ଶ୍ରୀକ୍ଷେତ୍ର ଓ ପ୍ରଭୁ ଜଗନ୍ନାଥ
ଶ୍ରୀକ୍ଷେତ୍ର ଓ ପ୍ରଭୁ ଜଗନ୍ନାଥ


ଅନେକ ଦିନ ତଳର କଥା ପ୍ରଭୁ ଜଗନ୍ନାଥ ଙ୍କର ଜଣେ ବଡ ଭକ୍ତ ଥିଲେ l ନାଁ ତାଙ୍କର ବଳରାମ ଦାସ l ସେ ପୁରୀ ଠାରୁ ତିରିଶ ମାଇଲି ଦୂର ଏରବଙ୍ଗ ବୋଲି ଗୋଟିଏ ନିପଟ ମଫସଲ ଗାଁ ରେ ଜନ୍ମ ଗ୍ରହଣ କରିଥିଲେ l ସେହି ଗାଁ ରେ ଗୋଟିଏ ଛୋଟ କୁଡ଼ିଆ କରି ସେଥିରେ ରହୁଥିଲେ l
ସେତେବେଳେ ଆଜିକାଲି ଭଳି ଯିବାଆସିବା କରିବା ପାଇଁ ସାଇକେଲ, ମଟର ସାଇକେଲ କିମ୍ବା ବସ ର ବ୍ୟବସ୍ଥା ନଥିଲା ତେଣୁ ଯୁଆଡେ ଯିବ ପାଦରେ ଚାଲି ଚାଲି ଯିବାକୁ ହେବ l ଭକ୍ତ ବଳରାମ ଦାସ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ ନ କଲେ ଅନ୍ନ ଜଳ ସ୍ପର୍ଶ କରୁ ନଥିଲେ l ତେଣୁ ସେ ପ୍ରତ୍ୟେକ ଦିନ ସକାଳେ ଗାଁ ନିକଟରେ ବୋହି ଯାଉ ଥିବା କୁଶଭଦ୍ରା ନଦୀରେ ଗାଧୁଆ ପାଧୁଆ ସାରି ଚାଲି ଚାଲି ପୁରୀ କୁ ଯାନ୍ତି ଏବଂ ଜଗନ୍ନାଥ ଙ୍କୁ ଦର୍ଶନ କଲାପରେ ଅଭଡ଼ା ପ୍ରସାଦ ଖାଇ ଶ୍ରୀ ମନ୍ଦିର ରେ କିଛି ସମୟ ବିଶ୍ରାମ କଲା ପରେ ସନ୍ଧ୍ୟା ବେଳକୁ ପୁଣି ନିଜ ଗାଁ ରେ ଥିବା ତାଙ୍କର ଛୋଟ କୁଡ଼ିଆ କୁ ଫେରି ଆସନ୍ତି l ଏହା ତାଙ୍କର ଦୈନନ୍ଦିନ ଅଭ୍ୟାସ l
ଏମିତି ଦିନ ପରେ ଦିନ ଗଡି ଚାଲି ଥାଏ l ପ୍ରତ୍ୟେକ ଦିନ ବଳରାମ ଦାସ ସକାଳେ ପୁରୀ ଯାଇ ସନ୍ଧ୍ୟା ରେ ନିଜ ଗାଁ କୁ ଫେରି ଆସନ୍ତି l ଦିନକର କଥା ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀ ବସି କଥା ହେଉଥାନ୍ତି,ଏତିକି ବେଳେ ଭକ୍ତ ବଳରାମ ଦାସ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଭିତର କୁ ପଶିଗଲେ l ଏହା ଦେଖି ମା ଲକ୍ଷ୍ମୀ ବଳରାମ ଙ୍କ ଉପରେ ବିରକ୍ତ ହୋଇ କହିଲେ "ବଳରାମ ଆମେ ଗୋଟେ ଜରୁରୀ କଥା ହେଉଥିଲୁ ତେଣୁ ତୁମେ ଟିକେ ଅପେକ୍ଷା କରି ପାରିଲନି ସାଙ୍ଗେ ସାଙ୍ଗେ ଭିତରକୁ ପଶି ଆସିଲ" l ଆମେ ତୁମର ମା ବାପ ଭଳି ତେଣୁ ମା ବାପା ଏକାନ୍ତରେ ଥିବା ବେଳେ ବୟସ୍କ ପୁଅ ଏଭଳି ଭିତର କୁ ପଶି ଆସିବା କଣ ଠିକ? ବଳରାମ ଦାସ କହିଲେ ମା ଭୁଲ ହୋଇଗଲା, ବିନା ଅନୁମତିରେ ପ୍ରବେଶ କରିଥିବାରୁ ମୁଁ ଆପଣ ଙ୍କ ପାଖରେ ଦୋଷୀ ,ଆଉ ଏପରି ଭୁଲ ହେବନି, ଆପଣ ମୋତେ କ୍ଷମା କରନ୍ତୁ l ମୁଁ ଅନେକ ବାଟ ଚାଲି ଚାଲି ଆସିଛି l ସକାଳୁ ଏ ପର୍ଯ୍ୟନ୍ତ କିଛି ଖାଇନି ,କାରଣ ପ୍ରଭୁ ଙ୍କୁ ନ ଦେଖିଲେ ମୁଁ କିଛି ଖାଏନି l ତେଣୁ ତରବର ରେ ଭିତର କୁ ପଶି ଆସିଲି , ଆପଣ ମୋତେ କ୍ଷମା କରିବେ ମା l
ମା ଲକ୍ଷ୍ମୀ କହିଲେ ନା ତୁମେ ଭୁଲ କରିଛ ଏଥିପାଇଁ ତୁମେ ଦଣ୍ଡ ପାଇବାକୁ ଯୋଗ୍ୟ l ଏ କଥା ଶୁଣି ବଳରାମ କହିଲେ ମାତା ଆପଣା ଯେଉଁ ଦଣ୍ଡ ଦେବେ ମୁଁ ତାହା ଗ୍ରହଣ କରିବି l ମା ଲକ୍ଷ୍ମୀ କହିଲେ, "ମୁଁ ତୁମକୁ ଅଭିଶାପ ଦେଉଛି, ଯେଉଁ ପ୍ରଭୁ ଙ୍କୁ ଦେଖିବା ପାଇଁ ତୁମେ ଏତେ ପରିଶ୍ରମ କରି ଏହି ଶ୍ରୀକ୍ଷେତ୍ର କୁ ଆସୁଛ ତୁମର ମୃତ୍ୟୁ କିନ୍ତୁ ଏହି ଶ୍ରୀକ୍ଷେତ୍ର ରେ କେବେହେଲେ ହେବ ନାହିଁ" l
ଏ କଥା ଶୁଣି ପ୍ରଭୁ ବଡ ଠାକୁର ମନେ ମନେ ଟିକେ ହସିଲେ ଏବଂ କହିଲେ ବଳରାମ ମାତା ଙ୍କର ଅଭିଶାପ ତୁମ ଉପରେ ନିଶ୍ଚୟ ପଡିବ ତେଣୁ ତୁମେ ସେଥି ପାଇଁ ଟିକେ ସାବଧାନ ଥିବ l
ଦିନ ପରେ ଦିନ ଗଡିଚାଲିଲା, ଏବଂ ଶେଷରେ ବଳରାମ ଦାସ ଙ୍କ ପାଇଁ ଆସିଲା ସେହି ଶେଷ ଦିନ ଯାହା ସମସ୍ତ ଙ୍କ ଜୀବନ ରେ ନିଶ୍ଚୟ ଆସିଥାଏ l ପୁରୀ ଯିବା ବାଟରେ କୁଶଭଦ୍ରା ନଦୀ ପଠାରେ ପଡିଗଲେ ବଳରାମ ଦାସ l ଉଠିବା ପାଇଁ ଆଉ ଶକ୍ତି ପାଇଲା ନାହିଁ, ନିଜର ଶେଷ ସମୟ ଆସିଗଲା ବୋଲି ସେ ଜାଣି ପାରିଲେ l ତେଣୁ ନିଜର ଅତି ପ୍ରିୟ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ, ହେ ପ୍ରଭୁ ମୋତେ ଦର୍ଶନ ଦେଇ ଏ ଜୀବନ ରୁ ମୁକ୍ତି ଦିଅନ୍ତୁ l
ଭକ୍ତ ବଳରାମ ଙ୍କର ଡାକ ପ୍ରଭୁ ଙ୍କ କାନରେ ପଡିଲା l ପ୍ରଭୁ ଆଉ ନିଜକୁ ସମ୍ଭାଳି ପାରିଲେନି ବାହାରିଲେ ବଳରାମ ଙ୍କ ପାଖକୁ ତାଙ୍କୁ ଭେଟିବା ପାଇଁ l ମାତା ଲକ୍ଷ୍ମୀ ମଧ୍ୟ ନିଜର ଦିବ୍ୟ ଲୋଚନ ରେ ଘଟଣା କଣ ଜାଣି ପାରିଲେ l ତେଣୁ ପ୍ରଭୁ ଙ୍କୁ କହିଲେ ଦେଖ ମହାପ୍ରଭୁ ମୁଁ ବଳରାମ ଙ୍କୁ ଦେଇ ଥିବା ଅଭିଶାପ ଆଜି ସତ୍ୟ ହେବାକୁ ଯାଉଛି l ବଳରାମ ଆଜି ଅପନ୍ତରା ରେ ପଡି ମରିବାକୁ ଯାଉଛନ୍ତି l
ମହାପ୍ରଭୁ ଜଗନ୍ନାଥ ଟିକେ ମୁରୁକି ହସି କହିଲେ ମାତା ଲକ୍ଷ୍ମୀ ଙ୍କର ଅଭିଶାପ! ପୁଣି ଫଳିବନି ଏ କଥା କଣ ସମ୍ଭବ? ଯା ହେଉ ତୁମ ଅଭିଶାପ ତ ଫଳିବାକୁ ଯାଉଛି ତେଣୁ ତୁମେ ଟିକେ ନିଜ ଆଖିରେ ଦେଖି ଆସିବ ଚାଲ l ଲକ୍ଷ୍ମୀ କହିଲେ ହଁ ଶେଷ ମୁହୂର୍ତ ରେ ବଳରାମ ଙ୍କୁ ଟିକେ ଦେଖିବା ଆଉ ପୁରୁଣା କଥା ବି ମନେପକେଇ ଦେବା ଏକ ସଂଗେ ଦୁଇଟି କାମ ହେଇଯିବ l
ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥ ବଳରାମ ଦାସ ଙ୍କ ପାଖରେ ଯାଇ ପହଁଚିଲେ l ଉଭୟ ଙ୍କୁ ଦେଖି ବଳରାମ ଦାସ ବହୁତ ଖୁସି ହୋଇଗଲେ ଏବଂ ବଡ ଠାକୁର ଓ ମା ଙ୍କୁ ପ୍ରଣାମ କରି କହିଲେ ପ୍ରଭୁ ଆପଣ ମlନେ ମୋତେ ଶେଷ ସମୟରେ ଦେଖା ଦେଇ ମୋର ଜୀବନ କୁ ଧନ୍ୟ କରିଛନ୍ତି l ଆପଣ ଓ ମାତାଲକ୍ଷ୍ମୀ ଏଭଳି ଅପନ୍ତରା ଜାଗା କୁ ଆସିଥିବାରୁ ଅପଣ ମାନଙ୍କୁ ମୋର ଅଶେଷ ଧନ୍ୟବାଦ l ହେ ପ୍ରଭୁ ମୋର ସମସ୍ତ କାମନା ପୂର୍ଣ୍ଣ ହୋଇସାରିଛି ଏବେ ଏ ଜନ୍ମ ରୁ ମୋତେ ମୁକ୍ତି ଦିଅନ୍ତୁ l ଏ କଥା ଶୁଣି ମାଲକ୍ଷ୍ମୀ କହିଲେ ବଳରାମ ତୁମର ପୁରୁଣା ଅଭିଶାପ କଥା ମନେ ଅଛିତ ? ମୁଁ କହିଥିଲି ନା ତୁମର ମୃତ୍ୟୁ ଶ୍ରୀକ୍ଷେତ୍ର ରେ ହେବ ନାହିଁ ତୁମେ ଅପନ୍ତରା ରେ ପଡି ମରିବ, ଦେଖ ମୋ ଅଭିଶାପ ଆଜି ପ୍ରକୃତରେ ଫଳିବାକୁ ଯାଉଛି l
ଏ କଥା ଶୁଣି ବଳରାମ ଦାସ ଟିକେ ହସିଲେ କହିଲେ ମାତା ଆପଣ ଭୁଲ କହୁଛନ୍ତି l ମୁଁ ଅପନ୍ତରା ରେ ପଡି ମରୁ ନାହିଁ କାରଣ ଯେଉଁଠି ସ୍ୱୟଂ ଜଗତର ନାଥ ଓ ମା ଲକ୍ଷ୍ମୀ ବିରାଜିତ ତାହା କଣ କେବେ ଅପନ୍ତରା ହୋଇପାରେ ଏହା ତ ଶ୍ରୀକ୍ଷେତ୍ର ଏବଂ ମୁଁ ଶ୍ରୀକ୍ଷେତ୍ର ରେ ମୋ ବଡ ଠାକୁର ଓ ମା ଙ୍କ ଆଗରେ ଏ ସଂସାର ତ୍ୟାଗ କରୁଛି l ତେଣୁ ମୋ ଠାରୁ ଭାଗ୍ୟବାନ ଆଉ କେହି ନାହାନ୍ତି l ଏହା କହିବା ସହିତ ବଳରାମ ଙ୍କର ମୃତ୍ୟୁ ହେଲା ଓ ତାଙ୍କର ଆତ୍ମା ଭଗବାନ ଙ୍କ ଠାରେ ଲୀନ ହୋଇଗଲା l
ପ୍ରକୃତ ରେ ଯିଏ ଭଗବାନ ଙ୍କୁ ଅନ୍ତର ର ସହିତ ଭକ୍ତି କରେ ତା ପାଇଁ ଭଗବାନ ସବୁଠାରେ ଥାନ୍ତି ଓ ସବୁ ଜାଗା ତାପାଇଁ ଶ୍ରୀକ୍ଷେତ୍ର ଅଟେ l