Sunanda Mohanty

Abstract Romance Thriller

5  

Sunanda Mohanty

Abstract Romance Thriller

ପାଳଭୂତ

ପାଳଭୂତ

4 mins
12


ସକାଳର ପ୍ରଥମ ଆଲୋକ ପଡ଼ୁ ପଡ଼ୁ ସେ ଆସିଥାଏ କାବେରୀ ମାଉସୀ ସାଙ୍ଗରେ. କେତେ ରକମର ଫଳ ଫୁଲ ଭରା ଟୋକେଇ ମୁଣ୍ଡେଇ କାବେରୀ ମାଉସୀ ପଛେ ପଛେ କାନି ଧରି ସେ ଆସେ. ମାଉସୀ ଡାକ ପକାଏ, କୁଆଡେ ଗଲ କି ସବୁ ନନି ମାନେ? ନିଅ ନିଅ ଆତ ଆଣିଛି ଆଜି.ପୁଣି କେଵେ ଆମ୍ବ ଆଣିଥାଏ ତ କେଵେ ପିଜୁଳି. ଦଉଡି ଆସନ୍ତି ରୁମ ସବୁରୁ ଝିଅ ମାନେ ବାଛି ବାଛି ନେଇଯାଆନ୍ତି ଫଳ ଓ ଫୁଲ. କିଏ ଖୋସା କରି ବାନ୍ଧେ କିଆ ଫୁଲ ତ କିଏ ଜୁଡ଼ାରେ ରଜନୀଗନ୍ଧା. କୃଷ୍ନାର ଆକର୍ଷଣ କିନ୍ତୁ କାବେରୀ ମାଉସୀ ଝିଅ ଫୁଲ. ସେ ଦଉଡିଯାଏ ତା ପାଖରେ ଥିବା ବିସ୍କୁଟ କି ମିକ୍ଚର ଧରି. ଫୁଲ ଲୁଚିଯାଏ ମାଆ ପଛପଟକୁ ଢାଲ କରି.ପଛପଟୁ ଥାଇ ହାତ ବଢ଼େଇ ନେଇଯାଏ.କୃଷ୍ନା ପଚାରୁଥାଏ ତୋ ନାଁ କଣ? କିଛି ଉତ୍ତର ରଖେ ନାହିଁ ଫୁଲ,ହସୁଥାଏ ପାହାଡି ଝରଣା ପରି ଅବା କେଉଁ ମୌନବତୀ ରାଜାକନ୍ୟା ପରି. ପାଟିରେ ସିନା କହେନାହିଁ କିଛି କିନ୍ତୁ ଆଖିରେ କହୁଥାଏ ଅନେକ କିଛି. ମାଉସୀର ବିକ୍ରିବଟା ସରିଗଲେ ମାଉସୀ ଫେରିଯାଏ ଆଉ ଫୁଲ ପଛକୁ ଚାହିଁ ଚାହିଁ ହସି ହସି ଫେରିଯିବାର ଦୃଶ୍ୟ କାନ୍ତା ମନ କାନଭାସରେ ଚିତ୍ର ହୋଇ ଆଙ୍କି ହୋଇଯାଏ. କାହିଁକି କେଜାଣି ଦିନ ସାରା ଫୁଲ ନାଚୁଥାଏ କାନ୍ତାର ମନ ହୃଦୟରେ. ଛୋଟ ପିଲାଟି କେତେ ଚାଲେ ଏ ଜଙ୍ଗଲୀ ରାସ୍ତାର ଆବୁଡା ଖାବୁଡା ପଥୁରିଆ ରାସ୍ତାରେ ସତରେ!ମାଆ ପଛେ ପଛେ ଚାଲିବାର ଆକର୍ଷଣରେ ସକାଳର ପ୍ରଥମ ଆଲୁଅରେ ବାର ବାର କଣ ପ୍ରତିବାର ଫୁଲ ଆସେ ଆଉ କେତେ ଛାପ ଛାଡିଯାଏ କୃଷ୍ନା ମନରେ. ତାର ମନେପଡେ ତା ପିଲାଦିନ. ସହର ବଜାର ରାସ୍ତାରେ ଦୋକାନ, ବଜାର, ଗହଳି ଭିତରେ ବି ମାଆ ସହ ଚାଲିଲା ବେଳେ ସେ ଦୁଇହାତ ଟେକିଦିଏ ମାଆ ଆଡକୁ. କିଛି ସମୟ କାଖ କଲାପରେ ମାଆ କହେ ରିକ୍ସା ଆସୁ. ରିକ୍ସା ମିଳେନି, ଯଦିବା ମିଳେ ମୂଲ ଛିଡେନି ତ ଚାଲୁ ଚାଲୁ ଅସ୍ତବ୍ୟସ୍ତ ଲାଗେ କୃଷ୍ନାକୁ ତ ମାଆ କେଵେ କାଖ କରେ ତ କେଵେ ଓଲ୍ହାଇଦେଇ କହେ ଆଉ ଅଳ୍ପ ବାଟ କୃଷ୍ଣା ଦେଖ ଦେଖ ଘୋଡାଗାଡି, ଦେଖ ଦେଖ ଶବ ଯାଉଛି କୋକେଇରେ, ମୁଣ୍ଡିଆ ମାର ମୁଣ୍ଡିଆ ମାର. ଜଡ଼ସଡ଼ ହୋଇ ମାଆ ପଣତକୁ ଜାବୁଡି ଧରେ କୃଷ୍ନା. ଭାରି ଡର ଲାଗେ ତାକୁ. ସମୁଦ୍ର କୂଳରେ ପହଁଞ୍ଚି ଲହଡି ଭାଙ୍ଗିବାରେ କାହିଁକି ଆଉ ଆଗ୍ରହ ନଥାଏ. ଫୁଲ କିନ୍ତୁ ଆସିଲା ବେଳେ ଯେତିକି ସତେଜ ଥାଏ ଫେରିଗଲା ବେଳେ ମାଆ ହାତରୁ ଟୋକେଇ ନେଇ ନିଜ ମୁଣ୍ଡରେ ଥୋଇ ହସି ହସି ଚାଲୁଥାଏ ତ କୃଷ୍ନା କାନ୍ଦିପକାଏ କହେ ମାଉସୀ ଛୁଆଟାକୁ ଟିକେ କାଖେଇ ଦେଉନ. ନାଇଁ ନନି, ଏଇ ଦିନୁ ସୁଖ ଖୋଜିଲେ ବଡ଼ ହେଲେ ଦୁଃଖ ପାଇବ. ନିଜ ପାଦରେ ଚାଲୁ ଚାଲୁ ଦୁନିଆଁ ବୁଝୁ. ଝୁରି ହୁଏ କୃଷ୍ନା, ଆହା ବିଚାରୀ ଫୁଲ!

  ଏ ଭିତରେ ଚାରିବର୍ଷ ବିତି ଛଅବର୍ଷ ହଷ୍ଟେଲରେ ହେଲାଣି.ଫୁଲ ଏବେ ନିର୍ଭୟରେ କଥା କହିଲାଣି. ଫ୍ରକ ବଦଳରେ ଆଦିବାସୀ ମେଳାରେ ମିଳୁଥିବା ଛୋଟ ଶାଢ଼ୀ ପିନ୍ଧିଲାଣି. ସେଦିନ ଖୁବ ବର୍ଷା ବାହାରେ. ରୁମ ଭିତରେ ଶେଷ ବର୍ଷର ଥେସିସ କିଏ ଲେଖୁଥିଲା ତ କିଏ ଗୀତ ଶୁଣୁଥିଲା ତ କିଏ ଗାଉଥିଲା ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ.. ସେ ମେଘରେ ପ୍ରିୟାକୁ ଭିଜେଇ ଦେବୁ.. ଭିଜିବାକୁ ହାଏରେ ସେ ଭଲପାଏ... ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ. ସାଙ୍ଗର ସେଇ ସ୍ୱରକୁ ଗୁଣୁଗୁଣେଇ କୃଷ୍ଣା ପୋଟ୍ରେଟରେ ଚିତ୍ରଟିଏ ଆଙ୍କି ଚାଲିଥିଲା. ଅବିକଳ ଫୁଲର. ସେଦିନ ଏମିତି ଏକ ବର୍ଷାରେ କାବେରୀ ମାଉସୀ କେତେ ଦରବ ଆଣି ଆସି ଡାକୁଥିଲା ଆସଗୋ ନନି ସକଳ, ସକାଳୁ ନେଇଯାଅ ଯାହା ଦରକାର ତୁମର ସକଳ ସକାଳେ କିନ୍ତୁ ସାଙ୍ଗରେ ଫୁଲ ନଥିଲା. ଫୁଲ ପାଇଁ ରଖିଥିବା ବହି, ଖାତା, କଲମ, ଟିକିଲି, ରିବନ ସହ ବିସ୍କୁଟ ଧରି କୃଷ୍ନା ପଚାରିଥିଲା ଫୁଲ ଏ ବର୍ଷା ଯୋଗୁଁ ଆସିଲାନି କି ମାଉସୀ?ନାହିଁ ଗୋ ନନି ଫୁଲ ଜଙ୍ଗଲକୁ ଯାଇଛି କାଠ ଆଣିବାକୁ. ଏ ବର୍ଷାରେ ଫୁଲ ଜଙ୍ଗଲକୁ ଯାଇଛି ତାକୁ ଡର ମାଡ଼ିବନି ମାଉସୀ!ବରଷାକୁ କି ଡର ଗୋ? ବର୍ଷା ତ ଆମର ସାଥି.ତା ଆରଦିନ ଫୁଲ ଆସିଥିଲା. ଫୁଲ ମଧ୍ୟ ସେଇକଥା କହୁଥିଲା ଡର କଣ ଗୋ ଦେଇ. ଇନ୍ଦ୍ରଧନୁ ଦେଖି ବର୍ଷା ଆସିବା ଜାଣି ଅଳସୀ କ୍ଷେତ ପାଖେ ଥିବା ପାଳଭୂତ ପାଖକୁ ଦଉଡି ଯାଇଥିଲି ଗୋ. ପାଳଭୂତ କଥା କହେନାହିଁ ଗୋ ଦେଇ କିନ୍ତୁ ଦେଇ ଜାଣେ. ମନ ଚିହ୍ନେ ବୋଲିତ ତା ମୁଣ୍ଡରୁ ହାଣ୍ଡି କାଢି ନିଜେ ଘୋଡ଼ି ହୋଇଗଲି. କିଛି କହିଲା ନାହିଁ. ଫୁଲ କାଠଗୋଛା ସହ ଭିଜି ଭିଜି ଫେରୁଥିବା ତାର ଅବିକଳ ପୋଟ୍ରେଟଟି ଦେଖେଇଲି ତାକୁ. କି ଖୁସି ସେ. ସତେକି ସରଗର ଚାନ୍ଦ ପାଇଗଲା. କାବେରୀ ମାଉସୀ କହିଲେ ଫୁଲର ବିହାଘର କରେଇବି. ଧାଙ୍ଗଡ଼ା ଠିକ ହୋଇଛି. ଶାଢ଼ୀ ଖଣ୍ଡେ ଲେଖା ଦେବଗୋ ନନିମାନେ. ଫୁଲ ସିନା ଲାଜେଇ ଯାଇ ଛଅ ବର୍ଷ ତଳକୁ ଫେରି ପଡି ମାଆ ପଛପଟେ ଲୁଚିଯାଉଥିଲା ହେଲେ କୃଷ୍ନାର କିନ୍ତୁ ଦୀର୍ଘନିଶ୍ଵାସଟିଏ ବାହାରି ଆକାଶର ମେଘଖଣ୍ଡ ମାନଙ୍କ ଭିତରେ ଆତ୍ମଗୋପନ କରିବାକୁ ଜାଗାଟିଏ ଖୋଜୁଥିଲା.

  ଏ ଭିତରେ ଶେଷ ବର୍ଷର ଥେସିସ ଦାଖଲ ଓ ପରୀକ୍ଷା ପୁଣି କଲେଜ ଫଙ୍କସନ ଇତ୍ୟାଦିରେ ବୁଡି ରହି ଫୁଲ କଥା ଭୁଲିଯାଇଥିଲା କୃଷ୍ନା. କାବେରୀ ମାଉସୀ ମଧ୍ୟ ଆଗପରି ଆସୁନଥିଲେ ପ୍ରତିଟି ସକାଳକୁ ତାଜା କରି ଫଳ, ଫୁଲ ମୂଳ ସହ. ସେଦିନ ହଷ୍ଟେଲ ଛାଡ଼ିବା ପରେ ବାଟରେ ଫୁଲ ସହ ଦେଖା ହେଲା. କାଖରେ କେଇମାସର ଝିଅ. ପିନ୍ଧିଥିଲା କୃଷ୍ନା ଦେଇଥିବା ଲାଲ ରଙ୍ଗର ଶାଢ଼ୀ ସାଙ୍ଗକୁ ଶୁଆ ପଖିଆ ବ୍ଳାଉଜଟି ଖୁବ ମାନୁଥିଲା ତାକୁ. ତା ଝିଅ ହାତକୁ ପାଞ୍ଚଶହ ଟଙ୍କିଆଟିଏ ବଢ଼େଇ ଦେବା ପରେ ପିଲାଟି ତଳକୁ ଖସେଇ ଦେଇଥିବା ନୋଟଟିକୁ ନଇଁପଡି ଯିଏ ଉଠେଇଲା ସେହି ପୁରୁଷ ଲୋକଟି ଫୁଲର ସ୍ୱାମୀ ଥିଲା. ଆକାଶରେ ମେଘ ଘୋଡେଇ ଆସିଥିଲା. ତରତରରେ ଷ୍ଟେସନ ଯିବାକୁ ବ୍ୟଗ୍ର ହେଉଥିବା କୃଷ୍ନା କାବେରୀ ମାଉସୀଙ୍କ ପାଇଁ ଆଉ ପାଞ୍ଚଶହ ଫୁଲ ହାତରେ ଦେଇ ବସିଗଲେ ଗାଡିରେ ଷ୍ଟେସନ ଅଭିମୁଖେ . ଟ୍ରେନ ଛାଡିଲା ବେଳକୁ ଖୁବ ବର୍ଷା. କୃଷ୍ଣାଙ୍କ ମନରେ ଫୁଲର ପୋଟ୍ରେଟଟିଏ ଆଙ୍କି ହୋଇଯାଉଥିଲା. ଝିଅଟି ସହ ତାର ଆଶ୍ରୟଦାତା ସ୍ୱାମୀ ସଙ୍ଗେ କୋଉଠି ଥିବ ଏ ବର୍ଷାରେ? ହଠାତ କୃଷ୍ଣାଙ୍କୁ ଲାଗିଲା ଫୁଲ ଭଳି ନିଷ୍ପାପ ଝିଅଟାର ସ୍ୱାମୀ ଲାଗୁଥିଲା ଅବିକଳ ପାଳଭୂତ ଭଳି. ଟ୍ରେନ ଗଢୁଥିଲା ଆଗକୁ. କୃଷ୍ଣା ଭାବୁଥିଲା ଏଥର ସେ ବାପା ମାଆଙ୍କ କଥା ମାନିନେଇ ବିବାହ କରିବାକୁ ରାଜି ହୋଇ ଘର ବସେଇବ ନିଶ୍ଚୟ.



Rate this content
Log in

Similar oriya story from Abstract