ସମୟର ମାନଚିତ୍ର।
ସମୟର ମାନଚିତ୍ର।
ଗାଡି ଛୁଟି ଚାଲିଛି, ଛୋଟିଆ ମାରୁତି କାର । ଗନ୍ତବ୍ୟ ବହୁତ ଦୂର, ଓଡିଶା ଝାଡଖଣ୍ଡ ସୀମାର ଏକ ଗ୍ରାମ ଶାଳବେଡା । ଶୁଣିଛି ଗ୍ରାମର ଗୋଟିଏ ସାହି ଓଡିଶାରେ ଓ ଅନ୍ୟ ସାହିଟି ଝାଡଖଣ୍ଡରେ । ସହଯାତ୍ରୀ କେହି ନାହିଁ । ଗୁଗୁଲ ମାନଚିତ୍ରରେ ଠିକଣା ପକାଇ ଦିଗ ନିର୍ଦ୍ଦେଶ ମାଗିଲି ଓ ଯାତ୍ରା ଆରମ୍ଭ କଲି । ସାଢେ ତିନିଘଣ୍ଟାର ଯାତ୍ରା । ଏଡେ ନିପଟ ମଫସଲରୁ ସାଥୀ ମାନସ ମେଧା ବଳରେ ଆଗକୁ ଆସିପାରିଥିଲା ! ମନରେ ଏକ ସଫଳତା ବା ପୂର୍ଣ୍ଣତାର ଭାବ ଆସି ମିଳାଇ ଗଲା । ଆହାଃ, ବନ୍ଧୁ ବିଚରା ଅକାଳରେ ଚାଲିଗଲା ସ୍ତ୍ରୀ ଛୁଆ ପିଲାଙ୍କୁ ଛାଡି । ଆଜି ତାହାର ଶ୍ରଦ୍ଧାଞ୍ଜଳି । ଏଡେ ବନ୍ଧୁତା ମଧ୍ୟରେ ବି କେବେ ଏତେ ଦୂର ତାଙ୍କ ଗ୍ରାମକୁ ଯିବା ହୋଇନି କି ହୋଇନଥାନ୍ତା, ଯଦି ଏ ଦୁଃଖଦ ଘଟଣା ଘଟି ନଥାନ୍ତା । ନିମନ୍ତ୍ରଣ ଏଡାଇ ଯିବାର ପ୍ରଶ୍ନ ଉଠୁନଥିଲା ।
ଗାଡି ଚାଲିଛି । ଜାତୀୟ ରାଜପଥ ତ୍ୟାଗ କରି ରାଜ୍ୟ ରାଜ୍ୟପଥରେ ଏବେ । ବଣ ପାହାଡ ମଧ୍ୟରେ ଯାତ୍ରା ବେଶ୍ ମନୋମୁଗ୍ଧକର । କେଉଁଠି ହାତୀ ଚଲାପଥର ସଂକେତ, କେଉଁଠି ଅଙ୍କାବଙ୍କା ଘାଟି ରାସ୍ତାର ଆଗୁଆ ସୂଚନା, ପୁଣି କେଉଁଠି ନାଳ ଉପରେ ପୋଲିଆଟିଏ । ବନସ୍ତ ମଧ୍ୟରେ ହଠାତ୍ ଦିଶି ଯାଉଛି ପଥପ୍ରାନ୍ତରେ ବିଚିତ୍ର ବେଶଭୂଷାର ମଣିଷ ତା ବଣିଜ ଧରି ବସିଛି, ପେଟ ପାଟଣା । ପୁଣି ଆସୁଛି ଛୋଟିଆ ଛକଟିଏ । ଯାନବାହାନର ଭିଡ ନାହିଁ, ମନେ ହେଲା ପରିବେଶ ପ୍ରଦୂଷଣ ମୁକ୍ତ । ତାପ ନିୟନ୍ତ୍ରକ ବନ୍ଦ କରି ଝରକା ଖୋଲିଲି । କେଜାଣି ସେ ବଣରେ କେଉଁ ଫୁଲ ଫୁଟିଥିଲା, ପବନରେ ଥିଲା ମହକ । ବନ୍ଧୁଙ୍କ ବାବଦୀୟ ଭାବପୂର୍ଣ୍ଣ ଶ୍ରଦ୍ଧା ପାଶୋରି ଗଲି ସେହି ମନୋରମ ଦୃଶ୍ୟ ଓ ମହକରେ ।
ହଠାତ୍ ସନ୍ଦେହ ହେଲା ମୁଁ ଗୁଗୁଲକୁ ଠିକ୍ ଦେଖି ଠିକ୍ ଶୁଣି ଠିକ୍ ରାସ୍ତାରେ ଆସୁଛି ତ ? କେଜାଣି? ପୁଣି ମାନଚିତ୍ରକୁ ଦେଖିଲି, ବିଶେଷ କିଛି ସନ୍ଦେହ ନାହିଁ, ଶାଳବେଡା ଆଉ ଅଶି ମିନିଟ ଦୂରରେ । ମୁଁ ମାଡି ଚାଲିଲି । ପଥ ନିର୍ଜନତର । କିଛି ସମୟ ଉପରାନ୍ତେ ପୁନଶ୍ଚ ଦେଖିଲି ମାନଚିତ୍ର । ସେହି ଅଶି ମିନିଟ ଓ ସେତିକି ଦୂରତା ଦେଖାଉଛି । ଭଲଭାବେ ଲକ୍ଷ୍ୟ କଲି; ଓ ହୋ, ସେଠାରେ ବୋଧହୁଏ ସଂଯୋଗ କଟି ଯାଇଛି । କାହାକୁ ପଚାରିବି? କେହି ଦିଶୁ ନାହାନ୍ତି । ପୂର୍ବ ଛକଟି ଅନେକ ପଛରେ ଛାଡି ଆସିଲି । ଅଟକି ଗଲି । ଗାଡି ବାହାରକୁ ଆସିଲି, କିଛି ସମୟ ପରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ହାତ ଦେଖାଇ ଅଟକାଇଲି, ସେ ଶୁଣିଲେ ନାହିଁ ବରଂ ବେଗ ବଢାଇ ଚାଲିଗଲେ । ଏମିତି ପୁନଃ ପୁନଃ ଘଟିଲା । ସମାନ ଦିଗରୁ ଆସୁଥିବା ଏକ କାରକୁ ଅଟକାଇଲି, ସେ ବି ବେଗ ବଢାଇ ଚାଲିଗଲେ । କାର ପଛରେ ଏକ ଧଳା କାଗଜରେ ଲାଲ ରଙ୍ଗରେ ଲେଖାଯାଇଥିବା ପୋଷ୍ଟର ଲାଗିଥିଲା । ଅକ୍ଷର ଅଚିହ୍ନା, ମନେହୁଏ ଅଲଚିକ କିମ୍ବା ଔରାଙ୍ଗଚିତ୍ । କି ପ୍ରକାର କଥା ବିଜ୍ଞାପିତ ହୋଇଛି?
ଏଁ, ଲାଲ୍ କାଳିର ଲେଖା! ଏ ସ୍ଥାନରେ ପୁଣି ଗାଡି ଅଟକୁ ନାହିଁ! ହଠାତ୍ ଭୟ ଆସିଗଲା । ଗାଡି ମଧ୍ୟକୁ ପଶିଗଲି । ଝରକା କାଚ ଟେକିଦେଇ ଜଣା ଥିବା କେତୋଟି ମନ୍ତ୍ର ଉଚ୍ଚାରଣ କରି ଆଗକୁ ମାଡିଚାଲିଲି । ହନୁମାନ ଚାଳିଶା ଜଣା ନାହିଁ, କେବଳ ଗାଇ ଚାଲିଲି, ସଙ୍କଟମୋଚନ ନାମ ତୁହ୍ମାରୋ । ଦେଖିବା ଆଗକୁ କେଉଁଠି ମୋବାଇଲ ସଂଯୋଗ ଆସୁଛି ବା ନିରାପଦ ଛକଟିଏ!
ବାର କିଲୋମିଟର ଦୂରରେ ଗ୍ରାମଟିଏ ଆସିଲା ଫୋନ୍ ସଂଯୋଗ ତଥାପି ଆସିନଥାଏ । ସମୟ ମଧ୍ୟାହ୍ନର ନିକଟତର । ଦୁଇଟି ମାତ୍ର କେବିନ ପଡିଥାଏ ସେଠାରେ । ଗୋଟିଏ ଚା ଜଳଖିଆ ଦୋକାନ ଓ ଅନ୍ୟଟି ଅନିର୍ଦ୍ଦିଷ୍ଟ କିସମର। ମନରେ ଭୟଥିଲେ ମଧ୍ୟ ପଚାରିଲି, ଏହାପରେ ଆଗକୁ କେଉଁ ବଡ ଗାଆଁ ଆସିବ ଯେଉଁଠି ଟେଲିଫୋନ କାମ କରିବ? ବାଟ ହୁଡିଛି ବୋଲି କହିବାକୁ ସାହସ ହେଲା ନାହିଁ । ସେମାନେ ଓଡିଆ ବୁଝିଲେ । ଗ୍ରାମ ପଞ୍ଚାୟତ ରାମପୁର ଆଉ ସାତ କିଲୋମିଟର, ସେଠାରେ ଫୋନ କାମ କରିବ । ବିଳମ୍ବ ନକରି ଚାଲିଲି । ସେଇଠି ମନଟି ହାଲୁକା ହୋଇଗଲା । ଗୁଗୁଲ କାମ କଲା । ହିସାବ କରି ଦେଖିଲି ପ୍ରାୟ ଚାଳିଶ କିଲୋମିଟର ଭୁଲ ରାସ୍ତାରେ ଆସିଲିଣି । ତେବେ ମାନଚିତ୍ର ବିକଳ୍ପ ରାସ୍ତା ଦେଖାଇଲା ମୋ ଯାତ୍ରାପଥକୁ ଛୁଇଁବା ପାଇଁ । ଯନ୍ତ୍ର ଉପରେ ବଡ ଭରସା ମଣିଷର, ମଣିଷ ଉପରେ ନୁହେଁ । କେତେ ଜଣଙ୍କ ସହ ଏମିତି ବୁଲେଇ ବଙ୍କେଇ ଆଲୋଚନା କଲି ସେମାନେ ଯେମିତି ସନ୍ଦେହ କରିବେ ନାହିଁ କି ମୁଁ ଅସୁବିଧାରେ ଅଛି । ହଁ ମ, ଅଳ୍ପ ବାଟପରେ ତ ଠିକ୍ ରାସ୍ତାକୁ ଫେରି ଆସିବି ଏତେ ବ୍ୟସ୍ତ କାହିଁକି? ଅବାଟରୁ ବାଟକୁ ଫେରିବାର ସମ୍ଭାବନାଟି ସର୍ବଦା ଆନନ୍ଦଦାୟକ ।
ମୁଁ ଆଗେଇଲି । ଭୁଲିଗଲି ଏହି ଅଳ୍ପ ସମୟ ପୂର୍ବରୁ ମୁଁ ଆମ ଅତି ପରିଚିତ ଯନ୍ତ୍ର ଜଗତରୁ ବିଛିନ୍ନ ହୋଇ ପ୍ରକୃତି କୋଳରେ ଶରଣ ପଶିଥିଲି । ସାମାନ୍ୟ ସାମାନ୍ୟ କାରଣରୁ ଆତ୍ତୁର ହେବା ଓ ଉଲ୍ଲସିତ ହେବା ବଡ ସ୍ୱଭାବିକ କଥା। ହଠାତ ପିଚୁ ରାସ୍ତା ସରିଗଲା, ଅଣଓସାରିଆ ମୋରମ ରାସ୍ତା । ଜଙ୍ଗଲ ପତଳା ହୋଇ ଆସିଲା ଓ କ୍ରମେ ଆସିଗଲା ଟାଙ୍ଗର ଭୂଇଁ । ଗାଆଁଟିଏ ବି ଦିଶୁନି । କେଉଁଠି ଆସି ଫସିଗଲି! ସତେ ଯେମିତି ବାଲି ନଥିବା ଶୀଳା ମରୁଭୂମି । ବଣ ରାଇଜରେ ଏମିତି ଯାଗା ଥାଇପାରେ! ଫୋନ ପୁନଶ୍ଚ ସଂଯୋଗଚ୍ୟୁତ । ମୁଁ ବିଚଳିତ ହୋଇ ପଡିଲି । ଉପାୟ ନାହିଁ, ସମାନ ରାସ୍ତାରେ ଆଗକୁ ମାଡି ଚାଲିଲି । ଭୋକ ଲାଗିଲାଣି । ଆଜି କଣ ଆଉ ବନ୍ଧୁଙ୍କ ଘରେ ପହଞ୍ଚି ହେବ? ରାସ୍ତା ଯେମିତି ବି ହେଉ ମଣିଷ ଥିବାର ପ୍ରମାଣ । ଏଥର ଗାଆଁଟିଏ ଆସିଲେ ଭୟ ଓ ସଙ୍କୋଚ ନକରି ପଚାରିବି କୌଣସି ଜାଣିବା ଶୁଣିବା ଲୋକଙ୍କୁ । ପୁଣି କିଛି ବାଟ ଗଲାପରେ ରାସ୍ତା ଅଣ ଓସାରିଆ, ଆବୁଡା ଖାବୁଡା । ମୁଁ ପୁରା ବିବ୍ରତ ହୋଇ ପଡିଲି । ତଥାପି ଆଶା, କେମିତି ହେଉ ମୁକୁଳି ଯିବି ଓ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବି । ବାମ କଡରେ କିଛି ଦୂରରେ ମନେହୁଏ ଗ୍ରାମଟିଏ ପାହାଡ କୋଳରେ ବସା ବାନ୍ଧିଛି । ଚାଲି ଚାଲି ଯିବା ବ୍ୟତୀତ ଉପାୟ ନାହିଁ । କେଜାଣି କାହିଁକି, ଫେରିଯିବାର ଇଚ୍ଛା ଆଦୌ ଆସୁନଥାଏ ।
ମନେ ହେଲା ମୁଁ ଯନ୍ତ୍ରବତ ଆଚରଣ କରୁଛି ଓ ଯାହା କରୁଛି ତାହାଠୁ ଅନ୍ୟ କିଛି କରିବା ମୋ ପାଇଁ ଅସମ୍ଭବ । ଗାଡିକୁ ଛାଡି ଏକ ଫର୍ଲଙ୍ଗ ଦୂର ଆଗକୁ ଆସିଲିଣି । ବଡ ନିଃସଙ୍ଗ ଲାଗିଲା । ଆପଣାର ଛାଇ ଏବେ କଛି ଲମ୍ବା ହୋଇ ମୋ ସମାସ୍କନ୍ଦ ଲାଗିଲାଣି । ନିଃସଙ୍ଗତା କିଛି ଲାଘବ ହେଲା । ପ୍ରଥମ କରି ମନେହେଲା ଛାଇଟି କେତେ ବିଶ୍ୱସ୍ତ, ବେଶ୍ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ଜଣେ ସାଥୀ ମୋର । ମୁଁ ଧ୍ୟାନ ଦେଇ ତାକୁ ଚାହିଁଲି, ସେ ମୋତେ ଅନାଇଲା ଭଳି ଲାଗିଲା । ମନେହେଲା ଆମେ ଭାବ ବିନିମୟ କରିବା ସମ୍ଭବ । ମୁଁ ତାକୁ କହିଲି ଚାଲ ମୋ ସାଥିରେ, ସେ ଚାଲିଲା । ସେ ତ ମୋ କଥା ବୁଝି ପାରୁଛି । ସେ କିଛି କହନ୍ତା ନାହିଁ । ହେଲେ ସେ କେଉଁ ଭାଷାରେ କହିବ? ମୁଁ ବୁଝି ପାରିବି ତ! ସେ ଯଦି ମୋ କଥା ବୁଝି ପାରୁଛି, ମୁଁ କାହିଁକି ବୁଝି ନପାରିବି । ବଡ ଆକୁଳ ହୋଇ ତାକୁ ନିବେଦନ କଲି ମୋର ସାମ୍ପ୍ରତିକ ଅବସ୍ଥା ଓ ସାହାଯ୍ୟ ମାଗିଲି, କାଳେ ସେ କିଛି ସାହାଯ୍ୟ କରିପାରିବ ।
ମୁଁ ଆଉ ଏକୁଟିଆ ନଥିଲି । ଆମେ ଦୁହେଁ ଚାଲୁଥିଲୁ । କ୍ରମେ ମୁଁ ନିଜର ଅହଂ ଭାବକୁ ସମର୍ପଣ କରି ଚାଲିଥିଲି । କାହା ପାଖରେ? କେଜାଣି, ଈଶ୍ୱରଙ୍କ ପାଖରେ କିମ୍ବା ମୋର ଏ ଅତି ପୁରୁଣା ଅଥଚ ଅତିନୂଆ ଛାୟା ରୂପ ପାଖରେ । ହଠାତ୍ ମୋର ବଡପଣିଆ ଦୂର ହୋଇଗଲା । ମୁଁ ତାହାର ପରିଚାଳକ ନହୋଇ ତାଦ୍ୱରା ପରିଚାଳିତ ହେବାକୁ ଚାହିଁଲି । ସତେ ଯେମିତି ମୁଁ ଅଲକ୍ଷ୍ୟରେ ଗତି କରୁନାହିଁ ବରଂ ସେ ମତେ ଟାଣି ନେଉଛି । ସେ ମୋତେ ନିର୍ଦ୍ଦେଶ ଦେଉଛି । ସେ ମୋତେ ଭରସା ଦେଉଛି । ମୁଁ ଯାହା ଯାହା କରି ଚାଲୁଛି ସେସବୁ ଯେମିତି ତା ଇଛାରେ ହେଉଛି ।
ସେ କହୁଛି, - ଯମା ଡରନି । ଏଇଟା ଆମ ନିଜ ଇଲାକା । ଚିହ୍ନି ପାରୁନୁ?
ଚିହ୍ନି ପାରିବା ଭଳି ମନେ ହେଲା ଅଥଚ ସଠିକ ସ୍ମରଣକୁ ଆସୁନି ।
ଆମେ ଏକ ବିଶାଳ ପୁଷ୍କରଣୀ ନିକଟରେ ପହଞ୍ଚି ଯାଇଥିଲୁ । କେଜାଣି କେତେଶହ ବର୍ଷ ତଳର ପୋଖରୀ! ଚତୁର୍ଦ୍ଦିଗରେ ଥିବା ବିଶାଳକାୟ ବଟ ଓ ଅଶ୍ୱଥ ଗଛ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏତେ ବଡ ବଡ ଗଛ ମୁଁ କେଉଁଠି ଦେଖିନଥିଲି । ପୁଣି ମନେହେଲା, ଏସବୁ ମୋର ଅତି ପରିଚିତ । ସେଇ ଯେଉଁ ପଶ୍ଚିମ ପଟର ବରଗଛର ଓହଳ ସବୁ କୁଣ୍ଢେ ମୋଟ ହୋଇଛି, ସତେ ଅବା ସେସବୁର କିଶୋର ଅବସ୍ଥାରେ ମୁଁ ତହିଁରେ ଦୋଳି ଖେଳିଛି । ସାଙ୍ଗ ମାନଙ୍କ ସହ ଡାଳ ମାଙ୍କୁଡି ଖେଳିଛି । ସେ ମୋତେ ସ୍ମରଣ କରାଇ ଦେଲା, କଣ ଚିହ୍ନି ପାରୁଛୁ । ହେଉ ଆ ଘର ଆଡେ ଯିବା । ଚିହ୍ନା ରାସ୍ତା ଭଳି ମୁଁ ଚାଲିଲି । ସେ ଯେମିତି ହଠାତ କହିଦେଲା ଯେ ସବୁ କିଛି ବଦଳି ଯାଇଛି; ଜାଣି ପାରିଲିନି ତାହାର ଏ ସ୍ୱଗତୋକ୍ତି ସୁଖର ଅବା ଦୁଃଖର ।
ଆମେ ଗ୍ରାମଦେବତୀଙ୍କ ସନ୍ନିକଟରେ ଥିବା ଘରଆଡେ ଗଲୁ । ସାମ୍ନା ଦରଜା ଖୋଲି ଭିତରେ ପଶିଲୁ । କାହାର ଅନୁମତି ନେବା ସତେ ଅବା ଜରୁରୀ ନୁହେଁ। ଜଣେ ଯୁବକ ବାହାରି ଆସି ଆମର ଏତାଦୃଶ କାର୍ଯ୍ୟରେ ଆଚମ୍ବିତ ହେଲେ ଅଥଚ ନରମ ଗଳାରେ ପଚାରିଲେ, - କାହାକୁ ଖୋଜୁଛନ୍ତି? ତାଙ୍କ ଭାଷା ଭିନ୍ନ ଅଥଚ ମୋ ଛାୟାସ୍ୱରୂପ ତାହକୁ ବୁଝି ପାରୁଛି ଏବଂ ସେ ବୁଝିଲା ମାନେ ମୁଁ ବି ବୁଝି ପାରୁଛି ।
ସାଥୀ ତାକୁ ପଚାରିଲା, ଏଇଟା କଣ ମୋ ଘର ନୁହେଁ, ଉଦୟ ଲାଗୁରିର ଘର ନୁହେଁ । ଦିସାରୀ ପରିବାରର ଘର ନୁହେଁ? ବଣଦେବତୀ ପୂଜକଙ୍କ ଘର ନୁହେଁ?
ଯୁବକ ତଟସ୍ଥ ହୋଇ ଧୀରେ କହିଲେ । -ହଁ ଏହା ଲାଗୁରି ପରିବାର । ଦିସାରୀ ପରିବାର କିନ୍ତୁ ନାମକୁ ମାତ୍ର ପୂଜକ; ବଣଦେବତୀ ଆଉ କେଉଁଠି ପୂଜା ପାଉ ନାହାନ୍ତି । କେବଳ ଯାହା କିମ୍ବଦନ୍ତୀ କହେ ଅଗନା ଅଗନି ବନସ୍ତରେ ବଡ ନିଭୃତ ଅପହଞ୍ଚ ଇଲାକାରେ ଥିଲେ ପ୍ରତ୍ୟକ୍ଷ ବଣଦେବୀ । ଗୁପ୍ତଭାବେ ଉପାସନା କରୁଥିଲେ ଲାଗୁରି ବଂଶଧର ମାନେ । କିନ୍ତୁ କେଉଁଠି, ତାହା ଜାଣିଥିବା ଲୋକ କେହି ନାହାନ୍ତି? ଲୋକେ ବିଶ୍ୱାସ କରନ୍ତି ବହୁତ କାଳ ଆଗେ ଭୂମିକମ୍ପ ହେଲା । ପାହଡ ଭାଙ୍ଗିଗଲା, ଦେବୀ ମାଆ ଯେମିତି ଅନ୍ତର୍ଦ୍ଧାନ ହୋଇଗଲେ । ଲୋକେ ଆଉ ରାସ୍ତା ପାଇଲେ ନାହିଁ । ତତ୍କାଳୀନ ପୂଜକ ଆଉ ସେଦିନ ଫେରିଲେ ନାହିଁ । ଗ୍ରାମବାସୀ ମାନେ ଅନେକ ଖୋଜିଲେ ବୃଥାରେ । ସେବେଠୁ ବଣଦେବତାଙ୍କ ପୂଜାପାଠ ବନ୍ଦ ଅଛି । ଉଦୟ ଲାଗୁରି ନାମରେ କୌଣସି ବ୍ୟକ୍ତି ଆମ ବିଗତ ଚାରି ପୁରୁଷରେ ନଥିଲେ । କେଜାଣି ତା ଆଗ କଥା କିଏ କହିପାରିବ?
ସାଥୀ କିଛି ନକହି ମୁରୁକି ହସିଲା । ମୁଁ ବୁଝି ପାରିଲି, ସେ ଅର୍ଥାତ୍ ମୁଁ ନିଜେ ସେ ନିଖୋଜ ପୂଜକ କେତେ ଶହ ବର୍ଷ ତଳେ । ଏବେ କେବଳ କିମ୍ବଦନ୍ତୀ, ଯହିଁରୁ ଲିଭିଗଲାଣି ଉଦୟ ନାମଟି ।
ସେଠାରେ ଥିବା ଏକମାତ୍ର ଚୌକି ଦେଖାଇ ଯୁବକ ବସିବାକୁ ଅନୁରୋଧ କଲେ । ମନରେ ଦ୍ୱନ୍ଦ୍ୱ, ପ୍ରକୃତରେ ସେ କହିଲେ କାହାକୁ? ସେ କଣ ଛାୟାପୁରୁଷକୁ ଦେଖି ପାରୁ ନାହାନ୍ତି? କିନ୍ତୁ କଥାବାର୍ତ୍ତା ସେ ହିଁ ତ କରିଥିଲା।
ତାଙ୍କ କଥାରେ ଥିଲା ଅହେତୁକ ଆତ୍ମୀୟତା ଯଦିଓ ଉତ୍ତର ନାସ୍ତି ସୂଚକ । ଏମିତି କଥୋପକଥନ ଚାଲୁ ରହିଛି, ଗୃହଲକ୍ଷ୍ମୀ ଜଣେ ଏକ ବିଶେଷ ପାନୀୟ ପରସି ଦେଲେ ଗୋଟିଏ ମାଟି ପିଆଲାରେ । ମୋର ଆଉ ସନ୍ଦେହ ନଥିଲା, ସେମାନେ କେବଳ ମୋତେ ହିଁ ଦେଖୁଥିଲେ । ଅଥଚ ମୋ ତରଫଟି ପ୍ରତିନିଧିତ୍ୱ କରୁଥିଲେ କେବଳ ମୋ ଛାୟାପୁରୁଷ । ନଚେତ ମୋତେ ଅବା କଣ ଜଣାଥିଲା! ବଡ ତୃପ୍ତିକର ଥିଲା ସେ ଅଜଣା ପାନୀୟ । ମୋତେ ଜଣାଇଦେଲା ମୋ ସାଥୀ, ସେଇଟା କୁଆଡେ ଲିଟିରି ଗଛର ରସ, ଯେତେ ସମୟ ରହିଲେ ବି କେବେ ଖଟା ହୁଏ ନାହିଁ କି ନିଶା ହୁଏ ନାହିଁ ।
ତେବେ ସେ ପୁଣି ମୋତେ ସେଠାରୁ ଏକ ପ୍ରକାରେ ଭୀଡିନେଲା, -ଏମାନେ ମୋ ବଂଶଧର ହେଲେ ବି ଚିହ୍ନିବାର ଉପାୟ ନାହିଁ । ଯଚେଇ ହୋଇ ଚିହ୍ନା ଦେବାର ଆବଶ୍ୟକତା ମଧ୍ୟ ନାହିଁ ।
ଆମେ ଏବେ ଯାଉଥିଲୁ ଏକ ଭିନ୍ନ ଦିଗକୁ । ବଣ ପଡିଲା, ବଣ ଘଞ୍ଚରୁ ଘଞ୍ଚତର ହେଲା । ଟିକି ପାହାଡଟିଏ ଚଢିସାରି ଦ୍ୱିତୀୟ ଅପେକ୍ଷାକୃତ ଉଚ୍ଚ ପାହଡଟି ଆମେ ଚଢୁଛୁ । ଆଉ ରାସ୍ତା ନଥିଲା । ସେ କହିଲା କି ସବୁ ବଦଳି ଯାଇଛି କିନ୍ତୁ ସେ ଖୋଜି ନେବ ।
ଦିନ ଆଉ ଘଡିଏ ମାତ୍ର ଅଛି, ଏ ସମୟରେ ଆମେ ଯାହା କରୁଛୁ ତାହା କେତେଦୂର ଯୁକ୍ତିଯୁକ୍ତ!
ତା କଥାରେ ମୁଁ ଏକ ଶୀଳାଖଣ୍ଡକୁ ହଟାଇବୋକୁ ଚେଷ୍ଟା କଲି । ହେଲା ନାହିଁ । ଠେଙ୍ଗା ପରି ଶୁଖିଲା ଡାଳ ଏକ ପଡିଥିଲା । ସେଇଟିକୁ ଶାବଳ ପ୍ରାୟ ବ୍ୟବହାର କରି ପଥର ଖଣ୍ଡକୁ ହଟାଇଲି । ଦେଖାଗଲା ଏକ ସୁଡଙ୍ଗ । ଆମେ ତହିଁରେ ପ୍ରବେଶ କଲୁ । ମନେ ହେଲା ତାହା ଅନେକ କାଳୁ ଅବ୍ୟବହୃତ । ଚେମିଣିଆ ଜାତୀୟ ଅନେକ ପ୍ରାଣୀ ସେଇଠି ଘର କରିଛନ୍ତି । ଦେହ ହାତ ପିଟି ହୋଇଗଲେ କେତେ କିସମର ଜୀବ । ସେ କହିଲା, ଏ ରାସ୍ତା ସାର୍ବଜନୀନ ନୁହେଁ, କେବଳ ଦିସାରୀ ପରିବାରର କେବେ କେବେ ବ୍ୟବହୃତ ରାସ୍ତା । ସୁଡଙ୍ଗ ମଧ୍ୟକୁ ସାମ୍ନା ଦିଗରୁ ଆଲୋକ ଆସୁଛି, ହୁଏତ ପବନ ବି । ପାହାଡ ଭାଙ୍ଗିଯାଇଛି । ତେଣୁ ସୁଡଙ୍ଗର ଛାତ ଦୁଇ ଫାଳ ହୋଇ ଆଗକୁ ଧସି ପଡିଛି । ଅର୍ଥାତ୍ ଆମେ ଗନ୍ତବ୍ୟ ଶେଷମୁଣ୍ଡରେ ନପହଞ୍ଚି ପୁଣି ବାହାରକୁ ବାହାରି ଆସିଲୁ, ପାହଡର ଅପର ପାଶ୍ୱର୍ରେ । କଣ ଅନୁମାନ ଲଗାଇ, ଏକ ବିଶାଳ ଗଛର ଶୀର୍ଷ ଭାଗରେ ସେ ମୋତେ ଚଢାଇ ଦେଇ ସେ ଗଛର ମୂଳକୁ ଓହ୍ଲାଇବାକୁ କହିଲା । ଲାଗିଲା, ଏ ଗଛ କାଳଜୟୀ ଓ ଏକାନ୍ତ ଅନ୍ତରଙ୍ଗ । ମୋର ଅନୁମାନ ସତ ହେଲା । ଚିହ୍ନା ଚିହ୍ନା ଲାଗୁଥିବା ଏକ ଛୋଟକାଟିଆ ଗିରିବୃତ୍ତ ମଧ୍ୟର ଜଳାଧାର ବା ହ୍ରଦ ଦିଗରେ ଆମେ ଓହ୍ଲାଉଥିଲୁ । ହ୍ରଦଟିକୁ ପରିକ୍ରମା କରିବାକୁ ପାଦଚଲା ରାସ୍ତା ଅଛି । ଆମେ ଘଣ୍ଟା କଣ୍ଟା ପରି ବୁଲିବାକୁ ଲାଗିଲୁ । ପହଞ୍ଚିଲୁ ଏକ ମନ୍ଦିର ପାଖରେ । ପଥର ଖୋଳି କରାଯାଇଛି ଦୁଇଟି କୋଠରୀ । ଗୋଟିକରେ ଅଛନ୍ତି ଦେବୀ ମୂର୍ତ୍ତି, ବ୍ୟାଘ୍ର ଉପରେ ଉପବିଷ୍ଟା । କେଜାଣି କେତେକାଳ ଏହା ପୂଜା ପାଇନାହାନ୍ତି କହିହେବ ନାହିଁ । ଦ୍ୱିତୀୟ କୋଠରୀ ମଧ୍ୟରେ ପ୍ରବେଶ କରି ମୁଁ ଚମକି ପଡିଲି। କାନ୍ଥକୁ ଆଉଜି ଚକାସନ ମୂଦ୍ରାରେ ଶୁଖିଯାଇଥିବା ମୃତ ମଣିଷ ଜଣେ ବସିଛନ୍ତି । ସାଥୀ ପୁନଶ୍ଚ ହସି କହିଲା, ଆହାରେ ଉଦୟ! ସେ ମୋତେ ବୁଝାଇ ଦେଲା, ଏ ଦୁଇ କୋଠରୀ ମଧ୍ୟରେ ବନର ଗୁଳ୍ମଲତାରୁ ତିଆରି ଅତିବିଶେଷ ରସାୟନକୁ ନିମ୍ବ, କରଞ୍ଜ ଓ ଲିଟିରି ତେଲରେ ଗୋଳାଯାଇ ବର୍ଷ ବର୍ଷ ଦିଆଯାଇଛି ଲେପ, ଏହା ମଧ୍ୟରେ କୌଣସି ଫଳ, ପୁଷ୍ପ, ଡାଳ କିମ୍ବା ଜୀବର ଶରୀର ପଚିବାର ସମ୍ଭାବନା ନାହିଁ । ସେପାଇଁ ଉଦୟ ଶୁଖିଯାଇଛି ।
ଉଦୟର ମୃତ୍ୟୁ ହେଲା କିପରି? ସେ ବି କହି ପାରିଲା ନାହିଁ, ଆପଣା ମରଣର କାରଣ କିଏ ବା କହିବ । ଭୟଙ୍କର ଭୂମିକମ୍ପ ଓ ପାହାଡ ଭାଙ୍ଗିବାର ଶବ୍ଦ ହେଲା ବେଳକୁ ଉଦୟ କିଛି ଲେଖୁଥିଲେ । ଲେଖନୀ ପଡିଛି ଚଟାଣ ଉପରେ। ତା ପର କଥା ଅଜଣା । ହୁଏତ ଭୟରେ ତାଙ୍କ ପ୍ରାଣବାୟୁ ଉଡିଯାଇଛି । ମୋ ମନରେ ପ୍ରଶ୍ନ ଆସିଲା, ତେବେ ଉଦୟଙ୍କ ମୃତ ଶରୀରକୁ ଉଦ୍ଧାର କରାଗଲାନାହିଁ କାହିଁକି? ସେ ହସି କହିଲା, ହୁଏତ ଚେଷ୍ଟା କରିଥିବେ, ହୁଏତ ଚେଷ୍ଟା କରିନଥିବେ ମଧ୍ୟ । ମୁଁ ସେମିତି ପ୍ରହେଳିକା ମଧ୍ୟରେ ରହିଲେ ବି ଆଉ ପ୍ରଶ୍ନ କଲିନାହିଁ ।
ସାମ୍ନାରେ ପଥରରର ପିଣ୍ଡି ଉପରେ ଧାତୁ ନିର୍ମିତ ପୋଥି ଭଳି କିଛି ଜିନିଷ ଖୋଲା ଅବସ୍ଥାରେ ରହିଛି । ସେ କହିଲା ପୋଥିକୁ ଉଠାଇ ପଢିବା ପାଇଁ । ଓଡିଆ ଅକ୍ଷରରେ ଲିଖିତ ହୋ ଭାଷାର ପୋଥି । ମୁଁ ପଢିଗଲି ସେ ବୁଝିଲା, ସେ ବୁଝିଲା ଅର୍ଥ ମୁଁ ବି ବୁଝିଲି ।
ଏହା ଏକ ପଞ୍ଜିକା କିସମର ଅନତିବୃହତ ପୋଥି । ଦିସାରୀ ପରିବାରର ବଂଶଲତାର ବିବରଣୀ ରହିଛି ତହିଁରେ । ପରମ୍ପରା ସମ୍ପର୍କରେ ବିସ୍ତୃତ ଆଲୋଚନା ରହିଛି । ମୂର୍ତ୍ତି ପୂଜା ପ୍ରାୟତଃ ନଥିବା ପ୍ରକୃତି ପୂଜକ ହୋ ଜନଜାତି ପାଇଁ ବଣଦେବୀଙ୍କ ମୂର୍ତ୍ତିକୁ ଏକ ଅନନ୍ୟ ବ୍ୟତିକ୍ରମ ଭାବେ ଗ୍ରହଣ କରାଯାଇଛି ଏ ପୋଥିରେ । ଏ ପୂଜା ଅନେକାଂଶରେ ଗୁପ୍ତ । ସଂଧ୍ୟା ହୋଇଗଲା, ସେଠାରେ ଥିବା ଏକ ପଥର ତିଆରି ଫିମ୍ପାର ଢାଙ୍କୁଣି ଖୋଲିଲା ସେ । ବାସ୍ନାରୁ ଜଣା ପଡିଲା ଏହା କରଞ୍ଜ ତେଲ । କେଜାଣି କେତେ ପୁରୁଣା। ସମୟର ମାନଚିତ୍ରତକ ମୋ ପାଇଁ ଦୁର୍ବୋଧ୍ୟ ହେଉଥାଏ । କୋଠରୀରେ ଥିବା ଏକ ଦୀପରେ ସଂଗ୍ରହ କଲା ତେଲ । ଶୁଖିଲା ତନ୍ତୁବହୁଳ ଲଟାଟିଏକୁ ପଥରରେ ଛେଚି, ତାହାର ଏକ ଅଂଶକୁ ସଳିତା କଲା । ସେଠାରେ ଥିବା ଚକମକି ପଥର ଦୁଇକୁ ପରସ୍ପର ଘଷି ନିଆଁ ସଂଗ୍ରହ କଲା ଶୁଖିଲା ପତ୍ରରେ । ଫୁଙ୍କି ଫୁଙ୍କି ତାହାକୁ ଜଳାଇଲା । ଦୀପକୁ ପ୍ରଜ୍ଜ୍ୱଳିତ କଲା । ଏକ ଶୁଖିଲା ଡାଳ ମୁଣ୍ଡରେ ଉକ୍ତ ପଥର ଛେଚା ଶୁଖିଲା ଲତାକୁ ଗୁଡାଇ ଗୁଡାଇ ବାନ୍ଧିଦେଲା ସେ। ଏହାକୁ କରଞ୍ଜ ତେଲରେ କେତେ ସମୟ ଭିଜାଇ ଦେଲା ।
ତା ପରେ ବାହାରକୁ ଆସିଲା । ଏକ ଚଟାଣ ଉପରେ ଶୁଖିଲା କାଠକୁ ଜୁଇ ପ୍ରକାରେ ସଜାଇଲା । ବଡ ଯତ୍ନର ସହ ତା ଉପରେ ଥୋଇଦେଲା ସେ ମମ୍ମି ହୋଇ ଯାଇଥିବା ନର ଶରୀରକୁ । ଅଗ୍ନି ସଂଯୋଗ କଲା । ଉଦୟ ଲାଗୁରି, ଦେବୀଙ୍କ ଅନ୍ତିମ ପୂଜକଙ୍କ ଅନ୍ତେଷ୍ଟି । ଏ ସଂସ୍କାର ପରେ ଉଦୟ ହେବ ମୁକ୍ତ, ଅର୍ଥାତ ଛାୟାପୁରୁଷ ଆକା ଉଦୟ ହେବ ମୁକ୍ତ । ଦିଆସିଲି ବ୍ୟବହାର ପୁର୍ବ ଚକମକି ପଥର ଯୁଗର ପୂଜକ । ଏହାକୁ ମିଶାଇ କହିହେବ ମୋ ଛାୟାପୁରୁଷର ମୁକ୍ତି ମୋ ନିଜର ମୁକ୍ତି ନୁହେଁ କି? ମୋତେ ନିଜକୁ ବହୁତ ହାଲୁକା ଲାଗିଲା । ଅବର୍ଣ୍ଣନୀୟ ଆନନ୍ଦରେ ଚହଲିଗଲା ମୋ ପ୍ରାଣସତ୍ତା ।
କହିଲା, - ଏବେ ଫେରିବା । ବାହୁଡିବାର ସମୟ ଆସିଗଲା । ବାଟେଇ ଦେବି ତୁମକୁ ସମୟର ବର୍ତ୍ତମାନର ପଥରେ ଯାହା ଦିନେ ମଶିବ ଭବିଷ୍ୟତରେ । ସେ ବାଟ ତୁମ୍ଭର, ମୋର ନୁହେଁ । ମୁଁ ବାହୁଡିବି ନୁହେଁ, ବାହୁଡି ସାରିଲିଣି । ଏ ଜୁଇ ଲିଭିଲା ପରେ ମୁଁ ଆଉ ତୁମ ସାଥୀ ଦେଇ ପାରିବି ନାହିଁ ।
ମୋତେ ପୋଥିକୁ ଧରିବାକୁ କହିଲା । ପ୍ରଜ୍ଜ୍ୱଳିତ ମଶାଲକୁ ସେ ନିଜେ ଧରିଲା। ପୁଣି ସେହି ଗଛଟିକୁ ଅନାୟସରେ ଆମେ ଚଢିଗଲୁ ଆମ ହାତରେ ଜିନିଷ ଧରିଥିବା ସତ୍ତ୍ୱେ । ସୁଡଙ୍ଗ ମଧ୍ୟରେ ପ୍ରବେଶ କଲୁ । ହାତରେ ମଶାଲ । ବାହାରକୁ ଆସିବା ପରେ ସେ ମୋ ହାତରେ ମଶାଲଟି ଧରାଇ ଦେଲା । ଆଉ ମୁଁ ତାକୁ ପାଇଲି ନାହିଁ ସବୁ ଦିଗକୁ ଅନାଇ ପରୀକ୍ଷା କରିନେଲି, ସେ ଆଉ ନାହିଁ । ଉଦୟ ଲାଗୁରି ଫେରିଯାଇଛି ଅତୀତକୁ ।
ମୋର କର୍ତ୍ତବ୍ୟ ସ୍ଥିର କଲି । ଲାଗୁରି ପରିବାରର ଦ୍ୱାରରେ ପୋଥିଟି ଥୋଇଦେଇ ମୁଁ ନିଜ କାର ପାଖକୁ ଯିବା ପାଇଁ ଚାହିଁଲି । କେବଳ ଯାହା କେତୋଟି କୁକୁର ଭୁକୁଥିଲେ କିନ୍ତୁ ସେ ସ୍ୱରରେ ନଥିଲା ମୋତେ ତଡିବାର ଭାବନା । ବରଂ ସେମାନେ ଯେମିତି ସାକ୍ଷୀ ରହିବାର ପ୍ରତିଶ୍ରୁତି ଦେଉଥିଲେ । ଚାରିଆଡେ ଚହଟ ଚମ୍ପାର ଚନ୍ଦ୍ରକିରଣ, ସମ୍ଭବତଃ ପୁନେଇର ରାତି । ବିଶାଳ ବୃକ୍ଷ ପରିବେଷ୍ଟିତ ପୂର୍ବୋକ୍ତ ଜଳାଶୟରେ ମଶାଲକୁ ନିର୍ବାପିତ କରି ମୁଁ ଚାଲିଲି ।
ବଡ କ୍ଳାନ୍ତ ଲାଗୁଥିଲା, ଆଉ ଆଗେଇ ପାରିବି ନାହିଁ, କାର ମଧ୍ୟରେ ପ୍ରବେଶ କରି ଶୋଇପଡିଲି ।
ନିଦ ଭାଙ୍ଗିଲା ବେଳକୁ ଅନେକ ଉଚ୍ଚକୁ ଉଠିଲେଣି ସୂର୍ଯ୍ୟଦେବ । ମୁଁ ଫେରିଲି। ଯେଉଁଠୁ ବାଟ ହୁଡି ଯାଇଥିଲି ସେଇଠି ପହଞ୍ଚିଲା ବେଳକୁ ପ୍ରାୟ ସେତିକି ସମୟ ହୋଇଥିଲା ଯେତେବେଳେ ଗତକାଲି ମୁଁ ନୂଆବାଟରେ ଯାଇଥିଲି । ଭୂଗୋଳର ମାନଚିତ୍ର ଓ ସମୟର ମାନଚିତ୍ରରେ ମେଳକ ହୋଇଯାଇଥିଲା । ପୁଣି ଦୋଛକିରେ, ବନ୍ଧୁଘରକୁ ଯାଇ ଦେଖାକରି ଫେରିବି କିମ୍ବା ସ୍ୱଗୁହକୁ ଫେରିଯିବି? ଗାଡି ଅଟକାଇଲି, ପାଖରେ ଝରଣା । ଦାନ୍ତ ଘଷିଲି, ସ୍ନାନଶୌଚାଦି କାର୍ଯ୍ୟ ସମାପନ କଲି । ଏ ମଧ୍ୟରେ ନିଷ୍ପତ୍ତି ନେଲି, ନାଇଁ ନାଇଁ ଯାହା ହେଲେ ବି ମାନସ ଘରକୁ ଯାଇ ଫେରିବି ।
ଗାଡି ଚାଲିଲା ଶାଳବେଡା, ବିନା ଗୁଗୁଲ ମାନଚିତ୍ରରେ । ପ୍ରକୃତରେ ମୋବାଇଲଟି ଅନେକ ବେଳୁ ଶକ୍ତିରହିତ ହୋଇଯାଇଥିଲା ଓ ମୋ ଗାଡିରେ ଏହାକୁ ଶକ୍ତି ଭରିବାର ସୁବିଧା ମୁଁ ରଖିନଥିଲି । ଏଣିକି ମଣିଷ ସହାୟ ।
ବନ୍ଧୁଘରେ ଗହଳି ଚହଳି, ଶ୍ରଦ୍ଧାଞ୍ଜଳି ପର୍ବ ଚାଲିଛି ଭାବଗମ୍ଭୀର ବାତାବରଣରେ । ମୁଁ ବଡ ଆଶ୍ଚର୍ଯ୍ୟ ହୋଇଗଲି । ତାହେଲେ ମୁଁ କଣ ଗୋଟିଏ ଦିନ ଆଗରୁ ବାହାରିଥିଲି? ବା ଏମିତି କିଛି ଅବାସ୍ତବ ଅତିରଞ୍ଜିତ ଘଟଣା ଘଟିନାହିଁ, କେବଳ ମୋ ମନର ଭ୍ରମ? ଅଥବା ମୁଁ ଅନ୍ୟମନସ୍କ ଭାବେ ମୋ ଗାଳ୍ପିକ ମନରେ ଏସବୁ ଗଢିଦେଇଛି । ଅବଶ୍ୟ ମୋ ଝରଣାରେ ଗାଧୋଇବା କଥାଟି ତ ସତ । ଓଦା ଗାମୁଛା ତଥାପି କାରରେ ଅଛି । ତେବେ ଏମିତି କଣ ହୋଇନଥିବ କି, ଅବାସ୍ତବ ଭାବନାର ପରିଣତି ହିସାବରେ ମୁଁ ନିଜକୁ କ୍ଳାନ୍ତ ଓ ଅପରିଷ୍କାର ଭାବିଥିବି ଏଣୁ ଗାଧୋଇବାକୁ ମନ କରିଥିବି । ଏମିତି ବି ହୋଇଥାଇପାରେ ଝରଣାରେ ଗାଧୋଇବାର ଇଚ୍ଛାଟି ଦୁର୍ବାର ହୋଇ ମୋତେ ଟାଣି ନେଇଥିବ ଓ ମୁଁ ସେ ଗାଧୋଇବା କାମ ପଛରେ ଯୁକ୍ତିସ୍ୱରୂପ, ଏ ଗପଟି ପରେ ଖଞ୍ଜି ଦେଇଥିବି । ଏହା ମଧ୍ୟ ହୋଇପାରେ, ସାମୟିକ ଭାବେ ମୁଁ ମାନସିକ ବିକୃତିର ଶୀକାର ହୋଇଥିବି । ତାହେଲେ ମୋ ବାଟହୁଡିବା କଣ ମିଛ?
ମନ କଥା ମନରେ ରଖି ଭାଳି ହେଉଥିଲି, ଭାବନାରୁ ଆଦୌ ମୁକୁଳି ପରୁନଥିଲି । ସେ ପାଇଁ ସ୍ଥିର କଲି ଆପଣଙ୍କ ପରାମର୍ଶ ନେବି ମହାଶୟ ।
ସମ୍ପୂର୍ଣ୍ଣ କଥା ସମୟ ଦେଇ ଶୁଣିଥିଲେ ମନଚିକିତ୍ସା ବିଶେଷଜ୍ଞ । ସାମାନ୍ୟ ହସି କହିଲେ, ଆପଣ ମୋବାଇଲ ଖୋଲି ଗୁଗୁଲରେ ଖୋଲିଥିବା ମାନଚିତ୍ରର ଦିନ ତାରିଖ ଦେଖନ୍ତୁ, ଏହା ବନ୍ଧୁଙ୍କ ଶ୍ରଦ୍ଧାଞ୍ଜଳିକୁ ମେଳ ଖାଉଛି ନା ନାହିଁ । ଯେଉଁ ରାମପୁର ଗ୍ରାମପଞ୍ଚାୟତରେ ଆପଣ ଲୋକଙ୍କୁ ପଚାରିଲେ, ସେମିତ ଗ୍ରାମ ସେ ତଥାକଥିତ ଭୁଲ ରାସ୍ତାରେ ଅଛି କି ନାହିଁ ଦେଖନ୍ତୁ । ଯଦି ଅଛି, ଆଉଥରେ ସେ ରାସ୍ତାରେ ଯାଇ ସେ ଲାଗୁରି ପରିବାର ପାଖରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ । କିମ୍ବା ସମ୍ପୂର୍ଣ୍ଣ ଘଟଣାଟିକୁ ସମୟର ମାନଚିତ୍ରରୁ ହଟାଇ ଦିଅନ୍ତୁ ।
କହିବା ବାହୁଲ୍ୟ, ମୋ ମନର ହେତୁବାଦୀ ଓ ଅହେତୁକୀ ଭାବନାର ସଂଘର୍ଷକୁ ସେମିତି ସବୁଦିନ ସହି ନେବାର ନିଷ୍ପତ୍ତି ନେଇ ଉକ୍ତ ମୋବାଇଲକୁ ଫର୍ମାଟିଂ କରିଦେଲି । ବାର, ତାରିଖ ଇତ୍ୟାଦିର ହିସାବ ନିଜେ ଭାବିନାହିଁ ଅବା କାହା ସହ ଆଲୋଚନା କରିନାହିଁ । ବୁଲା ମଣିଷଟାଏ ମୁଁ, କେଉଁଠି ଉପସ୍ଥାନ ଖାତାରେ ମୋର ସନ୍ତକର ପ୍ରମାଣ ନାହିଁ ଯେ ମୁଁ ତାରିଖ ମାନଙ୍କର ତଥ୍ୟ ସଂଗ୍ରହ କରିବି । ନା ମୁଁ ପ୍ରୟାସ କରିଛି ଗୁଗୁଲର ଡାଟା ସଂଗ୍ରହ କରିବାକୁ । ନା ଖୋଜିଛି ରାମପୁର ଗ୍ରାମକୁ । ଲାଗୁରି ପରିବାର ମୋ ଜୀବନଯାତ୍ରାର ଅଜଣା ମାନଚିତ୍ରର କେଉଁ ସୁଦୂର ଅତୀତର ଆଶ୍ରୟ ଥିଲା ବୋଲି ମୋ ମନ ଗ୍ରହଣ କରି ନେଇଛି, ତେଣିକି ଏମିତି ଗାଆଁ ସତରେ ଥାଉ ଅବା ନଥାଉ । ଗପ ଗଢୁଥିବା ମଣିଷଟି ଏମିତି ଗପଟିଏ ନିଜକୁ ନେଇ ଗଢିଦେଇ ଏହାକୁ ସତ ମଣିବା ବା ସତକଥାଟିକୁ ଗଳ୍ପ ରୂପଦେବା; ଏମଧ୍ୟରୁ କେଉଁଟି ଠିକ୍ ତାହା ଅନିର୍ଣ୍ଣିତ ରହିଯାଉ ।