Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

T.Durga Prasad Rao

Inspirational


4  

T.Durga Prasad Rao

Inspirational


ସ୍ୱାଭିମାନ ରକ୍ଷା

ସ୍ୱାଭିମାନ ରକ୍ଷା

8 mins 23.2K 8 mins 23.2K


ୱର୍କସାଇଟ୍.ରେ ବସି ବସି ଟାଣ ଖରାରେ ସିଝି ସାରିଥିଲା ଶଶାଙ୍କ। କଣ୍ଟ୍ରାକ୍ଟର ଥରେ ଦୁଇଥର କହି ସାରିଲେଣି ଭିତରେ ଯାଇ ବସିବା ପାଇଁ। ହେଲେ ଶଶାଙ୍କ ଉଠି ପାରୁନାହିଁ କାମ ପାଖରୁ। ସମୟ ସାଢ଼େ ଦୁଇ ବାଜିଲାଣି। ବର୍ତ୍ତମାନ ଯାଏଁ ଖାଇବା ପ୍ରସ୍ତୁତ ହୋଇନି। ମାତ୍ର ତିରିଶି ଜଣଙ୍କ ପାଇଁ ରୋଷେଇ। ଅଥଚ ସକାଳୁ ତିନିଟା ଲୋକ ଲାଗିଛନ୍ତି ଯେ ସରୁନାହିଁ। ଶଶାଙ୍କ ଭାବିଲା, ନା, ଆଉ ବସି ଲାଭ ନାହିଁ। ବରଂ ପାଖ ଛକରୁ କଣ କିଛି ଖାଇଦେଇ ରୁମ୍.କୁ ପଳେଇଯିବ। ଯେଉଁ ରେଟ୍.ରେ ମଟନ୍ କଷା ଚାଲିଛି ଚାରିଟା ବାଜିବ। ଆଉ ଶଶାଙ୍କ ଭୋକ ସମ୍ଭାଳି ପାରେନାହିଁ। ଚେୟାର୍.ରୁ ଉଠି ଗାଡ଼ି ପାଖକୁ ଗଲା। ଡିକିରୁ ପାଣି ବୋତଲ ବାହାର କରି ଢକ ଢକ କରି ଅଧା ଗଳାଧଃକରଣ କରିନେଲା। କଣ୍ଟ୍ରାକ୍ଟରକୁ ହାତ ହଲାଇ ଦେଇ ଗାଡ଼ି ଷ୍ଟାର୍ଟ୍ ଦେଲା ଶଶାଙ୍କ। ପଛରୁ କଣ୍ଟ୍ରାକ୍ଟରର ପାଟି ଶୁଭିଲା, “ସାର୍, ସାର୍, କୁଆଡ଼େ ବାହାରିଲେ, ଖାଇବା ବ୍ୟବସ୍ଥା ହୋଇଛି ଯେ।” ଶଶାଙ୍କ ଜାଣେ ତା ପାଇଁ ଆଜି ଖାସ୍ ବ୍ୟବସ୍ଥା କରାଯାଉଛି। ହେଲେ ଏତେ ସମୟ ଭୋକ ସମ୍ଭାଳି ପାରିବନି ଶଶାଙ୍କ। ବିରକ୍ତିରେ ମନ ଭିତରଟା ଝାଡ଼ି ହୋଇଗଲା। କିଛି ଗୋଟେ ଫାଙ୍କିବାକୁ ପଡ଼ିବ। ସେ ଗାଡ଼ିରୁ ଓହ୍ଲାଇ ଠିଆ ହେଲା। ଦୂରରୁ କନିଷ୍ଠ ଯନ୍ତ୍ରୀ ଚାହିଁ ରହିଥିଲେ ଏଇଆଡ଼େ। କଣ୍ଟ୍ରାକ୍ଟର ପାଖକୁ ଆସି ଶଶାଙ୍କକୁ ଲାଗି ଠିଆ ହୋଇ କହିଲା, “ଆଉ ଅଳ୍ପ ସମୟ ସାର୍, ସରି ଆସିଲାଣି। ଖରା ଟାଣ ହେଉଛି। ଆପଣ ବରଂ କାମ ପାଖରେ ନ ବସି ଭିତରେ ବସନ୍ତୁ। ମୁଁ ଦେଖୁଛି କାହିଁକି ଡେରି ହେଉଛି।” ଶଶାଙ୍କ ମୁଣ୍ଡ ହଲାଇ ଦେଇ କହିଲା, “ନା, ଖାଇ ହବନି। ପେଟ ଖରାପ ମନେ ହେଉଛି, ସକାଳୁ ଗ୍ୟାସ୍ ଟାବ୍.ଲେଟ୍ ଖାଇଥିଲି। ତଥାପି ପ୍ରୋବ୍ଳେମ୍ କରୁଛି।”

“ସାର୍, ଏଇ ପ୍ରୋବ୍ଳେମ୍ ଖାଇବା ଡେରି ଯୋଗୁଁ, ଆଉ କିଛି ନୁହେଁ। ଖାଇଦେଲେ ଠିକ୍ ହୋଇଯିବ।”

ଶଶାଙ୍କ ମନେ ମନେ ବିଗିଡ଼ି ଗଲା। “ଜାଣିଛୁ ତ ବାବୁ ମହାଶୟ, ତେବେ ପ୍ରିପାରେସନ୍.ରେ ଏତେ ଡେରି କାହିଁକି ହେଉଛି?” ହେଲେ ବାହାରକୁ ସେ କଥା ନ କହି କହିଲା, “ହଁ ମୋର ବେଳେ ବେଳେ ସେମିତି ହୁଏ। ମୋଟେ କିଛି ନ ଖାଇଲେ ଆପେ ଠିକ୍ ହୋଇଯାଏ। ମୋତେ ଟିକେ ରେଷ୍ଟ ଦରକାର। ତାଛଡ଼ା ଜେ.ଇ. ତ ଅଛନ୍ତି, ଅସୁବିଧା କଣ?” କଣ୍ଟ୍ରାକ୍ଟର ଦାନ୍ତ ଦି ଧାଡ଼ି ମେଲି ଦେଇ କହିଲା, “ସାର୍, ମନଟା ପାଣିଚିଆ ହେଇଗଲା।”

“କହ, ସୁବିଧା ହୋଇଗଲା। ମୁଁ ତ ରହିବିନି ନା... ” ଶଶାଙ୍କ ମନକୁ ମନ କହିଲା। ଅପରନ୍ତୁ, ପ୍ରତ୍ୟୁତ୍ତରରେ ହସି ଦେଇ ବାଇକ୍ ଷ୍ଟାର୍ଟ୍ କରି ଚାଲି ଆସିଲା।

ଛକ ପାଖ ହୋଟେଲ୍। ଖୋଲାରେ ବେଞ୍ଚସବୁ ପଡ଼ିଛି। ହାତ ଧୋଇ ଗୋଟିଏ ବେଞ୍ଚ୍ ଉପରେ ବସି ପଡ଼ି ଖାଇବା ଅର୍ଡର କଲା ଶଶାଙ୍କ। ଖାଇବାକୁ ହାତ ଦେଇଛି, ଦେଖିଲା ଚିରା ମଇଳା ପୋଷାକପିନ୍ଧା ପିଲାଟିଏ ତା ପତ୍ର ଆଡ଼େ ଅପଲକ ଚାହିଁ ରହିଛି। ବିରକ୍ତିରେ ନାସା ତାର କୁଞ୍ଚିତ ହୋଇ ଆସିଲା। ସ୍ୱାଧୀନତାର ଛଷଠି ବର୍ଷ ପରେ ମଧ୍ୟ ଦାରିଦ୍ର୍ୟର ଅନ୍ତ ନାହିଁ। ସେ ପତ୍ରଟିକୁ କିଛି ଦୂରରେ ପିଲାଟି ଆଡ଼କୁ ଥୋଇ ଦେଇ ପୁଣି ଥରେ ଅର୍ଡର୍ କଲା। ଖାଇ ସାରି ପଇସା ଦେଇ ଫେରିଲା ବେଳକୁ ତାର ଦୃଷ୍ଟି ପଡ଼ିଲା ତଳେ ଥୋଇଥିବା ଖଲି ଉପରେ। ଯେମିତି ସେମିତି ଅଛି। ଖାଦ୍ୟ ନଷ୍ଟ ହୋଇଥିବାରୁ ଆଉ ଟିକେ ବିରକ୍ତ ହେଲା ଶଶାଙ୍କ।

“ଶଳା, ନବାବ ସାହେବ। ୟାକୁ ପୁରୀ, ପଲଉ ଦରକାର।”

ହୋଟେଲ୍ ମାଲିକ ମଧ୍ୟ କଥା ଯୋଡ଼ି କହିଲା, “ସାର୍, ଏଗୁଡ଼ାଙ୍କର ସ୍ୱଭାବ ସେୟା। ଖାଇବାକୁ ଦେଲେ କହିବେ କାମ ଦିଅ। କାମ ଦେଲେ କହିବେ, ଏଇଟା ଜାଣିନି, ସେଇଟା ଜାଣିନି।”

ତେବେ, ଖାଇ ସାରିଥିବାରୁ ଶଶାଙ୍କର ଚିଡ୍ ଚିଡ୍ ସ୍ୱଭାବ ଟିକେ କମିଥିଲା। ମନେ ମନେ ସ୍ୱଗତୋକ୍ତି କଲା, “ଓହୋ, ପୈତୃକ ପ୍ରାଣଟା ବଞ୍ଚିଗଲା। ସେ କଣ୍ଟ୍ରାକ୍ଟର କଥା ଶୁଣିଥିଲେ ନିଶ୍ଚିତ କିଏ ଗୋଟେ ମୋ ହାତରେ ମର୍ଡର୍ ହେଇଯାନ୍ତା ଆଜି।” ତେଣେ ମୋବାଇଲ୍ ଫୋନ୍.ଟା ସଜୋରେ ବାଜି ଉଠିଲା। ଘରୁ ଫୋନ୍ ଆସିଥିଲା ବୋଉର।

“ହଁ ବୋଉ କହ।”

“କୋଉଠି ଅଛୁ ତୁ? ଖାଇଲୁଣି କି ନା?” ବୋଉ ଶଶାଙ୍କକୁ ଠିକ୍ ଚିହ୍ନେ। ତେଣୁ ସମୟାନୁସାରେ ଖାଇବା କଥା ଆଗ ପଚାରେ।

“ହଁ, ହଁ ଖାଇ ସାରିଲିଣି। କଣ କହିବାର ଅଛି କହୁନୁ?”

“କିଛି ନାହିଁ। ସବିତାର ଆର ସପ୍ତାହରେ ନିର୍ବନ୍ଧ। ତୁ ତ ଜାଣିଛୁ ତାକୁ ଦେଖିବାକୁ ବୁର୍ଲାରୁ ଆସିଥିଲେ।”

“ମୁଁ କଣ କରିବି?”

“ରିଙ୍କି ଛୁଟି ନେଇ ଆଜି ଆସି ପହଞ୍ଚିଛି। ତା ଜନ୍ମଦିନ ପହରିଦିନ। ବାପା ଛୋଟିଆ ପୂଜାର ବ୍ୟବସ୍ଥା କରିଛନ୍ତି ମହାଦେବ ମନ୍ଦିରରେ। ତୁ ସମୟ ନେଇ ଆସିଲେ ଭଲ ହୁଅନ୍ତା। ଦୁଇଟାଯାକ କାମ ହେଇଯାନ୍ତା।”

ସବିତା ଶଶାଙ୍କର ବଡ଼ମା’ ଝିଅ। ଆଉ ରିଙ୍କି ତାର ନିଜ ଭଉଣୀ। ବୟସ ପ୍ରାୟ ପାଖାପାଖି। ଦୁହେଁ ଦୁହିଁଙ୍କର ଘନିଷ୍ଠ ସାଙ୍ଗ। ତେଣୁ ସାଙ୍ଗର ବାହାଘରରେ ରିଙ୍କି ଆଗତୁରା ଛୁଟି ନେଇ ପହଞ୍ଚିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା। ପୁଣି ରିଙ୍କିର ଜନ୍ମଦିନରେ ମହାଦେବ ମନ୍ଦିରରେ ହୋମଯଜ୍ଞର ବ୍ୟବସ୍ଥା ତା ମଧ୍ୟ ଶଶାଙ୍କ ପାଇଁ ନୂଆ ନ ଥିଲା। ତଥାପି ଶଶାଙ୍କ ଚିରାଚରିତ ଭାବରେ ବୋଉକୁ ନ ଚିଡ଼ାଇ ରହି ପାରିଲା ନାହିଁ।

“ବୁଝିଲୁ, ବାପାଙ୍କର କିଛି ଆଉ କାମ ନାହିଁ। ଚାକିରୀରେ ଥିଲା ବେଳେ ଯାହା ତ ପୂଜାପାଠ କରୁଥିଲେ, ଅବସର ପରେ ତାଙ୍କର ଏ ରୋଗଟା ବେଶୀ ବଢ଼ି ଯାଇଛି। ଆଉ ତୁ ମଧ୍ୟ ବୁଝାଇ ପାରୁନୁ ବାପାଙ୍କୁ। କଣ ହୋମ ଯଜ୍ଞ କରିଦେଲେ ଜୀବନର ସବୁ ବାଧାବିଘ୍ନ ଦୂର ହୋଇଯିବ?”

“ସେକଥା ତୁ ନିଜେ ପଚାରେ ବାପାଙ୍କୁ। ମୁଁ ରଖୁଛି ଫୋନ୍।” ଶେଷଆଡ଼କୁ ବୋଉର ସ୍ୱରରେ ବିରକ୍ତି ଫୁଟି ଉଠିଲା।

ଗାଁକୁ ନ ଯାଇ ଶଶାଙ୍କର ଅନ୍ୟ ଉପାୟ ନ ଥିଲା। ଫୋନ୍ ତ ନୁହଁ ସେଇଟା ପରୋକ୍ଷରେ ଥିଲା ବାପାଙ୍କର ଆଦେଶନାମା। ପିଲାଟି ଦିନରୁ ବାପାଙ୍କୁ ଖୁବ୍ ଡରୁଥିଲା ଶଶାଙ୍କ। ସିଧାସଳଖ କୌଣସି ସମସ୍ୟା କଥା ବାପାଙ୍କୁ କହି ପାରୁନଥିଲା। ବୋଉ ଥିଲା ତାର ମାଧ୍ୟମ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ବୁଝି ପାରୁଥିଲା ବାପାଙ୍କ ପ୍ରତି ତାର ଡର ପ୍ରକୃତରେ ଡର ନୁହଁ ତାଙ୍କ ପ୍ରତି ସମ୍ମାନ। ଏବେ ସେ ଜଣେ ସିଭିଲ୍ ଇଞ୍ଜିନିୟର୍। କଣ୍ଟ୍ରାକ୍ଟର, ଜୁନିୟର୍, ଷ୍ଟାଫ୍ ତାକୁ ଡରନ୍ତି। ତାର କିନ୍ତୁ ବାପାଙ୍କ ପ୍ରତି ଡର କମିନି ଏଯାବତ୍।

ରିଙ୍କିର ଯେଉଁଦିନ ଜନ୍ମଦିନ, ଶଶାଙ୍କ ଛୁଟି ନେଇ ଘରେ ପହଞ୍ଚିଲା। ରିଙ୍କିକୁ ଜନ୍ମଦିନର ଶୁଭେଚ୍ଛା ଜଣେଇ ତା ହାତକୁ ବଢ଼େଇ ଦେଲା ଛୋଟ ରିଷ୍ଟୱାଚ୍.ଟିଏ। ରିଙ୍କି ବହୁତ ଖୁସି। କିନ୍ତୁ ସେତିକି ବିରକ୍ତ ମଧ୍ୟ ବାପାଙ୍କର ପୂଜାପାଠର ପଟୁଆରରେ। ତାକୁ ଲାଗୁଥିଲା ଓଳିଟିଏ ପୁରା ବେକାର ପଳେଇବ। ଏଇ ପୂଜାପାଠ, ହୋମଯଜ୍ଞର ଶଶାଙ୍କ ଯେତିକି ପକ୍ଷପାତି, ରିଙ୍କି ମଧ୍ୟ। ହେଲେ ଦୁହେଁ ଥିଲେ ନିରୁପାୟ। ପୁରୁଣାକାଳିଆ ଲୋକଙ୍କ ପରି ଏସବୁ କାହିଁକି ଯେ ବାପା କରନ୍ତି, ଦୁହିଁଙ୍କ ମୁଣ୍ଡରେ କିଛି ପଶେନି। ସବୁ କଥାରେ ତର୍କ ଖୋଜୁଥିବା ମଣିଷ, ଏଇଠି କେମିତି ନିଜକୁ କମ୍ପ୍ରମାଇଜ୍ କରିନିଏ ବୁଝିପାରନ୍ତିନି ସେମାନେ। ବାପା ଥିଲେ ବିଜ୍ଞାନର ଛାତ୍ର, ଗଣିତ ଅଧ୍ୟାପକ। ବିନା ତର୍କରେ କୌଣସି କଥାକୁ ସହଜରେ ଗ୍ରହଣ କରନ୍ତିନି। ସେମିତି ରିଙ୍କି ମଧ୍ୟ ବାୟୋ ଟେକ୍ନୋଲୋଜିରେ ପି.ଏଚ୍.ଡି. କରି ଏବେ ଜୁନିୟର ସାଇଣ୍ଟିଷ୍ଟ ଭାବରେ କାର୍ଯ୍ୟରତ। କହିବାକୁ ଗଲେ ବୋଉକୁ ଛାଡ଼ିଦେଲେ ଘରେ ସମସ୍ତେ ତାର୍କିକ ଚିନ୍ତାଧାରାର ମଣିଷ। ବେଶୀ ଚିଡ୍ ଚିଡ୍ ଲାଗେ ସେତିକି ବେଳେ, ଯେତେବେଳେ ବାପା ପୁରୋହିତ ହିସାବରେ ସେ ବଡ଼ ପେଟୁଆ ହରିଆକୁ ଡାକି ଆଣନ୍ତି। ମନ୍ତ୍ର ପଢ଼େ କି ଭଜନ ଗୁଣୁ ଗୁଣୁ ହୁଏ ବୁଝି ହୁଏନି। ବଡ଼ ପାଟିରେ ମନ୍ତ୍ର ପଢ଼ିବା ତାକୁ କେହି ଦେଖିନି। କିନ୍ତୁ ଚିତାଟା ଏମିତି କାଟିଥିବ, ସତେକି ତା ଠାରୁ ବଡ଼ ପୁରୋହିତ ଏ ଖଣ୍ଡମଣ୍ଡଳରେ କେହି ନାହିଁ। ତା ଚିତା ପରି ପୂଜାସାମଗ୍ରୀର ତାଲିକା ବି ବଡ଼। ବାପା କିନ୍ତୁ ପ୍ରତିଥର କାଟଛାଣ୍ଟ କରି ତାଲିକାଟି ତାକୁ ହିଁ ଧରାଇ ଦିଅନ୍ତି ବଜାରରୁ କିଣି ଆଣିବା ପାଇଁ। ଅବଶ୍ୟ ଦକ୍ଷିଣାରେ କେବେ ଅସନ୍ତୁଷ୍ଟ କରନ୍ତିନି। ଆଶାଠାରୁ ଅଧିକ ତା ଝୋଲାରେ ଦେଇ ଦିଅନ୍ତି।

ସେଦିନ ମଧ୍ୟ ହରିଆ ଠିକ୍ ସମୟରେ ତା ଝୋଲା ମୁଣା ଆଉ ପୂଜାସାମଗ୍ରୀ ଧରି ସେମାନଙ୍କ ସହିତ ବାହାରିଲା ମହାଦେବ ମନ୍ଦିରକୁ। ହୋମ ଚାଲିଲା। ତେଣେ ମନ୍ଦିର ପୂଜାରୀ ଦ୍ୱିପହର ଖାଇବାର ବ୍ୟବସ୍ଥା କରୁଥିଲା। ଶଶାଙ୍କ ହୋମପାଖରେ ଅଳ୍ପ ସମୟ ବସି ଉଠିଗଲା ରୋଷେଇ ଦେଖିବା ବାହାନାରେ। ଚିରାଚରିତ ଭାବରେ ଚାରିପାଞ୍ଚଜଣଙ୍କ ସ୍ଥାନରେ ରୋଷେଇ ହେଉଥିଲା ଦଶଜଣଙ୍କ ପାଇଁ। ଶଶାଙ୍କ ଜାଣେ ବଳକା ପ୍ରସାଦ କେଉଁଠିକି ଯିବ। ତାର ଅନାଗ୍ରହ ତାକୁ ନେଇଗଲା ମନ୍ଦିର ସମୀପବର୍ତ୍ତୀ ଆମ୍ବତୋଟା ଆଡ଼କୁ। ମନ୍ଦିର ପଛପଟେ ବିରାଟ ଆମ୍ବତୋଟା ଲମ୍ବିଯାଇଛି ଅନେକ ଦୂର। ପରିବେଶ ଖୁବ୍ ଶାନ୍ତ ଥିଲା। ଶଶାଙ୍କ ଚାଲୁ ଚାଲୁ ଗୋଟିଏ ବଡ଼ ଆମ୍ବଗଛ ମୂଳେ ଛାଇ ଦେଖି ବସିପଡ଼ିଲା। ତାର ମନେ ପଡ଼ୁଥିଲା ପିଲାବେଳ କଥା। ଏମିତି ଅନେକଥର ଆମ୍ବ ତୋଳିବାକୁ ଆସି ଗଛ ଛାଇରେ ଶୋଇ ପଡ଼ୁଥିଲେ ସେ ଆଉ ପଙ୍କୁ (ପଙ୍କଜ), ତାର ବାଲ୍ୟସାଙ୍ଗ। ଉଭୟଙ୍କ ଭିତରେ ଦୋସ୍ତି ଅନେକ। ଧୀରେ ଧୀରେ ସେମାନେ ଯେତେବେଳେ ବଡ଼ ହେଲେ ବୁଝିପାରିଲେ, ସେମାନଙ୍କ ରାସ୍ତା ଅଲଗା ଅଲଗା। ଶଶାଙ୍କର ବାପା ସିନା ଚାକିରୀ ହେତୁ ତାକୁ ଏତେ ପାଠ ପଢ଼େଇ ପାରିଲେ, ହେଲେ ପଙ୍କୁର ବାପାଙ୍କର ଆର୍ଥିକ ସ୍ଥିତି ଭାରି ରୁଗ୍.ଣ। ପଙ୍କୁର ବାପା ହାଇୱେ ଛକ ପାଖରେ ପକାଇଥାନ୍ତି ପଇଡ଼ ଦୋକାନଟିଏ। ଦିନେ ଶଶାଙ୍କ ଦେଖିଲା ପଙ୍କୁ ସେ ଦୋକାନରେ ବସି ବାପାଙ୍କୁ ସାହାଯ୍ୟ କରୁଛି। ତା ପରଠାରୁ ଶଶାଙ୍କ ପଙ୍କୁକୁ ସ୍କୁଲ ଯିବା ଦେଖିନି। କଲେଜ ଯିବା ପାଇଁ ଶଶାଙ୍କ ଯେତେବେଳେ ଛକ ପାଖରେ ବସ୍.କୁ ଅପେକ୍ଷା କରେ, ପଙ୍କୁ ଜୁଳୁ ଜୁଳୁ କରି ଚାହେଁ ଶଶାଙ୍କ ଆଡ଼େ। ଶଶାଙ୍କକୁ ଲାଗେ ସେ କେଡ଼େ ଭାଗ୍ୟବାନ। ସେତେବେଳେ ସେ ନିଜ ପଲିସ୍.କରା ଯୋତା ଆଡ଼କୁ ଚାହିଁ ଦେଇ ଇନ୍.କରା ସାର୍ଟ୍.ଟିକୁ ଆଉ ଟିକେ ସଜାଇ ନେଇ ରାସ୍ତାକୁ ଅନାଏ। ଅଭିନବ ଭଙ୍ଗୀରେ ବାଁ ଗୋଡ଼କୁ ତେରେଛେଇ ଠିଆ ହୁଏ। ବସ୍ ଲାଗିଲେ ଗ୍ରାହକଙ୍କ କୋଳାହଳରେ ପଙ୍କୁ ଲାଗିଯାଏ ପୁଣି ନିଜ କାମରେ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲା ପରେ କିନ୍ତୁ ପଙ୍କୁର ପଇଡ଼ ଦୋକାନର ରୋଜଗାର ପଙ୍କୁକୁ ବଞ୍ଚାଇ ରଖି ପାରିଲାନି। ଦୁଇ ବର୍ଷ କଷ୍ଟ ଭୋଗି ଶେଷରେ ମୃତ୍ୟୁବରଣ କଲା। ପଛରେ ଛାଡ଼ିଗଲା ତାର ସ୍ତ୍ରୀ ଓ ଦୁଇ ପିଲାଙ୍କୁ। ସମୟ କେତେ ଶୀଘ୍ର ବଦଳିଯାଏ ସତରେ! ଶଶାଙ୍କ ଦୀର୍ଘଶ୍ୱାସ ଛାଡ଼ି ଉଠି ଠିଆ ହେଲା।

ରାତିରେ ବାରଣ୍ଡାରେ ଚୌକି ପକାଇ ବସିଥିଲେ ବାପା। ଆକାଶରେ ଚତୁର୍ଦ୍ଦଶୀ ଜହ୍ନ। ବାପା ହାଁ କରି ଚାହିଁଥିଲେ ସେଇଆଡ଼କୁ। ଝରକା ପାଖରେ ଠିଆ ହୋଇ ଶଶାଙ୍କ ଭାବୁଥିଲା, ବାପା ବୋଧେ ଚିନ୍ତା କରୁଥିବେ ମାନସିକ କରିଥିବା ତ୍ରିନାଥ ମେଳାଟା ଆସନ୍ତା କେଉଁ ତିଥିରେ କଲେ ଠିକ୍ ହେବ। ଚୌକୀ ପାଖକୁ ଲାଗିଆସିଲା ରିଙ୍କି। ବାପା ଆକାଶରୁ ମୁହଁ ଫେରାଇ ଚାହିଁଲେ ତା ଆଡ଼େ।

“କଣ କିଛି କହିବୁ?”

ମନ ଭିତରେ ହସି ଦେଇ ଶଶାଙ୍କ ମୁଣ୍ଡ ହଲାଇଦେଲା ଧୀର କରି। ହେଲେ ଶଶାଙ୍କର ଭାବନାକୁ ଭୁଲ୍ ପ୍ରମାଣିତ କରି ରିଙ୍କି ପଚାରିଲା, “ବାପା, ଏଇସବୁ କର୍ମକାଣ୍ଡ ଯାହା କରୁଛ, ତମକୁ ବିଶ୍ୱାସ ହେଉଛି ଏହାର କିଛି ସୁଫଳ ହେଉଥିବ ବୋଲି?” ଶଶାଙ୍କ ତଟସ୍ଥ ହୋଇ ଚାହିଁଲା ବାପାଙ୍କର ପ୍ରତିକ୍ରିୟା କଣ ହେବ। ଏ ବିଷୟରେ ସେ ମଧ୍ୟ ଅନେକ ଥର ଭାବିଛି ବାପାଙ୍କୁ ପଚାରିବ ବୋଲି, ହେଲେ ସାହସ କୁଳେଇ ପାରିନି। ବାପା ନିରୋଳା ହସଟିଏ ହସିଲେ। ପୁଣି ଚାହିଁଲେ ଆକାଶ ଆଡ଼କୁ। ସେ ଜାଣେ ବାପାଙ୍କଠୁଁ ଉତ୍ତର ମିଳିବା ଏତେ ସହଜ ନୁହେଁ। ମନକୁ ମନ ହସିଦେଇ ସେ ଅପସରି ଗଲା ଝରକା ପାଖରୁ। ଦୁଇପାଦ ପଛକୁ ଫେରିଛି ବାପାଙ୍କର କୋମଳ କଣ୍ଠସ୍ୱର ତାକୁ ଅଟକେଇ ଦେଲା।

“ମା’ ରେ, ବିଶ୍ୱାସ ନୁହେଁ, ବରଂ ମୁଁ ସ୍ଥିର ନିଶ୍ଚିତ ଯେ ଏହାର ସୁଫଳ ଅଛି।”

“କେମିତି ବାପା? କିଛି ବିଜ୍ଞାନସମ୍ମତ କାରଣ ତମେ ଖୋଜି ପାଇଲଣି ନା କଣ?”

“ସୁଫଳ ମୁଁ ସ୍ୱଚକ୍ଷୁରେ ଦେଖୁଛିରେ ମା’। ଅନ୍ୟ କାରଣ ମୋର ଅନାବଶ୍ୟକ।”

ରିଙ୍କି ବୋକା ପରି ଚାହିଁ ରହିଲା ବାପାଙ୍କ ମୁହଁକୁ। ବାପା ଥରେ ରିଙ୍କି ମୁହଁକୁ ଚାହିଁଦେଇ ପୁଣି ଜହ୍ନ ଆଡ଼କୁ ଚାହିଁଲେ।

“ତୋ ହରିଆ ବଡ଼ପାକୁ ତୁ ପିଲାଟି ବେଳୁ ଦେଖୁଛୁ ନା?”

“ହଁ।”

“ମୁଁ ତା ବାପାଙ୍କୁ ଦେଖିଛି। ବିଘ୍ନରାଜ ଗୋସେଇଁ। ଖୁବ୍ ଜ୍ଞାନୀ, ଗୁଣୀ ବ୍ୟକ୍ତି। ପୁରୋହିତ ହିସାବରେ ଆଖପାଖରେ ତାଙ୍କର ନାଁ ଡାକ। ହେଲେ ଖୁବ୍ ସଚ୍ଚୋଟ ବ୍ୟକ୍ତି। ଏତେ ବଡ଼ ପୁରୋହିତ ହୋଇ ମଧ୍ୟ ନିଜ ଆବଶ୍ୟକତା ଠାରୁ ଅଧିକ କାହାଠୁ ଆଶା ରଖନ୍ତିନି। ହରିଆ ଯଦିଓ ସଚ୍ଚୋଟ ଓ ନିରୀହ, ତା ବାପାଙ୍କ ପରି ପୌରୋହିତ୍ୟରେ ପାଣ୍ଡିତ୍ୟ ଅର୍ଜନ କରିପାରିଲା ନାହିଁ। ମୋ ଠାରୁ ଦୁଇବର୍ଷ ବଡ଼ ହେଲେ ବି ଆମେ ଦୁହେଁ ଥିଲୁ କ୍ଳାସ୍.ମେଟ୍। ବିଘ୍ନରାଜ ଗୋସେଇଁଙ୍କ ମୃତ୍ୟୁ ପରେ ଲୋକେ ତାଙ୍କର ବିକଳ୍ପ ଖୋଜିଲେ। ଆଉ ହରିଆ ତା ବାପାଙ୍କ ସ୍ଥାନ ନେଇ ପାରିଲା ନାହିଁ। ମୋ ଆଖି ଆଗରେ ହରିଆ ଧିରେ ଧିରେ ଆର୍ଥିକ ଅନଟନରେ ପେଶୀ ହୋଇଗଲା। ପୁଅକୁ ବାହା ଦେଇ ଘରକୁ ସୁଶୀଳା ବୋହୁଟିଏ ଆଣିଲା। ତୁ ଜାଣୁ, ଉମେଶଭାଇକୁ। ତାରି ପ୍ରଚେଷ୍ଟାରେ ହୁଏତ ତାଙ୍କ ଘରର ପରିସ୍ଥିତି ବଦଳିଥାନ୍ତା। ବଦଳୁଥିଲା ମଧ୍ୟ। ଭାରି ଉଦ୍ୟୋଗୀ ପିଲାଟିଏ। ଅଳ୍ପ ପାଠ ପଢ଼ାରେ ମଧ୍ୟ ବମ୍ବେ ଯାଇ ନିଜ ପାଇଁ ଚାକିରୀ ଖଣ୍ଡେ ଯୋଗାଡ଼ କରିଥିଲା। କିନ୍ତୁ ହରିଆର କପାଳ ଫଟା। ଆକ୍ସିଡେଣ୍ଟ୍.ରେ ଉମେଶ ଆରପାରିକୁ ଚାଲିଗଲା। ସେଦିନ ହରିଆର ଅସହାୟତାକୁ ମୁଁ ସ୍ୱଚକ୍ଷୁରେ ଦେଖିଛି ଓ ହୃଦୟଙ୍ଗମ କରିଛି। ଘରେ ଦୁଇ ଦୁଇଟା ପିଲା, ଗୋଟିଏ ବିଧବା ବୋହୁ ଆଉ ତୋ ବଡ଼ମା। ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ଗୋଟିଏ ମାନସିକ ସ୍ତର ଥାଏ। ସେ ସ୍ତରରୁ ସେମାନେ ଯେତେ ଚେଷ୍ଟା କଲେ ବି ଉପରକୁ ଉଠି ପାରନ୍ତିନି। ହରିଆକୁ ଅଲଗା କିଛି ବୃତ୍ତିରେ ଲଗାଇବା ପାଇଁ ମୁଁ ଅନେକ ଚେଷ୍ଟା କଲି। ହରିଆ କିନ୍ତୁ ପୌରୋହିତ୍ୟ ବ୍ୟତୀତ ଆଉ କିଛି ଜାଣିନାହିଁ। ପୌରୋହିତ୍ୟରେ ପ୍ରତିଯୋଗୀତା ବି କରି ଜାଣିନାହିଁ। ତା ହକ୍ ବ୍ୟତୀତ କେଉଁଥିରେ ସେ ହାତମାରିବ ନାହିଁ। ତୁ କହିଲୁ ମା’, ତା ସ୍ୱାଭିମାନ ରକ୍ଷା ପାଇଁ ମୁଁ ଆଉ କଣ କରି ପାରିଥାନ୍ତି।” ଶେଷ ଆଡ଼କୁ ବାପାଙ୍କ କଣ୍ଠରୋଧ ହୋଇ ଆସିଲା।

ଝରକା ସେପାଖରେ ଠିଆ ହୋଇ ଶଶାଙ୍କର ହୃଦୟ ଭାରୀ ହୋଇ ଆସିଲା। ସେ ତା ପିଲାଦିନର ସାଙ୍ଗ ପଙ୍କୁ କି ତା ପରିବାର ପାଇଁ କିଛି କରି ପାରିଲା ନାହିଁ ଭାବି ମନଟା ଦୁଃଖୀ ହୋଇଗଲା।

ସେଦିନ ପରଠାରୁ ଶଶାଙ୍କର ଦୃଷ୍ଟିକୋଣରେ ଅନେକ ପରିବର୍ତ୍ତନ ଘଟିଛି। ଦୁଃଖୀରଙ୍କୀ ଦେଖିଲେ ବିରକ୍ତି ବଦଳରେ ତା ଅନ୍ତରରେ ସହୃଦୟତା ମୁଣ୍ଡ ଟେକୁଛି। ସ୍ୱତଃ ତରଳି ଯାଉଛି ମନ। ତେବେ, କିଛି ସାହାଯ୍ୟ କରିବା ପୂର୍ବରୁ ସେମାନଙ୍କର ସ୍ୱାଭିମାନ ପ୍ରତି ସଚେତନ ରହୁଛି ଶଶାଙ୍କ।




Rate this content
Log in

More oriya story from T.Durga Prasad Rao

Similar oriya story from Inspirational