ଭକ୍ତର ଭଗବାନ
ଭକ୍ତର ଭଗବାନ
ଭକ୍ତ ଏବଂ ଭଗବାନ ଙ୍କ ସମ୍ପର୍କ ନିଆରା ।କେଉଁଠି ଭକ୍ତ ଭଗବାନ ଙ୍କ ନିକଟରେ ନିଜକୁ ପୂର୍ଣରୂପେ ସମର୍ପଣ କରେ ତ କେଉଁଠି ଭଗବାନ ଭକ୍ତ ପାଇଁ ତା' ନିକଟକୁ ଆକୁଳଚିତ୍ତ ରେ ଧାଇଁ ଆସନ୍ତିା ଏହି ପରମ୍ପରା କୁ ନେଇ ଅନେକ କିମ୍ବଦନ୍ତି ମଧ୍ୟ ଲୋକ ମୁଖ ରୁ ଶୁଣିବାକୁ ମିଳେ ।ଆଜିର କାହାଣୀ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ତାଙ୍କର ପରମ ଭକ୍ତ,ଓଡିଆ ଭାଗବତ ର ରଚୟିତା ଜଗନ୍ନାଥ ଦାସ ଙ୍କର ଏକ କିମ୍ବଦନ୍ତି କୁ ନେଇ।
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟର କଥା।ଭକ୍ତ ଜଗନ୍ନାଥ ଦାସ ସ୍ବର୍ଗଦ୍ବାର ନିକଟ ରେ ଥିବା ତାଙ୍କର ଆଶ୍ରମ ରେ ରହୁଥାନ୍ତି ।ପ୍ରତ୍ୟେହ ସକାଳ ଏବଂ ସଂଧ୍ୟା ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥକୁଂ ଦର୍ଶନ କରିବା ତାଙ୍କର ଅଭ୍ୟାସ । ତା ପରେ ସେ ଅନ୍ନ, ଜଳ ଗ୍ରହଣ କରିଥାନ୍ତି ।ଦିନକର ଘଟଣା ,ସଂଧ୍ୟା ସମୟ ।ଭକ୍ତ ଜଗନ୍ନାଥ ଦାସ ମହାପ୍ରଭୁକୁଂ ଦର୍ଶନ କରିବା ପାଇଁ ବଡଦେଉଳ କୁ ଯାଇଥାନ୍ତି ।ଠିକ୍ ସେହି ସମୟରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ମଧ୍ଯ ବଡ ଦେଉଳ କୁ ଠାକୁର କୁଂ ଦର୍ଶନ ପାଇଁ ଆସିଥାନ୍ତି ।ଠାକୁରଙ୍କର ସଂଧ୍ୟା ଆଳତୀ ଦେଖିବା ପରେ ଜଗନ୍ନାଥ ଦାସ କିଛିସମୟ ମନ୍ଦିର ବେଢା ରେ ବିଶ୍ରାମ ନେଉଥାନ୍ତି ।ଏତିକି ବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ ନିକଟରେ ପହନ୍ଚି କହିଲେ, "ଜଗନ୍ନାଥ ଦାସ,ତୁମକୁ ଗୋଟିଏ ବଡ ଦାୟିତ୍ବ ଦେଉଛି"। ଯାହାକୁ ତୁମେ ନିଷ୍ଠାର ସହିତ ପାଳନ କରିବ ବୋଲି ମୋର ବିଶ୍ବାସ।ଜଗନ୍ନାଥ ଦାସ କହିଲେ "ନିଶ୍ଚୟ ଆଜ୍ଞା ପାଳନ କରିବି କୁହନ୍ତୁ ମୋତେ କ'ଣ କରିବାକୁ ହେବ"।
ମହାରାଜା କହିଲେ ଶୁଣ,ଠାକୁରଙ୍କ ସଂଧ୍ୟା ଆଳତୀ ପରେ ନେପାଳ ରୁ ଆସିଥିବା ଜଣେ ଭକ୍ତ ମୋତେ ଏକ ସୁବାସିତ ଦୁର୍ଲଭ ଚନ୍ଦନ କାଠ ଦେଇ ତାହାକୁ ଠାକୁରଙ୍କ ପାଖରେ ଲାଗି କରିବା ପାଇଁ ଅନୁରୋଧ କରିଛନ୍ତି।ଯେହେତୁ ମନ୍ଦିର ବନ୍ଦ ହେବାକୁ ଯାଉଛି ତେଣୁ ଆଜି ଏହା ସମ୍ଭବ ନୁହେଁ।
ଯଦି ମୁଁ କୌଣସି ପଣ୍ତାକୁଂ ଏହା ଦେଇଦିଏ ତେବେ ସେ ହୁଏତ ଠାକୁରଙ୍କ ପାଖରେ ଲାଗି ନକରି ନିଜେ ରଖି ଦେଈପାରେ।ଏଣୁ ନେପାଳ ରୁ ଭକ୍ତ ଟି ଏତେଶ୍ରଧାରେ ଆଣିଥିବା ଚନ୍ଦନ କାଠ ଟି କିପରି ଠାକୁର ଙ୍କ ପାଖରେ ଲାଗି ହେବ ସେ ଦାୟୀତ୍ବ ମୁଁ ତୁମକୁ ଦେଉଛି।
ଭକ୍ତ ଜଗନ୍ନାଥ ଦାସ ସେହି ଚନ୍ଦନ କାଠ ଟିକୁ ବଡ ଯତ୍ନର ସହିତ ନିଜ ଗାମୁଛା କାନିରେ ବାନ୍ଧି ଆଶ୍ରମ କୁ ଫେରିଲେ।ତା ପରଦିନ ବିଭିନ୍ନ କାମରେ ବ୍ୟସ୍ତ ରହି ସେହି ଚନ୍ଦନ କାଠ କଥା ଦାସେ ସମ୍ପୁର୍ଣ୍ଣ ଭୁଲିଯାଇଥିଲେ।ରାତିରେ ଶୋଈବାକୁ ଗଲାବେଳେ ହଠାତ୍ ତାଙ୍କର ରାଜାଙ୍କ କଥା ମନେ ପଡିଲାା ମନେ ମନେ ଭାବିଲେ,ଯଦି ଏ କଥା ରାଜା ଜାଣନ୍ତି ତେବେ ନିଶ୍ଚୟ ତାକୁଂ ଶୁଳିରେ ବସାଇବେ। ତେଣୁ ସଗେଂ ସଗେଂ ଉଠି ରାଜାଙ୍କ ଦଣ୍ତ ରୁ ରକ୍ଷା ପାଇବା ପାଇଁ ସେହି ଚନ୍ଦନ କାଠ କୁ ଧରି ଆଶ୍ରମ ରେ ଥିବା ମସଲାବଟା ଶିଳ ନିକଟ କୁ ଗଲେ ଏବଂ ସେହି ଶିଳ ରେ ଚନ୍ଦନ କାଠ କୁ ଘସିବାକୁ ଲାଗିଲେ । ପୁଳା ପୁଳା ଘୋରା ଚନ୍ଦନ କୁ ଶିଳ ପାଖରେ ଥିବା ଆଶ୍ରମ କାନ୍ଥ ରେ ବୋଳି ଚାଲିଲେ। ଠିକ୍ ଏତିକି ବେଳେ ସେହି ବାଟରେ ଯାଉଥିବା ଜଣେ ସୈନିକ ଏ ଘଟଣା ଦେଖିଲା। ଭାବିଲା ବୋଧହୁଏ ଦାସେ ପାଗଳ ହୋଇଗଲେ କାରଣ ଯେଉଁ ଦୁର୍ଲଭ ଚନ୍ଦନ କାଠ ମହାପ୍ରଭୁଙ୍କ ଦେହରେ ଲାଗିହେବା କଥା ତାହା ଆଶ୍ରମ ଝାଟିମାଟି କାନ୍ଥ ରେ ବୋଳୁଛନ୍ତି ! ମୋତେ ଏ କଥା ରାଜାକୁଂ ଜଣେଈବାକୁ ପଡିବ। ତେଣୁ ଆଉ ଡେରି ନକରି ରାଜ ଉଆସ କୁ ଧାଇଁଲା ଓ ରାଜାଙ୍କ ଆଗରେ ସବୁ କଥା ଜଣେଇଲା। ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏ କଥା ଶୁଣି ରାଗରେ ନିଆଁବାଣ ! ସଗେଂ ସଗେଂ ସୈନିକ ମାନକୁଂ ଆଦେଶ ଦେଲେ "ଯାଅ ଜଗନ୍ନାଥ ଦାସ କୁଂ ଧରି ବାନ୍ଧି ଆଣି ବନ୍ଦିଶାଳା ରେ ନିକ୍ଷେପ କର"।ରାଜା ଙ୍କ ଆଦେଶ ପାଳନ ହେଲା।
ବିଚରା ଦାସେ ମହାଶୟ ଆସନ୍ତା କାଲିର ପରିସ୍ଥିତି କୁ ଚିନ୍ତାକରି ନିଜର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥକୁଂ ସ୍ମରଣ କରିବାକୁ ଲାଗିଲେ।ଏହିପରି ସାରା ରାତି ଉଯାଗର ରହି ଜଗତର ନାଥଙ୍କ ନାମ ଜପ କରି ଚାଲିଲେ। କେତେବେଳେ ଯେ ସକାଳ ହେଲାଣି ତାହା ଅନ୍ଧକାର କାରାଗ୍ରୁହ ରେ ଜାଣିପାରିଲେ ନାହିଁ।ହଠାତ୍ ଦେଖିଲେ ବନ୍ଦୀଶାଳା ର ଫାଟକ ଉନ୍ମୁକ୍ତ ହେଲା ଏବଂ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଝଡ ବେଗରେ କାରାଗ୍ରୁହ ରେ ପ୍ରବେଶ କଲେ।"ଭକ୍ତ ଜଗନ୍ନାଥ ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣ ଙ୍କ ପ୍ରତି ଅନ୍ୟାୟ କରିଛି" କହି ଦାସେକୁଂ ବନ୍ଧନ ମୁକ୍ତ କଲେ।ଦାସେ ବଡ ଆଶ୍ଚଯ୍ୟ ହେଲେ,କି କଥା ମୁଁ ତ ପ୍ରକ୍ରୁତରେ ଭୁଲ କରିଛି। ମୋତେ ତ ଦଣ୍ତ ମିଳିବା କଥା କିନ୍ତୁ ମୋତେ ଦଣ୍ତ ନଦେଇ ମହାରାଜା ମୋଠାରୁ କ୍ଷମା ପ୍ରାଥନା କରୁଛନ୍ତି ! ଦାସେ ବିସ୍ମୟ ଚିତ୍ତ ରେ ରାଜା କୁଂ ପଚାରିଲେ, "ମହାରାଜ କଥାକଣ"? ରାଜା କହିଲେ, ଶୁଣ ଦାସେ, ପ୍ରତ୍ୟେକ ଦିନ ଭଳି ଆଜି ମୁଁ ଶ୍ରୀମନ୍ଦିର କୁ ପ୍ରଭୁଙ୍କ ସକାଳ ଦର୍ଶନ ପାଇଁ ଯାଇଥିଲି।ସେଠାରେ ଦେଖିଲି ମହାପ୍ରଭୁଙ୍କ ସାରାଦେହ ଓ ମୁଁହ ରେ ଆପଣ କୁଂ ଦେଇଥିବା ଚନ୍ଦନ କାଠ ଘୋରାହୋଇ ବୋଳା ହୋଇଛି।ସମ୍ପୁଣ୍ଣ ଗର୍ଭଗ୍ରୁହ ଚନ୍ଦନ ର ବାସ୍ନା ରେ ମହକୁଛି। ତେଣୁ ମୁଁ ବୁଝିପାରିଲି ପ୍ରକ୍ରୁତରେ ଯେଉଁ ଦାୟୀତ୍ବ ଆପଣକୁଂ ଦେଇଥିଲି ତାହା ଆପଣ ସଠିକ ନିର୍ବାହ କରିଛନ୍ତି।ଆପଣ ଯେଉଁଠି ଚନ୍ଦନ ବୋଳିଲେ ବି ତାହା ଠାକୁର କୁଂ ଲାଗି ହୋଇଛି।ସେଥିପାଇଁ ଆପଣକୁଂ ମୁକ୍ତ କରିବା ଓ କ୍ଷମା ମାଗିବା ପାଇଁ ଚାଲି ଆସିଲି।
ବାସ୍ତବରେ ଆପଣ ଜଣେ ପ୍ରକ୍ରୁତ ଭକ୍ତ,ଆପଣ ଙ୍କ ଭଳି ଭକ୍ତ ଯେଉଁଠି ଯେଉଁ ସମୟରେ ଯେତେବେଳେ ବି ଭଗବାନ କୁଂ ପ୍ରାଥନା କରନ୍ତି ବା ନୈବେଦ୍ୟ ଅର୍ପଣ କରନ୍ତି ଭଗବାନ ତାହା ତତ୍କ୍ଷଣାତ୍ ସ୍ବୀକାର କରିଥାନ୍ତି। ପ୍ରକ୍ରୁତରେ ଆପଣ ମହାନ।
(ଏହି ଗଳ୍ପଟି କିମ୍ବଦନ୍ତି ଆଧାରିତ ଓ ଲେଖକ ଙ୍କ ନିଜସ୍ବ ସ୍ରୁଷ୍ଟି,ଯଦି କୌଣଷି ଲେଖା କିମ୍ବା ଗଳ୍ପ ସହିତ ଏହାର କୌଣସି ସାମଞସ୍ୟ ଥାଏ ତେବେ ଧରିନେବାକୁ ହେବ ଏହା ଏକ ସଂଯୋଗ ମାତ୍ର।)