Santosh Biswal

Horror

4.5  

Santosh Biswal

Horror

ଅଦୃଶ୍ୟ ପଥଚାରୀ

ଅଦୃଶ୍ୟ ପଥଚାରୀ

10 mins
349



   ଖରାଛୁଟି ଆଗକୁ ଥାଏ । ଏପଟେ ମୋର ଚାକିରି ଜୀବନ ତା ଅପରାହ୍ନ ରେ ଉପନୀତ। ରିଟାୟାର୍ଡ ହେବାକୁ ମାତ୍ର ଛଅ ମାସ ବାକିଥାଏ। କର୍ମମୟ ଜୀବନ ଜଞ୍ଜାଳରୁ ବାହାରି କୁଆଡେ ଟିକେ ବୁଲିଯିବାକୁ ଇଛା ଥିଲେବି ସେଭଳି ସୁଯୋଗ କେବେ ଆସିନି। ଏପଟେ ଅର୍ଥ ସେପଟେ ସମୟ ର ଅଭାବ ।ତେଣୁ ମନ କଥା ମନରେ ମରିଯାଏ।


    ଆଠ ବର୍ଷ ତଳେ ବଡ ଝିଅ ଇତି ବିଟେକ୍ କରି ବେଗାଂଲୁର ରେ ଗୋଟିଏ ଆଇଟି କମ୍ପାନୀରେ ଚାକିରି କରୁଥିବା ବେଳେ ତା ଅଫିସ୍ ର ଜଣେ ଅଫିସ୍ ମେଟକଂ ସହିତ ତାର ବାହାଘର ହୋଇସାରି ଥିଲା। ଝିଅ ,ଜ୍ବାଇଁ ଏବଂ ଗୋଟିଏ ବୋଲି ନାତୁଣୀ ବେଗାଂଲୁର ରହୁଥାନ୍ତି । କାର୍ଯ୍ୟ ବ୍ୟସ୍ତତା ଭିତରେ ସେମାନେ ତିନି ଚାରି ବର୍ଷ ହେଲା ଭୁବନେଶ୍ବର ବୁଲିବାକୁ ଆସିନାହାନ୍ତି । ସେମାନକୁଂ ଦେଖିବାକୁ ମନଟା ଅନେକ ସମୟ ରେ ଡହଳ ବିକଳ ହେଉଥାଏ। ତେଣୁ ଭାବିଲି ଯାହା ବି ହେଇଯାଉ ଏଥର ଛୁଟିରେ ଯେମିତି ହେଲେ ଝିଅ ପାଖକୁ ଯିବି।ଡ୍ରଇଁ ରୁମ ରୁ ଥାଇ ଡାକିଲି,


     ହଇହେ ଶୁଣୁଚ ....।


    କ'ଣ ହେଲା ? ରୋଷେଇ ଘରେ ଥାଇ ଇତି ର ମା ଉତ୍ତର ଦେଲେ।

 

     ମୁଁ ଭାବୁଛି ଏଇ ଖରା ଛୁଟିରେ ଆମେ ଚାଲ ଟିକେ ବେଗାଂଲୁର ଆଡେ ବୁଲିଯିବା । ବାହାରେ ବୁଲିବା ଆଉ ନାତୁଣୀକୁ ଦେଖିବା ଏକାବେଳେ ହେଇଯିବ। 


     ମୋ କଥା ଶୁଣି ସେ ବହୁତ ଖୁସି ହୋଇଗଲେ। କହିଲେ,ଠିକ୍ କହିଛ ଆଉ କୁଆଡେ କାହିଁକି ଯିବା ବରଂ ଏଥର ବେଗାଂଲୁର ଯିବା ଟା ଠିକ୍ ହେବ । ମୁଁ ଟିକେ ଆଶ୍ବସ୍ତ ହେଲି । 


      ବେଗାଂଲୁର ଯିବା ପାଇଁ ଟ୍ରେନରେ ଟିକେଟ କାଟିଲୁ। ନିର୍ଦ୍ଧିଷ୍ଟ ଦିନ ଆମର ଯାତ୍ରା ଆରମ୍ଭ ହେଲା।ସେଠାରେ ପହଞ୍ଚିବା ପରେ ଝିଅ ଜ୍ବାଇଂ ଆମକୁ ଦେଖି ବହୁତ ଖୁସିହେଲେ। ନାତୁଣୀ ତ ଆମର ପାଖ ଛାଡିବାକୁ ନାରାଜ। ଝିଅ ଜ୍ବାଇଁ ଅଫିସ୍ ଚାଲିଗଲା ପରେ ନାତୁଣୀ ସହିତ ଆମର ଗପ ର ଆସର ଜମିଯାଏ। ତାର ଫରମାଇସ ଗପ ଶୁଣିବା ପାଇଁ। ଏମିତି ଗୋଟେ ସଧ୍ୟାଂ ବେଳେ ବସିଥିବା ବେଳେ ନାତୁଣୀ କହିଲା,


  ଅଜା ତୁମେ ଭୁତ ରେ ବିଶ୍ବାସ କର?


   ପଚାରିଲି କାହିଁକି ?

   

   ଆମ ସ୍କୁଲ ରେ ଦିନେ ମିସ୍ ଗୋଟାଏ ଷ୍ଟୋରୀ

କହୁଥିଲେ। ଷ୍ଟୋରୀ ଟା ବହୁତ ଇଣ୍ଟେରେଷ୍ଟିଗଂ ଥିଲା। ଆଜି ସେମିତି ଗୋଟେ ଷ୍ଟୋରୀ ଶୁଣିବାକୁ ବହୁତ ଇଛା ହେଉଛି। ଅଜା ଗୋଟେ ଷ୍ଟୋରୀ କୁହନା.....! ଠିକ୍ ଏତିକି ବେଳେ ଝିଅ ଚା କପ୍ ଟା ହାତରେ ଧରେଇ ଦେଲା। ଚା କପ୍ ରେ ଓଠର ସ୍ପର୍ଷ ଦେଲି। ସେପଟେ ଝିଅ ଜ୍ବାଇଁ ମଧ୍ୟ ମୋର ଗପ ଶୁଣିବାକୁ ବଡ ଆଗ୍ରହ ରେ ଅପେକ୍ଷା କରିଥାନ୍ତି। ନାତୁଣୀର ଗପ ଶୁଣିବାର ବ୍ୟଗ୍ରତା,ଝିଅ ଜ୍ବାଇଁ କଂର ଆଗ୍ରହ ଦେଖି ମୋ ଜୀବନ ର ଏକ ନିଛକ ସତ୍ୟ ଘଟଣା କୁ ଗପ ଆକାରରେ କହିବାକୁ ଆରମ୍ଭ କଲି ।

    

  ଘଟଣା ଟି ଆଜିକୁ ପ୍ରାୟ ତିରିଶ ବର୍ଷ ତଳର ହେବ। ମୁଁ ସେତେବେଳେ ଭୁବନେଶ୍ବର ରେ ଥିବା ଓଡିଶା ଇରିଗେସନ ଡିପାର୍ଟମେଣ୍ଟ ର ହେଡ୍ ଅଫିସ୍ ରେ ନୂଆ ନୂଆ ଅଡିଟର ଭାବରେ ଯୋଗ ଦେଇଥାଏ। ଡିପାର୍ଟମେଣ୍ଟ ର ପ୍ରତ୍ୟେକ ଜିଲ୍ଲା ରେ  ଅନେକ ଗୁଡାଏ ଶାଖା ଅଫିସ୍ ଥିଲା ତେଣୁ ମୋତେ ପ୍ରାୟତଃ ମାସର ଅଧିଂକାଂଶ ଦିନ ଭୁବନେଶ୍ବର ବାହାରେ ଅଫିସ୍ ର ଅଡିଟ କାମରେ କାଟିବାକୁ ପଡୁଥାଏ। ଆଉ ବାକି ଦିନ ଗୁଡିକ ହେଡ୍ ଅଫିସ ରେ ରିପୋଟିଂ ଏବଂ ଉପରିସ୍ଥ ଅଫିସର କଂ ସହିତ ମିଟିଂ ରେ କଟିଯାଏ। ମୋଟାମୋଟି କହିବାକୁ ଗଲେ ମୁଁ ମୋର କର୍ମକ୍ଷେତ୍ର ରେ ସମ୍ପୁର୍ଣ୍ଣ ବିଜି ରହୁଥାଏ । ଗାଁ କୁ କେବେ କେମିତି ଯିବାପାଇଁ ଇଛା ଥିଲେବି ସମୟ ଅଭାବରୁ ଯାଇପାରେନି।


    ଯାହା ହେଉ ବହୁଦିନ ପରେ ଗାଁ କୁ ଯିବାକୁ ସୁବର୍ଣ୍ଣ ସୁଯୋଗ ଟିଏ ମିଳିଗଲା। କାରଣ ଆଗକୁ ଦୋଳପୂର୍ଣ୍ଣିମା ଓ ହୋଲି। ଆସନ୍ତା ସପ୍ତାହ ରେ କମ୍ପାନୀ ର ଶନିବାର,ରବିବାର ଓ ସୋମବାର ତିନିଦିନ ଛୁଟି। ସ୍ଥିର କଲି ଏଥର ନିଶ୍ଚୟ ଗାଁ କୁ ଯିବି।


   ଗାଁ କୁ ଯିବାର ଉତ୍କଣ୍ଠା ରେ ପରବର୍ତ୍ତୀ ସାତ ଦିନ ସାତ ଘଣ୍ଟା ଭଳି କଟିଗଲା । ଶୁକ୍ରବାର ଦିନ ଟିକେ ଜଲ୍ଦି ଅଫିସ ସାରି ରୁମ କୁ ଫେରି ଏୟାର ବ୍ୟାଗ ରେ ନିଜ ପ୍ୟାଣ୍ଟ ସାର୍ଟ ଭର୍ତ୍ତି କଲି। 

ମୋତେ ଟିକେ ଶିଘ୍ର ବାହାରି ବାକୁ ପଡିବ କାରଣ ଅତିକମ୍ ରେ ଶହେ ମାଇଲ୍ ବାଟ ବାଇକ୍ ଚଳାଇବାକୁ ହେବ। ପହନ୍ଚୁ ପହନ୍ଚୁ ରାତି ଅନେକ ହେଇପାରେ। ଯଥା ଶିଘ୍ର ପ୍ୟାକିଂ ସାରି ବାଇକ୍ ରେ ଷ୍ଟାଟ ଦେଲି।


     କେଂଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ୍ ଅଫିସ ଠାରୁ ଆମ ଗାଁ ପ୍ରାୟ କୋଡିଏ ମାଇଲ୍ ଦୂର ରେ। ନିପଟ ମଫସଲର ନଈକୂଳିଆ ଗାଁ। କୁମ୍ଭୀର ଖାଇ ନଈ ଟି ଗାଁ କୁ ଲାଗି ବହିଯାଇଛି। ନାଁ ଟା ସିନା କୁମ୍ଭୀର ଖାଇ ହେଲେ କୁମ୍ଭୀର ର ଚିହ୍ନ ବର୍ଣ୍ଣ ନ ଥାଏ। ଗାଁ ମୁଣ୍ତରେ ଶିବ ମନ୍ଦିର ତା ପାଖକୁ ଲାଗି କୋଠ ପୋଖରୀ। ପୋଖରୀ ଧାରଦେଇ ସର୍ପିଳ ଗତିରେ ମୋରମ ରାସ୍ତା ଟିଏ ଗାଁ ଭିତର ଦେଇ ଆରପଟକୁ ଲମ୍ବିଯାଇଛି।


   ଗାଁ ର ଶେଷ ମୁଣ୍ତ ରେ ଆମ ଘର। ତା ପରେ ନଈପଠା ର ଅନାବାଦି ଯାଗା ଓ ଶେଷ କୁ ଛୋଟ ବଜାର ଟିଏ। ବଜାର କହିବା ଭୁଲ ହେବ କାରଣ ଚାରି ଛଅଟା ଦୋକାନ କୁ ଛାଡି ଦେଲେ ଆଉ କିଛି ନାହିଁ । ଦୁଇଟି ତେଜରାତି ଦୋକାନ, ଦୁଇଟା ଚା ଦୋକାନ,ଗୋଟେ ପାନ ଦୋକାନ। ବାସ୍ ଏତିକି, ତେଣୁ ତାହାକୁ ଗାଁ ଛକ କହିବା ବୋଧହୁଏ ଠିକ୍ ହେବ। 


      ଭୁବନେଶ୍ବର ଛାଡୁ ଛାଡୁ ସଂଧ୍ୟା ଛଅଟା ହେଇଗଲା। ବାଟରେ କଟକର ଓ.ଏମ୍.ପି ଛକ ପାଶ୍ କଲାବେଳେ ଜଣେ ଲୋକ ଲିଫ୍ଟି ମାଗିଲେ।


   : ପଚାରିଲି କୁଆଡେ ଯିବେ ? 


   : ଲୋକଟି କହିଲା ଆଜ୍ଞା ମୁଁ ରାଜନଗର ଯିବି। 

      : ଆପଣ ? 


     : ମୁଁ ଆଉଟିକେ ଆଗକୁ ଯିବି ଯଦୁପୁର।


     ମୋ କଥା ଶୁଣି ଲୋକଟି ଖୁସି ହେଇଗଲା। ମୁଁ ବି ଭାବିଲି ରାତିରେ ଏକୁଟିଆ ଯିବା ଅପେକ୍ଷା ସାଗଂ ରେ ଜଣେ ଲୋକ ରହିଲେ ବହୁତ ଭଲ । ନିସଗଂତା ରୁ ତ ମୁକ୍ତି ମିଳିଯିବ, ଯାହା କି ମୋ ପାଇଁ ସବୁଠାରୁ କଷ୍ଟଦାୟକ ଥିଲା। ତା ଛଡା କଥାବାର୍ତ୍ତା ଭିତରେ ସମୟ ଟା ବି କଟିଯିବ,କହିଲି ଉଠିପଡନ୍ତୁ ଆଉ ଡେରି କରନ୍ତୁନି। 


   ମାର୍ଚ୍ଚ ମାସ ପୁଣି ଖରାଦିନ। ଦକ୍ଷିଣା ପବନ କୁ ବାଇକ୍ ରେ ଜର୍ଣ୍ଣିଂ, ମୋପାଇଁ ଆରାମ ଦାୟକ ଥିଲା । କଥାବାର୍ତ୍ତା ଭିତରେ ଚାରି ଘଣ୍ଟା କଟିଗଲା, ଆମେ କେତେବେଳେ ରାଜନଗର ରେ ପହନ୍ଚି ସାରିଥିଲୁ ମୁଁ ଜାଣି ପାରିଲିନି। ମୋ ସହିତ ଥିବା ଭଦ୍ରବ୍ୟକ୍ତି କୁଂ ଡ୍ରପ କରି ମୋ ଗାଁ ଆଡକୁ ଆଗେଇଲି ।


      ଗାଁ କୁ ଯିବି ବୋଲି ଆଗରୁ ବୋଉକୁ ଫୋନ ରେ କହିଦେଇଥିଲି । ଚାତକ ପକ୍ଷୀ ଭଳି ସେ ମୋ ବାଟକୁ ଅପେକ୍ଷା କରିଥିଲା, ମୁଁ କେତେବେଳେ ଫେରିବି। 


    ଘରେ ପହନ୍ଚି ବାଇକ୍ ଟାକୁ ଭିତରକୁ ଉଠେଇ ଦେଇ ମୋର ପୋଷାକ ବଦଳେଇ ନେଲି। ଖରାଦିନ, ସକାଳୁ ପ୍ୟାଣ୍ଟ ସାର୍ଟ ପିନ୍ଧା ହୋଇଛି, ଦେହରୁ କେମିତି ଗୋଟାଏ ଦୁର୍ଗନ୍ଧ ବାହାରୁ ଥାଏ। ଭାବିଲି ଯାଉଛି ନଈ କୂଳ କୁ ଯିବି ସେଠି ଗାଧୁଆ ପାଧୁଆ ସାରି ଆସିଲେ ଟିକେ ଫ୍ରେସ ଲାଗିବ। ସେଦିନର ଖାଇବା ପିଇବା ବି ଠିକ ଠାକ୍ ନ ଥିଲା ତେଣୁ ପେଟ ଟା ମଧ୍ୟ ଗୁଡୁ ଗୁଡୁ କରିବା ଆରମ୍ଭ କରିଦେଇ ଥିଲା। ବୋଉକୁ କହିଲି,


   :  ବୋଉ ମୁଁ ନଈକୂଳ ଆଡେ ଟିକେ ଯାଉଛି ।


   :  କାହିଁକି ?


   : ନଈ କୂଳ ରେ ଝାଡା ଯାଇ ଟିକେ ଗାଧୁଆ ପାଧୁଆ କରି କି ଆସିବି।


   : ଏତେରାତି ରେ ନଈ କି କାହିଁକି ଯିବୁ? ଘର ବାଥରୁମ୍ ରେ ଗାଧୋଉନୁ।


    : ନାଇଁ ଭଲ ଲାଗିବନି ,ମୁଁ ଯାଉଛି ।


    : ହଉ ଯିବୁ ଯଦି ଯା, ହେଲେ ସାଗଂ ରେ ଟର୍ଚ୍ଚ ଟା ନେଇଯା। ଅନ୍ଧାର ରାତି ପୁଣି ନଈକୂଳ ,କାଳେ ଲମ୍ବ ଜନ୍ତୁ ଥିବେ ତେଣୁ ଦେଖିକି ଝାଡା ବସିବୁ।


     ଖୋଜି ଖୋଜି ବୋଉ ଗୋଟେ ଟର୍ଚ୍ଚ ଆଣି ଦେଲା କିନ୍ତୁ ଦେଖିବା ବେଳକୁ ଟର୍ଚ ର ବ୍ୟାଟେରୀ କମି ଯାଇଛି। ସୁଇଚ୍ ଦେଲେ ମିଞି ମିଞି ଜଳୁଥାଏ । ଏକଥା ଦେଖି ବୋଉ କହିଲା ଛାଡ ସେ ଟର୍ଚ୍ଚ ଟା ହେବନି ବରଂ ମୁଁ ଲଣ୍ଠନ ଟା ଲଗେଇ ଦଉଛି ନେଇଯା। ବୋଉର ଜିଦ୍ ଆଗରେ ହାର ମାନିଲି। ଲଣ୍ଠନ ଟା ହାତରେ ଧରି ନଇକୂଳ ଆଡେ ଚାଲିଲି। ଆଗକୁ ପୂର୍ଣ୍ଣିମା, ଜହ୍ନ ଘଡି ମାରି ଆସୁଥାଏ। କିନ୍ତୁ ସେ ପର୍ଯ୍ୟନ୍ତ ଜହ୍ନ ଆସିନଥିଲା । ଚାରିଆଡ ଅନ୍ଧାର ଥାଏ। ମୁଁ ଆଉ ଆଗକୁ ବେଶି ବାଟ ନଯାଇ ଚଲାବାଟରେ ଲଣ୍ଠନ ଟାକୁ ଥୋଇଦେଇ ବତୀକୁ ଟିକେ କମେଇ ଦେଲି ଆଉ ଟିକିଏ ଭିତରକୁ ଯାଇ ବସିପଡିଲି। ଝାଡା ବସିବା ମୋର ଟିକେ ଡେରି ହୁଏ ତେଣୁ ବସିବା ବେଳେ ମୁଁ ଅନ୍ୟ ମନସ୍କ ଭାବେ ଏଣେ ତେଣେ ଚାହୁଁ ଥାଏ।


      ଗାଁ ର ଶେଷ ଘର ଟି ଆମର । ତାପରେ ଆମ ର ଖଳାବାଡି ,ସେଇଠୁ ଆରମ୍ଭ ନଈପଠା। ପଠା ଟା ପୁରାପୁରି ନିରୋଳା । ମୋତେ ଏକୁଟିଆ ଛାଡିବାକୁ ବୋଉ ର ମନ ମାନିଲାନି। ଯେତେହେଲେ ମା ମନ। ମୋତେ ଅପେକ୍ଷା କରି ଦାଣ୍ଡ ପିଣ୍ଢା ରେ ଆସି ବସିଲା । ଦାଣ୍ଡ ଇଲେଟ୍ର ଖୁଣ୍ଟ ରେ ଛୋଟ ବଲବ୍ ଟିଏ ଜଳୁଥାଏ ଯାହାର ଝାପ୍ସା ଆଲୁଅ କିଛିବାଟ ପର୍ଯ୍ୟନ୍ତ ପଡୁଥାଏ। ଅମଳ ସମୟ ଚାଲିଥିବାରୁ ଖଳା ରେ ନଡା ରଖିବାକୁ ଯାଗା ନଥାଏ ସେଥିପାଇଁ ଖଳା ଆଗରେ ରାସ୍ତା ଧାରରେ ଅଗମଳା ଗୁଡିକ ଗଦା ଦିଆଯାଇଥାଏ। ସେହି ଯାଗାର ରାସ୍ତା ଟା ପୁରା ଅନ୍ଧାରିଆ ଥାଏ।


       ବସିଥିବା ଯାଗା ରୁ ଆମ ଦାଣ୍ତ ଆଉ ଖଳାବାରି ପାଖ ରାସ୍ତା ଟିକେ ଝାପ୍ସା ଦେଖାଯାଉଥିଲା। ହଠାତ୍ ଦେଖିଲି ଆମ ଦାଣ୍ତ ଆଡୁ କେହି ଜଣେ ରାସ୍ତା ରେ ଚାଲି ଚାଲି ଆସୁଛି। ଭଲଭାବରେ ଚାହିଁଲି,ବୋଧହୁଏ ରଘୁଆ ଅଜା ହେବେ। ତାକଂରି ଭଳି ଦେଖାଯାଉଛି।


       ରଘୁଆ ଅଜା କୁ ଗାଁ ର ଛୋଟ ରୁ ବଡ ପର୍ଯ୍ୟନ୍ତ ସମସ୍ତେ ଅଜା ବୋଲି ଡାକନ୍ତି । ମୁଁ ବି ଡାକେ । ଛକରେ ତାକଂର ଗୋଟେ ତେଜରାତି ଦୋକାନ ଅଛି।ଯେହେତୁ ଛକଟା ନିଛାଟିଆ ଜାଗାରେ କାଳେ ଚୋର ଲାଗିବେ ତେଣୁ ସେ ସବୁ ଦିନ ଖାଇସାରି ରାତି ରେ ଦୋକାନ କୁ ଶୋଇବାକୁ ଯାଆନ୍ତି। କିନ୍ତୁ ମୋର ସନ୍ଦେହ ଠିକ୍ ସେତିକି ବେଳେ ଆରମ୍ଭ ହେଲା ଯେତେବେଳେ ଦେଖିଲି ଦାଣ୍ତ ଆଡୁ ଆସୁଥିବା ଲୋକଟି ଖଳାବାରୀ ଆଗରେ ଥିବା ନଡା ଗଦା ପାର ହେଇ ଆଉ ଆଗକୁ ଆସିଲାନି। ଦଶ ମିନିଟ ଅପେକ୍ଷା କଲି, ନା କେହି ଆଗକୁ ଆସିଲେନି। ମନେ ମନେ ଭାବିଲି ଗୋଟେ ନଡା ଗଦା ପାରିହେବାକୁ କଣ ଦଶ ମିନିଟ ଲାଗିବ? ମନରେ ସନ୍ଦେହ ଘନୀଭୁତ ହେବାକୁ ଲାଗିଲା,


   :ସେ କଣ ରଘୁଆ ଅଜା ନୁହେଁ? 


   : ସେ କଣ ଆଉକେହି?


        ଆମ ସାହି ଭିତର ର ବ୍ରଜ ଭାଇ।

ଗାଈ ଗୋରୁ ପୁଳାଏ ହେଲେ ଜମିବାଡି ସେମିତି ନାହିଁ। ସେମାନକଂ ପାଇଁ ସବୁବେଳେ ନଡାର ଅଭାବ। ଆମର ଗୋରୁଗାଈ କହିଲେ ମାତ୍ର ଗାଈ ଟିଏ, ଏପଟେ ଗୁଡାଏ ଚାଷ ,ତେଣୁ ବିକ୍ରିପାଇଁ ନଡା ସବୁ ଖଳାବାରି ଓ ରାସ୍ତା ଧାରରେ ଗଦାମରା ଯାଇ ରଖାଯାଇଥାଏ।ବୋଉ ମୋତେ ଆଗରୁ ଫୋନ୍ ରେ କହୁଥିଲା ଯେ ଆମ ବାରି ରୁ ବ୍ରଜ ଭାଇ ସବୁଦିନ ରାତିରେ ନଡା ଲୁଚେଇ ତାର ଗାଈମାନକଂ ପାଇଁ ନଉଛି।ଏ କଥା ସାହିର ଲକ୍ଷ୍ମୀ ଖୁଡି ଦେଖିଛି। ଏହାକୁ ନେଇ ରୀତିମତ ଗୋଟେ ଝଗଡା ତାକଂ ଭିତରେ ହୋଇଯାଇଛି। ବ୍ରଜ ଭାଇ ମାନିବାକୁ ନାରାଜ। ଓଲଟା ତାର ଅଭିଯୋଗ ଯେ ବୋଉ ତା ନାଁ ରେ ମିଛ କହୁଛି। ଯୋଉଦିନ ତାକୁ ହାତରେ ଧରିବ ସେଦିନ କହିବ ବୋଲି ତାର ଅଭିଯୋଗ। ବୋଉ ବି ସେ ସୁଯୋଗକୁ ଅପେକ୍ଷା କରିଥାଏ। ମୋର ଏକଥା ମନେପଡିଗଲା। ତାହେଲେ ସେ ରଘୁଆ ଅଜା ନୁହେଁ ବରଂ ବ୍ରଜ ଭାଇ। ନଡା ନେବାପାଇଁ ଆମ ବାରିକୁ ଯାଇଛି।ସେଇଥି ପାଇଁ ନଡାଗଦା ଆଗକୁ ଆଉ ଆସିଲେନି। ଭାବିଲି ଆଜି ସୁଯୋଗ ମିଳିଛି ବ୍ରଜ ଭାଇକୁ ବୋଉ ପାଖରେ ଧରେଇ ଦେଇ ଏତେ ଦିନରୁ ବୋଉ ମନରେ ଥିବା ରାଗ ଆଜି ଶୁଝେଇଦେବି ଆଉ ସେ ନିଶ୍ଚୟ ଖୁସି ହେବ।

  ଆଉ ଝାଡା ବସିବି କଣ ? ଲଣ୍ଠନଟାକୁ ଟିକେ ତେଜି ଦେଇ ଖଳାବାରୀ ଆଡକୁ ଧାଇଁଲି। ନଡା ଗଦାଚାରିପଟ, ଖଳାବାରି ର ଏପଟ ସେପଟ ସବୁଆଡେ ଖୋଜିଲି ହେଲେ କୋଉଠି ବ୍ରଜ ଭାଇ କିମ୍ବା ଆଉ କାହାର ବି ଚିହ୍ନ ବର୍ଣ୍ଣ ପାଇଲିନି।

     ବୋଉ ଦାଣ୍ଡ ରେ ବସିଛି ବୋଧେ ସେଇଥି ପାଇଁ ସେ ବାରି ର ପଛ ପଟେ ଲୁଚିଥିବ,ଏ କଥା ଭାବି ତାକୁଂ ଖୋଜିବା ପାଇଁ ଗୁଡାଏ ବାଉଁଶ ବୁଦା ଥିବା ଜଗଂଲିଆ ସ୍ଥାନ ଆଡକୁ ମାଡିଗଲି।ହଠାତ୍ ଦଲକାଏ ଅଦିନିଆ ଶୀତୁଆ ପବନ ମୋ ଦେହରେ ବାଜିଲା। ସାଏଁ କରି କିଛି ଗୋଟାଏ ମୋ ସାମ୍ନା ରେ ଧାଇଁଗଲା ପରି ଅନୁଭବ କଲି। ଦେଖିଲି ଗୋଟାଏ ଛାୟାମୂର୍ତ୍ତୀ ବାଉଁଶ ବୁଦା ଭିତରକୁ ଯାଇ କେଉଁ ଆଡେ ଅଦ୍ରୁଶ୍ୟ ହୋଇଗଲା।


   ଝଣ୍ ....ଝଣ୍ .....ଝଣ୍କ୍


     ସେହି ବୁଦା ଉପରେ ଯେମିତି ଗୋଟାଏ ଶଗଡ ରେ ଶଗଡେ ମୂଷାମାଟି କିଏ ଅଜାଡି ଦେଲା ଆଉ ବାଉଁଶ ବୁଦାଟା ମୋ ଉପରେ ଭାଗିଂ ପଡିଲା ଭଳି ଲାଗିଲା। ଭୟରେ ମୋ ଦେହ ଝାଳରେ ଓଦା ହୋଇଗଲା। ଲୋମ ଗୁଡିକ ଟାକୁଂରି ଉଠିଲା । ଏପଟେ ସେପଟେ ଚାହିଁଲି ହେଲେ ସାହାଯ୍ୟ କରିବାକୁ କେହି ନଥିଲେ। ଡାକିବାକୁ ଚେଷ୍ଟା କଲି ହେଲେ ପାଟିରୁ କୌଣସି ଶବ୍ଦ ବାହାରିଲାନି । ଧିରେ ଧିରେ ମୋର ଚେତନା ଶକ୍ତି ଲୋପ ପାଇବାକୁ ଆରମ୍ଭ କଲା ଭଳି ଲାଗିଲା । ଠିକ୍ ଏତିକି ବେଳେ ମୋ କାନ୍ଧରେ କାହାର ହାତର କୋମଳ ସ୍ପର୍ଶ ଅନୁଭବ କଲି ଦେଖିଲି ବୋଉ ଛିଡା ହୋଇଛି।


   ମୋର ନଈ କୂଳରୁ ଲଣ୍ଠନ ଧରି ଫେରିବା ଟା ବୋଉ ଦେଖିଛି। କିନ୍ତୁ ମୁଁ ଘରକୁ ନଯାଇ ଖଳାବାରି କୁ ଯିବା ଦେଖି ତା ମନରେ ସନ୍ଦେହ ହେଲା । ପୁଅ ବାରିଆଡେ କାହିଁକି ଗଲା? ତେଣୁ ମୋତେ ଫଲୋ କରି ସେ ବାରିକୁ ଆସିଛି। ସେ ଅବସ୍ଥା ରେ ମୋତେ ଦେଖି ଏକ ପ୍ରକାର ଟାଣି ଟାଣି ବାଡିରୁ ଘରକୁ ନେଇ ଆସିଲା।

  

   : କିରେ ତୁ ନଇରୁ ଘରକୁ ନଆସି ବାରିଆଡେ କାହିଁକି ଯାଇଥିଲୁ ?

   ମୁଁ ଯାହା ଯାହା ଦେଖିଥିଲି ସେ ସବୁ ବୋଉ କୁ କହିଲି। ସବୁ ଶୁଣି କହିଲା ତୁ ଏସବୁ କଥାରେ କାହିଁକି ମୁଣ୍ତ ପୁରଉଛୁ? ଯା ବାଥ୍ ରୁମ୍ ରେ ଧୁଆ ଧୋଇ ହେଇ ଆସ ମୁଁ ଖାଇବା ବାଢୁଛି। ବୋଉ କଥାମାନି ଗୋଡ ହାତ ଧୋଇ ହୋଇ ଆସି ଖାଇବା ପାଇଁ ବସିଲି। ଚୁପ ଚାପ୍ ଖାଇ ସାରି ଶୋଇବା ପାଇଁ ମୋ ରୁମ୍ କୁ ଗଲି ।

   ପରଦିନ, ସକାଳ ହେଲା। ମୁଁ କିନ୍ତୁ ପୂର୍ବ ରାତିର ଘଟଣା କୁ ଆଦୌଂ ଭୁଲିପାରୁ ନଥାଏ । ବାରମ୍ବାର ସେହି କଥାସବୁ ମୋର ମନେପଡୁଥାଏ। ପ୍ରକ୍ରୁତ ଘଟଣା କଣ ହୋଇପାରେ ଜାଣିବା ପାଇଁ ରଘୁଆ ଅଜା ଦୋକାନ ଆଡେ ଚାଲିଲି।


     : ଅଜା ନମସ୍କାର....!


     : ନମସ୍କାର। କିଏ ନାତି କିରେ ? କୋଉଦିନ ଆସିଲୁ ?


     : କାଲି ରାତିରେ।


   :  ଆଉ ସବୁ ଭଲଟି ନାତି ?


    :  ହଁ ଭଲଅଛି ।


   :  ଅଜା ଗୋଟେ କଥା ପଚାରିବି ସତ କହିବ ?


    : ହଁ ପଚାରୁନୁ ପଚାର ।


    : ଅଜା ତମେ କାଲିରେ ଦୋକାନ କୁ ଶୋଇବାକୁ ଆସିଥିଲ ? 


     : ନାଇଁ ରେ ନାତି କାଲି ସଂଧ୍ୟା ପରେ ଦିହଟା କାହିଁକି ଜର ଜର ଲାଗିଲା । ବେଳବୁଡ ଠୁଁ ଶୋଇଛି ତ ଶୋଇଛି । ରାତିରେ ଖାଇବାକୁ ବି ଉଠିନି । ସବୁଦିନ ଶୋଇବାକୁ ଯାଏ,ଗୋଟେଦିନ ନଗଲେ କିଏ ଜାଣୁଚି ? ସେଥିପାଇଁ ଶୋଇବାକୁ ଆସି ନଥିଲି । ଆଜି ସକାଳେ ଟିକେ ବାଗ ଲାଗିବାରୁ ଦୋକାନ ଖୋଲିଛି ।


   :  କଥା କଣ ? ଏ କଥା କାହିଁକି ପଚାରୁଛୁ ?


    : ନାଇଁ କିଛି ନାଇଁ, ଏମିତି ପଚାରି ଦେଲି ।


    ନରିଆ ଅଜା କୁ ସବୁ କଥା ଜଣେଇବାକୁ ମୁଁ ଉଚିତ୍ ମଣିଲିନି । ସେଠାରୁ ଘରକୁ ଫେରିଆସିଲି । ମୋ ମନକୁ ସେହି ଗୋଟାଏ ପ୍ରଶ୍ନ କିନ୍ତୁ ବାରମ୍ବାର ଆନ୍ଦୋଳିତ କରୁଥାଏ । ରାତିରେ ଦେଖିବା ଲୋକଟି କିଏ ?


      ବୋଉ ରୋଷେଇ ଘରେ ରନ୍ଧାବଢା ରେ ଲାଗିଥାଏ । ତା ପାଖରେ ଛିଡା ହେଲି । 


    : କଣ ହେଲା ? କଣ କିଛି କହିବୁ ?


    : ହଁ ବୋଉ । କାଲି ରାତିରେ ତୁ ଦାଣ୍ଡରେ ବସିଥିବା ବେଳେ ସତରେ ସେପଟେ କାହାକୁ ଯିବାର ଦେଖିନୁ ?


    : ଛାଡ୍ ଗଲା କଥା ଗଲାଣି କାହିଁକି ସେଗୁଡାକ ମୁଣ୍ଡରେ ପୁରଉଛୁ ।


    : ନା ବୋଉ ଯଦି କିଛି ଜାଣିଛୁ ତାହେଲେ ସତ କହ। ତୋତେ ମୋ ରାଣ ।


   :  ବୋଉର ଆଉ ଉପାୟ ନଥିଲା , ତେଣୁ କହିବାକୁ ଆରମ୍ଭ କଲା।


   ଶୁଣ୍ , ତୁ କାଲି ରାତିରେ ଯାହାକୁ ଦେଖିଛୁ ସେ କୌଣସି ମଣିଷ ନୁହେଁ । ସେ ଗୋଟାଏ ଆତ୍ମା । କାଲି ତୁ ତାକୁ ଏକା ଦେଖିନୁ ବରଂ ଚାରିଦିନ ତଳେ ଆମ ସାହିର ନୀଳା ମାମୁଁ ଆଉ ତା ଟ୍ରାକ୍ଟର ଡ୍ରାଇଭର ତିନା ସେମାନେ ବି ଦେଖିଛନ୍ତି। କିଏ ଜଣେ ତାକଂରି ଆଖିଆଗରେ ଛକ ଉପରେ ଥିବା ବରଗଛ ମୂଳରେ କୁଆଡେ ଉଭାନ୍ ହେଇଗଲା ।


     ମୋ ମନର ଉତ୍କଣ୍ଠା ଆହୁରି ବଢିଗଲା। ଯଦିଓ ଭୁତ ପ୍ରେତ କୁ ମୁଁ ଆଦୌଂ ବିଶ୍ବାସ କରେନା କିନ୍ତୁ ଗତ ରାତିର ଘଟଣା ପରେ ମୋ ମନରେ ସମ୍ପୁର୍ଣ୍ଣ ପରିବର୍ତ୍ତନ ଆଣି ସାରିଥିଲା। ତେଣୁ ବୋଉକୁ କହିଲି, ବୋଉ ନିଳା ମାମୁଁ ସହିତ କଣ ଘଟିଥିଲା ମୋତେ ଗୋଟି ଗୋଟି କରି କହ। 


    ବୋଉ ଆରମ୍ଭକଲା।


   ଚାରି ପାନ୍ଚ ଦିନ ତଳେ ନିଳାମାମୁଁ ଆଉ ତା ଟ୍ରାକ୍ଟର ଡ୍ରାଇଭର ତିନା ଗାଡି ନେଇ ବିଲକୁ ହଳ କରିବା ପାଇଁ ଯାଇଥିଲେ। କାମ ସାରି ଫେରୁ ଫେରୁ ରାତି ଗୋଟାଏ ପାଖାପାଖି ହେଇଗଲା । ଗାଡି ଟାକୁ ଦାଣ୍ଡରେ ରଖି ଟିକେ ଝାଳ ମାରୁଥିଲେ। ନିଳାମାମୁଁ ପକେଟ ରେ ହାତ ମାରିଲେ ବିଡି ଖଣ୍ଡେ ପାଇଁ । ବିଡି ଟାଣିବା ତାକଂର ଗୋଟେ ପୁରୁଣା ଅଭ୍ୟାସ। ବିଡି ଖଣ୍ଡେ ନାଟାଣିବା ପର୍ଯ୍ୟନ୍ତ ତାକଂର କୋଉଠି ମନ ଲାଗେନି। ପକେଟ ଖାଲି ।ଚିନ୍ତାକଲେ ଏତେରାତିରେ ବିଡି ମିଳିବ କୋଉଠି? ମନେପଡିଗଲା ରଘୁଆ ଅଜା କଥା ଏବେ ଦୋକାନ ରେ ଶୋଇଥିବ । ଡାକିଲେ ବିଡି କଠାଏ ମିଳିଯିବ। ତିନା କୁ ଡାକିଲେ,ଚାଲ ଟିକେ ରଘୁଆ ଅଜା ଦୋକାନ କୁ ଯିବା। ଦୁହେଁ ଉଠି ଚାଲି ଚାଲି ଛକ ଆଡକୁ ଗଲେ। ରଘୁଆ ଅଜା କୁ ଡାକି ତାଠାରୁ ବିଡି କଠାଏ କିଣି ଲେ । ସେଥିରୁ ଦିଟା କାଢି ନିଆଁ ଧରେଇ ଟାଣି ଟାଣି ଘର ଆଡକୁ ଫେରିବାକୁ ଆରମ୍ଭ କଲେ। କିଛି ଦୂର ଆସିବା ପରେ ନଈକୂଳିଆ ଥଣ୍ଡା ପବନରେ ବସି ଟିକେ ଥକ୍କା ମାରିବା ପାଇଁ ଇଛା ହେଲା । ତେଣୁ ଦୁହେଁ ରାସ୍ତା ଉପରେ ବସିପଡିଲେ। ନିଳାମାମୁଁ ବିଡି ଟାଣୁ ଥାନ୍ତି ଆଉ ତିନା ଆମ ଘର ଆଡେ ଚାହିଁଥାଏ। ଏତିକି ବେଳେ ଦେଖିଲା ଆମ ଘର ଆଡୁ ରାସ୍ତା ରେ କେହିଜଣେ ଚାଲି ଚାଲି ଛକ ଆଡକୁ ଆସୁଛି। ସେ ଚାହିଁ ଥାଏ କିନ୍ତୁ ଆମର ସେହି ନଡା ଗଦା ପାର ହୋଇ ଲୋକଟି ଆଉ ଆଗକୁ ଗଲା ନାହିଁ। ସେହିଠାରେ ଛିଡା ହେଲା ହେଲା । ତିନା ନିଳାମାମୁଁ କୁଂ ଡାକି ସେ କଥା ଦେଖେଇ ଦେଲା । ନିଳାମାମୁଁ ଜୋର ରେ ଡାକିଲେ କିଏ , କିଏ ସେଠି ? କୌଣଷି ଉତ୍ତର ମିଳିଲାନି। ଏଣୁ ଏମାନେ ଭାବିଲେ କାଳେ ଚୋର ହୋଇ ଥିବ, ତେଣୁ ଆଉ ବସିବେ କଣ ଉଠିପଡି ତାକୁ ଧରିବା ପାଇଁ ତା ଆଡକୁ ଧାଇଁଲେ। ଠିକ୍ ତା ପାଖରେ ପହନ୍ଚିବା ବେଳକୁ ମଣିଷ ପରି ଦିଶୁଥିବା ଛାଇ ଟି ରାସ୍ତା ତଳକୁ ଖସିଯାଇ ଛକ ଆଡକୁ ଧିରେ ଧିରେ ଚାଲିବାକୁ ଆରମ୍ଭ କଲା। ଏକଥା ଦେଖି ଏମାନେ ତାକୁ ଅନୁସରଣ କରିବାକୁ ଲାଗିଲେ । ଛକ ରେ ଥିବା ବରଗଛ ପାଖରେ ପହନ୍ଚିବା ମାତ୍ରେ ଛାୟମୂର୍ତ୍ତୀ ଟି କେଉଁ ଆଡେ ଅଦ୍ରୁଶ୍ୟ ହୋଇଗଲା। ଏ କଥା ଦେଖି ଭୟରେ ପରସ୍ପର ଧରାଧରି ହୋଇ ଜୋରରେ ଚିତ୍କାର କରିବାକୁ ଲାଗିଲେ। ପାଟି ଶୁଣି ବାପା ଓ ସାହିର କିଛି ଲୋକ ଯାଇ ଦେଖିଲା ବେଳକୁ ଦିଜଣ ଯାକ ଭୟରେ ବରଡାପତ୍ର ପରି ଥରୁଛନ୍ତି।କଥାକଣ ପଚାରିବାରୁ ସମସ୍ତ ଘଟଣା ବର୍ଣ୍ଣନା କଲେ।


    ଏବେ ଜାଣିଲୁ ତ ସେ କିଏ । ସେହିଦିନ ଠାରୁ ରାତିରେ ଏକୁଟିଆ ଆଉ କେହି ନଈକୂଳ କୁ ଯାଉନାହାନ୍ତି। ମୁଁ ତୋତେ ମନା କରୁଥିଲି ସେପଟେ ଯିବାପାଇଁ କିନ୍ତୁ ତୁ କଥା ମାନିଲୁନି ଏବଂ ତାକୁ ଦେଖିଲୁ।ସେଥିପାଇଁ ତୋତେ କାଲି ରାତି ରେ ବାଡିରୁ ଜୋରକରି ଟାଣି ଆଣିଥିଲି। 


    ଗାଁ ରେ ରହିଥିବା ବାକି ଦୁଇଦିନ ରାତି ରେ ମୁଁ ଆଉ ସେପଟ କୁ ଯାଇନି। ଛୁଟି ସରିବା ପରେ ମୋର କର୍ମକ୍ଷେତ୍ର ଭୁବନେଶ୍ବର କୁ ଫେରିଆସିଲି ଏବଂ କର୍ମମୟ ଜୀବନ ଭିତରେ ନିଜକୁ ହଜେଇ ଦେଲି। କିନ୍ତୁ କିଏ ସେହି ଅଦ୍ରୁଶ୍ୟ ପଥଚାରୀ ସେ ପ୍ରଶ୍ନ ଆଜି ମଧ୍ୟ ଅସମାହିତ।

     

    ଗପ ଶୁଣିବା ଭିତରେ ଭୟରେ ନାତୁଣୀ ତା ଆଇ କୋଳରେ ମୁଁହ ଗୁଞି ଶୋଇପଡିଥିଲା। ସେତେବେଳକୁ ରାତି ଅନେକ ଡେରି ହେଲାଣି ତେଣୁ ଇତି ଆସି ବୋଉ କୋଳରୁ ତା ଝିଅକୁ ନେଇ ବେଡ୍ ରୁମ୍ ରେ ଶୁଆଇଦେଇ ଡାଇନିଂଗ ରେ ଆମ ପାଇଁ ଖାଇବା ସଜାଡିବାରେ ଲାଗିପଡିଲା।


   

           

 


Rate this content
Log in

Similar oriya story from Horror