କଟୁ ଜିହ୍ୱା
କଟୁ ଜିହ୍ୱା


ମାଉସୀର ପ୍ରକୃତ ନାଁଟା କଣ ମୋତେ ଅଜଣା। ମୋର ହେତୁ ହେଲା ଦିନୁ ମୁଁ ତାକୁ ଜାଣେ ଏତା ମାଉସୀ ହିସାବରେ। ସେ ହେଲା ପ୍ରଧାନ ଘର ବୁଢ଼ୀ। କଥାଟିଏ କହୁ କହୁ ଭୁଲିଯିବା ତାର ଜନ୍ମସିଦ୍ଧ ସ୍ୱଭାବ। ପିନ୍ଧିଥାଏ କସ୍ତା ଶାଢ଼ୀଟିଏ। ନାକରେ ନୋଥ। କଳା ମଚ ମଚ ଶରୀର ବର୍ଣ୍ଣ। ଶିରାଳ ହାତ। ଝୋଟ ପରି ମୁଣ୍ଡରେ କେରାଏ ଚୁଟି। ସକାଳୁ ଘରୁ ବାହାରି ଖାଲି ପାଦରେ ତିନି ଚାରି କୋଶ ବାଟ ବୁଲିଆସେ। ମୁଣ୍ଡରେ ଥାଏ ହଳଦୀ ଗଣ୍ଠିଳୀଟିଏ। ତୁଣ୍ଡରେ ଗୋଟିଏ ରାହା।
- ହଳଦୀ ନବ ହଳଦୀ।
ଏତା ମାଉସୀର ତିନି ପ୍ରାଣୀ କୁଟୁମ୍ବ। ସେ ନିଜେ, ବୋହୁଟିଏ ଓ ନାତୁଣୀଟିଏ। ଏତା ମାଉସୀର ପୁଅ ଅଛି ଲବ ପ୍ରଧାନ, ହେଲେ ନ ଥିବା ସଙ୍ଗେ ସମାନ। ପରିବାରର ଆର୍ଥିକ ଅନଟନର ଦ୍ୱାହି ଦେଇ ସୁରାଟ ଗଲା ଯେ ଆଠ ବର୍ଷ ହେଲାଣି, ଫେରିବାର ନାଁ ଧରୁନି। ନାତୁଣୀ ସ୍କୁଲରେ ପଢ଼ୁଛି। ବୋହୁ ଗୋଟା ହଳଦୀକୁ ଧୋଇ, ପୋଛି, ଶୁଖାଇ ଗୁଣ୍ଡ କରି ବୁଢ଼ୀକୁ ଦଉଛି ବିକ୍ରି ପାଇଁ। ହଳଦୀ ବିକ୍ରିରେ କେତେ ବା ପଇସା?
ସେଦିନ ହଠାତ୍ ଗାଁ ମୁଣ୍ଡରେ ଅଟକାଇ ଦେଲା ବୁଢ଼ୀ। ମୁଁ ସାଇକେଲ ପେଲି ବାହାରିଥାଏ ଡାକ୍ତରଖାନା ଅଭିମୁଖେ।
- ବାପରେ... ଟିକେ ଶୁଣୁନୁ?
- କଣ ହେଲା ମାଉସୀ? ମୁଁ ସାଇକଲକୁ ବ୍ରେକ୍ କଷି ଠିଆ ହୋଇ ପଡ଼ିଲି।
- ଏତା... ... ... ବୁଢ଼ୀର ତୁଣ୍ଡ ସେଇଠି ଅଟକିଗଲା। ସେଇମିତି ଆକାଶକୁ ଅନେଇ ରହିଲା ଅନେକ ସମୟ। ମୁଁ ବିରକ୍ତ ହୋଇ କହିଲି ମାଉସୀ ତୁ ମନେ ପକଉଥା ମୁଁ ଡାକ୍ତରଖାନାରୁ ଆସେ କହିବୁ। ମୁଁ ସାଇକଲ ଚଳାଇ ବାହାରିବି, ବୁଢ଼ୀ ମୋ ସାଇକଲ ଆଗରେ ଠିଆ ହୋଇ ଖୁଁ ଖୁଁ କରି କାଶି ପକାଇଲା ଦୁଇଥର। କହିଲା,
- ତୁ ଡାଗଦର ପରାରେ?
- ଡାକ୍ତର ନୁହଁ କମ୍ପାଉଣ୍ଡର।
ବୁଢ଼ୀ କାଶିଲା ପୁଣି ଖୁଁ ଖୁଁ କରି।
- ଏକା କଥା। ବାପରେ ଏଇ କାଶଟା କେତେ ଦିନ ହବ ଜମା ଛାଡ଼ୁନି।
- କେତେ ଦିନ ହେଲା?
- ଏଇ ମାସେ ଖଣ୍ଡେ ହବ। ବୁଢ଼ୀ ପୁଣି କାଶିଲା।
ମୁଁ ଆଉ ସମ୍ଭାଳି ନ ପାରି କହିଲି, ଆଲୋ ମାଉସୀ, ଏତେ କାଶୁଛୁ ମରିଯିବୁ ଦେଖ୍। ଜଲଦି ଡାକ୍ତରଖାନାକୁ ଆସି ଡାକ୍ତର ଦେଖେଇ ଔଷଧ ନେ।
ବୁଢ଼ୀ ତା ପାନଖିଆ ଦାନ୍ତ ମେଲେଇ ହସି ଦେଇ କହିଲା, ତୁ ତ ଆମ ଗାଁର ବଡ଼ ଡାଗଦର। ଆଉ କୋଉ ଡାଗଦର ପାଖକୁ ମୁଁ କେଣପାଇଁ ଯିବି? ତୁ ଦି ଚାରିଟା ବଟିକା କଣ ଦେଇଦେଲେ ମୋର ଭଲ ହେଇଯିବନି?
- ହଉ, ମୋ ରାସ୍ତା ଛାଡ଼। ଫେରିଲା ବେଳକୁ ଔଷଧ ଆଣି ଦେଇଥିବି। ସନ୍ଧ୍ୟାରେ ଘରକୁ ଆସି ନେଇଯିବୁ।
ସେଦିନ ମୁଁ ଟିକିଏ ଡେରିରେ ଘରେ ପହଞ୍ଚିଲି। ମନେ ପଡ଼ିଲା ଏତା ମାଉସୀ କଥା। କାଳେ ସେ ଘରକୁ ଆସି ମୋତେ ନ ପାଇ ଫେରି ଯାଇଥିବ ସେଇ କଥା ଭାବି ମାଆଙ୍କୁ ପଚାରିଲି। ମାଆ ମୁଣ୍ଡ ହଲାଇ ମନା କଲେ। କହିଲେ କାହିଁ ନା ତ କେହି ଆସିନାହିଁ।
ସକାଳୁ ଟ୍ରାଉଜରରେ ହିଁ ଛକ ଆଡ଼େ ଟିକେ ବୁଲି ଆସିବାକୁ ବାହାରିଲି। ଉଦ୍ଦେଶ୍ୟ ଥିଲା ଏତା ମାଉସୀ ଯଦି ଦେଖା ହୋଇଯାଏ ଡାକ୍ତରଖାନାରୁ ଆଣିଥିବା ଔଷଧ ପ୍ୟାକେଟ୍.ଟା ତାକୁ ଧରେଇଦେଇ ନିଶ୍ଚିନ୍ତ ହୋଇଯିବି। ହେଲେ ଛକରେ ମୋତେ ଏକ ଦୁଃଖଦ ଓ ବିସ୍ମୟକର ସମ୍ବାଦ ଅପେକ୍ଷା କରି ରହିଥିଲା।
- ଭାଇନା କଥାଟେ ଶୁଣିଲ? କେହି ଜଣେ ମୋ ଆଡ଼େ ଚାହିଁ ଆଖି ଉଜ୍ଜଳ କରି ପଚାରିଲା।
- କଣ, କି କଥା?
- କାଲି ରାତିରେ ଏତା ମାଉସୀ ମରିଗଲା। ଏବେ ଏବେ ଏଇ ବାଟ ଦେଇ ତାର କୋକେଇ ଯାଇଛି ପରା। ମୁଁ କାବା ହୋଇ ଚାହିଁଲି ତା ମୁହଁକୁ। ମୋତେ ବିଶ୍ୱାସ ହେଉନଥିଲା କଥାଟା। ଏମିତି କଣ ହୋଇପାରେ। ନା, ନା, ଅସମ୍ଭବ। ନିହାତି ଅପ୍ରାକୃତିକ। ଏଥିରେ କିଛି ମଧ୍ୟ ତର୍କ ନାହିଁ। ମୋ ମୁଣ୍ଡଟା କାମ କରୁନଥିଲା। ପାନ ଦୋକାନୀକୁ ସିଗାରେଟ୍ ଟିଏ ମାଗି ଦୁଇ ଦମ୍ ରେ ଶେଷ କରି ଫୋପାଡ଼ି ଦେଇ ଘର ମୁହାଁ ହେଲି।
ମାଆ ତାଙ୍କର ପୂଜା ପାଠରେ ବ୍ୟସ୍ତ ଥିଲେ। ମୁଁ ଗୁଣୁ ଗୁଣୁ ହେଉଥିଲି ମନେ ମନେ। ନା, ନା, ପୁରାପୁରି ଅଯୌକ୍ତିକ ଏକଥା। ହାସ୍ୟାସ୍ପଦ। ବେସ୍ ଲେସ୍।
- କୋଉ କଥା? ମା ଚଉଁରାମୂଳରୁ ଫେରୁ ଫେରୁ ପଚାରିଲେ।
- ମା ଏମିତି କଣ ସମ୍ଭବ? କିଏ ଜଣେ କାହା ବିଷୟରେ କିଛି କହିଲା, ଆଉ ତାହା ସତରେ ପରିଣତ ହେଇଗଲା।
- କୋଉ ବିଷୟରେ ତୁ କହୁଛୁ।
ମୁଁ ଅତ୍ୟନ୍ତ ବିଷାଦ କଣ୍ଠରେ କହିଲି, କାଲି ମୁଁ ଏତା ମାଉସୀକୁ ତାଗିଦ୍ କରି କହିଲି, ମାଉସୀ ଏତେ କାଶୁଛୁ ମରିଯିବୁ ଦେଖ୍। ଆଉ ଆଜି ଦେଖ, ଏତା ମାଉସୀ ଆଉ ନାହିଁ।
ମାଆଙ୍କ ହାତର ପୂଜା ସାମଗ୍ରୀ ହଠାତ୍ ଖସି ତଳେ ପଡ଼ିଗଲା। ମୁଁ ଥରେ ତଳେ ବିକ୍ଷିପ୍ତ ପୂଜାସାମଗ୍ରୀକୁ ଚାହିଁଲି, ପୁଣି ଆଖି ଉଠାଇ ମାଆଙ୍କ ଆଡ଼କୁ। ତାଙ୍କ ଆଖିରେ ଭୟ ଓ ସନ୍ଦେହର ମିଶ୍ରିତ ଭାବ।
- କଣ ହେଲା, ଏମିତି ଛାନିଆ ହୋଇ ଚାହିଁଛୁ ଯେ?
- ଏଁ... ନା, କିଛି ନୁହଁ। ମା ବିବ୍ରତ ଭାବରେ ସାମଗ୍ରୀକୁ ତଳୁ ଉଠାଉ ଉଠାଉ ପଚାରିଲେ, ଆଉ କାହା ପାଖରେ ତୋର ଏ ସନ୍ଦେହ ପ୍ରକଟ କରିନୁ ତ?
- ନା... ଆ... ଆ... କାହାକୁ କହିବି? ଯିଏ ଶୁଣିବ, ପାଗଳ ବୋଲି କହିବ। ବିଶ୍ୱାସଯୋଗ୍ୟ ନୁହେଁ। ହେଲେ ମା, ଥରେ ଯଦି ହେଲା ସଂଯୋଗ ବୋଲି ଧରାଯିବ। ପ୍ରତିଥର କଣ ଏକଥା ସମ୍ଭବ?
- ପ୍ରତିଥର! ଆଗରୁ ମଧ୍ୟ ଆଉ କାହାକୁ କହିଛୁ ଏମିତି କଥା?
- ଦେଖୁନୁ ଗତ ବର୍ଷ ସାହୁଘର ମଝିଆ ପୁଅ, ଗୁଡ୍ଡୁ। ତା ସାଇକଲ୍ ଚଳାଇବା ଢଙ୍ଗ ଦେଖି ତାକୁ କହି ଦେଇଥିଲି, ଏତେ ସ୍ପିଡରେ ସାଇକଲ ଚଳଉଛୁ, ଗାଡ଼ି ମଟର ଆଗରେ ପଡ଼ିଗଲେ...। ତା ପରଦିନ ହିଁ ଏକ୍ସିଡେଣ୍ଟ୍.ରେ ମରିଗଲା ଗୁଡ୍ଡୁ। ଆଉ... ଆଉ ସେ ନରହରିର ଝିଅଟା କେମିତି କନ କନ ଛନ ଛନ ହୋଉଥାଇ, ସମ୍ଭାଳି ନ ପାରି ନରହରିକୁ ଦିନେ କହିଦେଲି, ଆକଟ କରେ ଝିଅକୁ ନ ହେଲେ ଯିବ କେଉଁ ଦିନ କଳା କନା ବୁଲେଇ...। ପରେ ଶୁଣିବାକୁ ମିଳିଲା ଘରୁ ଗହଣା ଗାଣ୍ଠି ନେଇ ଝିଅଟା କେଉଁ ଏକ ଶାଢ଼ୀବାଲା ସାଙ୍ଗରେ ଫେରାର୍। ମାଆ ଏସବୁ କଣ ହେଉଛି, ମୁଁ ବୁଝି ପାରୁନି। ଏମିତି କଥା ଲାଗିଯିବା କଣ ସମ୍ଭବ?
ମାଆ କବାଟଟା ଆଉଜେଇ ଦେଇ ଲାଗି ଆସିଲେ ମୋ ଆଡ଼େ। ତାଙ୍କ ଆଖିର ବ୍ୟସ୍ତ ବିବ୍ରତ ଭାବ ସୂଚାଇ ଦେଉଥିଲା ସେ ମୋତେ କିଛି କହିବାକୁ ଚାହୁଁଛନ୍ତି, ଅଥଚ କେମିତି କଣ କହିବେ ବୁଝି ପାରୁନାହାନ୍ତି। ସେ ଯେମିତି ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି। ମୁଁ ତାଙ୍କୁ ହଲାଇ ଦେଇ ପଚାରିଲି, ମାଆ ତମେ କିଛି ଲୁଚାଉନ ତ ମୋ ପାଖରୁ?
- ଏଁ, ନା। ନା, ନା। ତୁ ବଡ଼ ହେଇଗଲୁଣି। ଏବେ ତୋ ପାଖରେ କଥା ଲୁଚେଇ ମୁଁ ତୋର ସର୍ବନାଶକୁ ନିମନ୍ତ୍ରଣ କରି ପାରିବିନି। ମୁଁ ଚାହିଁଲି ଆବାକାବା ହୋଇ।
- ଏଇଟା ଗୋଟେ ଦୁଷ୍ଟ ଶକ୍ତିର କରାମତି। ତୋ ବାପାଙ୍କୁ ଟାକି ଥିଲା। ଏବେ ସେ ତୋ ପଛରେ। ବାବାଙ୍କ କଥା ସତ ହେଇଗଲା ତା ହେଲେ।
- କି ଦୁଷ୍ଟ ଶକ୍ତି, କେଉଁ ବାବା? ମାଆ, ତମେ କଣ କହୁଛ ମୁଁ କିଛି ବୁଝିପାରୁନି।
- ମୁଁ ମଧ୍ୟ ସେ ସମୟରେ କିଛି ବୁଝି ପାରୁନଥିଲି। ବାପାଙ୍କର ପ୍ରତି ମୁଖନିସୃତ କଥା ସତ୍ୟ ପାଲଟି ଯାଉଥିଲା। ଭଲ କଥାଗୁଡ଼ାକ ଭଲା ସତ ହେଉଥାନ୍ତା। ତାଙ୍କର ଯେତକ ନକାରାତ୍ମକ ଚିନ୍ତା ଓ କଥା ପ୍ରକାଶ୍ୟରେ ସତ୍ୟରେ ପରିଣତ ହୋଇ ଗାଁ ସାହି ଭାଇ, ବନ୍ଧୁବାନ୍ଧବ ମହଲରେ ଅନେକ ଅପ୍ରୀତିକର ଓ ଦୁଃଖଦ ପରିସ୍ଥିତି ସୃଷ୍ଟି କଲା। ବାପା ତୋର ଅନେକ ଚେଷ୍ଟା କଲେ ନିଜ ଜିହ୍ୱାକୁ ନିୟନ୍ତ୍ରଣରେ ରଖିବା ପାଇଁ। ହେଲେ ସେ ଦୁଷ୍ଟ ଶକ୍ତି ଟାକି ବସିଲା ତାଙ୍କର ଜିହ୍ୱା ଓ କଣ୍ଠରେ। ଶେଷରେ... ଶେଷରେ...
ମାଆଙ୍କ ଆଖିରୁ ଧାର ଧାର ଲୁହ ଗଡ଼ି ଆସିଲା।
- ତାପରେ... କଣ ହେଲା ମାଆ, ତୁ କାନ୍ଦୁଛୁ କାହିଁକି?
- ତୁ ସବୁବେଳେ ପଚାରୁନା, ତୋ ବାପାଙ୍କର କଣ ହେଲା, କୁଆଡ଼େ ଗଲେ ବୋଲି? ବାବୁରେ, ତୋ ବାପାକୁ ଗାଁ ବାଲାଏ ଗୁଣିଆ କରୁଛି ଭାବି ଏକାଠି ହୋଇ ରାତି ଅଧରେ ଘରୁ ଟାଣି ନେଇ ଗୋଡ଼େଇ ଗୋଡ଼େଇ ପିଟି ପିଟି ମାରିଦେଲେ।
ମାଆଙ୍କର ସେ ଅବିଶ୍ୱସନୀୟ କଥା ଶୁଣି ଆଖିଡୋଳା ମୋର ବଡ଼ ବଡ଼ ହୋଇ ଆସିଲା। ମାଆ କହି ଚାଲିଥିଲେ।
- ତୁ ସେତେବେଳେ ଦୁଇ ବର୍ଷର ଛୁଆ। ମୁଁ ଏତେ ଡରି ଯାଇଥିଲି ଯେ ସେଇ ଅର୍ଦ୍ଧ ରାତ୍ରରେ ଅନ୍ଧାରକୁ ଚିରି ଘର ଦ୍ୱାର ଛାଡ଼ି ତୋତେ ନେଇ ପଳେଇ ଆସିଲି ଏଇ ଅପରିଚିତ ଗାଁକୁ।
- ସେ ବାବାଙ୍କ କଥା କଣ?
- ଏଠିକି ଆସିବାର ଅନେକ ଦିନ ପରେ ଦିନେ ନିଛାଟିଆ ଖରା ବେଳେ ଜଣେ ଗେରୁଆ ବସ୍ତ୍ର ଜଟ୍ଟାଧାରୀ ବାବା ବସିଥିଲେ ଆମ୍ବତୋଟା ପୋଖରୀ ପାଖର ଝଙ୍କାଳିଆ ବରଗଛ ମୂଳେ। ମୁଁ ପାଖ ଜମିରୁ ମୂଲ ଲାଗି ଫେରୁଥିଲି, ବାବାଙ୍କୁ ଦେଖି ପାଦ ଦୁଇଟା ମୋର ଧୀର ହୋଇଗଲା। ତାଙ୍କର ମୋ ଉପରେ ଦୃଷ୍ଟି ପଡ଼ିଲା କ୍ଷଣି ମୋତେ ହାତ ଠାରି ପାଖକୁ ଡାକିଲେ। ବସିବାକୁ କହିଲେ ପାଖରେ। ମୋର ହାତ ଆଉ କପାଳ ଦେଖି କେତେ କଥା କହିଲେ। ଅତୀତ ଆଉ ଭବିଷ୍ୟତ ମଧ୍ୟ। ଅତୀତର ସବୁ କିଛି ହୁବହୁ ମିଳିଗଲା। ମୋର ତାଙ୍କ କଥାରେ ବିଶ୍ୱାସ ଆସି ଯାଇଥିଲା। ମୁଁ ତୋର ଜନ୍ମ ତିଥି ଆଉ ସମୟ ଦେଇ ତୋ ଭବିଷ୍ୟତ ବିଷୟରେ ପଚାରି ବସିଲି। ସେଇ ବରଗଛ ଚନ୍ଦିନୀରେ ହିଁ ଖଡ଼ିରେ କଣ ସବୁ ଗାର କାଟି ଚମକି ପଡ଼ିଲେ ସେ। କହିଲେ, ଘୋର ବିପତ୍ତି ଆଗକୁ ଅଛି। ତା ବାପା ପରି ପିଲାର ଜିହ୍ୱାଦୋଷ ଅଛି। ଏହାର ଜିହ୍ୱାରେ ଦୁଷ୍ଟଶକ୍ତି ବିରାଜମାନ। ଅନେକ ଉପଚାର ଲୋଡ଼ା। ଭାରି କଷ୍ଟ ତାର ପ୍ରତିକାର। ଦୁଇ ତିନି ପ୍ରକାର ଉପଚାର କହିଲେ ବାବା। ମୁଁ ଆଜି ଯାଏଁ ସେ ସବୁ ପାଳନ କରୁଛି। ହେଲେ ବି ସେ ଯେମିତି କହିଥିଲେ ସେମିତି ହିଁ ହେଲା।
- କଣ କହିଥିଲେ ସେ?
- ସେ କହିଥିଲେ ଜିହ୍ୱାରେ ବିରାଜମାନ ଦୁଷ୍ଟଶକ୍ତିର ଖଣ୍ଡନ ସହଜ ନୁହେଁ। ସେ କେବେ ନା କେବେ ତାର ପ୍ରଭାବ ବିସ୍ତାର କରିବ। କିନ୍ତୁ କେବେ, ସେକଥା କହି ହେବ ନାହିଁ। ଦଶ ବର୍ଷ, କୋଡ଼ିଏ ବର୍ଷ, ପଚାଶ ବର୍ଷ। କହିଲେ, ମାଁ, ମାଁ ସରସ୍ୱତୀଙ୍କୁ ଡାକ, ସେ ଚାହିଁଲେ ଏଥିରୁ ଉଦ୍ଧୃତି ମିଳିବ।
- ମାନେ, ତମେ କହୁଛ, ସେ ଦୁଷ୍ଟ ଶକ୍ତି ମୋ ଉପରେ ପ୍ରଭାବ ବିସ୍ତାର କରିବା ଆରମ୍ଭ କରି ସାରିଲାଣି ଏବଂ ତାରି ପ୍ରଭାବରୁ ଏସବୁ ହେଉଛି?
- ମୁଁ ଆଉ କଣ କହିବି? ସେ ବାବା କହିଲା ପରି ସବୁ ଗୋଟିଏ ଗୋଟିଏ ଘଟି ଘଟି ଯାଉଛି। ବିଶ୍ୱାସ ନ କରି ମୋର ଚାରା ନାହିଁ।
ମାଆଙ୍କର ସେ ଭୟାତୁର ଚାହାଣୀ ଓ ସଂକୁଚିତ ମୁହଁକୁ ଚାହିଁ ପରିବେଶକୁ ହାଲକା କରିବାକୁ ଯାଇ ମୁଁ କବାଟ ଖୋଲିଦେଲି। ମାଆଙ୍କ ଆଡ଼କୁ ଚାହିଁ ହସିଦେଇ କହିଲି, ଯାଃ, ଏ ବିଂଶ ଶତାବ୍ଦୀରେ ତମେ ସେ ପୁରୁଣା କାଳିଆ କଥା ସବୁକୁ ଗଣ୍ଠି ପକେଇ ବସିଛ? ମଣିଷଠୁ ଭଲା ବଡ଼ ଦୁଷ୍ଟ କିଏ ହୋଇ ପାରିବ କହିଲ? ମଣିଷ ଏବେ ମଙ୍ଗଳ ଗ୍ରହରେ ଯାଇ ପହଞ୍ଚିଲାଣି। ଅନ୍ୟ ଗ୍ରହର ପ୍ରାଣୀ ବି ମଣିଷର ଚାଲାକି ଆଗରେ ପ୍ରମାଦ ଗଣୁଥିବେ। ଆଉ ତମେ କହୁଛ ଗୋଟେ ମାନ୍ଧାତା ଯୁଗର ଦୁଷ୍ଟଶକ୍ତି ମୋତେ ବଶ କରିବ ଆଉ ମୁଁ ହାରିଯିବି? ଏଇ ଦେଖ, ଆଜି ଠାରୁ ତମ ପାଦ ଛୁଇଁ ଶପଥ କରୁଛି, କାୟମନୋବାକ୍ୟରେ କାହାରି ଅନିଷ୍ଟ କଥା ଚିନ୍ତା କରିବିନି, କୌଣସି ନକରାତ୍ମକ ଭାବନା ମନକୁ ଆଣିବିନି। ଦେଖିବା କେମିତି ସେ ଦୁଷ୍ଟଶକ୍ତି ମୋତେ ବଳେଇଯିବ।
ମୋର ସଂକଳ୍ପ ଦେଖି ମାଆଙ୍କର ବିଶ୍ୱାସ ସତେକି ଫେରି ଆସୁଥିଲା। ତାଙ୍କ ମୁହଁ ଧୀରେ ଧୀରେ ଉଜ୍ଜଳ ହୋଇ ଉଠୁଥିଲା। ହେଲେ ମୋ ମନଟା ନୈରାଶ୍ୟରେ ଭରି ଯାଉଥିଲା କ୍ଷଣକୁ କ୍ଷଣ। ଆହା ବିଚାରୀ, ଏତା ମାଉସୀ! ମୋ ଜିହ୍ୱାଦୋଷରୁ କଣ ତାର ପ୍ରାଣ ଗଲା? ସତେ ଏମିତି କଣ ସମ୍ଭବ! ଭାବୁଛି, ଆଖିରେ ପଡ଼ିଲା ପଡ଼ୋଶୀ ଘର ପ୍ଳସ୍ ଟୁ ପଢ଼ୁଆ ମୁନା ତାଙ୍କ ବାରଣ୍ଡାଟାରେ ବସି ଜେମ୍ସ୍ ହେଡ୍.ଲି ଚେଜ୍.ଙ୍କ ନଭେଲ୍ ଓଲଟାଉଛି। ପାଟିରୁ ମୋର ବାହାରିଗଲା, ଯିବୁରେ ବାତେରା, ତିନି ପାଞ୍ଜି...ରୁ... ହଠାତ୍ ସଂକଳ୍ପ କଥା ମନେ ପଡ଼ି ମୋ ହାତଟାକୁ ପାଟି ଉପରେ ଚାପି ଧରିଲି।