Santosh Kumar Biswal

Others

4  

Santosh Kumar Biswal

Others

ସ୍ମୃତି  ରୁ କିଛି .....

ସ୍ମୃତି  ରୁ କିଛି .....

4 mins
7


ସକାଳ ର ସୂର୍ଯ୍ୟ ସିନା ଆଲୋକିତ କରେ ଏହି ଧରା ପୃଷ୍ଠ କୁ କିନ୍ତୁ ଅନ୍ଧାର ଦୂର କରି ପାରେନି ମନରୁ l ମନକୁ ଆଲୋକିତ କରିବା ପାଇଁ ଆବଶ୍ୟକ ଶିକ୍ଷା l ବାସ୍ତବ ରେ ଶିକ୍ଷା ବିନା ଏ ସଂସାର ଅନ୍ଧାରମୟ l ବିଶାଳ ଆଶା,ଉଚ୍ଚ ଆକାଂକ୍ଷା ନେଇ ମଣିଷ ଅହରହ ଗତିଶୀଳ ହେବା ପାଇଁ ଚେଷ୍ଟା କରେ ହେଲେ ବାସ୍ତବତା କିନ୍ତୁ ସମ୍ପୂର୍ଣ ଅଲଗା l


ଜୀବନ ରେ ଦିନେ ବଡ ହୋଇ ଅନ୍ୟ ମାନଙ୍କ ଭଳି କିଛି କରି ଦେଖେଇବ ବୋଲି ବାପା ଙ୍କ ପାଦ ଛୁଇଁ ଶପଥ ନେଇଥିଲା କୁଲୁ l କିନ୍ତୁ ଦୈନନ୍ଦିନ ଜୀବନର ବାସ୍ତବତା ତାପାଇଁ କିଛି ଅଲଗା ଥିଲା l


ଦିନେ ସକାଳୁ ସକାଳୁ ନିଦରୁ ଉଠି ଚଟାପଟ ଟି. ଭି ର ପ୍ରାର୍ଥନା ଚାନେଲ ଟାକୁ ଖୋଲିଦେଇ ବସି ପଡ଼ିଲା କୁଲୁ l ଆପଣ କଣ ଭାବୁଛନ୍ତି? ସେ ଗୋଟେ ଆଧ୍ୟାତ୍ମିକବାଦୀ ପିଲା! ଯଦି ଆପଣ ଭାବୁ ଥାନ୍ତି ତାହେଲେ ଭୁଲ ଭାବୁଛନ୍ତି l କାରଣ ସୁନାପିଲା ଭଳି ବସି ସେ ଅନ୍ୟ କିଛି ନୁହେଁ ବରଂ ରାଶି ଫଳ ଦେଖୁଛି l ବସନ୍ତ, ସୁକାନ୍ତ, ପବି ଓ କାର୍ତିକ ର ରାଶି ଫଳ ଦେଖି ତାଙ୍କୁ ଯେ ସ୍କୁଲ ରେ କହିବାକୁ ପଡିବ!


ହଟାତ କାନ୍ଥ ଘଣ୍ଟା କୁ ଚାହିଁ ଦେଇ ଜୋରରେ ଡାକ ଛାଡିଲା କୁଲୁ l ବୋଉ....... ବୋଉ......ହେ ବୋଉ ଆରେ ଶୁଣୁଛୁ..


ହଁ କଣ କହୁନୁ..


ମୋ ପାଇଁ କିଛି ଗୁଡ ଆଉ ଦୁବଘାସ ଶୀଘ୍ର ଆଣି ରଖ l

ସ୍କୁଲ ଯିବା ପାଇଁ ମୋର ଡେରି ହେଲାଣି, ତେଣୁ ମୁଁ ଗାଧେଇ ଯାଉଛି ଆସିବା ବେଳକୁ ଯେମିତି ସବୁ ରେଡି କରିଥିବୁ l


ତୁତ ସ୍କୁଲ ଯିବୁ ହେଲେ ଏ ଦୁବ ଘାସ ଆଉ ଗୁଡ ନେଇ କଣ କରିବୁ କିରେ?


ତୁ କଣ ଜାଣିନୁ କି ବୋଉ? ସବୁ ସେଇ ରାଉତ ସାର ଙ୍କ ପାଇଁ l ଆଜି ଟିଭି ରେ ଜୋତିଷ କହିଛି, ପିମ୍ପୁଡି କୁ ଗୁଡ ଆଉ ବାଛୁରୀ କୁ ଘାସ ଖାଇବାକୁ ଦେଲେ କୁଆଡେ ସବୁ ରିଷ୍ଟ ଖଣ୍ଡନ ହେବ l ତେଣୁ ମୋ ଗେଲ୍ହା ବୋଉଟା ଦେଲୁ ଦେଲୁ ଟିକେ ଜଲଦି ଯୋଗାଡ଼ କରି ଦେଲୁ ମୋର ସ୍କୁଲ ବେଳ ଡେରି ହେଲାଣି l


ଯାହାହେଉ ଶୀଘ୍ର ଗାଧୁଆ ପାଧୁଆ ସାରି ସ୍କୁଲ କୁ ବାହାରି ପଡିଲା କୁଲୁ l


ଅଙ୍କା ବଙ୍କା ଧାନ ବିଲ ହିଡରେ ପ୍ରାୟ ଦୁଇ କିମି ଗଲେ ପଡେ କଣ୍ଟି ଗାଁ, ଗାଁ ମଝି ରେ ମାଟି କାଦୁଅ ର ରାସ୍ତା l କିଛି ବାଟ ଗଲାପରେ ପଡେ କାଦୁଆ ନଈ l ନଈ ଆରପଟେ ପଡେ କୁଲୁର ସ୍କୁଲ l ନଈ ଟା ଯେତିକି ଗଭୀର ସେଥିରେ ପାଣି ବି ଅକାତ କାତ l ହେଲେ ନଈକୁ ଦେଖିଲେ କୁଲୁକୁ ଯେତିକି ଡର ଲାଗେ ନାହିଁ ତା ଠାରୁ ଅଧିକ ଡର ଲାଗେ ବୈକୁଣ୍ଠ ସାର ଙ୍କୁ ଦେଖିଲେ l


ଯାହା ହେଉ ଆଜି କୁଲୁ ବହିରେ ନିମ ପତ୍ର, ପିମ୍ପୁଡି କୁ ଗୁଡ ଓ ବାଛୁରୀ କୁ ଘାସ ଖାଇବାକୁ ଦେଇ ସ୍କୁଲ କୁ ଆସିଛି ତେଣୁ ସେ ପୁରା ନିଶ୍ଚିତ ଯେ ସାର ତାକୁ ଆଜି ଜମା ବାଡ଼େଇବେ ନାହିଁ l

କ୍ଲାସ ଆରମ୍ଭ ହେଲା, ଅନ୍ୟାନ୍ୟ ବିଷୟ ଗୁଡିକ ଯେ କୌଣସି ପ୍ରକାରେ ଭଲରେ ଭଲରେ କଟିଗଲା ହେଲେ ପାଳି ପଡିଲା ବୈକୁଣ୍ଠ ସାର ଙ୍କର l କ୍ଲାସ କୁ ଆସୁ ଆସୁ ପ୍ରଥମେ ପ୍ରଶ୍ନ ପଚାରିଲେ କୁଲୁକୁ l ପ୍ରଶ୍ନ ଶୁଣି ବରଡ଼ା ପତ୍ର ଭଳି ଗୋଟା ପଣେ ଥରିବାକୁ ଲାଗିଲା l କାରଣ ମାଡ କୁ ମହାଦେବ ଙ୍କର ଡର l ପ୍ରଶ୍ନ ର ଉତ୍ତର ତାକୁ ଜଣା ନାହିଁ ତେଣୁ ବିକଳ ରେ ମା ମଙ୍ଗଳା, ମା ତାରିଣୀ ଙ୍କୁ ଡାକିବାକୁ ଲାଗିଲା l କେତେ ନଡ଼ିଆ, ଭୋଗ ଯାଚିଛି ତାହା କେବଳ ତା ବ୍ୟତୀତ ଆଉ କାହାକୁ ଜଣା ନାହିଁ l ଯାହା ହେଉ ପାଖରେ ବସିଥିବା ପବି, ପ୍ରଶାନ୍ତ ଙ୍କୁ ପଚାରି କୌଣସି ପ୍ରକାରେ ଉତ୍ତର ଟା ଦେଇଦେଲା ହେଲେ ବିପଦ ଯେ ଆଗକୁ ଆହୁରି ଅଧିକ ରହିଛି ସେ କଥା ତାକୁ ଜଣା ନଥିଲା l


ଭାବିଲା ବୋଧେ ସାର ଆଉ ତାକୁ କିଛି ପଚାରିବେନି!ଯଦି ପଚାରନ୍ତି ତା ହେଲେ ବହି ଦେଖି ସବୁ କହିଦେବ l ପ୍ରଶାନ୍ତ, ପବି,ପକୁଆ, କାର୍ତିକ ଆଉ କୁଲୁ ଗୋଟିଏ ବେଞ୍ଚ ରେ ପଛ ଧାଡିରେ ବସନ୍ତି ସେମାନେ ଯେଉଁ ସବୁ ବଦମାସୀ କରନ୍ତି ତାହା ନକହିବା ଭଲ l ହଠାତ ସାର ବ୍ୟାଗ ଭିତରୁ ବାହାର କଲେ ପୁଳାଏ ଖାତା l ସେ ସବୁ ଥିଲା ପୂର୍ବ ଦିନର ପ୍ରଶ୍ନ ଉତ୍ତର ଖାତା l ଜଣ ଜଣ କରି ଡାକି ସେମାନଙ୍କୁ ଖାତା ଗୁଡିକ ଦେଖି ଦେଉଥାନ୍ତି l ଏ କଥା ଦେଖି କୁଲୁ ର ଗୋଡ ହାତ ଛାନିଆ ରେ ଥରିବାକୁ ଲାଗିଲା l ଛାତିର ସ୍ପନ୍ଦନ 

ତା କାନକୁ ଢୋଲ ବାଡେଇବା ଭଳି ଶୁଭୁଥାଏ l ଶେଷରେ ପାଳି ପଡିଲା କୁଲୁର l ସାର ତା ଖାତାକୁ ଏପଟ ସେପଟ କରି ଦେଖୁଥାନ୍ତି l ଖାତା ରେ ଆଗ ପଛ କିଛି ବି ଲେଖା ହୋଇ ନଥାଏ l ଏହା ଦେଖି ସାର ଅତିମାତ୍ରାରେ ରାଗିଗଲେ l ସାଙ୍ଗେ ସାଙ୍ଗେ ଆଗ ବେଞ୍ଚ ରେ ବସିଥିବା ନରୁ କୁ ଅଫିସ ରୁ ବେତ ଟା ଆଣିବାକୁ କହିଲେ l ତା ପରେ ଆରମ୍ଭ ହେଲା ଦୁର ଦାର ବେତ ପାହାର କୁଲୁ ଉପରେ l କୁଲୁ ଉ...ହୁ... ଆହା... ହେଉଥାଏ l ହଠାତ କାହିଁକି କେଜାଣି ସାର ଅଧା କ୍ଳାସ ରୁ ବାହାରି ଗଲେ କିଛି ବୁଝି ହେଲାନି l ସେହି ଦିନଠାରୁ ସ୍କୁଲ ରେ ବୈକୁଣ୍ଠ ସାର ତ ଦୂରର କଥା ତାଙ୍କ ଛାଇକୁ ଦେଖିଲେ ବି ତାକୁ ଡର ଲାଗେ l ଯଦି ଗାଁ ପଡିଆ ରେ ଖେଳିବା ବେଳେ ସାର ସେହି ବାଟ ଦେଇ ଚାଲି ଯାନ୍ତି ତେବେ ଭୟରେ ଦୌଡ଼ି ଯାଇ କୋଉ ବୁଦା ପଛରେ ଲୁଚିଯାଏ l ମଜାରେ ଯଦି କେହି ସାର ଆସିଲେ ବୋଲି କହିଦେଲା ତେବେ ତ କଥା ସରିଲା l ସେଦିନ ପାଚେରୀ ଉପରେ ଛିଡା ହୋଇ କୁଲୁ କ୍ରିକେଟ ଖେଳଦେଖୁଥାଏ l ହଠାତ ସାର ଙ୍କୁ ଦେଖି ଅତର୍କିତ ଭାବେ ପାଚେରୀ ରୁ ତଳକୁ ଗଳି ପଡିଲା ଯେଉଁଥି ପାଇଁ ତାର ଗୋଡ ଭାଙ୍ଗି ଯାଇଥିଲା ଏ କଥା ମନେ ପଡିଲେ ଏବେ ତାକୁ ହସ ଲାଗେ l


ସେ ଦିନର ମାଡ ପରେ ମନେ ମନେ ସାର ଙ୍କୁ ବହୁତ ଗାଳି ଦେଇଥିଲା କୁଲୁ l କିଛି ଦିନ ପରେ ସାରଙ୍କ ଦେହ ଖରାପ ହୋଇଗଲା l କୁଲୁ କୁ ଲାଗିଲା ବୋଧହୁଏ ତାରି ପାଇଁ ସାର ଙ୍କ ଦେହ ଖରାପ ହେଲା l ପରବର୍ତୀ ସମୟରେ କୁଲୁ ପରୀକ୍ଷା ରେ ଭଲ ମାର୍କ ରଖି ପାସ କଲା ଓ ଭଲ କଲେଜ ରେ ନାଁ ଲେଖେଇଲା l ଆଜି କାଲି ଆଉ ନିମପତ୍ର, ଗୁଡ, ଦୁବ ଘାସ କିମ୍ବା ସକାଳୁ ସକାଳୁ ରାଶି ଫଳ ଦେଖିବା ଦରକାର ପଡୁନି l ଏବେ ସେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଛି l କୁଲୁ ଭଳି ଶହ ଶହ କୁଲୁ କୁ ଦେଶ ନିର୍ମାଣ ପାଇଁ ପ୍ରସ୍ତୁତ କରୁଛି କିନ୍ତୁ ତା ର ଖାଲି ଏତିକି ଅବଶୋଷ ରହି ଗଲା ଯେ ଯଦି ଆଜି ବୈକୁଣ୍ଠ ସାର ଥାନ୍ତେ ତେବେ ସେ ତାଙ୍କରି ଆଶୀର୍ବାଦ ରେ ଜୀବନ ର ଯେ କୌଣସି ପରୀକ୍ଷା କୁ ଅତି ସହଜ ରେ ପାରି ହୋଇ ପାରିଥାନ୍ତା l


  


Rate this content
Log in