Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

T.Durga Prasad Rao

Tragedy

2  

T.Durga Prasad Rao

Tragedy

ସଙ୍ଗ ସହାନୁଭୁତି

ସଙ୍ଗ ସହାନୁଭୁତି

6 mins
491


କଣ ଚାଲିଛି? ବରୁଣ ବହି ଉପରୁ ଦୃଷ୍ଟି ଉଠାଇ ଚାହିଁଲା ଦରଜା ଆଡ଼େ। ଦୁଇ ହାତ ପଛକୁ ଯୋଡ଼ି ହଲି ଝୁଲି ଧୀରେ ଧୀରେ ଘର ଭିତରେ ପ୍ରବେଶ କରୁଛି ସରିତା। ସରିତା ଲେଖା ଯୋଖାରେ ମାଉସୀ ଝିଅ। ମାମୁଁଘର ଗାଁରେ ତା ଘର ସେହି ହିସାବରେ ମାଉସୀ ଝିଅ। ବରୁଣ ସିଧା ହୋଇ ବସିଲା ଚୌକିରେ।

- ଓ, ପଢା ଚାଲିଛି

- ହୁଁ

- ପରୀକ୍ଷା କେବେ କି

- ଆସନ୍ତା ମାସରେ

- ଆମର ମଧ୍ୟ। ମାସ ଶେଷ ଆଡ଼କୁ। ତୋର ଇଂଲିସ୍ ମିଡ଼ିୟମ୍ ନା

- ହୁଁ

- ମ୍ୟାଥ୍ ହୋଉନଥିବ ଠିକ୍.ରେ

ବରୁଣ ସ୍ଥିର ଦୃଷ୍ଟିରେ ଚାହିଁଲା ସରିତା ଆଡ଼େ

- ତୋତେ କିଏ କହିଲା

- ମୁଁ ଜାଣିଛି। ଇଂଲିସ୍ ମିଡ଼ିୟମ୍ ପିଲାଙ୍କ ମ୍ୟାଥ୍ ଭଲ ହୁଏନା

- ତୋର ମ୍ୟାଥ୍ ଭଲ ହେଉଥିବ ତାହେଲେ? କେତେ ମାର୍କ ଆସିଛି ଗତ ବର୍ଷ

- ଛସ୍ତରି... କ୍ଳାସ୍.ରେ ଫାଷ୍ଟ୍

- ଛସ୍ତରି ମାନେ ସେଭେଣ୍ଟି ସିକ୍ସ ତ? ଏତିକି? ମୋର ନାଇଣ୍ଟି ଟୁ। ଟିକିଏ ରହି ବରୁଣ କହିଲା, ଟେନ୍.ଥ ରେ ଏତିକି ରହିଲେ ତୋତେ ପ୍ଳସ୍ ଟୁ ରେ ସିଟ୍ ମିଳିବନି

ସରିତା ଆଖି ଡୋଳା ଦୁଇଟିକୁ ଦୁଇ କଡ଼କୁ ନଚେଇଲା

- ହଅ... ବେଶୀ ପଢ଼ିଲେ କଣ ହବ ଯେ ମୋର? ତୁ ଜାଣିନୁ କି, ଝିଅମାନଙ୍କର ପାଠଟା ମାପକାଠି ନୁହେଁ। ବରୁଣ ଚାହିଁ ରହିଲା ଚୁଲବୁଲି ସରିତା ଆଡ଼େ। ତାର କଥା କହିବାର ଭଙ୍ଗୀ, ଆଖିର ଚାହାଣୀ, ହସିଲା ବେଳେ ଗାଲରେ ପଡ଼ୁଥିବା ଭଉଁରୀ।

- ମାପକାଠି? କେଉଁଥିପାଇଁ

- ବା ହବା ପାଇଁ। ଆଉ କେଉଁଥିପାଇଁ

ବରୁଣ ଚମକି ପଡ଼ିଲା। ସରିତା ବରୁଣର ଆଉ ଟିକେ ପାଖକୁ ଲାଗି ଆସି ତାର ହାତ ଦେଖାଇ କହିଲା, ଦେଖୁଛୁ ଏ ହାତ, କେତେ ଗୋରା। ଏଇ ଦେଖ୍, ମୋ ଆଖି, ଦିଶୁନି କଳା ଭଅଁର ପରିକା? ଓଠ ଦେଖୁଛୁ, ମୋଟେ ଲିପଷ୍ଟିକ୍ ଲଗେଇନି, ହେଲେ ବି ଲାଲ୍ ଦିଶୁନି

ବରୁଣ ଚାହିଁଲା ସେ ଆଡ଼େ। ହାତ, ହାତରୁ ଆଖି, ଆଖିରୁ ଓଠ। ପୁଣି ଓଠ ପାଖରୁ ଚାହାଣୀ ଖସି ତାର ଛାତି ଉପରେ ନିବଦ୍ଧ ହେଲା। ଯେମିତି ସରିତାର ଆଖି ସହ ତା ଆଖି ମିଶିଛି, ବରୁଣ ଚଟ୍ କରି ମୁହଁ ବୁଲାଇନେଲା। ଅତର୍କିତ ଟେବୁଲ୍ ଉପରୁ ବହିଟିଏ ଉଠାଇ ନେଇ ବିଞ୍ଚି ହେଉ ହେଉ କହିଲା,

- ଓଃ! ଭାରି ଗରମ

ଓଠ ଚିପି ହସିଲା ସରିତା। ତାପରେ ନିଜକୁ ସଂଯତ କରି ନ ପାରି ହସି ପକାଇଲା ଜୋର୍.ରେ

- ହାଁ... ହାଁ... ହାଁ... ହାଁ... ବଦ୍.ମାସ୍। ତାପରେ ଦୌଡ଼ି ଚାଲିଗଲା ତଳ ମହଲାକୁ। ବରୁଣ ଆଖି ତୋଳି ଚାହିଁଲା ଉପରକୁ। ସିଲିଂ ଫ୍ୟାନ୍.ଟି ଘୁରୁଥିଲା ଘିର୍ ଘିର୍ ହୋଇ।

- ଇସ୍! କଣ ଭାବିଥିବ ସରିତା? ବରୁଣର ଆଖି ଦୁଇଟା ମୁଦି ହୋଇଗଲା।

ଖରାଛୁଟି। ବରୁଣର ଛୁଟି କଟୁଛି ମାମୁଁ ଘରେ। ନିତି ଦେଖା ହେଉଛି ସରିତା ସାଙ୍ଗରେ। ଆଉ ନିତି କିଛି ନା କିଛି ନେଇ ଆସିଥାଏ ବରୁଣ ପାଇଁ। ଆଜି କୋଳି, କାଲିକି ପିଜୁଳି ତ ପୁଣି କେବେ ଚକୁଳି, ଏମିତି ଯେତେବେଳେ ଯାହା ହାତରେ ପଡ଼େ।

- ଆଛା, ତୋର କଣ କିଛି ନାହିଁ, ମୋତେ ଯାଚିବା ପାଇଁ? ସରିତା ଆଖି ନଚେଇ ପଚାରେ।

- କଣ ଅଛି ମୋ ପାଖରେ?

- ସମୁଦ୍ର! ସରିତା ଚିଡ଼ାଏ ବରୁଣକୁ

- ଆଉ ତୁ ସରିତା... ନଦୀ। ଉଁ ହୁଁ, ପାହାଡ଼ିଆ ନଦୀ। ଖରାଦିନେ ଶୁଖିଲା। ଗୋରୁ ମୁତିଲା ପରି ଧାରେ।

- ତୁ ଜାଣିନୁ, ସେଇ ଧାରେ ପାଣି ମଧ୍ୟ ଆମେ ଅକୁଣ୍ଠ ଚିତ୍ତରେ ସମୁଦ୍ରରେ ଢ଼ାଳି ଦେଉ। ସମୁଦ୍ର କରେ କଣ? ଟୋପେ ପାଣି କାହାକୁ ଦିଏ? ନା, ସେ ପାଣିରେ କାହାର ଶୋଷ ମେଣ୍ଟେ? ଖାଲି ନେବାଟା ଶିଖିଛି। କଂଜୁସ୍...

ବରୁଣ ଏ ପାଖ ସେ ପାଖ ଚାହିଁ ସରିତାର ଗାଲରେ ଚୁମାଟିଏ ଆଙ୍କି ଦିଏ।

- ଏଥର ଶୋଷ ମେଣ୍ଟିଲା ତ?

- ହାଁ... ହାଁ... ହାଁ... ହାଁ... ବଦ୍.ମାସ୍। ସରିତା ଲାଜେଇ ଯାଇ ଉଠି ଚାଲିଯାଏ ସେଠାରୁ।

ଅନେକ ବର୍ଷ ବିତିଯାଇଛି। ବରୁଣ ଏବେ ଏକ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ ଜବ୍ ପାଇ ମୁମ୍ୱାଇରେ ରହୁଛି। କିସ୍ତିରେ ଫ୍ଳାଟ୍.ଟିଏ ନେଇଛି। ସାଙ୍ଗରେ ରହୁଛନ୍ତି ମାଆ ଓ ସାନ ଭାଇ। ବାପା କେବେ ଠାରୁ ଇହଧାମ ତ୍ୟାଗ କରି ସାରିଲେଣି। ସାନ ଭାଇକୁ ମଣିଷ କରିବା ଦାୟିତ୍ୱ ଏବେ ବରୁଣର। ସେଥିପାଇଁ ଦିନ ରାତି ଏକ କରି ସେ ପରିଶ୍ରମ କରୁଛି। ଜବ୍ ସାଙ୍ଗକୁ ସାନଭାଇର ଟିକିନିଖି ସବୁକଥା ବୁଝୁଛି। ଦାୟିତ୍ୱବୋଧର ବୋଝ ତଳେ ବରୁଣ ଯେ ସରିତାକୁ ଭୁଲି ଯାଇଛି, ସେକଥା ନୁହେଁ, ହେଲେ କାର୍ଯ୍ୟବ୍ୟସ୍ତତା ଭିତରେ ସରିତାର ସ୍ମୃତିର ଆଇନାରେ ଧୂଳି ଜମିଯାଇଛି ଯାହା। ହଠାତ୍ ଦିନେ ନମିତା ମାଉସୀ ଆଉ ସରିତାର ଆଗମନ ସେଇ ଧୂଳିକୁ ପୋଛି ପକାଇଲା। ଘରେ ପାଦ ନ ଦେଉଣୁ ସରିତାକୁ ଦେଖି ଚମକି ଗଲା ବରୁଣ। ସରିତା ଆଗ ପରି ଝଟକୁ ନ ଥିଲା। ପତଳା ଦିଶୁଥିଲା। ଆଖି କୋଟରକୁ ଚାଲି ଯାଇଥିଲା। ଶେଠା ପଡ଼ି ଯାଇଥିଲା ଓଠ। ସୀମନ୍ତରେ ସିନ୍ଦୁର ଆଉ ହାତରେ ବେଜାଏ କାଚର ଚୁଡ଼ି ସୂଚାଇ ଦେଉଥିଲା ସରିତା ବିବାହିତା।

କୁଶଳ ମଙ୍ଗଳ ପଚାରି ହାତ ମୁହଁ ଧୋଇବାକୁ ଭିତରକୁ ଚାଲିଗଲା ବରୁଣ। ମାଆ କହିଲେ, ସେମାନେ ଡାକ୍ତର ଦେଖେଇବାକୁ ଆସିଛନ୍ତି। ଏଇଠି ତିନି ଚାରି ଦିନ ରହିବେ। ପ୍ରଥମ ଦିନଟା ତାଙ୍କୁ ହସପିଟାଲ ନେଇ ଡାକ୍ତର ସହିତ କଥାବାର୍ତ୍ତା କରେଇଦବୁ।

- କାହାର କଣ ହେଇଛି?

- କେଜାଣି କଣ ହେଇଛି, କିଏ ଜାଣିଛି? ଦେଖୁନୁ କେମିତି ଦିଶୁଥିଲା, କଣ ହେଇଯାଇଛି।

- ସରିତା କଥା କହୁଛୁ? ହେ... ନା, କିଛି ହେଇ ନ ଥିବ।

- ମୁମ୍ବାଇରେ କେହି ନାହିଁ, ଆମ ଘରକୁ ଆସିଲେ। ଠିକ୍ କଲେ ଯେ... ଯେତେ ଶୀଘ୍ର ହସପିଟାଲରେ ଆଡ୍ ମିଟ୍ କରେଇଦବା ଭଲ ହେବ।

- ମାଆ, ତୋର ଯେତେ ସବୁ ଅମୂଳକ ସନ୍ଦେହ। ନମିତା ମାଉସୀ ପରା ତୋ ସାଙ୍ଗ?

- ସାଙ୍ଗ ବୋଲି ତ ତତେ ସାହାଯ୍ୟ କରିବାକୁ କହୁଛି। ମୁମ୍ବାଇ ଆସିଛନ୍ତି ଡାକ୍ତର ଦେଖେଇବାକୁ, କିଛି ବଡ଼ କଥା ନ ଥିଲେ କାହିଁକି ଆସନ୍ତେ? ଆଉ ସାଙ୍ଗ ବୋଲି ରୋଗୀଗୁଡ଼ାକୁ ମୁଁ ଘରେ ରଖିବି ନା କଣ?

- ହଉ, ରହ ମୁଁ ବୁଝେ କଥାଟା କଣ। ମାଆ କିଚେନ୍ ଆଡ଼କୁ ପାଦ ପକାଉ ପକାଉ କହିଲେ, ବେଶୀ ପାଖରେ ପାଖରେ ହବୁନୁ, କି ରୋଗ କଣ...

- ମାଆ...

ମାଆ ଚାଲିଗଲେ କିଚେନ୍.କୁ। ବରୁଣ ଆସି ବସିଲା ସାମ୍ନା ସୋଫାରେ।

- ମାଆ କଣ କହୁଥିଲା ତୋର ଦେହ ଖରାପ। ବରୁଣ ସରିତା ଆଡ଼େ ଅନେଇ ପଚାରିଲା।

ସରିତା କେବଳ ମୁଣ୍ଡ ଟୁଙ୍ଗାରିଲା।

- କଣ ହେଇଛି?

- କ୍ୟାନ୍.ସର୍। ବରଫ ପରି ଶୀତଳ କଣ୍ଠରେ କହିଲା ସରିତା। ବରୁଣ ହତଚକିତ ହୋଇ ଅନେଇ ରହିଲା ସରିତା ଆଡ଼େ। ତା ପାଟିରୁ ଆଉ କିଛି କଥା ବାହାରିଲା ନାହିଁ।

ସେମିତି କେତେଥର ଗାଁରୁ ମୁମ୍ୱାଇ ଯିବା ଆସିବା ଲାଗି ରହିଲା ସରିତାର। କେଉଁଥର ସରିତାର ଦାଦା ଆସିଲେ ତା ପର ଥରକୁ ସରିତାର ମାଆ ଆସନ୍ତି। କେବେ ମଧ୍ୟ ତା ସ୍ୱାମୀ ସାଙ୍ଗରେ ଆସେନି। ପଚାରି ବୁଝିଲା ବେଳକୁ ରୋଗ କଥା ଜାଣିଲା ପରେ ତାର ସ୍ୱାମୀ ଛାଡ଼ି ଯାଇଛି ମାଆ ଘରେ। ଆଉ ନେବାକୁ ଆସୁନି। ଶୁଣାଯାଉଛି ଟାଟାରେ ସେ କାହାକୁ ଗୋଟେ ରଖିଛି। ସରିତାର ଦୁର୍ଦିନରେ ତା ସ୍ୱାମୀ ତା ପାଖରେ ନାହିଁ। ମଣିଷ ଏଡ଼ିକି ନିର୍ଲ୍ଲଜ ହୋଇପାରେ? ବରୁଣ ଆଉ ଭାବି ପାରୁନଥିଲା ଆଗକୁ। ସାଧ୍ୟମତେ ନିଜର ଉପସ୍ଥିତି ସହ କିଛି କିଛି ଆର୍ଥିକ ସାହାଯ୍ୟ କରିବା ଛଡ଼ା ତା ପାଖରେ ଅନ୍ୟ ଉପାୟ କିଛି ନ ଥିଲା। ଶେଷରେ ଡାକ୍ତର ସମୟ ଦେଇଦେଲେ ଆଉ ମାତ୍ର ଦୁଇମାସ। କହିଲେ, ହସପିଟାଲ୍ ଆସିବା ଦରକାର ନାହିଁ। ଯେତିକି ସମ୍ଭବ ଖୁସିରେ ରଖିବାକୁ ଚେଷ୍ଟା କର। ସେଦିନ ବରୁଣ ଦେଖିଲା ନମିତା ମାଉସୀଙ୍କୁ। ହସପିଟାଲରୁ ଘରକୁ ଆସିବା ଭିତରେ କେମିତି ଲୁଚେଇ ଲୁଚେଇ କାନ୍ଦୁଥିଲେ ସେ। ଏତେଦିନ ସରିତା ବଞ୍ଚିଯିବ ବୋଲି ଯେଉଁ କ୍ଷୀଣ ଆଶାଟିକକ ତାଙ୍କ ଭିତରେ ତେଜିଥିଲା, ତାହା ମଉଳିଗଲା ଡାକ୍ତରଙ୍କ କଥାରେ। ସରିତାର ନିର୍ଲିପ୍ତ ମୁଖଟିକୁ ଚାହିଁଦେଲା କ୍ଷଣି ବରୁଣ ଭିତରେ କେଉଁଠି କିଛି ଘାଣ୍ଟି ହେଇ ଯାଉଥିଲା। ହେଲେ, କାନ୍ଦୁନଥିଲା ବରୁଣ। ସରିତାର ଗାଁକୁ ଫେରିବା ପୂର୍ବଦିନ ବରୁଣ କହିଲା, ଚାଲ୍, ଆଜି ତୋତେ ମୁମ୍ବାଇର ସବୁ ଭଲ ଭଲ ସ୍ଥାନ ବୁଲେଇ ଆଣିବି। ସରିତା ଶୂନ୍ୟ ଆଖିରେ ହସ ଫୁଟାଇ କହିଲା, ତୋତେ ଡର ଲାଗୁଛିନା, ମୁଁ ଆଉ ମୁମ୍ବାଇ ଆସିବିନି ବୋଲି। ବରୁଣ ଛେପ ଢୋକିଲା। କିଛି କହିପାରିଲା ନାହିଁ। ଟ୍ୟାକ୍ସିଟିଏ ଭଡ଼ା କରି ଦୁହେଁ ବାହାରିଲେ। ରାସ୍ତାରେ ଅନେକ କଥାବାର୍ତ୍ତା। ପିଲାଦିନ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ। ସରିତା ପ୍ରଗଳ୍ଭ ହୋଇ ଉଠୁଥିଲା ବେଳକୁ ବେଳ। ସେ ଭୁଲି ଯାଇଥିଲା ନିଜ ରୋଗ କଥା, ଡାକ୍ତରଙ୍କ କଥା। ଅବା ଭାବୁଥିବ, ମୃତ୍ୟୁ ତ ଅବଶ୍ୟମ୍ଭାବୀ, ସେଇ ଶୋଚନାରେ କଣ ବଞ୍ଚିବା ଛାଡ଼ିଦେବ?

ସନ୍ଧ୍ୟା ଆସନ୍ନ ପ୍ରାୟ। ଦୁହେଁ ଯାଇ ବସିଲେ ସମୁଦ୍ର କୂଳରେ। ସରିତା ମୁଠାଏ ବାଲିକୁ ହାତ ପାପୁଲିରେ ଧରି ରଖିବାକୁ ଚେଷ୍ଟା କରି ନିରାଶ ହେଉଥିଲା। ବରୁଣ ଭାବୁଥିଲା, ସମୟକୁ ଧରି ରଖିବା ମନୁଷ୍ୟ ପକ୍ଷରେ କେବେ ସମ୍ଭବ ହୋଇନି। ନହେଲେ ଯେଉଁ ସରିତାକୁ ସେ କିଶୋର ସମୟରେ ଏତେ ଭଲ ପାଉଥିଲା, ସମୟର ପଦାଘାତରେ ସେଇ ସରିତା ଠାରୁ ସେ ଏବେ ଦୂରରେ। ତାର ପାର୍ଥିବ ଶରୀରଟା ଆଖି ଆଗରେ ଥାଇ ବି ତା ଠୁଁ ଅନେକ ଦୂରରେ...। ସମୟ ଆଗରେ ମନୁଷ୍ୟ କେତେ ନିଃସହାୟ ସତେ! ସରିତା ବରୁଣର କାନ୍ଧରେ ମୁଣ୍ଡ ଆଉଜେଇ ଏକ ଲୟରେ ଚାହିଁ ରହିଥିଲା ଲହଡ଼ା ଆଡ଼େ। ହୁଏତ ଭାବୁଥିବ, ଏ ସମୁଦ୍ର ଲହଡ଼ା ପରି କୂଳରେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ତା କଥା କେହି ଶୁଣିବେ ନାହିଁ। ସମସ୍ତଙ୍କର ସମୟ ସ୍ଥିରୀକୃତ। ପ୍ରତି ଜୀବନରେ ଯବନିକା ସୁନିଶ୍ଚିତ। କିଏ ଆଗ, କିଏ ପଛ। ବରୁଣ ସରିତାର ହାତ ପାପୁଲିକୁ ନିଜ ପାପୁଲିରେ ରଖିଲା। ନିରେଖି ନିରେଖି ଚାହିଁଲା ଶେଥା ପଡ଼ି ଆସୁଥିବା ଆଙ୍ଗୁଳି ଗୁଡ଼ିକୁ। କାହା ଦେହରେ ମଧ୍ୟ ଉତ୍ତାପ ନ ଥିଲା। ନା ଥିଲା ଶିହରଣ। ଅନ୍ୟ ସମୟ ହୋଇଥିଲେ ସରିତା ବଡ଼ ପାଟିରେ ହସି ଉଠି କହିପକାନ୍ତା, ବଦ୍.ମାସ୍। ହେଲେ, ଏଇଟା ସମୟ ନୁହେଁ କି ସେ ଯାହା କରୁଛି ତାହା ପ୍ରେମ ନୁହେଁ। ହୁଏତ ଏକ ଦରଦୀ ଆତ୍ମା ପ୍ରତି ତା ଅନ୍ତରରୁ ବାହାରି ଆସୁଥିବା ସଙ୍ଗ ସହାନୁଭୁତି ମାତ୍ର। ସରିତା ନିଶ୍ଚୟ ବୁଝିପାରୁଛି ଏତକ।



Rate this content
Log in

More oriya story from T.Durga Prasad Rao

Similar oriya story from Tragedy