Santosh Biswal

Thriller

4.8  

Santosh Biswal

Thriller

ନିଶଦ୍ଦ ରାତି ର ସାଥି

ନିଶଦ୍ଦ ରାତି ର ସାଥି

6 mins
658


  

   ଢଂ....ଢଂ.....ଢଂ......

 ବାଦାମବାଡି ର ବସ୍ ଷ୍ଟାଣ୍ତ ର ୱାଲ କ୍ଳକ ରାତି ନଅଟା ର ସୂଚନା ଦେଲା। ଡିସେମ୍ବର ମାସ,ଏ ବର୍ଷ ପ୍ରବଳ ଶୀତ ପଡିଛି। ସହଯେତ ଶୀତ ଦିନ ତା'ପରେ ଉପରବେଳା ଭଲ ଭାବରେ ଅଦିନିଆ ଅସରାଏ ବର୍ଷା ହୋଇ ଛାଡିଯାଇଛି। ତେଣୁ ଶୀତ ପୁରାପୁରି ଭଲ ଭାବରେ ଜମି ଯାଇଛି କହିଲେ ଚଳେ। ରାତି ଆଠଟା ବେଳୁ ସହରର ଦୋକାନ ବଜାର ବନ୍ଦ ହୋଇ ସାରିଛି, ରାସ୍ତାଘାଟ ସମ୍ପୁର୍ଣ ନିର୍ଜନ। କାଁ ଭାଁ ରାସ୍ତାରେ ଗୋଟାଏ ଦୁଇଟା ଗାଡି ଚଳାଚଳ କରୁଥାଏ। ସହରବାସୀ ସମସ୍ତେ ନିଜ ନିଜ ଗୃହରେ ଆରାମ ଦାୟକ ବିଛଣାରେ ନିଦ୍ରାମଗ୍ନ।


     ମୁଁ ଗୋଟିଏ ଜରୁରୀ କାମ ରେ କଟକ ଆସିଥାଏ ଆଉ କାମ ସରୁ ସରୁ ସଂଧ୍ୟା ହୋଇଗଲା ତେଣୁ ଅନ୍ୟ ଉପାୟ ନପାଇ ଅପେକ୍ଷା କରିଥାଏ ମୋ ଗାଁ ପାଖ ଦେଇ ଯାଉଥିବା ଶେଷ ବସ୍ କୁ।ବସ୍ ଟିର ଯାତ୍ରା ସମୟ ବାଦାମବାଡିରୁ ଠିକ୍ ରାତି ଦଶଟା ତିରିଶି ମିନିଟ ରେ।ତେଣୁ ଅନ୍ୟ ଉପାୟ ନପାଇ ଅପେକ୍ଷା କରିଥାଏ ଏବଂ ତା ପୂର୍ବରୁ ମୁଁ ମୋର ରାତ୍ରିଭୋଜନ ନିକଟସ୍ଥ ଏକ ହୋଟେଲ ରୁ ସାରିଦେବାକୁ ଭୁଲିନଥାଏ। 



     ହାତ ଘଣ୍ଟା ଉପରେ ନଜର ବୁଲେଇଲି ରାତି ଦଶଟା କୋଡିଏ ହେବାକୁ ଯାଉଛି,ଆଉ କାଳବିଳମ୍ବ ନକରି ଟିକେଟ କାଉଣ୍ଟର ଆଡକୁ ଆଗେଇଲି।ଉଦ୍ଦେଶ୍ୟ ପୂର୍ବରୁ ଟିକେଟ ସଂଗ୍ରହ କରିନେବା। ଯେତେବେଳେ ଶୁଣିଲି ଯେ ଆଜିପାଇଁ ବସ୍ ଟି ତାର ଯାତ୍ରା ରଦ୍ଦ କରିଛି ସେତେବେଳେ ଶୂନ୍ୟରୁ ଖସିପଡିଲା ଭଳି ମୋର ମନେହେଲା।ଚର୍ତୁଦ୍ଦିଗ ଅନ୍ଧକାର ଦେଖାଗଲା। 


      ମୋର କଟକରେ ସେଭଳି କୌଣସି ପରିଚିତ ବା ସମ୍ପର୍କିୟ ନଥିଲେ ଯେଉଁଠାରେ ମୋତେ ଆଶ୍ରୟ ମିଳିବ। ଶେଷରେ ସ୍ଥିରକଲି ଷ୍ଟାଣ୍ଡର ଯାତ୍ରୀବିଶ୍ରାମାଗାର ରେ ରାତିଟି କାଟିଦେବି।



         ଧିରେ ଧିରେ ବିଶ୍ରାମଗାର ଆଡକୁ ଆଗେଇଲି ଏବଂ କୋଣଆଡକୁ ଖାଲିଥିବା ଗୋଟିଏ ବେନ୍ଚ ରେ ନିଜର ଆସ୍ଥାନ ଜମେଇଦେଲି। ଧିରେ ଧିରେ ରାତି ପରିପକ୍ବ ହେବା ସହିତ ବିଶ୍ରାମଗାରରେ ଅପେକ୍ଷାରତ ଯାତ୍ରୀମାନେ ସେମାନକଂର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭକଲେ। ନିରବତା ତା'ର କାୟା ଧିରେ ଧିରେ ବିସ୍ତାର କରିବାକୁ ଲାଗିଲା।



     ରାତି ଦଶଟା ପାଖାପାଖି, ଦେଖିଲି କେହିଜଣେ ମୋ ଆଡକୁ ଆସୁଛି। ତେଣୁ ଟିକେ ସତର୍କ ହୋଇଗଲି।


    ସେହି ଲୋକଟି ପଚାରିଲା, 


  : "ଆଜ୍ଞା ଆପଣ କ'ଣ କାହାକୁ ଅପେକ୍ଷା କରିଛନ୍ତି"?


  : ନାଁ, ଯିବା ପାଇଁ କୌଣସି ବସ୍ ମିଳିଲାନି ତେଣୁ ଭାବିଛି ରାତିଟା ଏହିଠାରେ କାଟିଦେବି।


   :  ଆପଣ କଣ ଜାଣିନାହାନ୍ତି, କାଲି ରାତି ରେ କିଛି ଅସାମାଜିକ ଯୁବକ ଜଣେ ଲୋକକୁ ଛୁରାମାଡ କରି କ୍ଷତାକ୍ତ କରିବା ସହିତ ତାଠାରୁ ସମସ୍ତ ଜିନିଷ ପତ୍ର ଲୁଟି ନେଇଛନ୍ତି ! ଆପଣକଂ ପାଇଁ ଏ ସ୍ଥାନ ନିରାପଦ ନୁହେଁ। ଅବିଳମ୍ବେ ଏହିଜାଗା ଛାଡି ବରଂ ଆଉ କେଉଁଠି ବିଶ୍ରାମ ନିଅ। ଆପଣକଂ ଭଲପାଇଁ ଏକଥା କହିଲି।


       ଏକଥା ଶୁଣିବା ପରେ ମୋର ମନ ଭୟ ରେ ଆନ୍ଦୋଳିତ ହେବାକୁ ଲାଗିଲା,ଚିନ୍ତାକଲି ଏଠାରେ ଆଉ ରାତ୍ରୀ ଯାପନ ସମ୍ଭବ ନୁହେଁ,ତେଣୁ ବିକଳ୍ପ ଖୋଜିବା ଉଦ୍ଦେଶ୍ଯରେ ରାସ୍ତାଉପରକୁ ବାହାରି ପଡିଲି,ଦେଖିଲି ଭୂବନେଶ୍ବର ଯିବାପାଇଁ ଗୋଟିଏ ବସ୍ ଯାତ୍ରୀ ମାନକୁଂ ଅପେକ୍ଷା କରିଛି। ଠିକ୍ ସେତିକିବେଳେ ମୋ ଗାଁ ପାଖର ଜଣେ ସାଗଂ ରୁପାଲିଛକ ବୋର୍ଡ କଲୋନିରେ ରହୁଥିବା କଥା ମୋର ମନେପଡିଲା,ପୁଣି ବ୍ୟାଚେଲର ,ତେଣୁ ତା' ପାଖରେ ରହିବାରେ କୌଣଷି ଅସୁବିଧା ନାହିଁ। ଆଉ ଡେରି ନକରି ବସ୍ ରେ ଉଠିପଡି ଝରକା ପାଖ ଗୋଟାଏ ସିଟ ଅଧିକାର କରିନେଲି।


      ରାତି ବାରଟା ପାଖାପାଖି, ବସ୍ ଟି ମୋତେ ରୁପାଲି ଛକରେ ଓହ୍ଲେଇ ଦେଇ ଆଗକୁ ବଢିବାକୁ ଲାଗିଲା ଓ ମୁଁ ଧିର ପାଦ ରେ ବୋର୍ଡ କଲୋନି ଆଡକୁ ଚାଲିବାକୁ ଆରମ୍ଭ କଲି।


      ଲେନ୍ ଭିତରେ କେଉଁଠାରେ ଅନ୍ଧକାର ର ସମ୍ପୁର୍ଣ୍ଣ ରାଜତ୍ବ ଚାଲିଥାଏ ତ କେଉଁଠାରେ ଷ୍ଟ୍ରୀଟ ଲାଇଟ ଗୁଡିକ ତାରାଭଳି ମିଞି ମିଞି କରୁଥାନ୍ତି।ଯାହା ହେଉ ସେହି ଅନ୍ଧାର ଆଲୁଅର ଖେଳ ଭିତରେ ଖୋଜି ଖୋଜି ମୋର ବନ୍ଧୁକଂର କ୍ବାଟର ଟି ମିଳିଗଲା। କିନ୍ତୁ ସେଠାରେ ମଧ୍ୟ ଏକ ବିସ୍ମୟ ମୋତେ ଅପେକ୍ଷା କରିଥିଲା।ଦେଖିଲି ବନ୍ଧୁକଂର ଡୋର୍ ରେ ଗୋଟାଏ ବିରାଟ ତାଲା ଝୁଲୁଛି।ଆକାଶ ରୁ ଖସିପଡିବା ଭଳି ଅନୁଭବ କଲି। ନିରାଶାର ମରୁବାଲିରେ ଆଶାର ମରୁଦ୍ୟାନ ଭଳି ଦେଖାଯାଉଥିବା ବନ୍ଧୁକଂର କ୍ବାଟର ଟି ଶେଷରେ ମୋତେ ନିରାଶ କଲା।


        ଆଉ ମୋ ପାଖରେ କିଛି ଉପାୟ ନଥିଲା,ତେଣୁ ସ୍ଥିର କଲି ଏତେ ରାତିରେ ଆଉ କୁଆଡେ ନଯାଇ ସେହି କଲୋନି ମୁଣ୍ତରେ ଥିବା ବରଗଛମୂଳ ଚଉତରା ରେ ରାତ୍ରୀର ଅବଶିଷ୍ଟ ପ୍ରହର ଗୁଡିକ କାଟିଦେବି।


      ରଜନୀ ତାର ଯୌବନାବସ୍ଥା ରୁ ବ୍ରୁଦ୍ଧାବସ୍ଥା ଆଡକୁ ବଢିଚାଲିଥାଏ,ଏକେତ ଶୀତରାତି ପୁଣି ଏକୁଟିଆ, ତାଛଡା ଆଲୋକର ସ୍ବଳ୍ପତା । ମଝିରେ ମଝିରେ ବୁଲା କୁକୁର କଂର ଭୁକିବା ଶଦ୍ଦ ପରିବେଶକୁ ଆହୁରି ଭୟକଂର କରୁଥାଏ।ନିସଗଂତା କୁ ସାଥି ଭାବରେ ଆବୋରି ନେଇ ମୁଁ ପ୍ରଭାତକୁ ଉଦ୍ ବିଘ୍ନ ଚିତ୍ତରେ ଅପେକ୍ଷା କରିବା ଛଡା ମୋ ପାଖରେ ଆଉ କୌଣସି ଉପାୟ ନଥିଲା।


       ଏହିପରି କିଛି ସମୟ କଟିଯିବା ପରେ ଦେଖିଲି ନିକଟରେ ଥିବା ଲାଇଟ ପୋଷ୍ଟ ତଳେ କେହିଜଣେ ମୋତେ ହାତ ଠାରି ଡାକୁଛି।ହଠାତ୍ ମୋର ମୁଣ୍ତ ଭିତରେ ଅଜସ୍ର ବିଜୁଳି ଭଳି ଅନେକ ଗୁଡାଏ ଚିନ୍ତାଧାରା ପ୍ରବାହିତ ହେବାକୁ ଲାଗିଲା। ତେଣୁ କୌଣସି ଉତ୍ତର ନଦେଇ ଚୁପ ଚାପ ବସିରହିଲି।କିନ୍ତୁ ଲୋକଟିର ଡାକ ବେଳକୁ ବେଳ ତିବ୍ର ହେବାକୁ ଲାଗିଲା।


   : ହୋ ବାବୁ,କିଏ ସେଠି ବସିଛ? 


   :କ'ଣ ମୋର ଡାକ ତୁମକୁ ଶୁଭୁନି ?


    : କିଏ ତୁମେ ? ଏଠାକୁ ଆସ !


  ଅନ୍ୟ ଉପାୟ ନ ପାଇ ଲୋକଟି ପାଖକୁ ଚାଲି ଚାଲି ଗଲି ଆଉ ପଚାରିଲି, 


   : ଆପଣ? 


   :ଏତେ ରାତିରେ, ପୁଣି ଏଭଳି ଢଗଂରେ ଡାକିବାର କାରଣ?


   : ମୁଁ ଏହି କଲୋନିରେ ରୁହେ, କିନ୍ତୁ ଆପଣକୁଂ ତ ଆଗରୁ ଏଠି ଦେଖିନି?


      ନିଜ ବିଷୟରେ ସବୁକଥା କହିଲି। ମୋର ଉତ୍ତର ଶୁଣି ଲୋକଟି କହିଲା ତୁମେ କ'ଣ ଜାଣିନ କାଲି ରାତିରେ ଏହି କଲୋନୀର ଜଣେ ମହିଳା ଏଠାରେ ରସିଲଗାଇ ଆତ୍ମହତ୍ୟା କରିଛି । ଭୟରେ ସଂଧ୍ୟା ପରେ କୌଣସି ଲୋକ ଏଆଡେ ଆସୁନାହାନ୍ତି। ତେଣୁ ତୁମକୁ ଦେଖି ମୋର ସନ୍ଦେହ ହେଲା,ହୁଏତ ତୁମେ ଏଠାରେ ନୂଆ କିମ୍ବା କୌଣସି ଅଶରୀରୀ।


     ମୁଁ ବିରକ୍ତି ପ୍ରକାଶ କଲି। ଆପଣ ନିଶ୍ଚୟ ମୋର ହିତାକାଂକ୍ଷୀ ନୁହନ୍ତି। କାରଣ ମୁଁ ପୂର୍ବ ରାତିର ଘଟଣା ବିଷୟ ରେ କିଛିବି ଜାଣି ନଥିଲି ତେଣୁ ସହଜରେ ଏଠାରେ ବିଶ୍ରାମ ନେଉଥିଲି, କିନ୍ତୁ ଆପଣ କଂ ଠାରୁ ଶୁଣିବାପରେ ଆଉ ଏଠି ରହିବା ଅସମ୍ଭବ। ଏବେ କଣ କରିବି କୁହନ୍ତୁ ? ଲୋକଟି କିଛି ସମୟ ନୀରବ ରହି କ'ଣ ଚିନ୍ତାକଲା ଏବଂ କହିଲା, ଠିକ୍ ଅଛି ମୋ ସହିତ ଆସନ୍ତୁ। ଅନ୍ୟଉପାୟ ନପାଇ ମୁଁ ଲୋକଟିକୁ ଅନୁସରଣ କଲି।


    ସେହି ଅପରିଚିତ ଲୋକଟି ଏବଂ ମୁଁ କିଛି ଅକାଂ ବକାଂ ରାସ୍ତା ପାର ହେବାପରେ ଆମେ ଗୋଟିଏ ଦୁଇମହଲା କୋଠା ପାଖରେ ପହନ୍ଚିଲୁ।ସେହି କୋଠାରେ ଆଠରୁ ଦଶଟି କ୍ବାଟର ଥିବାଭଳି ମନେହେଲା। ସିଡି ରେ ଉପର ମହଲା କୁ ଯାଇ ନିର୍ଦ୍ଧିଷ୍ଟ ଏକ ଦ୍ବାର ପାଖରେ ସେହି ବ୍ୟକ୍ତି ଜଣକଂ ଅଟକିଗଲେ। ଦୂରରେ ଥାଇ ଦେଖିଲି ତାକଂର ମୁଖମଣ୍ଡଳ ହତାଶରେ ପୂର୍ଣ୍ଣ ।


   :  କଣ ହେଲା?


   : ନା ଏଠି ମଧ୍ୟ ଡୋର୍ ରେ ତାଲା !


  ମୋର ମନେ ପଡିଲା ଆଜି ଶନିବାର ହାଫ୍ ଡେ, ଅଧିକାଂଶ ସରକାରୀ କର୍ମଚାରୀ ଶନିବାର ମଧ୍ୟାହ୍ନ ରେ ଅଫିସ ସାରି ନିଜ ଗାଁ କୁ ଚାଲିଯାଆନ୍ତି ଏବଂ ସୋମବାର ସକାଳେ ଆସି ପୁଣି ନିଜ କାର୍ଯ୍ୟରେ ଯୋଗ ଦିଅନ୍ତି।


    : ମୋର ଯେଉଁଠି ଆଶାଥିଲା ଆପଣକୁଂ ରାତ୍ରିଯାପନ ର ବ୍ୟବସ୍ଥା କରିବା ସେଠାରୁ ନିରାଶ ହେଲି ଏବେ ଶେଷ ଚେଷ୍ଟା କରିବା କାଳେ କିଛି ସୁଫଳ ମିଳିପାରେ ।



     କାହିଁକି କେଜାଣି ସେହି ନିର୍ଜନ ଶୀତ ରାତିରେ ଉକ୍ତ ଅପରିଚିତ ଭଦ୍ରବ୍ୟକ୍ତିକଂ ଉପରେ ମୋର ଗଭୀର ଆସ୍ଥା ଓ ବିଶ୍ବାସ ଆସିଯାଇଥିଲା ଯେ, ସେ ନିଶ୍ଚୟ ମୋତେ ସାହାଯ୍ଯ କରିପାରିବେ।ମୋ ଅଜାଣତରେ ତାକଂ ସହିତ କେମିତି ଗୋଟାଏ ସମ୍ପର୍କ ର ଡୋରିରେ ମୁଁ ବାନ୍ଧି ହେଇଯାଇଥିଲି ନିଜେ ମଧ୍ୟ ଜାଣିନଥିଲି। ତାକଂର କଥାଗୁଡିକୁ ଆଜ୍ଞାବହ ଭଳି ପାଳନ କରୁଥିଲି। କିନ୍ତୁ ଯେତେବେଳେ ସେ ସବୁଆଡୁ ନିରାଶ ହେବାର ଦେଖିଲି, ମୁଁ କହିଲି,


     : ଦେଖନ୍ତୁ ଆଜ୍ଞା,ମୋ ପାଇଁ ଏହି ଶୀତ ରାତିରେ ଅନେକ କଷ୍ଟ ସହିଲେଣି ! ମୁଁ ଆଉ ଆପଣ କୁଂ କଷ୍ଟଦେବାକୁ ଚାହେଁନା ।ବରଂ ଯାନ୍ତୁ, କେଉଁଠି ହେଲେ କେମିତି ରାତିଟା କାଟିଦେବି।


  କିନ୍ତୁ ସେ ମୋତେ ଛାଡିବାକୁ ନାରାଜ,କହିଲେ—


    : ନା.....ନା..... ଆପଣକୁଂ ଏଭଳି ପରିସ୍ଥିତି ରେ ଛାଡିଦେବା ବିଲକୁଲ ଠିକ୍ ହେବନି।ବରଂ ଚାଲନ୍ତୁ ଶେଷ ଚେଷ୍ଟା କରିବା । ହେଲେ ମୋ କଥା ଆପଣକୁଂ ମାନିବାକୁ ପଡିବ।


    : କୁହନ୍ତୁ ମୋତେ କଣ କରିବାକୁ ପଡିବ?


     : କିଛି ନାହିଁ , ଯଦି କେହି କିଛି ପଚାରେ ଆପଣ କେବଳ ହଁ କିମ୍ବା ନାଁ ରେ ଉତ୍ତର ଦେବେ।


     : ଠିକ୍ଅଛି ।


     ତାପରେ ଆମେ ଯାଇ ଗୋଟିଏ କ୍ବାଟର ପାଖରେ ପହନ୍ଚିଲୁ। ଭଦ୍ରବ୍ୟକ୍ତି ଜଣକ କବାଟରେ ନକ୍ କଲେ ,ଜଣେ ମଧ୍ୟ ବୟସ୍କା ମହିଳା କବାଟ ଖୋଲି ସନ୍ଦେହ ଦୃଷ୍ଟିରେ ଆମଆଡକୁ ଚାହିଁଲେ।


     : ଏ ହେଉଛନ୍ତି ଆମ ଅଫିସ ର ପରିଡା ବାବୁକଂ ସାନ ଭାଇ ରାଜେଶ। କିଛି କାମରେ ଭୂବନେଶ୍ବର ଆସିଥିଲେ , କାମସାରି ଭାଇକଂ ପାଖରେ ପହନ୍ଚିଲା ବେଳକୁ ସେ ଘରେ ଚାବି ପକାଇ ଗାଁ କୁ ପଳାଇଛନ୍ତି, ଏତେ ରାତିରେ କୁଆଡେ ଯିବେ ? ସେଥିପାଇଁ ମୁଁ ସାଗଂ ରେ ନେଇଆସିଛି। 


  କିନ୍ତୁ ସେହି ମହିଳା ଜଣକ ତାକଂ ଉତ୍ତରରେ ସନ୍ତୁଷ୍ଟ ହେବାଭଳି ଲାଗିଲାନି ।


    ଆମେ ମାନେ ଘରଭିତରକୁ ପ୍ରବେଶ କଲୁ, ପରିବେଶ ରୁ ଅନୁମାନ କଲି ବୋଧହୁଏ କୌଣସି ପୂଜା ର ଆୟୋଜନ ହୋଇଥିଲା। ମୋତେ ରାତ୍ରି ଭୋଜନ ପାଇଁ ଅନୁରୋଧ କଲେ, ଯେହେତୁ ମୁଁ ଆଗରୁ ଖାଇସାରିଥିଲି ତେଣୁ ମନାକଲି ଏବଂ ଶୋଇବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କଲି। ଗୋଟାଏ ବେଡ୍ ରେ ଆମ ଦୁଇଜଣକଂର ଶୋଇବାର ବ୍ୟବସ୍ଥା ହେଲା। ମୋ ମନରେ ଗୋଟାଏ ପ୍ରଶ୍ନ ଘାଣ୍ଟି ହେଉଥାଏ, ଯଦି ଭଦ୍ରବ୍ୟକ୍ତି ଜଣକ ମୋତେ ତାକଂ ନିଜ ଘରକୁ ଆଣିଲେ ତେବେ ତାକଂ ମିସେସ୍ କଂ ପାଖରେ ମିଛ କାହିଁକି କହିଲେ? 


     ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଦ୍ରବ୍ୟକ୍ତି କହିଲେ ଦେଖନ୍ତୁ ମୁଁ ଏବଂ ମୋର ମିସେସ୍ ଅତ୍ୟନ୍ତ ଧର୍ମପରାୟଣ। ସାଧୁ, ସନ୍ଥ, ଅତିଥି ମାନକୁଂ ଶ୍ରଧା ଏବଂ ଭକ୍ତି କରୁ ତଥା ସେମାନକୁଂ ଦେବତା ମାନ୍ୟକରୁ। ଆମ ଘରକୁ ବାହାର ର ଅନେକ ଲୋକ କଂର ଆଗରୁ ଯାତାୟାତ ଲାଗି ରହୁଥିଲା ଏବଂ ଏହାର ସୁଯୋଗ ନେଇ କିଛି ମନ୍ଦ ଉଦ୍ଦେଶ୍ୟ ଧାରୀ ଲୋକ ଅତୀତ ରେ ଆମର ଅନେକ କିଛି କ୍ଷତି କରିଛନ୍ତି।ସେଥିପାଇଁ ମୋ ମିସେସ୍ କୌଣସି ଅଜଣା ଲୋକକୁଂ ଆଉ ଘରେ ପୁରାଇ ଦେଉ ନାହାନ୍ତି। 

ତେଣୁ ସେଥିପାଇଁ ମୁଁ ମିଛ କହିଲି ଯାହାଦ୍ବାରା ତୁମେ ଏଠାରେ ରାତିଟି କାଟିପାରିବ। ତାକଂ ସହିତ ମୋର ଆତ୍ମୀୟତା ଜମି ସାରିଥିଲା ତେଣୁ ସେ "ଆପଣ" ରୁ ମୋତେ "ତୁମେ" ବୋଲି ସମ୍ବୋଧନ କରିବା ଆରମ୍ଭ କରିଦେଇଥିଲେ।


     କଥାବାର୍ତ୍ତା ଦ୍ବାରା ଜାଣିଲି ତାକଂ ନାଁ ଘନଶ୍ଯାମ ମିଶ୍ର। ଘର ବାଲେଶ୍ବର ର ସୋର। ସେ ରୁପାଲି ଛକ ରେ ଥିବା ଓଡିଶା ଇଲେକ୍ର୍ଟିକ ବୋର୍ଡ ଅଫିସ ରେ ଚାକିର କରନ୍ତି।ବୋର୍ଡ କଲୋନୀ ରେ ତାକୁଂ କ୍ବାଟର ମିଳିଛି।


    ରାତି ପାହି ସକାଳ ହେବାମାତ୍ରେ ମୁଁ ବାହାରି ପଡିଲି ଘରକୁ ଯିବାପାଇଁ କିନ୍ତୁ ମିଶ୍ରବାବୁ ଛାଡିବାକୁ ନାରାଜ।


     :  ନାଁ....... ନାଁ..... ଆପଣ ଏମିତି ଯାଇପାରିବେନି ।


   ପ୍ରଥମେ ନିଜର ନିତ୍ଯକର୍ମ ଶେଷ କରନ୍ତୁ ,ମିସେସ୍ ଜଳଖିଆ ପ୍ରସ୍ତୁତ କରିସାରିଲେଣି, ଆପଣ ଖାଇସାରିବା ପରେ ହିଁ ଯିବେ। ମୁଁ ଆପଣ କୁଂ ନିଜେ ନେଇ ବସ୍ ଷ୍ଟାଣ୍ତ ରେ ଛାଡିଦେବି । 


    କଥା ଭାଗିଂ ପାରିଲିନି ତେଣୁ ଆଜ୍ଞାବହ ଭଳି କଥାମାନି ଗାଧୁଆପାଧୁଆ ସାରି ଜଳଖିଆ ଖାଇ ମିଶ୍ର ବାବୁ କଂ ସହିତ ବାଣୀବିହାର ଆଡକୁ ଚାଲିଲି ଏବଂ ସେଠାରୁ ଗାଁ କୁ ଯାଉଥିବା ବସ୍ ରେ ବସି  ଫେରିଲି ।ଫେରିବା ବେଳେ ତାକଂର ଠିକଣା ଆଣିବାକୁ ଭୁଲିନଥିଲି।


     ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଭିତରେ ଚିଠିପତ୍ର ର ଆଦାନ ପ୍ରଦାନ ଚାଲିଲା। ମୁଁ ମଝିରେ ମଝିରେ ଯେତେବେଳ ଭୂବନେଶ୍ବର ଯାଏ ସେତେବେଳେ ତାକଂ ଘରଆଡେ ବୁଲିଯିବାକୁ କେବେବି ଭୁଲେନି।



    ଘଟଣା ଟି ଅନେକ ପୁରୁଣା, ସମୟର ସୁଅ ରେ ମିଶ୍ର ବାବୁ ଅନେକ ଦୂରରେ ଥିବା ଅଜଣା ରାଇଜ ଆଡକୁ ଭାସିଗଲେଣି ଯେଉଁଠାରୁ କେହି କେବେ ଫେରେନା। ମୁଁ ମଧ୍ୟ ସମୟର ଅପରାହ୍ନରେ ପହନ୍ଚି ସାରିଲିଣି, କିନ୍ତୁ ସେହି ନିଶଦ୍ଦ ଶୀତ ରାତି ମୋ ଜୀବନ ର ଏକ ଅଭୁଲା ସ୍ମୃତି ହୋଇ ଶେଷ ନିଶ୍ବାସ ନେବା ପର୍ଯ୍ୟନ୍ତ ମୋର ମାନସପଟରେ ଜୀବନ୍ତ ରହିଥିବ। ସେଦିନ ଆମ ଦୁଇଜଣ ଅପରିଚିତ କୁଂ ବାନ୍ଧି ଥିବା ସମ୍ପର୍କ ର ଡୋର କୁ କୌଣସି ବି ଶକ୍ତି ଛିନ୍ନ କରିପାରିବ ନାହିଁ। ଜୀବନର ଚଲାପଥ ଅନେକ ସମୟରେ କଂଣ୍ଟକିତ ହେବାବେଳେ ରଗଂ ବେରଗଂ ର କୋମଳ କୁସୁମ ରେ କୁସୁମିତ ହୋଇଛି। ସେମାନକଂ ମଧ୍ୟରୁ ମିଶ୍ରବାବୁ କଂ ଭଳି ଗୋଲାପ ର ସାନିଧ୍ୟ ସଦା ସ୍ମରଣୀୟ। 

    


    ଆଜି ମଧ୍ୟ ଜୀବନ ର ଲମ୍ବା ରାସ୍ତା କୁ ସମ୍ପର୍କ ର ଆଶାବାଡି ଦ୍ବାରା ପାର ହେବା ପାଇଁ ମୁଁ ଶତତ ଚେଷ୍ଟିତ ।


Rate this content
Log in

Similar oriya story from Thriller