହେଇଯିବନି ରିଷ୍ଟ ଖଣ୍ଡନ ଅଧା ରହିଯିବ ।


    X      X     X     X     X    X


   ରାତି ଘଡ଼ିଏ ପୁରି ଦି ଘଡି ପୁରିବାକୁ ବସିଲାଣି । ସାଆନ୍ତାଣୀ ସେମିତି ଆଉଟୁ ପାଉଟୁ ହେଉଛନ୍ତି । କଣ କରିବେ କେତେ ଆଉ ସମ୍ଭାଳି ହେଇ ରହିବେ । ଆଉ ତାଙ୍କର ଧର୍ଯ୍ୟ ନାହିଁ । କେଡେ ସୁଧାର ଲୋକ ମୁଁ ଅଲକ୍ଷଣୀ କେତେ ନାକରା କଥା ମନରେ ଆଣୁଥିଲି । ହେ ଠାକୁରେ ମୋ ତୁଣ୍ଡକୁ ଟିକେ ଲଗାମ ଦିଅ ଠାକୁରେ । ସବୁ ଅମଙ୍ଗଳ ଯେମିତି ଖଣ୍ଡନ ହେଇ ଯାଉ ଏଇ ନିଆଁ ନଗା ମନ ଭିତରୁ । ସବୁ ସଙ୍କଟ ଟଳି ଯାଉ । ଏଇ ଅଲକ୍ଷଣୀ ପୋଡା ମନରେ ମୁଁ ଯାହା ତାଙ୍କୁ ଖରାପ ଭାବୁଥିଲି ନାଁ । ସେ ଠିକ କହୁଥିଲେ, ତାଙ୍କର ମୋର କଙ୍କଡା ରାଶିକୁ ବିଛା ରାଶି ଶନି ସପ୍ତା ଲାଗିଛି । ଠିକ ସମୟରେ ସେ ମାଧ୍ୟାଚାର୍ଯ୍ୟ ଖଡିରତ୍ନ ମୋ ସଂସାରକୁ ସମ୍ଭାଳି ନେଲେ ବୋଲି ସିନା ।ତାଙ୍କରି କୃପାରୁ କିଛି ପୁଣ୍ୟ କାର୍ଯ୍ୟ କରି ସବୁ ଦୋଷ କଟୁ ଲୋ ମାଆ, ତୁଇ ଏକା ଭରସା ।


    ସାଆନ୍ତାଣୀଙ୍କ ଧର୍ଯ୍ୟର ସୀମା ଏବେ କୂଳ ଖାଇଲାଣି । ବାବୁ ସକାଳୁ କିଛି ହେଲେ ଦାନା ପେଟକୁ ନେଇ ନାହାନ୍ତି । ଚାରି ଘଡି ସରି ପାଞ୍ଚ ଘଡି ହେବାକୁ ବସିଲାଣି । କେମିତି ଥିବ ତାଙ୍କ ଅବସ୍ଥା ତାଙ୍କ ମନକୁ କାଳ ଛୁଇଁଲା, ସେ ତାଙ୍କର ସହଧର୍ମିଣୀ ହେଇ କେମିତି ଏଇ ଜାଳା ସେ ସହିବେ..? ତାଙ୍କୁ ଅସମ୍ଭାଳ ଲାଗିଲାଣି । ଆଉ ସେ ଧର୍ଯ୍ୟ ଧରି ରହି ପାରିବେ ନାହିଁ । ଯାଇ ଦେଖି ଆସିଲେ ଯୋଉ କଥା ।


    ଗମ୍ଭିରା ଘର ଦୁଆର ଫିଟେଇ ଆସ୍ତେ ଠେଲି ଧୀରେ ଧୀରେ ମାଆ ସାଆନ୍ତାଣୀ ଭିତରକୁ ଗଲେ । ମନରେ ତାଙ୍କର ପାପ ଛୁଉଁଚି କାଳେ କିଛି ବିଘ୍ନ ଘଟିବ ; ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ । ସବୁ ଏଇ କାଳ ତୁଣ୍ଡି ପାଇଁ ଆଜି ଏ ଦଶା ବାବୁଙ୍କୁ ଭୋଗିବାକୁ ପଡୁଛି । ଭାବୁ ଭାବୁ ଆଖିରୁ ଦୁଇ ଧାର ଲୁହ ଜକେଇ ଆସିଲାଣି । ଧୀରେ ଧୀରେ କମ୍ବଳ ଉପରେ ହାତ ବୁଲେଇ ଆଣିଲେ ସାଆନ୍ତାଣୀ । କମ୍ବଳ ଟେକି ଦୁଇ ପାଦରେ ଟିକେ ହାତ ବୁଲେଇ ଆଣିଲାରୁ ପାଦ ଦୁଇଟା ବରଡ଼ା ପତ୍ର ପରି ଥରି ଉଠିଲା । ସାଆନ୍ତାଣୀଙ୍କ ଦେହରେ ଯେମିତି ଜୀବନ ନାଇଁ । ତାରି ପାଇଁ ବାବୁ ଆଜି କେତେ ଦୁଃଖ କଷ୍ଟ ନ ଭୋଗୁଛନ୍ତି । ଆଉ ଧର୍ଯ୍ୟ ସମ୍ଭାରଣ କରି ପାରିଲେ ନାହିଁ ସାଆନ୍ତାଣୀ । ଦେହ ହାତ ମୁହଁ ସବୁ ଆଡୁ ଝାଳ ସବୁ ପୋଛି ପକେଇଲେ ନିଜ ପଣତ କାନିରେ । ଏମିତି ସେବା କରୁ କରୁ ବାବୁଙ୍କ ମୁହଁରେ ହାତ ବାଜି ଗଲା । ଆରେ.. ! ଏ କଣ ବାବୁଙ୍କ ନିଶ କାଇଁ.., ଉତ୍କଣ୍ଠାର ସୀମା ଆଉ ରହିଲା ନାଇଁ । ସେ ଆଉଥରେ ଭଲକି ପରଖି ନେଲାରୁ ଜାଣିଲେ ସତ କୁ ସତ ବାବୁଙ୍କର ନିଶ ନାହିଁ । କଣ ହେଲା, ଏଇ କଣ ବାବୁ ନୁହଁନ୍ତି ! ଇଏ ଆଉ କିଏ..? ଏଇ କୋଉ ଲୋକ ତାହେଲେ ..? କମ୍ବଳଟା ଯୋର କରି ବାହାର କରି ଦେଲାରୁ ସାଆନ୍ତାଣୀଙ୍କ ଚେତା ବୁଡିଗଲା । ରାଗର ସୀମା ଟପିଗଲା..। 


-ହଇରେ ମକରା ଅଳପେଇଶା, ବାଡ଼ିପଡ଼ା ତୁ.. । ତୁ ରାଇଜଳା ତୁ କଣ ଏଠି ଗମ୍ଭୀରି ଘରେ..? ତୋ ବାବୁ..? ରହ ତତେ ଦଉଚି ପାନେ.. ।


- ନାଇଁ, ସାଆନ୍ତାଣୀ.. ମୁଁ ମାନେ.. ବାବୁ..! ବାବୁ ମତେ ଫୁସୁଲେଇ ମତେ ଏଠି ଶୁଆଇ ଦେଇ ଯାଇଛନ୍ତି । ମୁଁ ମନା କଲାରୁ ସେ ମତେ କହିଲେ ମକ୍ରୁ.., ତୁ ପରା କେନ୍ଦ୍ରାପଡ଼ା ମାମୁଁଘର ଯିବୁ ଏଇ ନେ ଚାରି ଶହ ଟଙ୍କା ଚାରି ଦିନ ଛୁଟି ଦେଲି । ମୁଁ ଆସିବା ଯାଏ ଏଇ କମ୍ବଳ ଘୋଡ଼ି ହୋଇ ଗମ୍ଭୀରି ଘରେ ଶୋଇଥା । ମୋର କିଛି ଦୋଷ ନାହିଁ ମାଆ ସାଆନ୍ତାଣୀ ସେଇ ବାବୁ କହିଲାରୁ.. !


   -ବନ୍ଦକର ପାଜୀ, ବଦମାସ କୋଇଠିକାର.. ତୋ ବାବୁର ଦିନେ କୁ ମୋର ଦିନେ । ଆଜି ଆସନ୍ତୁ ସେ । ଟିକିଏ ନିଜକୁ ସମ୍ଭାଳି ନେଇ ସାଆନ୍ତାଣୀ ମକରାକୁ ସ୍ୱାନ୍ତନା ଦେଇ..., ନାଁ ନାଁ ୟାକୁ ମତେ ସମ୍ଭାଳି ରଖିବାକୁ ହେବ । ଆଉ କଅଁଳେଇ ଥାପୁଡ଼େଇ କହିଲେ.. 


   -ଆରେ... ମକୁ.. । ତୁ ମାମୁଁ ଘର ଯିବୁ କହୁଥିଲୁ ପରା..? ଏଇ ଧର ଚାରିଶ ଟଙ୍କା । ବାଟ ଖର୍ଚ୍ଚ କରିବୁ । ଖଜା କିଣି ଖାଇବୁ, ତୋ ପାଇଁ ମୁଁ ଦୁଇଟି ମାଣିଆବନ୍ଧ ଯଥା ଦେବିରେ, ତୁ ତାକୁ ପିନ୍ଧି ମାମୁଁ ଘରକୁ ଯିବୁ । ହେଲେ ତୁ ଏଇ ଗମ୍ଭୀରି କଣରେ ସେମିତି ଲୁଚିକି ରହିବୁ । ମୁଁ ନଁ କହିଲା ପର୍ଯ୍ୟନ୍ତ କୁଆଡେ ଯାଇ ପାରିବୁନି । ସାଆନ୍ତାଣୀ ସେଇ ବିଛଣାରେ କମ୍ବଳ ଘୋଡ଼ି ହୋଇ ଶୋଇ ପଡିଲେ ।


  - ବାହା ବାଃ ଭାରି ମଜାଦାର.., ବାଃ ବାଃ ଭାରି ମଜାଦାର.., ମଦ ଗଂଜା ଗୁଣ ଯିଏ ଜାଣିଅଛି, ସିଏତ ସମଝଦାର.. ବାଃ ବାଃ ଭାରି ମଜାଦାର.. ! ଚନ୍ଦ୍ରମଣିଙ୍କ ପାଦ ଟଳମଳ, ଧୀରେ ଧୀରେ ଗମ୍ଭୀର ଘର ଦ୍ୱାର ଖୋଲି ପ୍ରବେଶ କଲେ ।


- ଆରେ ମକ୍ରୁ.. ଆରେ ଏ ମକ୍ରାମ.., ଆରେ ଉଠୁ ମକୁ ଉଠୁ.. ।


ବାବୁ ଚନ୍ଦ୍ରମଣିଙ୍କ ପାଟିରେ ଖନି ବାଜି ଯାଉଛି, ଦେହରେ ଯୋଉ ନାଲି ପାଣି ଟିକକ ପଡିଛି ସବୁ ସେଇ ପାଣିର କରାମତିରେ ତାଙ୍କୁ ରାତିରେ ବି ଚନ୍ଦ୍ର ସୂର୍ଯ୍ୟ ଦେଖା ଯାଉଛନ୍ତି । ପାଟିରୁ ବାହାରି ଆସୁଚି -


ଆରେ ଏ ମକ୍ରୁ.. ଆରେ ତୁ ସିନା ସେ ନାଲିଆ ପାଣି ଚାଖିଥିଲେ ଜାଣି ଥାନ୍ତୁରେ ସେ ମଜା.. । ଚାରି ଛଅ ମାସ ହେଲା ସେ ପାଣି ପାଟିରେ ବାଜି ନ ଥିଲା । ଆଉ ଆଜି ଯୋଉ ମଜା ହିଃ ହିଃ.., ତୋ ସାଆନ୍ତାଣୀ ଚୌଦ ପୁରୁଷ କେବେ ଦେଇ ପାରି ନଁ ଥାନ୍ତେ । ତୋ ସାଆନ୍ତାଣୀ.. ଛିଃ.. କଣ ତା ନାଁ ଟା.. ସୁଲ - ଚନା.. ! ଆରେ ଫୁ.. ସୁଲ..ମାନେ ପାଣିରେ ଭାସେ, ଚନା ମାନେ ଚଣା..! ଛିଃ ଛିଃ.. ଆଉ ତା ନାଁ.. ଉସମାନ ତାରା, ଶଳା ରୂପ ଯେମିତି ଗୁଣ ବି ସେମିତି । ଆରେ ଗୋପାଳ ବାବୁଙ୍କ ଦୁଆରକୁ ଆସିଥିଲା ନାଚିବାକୁ । ସେ ଦିନ ଠାରୁ ମତେ ସେ କି ମନ୍ତର କରି ଦେଇଛି କେଜାଣି ତା ବିନା ସବୁ ଅନ୍ଧାର.. ସେ ତ ଖାଲି ମତେ ଉଡେଇ ନେଇଛିରେ । ତୁ ଜାଣିଛୁ ମକରା ଆରେ ତାକୁ ଟଙ୍କା ଶଏ ଦେଲାରୁ ମୁହଁ ଛିଂଚଡ଼ି ଦେଲା ସବୁ ଜାଣିଗଲି ଆଉ ତାକୁ କହିକି ଆସିଛି ଆର ଥରକୁ ଶହେ କଣ ଚାରିଶ । ନାଇଁ ନାଇଁ ଚାରିଶ କଣ ଚାରି ହଜାର, ନାଇଁ ନାଇଁ ହଜାର ହଜାର ଦେବି, ଆଉ ଟଙ୍କା, ତୋ ସାଆନ୍ତାଣୀ ସିନ୍ଦୁକରୁ ନେଇ ଦେବି । ସେ କିଛି ଜାଣି ପାରିବନି । ଆବେ ସେ ସବୁ ଟଙ୍କା କଣ ତା ବୋପାର । ତା ବାପ ଦେଇଥିଲା ନାଁ ତା ବାପାର ବାପା ଦେଇଥିଲା ବେ । ସେ କହିବାକୁ କିଏ..? 


  -ଭାରି ସିଆଣିଆ,ସେ ଉସମାନ ତାରା, କହିଲା କଣ ଜାଣିଛୁ ମୋର ଟଙ୍କା ଦରକାର ନାଇଁ ଖାଲି ତୁମେ ମୋର ଦରକାର । 


ହଁ..! ଟଙ୍କା କଣ ସେ ରୋଜଗାର କରୁନି କି..? ଦିନକୁ ହଜାର.. ନାଇଁ ନାଇଁ ହଜାର ହଜାର, ସେ କଣ ମୋ ଟଙ୍କାକୁ ଚାହିଁଛି ନାଁ କଣ ଯେ.. । ଆଉ ତୋ ସାଆନ୍ତାଣୀ.. ଆରେ ଥୁ.. !କାଇଁ ରାଣୀ କାଇଁ ଚନ୍ଦର କାଣୀ.. । ଆରେ ଆଜି ଯୋଉ ମଜା,ତା ଜାତକରେ ସେ ମତେ ଦେଇ ପାରିବନି । ତୁ ସେ କଥା ବୁଝି ପାରିବୁନିରେ ମକ୍ରୁ..।


   ସାଆନ୍ତାଣୀ ସୁଲୋଚନା ଦେବୀଙ୍କ ଧର୍ଯ୍ୟ ଆଉ ରହିଲା ନାହିଁ । ଉଗ୍ର ରୂପ ଧାରଣ କରି ଆରମ୍ଭ କଲେ ଦେବୀ ଚାମୁଣ୍ଡାଙ୍କର ରଣ ସଂହାର । ହାତରେ ସମାର୍ଜନୀ ଧରି ଦେଇ ଚାଲିଲେ ନିରଧୂମ ପେଟେଣ୍ଟ ମେଡ଼ିସିନ । 


- କଣ ହେଲା, ମୁଁ ସୁଲୋଚନା ସେ ଉସମାନ ତାରା, ଆଁଖ କା ତାରା, ଉସମାନ ତାରା.. !ସେ ରାଣୀ ଆଉ ମୁଁ ଚନ୍ଦର କାଣୀ, ସେ ନାଲି ପାଣିର କରାମତି ଆଜି ଯଦି ମୁଁ ନ ଉତ୍ତରେଇଛି ମୋ ନାଁ ସୁଲୋଚନା ନୁହଁ ! ସାଆନ୍ତାଣୀଙ୍କର ରଣ ହୁଙ୍କାର ଭୀଷଣ ରୂପ ଧାରଣ କରି ବର୍ଷି ଚାଲିଛି ମୁଷଳ ଧାରରେ ବାବୁ ଚନ୍ଦ୍ରମଣିଙ୍କ ଦେହରେ । ଶେଷରେ ବାବୁ ଚନ୍ଦ୍ରମଣି ମହାନ୍ତି ଧୀରେ ଧୀରେ ନିସ୍ତେଜ ହୋଇ ପଡି ଗଲେ । ଆଉ ହୋସ ଆସିଲା ପରେ ଜାଣିଲେ ସେ କୋଉ ମଂଦିର ଭିତରେ ଦେବତା ରୂପରେ ପୂଜା ପାଉଛନ୍ତି ।ସେଇ ଚନ୍ଦର କାଣୀ ସାଜିଛନ୍ତି ତାଙ୍କର ସେଇ ମନ୍ଦିର ରୂପୀ ଘରର ପ୍ରକୃତ ପୁଜାରିଣୀ । 


   ସେଇ ଦିନ ଠାରୁ ଚନ୍ଦ୍ରମଣି ଆଉ କେବେ ଉସମାନ ତାରା ଦେଖି ନାହାନ୍ତି ଆଜି ପର୍ଯ୍ୟନ୍ତ । ଏବେ ତାଙ୍କ ଆଖିରେ ସାଆନ୍ତାଣୀ ସୁଲୋଚନା, ସୁଲୋଚନା ନୁହଁନ୍ତି,ତାଙ୍କ ଆଖିର ଝିଲମିଲ ସୁଲକ୍ଷଣା ତାରା..! ବାବୁ ପୁରାପୁରି ସାବାଡ଼..।


    


Rate this content
Log in

Similar oriya story from Comedy